ଭୁବନେଶ୍ୱର, ୧ ଜୁନ ୨୦୨୪
ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି । ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ତରଫରୁ ଏ ସମ୍ପର୍କରେ ବିଭିନ୍ନ ଉପଦେଶାବଳୀ ଦିଆଯାଇଛି । ସଂପ୍ରତି ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ, ଏଥିପାଇଁ ସମସ୍ତ ଜନସାଧାରଣ ଅତି ଉତ୍ତପ୍ତ ସମୟ ମଧ୍ୟରେ, ସାଧାରଣତଃ ଦିନ ୧୦ ଟା ବା ୧୧ ଟାରୁ ଦିନ ୩ଟା ମଧ୍ୟରେ ଯେ କୌଣସି କାମ ଯଥା, ବ୍ୟକ୍ତିଗତ କାମ ହେଉ, କୌଣସି ଠିକାଦାରଙ୍କ କାମ ହେଉ ବା କୌଣସି ବାହାର କାମକୁ ଯିବାକୁ ନିବୃତ୍ତ ରହିବାର ଆବଶ୍ୟକତା ରହିଛି । ଯଦି ଅନିବାର୍ଯ୍ୟ କାରଣ ବଶତଃ ବାହାରକୁ କାମରେ ଯିବାକୁ ପଡୁଛି, ତେବେ ପାଖରେ ଛତା, ଯୋତା ବା ଚପଲ ବ୍ୟବହାର କରିବା, ସାଙ୍ଗରେ ପାଣି ବୋତଲ ଧରିବା, ତଉଲିଆ ବା ଓଦା ଗାମୁଛା ପକାଇ ଯିବାକୁ ସେ ଅନୁରୋଧ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଆଜି ସେ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍ଫରେସିଂ ଜରିଆରେ ବୈଠକ କରି ମାଇକିଂ(ଡାକବାଜି ଯନ୍ତ୍ର) ଜରିଆରେ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପ୍ରଚାରକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ରୌଦ୍ରତାପ ପ୍ରଭାବିତ ସ୍ଥିତିରେ ବା ଯଦି ଏଭଳି ଅସ୍ୱାଭାବିକ ତାପମାତ୍ରାରେ ପ୍ରଭାବିତ ଯଦି କେହି ସନ୍ଦିଗ୍ଧ ବ୍ୟକ୍ତି ଡାକ୍ତରଖାନାକୁ ଆସନ୍ତି, ତେବେ ତାଙ୍କର କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ସବିଶେଷ ନିର୍ଦ୍ଦେଶ ଆଗରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଛି । ଗତ କିଛି ଦିନରେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରାଯାଇଛି । ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖାଯାଇଛି । ଯଦି କୌଣସି କ୍ଷେତ୍ରରେ ଏପରି କୌଣସି ଅସୁସ୍ଥତା ଜନିତ ସନ୍ଦିଗ୍ନ ବ୍ୟକ୍ତି ନିକଟସ୍ଥ ଡାକ୍ତରଖାନାରେ ପହଁଚନ୍ତି, ତେବେ ଡାକ୍ତରଖାନାରେ ତୁରନ୍ତ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି ।
ଏହି ଗ୍ରୀଷ୍ମ ପ୍ରବାହ ଜନିତ ଉତ୍ତାପ ଆହୁରି କିଛି ଦିନ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି । ଏଣୁ ଆମେ ସମସ୍ତେ ସତର୍କତା ଅବଲମ୍ବନ କରିବା, ଅଯଥାରେ ଖରାରେ ବେଶୀ ସମୟ ବୁଲାବୁଲି କରିବା ନାହିଁ, ଯୁବକମାନେ ମୋଟର ସାଇକେଲ ବା ଗାଡ଼ିରେ ବୁଲାବୁଲି କରୁଥିଲେ ସାଙ୍ଗରେ ହେଲମେଟ୍, ପାଣି ରଖିବେ, ଓଦା ତଉଲିଆ ରଖିବେ ଓ ବ୍ୟବହାର କରିବେ । ଶ୍ରମିକମାନଙ୍କୁ ଅତ୍ୟଧିକ ଖରାରେ କାମ କରିବାକୁ ବାଧ୍ୟ ନକରିବା, ଶ୍ରମିକମାନେ ମଧ୍ୟ ସିଧାସଳଖ ଖରାରେ ଦିନ ୧୧ ଟାରୁ ୩ ଟା ମଧ୍ୟରେ, ଯେତେବେଳେ ସବୁଠୁ ଅଧିକ ତାପମାତ୍ରା ଥାଏ, ସେ ସମୟରେ କାମ ନ କରିବାକୁ ସେ ଅନୁରୋଧ କରିଛନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟସ୍ଥଳରେ ଯେଉଁଠି କ୍ୟାମ୍ପ ରହିଛି, ସେଠାରେ ଠିକାଦାରମାନେ ଥଣ୍ଡାପାଣି ଏବଂ ଓଆରଏସ୍ ର ବ୍ୟବସ୍ଥା କରିବେ ।
ଶିଳ୍ପାଞ୍ଚଳରେ ଯେଉଁମାନେ ଟ୍ରକ୍ରେ ଯିବା ଆସିବା କରୁଛନ୍ତି, ଖଣି ଖାଦାନରେ ଯେଉଁମାନେ କାମ କରୁଛନ୍ତି, ସେମାନେ ୧୧ ରୁ ୩ ଟା ମଧ୍ୟରେ ମଧ୍ୟ ସେମାନଙ୍କର କାର୍ଯ୍ୟ କଳାପକୁ କମ୍ କରିବା ବା ବନ୍ଦ ରଖିବା, ଅଧିକ ଖରାରେ ଯେପରି କାମ ନକରିବେ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ । ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସାଙ୍ଗରେ ପାଣି ବୋତଲ ନେବା, ତଉଲିଆ ନେବାକୁ ପରାମର୍ଶ ଦେବା ସହ ବସ୍ ଚାଳକ ବା ବସ୍ ମାଲିକମାନେ ବସରେ ପର୍ଯ୍ୟାପ୍ତ ପରିମାଣର ଆଇସ୍ କ୍ୟୁବ୍ ବା ଥଣ୍ଡା ପାନୀୟ ଜଳ ରଖିବା, ଓଆର୍ଏସ୍ ପ୍ୟାକେଟ ରଖିବା ଓ ଆବଶ୍ୟକ ସମୟରେ ଓଆର୍ଏସ୍ ପାଣି ପିଇବା ପାଇଁ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଯେତେଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଉଛି, ସେ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଏଥିପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତି ଓ ଏହାର ମୁକାବିଲା ନିମନ୍ତେ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ବଢାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଓ ଏହା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଗତ କିଛି ଦିନ ହେଲା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ଯୋଗୁଁ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ପାଣି ପାଗ ବିଭାଗର ଆକଳନ ଅନୁସାରେ ଏହା ଆଗକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ରାଜ୍ୟରେ ବିଭିନ୍ନ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ଏଥି ନିମନ୍ତେ ସତର୍କତାମୂଳକ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ସମେତ ଏସ୍ଆରସିଙ୍କ କାର୍ଯ୍ୟାଳୟ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ଏହି ସମୟରେ ସାଧାରଣତଃ ତାତି ଅଧିକ ରହିଥାଏ । ତେବେ ଏବେ ରାଜ୍ୟର କେତେକ ଜିଲ୍ଲାରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଦୃଷ୍ଟିରୁ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ଗ୍ରୀଷ୍ମ ପ୍ରବାହ ଜନିତ ସତର୍କତା ଅବଲମ୍ବନ ପାଇଁ ବ୍ୟାପକ ଜନ ସଚେତନତା ଅପରିହାର୍ଯ୍ୟ । ଏ ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଓ ପରାମର୍ଶ ଦିଆଯାଉଛି । ଏହି ପରାମର୍ଶକୁ ମାନିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ବିଭିନ୍ନ ସମୟରେ ପୂର୍ବରୁ ଏ ସମ୍ପର୍କରେ ସଚେତନ କରାଯାଇଥିଲେ ମଧ୍ୟ, ଜାରି ରହିଥିବା ଏପରି ସ୍ଥିତିରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପୁଣିଥରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାରକୁ ବଢାଇ ବ୍ୟାପକ ସଚେତନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ, ଏପରିକି ଗ୍ରୀଷ୍ମ ତାପ ନକମିବା ପର୍ଯ୍ୟନ୍ତ ଅତି ଜରୁରୀ କାମ ନଥିଲେ ଜନସାଧାରଣଙ୍କୁ ବାହାରକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି । ଯେଉଁମାନେ ଅତି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ସାଙ୍ଗରେ ଛତା, ଯୋତା ବା ଚପଲ, ପାଣି, ଓଦା ତଉଲିଆ ବା ଗାମୁଛା, ହେଲମେଟ ଆଦି ନିଶ୍ଚିତ ଭାବେ ନେବା ଓ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ପାଇଁ ଏବଂ ଟ୍ରକ୍ ଚାଳକମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ସମୟ ପୁନଃ ନିର୍ଦ୍ଧାରଣ କରିବାକୁ ସେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକମାନେ କାର୍ଯ୍ୟକରୁଥିବା କାର୍ଯ୍ୟସ୍ଥଳୀ ନିକଟସ୍ଥ କ୍ୟାମ୍ପରେ ଯଥେଷ୍ଟ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍, ପ୍ରାଥମିକ ଚିକିତ୍ସା ବାକ୍ସ ବ୍ୟବସ୍ଥା ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବସ୍ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହ ଓଆରଏସ୍ ପ୍ୟାକେଟ, ପାନୀୟ ଜଳ ରଖିବାକୁ ନିଶ୍ଚିତ କରିବା ଓ ଏଥି ପ୍ରତି ଯାଂଚ କରିବାକୁ କହିଛନ୍ତି । ନିର୍ବାଚନ ମତଗଣନା କାର୍ଯ୍ୟରେ ଯେଉଁମାନେ ନିୟୋଜିତ ରହିଛନ୍ତି, ସେମାନଙ୍କ ପାଇଁ ଯେପରି ଦହି, ଲସି, ପାଣି, ବରଫ ମହଜୁଦ ରହେ, ତାହାକୁ ନିଶ୍ଚିତ କରିବାକୁ କୁହାଯାଇଛି । ସେହିପରି ନିର୍ବାଚନ କାର୍ଯ୍ୟ ଓ ମତଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ, ପୋଲିଂ ଏଜେଣ୍ଟ ଆଦି ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯେଉଁସବୁ ସ୍ଥାନରେ ଜଳଛତ୍ର ଖୋଲାଯାଇଛି, ସେସବୁ ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉଛି କି ନାହିଁ, ତାହା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା ଆମର ପ୍ରାଥମିକତା ରହିଛି । ଏଣୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ଜନିତ ସମସ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି ।
ଅନ୍ୟପକ୍ଷରେ ଡାକ୍ତରଖାନାରେ ସମସ୍ତ ପ୍ରସ୍ତୁତି ରହିଥିବା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ପ୍ରକାଶ କରିଥିଲେ । ଗ୍ରୀଷ୍ମ ପ୍ରବାହ ସମୟରେ ଡାକ୍ତରଖାନା ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଜଡ଼ିତ ଅନ୍ୟ ସମସ୍ତ ସଂସ୍ଥାଙ୍କ ସହିତ ସମନ୍ୱୟ ରଖାଯାଇ ସ୍ୱାସ୍ଥ୍ୟ ସେବା ପରିଚାଳନା କରାଯାଉଛି । ହସ୍ପିଟାଲ୍ ଗୁଡ଼କରେ ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ଓଆର୍ଏସ୍, ବରଫ ପ୍ୟାକେଟ ଆଦି ରଖାଯାଇଛି । ଡାକ୍ତରଖାନାଗୁଡିକରେ ଯେପରି କୁଲର, ଏସି ଆଦି କାର୍ଯ୍ୟକ୍ଷମ ରୁହେ, ତାହାକୁ ନିଶ୍ଚିତ କରିବାକୁ ବିଦ୍ୟୁତ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏପରି ଅସ୍ୱାଭାବିକ ସ୍ଥିତିରେ କାହାରି ମୃତ୍ୟୁ ଘଟିଲେ ଏଥି ନିମନ୍ତେ ରହିଥିବା ପ୍ରୋଟୋକଲ ଓ ଗାଇଡ୍ଲାଇନ୍ ଅନୁସାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଯେଉଁ ସବୁ ଡାକ୍ତରଖାନାରେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର(ଏସି) ନିରନ୍ତର ଚାଲୁ ରହୁଛି, ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହାର ସ୍ଥିତିକୁ ନିୟମିତ ଭାବେ ଯାଂଚ କରିବାକୁ ସେ ପରାମର୍ଶ ଦେଇଥିଲେ ।
Post a Comment