Articles by "Jobs-Education"

ଭୁବନେଶ୍ୱର, ୦୨ ଜୁଲାଇ ୨୦୨୬


ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ବିଜ୍‌ନେସ୍ ଆଣ୍ଡ କମ୍ଫ୍ୟୁଟର ସାଇନସେସ୍‌(ଆଇବିସିଏସ୍‌) ପକ୍ଷରୁ ଗତ ଶନିବାର ଶିକ୍ଷାଦାନ କ୍ଷେତ୍ରରେ ଉତ୍କଷର୍ତା, ଗବେଷଣା କ୍ଷମତା ଏବଂ ଶୈକ୍ଷିକ ନେତୃତ୍ୱକୁ ପୁନଃ ପରିଭାଷିତ କରିବା "ଉପରେ ଏକ ୫ ଦିନିଆ ଫ୍ୟାକଲ୍ଟି ବିକାଶ କାର୍ଯ୍ୟକ୍ରମ (ଏଫ୍‌ଡିପି) ଆରମ୍ଭ ହୋଇଛି।

“ଏଆଇ-ଏନାବଲଡ ଇଣ୍ଡଷ୍ଟ୍ରି ୫.୦ ମ୍ୟାନେଜମେଂଟ ଏଜୁକେସନ: ରିଡିଫାଇନିଂ ଟିଚିଂ ଏକ୍ସିଲେନସ୍‌, ରିସର୍ଚ୍ଚ କ୍ୟାପାବିଲିଟି ଆଣ୍ଡ ଏକାଡେମିକ ଲିଡରସିପ”୍ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି. କେ. ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଟିସିଏସ୍‌ର ଗ୍ରୋଥ୍ ମାର୍କେଟ୍‌-କ୍ଲାଉଡ୍ ଇନଫ୍ରାଷ୍ଟଚର ୟୁନିଟ୍‌ର ଆପ୍ଲିକେସନ୍ ମଡର୍ଣ୍ଣାଇଜେସନ୍ ଆଣ୍ଡ ଡିଜିଟାଲ୍ ଟ୍ରାନ୍ସଫର୍ମେଶନ୍ ଡେଲିଭରି ହେଡ୍ ଡକ୍ଟର ଶ୍ରୀକାନ୍ତ କୁମାର ମହାପାତ୍ର, ସୋଆ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟଶକାନ୍ତ ମହାନ୍ତି, ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ଏବଂ ପ୍ରଫେସର (ଡକ୍ଟର)ବନ୍ଦନା ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । 

ଏହି ଅବସରରେ ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଶିଳ୍ପ ବିଶେଷଜ୍ଞମାନେ ସାମିଲ ହୋଇ କୃତ୍ରିମ ବୁଦ୍ଧିମତା ଉପରେ  ଶିଳ୍ପ ୫.୦, ଡିଜିଟାଲ୍ ପରିବର୍ତନ, ଏଆଇ ବ୍ୟବହାର ଦ୍ୱାରା ଶିକ୍ଷାଦାନ, ଗବେଷଣା, ଏଚ୍‌ଆର ଆନାଲିଟିକ୍ସ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇଥିବା ମ୍ୟାନେଜମେଂଟ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଟିସିଏସ୍‌ର ଡେଲିଭରି ହେଡ୍ ଡକ୍ଟର ମହାପାତ୍ର, ଟିସିଏସ୍‌ର ଏଆଇ କନ୍‌ସଲଟାଂଟ୍ ଶ୍ରୀମତୀ ସୀତା ନାୟକ, ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର (ଡକ୍ଟର) ସୁଚିତ୍ରା ପାଲ, ଟିସିଏସ୍ ର ଚିଫ୍ ଆର୍କିଟେକ୍ଟ ଶ୍ରୀ ବିଶ୍ୱରଞ୍ଜନ ଜେନା, ସିନିୟର୍ କନ୍‌ସଂଲାଟ୍ ଶ୍ରୀମତୀ ସସ୍ମିତା ପଟ୍ଟନାୟକ, ସୋଆ ଆଇବିସିଏସ୍‌ର ପ୍ରଫେସର (ଡକ୍ଟର) ବନ୍ଦନା ନାୟକ, ପ୍ରଫେସର (ଡକ୍ଟର) ଗଣେଶ ପ୍ରସାଦ ଦାସ, ସେଂଟ୍ରାଲ୍ ୟୁନିଭର୍ସିଟି,ରାଜସ୍ଥାନର ପ୍ରଫେସର (ଡକ୍ଟର) ଉମା ଶଙ୍କର ମିଶ୍ର, ଜାଭିୟର୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଲଲାଟେନ୍ଦୁ କେଶରୀ ଜେନା, ଶ୍ରୀ ଶ୍ରୀ ୟୁନିଭର୍ସିଟି (ଏସ୍‌ଏସ୍‌ୟୁ)ର ପ୍ରଫେସର (ଡକ୍ଟର) ସୁନୀଲ କୁମାର ଧଳ, ବାଙ୍ଗାଲୁରୁ ୱିପ୍ରୋ ଲିମିଟେଡ୍‌ର ଏଆଇ ସ୍କିଲିଂ ହେଡ୍ ଶ୍ରୀ ଏସ୍‌.ପି. ମହାପାତ୍ର, ବେଙ୍ଗାଲୁରୁ ବିଜିନେସ୍ ଟେକ୍‌ନୋଲୋଜି କନ୍‌ସଂଲାଟ୍  ଶ୍ରୀ ପାର୍ଥ ପଣ୍ଡା, ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଅମରେଶ ଚନ୍ଦ୍ର ନାୟକ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍‌)ର ପୂର୍ବତନ ଜେନେରାଲ୍ ମ୍ୟାନେଜର୍‌(ଏଚ୍‌ଆର) ଶ୍ରୀ ସୂର୍ଯ୍ୟ କୁମାର ଷଡଙ୍ଗୀ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇ ମତ ରଖିଥିଲେ।

ଏହି ଅଧିବେଶନ ଗୁଡ଼ିକ ଅଂଶଗ୍ରହଣକାରୀ ମାନଙ୍କୁ ଏଆଇ-ସକ୍ଷମ ଶିକ୍ଷାଦାନ, ଶିଳ୍ପ ୫.୦ ପ୍ରୟୋଗ, ଡିଜିଟାଲ୍ ପରିର୍ବତନ, ନେତୃତ୍ୱ ଏବଂ ଉଦୀୟମାନ ଗବେଷଣା ସୁଯୋଗ ବିଷୟରେ ବ୍ୟବହାରିକ ଅର୍ନ୍ତଦୃଷ୍ଟି ପ୍ରଦାନ କରିଥିଲା।

ଏହି ଏଫ୍‌ଡିପି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ବି'ସ୍କୁଲ ଗୁଡିକର ଅଧ୍ୟାପକମାନେ ଯୋଗ ଦେଇଥିଲେ। ଏହାକୁୂ ଆଇବିସିଏସ୍‌ର ପ୍ରଫେସର (ଡକ୍ଟର) ବନ୍ଦନା ନାୟକ ଏବଂ ଡକ୍ଟର ଅମରେଶ ଚନ୍ଦ୍ର ନାୟକ ମିଳିତ ଭାବରେ ପରିଚାଳନା କରିଥିଲେ।

ଭୁବନେଶ୍ୱର, ୦୨ ଜୁଲାଇ ୨୦୨୬


ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଏବଂ ହାଇଦ୍ରାବାଦ ସ୍ଥିତ ସିଗମାମୋଜାକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। ଏହାର ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟସେବା ଗବେଷଣା ଏବଂ ଚିକିତ୍ସା ଶିକ୍ଷାରେ ଆନ୍ତଃବିଷୟକ ସହଯୋଗ ପାଇଁ ଏକ ବ୍ୟାପକ ସଂସ୍ଥାଗତ ଢାଂଚା ପ୍ରତିଷ୍ଠା କରିବା।

ଚୁକ୍ତିନାମା ଅନୁଯାୟୀ ଉଭୟ ପକ୍ଷ ସ୍ୱାସ୍ଥ୍ୟସେବା ଗବେଷଣା, ଡିଜିଟାଲ୍ ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା, ଯୋଗାଯୋଗ ବିଜ୍ଞାନ, ଏଆଇ-ସକ୍ଷମ ସ୍ୱାସ୍ଥ୍ୟସେବା ସିଷ୍ଟମ ଏବଂ ସାବର୍ଜନୀନ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସିଗମାମୋଜାକ୍ ସଲ୍ୟୁସନ୍ସ ପ୍ରାଇଭେଟ୍‌‌ ଲିମିଟେଡର ସହ-ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀମତୀ ଶ୍ୱେତା ଶର୍ମା ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

  ଉଭୟ ପକ୍ଷ ଶିକ୍ଷା-ଶିଳ୍ପ ସହଯୋଗରେ ପ୍ରାୟୋଗିକ ସ୍ୱାସ୍ଥ୍ୟସେବା ଗବେଷଣା, ପ୍ରଯୁକ୍ତିବିଦ୍ୟା ସକ୍ଷମ ସ୍ୱାସ୍ଥ୍ୟସେବା ଯୋଗାଯୋଗ ବ୍ୟବସ୍ଥା, ଏଆଇ-ସହାୟତା ତାଲିମ ବ୍ୟବସ୍ଥା, ଡିଜିଟାଲ୍ ସ୍ୱାସ୍ଥ୍ୟ ନବସୃଜନ ଏବଂ ଶିକ୍ଷାଗତ ପ୍ରୟାସକୁ ଆଗକୁ ବଢ଼ାଇବା ନିମନ୍ତେ କାର୍ଯ୍ୟ କରିବେ।

ଉଭୟ ପକ୍ଷ ଏଆଇ-ସକ୍ଷମ ସ୍ୱାସ୍ଥ୍ୟସେବା ଯୋଗାଯୋଗ ବ୍ୟବସ୍ଥା, ଡିଜିଟାଲ୍ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟସେବା ତଥ୍ୟ ବିଶ୍ଳେଷଣ ଏବଂ ରୋଗୀ ନିବେଶ, ସିମୁଲେସନ୍ ଆଧାରିତ ଶିକ୍ଷା, ସଂପ୍ରଦାୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସୁଦୃଢ଼ୀକରଣ, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ଏଆଇ-ସହାୟତାରେ ଯୋଗାଯୋଗ ମୂଲ୍ୟାଙ୍କନ ଏବଂ ପ୍ରଶିକ୍ଷଣ, ଅନୁଦାନ ସମର୍ଥିତ ସ୍ୱାସ୍ଥ୍ୟସେବା ନବସୃଜନ କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀ କ୍ଷମତା ବର୍ଦ୍ଧନ ଭଳି କ୍ଷେତ୍ରରେ ସହଯୋଗ କରିବେ।

ଦୁଇ ଅନୁଷ୍ଠାନ ମିଳିତ ଭାବରେ କର୍ମଶାଳା, ସମ୍ମିଳନୀ ଏବଂ ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରିବେ ତଥା ମିଳିତ ଭାବେ ପ୍ରକାଶନ, ଜାତୀୟ ଏବଂ ଅର୍ନ୍ତଜାତୀୟ ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗରେ କାର୍ଯ୍ୟ କରିବେ।

ପ୍ରାଥମିକ ଧ୍ୟାନ ସ୍ନାତକ ଡାକ୍ତରୀ ଛାତ୍ରଙ୍କ ଯୋଗାଯୋଗ ଦକ୍ଷତା ଉନ୍ନତ କରିବା ଉପରେ ରହିବ। ଡାକ୍ତର-ରୋଗୀ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଜାତୀୟ ଚିକିତ୍ସା କମିଶନ ଦ୍ୱାରା ଏଟ୍‌କମ୍ (ମନୋଭାବ, ନୀତିଶାସ୍ତ୍ର ଏବଂ ଯୋଗାଯୋଗ) ମଡ୍ୟୁଲ୍ ପ୍ରଚଳନ ସତ୍ୱେ ଶିକ୍ଷାଦାନ ପଦ୍ଧତିରେ ଏହା କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହେଉଛି।

ଏହି ବ୍ୟବଧାନକୁ ଦୂର କରିବା ପାଇଁ ଦୁଇ ସଂଗଠନ କନଭର୍ସେସନ୍‌ଏଲି ନାମକ ଏକ ଏଆଇ-ଶକ୍ତିପ୍ରାପ୍ତ ଯୋଗାଯୋଗ ତାଲିମ ପ୍ଲାଟଫର୍ମ ପ୍ରଚଳନ କରୁଛନ୍ତି ଯାହା ବିଶେଷ ଭାବରେ ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱର, ୩୦ ଜୁନ୍ ୨୦୨




ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି।
 ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟି ରାଉରକେଲାର ଗଣିତ ବିଭାଗର ବରିଷ୍ଠ ପ୍ରଫେସର (ଡକ୍ଟର) ସ୍ନେହାଶିଷ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗଣିତର ବିନା ସହାୟତାରେ ମେସିନ ଶିକ୍ଷଣ ସହିତ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଘଟିବା ଅସମ୍ଭବ। ସେ ଅଭିନବ ଚିନ୍ତାଧାରା, ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ୟାର ସମାଧାନ କରିବା ସହିତ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ। ବର୍ତମାନ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ବୁଝିବା ଏବଂ ଏହାକୁ ବ୍ୟବହାର କରିବାରେ ଗଣିତର ଭୂମିକା ବେଶ୍ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ବହୁବିଧ ଗବେଷଣା ଓ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର ଗୁରୁତ୍ୱ ଉପରେ ଆଲୋକପାତ କରି ଗଣିତରେ ପାରଙ୍ଗମ ହେବା ଆବଶ୍ୟକ ବୋଲି କହିଥିଲେ।  ଏହି ପ୍ରଶିକ୍ଷଣ ଅଧିବେଶନରୁ ଲାଭବାନ ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସେ ଉତ୍ସାହିତ କରିବା ସହ କର୍ମଶାଳାର ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ।
ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀମାନେ ଖୁବ୍ ଉପକୃତ ହେବେ। କିପରି ଭାବେ ମେସିନ୍ ଲର୍ଣ୍ଣିଂରେ ଗଣିତର ପ୍ରୟୋଗ କରାଯାଇ ପାରିବ ଏବଂ ଭବିଷ୍ୟତରେ ଏହି ପ୍ରଶିଷଣ ଛାତ୍ରଛାତ୍ରୀମାନଙ୍କୁ କିପରି ସାହଯ୍ୟ କରିବ ସେ ନେଇ ସେ ବକ୍ତବ୍ୟ ରଖିଥିଲେ।
ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ କହିଥିଲେ ଯେ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ଗଣିତର କେତେ ଆବଶ୍ୟକତା ରହିଛି ସେ ନେଇ ଏହି କର୍ମଶାଳାରେ ଛାତ୍ରାଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।  ତେବେ ଏଆଇକୁ ବ୍ୟବହାର କରିବା ଓ ତାକୁ ବୁଝିବା ପାଇଁ ଗଣିତର ଆବଶ୍ୟକତା ରହିଛି। ମେସିନ୍ ଲର୍ଣ୍ଣିରେ ଗଣିତ କିପରି ବ୍ୟବହାର ହେବ ଓ ଆଗକୁ ଛାତ୍ରଛାତ୍ରୀମାନେ କିପରି ଏହାର ସୁବିଧା ପାଇପାରିବେ ସେ ନେଇ ଏହି କର୍ମଶାଳାରେ ଆଲୋଚନା କରାଯିବ ବୋଲି ପ୍ରଫେସର ସାହୁ କହିଥିଲେ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଟିଇଆରର ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬ ଅର୍ଗାନାଇଜିଂ ଚେୟାର ପ୍ରଫେସର ସୁନିତା ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇଥିଲେ।
ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟରୁ  ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି। କର୍ମଶାଳାରେ ଥିଓରୀ ଓ ପ୍ରାକ୍ଟିକାଲ ଉପରେ ଗୁରୁତ୍ୱ ଦିଆଯିବ। ପ୍ରତିଦିନ ବିଭିନ୍ନ ବିଷୟବସ୍ତୁ ଉପରେ ବାହାରୁ ଆସିଥିବା ବିଶେଷଜ୍ଞ ଯଥା ଏନ୍‌ଆଇଟି ଦୁର୍ଗାପୁରର ପ୍ରଫେସର ନନ୍ଦ ଦୁଲାଲ ଜାନା ଓ ଆଇଆଇଟି ପାଟନାର ପ୍ରଫେସର ପ୍ରତିଭାମୟ ଦାସ ଆଲୋଚନାଚକ,୍ର ଲ୍ୟାବ୍ ସେସନ୍‌,  ଇଂଟରାକ୍ଟିଭ୍ ସେସନ୍ ଏବଂ ମେସିନ୍ ଲର୍ଣ୍ଣିଂ ଆପ୍ଲିକେସନ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବେ। 
କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଧବଳେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା  ସହିତ ସହ ସଂଯୋଜକ ଡକ୍ଟର ଶ୍ରଦ୍ଧାରାମ ସ୍ୱାଇଁ ଏବଂ ଡକ୍ଟର ଲୋପାମୁଦ୍ରା ଦାସ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

ଭୁବନେଶ୍ୱର, ୨୫ ଜୁନ୍ ୨୦୨

 


ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସ୍ଥିତ ସେଂଟର ଫର୍ ଡାଟା ସାଇନ୍ସ (ସିଡିଏସ୍‌)ର ବାର୍ଷିକ ସମାଚାରପତ୍ର ‘ଡିଏସ୍ ବୁଲେଟିନ୍‌’ର ଦ୍ୱିତୀୟ ଖଣ୍ଡ ଆନୁଷ୍ଠାନିକ ଭାବରେ ମଙ୍ଗଳବାର ଉନ୍ମୋଚିତ ହୋଇଛି।

ଏହି ପ୍ରକାଶନର ମୁଖ୍ୟ ସମ୍ପାଦକ ପ୍ରଫେସର ମନୋରଞ୍ଜନ ପାଢୀଙ୍କ ଉପସ୍ଥିତିରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ନ୍ୟୁଜଲେଟରକୁ ଉନ୍ମୋଚିତ କରିଥିଲେ।

ବାର୍ଷିକ ନ୍ୟୁଜଲେଟରଟି ୨୦୨୫ ବର୍ଷ ପାଇଁ ସିଡିଏସ୍‌ର ଶୈକ୍ଷିକ, ଗବେଷଣା ଏବଂ ଆଉଟରିଚ୍ କାର୍ଯ୍ୟକଳାପର ଏକ ଅଭିଲିଖନ ଭାବରେ ପ୍ରକାଶିତ ହୋଇଛି। ଏହି ନ୍ୟୁଜଲେଟର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଫ୍ୟାକଲ୍ଟି ସଦସ୍ୟ, ଗବେଷକ ଏବଂ ସିଡିଏସ୍ ସହିତ ଜଡିତ ଛାତଛାତ୍ରୀ ମାନଙ୍କ ସଫଳତା ଏବଂ ଅବଦାନକୁ ପ୍ରକାଶ କରିଥାଏ।

‘ଡିଏସ୍ ବୁଲେଟିନ୍‌’ର ଦ୍ୱିତୀୟ ଖଣ୍ଡରେ ଅଧ୍ୟାପକଙ୍କ ପ୍ରୋଫାଇଲ୍‌, ପ୍ରକାଶନ, ପୁରସ୍କାର ଏବଂ ସ୍ୱୀକୃତି ସମେତ ଗବେଷଣାରେ ଉଲ୍ଲେଖନୀୟ କୃତିତ୍ୱ ଏବଂ ପିଏଚଡି ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ ସଫଳତା ଅନ୍ତର୍ଭୁକ୍ତ। ଗତ ବର୍ଷ ସିଡିଏସ୍ ଦ୍ୱାରା କରାଯାଇଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟକଳାପ ଶିକ୍ଷାଗତ କାର୍ଯ୍ୟକ୍ରମ, କର୍ମଶାଳା ଓ ପଦକ୍ଷେପର ଏକ ସ୍ନାପ୍‌ସଟ୍ ମଧ୍ୟ ଏଥିରେ ଉପସ୍ଥାପନ କରାଯାଇଛି। ବର୍ଷ ସାରା ହାସଲ ହୋଇଥିବା ମାଇଲଖୁଂଟ ଗୁଡିକୁ ବର୍ଣ୍ଣନା କରି ନ୍ୟୁଜଲେଟରଟି ସିଡିଏସ୍‌ର ସାମୂହିକ ପ୍ରୟାସକୁ ପ୍ରକାଶ କରିବା ସହ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପାଇଁ ଏକ ମୂଲ୍ୟବାନ ସନ୍ଦର୍ଭ ସାମଗ୍ରୀ ଭାବରେ କାର୍ଯ୍ୟ କରେ।

 ନ୍ୟୁଜଲେଟରର ମୁଖ୍ୟ ସମ୍ପାଦକ ପ୍ରଫେସର ମନୋରଞ୍ଜନ ପାଢୀ, ସହଯୋଗୀ ସମ୍ପାଦକ ଡକ୍ଟର ସାୟନ୍ତନ ଗୁହା, ସହଯୋଗୀ ସମ୍ପାଦକ ଡକ୍ଟର ଆଶିଷ କୁମାର ପତି, ସହଯୋଗୀ ସମ୍ପାଦକ ମୀନାକ୍ଷୀ ଦାସ ଏବଂ ଏହାର ପ୍ରସ୍ତୁତିରେ ସାମିଲ ସମସ୍ତ ଯୋଗଦାନକାରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହା ଡାଟା ସାଇନ୍ସ ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ  ସିଡିଏସ୍‌ର ଦୃଷ୍ଟିକୋଣକୁ ମଧ୍ୟ ପୁନଃନିର୍ଦ୍ଦେଶିତ କରିଛି।

ଭୁବନେଶ୍ୱର, ୨୪ ଜୁନ୍ ୨୦୨

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ଓଡ଼ିଶା ସୂଚନା ସେବା କ୍ୟାଡରର ୩ ଜଣ ବରିଷ୍ଠ  ଉପ-ନିର୍ଦ୍ଦେଶକଙ୍କୁ ଯୁଗ୍ମ-ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ମିଳିଛି । ମାନ୍ୟବର ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଜୟଦେବ ଭବନସ୍ଥିତ ରାଜ୍ୟ ସୂଚନା କେନ୍ଦ୍ରର ଉପ-ନିର୍ଦ୍ଦେଶିକା ପଦବୀରେ ଥିବା ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ରଙ୍କୁ ରାଜ୍ୟ ମୁଖ୍ୟ ଦପ୍ତରର ଯୁଗ୍ମ-ନିର୍ଦ୍ଦେଶିକା ଭାବେ ପଦନ୍ନୋତି ଦିଆଯାଇଛି ଏବଂ ସେ ଜୟଦେବ ଭବନ ରାଜ୍ୟ ସୂଚନା କେନ୍ଦ୍ରର ଉପ-ନିର୍ଦ୍ଦେଶିକା ଦାୟିତ୍ୱ ମଧ୍ୟ ଅତିରିକ୍ତ ଭାବେ ତୁଲାଇବେ । ସେହିପରି ବିଭାଗର ସମ୍ବଲପୁରସ୍ଥିତ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ (ଉତ୍ତରାଞ୍ଚଳ ଡିଭିଜନ)ର ଉପ-ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଶ୍ରୀମତୀ କଲ୍ୟାଣୀ ଦାଶଙ୍କୁ ରାଜ୍ୟ ମୁଖ୍ୟ ଦପ୍ତରର ଯୁଗ୍ମ-ନିର୍ଦ୍ଦେଶିକା ପଦବୀକୁ ପଦୋନ୍ନତି ଦିଆଯାଇଛି । ସେ ମଧ୍ୟ ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶିକା ଭାବେ  ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ରାଜ୍ୟ ମୁଖ୍ୟ ଦପ୍ତରର ଉପ-ନିର୍ଦ୍ଦେଶକ (କ୍ଷେତ୍ର-୧) ଭାବେ କାର୍ଯ୍ୟରତ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ମୁଖ୍ୟ ଦପ୍ତରର ଯୁଗ୍ମ-ନିର୍ଦ୍ଦେଶିକା ( କ୍ଷେତ୍ର) ଭାବେ ପଦନ୍ନୋତି ପ୍ରଦାନ କରାଯାଇଛି । 

    ଓଡ଼ିଶା ସୂଚନା ସେବା ସଂଘର ସଦସ୍ୟ ସଦସ୍ୟାମାନେ ପଦନ୍ନୋତି ପାଇଥିବା ସମସ୍ତ ତିନିଜଣ ଯୁଗ୍ମ-ନିର୍ଦ୍ଦେଶିକାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହା ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସହକର୍ମୀମାନେ ନୂତନ ଯୁଗ୍ମ-ନିର୍ଦ୍ଦେଶିକାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି । ସେମାନଙ୍କର ଏହି ପଦୋନ୍ନତି ବିଭାଗର କାର୍ଯ୍ୟଧାରାକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ ବୋଲି ସଂଘ ଆଶା ପ୍ରକାଶ କରିଛି  । 


ଭୁବନେଶ୍ୱର, ୨୪ ଜୁନ୍ ୨୦୨

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ ଲୁଜାନ ସ୍ଥିତ ଆର୍ନ୍ତଜାତିକ ଅଲିମ୍ପିକ୍ କମିଟି ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ମନୋନୀତ ହୋଇଛନ୍ତି।

ଡାକ୍ତର ଦାଶ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ମାନଦଣ୍ଡକୁ ଭିତି କରି କ୍ରୀଡାବିତ୍ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ଯୋଗ୍ୟତା ହାସଲ କରିଛନ୍ତି। ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ କିର୍‌ଷ୍ଟି କୋଭେନ୍‌ଟ୍ରି ଏବଂ ଏହାର ସ୍ୱାସ୍ଥ୍ୟ, ଭେଷଜ ଓ ବିଜ୍ଞାନ କମିଶନ ଚେୟାର ଡାକ୍ତର ରବିନ୍ ଇ. ମିଚେଲଙ୍କ ସ୍ୱାକ୍ଷର ଥିବା ଏହି ପ୍ରମାଣପତ୍ର ଡାକ୍ତର ଦାଶଙ୍କୁ ମିଳିଛି।

ତାଙ୍କର ଏହି ସଫଳତା ପାଇଁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପ୍ରଫେସର ନାୟକଙ୍କୁ ଡାକ୍ତର ଦାଶ ସାକ୍ଷାତ୍ କରି ତାଙ୍କର ଆର୍ଶୀବାଦ ଗ୍ରହଣ କରିଛନ୍ତି। ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ, କ୍ୟାମ୍ପସ୍ -୨ ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା  ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫



  • ଗୁଗୁଲ୍ ଇଣ୍ଡିଆର ଉପ-ସଭାପତି ଏବଂ ଗୁଗୁଲ୍ ଟିମ୍ ସହ ପୃଥକ ବୈଠକରେ କଲେ ଆଲୋଚନା 
  • ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ଏବଂ ଆଇଆଇଟି ବମ୍ବେରେ 'ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍' ପ୍ରତିଷ୍ଠା ପାଇଁ ଗୁଗୁଲର ସହଯୋଗକୁ ପ୍ରଶଂସା 
  • ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିକୁ ପ୍ରାଧାନ୍ୟ, ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବା ଉପରେ ଆଲୋଚନା 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଗୁଗୁଲ୍‌ ଦ୍ୱାରା ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ  ଯୋଗ ଦେଇ ଭାରତର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷମତାକୁ ପ୍ରୋତ୍ସାହିତ କରିବା ସହ ଦେଶରେ ଏକ 'ଏଆଇ-ପ୍ରସ୍ତୁତ ପିଢ଼ି' ସୃଷ୍ଟି କରିବା ତଥା ଏଆଇ ମାଧ୍ୟମରେ ଆଗାମୀ ପିଢିର ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । 

ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ସହିତ ଗୁଗୁଲ୍‌ର ସହଯୋଗ ଏବଂ ଏଥିପାଇଁ ୮ ମିଲିୟନ୍ ଆମେରିକୀୟ ଡଲାର୍ ବିନିଯୋଗକୁ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ, ଆଇଆଇଟି ବମ୍ବେ ଠାରେ 'ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍' ପ୍ରତିଷ୍ଠା ପାଇଁ ଗୁଗୁଲ୍ ଦ୍ୱାରା ପ୍ରଦତ୍ତ ୨ ମିଲିୟନ୍ ଆମେରିକୀୟ ଡଲାର୍‌ର ଯୋଗଦାନକୁ ମଧ୍ୟ ସେ ସ୍ୱୀକୃତି ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ 'ଇଣ୍ଡିଆ ଏଆଇ ମିଶନ୍' ସହିତ ଏହିପରି ରଣନୀତିକ ଶିଳ୍ପ ଭାଗିଦାରୀ ଭାରତକୁ ଏକ ଆନ୍ତର୍ଜାତୀୟ ଏଆଇ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେ ଗୁଗୁଲ୍ ଭଳି ବୈଶ୍ୱିକ ସହଯୋଗୀମାନଙ୍କୁ କେବଳ ପାଣ୍ଠି ଯୋଗାଣ ବଦଳରେ, ଏଆଇ ଉତ୍କର୍ଷ କେନ୍ଦ୍ରଗୁଡ଼ିକ ସହିତ ଦୀର୍ଘମିଆଦୀ ସାଂସ୍ଥାନିକ ଭାଗିଦାରୀ ସ୍ଥାପନ କରିବାକୁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଭାରତ ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ସୃଷ୍ଟିର ଏକ କେନ୍ଦ୍ର ହୋଇପାରିବ ଏବଂ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ହୋଇପାରିବ ।

ପରେ, ଶ୍ରୀ ପ୍ରଧାନ ଗୁଗୁଲ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ତଥା ଉପ-ସଭାପତି ଶ୍ରୀମତୀ ପ୍ରୀତି ଲୋବାନା ଏବଂ ଗୁଗୁଲ୍ ନେତୃତ୍ୱ ଟିମ୍ ସହ ଏକ ଫଳପ୍ରଦ ବୈଠକ କରିଥିଲେ । ଏହି ଆଲୋଚନାରେ ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିର  ଗଣତାନ୍ତ୍ରିକୀକରଣ, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଶିକ୍ଷାକୁ ସୁଗମ କରିବା ପାଇଁ ପ୍ରଯୁକ୍ତିର ଉପଯୋଗ ଏବଂ ବଡ଼ ଭାଷା ମଡେଲ୍‌ଗୁଡ଼ିକୁ (ଏଲଏଲଏମ) 'ଭାରତୀୟ ଭାଷା' ଓ 'ଭାରତୀୟତା' ସହିତ ସମନ୍ୱିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନଙ୍କ ଏହି ଉଦ୍ୟମଗୁଡ଼ିକ ପ୍ରଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଭାରତର ଆଗାମୀ ଯାତ୍ରା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । 


ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୫



ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ୧୯୦ ତମ ଜନ୍ମଜୟନ୍ତୀ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ସାରା ବିଶ୍ୱରେ ବିଶିଷ୍ଟ ଜ୍ୟୋତିର୍ବଜ୍ଞାନୀ ଓ ଗଣିତଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ତଥା ଖଣ୍ଡପଡ଼ା ରାଜବଂଶର ସଦସ୍ୟ ପଠାଣି ସାମନ୍ତଙ୍କର ପ୍ରକୃତ ନାମ ହେଉଛି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ। 

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଯୋଗ ଦେଇ ପଠାଣିଙ୍କ ଜ୍ୟୋତିର୍ବିଜ୍ଞାନ ଓ ଗାଣିତ୍ୟିକ ଗବେଷଣା ଏବଂ ତାଙ୍କର ସଫଳତା ଯାହାକି ସାରା ବିଶ୍ୱକୁ ଅଭିଭୂତ କରିଥିଲା ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ମାତ୍ର ୧୪ ବର୍ଷ ବୟସରୁ ଆକାଶ ପର୍ଯ୍ୟବେକ୍ଷଣ କରି ଏହି ମହାନ ଜ୍ୟୋତିର୍ବିଜ୍ଞାନୀ ନିଜ ଦ୍ୱାରା ରଚିତ ‘ସିନ୍ଧାନ୍ତ ଦର୍ପଣ’ରେ ଅନେକ ତଥ୍ୟ ଲୋକଲୋଚନକୁ ଆଣିଥିଲେ। 

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଡକ୍ଟର ପଟ୍ଟନାୟକ ତିଥି, ବାର, ପଞ୍ଜିକା ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ଏହି ଯୋଗଜନ୍ମା ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀଙ୍କ ଜନ୍ମଜୟନ୍ତୀ ବିଭିନ୍ନ ତାରିଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଥିବା ବେଳେ ଏହା ଅନୁଚିତ ବୋଲି କହିବା ସହ ରାଜ୍ୟ ସରକାର ସାରା ରାଜ୍ୟରେ ତାଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୧୩ ତାରିଖରେ ପାଳନ କରିବାକୁ ଅନୁରୋଧ ଜଣାଇଥିଲେ। 

କାର୍ଯ୍ୟକ୍ରମକୁ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଦୁଇ ବର୍ଷ ତଳେ ବର୍ତମାନର ଖଣ୍ଡପଡ଼ାର ରାଜା ତଥା ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜଙ୍କ ଉଦ୍ୟମରେ ଏବଂ ସୋଆର ସହଭାଗିତାରେ ଖଣ୍ଡପଡ଼ାରେ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ବୋଲି ସୂଚନା ଦେଇଥିଲେ।

ରାଜବଂଶର ସଦସ୍ୟ ହୋଇ ମଧ୍ୟ ପଠାଣି ସାମନ୍ତ କିଭଳି ନମ୍ର ଥିଲେ ଏବଂ ସାରା ବିଶ୍ୱରେ ଓଡ଼ିଶାର ନାମକୁ ପ୍ରତିପାଦିତ କରିପାରିଥିଲେ ସେ ସମ୍ପର୍କରେ ସମସ୍ତେ ଅବଗତ ହେବା ଉଚିତ ଏବଂ ସୋଆ ଏଭଳି ମହତ କାର୍ଯ୍ୟ ହାତକୁ ନେଇଥିବାରୁ ବିଶ୍ୱବିଦ୍ୟାଳୟକୁ ଶ୍ରୀ ମର୍ଦ୍ଦାରଜ ଶୁଭେଚ୍ଛା ଜଣାଇଥିବା ପ୍ରଫେସର ଦାସ ସୂଚନା ଦେଇଥିଲେ। 

ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁୂଳା ଦାସ ପଠାଣିଙ୍କ ଜୀବନୀ ଆଲୋଚନା କରିବା ସହିତ କିଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟ ତାଙ୍କର ବାଟ ଓଗାଳି ପାରି ନଥିଲା ସେ ବିଷୟରେ କହିଥିଲେ। ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଯୁଗରେ ମଧ୍ୟ ଆମେ ପଠାଣି ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନକୁ ଅନୁସରଣ କରୁଛୁ ବୋଲି ସେ କହିଥିଲେ। 

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଆକାଶକୁ ନିରୀକ୍ଷଣ କରିବା ଦ୍ୱାରା କିଭଳି ଏକ ଭବିଷ୍ୟତର ଆକାଶ ବିଜ୍ଞାନୀର ମୂଳଦୁଆ ପଡ଼ିଥାଏ ସେ ବିଷୟରେ କହିଥିଲେ। ସେ ପିଲାଙ୍କୁ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। କୁଳପତି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଉତ୍କୃଷ୍ଟ କାର୍ଯ୍ୟ ଦ୍ୱାରା ନିଜର ଓ ବିଶ୍ୱବିଦ୍ୟାଳୟର ନାମକୁ ଗୌରବାନ୍ୱିତ କରିବା ଆବଶ୍ୟକ । 

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ମଧ୍ୟ ପଠାଣି ସାମନ୍ତଙ୍କ ଜନ୍ମ ଓ କୃତି ବିଷୟରେ ତଥ୍ୟ ରଖିଥିଲେ। 

ଏହି ଅବସରରେ ସୋଆ ଇଣ୍ଡିଆନ୍ ନଲେଜ ସିଷ୍ଟମ (ଭାରତୀୟ ଜ୍ଞାନ ପରମ୍ପରା) କେନ୍ଦ୍ରର ମୁଖ୍ୟ ତଥା ସୋଆ ଆଉଟରିଚ ଓ ଆନ୍ତର୍ଜାତିକ ସମ୍ପର୍କର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଆଇକେଏସ୍ ପ୍ରକଳ୍ପ ଅନ୍ତର୍ଗତ ପଠାଣିଙ୍କ ଜ୍ୟୋତିର୍ଯନ୍ତ୍ରର କ୍ଷୁଦ୍ର ପ୍ରତିରୂପ କିଭଳି ଜାତୀୟ ସ୍ତରରେ ‘ଜ୍ୟୋତିର୍ଯନ୍ତ୍ର ନିର୍ମାଣ’ ପ୍ରତିଯୋଗିତାର ଆଧାର ପାଲଟିଛି ତାହା କହିଥିଲେ। ସେ ମାନଯନ୍ତ୍ର, ଧନୁର୍ଯନ୍ତ୍ର, ଭୂଲମ୍ବ ସୂର୍ଯ୍ୟଘଡ଼ି, ଭୂସମାନ୍ତର ସୂର୍ଯ୍ୟଘଡ଼ି, ଶଙ୍କୁ, ବିଷୁବୀୟ ସୂର୍ଯ୍ୟଘଡ଼ି, ଧ୍ରୁବୀୟ ସୂର୍ଯ୍ୟଘଡ଼ି, ଏନାଲମେଟିକ୍ ସୂର୍ଯ୍ୟଘଡ଼ିର ନିର୍ମାଣ ପ୍ରକ୍ରିୟା ଓ ସେଗୁଡ଼ିକ କିପରି କାମ କରିଥାନ୍ତି ତାହା ବୁଝାଇଥିଲେ। 

ଜ୍ୟାମିତ୍ୟିକ କମ୍ପାସ ବକ୍ସ ଯେପରି ଗଣିତ ଓ ଜ୍ୟାମିତି ଶିକ୍ଷା ପାଇଁ ସ୍କୁଲ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାରେ ଅପରିହାର୍ଯ୍ୟ ହୋଇପଡ଼ିଛି ଠିକ୍ ସେପରି ଜ୍ୟୋତିର୍ଯନ୍ତ୍ରର ଏହି କ୍ଷୁଦ୍ର ପ୍ରତିରୂପକୁ ଜ୍ୟୋତିର୍ବିଜ୍ଞାନ ଶିକ୍ଷା ପାଇଁ ସ୍କୁଲ ପିଲାଙ୍କ ପାଖରେ ପହଂଚାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ। 

ମାନଯନ୍ତ୍ର ବ୍ୟବହାର କରି ଦୂର ଜିନିଷର ଉଚ୍ଚତା ଓ ଦୂରତା ମାପିବା, ଧନୁର୍ଯନ୍ତ୍ର ବ୍ୟବହାର କରି ଦୁଇଟି ଆକାଶୀୟ ପିଣ୍ଡ ଭିତରେ ଥିବା କୌଣିକ ଦୂରତାକୁ ମାପିବା ଏବଂ ସୂର୍ଯ୍ୟଘଡ଼ି ଦ୍ୱାରା ସମୟ, ଦିଗ ନିର୍ଣ୍ଣୟ, କ୍ରାନ୍ତି ନିର୍ଣ୍ଣୟ, ସ୍ଥାନୀୟ ସମୟ ନିର୍ଣ୍ଣୟ, ଗୋଟିଏ ସ୍ଥାନର ଅକ୍ଷାଂଶ ନିର୍ଣ୍ଣୟ କରିବାର ମଜା ନିଆରା ବୋଲି ସେ ସମସ୍ତଙ୍କୁ ତିଆରି କରାଯାଇଥିବା ଯନ୍ତ୍ର ଜରିଆରେ ଦେଖାଇଥିଲେ। 

ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ସୋଆର କର୍ମରତ ଅନୁବାଦ ଓ ଗବେଷଣା ପ୍ରବନ୍ଧକ ଡ. ଦୀପକ କୁମାର ପଟ୍ଟନାୟକ। ବହୁ ସ୍କୁଲ କଲେଜରେ ଏଭଳି ଯନ୍ତ୍ର ତିଆରି କର୍ମଶାଳାମାନ ସୋଆ ପକ୍ଷରୁ ଆୟୋଜିତ ହେଉଛି। କିଛି ଦିନ ତଳେ ଏଭଳି ଏକ ଦୁଇ ଦିନିଆ ଶିକ୍ଷକ କର୍ମଶାଳା ଆଇଆଇଟି ଇନ୍ଦୋରର ପ୍ରଫେସର ଶର୍ମା ଆଇକେଏସ୍ ଡିଭିଜନ୍‌ର ମୁଖ୍ୟ ପ୍ରଫେସର ଗଂଟି ଏସ୍ ମୂର୍ତିଙ୍କ ଉପସ୍ଥିତିରେ ଆୟୋଜନ କରିଥିଲେ ବୋଲି ପ୍ରକାଶ କରିଥିଲେ।

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫



ଭାରତର ଜାତୀୟ ଫୁଲ ପଦ୍ମ ସହିତ ଦେଶବାସୀଙ୍କ ଭାବଗତ ସମ୍ପର୍କ ଅତି ନିବିଡ଼ ଏବଂ ପୁରାତନ। ଏହି ଫୁଲର ଚାଷ, ଏହା ଉପରେ ଗବେଷଣା ଓ ନ୍ରୂଆ କିସମ ଉଦ୍‌ଭାବନ କରି ଚାଷ ନିମନ୍ତେ ବିଧିବଦ୍ଧ ଭାବେ ଗୁରୁବାର ଛତାବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟର କୃଷି ଗବେଷଣା କେନ୍ଦ୍ର ଦ୍ୱାରା ଏକ ‘ପଦ୍ମ ଜିନ୍ ବ୍ୟାଙ୍କ’ ଉଦ୍‌ଘାଟନ କରାଯାଇଛି। 

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ସୋଆ କୃଷି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ତଥା ଉଦ୍ଭିଦ ଶରୀରତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସରୋଜ କୁମାର ମହାନ୍ତିଙ୍କ ଦ୍ୱାରା ଏହି ‘ପଦ୍ମ ଜିନ ବ୍ୟାଙ୍କ' ଉଦ୍‌ଘାଟନ କରାଯାଇଛି।

ପଦ ୍ମଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତିରେ ଏହାର କୃଷି, ନୂତନ କିସମ ଉଦ୍‌ଭାବନ, ଖାଦ୍ୟ ତଥା ପାଣିର ପରିଚାଳନା ଏବଂ ଏହାର ମଞ୍ଜି, ଫୁଲ ଓ ଫଳର ଔଷଧୀୟ ଓ ଶିଳ୍ପ ଭିତିକ ଗୁଣ ସମ୍ପର୍କରେ ଖୁବ କମ ଗବେଷଣା କରାଯାଇଛି। ଏହାକୁ ଅ୍ରାଖିରେ ରଖି ପଦ୍ମ ଉପରେ ଗବେଷଣା କରିବା ନିତାନ୍ତ ଜରୁରୀ ବୋଲି ପ୍ରଫେସର ରାଉତ କହିିଛନ୍ତି।

ପ୍ରଫେସର ରାଉତ ପଦ୍ମର ଭିନ୍ନ ଭିନ୍ନ ଅଂଶର ମାନ ନିର୍ଦ୍ଧାରଣ କରି ଏହାକୁ ନେଇ କିପରି ଏକ ଶିଳ୍ପ ପ୍ରତିଷ୍ଠା କରାଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି। 

ଏହି ପଦ୍ମ ଜିନ ବ୍ୟାଙ୍କରେ ଓଡ଼ିଶାର ୨୪ ପ୍ରକାରର ନିଜସ୍ୱ ଜିନୋଟାଇପ୍ ସହ ଅନ୍ୟ ରାଜ୍ୟ ତଥା ଦେଶ ବିଦେଶର କିସମ ଉପରେ ଗବେଷଣା କରାଯିବ। ଓଡ଼ିଶା ମାଟି ଓ ପବନ ପାଇଁ ଅଧିକ କିସମ ତଥା ରୋଗ, ପୋକ ପ୍ରତିରୋଧକ କିସମ ଚିହ୍ନଟ ଏବଂ ତା’ର ଶଙ୍କରୀକରଣ କରି ନୂତନ କିସମ ଉଦ୍‌ଭାବନ କରାଯିବ। ଏହି କିସମ ମାନଙ୍କର ଚାଷ ନିମନ୍ତେ ଖାଦ୍ୟ, ସାର, ପାଣିର ସୁପରିଚାଳନା, ରୋଗ ନିୟନ୍ତ୍ରଣ, ଅମଳ ପରବର୍ତୀ ଯତ୍ନ ଏବଂ ପଦ୍ମର ଅଂଶ ବିଶେଷ ସବୁର ଗୁଣାତ୍ମକ ମାନ ଉପରେ ଗବେଷଣା କରାଯିବା ସହ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ କିପରି ପଦ୍ମ ଚାଷ ଦ୍ୱାରା ସୁଦୃଢ଼ ହୋଇପାରିବ ସେ ବିଷୟରେ ପଦକ୍ଷେପ ନିଆଯବ ବୋଲି ସେ କହିଥିଲେ। 

ଏହି ଲକ୍ଷ୍ୟ ନେଇ ସୋଆର ପଦ୍ମ ଜିନ୍ ବ୍ୟାଙ୍କ ଆଗକୁ କାର୍ଯ୍ୟ କରିବ ବୋଲି ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଶଶୀକଳା ବେଉରା ମତବ୍ୟକ୍ତ କରିଛନ୍ତି। 

ଏହି କାର୍ଯ୍ୟକ୍ରମରେ ଡକ୍ଟର ବେଉରାଙ୍କ ବ୍ୟତୀତ ଫ୍ରଫେସର ଫାର୍ମ ଡକ୍ଟର ମଧୁସୁଦନ ବେହେରା, ସହଯୋଗୀ ପ୍ରଫେସର ଡକ୍ଟର ଶୈଳନ୍ଦ୍ରୀ କୁମାରୀ ପାତ୍ର, ସହକାରୀ ପ୍ରଫେସର ଡକ୍ଟର ଅଭିନାଶ ପଟ୍ଟନାୟକ, ଲକ୍ଷ୍ମୀ ପ୍ରସନ୍ନା, ଡକ୍ଟର ସୁବ୍ରତ କୁମାର ସେନାପତି, ସୁକିର୍ତୀ ମହାନ୍ତି, ଡକ୍ଟର ରୁଚିତା ପଣ୍ଡା ଓ ରିସର୍ଚ୍ଚ ଆସିଷ୍ଟାଂଟ ଶୁଭେନ୍ଦୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨ ନଭେମ୍ବର ୨୦୨୫



ନଭେମ୍ବର ୨୨ ତାରିଖରେ କିମ୍‍ସରେ ପ୍ରମୁଖ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ, ‘କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫'ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି। ଏହି ସମ୍ମିଳନୀର ବିଷୟ ବସ୍ତୁ ରହିଛି "ଫ୍ୟୁଚର୍‍ ଅଫ୍‍ ମେଡିକାଲ୍‍ କେୟାର ଆଣ୍ଡ ପ୍ରୋଗ୍ରେସ୍‍’। ଏଥିରେ ଭାରତରେ ସ୍ୱାସ୍ଥ୍ୟସେବା ପ୍ରଦାନର ଭବିଷ୍ୟତ ଦିଗ ଉପରେ ଆଲୋଚନା ପାଇଁ କ୍ଲିନିକାଲ୍ ମେଡିସିନ୍‌, ଜନସ୍ୱାସ୍ଥ୍ୟ, ନୀତି ନିର୍ଦ୍ଧାରଣ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ବିଶେଷଜ୍ଞମାନେ ଏକତ୍ରିତ ହେବେ। ଏହା ସହ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ବକ୍ତାମାନେ ସଂପ୍ରତି ବଢୁଥିବା ରୋଗ, ଦ୍ରୁତ ଡିଜିଟାଲାଇଜେସନ୍‌, ଅସମାନ ପ୍ରବେଶାଧିକାର ଓ ସ୍ଥିର, ରୋଗୀ-କୈନ୍ଦ୍ରିକ ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ଆଲୋକକପାତ କରିବେ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଡା ସୁବ୍ରତ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସମ୍ମିଳନୀ ଅବସରରେ ଚଳିତବର୍ଷଠାରୁ କିମସ ପକ୍ଷରୁ ହେଲଥ ଏମ୍ପାୱରମେଣ୍ଟ ଇନ ରୁରାଲ ଓଡ଼ିଶା (ହିରୋ) ପୁରସ୍କାର' ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି କିମ୍‍ସ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‍ ଡା ଆର ସି ଦାସ। ସେ କହିଲେ, କିଟ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶାର ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉପରେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି। ସେଥିପାଇଁ ଓଡ଼ିଶାର ଗ୍ରାମାଞ୍ଚଳର ପ୍ରସିଦ୍ଧ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିମ୍‍ସ ପକ୍ଷରୁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ଡାକ୍ତରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ।

ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ଡା ସୁବ୍ରତ ଆଚାର୍ଯ୍ୟ, ଡା ୱାଇ.କେ. ଚାୱଲା, ପ୍ରଫେସର ସି.ବି.କେ. ମହାନ୍ତି ଏବଂ କିମସ ମହାନିର୍ଦ୍ଦେଶକ ତଥା ଆୟୋଜନ କମିଟି ସଭାପତି ଡା ଅଜିତ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ଚିକିତ୍ସାବିତ ତଥା ଶିକ୍ଷାବିତମାନେ ମାର୍ଗଦର୍ଶକ ରହିଛନ୍ତି। ୨୨ ତାରିଖ ଦିବସ ବ୍ୟାପୀ ବୈଜ୍ଞାନିକ ଅଧିବେଶନଗୁଡ଼ିକ ସିଷ୍ଟମିକ୍ ରିଫର୍ମ ଓ ଜାତୀୟ ସେବା, ନବସର୍ଜନା ଓ ଅନୁବାଦ ଗବେଷଣା, ବିଶେଷଜ୍ଞ ଯତ୍ନ ଓ ପ୍ରତିଷ୍ଠାନଗତ ଉତ୍କର୍ଷତା ଆଦି ତିନୋଟି ପର୍ଯ୍ୟାୟରେ ଚାଲିବ।

ପ୍ରମୁଖ ଅଧିବେଶନଗୁଡ଼ିକରେ ଡା କେ. ଶ୍ରୀନାଥ ରେଡ୍ଡୀ ଡାକ୍ତରୀ ଶିକ୍ଷାରେ ସଂସ୍କାର ଉପରେ ଅଭିଭାଷଣ, ସାବର୍ଜନୀନ ସ୍ୱାସ୍ଥ୍ୟ, ସାମାଜିକ ନିର୍ଣ୍ଣାୟକ ଏବଂ ସାମୁଦାୟିକ ସଂପୃକ୍ତି ଉପରେ ଆଲୋଚନା କରିବେ। ଗବେଷଣା କ୍ଷେତ୍ରରେ, ଡା ରାଜୀବ ବହଲ, ଡିଜି-ଆଇସିଏମଆର, ଭାରତର ଚିକିତ୍ସା ଗବେଷଣା ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ଥିବା ରଣନୀତି ଉପରେ କହିବେ। ସେହିପରି ପ୍ରଫେସର ଆଲୋକ ଧାୱନ ସିଷ୍ଟମ ବାୟୋଲୋଜିକୁ କ୍ଲିନିକାଲ୍ ପ୍ରୟୋଗରେ ଅନୁବାଦ କରିବା ବିଷୟରେ ଆଲୋଚନା କରିବେ। ଆଇଆଇଟି ମାଡ୍ରାସର ପ୍ରଫେସର ଭି. କାମାକୋଟି ସୁଲଭ, ଇଞ୍ଜିନିୟରିଂ-ଚାଳିତ ସ୍ୱାସ୍ଥ୍ୟସେବା ନବର୍ସଜନା ଉପରେ ଆଲୋକପାତ କରିବେ।


ଭୁବନେଶ୍ୱର, ୨ ନଭେମ୍ବର ୨୦୨୫





ଟାୟାର ଟେକ୍ନୋଲୋଜି ପାଠ୍ୟକ୍ରମ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏଥିରେ ସ୍ୱାକ୍ଷର କରିଥିବା ବେଳେ ଆପୋଲୋ ଟାୟାର୍ସ ପକ୍ଷରୁ ଫିଲ୍‍ଡ ଟେକ୍ନିକାଲ୍‍ ସର୍ଭିସ୍‍ ମୁଖ୍ୟ ଅନୀତ ଚାକୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏଭଳି ବୁଝାମଣା ଭାରତରେ ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହା ସହ ଟାୟାର ଟେକ୍ନୋଲୋଜିରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରିବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ଏହି ବୁଝାମଣା ଫଳରେ କିଟ୍‍ ଟାୟାର ବିଜ୍ଞାନ, ଟାୟାର ଡିଜାଇନ୍‌, ଉତ୍ପାଦନ, ପରୀକ୍ଷଣ ଏବଂ ସ୍ଥାୟିତ୍ୱକୁ ଅନ୍ତର୍ଭୁକ୍ତ କରୁଥିବା ଏକ ସ୍ୱତନ୍ତ୍ର ଇଚ୍ଛାଧୀନ ବିଷୟ ପ୍ରଦାନ କରିବ। ପୂର୍ବରୁ ଭାରତରେ ଏକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଏଭଳି ସଂପୃକ୍ତି ନଥିଲା ବୋଲି କୁହାଯାଉଛି। ବୁଝାମଣା ଅନୁସାରେ ଆପୋଲୋ ଟାୟାର୍ସ ବିଶ୍ୱବିଦ୍ୟାଳୟକୁ ପାଠ୍ୟକ୍ରମ ବିକାଶ, ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ ଏବଂ ନୂତନତମ ଶିଳ୍ପ ଧାରା ସହିତ ଶିକ୍ଷାଦାନକୁ ସମନ୍ୱିତ କରିବାରେ ସହାୟତା କରିବ। କମ୍ପାନୀର ବିଷୟବସ୍ତୁ ଉପରେ ବିଶେଷଜ୍ଞମାନେ ମଧ୍ୟ  ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ। ଫଳରେ ଛାତ୍ରଛାତ୍ରୀମାନେ ବାସ୍ତବ-ବିଶ୍ୱ ଅଭ୍ୟାସ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ ହେବେ। ଏହି ଅବସରରେ ପ୍ରଫେସର ସିଂହ ସୂଚନା ଦେଇ କହିଲେ, ଏହା ହେଉଛି ଭାରତର ପ୍ରଥମ ଓ ସ୍ୱତନ୍ତ୍ର ଢ଼ଙ୍ଗର ବୁଝାମଣା। ବର୍ତ୍ତମାନ ସୁଦ୍ଧା ପ୍ରାୟ କୌଣସି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଟାୟାର ଉତ୍ପାଦନ ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିନାହିଁ। ଆପୋଲୋ ଟାଇର୍ସର ଉତ୍ପାଦ ବିକାଶ ମୁଖ୍ୟ ପ୍ରଶାନ୍ତ କୁମାର ଏସ୍‌. କହିଲେ, ଏହି ବୁଝାମଣାପତ୍ର ଛାତ୍ରମାନଙ୍କୁ ଗଭୀର ଶିଳ୍ପ-ସମର୍ଥିତ ଦକ୍ଷତା ପ୍ରଦାନ କରି ସେମାନଙ୍କ ନିଯୁକ୍ତି ଯୋଗ୍ୟତା ଭାଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏହି ବୁଝାମଣା ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏହା କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ଓ ପାଠ୍ୟକ୍ରମରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି।


ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ-୨) ଫୁଲନଖରାରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଧବାର ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୨ର ଦ୍ୱିତୀୟ ବର୍ଷରେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ମହର୍ଷି ଚରକଙ୍କ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ପ୍ରତିବଦ୍ଧତା ପକାଶ କରିଥିଲେ।

ଏଥିରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଉତ୍କର୍ଷତାର କେନ୍ଦ୍ର ଭାବେ ଉଭା ହୋଇଛି। ଯେଉଁମାନେ ଡାକ୍ତରଙ୍କ ଠାରୁ ଯତ୍ନ ଓ ସେବାର ଆକାଂକ୍ଷା ରଖିଥାନ୍ତି ସେମାନଙ୍କ ପ୍ରତି ଉପଯୁକ୍ତ ଦାୟିତ୍ୱ, ଉଚିତ ଆଚରଣ ଏବଂ ସମ୍ମାନ ପ୍ରଦର୍ଶନ କରିବାର ନିଦର୍ଶନ ହେଉଛି ଏହି ହ୍ୱାଇଟ କୋଟ ବୋଲି ଶ୍ରୀମତି ଦାସ କହିଥିଲେ।  

ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ନିଃସ୍ୱାର୍ଥପର ସେବା, କରୁଣା ଓ ସମର୍ପଣ ମନୋଭାବ ରହିବା ଉଚିତ୍ ବୋଲି ମତ ରଖି ସେ କହିଥିଲେ ଯେ ଏହି ହ୍ୱାଇଟ କୋଟ୍ ଉତ୍ସବ ସେମାନଙ୍କ ଏହି ଯାତ୍ରାର ଆରମ୍ଭ ନୁହେଁ ମାତ୍ର ଏହା ମନୁଷ୍ୟ ସମାଜର ସେବା କରିବା ନିମନ୍ତେ ଏକ ପ୍ରତିବଦ୍ଧତା। ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି ସୋଆ ଉପସଭାପତି କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗସ ୨୦୨୫ରେ ସୋଆ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ମଧ୍ୟ ଦେଶର ୧୫ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି। ଏଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥିବାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଥିଲେ। 

ଡାକ୍ତରୀ ଶିକ୍ଷାକୁ ଏକ ମହାନ ବୃତି ଭାବେ ବର୍ଣ୍ଣନା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉତମ ଶିକ୍ଷା ଲାଭ କରିବା ସହିତ ସମାଜ ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ସହ ଉତମ ଡାକ୍ତର ହେବା ପାଇଁ ଆହ୍ୱାନ ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ସୋଆର ପୂର୍ବତନ ଉପକୁଳପତି ତଥା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ୍ତରୀ ବୃତିକୁ କେବଳ ପେସା ଭାବେ ଗ୍ରହଣ ନ କରି ଛାତ୍ରଛାତ୍ରୀମାନେ ସେବା ମନୋଭାବ ରଖି ଏହା ଅଧ୍ୟୟନ କରିବା ଉଚିତ୍ ବୋଲି କହିଥିଲେ। କଠିନ ପରିଶ୍ରମ, ସମୟାନୁବର୍ତିତା ଓ ସକାରାତ୍ମକ ଚିନ୍ତାଧାରା ଆଦି ଗୁଣ ସବୁ ଛାତ୍ରଛାତ୍ରୀଙ୍କ ଠାରେ ରହିବା ଉଚିତ୍ ବୋଲି ପ୍ରଫେସର ସାହୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସର୍ବଦା ସେବା ମନୋଭାବ ନେଇ ରୋଗୀଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। 

 ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମହର୍ଷି ଚରକଙ୍କ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ହସ୍ପିଟାଲର ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସୀ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ବିଭାଗୀୟ ମୁଖ୍ୟ, ସିନିୟର ଫ୍ୟାକଲ୍ଟି, ଆଡିସ୍‌ନାଲ୍ ଡିନ୍‌, ଡାକ୍ତର, ନର୍ସ ଛାତ୍ରଛାତ୍ରୀଙ୍କର ଅଭିଭାବକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ମହିଳାମାନଙ୍କ ନିମନ୍ତେ ଏକ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

ୱିନିୟର୍ସ ଫୋରମ୍‌ର ସହଭାଗିତାରେ “ଫିନାନ୍ସ ଫ୍ୟୁଜନ୍ ୨.୦ – ଏମ୍‌ପାୱାରିଂ ୱିମେନ୍ ଥ୍ରୁ ଫିନାନ୍ସ” ଶୀର୍ଷକ ଏହି କାର୍ଯ୍ୟକ୍ରମ ସୋଆ କ୍ୟାମ୍ପସ୍‌ରେ ଆୟୋଜିତ ହୋଇଥିଲା। 

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟସଭା ସାଂସଦ ଶ୍ରୀମତି ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ଲୋପୋର୍ଟ ଫୋଟୋନିକ୍ସର ସହ ପ୍ରତିଷ୍ଠାତା ଓ ମୁଖ୍ୟ ଅର୍ଥନୈତିକ ଅଧିକାରୀ ଶ୍ରୀମତି ବୁସ୍ରା ଖାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ୱିନିୟର୍ସ ଫୋରମ୍‌ର ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଶ୍ରୀମତି ଜୟନ୍ତୀ ମହାପାତ୍ର ଏବଂ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। 

ଶ୍ରୀମତି ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ବକ୍ତାମାନେ ମହିଳା ଉଦ୍ୟୋଗୀକରଣ ନିମନ୍ତେ ଅର୍ଥନୈତିକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। 

ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ରାମକୃଷ୍ଣ ମିଶ୍ର ଓ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ପଲ୍ଳବୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ିଶାର ବିଭିନ୍ନ ଅଂଚଳରୁ ୪୦ ରୁ ଅଧିକ ମହିଳା ଉଦ୍ୟୋଗୀ ଏଥିରେ ଯୋଗ ଦେଇଥିଲେ। 

ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବଜେଟ, ଆର୍ଥିକ ଯୋଜନା, ଅର୍ଥ ପରିଚାଳନା ଏବଂ ଆର୍ଥିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। 

କାର୍ଯ୍ୟକ୍ରମକୁ ସଫଳ କରିବାରେ ଏନ୍‌ଟିପିସି, ଆଇଡିବିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ଜୁଏଲର୍ସ, ପାରାଦ୍ୱୀପ ପରିବହନ ଲିମିଟେଡ ଏବଂ ସ୍ୱାବଲମ୍ବୀ ଓଡ଼ିଶା ସହଯୋଗ କରିଥିଲେ।

ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୫




ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ 51ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 302 ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ, ଏହି ମେଳାରେ ଓଡ଼ିଶାର ଅନେକ ଯୁବକଯୁବତୀ ନିଜର ସ୍ଵପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵରେ ଦେଶର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପ୍ରଦାନ କରାଯାଉଛି । ରୋଜଗାର ସୃଷ୍ଟି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସଶକ୍ତିକରଣ ଓ ଦେଶର ଉନ୍ନତିର ମୂଳମନ୍ତ୍ର। ଏହି କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ପାଇଥିବା ଯୁବବର୍ଗଙ୍କ ଆଶା ଓ ଉତ୍ସାହ ଦେଖି କେନ୍ଦ୍ରମନ୍ତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଆହୁରି କହିଥିଲେ, ମୋଦୀ ସରକାର ଯୁବ ଶକ୍ତିକୁ ଦେଶର ପ୍ରଗତିର ମେରୁଦଣ୍ଡ ଭାବରେ ଦେଖୁଛନ୍ତି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ  ଅଛନ୍ତି। 


ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୫ 





 ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। 
ସେହିପରି ଆଇଇଇଇ କମ୍ପ୍ୟୁଟର ସୋସାଇଟିର ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ମଧ୍ୟ ଏହି ଅବସରରେ ଆରମ୍ଭ କରାଯାଇଛି। 
ଏଥି ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଯୁଗ୍ମ ସମ୍ପାଦକ ଓ ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚର କାଉନ୍‌ସିଲର ପ୍ରଫେସର ରେଣୁ ଶର୍ମା ଏହି ଶାଖା ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଥିବା ପ୍ରଫେସର ଶର୍ମା ଏହି ଶାଖା ପ୍ରତିଷ୍ଠା ହେବା ଦ୍ୱାରା ନବୀକରଣ, ସହଭାଗିତା ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ ବିଶ୍ୱ ଦରବାରରେ ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ। 
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟରେ ଆଇଇଇଇର କାର୍ଯ୍ୟକଳାପକୁ ପରିଚାଳନା କରୁଥିବା ସଂଯୋଜକ ଏବଂ ଛାତ୍ରଛତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନେ ଗବେଷଣା, ବୃତିଗତ ଉନ୍ନତି ଏବଂ ବିଭିନ୍ନ କ୍ଷେତ୍ରରେ ଇଞ୍ଜିନିୟରିଂ କୌଶଳ ବ୍ୟବହାର କରି ସମାଧାନରେ ଉପନୀତ ହେବାକୁ ଆହ୍ୱାନ ଦେଇଥିଲେ। 
କାର୍ଯ୍ୟକ୍ରମରେ ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର କୋଷାଧ୍ୟକ୍ଷ ତଥା ଆଇଆଇଟି ଭୁବନେଶ୍ୱରର ଆସୋସିଏଟ ପ୍ରଫେସର ଡି.ପି ଡୋଗ୍ରା, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଉପଦେଷ୍ଟା ତଥା ଆଇଇଇଇ ଭୁବନେଶ୍ୱର ଉପଶାଖାର ପୂର୍ବତନ ଚେୟାର ଶ୍ରୀ ହରେକୃଷ୍ଣ ରଥ, ଆଇଇଇଇ ଭୁବନେଶ୍ୱର ଶାଖାର ଉପଦେଷ୍ଟା ତଥା ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ଏବଂ ଭେଲ୍‌ର ଜେନେରାଲ ମ୍ୟାନେଜର ପ୍ରଫେସର ଏ.କେ. ତ୍ରିପାଠୀ, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଭାଇସ୍ ଚେୟାର ଏବଂ କିଟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ପ୍ରଫେସର ତଥା ନିର୍ଦ୍ଦେଶକ ପ୍ରଫେସର ଚିନ୍ମୟ କୁମାର ପାଣିଗ୍ରାହୀ, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଚେୟାର (ଏସ୍‌ଏସି) ଏବଂ ସିଲିକନ୍ ବିଶ୍ୱବିଦ୍ୟାଳୟର ଇଇଇ ବିଭାଗର ପ୍ରଫେସର ପ୍ରତାପ ରଞ୍ଜନ ମହାନ୍ତି ବକ୍ତବ୍ୟ ରଖିଥିଲେ। 
ପ୍ରଫେସର ଡୋଗ୍ରା ଶିକ୍ଷା ଏବଂ ଶିଳ୍ପକୁ ନବୀକରଣ ଓ ସହଭାଗିତାମୂଳକ ପ୍ରକଳ୍ପ ମାଧ୍ୟମରେ ଯୋଡ଼ିବାରେ ଆଇଇଇଇର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବେଳେ ଶ୍ରୀ ରଥ ଡିଆର୍‌ଡିଓରେ ତାଙ୍କ କାର୍ଯ୍ୟକାଳର ଅଭିଜ୍ଞତା ସମ୍ପର୍କରେ ବଖାଣି ବୃତିଗତ ନୈତିକତା, ଦଳଗତ କାର୍ଯ୍ୟ ଏବଂ ଭବିଷ୍ୟତର ଇଞ୍ଜିନିୟରଙ୍କ ମଧ୍ୟରେ ବୈଷୟିକ ଉତ୍କର୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ। 
ପ୍ରଫେସର ରଥ ଛାତ୍ରଛାତ୍ରୀମାନେ ଆଇଇଇଇକୁ ଅଧିକ ବ୍ୟବହାର କରି କାର୍ଯ୍ୟକରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। 
ପ୍ରଫେସର ପାଣିଗ୍ରାହୀ ଗବେଷଣା ଏବଂ ଜ୍ଞାନର ଆଦାନପ୍ରଦାନ କ୍ଷେତ୍ରରେ ଆଇଇଇଇ ପକ୍ଷରୁ ପ୍ରଦାନ କରାଯାଉଥିôବା ସୁଯୋଗ ଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେଇଥିôବା ବେଳେ ପ୍ରଫେସର ମହାନ୍ତି ଆଇଇଇଇ କାର୍ଯ୍ୟକ୍ରମରେ ସୋଆ ଛାତ୍ରଛାତ୍ରୀଙ୍କର ପ୍ରତ୍ୟକ୍ଷ ଯୋଗଦାନକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟର ସଂପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ। 
ଆଇଇଇଇ ଭୁବନେଶ୍ୱର କମ୍ପ୍ୟୁଟର ସୋସାଇଟି ଚାପ୍ଟରର ଭାଇସ୍ ଚେୟାର ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଉପଦେଷ୍ଟା ତଥା ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଇଇଇଇ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଲକ୍ଷ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ଏହି ପ୍ଲାଟଫର୍ମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଏଆଇ, ସାଇବର ସିକ୍ୟୁରିଟି ଏବଂ ଡାଟା ସାଇନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳରେ ମିଳିବା କରିବା ସହ ନେତୃତ୍ୱ ନେବାରେ ସହାୟକ ହେବ। 
ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚର ଉପଦେଷ୍ଟା ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମନୋଜ କୁମାର ଦେବନାଥ ଏବଂ ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ, ସେଂଟର ଫର ସାଇବର ସିକ୍ୟୁରିଟିର ଉପଦେଷ୍ଟା ପ୍ରଫେସର ଭାରତ ଜେ. ଆର. ସାହୁ ମଧ୍ୟ ବକ୍ତବ୍ୟ ରଖିବା ସହ ଆଇଇଇଇ ଦ୍ୱାରା କିଭଳି ଦଳଗତ କାର୍ଯ୍ୟ, ଗବେଷଣା ଏବଂ ବୃତିଗତ ଉନ୍ନତି ସହଜ ହୋଇପାରୁଛି ସେ ବିଷୟରେ ମତ ରଖିଥିଲେ। 
ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ ଏବଂ ଆଇଇଇଇ କମ୍ପ୍ୟୁଟର ସୋସାଇଟି ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଚେୟାର ଶ୍ରୀ ମନୀଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୧୬ ଅକ୍ଟୋବର ୨୦୨୫




ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ ପକ୍ଷରୁ ଗୁରୁବାର ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ବନ୍ୟ ସଂରକ୍ଷକ ଡକ୍ଟର ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପିଢ଼ି ଉଦ୍ୟୋଗୀ ହେବା ସହ କୃଷି କାର୍ଯ୍ୟ ପ୍ରତି ମଧ୍ୟ ମନୋନିବେଶ କରିବା ଉଚିତ୍ ବୋଲି କହିଥିଲେ। କୃଷକ ମାନେ ସମାଜର ମେରୁଦଣ୍ଡ ହୋଇଥିବା ବେଳେ ମଣିଷକୁ ଖାଦ୍ୟ କେବଳ ସେମାନେ ହିଁ ଯୋଗାଇଥାନ୍ତି। ତେଣୁ ଜଙ୍ଗଲ ସଂରକ୍ଷଣ ସହିତ କୃଷି କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଡକ୍ଟର ମିଶ୍ର କହିଥିଲେ। 

କାର୍ଯ୍ୟକ୍ରମରେ ଓଡ଼ିଶାର ମାଣ୍ଡିଆ ରାଣୀ ଭାବେ ପରିଚିତ ଡକ୍ଟର ରାଇମତି ଘିଉରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାଷୀମାନଙ୍କୁ ଆଗକୁ ବଢ଼ିବାରେ ମାଣ୍ଡିଆ ହିଁ ସବୁଠାରୁ ଅଧିକ ସାହାଯ୍ୟ କରିବା ସହ ଅର୍ଥ ରୋଜଗାରର ମାଧ୍ୟମ ପାଲଟିଥିବା କହିଛନ୍ତି। ସେ ନିଜେ ୪୦ ପ୍ରକାରର ମାଣ୍ଡିଆ ଚାଷ କରୁଥିବା ବେଳେ ଗରୀବର ଖାଦ୍ୟ ବୋଲାଉଥିବା ଏହି ମାଣ୍ଡିଆ ଦେଶ ବିଦେଶରେ ଆଜି ପରିଚିତ ହୋଇପାରିଛି ବୋଲି ସେ କହିଥିଲେ। 

କାର୍ଯ୍ୟକ୍ରମରେ ଆଏଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ଭାବେ ପାଳନ କରାଯାଉଥିବା କହିବା ସହ ଚଳିତ ବର୍ଷର ପ୍ରସଙ୍ଗ “ହ୍ୟାଣ୍ଡ ଇନ୍ ହ୍ୟାଣ୍ଡ ଫର ବେଟର ଫୁଡ୍ସ ଆଣ୍ଡ ବେଟର ଫ୍ୟୁଚର” ସମ୍ପର୍କରେ ଆଲୋକପାତ କରିଥିଲେ। 

ବିଶ୍ୱର ୧୫୦ ଟି ଦେଶ ଏହି ଦିବସ ପାଳନ କରିଥାନ୍ତି ବୋଲି ସେ ସୂଚନା ଦେଇଥିଲେ। ଖାଦ୍ୟ ସୁରକ୍ଷା, କ୍ଷୁଧାର୍ତକୁ ଖାଦ୍ୟ ଯୋଗାଇବା, ଖାଦ୍ୟର ଅପମିଶ୍ରଣକୁ ରୋକିବା ଏବଂ ପାଣିପାଗର ପ୍ରଭାବରୁ କୃଷିକୁ ବଂଚାଇ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ପ୍ରଫେସର ରାଉତ କହିଥିଲେ। 

କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। 

କାର୍ଯ୍ୟକ୍ରମରେ ଅନୁଗୁଳ, କଟକ, ଢ଼େଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ପ୍ରାୟ ୭୦ ରୁ ଊର୍ଦ୍ଧ୍ୱ କୃଷକଙ୍କ ସମେତ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। 

ଶେଷରେ ଉଦ୍ଭିଦ ଆନୁବଂଶିକି ଓ ଉଦ୍ଭିଦ ପ୍ରଜନନ ବିଭାଗର ମୁଖ୍ୟ ଡକ୍ଟର ଆର୍‌.କେ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି ଅବସରରେ ମୁଖ୍ୟ ଅତିଥି ଡକ୍ଟର ଅରୁଣ କୁମାର ମିଶ୍ର ସ୍ୱାମୀନାଥନ ବକ୍ତୃତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। 

ଡକ୍ଟର ଅସିତ ପ୍ରସାଦ ଦାସ, ଡକ୍ଟର ରାଜେଶ କର, ଡକ୍ଟର ବିଶ୍ୱଜିତ ଲେଙ୍କା, ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ଦିବ୍ୟାଭାରତୀ ସାହୁ, ଡକ୍ଟର ସନ୍ଦୀପ ସିଂହ, ଡକ୍ଟର ଦର୍ଶନା ପାତ୍ର, ଶ୍ରୀ ଅଭିଷେକ ସାମଲ, ଶ୍ରୀମତି ଶୁଭ୍ରା ମିଶ୍ର, ଶ୍ରୀମତି ଗୋପାଲିନା ମାଇତି, ଶ୍ରୀମତି ଚିନ୍ମୟୀ ବେହେରା, ଶ୍ରୀ ରାଜୀବ କୁମାର ବେହେରା ଏବଂ ଶ୍ରୀମତି ଗାୟତ୍ରୀ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୫





ୟୁନେସ୍କୋର ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ମଧ୍ୟରେ ପ୍ରାକ-ସେବା ଶିକ୍ଷା ପ୍ରଶିକ୍ଷଣ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ଏକୀକୃତ କରିବା ଲାଗି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ରମୁଖ ଯୋଜନା ବିଦ୍ୟାଳୟ ସ୍ବାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସହଭାଗିତା ଆରମ୍ଭ ହୋଇଛି। ୟୁନେସ୍କୋ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ବୈଷୟିକ ସହାୟତା ଯୋଗାଇ ଦେଉଛି। ଏହା ଯୌନ ଶିକ୍ଷା, ସ୍ୱାସ୍ଥ୍ୟ-ପ୍ରୋତ୍ସାହନକାରୀ ବିଦ୍ୟାଳୟ ଏବଂ ନିରାପଦ ଓ ସମାବେଶୀ ଶିକ୍ଷା ପରିବେଶର ପ୍ରୋତ୍ସାହନ ଉପରେ ବିଶ୍ୱସ୍ତରୀୟ ଢାଞ୍ଚା ଉପରେ ଆକର୍ଷିତ। 2020 ମସିହାରୁ, ୟୁନେସ୍କୋ 30,000 ସିବିଏସଇ ସ୍କୁଲରେ ସ୍କୁଲ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ସକ୍ରିୟ ଭାବରେ ସମର୍ଥନ କରିଆସୁଛି। ସିବିଏସଇ ଏବଂ ଏନସିଇଆରଟି ସହିତ ସହଭାଗୀତାରେ ୟୁନେସ୍କୋ ନିରନ୍ତର ବୃତ୍ତିଗତ ବିକାଶ (ସିପିଡି) କାର୍ଯ୍ୟକ୍ରମ ମାଧ୍ୟମରେ 960 ରୁ ଅଧିକ ପ୍ରଧାନଶିକ୍ଷକ ଏବଂ 40,000 ଶିକ୍ଷକଙ୍କୁ ତାଲିମ ଦେଇଛି ଏବଂ 3 ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି।

ଏହି ଦୁଇ ବର୍ଷର ସହଯୋଗ କାର୍ଯ୍ରକ୍ରମ ଆରଆଇଇ ଭୁବନେଶ୍ୱର ମାଧ୍ୟମରେ ସମନ୍ୱିତ ବିଏସସି ବିଏଡ, ବିଏ ବିଏଡ, ଏବଂ ବିଏଡ୍ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସମନ୍ୱିତ କରିବା ପାଇଁ ଚାଲିଥିବା ପ୍ରୟାସକୁ ଆନୁଷ୍ଠାନିକ କରିଥାଏ। ପ୍ରାକ୍-ସେବା ଶିକ୍ଷକ ପ୍ରଶିକ୍ଷଣକୁ ଏହି ପ୍ରୟାସକୁ ବିସ୍ତାର କରି, ୟୁନେସ୍କୋ-ଆରଆଇ ଭୁବନେଶ୍ୱର ସହଭାଗୀତା ଭବିଷ୍ୟତର ଶିକ୍ଷକମାନଙ୍କୁ ନିରାପଦ, ସମାବେଶୀ ଏବଂ ସ୍ୱାସ୍ଥ୍ୟ-ପ୍ରୋତ୍ସାହିତ ଶ୍ରେଣୀଗୃହକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ସହାନୁଭୂତି, ସ୍ଥିରତା ଏବଂ ଦକ୍ଷତା ସହିତ ସଜ୍ଜିତ କରିବାର ଲକ୍ଷ୍ୟ ରଖିଛି। ଏହାର ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଓ କଲ୍ୟାଣ ପାଠ୍ୟ ବିଷୟକୁ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରିବା। ଶିକ୍ଷା ସହିତ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଲାଗି ଶିକ୍ଷକମାନଙ୍କୁ ପ୍ରସ୍ତୁତ କରିବା। ଏହି ସହଭାଗିତା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି-3) -ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ, ଏସଡିଜି-4 ଉନ୍ନତମାନର ଶିକ୍ଷା ଏବଂ ଏସଡିଜି-5 ଲିଙ୍ଗଗତ ସମାନତା ଦିଗରେ ଯୋଗଦାନ କରିବ।

ଏହି ସହଯୋଗର ଏକ ଅଂଶ ସ୍ୱରୂପ, ୟୁନେସ୍କୋ ଶିକ୍ଷକ ଶିକ୍ଷକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପୁସ୍ତିକା ବିକାଶରେ ସହାୟତା କରିବ ଯାହା ଭବିଷ୍ୟତର ଶିକ୍ଷକମାନଙ୍କ ପାଇଁ ଏକ ସନ୍ଦର୍ଭ ଭାବରେ କାର୍ଯ୍ୟ କରିବ। ଆରଆଇଇ ଭୁବନେଶ୍ୱର କିଛି ଶିକ୍ଷକ ଶିକ୍ଷା ଅନ୍ତର୍ଦୃଷ୍ଟିରୁ ଆରମ୍ଭ କରି, ପ୍ରଚଳିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ସମନ୍ୱୟକୁ ନେତୃତ୍ୱ ଦେବ।

ଏନସିଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ପିସି ଅଗ୍ରଓ୍ବାଲ ବିଦ୍ୟାଳୟ ସ୍ବାସ୍ଥ୍ୟ ଓ କଲ୍ୟାଣ କାର୍ଯ୍ୟକ୍ରମରେ ୟୁନେସ୍କୋର ଯୋଗଦାନକୁ ପ୍ରଶଂସା କରିଛନ୍ତି। ଏହି ବୁଝାମଣାପତ୍ର ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସମାନ ଦୃଷ୍ଟିକୋଣରେ ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ୟୁନେସ୍କୋର ନିର୍ଦ୍ଦେଶକ ଓ ପ୍ରତିନିଧି ଟିମ୍ କର୍ଟିସ୍ କହିଛନ୍ତି, ଆରଆଇଇ ଭୁବନେଶ୍ୱର ସହିତ ଏହି ସହଭାଗୀତା ଓଡ଼ିଶାର ଭବିଷ୍ୟତର ଶିକ୍ଷକମାନଙ୍କୁ କେବଳ ଶୈକ୍ଷିକ ବିଷୟବସ୍ତୁ ପ୍ରଦାନ କରିବା ପାଇଁ ନୁହେଁ, ବରଂ ସ୍ଥିର, ସହାନୁଭୂତିପୂର୍ଣ୍ଣ ଏବଂ ଦକ୍ଷ ଛାତ୍ରଛାତ୍ରୀମାନଙ୍କୁ ବିକଶିତ କରିବା ଲାଗି ପ୍ରସ୍ତୁତ କରିବ। ଆରଆଇଇର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ କହିଛନ୍ତି, ଏହି ବୁଝାମଣା ଦ୍ବାରା ସାମଗ୍ରିକ ଶିକ୍ଷାର ବ୍ୟାପକ ଲକ୍ଷ୍ୟ ସାକାର ହୋଇପାରିବ। ଏମଓୟୁ ସ୍ବାକ୍ଷର ସମାରୋହରେ ୟୁନେସ୍କୋ, ଆରଆଇଇ, ଏନସିଇଆରଟିର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୫




  • ଏଆଇ-ପ୍ରଥମ ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି ଏବଂ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟିକୁ ମିଳିବ ପ୍ରୋତ୍ସାହନ : କେନ୍ଦ୍ର ମନ୍ତ୍ରୀ

  • ବିଶାଖାପାଟଣାରେ ୧୫ ବିଲିୟନ ଡଲାରର ଏଆଇ ହବ୍ ଘୋଷଣା କଲା ଗୁଗୁଲ୍; ବିକଶିତ ଭାରତ ଦୃଷ୍ଟିକୋଣ ସହିତ ମିଳିତ ଭାବରେ ଏଆଇ-ଚାଳିତ ସେବାକୁ ଆଗକୁ ବଢ଼ାଇବା ପାଇଁ ଭାରତରେ କମ୍ପାନୀର ସର୍ବବୃହତ ନିବେଶ

  • ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଯୋଗାଯୋଗ ବୃଦ୍ଧି ପାଇଁ ଭାଇଜାଗ୍-ସିଟ୍ଟ୍ୱେ ଡିଜିଟାଲ୍ ଲିଙ୍କ୍ ପ୍ରସ୍ତାବ ଦେଲେ ଶ୍ରୀ ଅଶ୍ୱିନୀ ବୈଷ୍ଣବ; ମ୍ୟାଁମାର ଦେଇ ରେଳଟେଲ୍ ନେଟୱାର୍କ ଏବଂ ସୀମାପାର କେବୁଲ୍ ସମ୍ପ୍ରସାରଣ ଉପରେ କଲେ ଗୁରୁତ୍ୱାରୋପ 

  • “ଆମେ ଆଣ୍ଡାମାନକୁ ବିଶ୍ୱ ଇଣ୍ଟରନେଟ୍ ଡାଟା ସ୍ଥାନାନ୍ତର ପାଇଁ ପରବର୍ତ୍ତୀ ପ୍ରମୁଖ କେନ୍ଦ୍ରରେ ପରିଣତ କରିପାରିବା; ଭାରତ ସରକାର ପୂର୍ଣ୍ଣ ସମର୍ଥନ ଯୋଗାଇଦେବେ’’ - ଶ୍ରୀ ଅଶ୍ୱିନୀ ବୈଷ୍ଣବ

ବିଶାଖାପାଟଣାରେ ଗୁଗୁଲ୍ ଏଆଇ ହବ୍ ଭାରତର ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଗାମୀ ଭାରତ ଏଆଇ ସମ୍ମିଳନୀରେ ଅଂଶଗ୍ରହଣ କରିବା ପୂର୍ବରୁ ଗୁଗୁଲ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ‘ଭାରତ ଏଆଇ ଶକ୍ତି’କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ଗୁଗୁଲ୍ ଏଆଇ ହବ୍ ଭାରତର ଡିଜିଟାଲ୍ ଅର୍ଥବ୍ୟବସ୍ଥା ପାଇଁ ଏକ ନୂତନ ଯୁଗର ଆରମ୍ଭ କରିବାକୁ ଯାଉଛି । ଏହି ଭିତ୍ତିଭୂମି ନୂତନ ସମୁଦ୍ର କେବୁଲ ନେଟୱାର୍କରେ ନିବେଶ ଦ୍ୱାରା ଏବଂ ସ୍ୱଚ୍ଛ ଶକ୍ତି ଦ୍ୱାରା ପରିଚାଳିତ ଏଆଇ-ପ୍ରଥମ ଡାଟା ସେଣ୍ଟର ସ୍ଥାପତ୍ୟ କ୍ଷେତ୍ରରେ ନୂତନ ଭୂମି ସୃଷ୍ଟି କରିଛି। ଏହା କେବଳ ଏଆଇ-ଚାଳିତ ସେବାର ଏକ ନୂତନ ଯୁଗକୁ ଇନ୍ଧନ ଦେବ ନାହିଁ ବରଂ ସାରା ଦେଶରେ ଉଚ୍ଚ-ମୂଲ୍ୟର ଚାକିରି ଏବଂ ଆର୍ଥିକ ସୁଯୋଗ ସୃଷ୍ଟି କରିବ। ଏହି ସହଭାଗୀତା ଭାରତରେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଆଣିବା ଗୌରବର ବିଷୟ।” ଭାରତ ଏଆଇ ମିଶନର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଏହି ହବର ଭୂମିକା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଛନ୍ତି, ଏହି ଡିଜିଟାଲ୍ ଭିତ୍ତିଭୂମି ଇଣ୍ଡିଆ ଏଆଇ ମିଶନର ଲକ୍ଷ୍ୟ ପୂରଣ କରିବାରେ ବିଶେଷ ସହାୟକ ହେବ।”

ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ଏଆଇ ସେବାଗୁଡ଼ିକୁ ଏକ ପ୍ରମୁଖ ଉଦୀୟମାନ କ୍ଷେତ୍ର ଭାବରେ ଅଭିହିତ କରିଥିଲେ । ପ୍ରତିଭା ଏବଂ ନିଯୁକ୍ତି ସୃଷ୍ଟି ପାଇଁ ଏହି ସୁବିଧାକୁ ବ୍ୟବହାର କରିବାକୁ ପାଇଁ କେନ୍ଦ୍ର ମନ୍ତ୍ରୀ ଗୁଗୁଲକୁ ଅନୁରୋଧ କରିଥିଲେ। ଇଣ୍ଡିଆ ଏଆଇ ମିଶନ ଅଧୀନରେ ସାଧାରଣ କମ୍ପ୍ୟୁଟ୍ ଭିତ୍ତିଭୂମିର ଅଂଶ ଭାବରେ ଏନଭିଡିଆର ଜିପିୟୁ (ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍) ସହିତ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ସେ ଗୁଗୁଲର ଟିପିୟୁ (ଟେନସର ପ୍ରୋସେସିଂ ୟୁନିଟ୍)କୁ ସ୍ୱାଗତ କରିଥିଲେ। ମନ୍ତ୍ରୀ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ଏଆଇ ହବ୍ ଇଣ୍ଡିଆ ଏଆଇ ମିଶନର ଲକ୍ଷ୍ୟକୁ ସାକାର କରିବା ଦିଗରେ ବିଶେଷ ସହାୟକ ହେବ। ଦ୍ରୁତ ଏଆଇ-ଚାଳିତ ପରିବର୍ତ୍ତନ ମଧ୍ୟରେ ଆଇଟି ପେସାଦାରମାନଙ୍କର ବ୍ୟାପକ ଉନ୍ନତ କୌଶଳ ବିକାଶ ଏବଂ ଉନ୍ନତୀକରଣର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ସେ ଗୁଗୁଲକୁ ଏହି ପ୍ରୟାସରେ ଶିଳ୍ପକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ସମୁଦ୍ର ତଳ କେବୁଲ ସଂଯୋଗ ଉପରେ ଗୁରୁତ୍ୱାରୋପ କରି କହିଥିଲେ, “ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ରଣନୀତିକ ଭାବରେ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅବସ୍ଥିତ। ସିଙ୍ଗାପୁର ପୂର୍ବରୁ ଅତ୍ୟଧିକ ଚାପରେ ରହିଛି। ଆମେ କାହିଁକି ଆଣ୍ଡାମାନକୁ ବିଶ୍ୱ ଇଣ୍ଟରନେଟ୍ ଡାଟା ସ୍ଥାନାନ୍ତର ପାଇଁ ପରବର୍ତ୍ତୀ ପ୍ରମୁଖ କେନ୍ଦ୍ର କରିପାରିବା ନାହିଁ? ଭାରତ ସରକାରଙ୍କ ଦୃଷ୍ଟିକୋଣରୁ, ଆମେ ଏହି ପଦକ୍ଷେପ ପାଇଁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବୁ। ଆଣ୍ଡାମାନ ଦ୍ୱୀପପୁଞ୍ଜ ଗୁଗୁଲ୍ ଏବଂ ଅନ୍ୟାନ୍ୟ ଇଣ୍ଟରନେଟ୍-ଭିତ୍ତିକ ସଂଗଠନଗୁଡ଼ିକୁ ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ନୂତନ ଡାଟା କ୍ଷମତା ଖୋଜୁଥିବା ଅନ୍ୟାନ୍ୟ ଅଞ୍ଚଳ ସହିତ ସଂଯୋଗ କରିବାରେ ସାହାଯ୍ୟ କରିପାରିବ।”

କେନ୍ଦ୍ର ମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ଏକ ଭାଇଜାଗ୍-ସିଟ୍ଟ୍ୱେ (ମିଆଁମାର) ଲିଙ୍କ୍ ସ୍ଥାପନ କରିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ । ବେ ବର୍ତ୍ତମାନର ରେଳଟେଲ୍ ନେଟୱାର୍କକୁ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମିଆଁମାର ଦେଇ ମିଜୋରାମକୁ କେବୁଲ ବିସ୍ତାର କରିବା ଏକ ପ୍ରମୁଖ ପଦକ୍ଷେପ ହେବ, କାରଣ ସାଇରାଙ୍ଗ ପର୍ଯ୍ୟନ୍ତ ରେଳ ଲାଇନ ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ମିଆଁମାର ସୀମା ପର୍ଯ୍ୟନ୍ତ ବିସ୍ତାର କରିବା ପାଇଁ କାର୍ଯ୍ୟ ଚାଲିଛି।

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଅବସରରେ କହିଛନ୍ତି, ଆନ୍ଧ୍ର ପ୍ରଦେଶରେ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ଭାରତର ଡିଜିଟାଲ୍ ପରିବର୍ତ୍ତନ ଯାତ୍ରାରେ ଏକ ନୂତନ ଅଧ୍ୟାୟ । ଗୁଗୁଲ୍ କ୍ଲାଉଡ୍‌ର ସିଇଓ ଥମାସ୍ କୁରିଆନ୍ ଆଲୋକପାତ କରିଥିଲେ, ବିଶାଖାପାଟଣାରେ ଥିବା ଗୁଗୁଲ୍ ଏଆଇ ହବ୍ ଭାରତର ଡିଜିଟାଲ୍ ଭବିଷ୍ୟତରେ ଏକ ଐତିହାସିକ ନିବେଶକୁ ପ୍ରତିନିଧିତ୍ୱ କରେ। ବ୍ୟାପକ ଆକାରରେ ଶିଳ୍ପ ଆଧାରିତ ଏଆଇ ଭିତ୍ତିଭୂମି ପ୍ରଦାନ କରି ଆମେ ବ୍ୟବସାୟଗୁଡ଼ିକୁ ଦ୍ରୁତ ନବସୃଜନ କରିବାକୁ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ କରୁଛୁ।

ଗୁଗୁଲ୍ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ହବ୍ ପ୍ରତିଷ୍ଠା ଘୋଷଣା କରିଛି, ଯାହା କମ୍ପାନୀକୁ ସମଗ୍ର ଭାରତରେ ଏଆଇ-ଚାଳିତ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହାର ସମ୍ପୂର୍ଣ୍ଣ ଏଆଇ ଷ୍ଟାକ୍ ନିୟୋଜିତ କରିବାକୁ ସକ୍ଷମ କରିବ। ନୂତନ ଏଆଇ ହବ୍ ଉନ୍ନତ ଏଆଇ ଭିତ୍ତିଭୂମି, ଡାଟା ସେଣ୍ଟର କ୍ଷମତା, ବଡ଼ ପରିମାଣର ନବୀକରଣୀୟ ଶକ୍ତି ଉତ୍ସ ଏବଂ ଏକ ବିସ୍ତାରିତ ଫାଇବର-ଅପ୍ଟିକ୍ ନେଟୱାର୍କକୁ ଗୋଟିଏ ସ୍ଥାନରେ ଏକାଠି କରିବ।

ପାଞ୍ଚ ବର୍ଷ (2026-2030) ମଧ୍ୟରେ ପ୍ରାୟ 15 ବିଲିୟନ ଡଲାରର ଏହି ନିବେଶ ଭାରତରେ ଗୁଗୁଲର ଏପର୍ଯ୍ୟନ୍ତ ସର୍ବବୃହତ ନିବେଶ ଏବଂ ଭାରତ ସରକାରଙ୍କ ବିକଶିତ ଭାରତ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିଛି, ଯାହା ଏଆଇ-ଚାଳିତ ସେବାଗୁଡ଼ିକର ବିସ୍ତାରକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରେ।

ବିଶାଖାପାଟଣାର ଗୁଗୁଲ୍ ଏଆଇ ହବ୍ ରେ ଏକ ଉଦ୍ଦେଶ୍ୟ-ନିର୍ମିତ ଡାଟା ସେଣ୍ଟର କ୍ୟାମ୍ପସ୍ ଅନ୍ତର୍ଭୁକ୍ତ ହେବ, ଯାହା ସାରା ଭାରତ ଏବଂ ସାରା ବିଶ୍ୱରେ ଡିଜିଟାଲ୍ ସେବାର ଚାହିଦା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଗିଗାୱାଟ୍-ସ୍କେଲ କମ୍ପ୍ୟୁଟ୍ କ୍ଷମତା ଯୋଗ କରିବ। 

ଏହି ଏଆଇ ହବ୍ ବ୍ୟବସାୟ ଏବଂ ସଂଗଠନଗୁଡ଼ିକୁ ସେମାନଙ୍କର ନିଜସ୍ୱ ଏଆଇ-ଚାଳିତ ସମାଧାନ ନିର୍ମାଣ ଏବଂ ସ୍କେଲ୍ କରିବା ପାଇଁ ଆବଶ୍ୟକ ଉଚ୍ଚ-କାର୍ଯ୍ୟକ୍ଷମତା ଏବଂ କମ୍-ଲାଟେନ୍ସୀ ସେବା ମଧ୍ୟ ପ୍ରଦାନ କରିବ, ଗବେଷଣା ଏବଂ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଶେଷରେ ଭାରତକୁ ଏଆଇ-ଚାଳିତ ଭବିଷ୍ୟତରେ ଏକ ବିଶ୍ୱ ନେତା ଭାବରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସାହାଯ୍ୟ କରିବ। 

କାର୍ଯ୍ୟକ୍ଷମ ହେଲେ, ନୂତନ ଡାଟା ସେଣ୍ଟର କ୍ୟାମ୍ପସ୍ 12ଟି ଦେଶରେ ବ୍ୟାପୀ ଥିବା ଗୁଗୁଲର ଏଆଇ ଡାଟା ସେଣ୍ଟରଗୁଡ଼ିକର ନେଟୱାର୍କରେ ଯୋଗଦେବ। ଏହା ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁଣେରେ ଗୁଗୁଲର ଗବେଷଣା ବିକାଶ କେନ୍ଦ୍ରଗୁଡ଼ିକ ଦ୍ୱାରା ବିକଶିତ ପ୍ରଯୁକ୍ତିବିଦ୍ୟାରୁ ଲାଭ ପାଇବ, ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଏବଂ ହାର୍ଡୱେର୍ ନବସୃଜନର ଡିଜାଇନ୍ ଏବଂ ବିକାଶ ଅନ୍ତର୍ଭୁକ୍ତ।

ଗୁଗୁଲର ଏଆଇ ହବ୍ ନିବେଶରେ ଏକ ନୂତନ ଅନ୍ତର୍ଜାତୀୟ ଉପସାଗର ପ୍ରବେଶପଥ ନିର୍ମାଣ ଅନ୍ତର୍ଭୁକ୍ତ, ଯେଉଁଥିରେ ଭାରତର ପୂର୍ବ ଉପକୂଳ ବିଶାଖାପାଟଣାରେ ଏକାଧିକ ଅନ୍ତର୍ଜାତୀୟ ଉପସାଗର କେବୁଲ ସଂଯୋଗ ହେବ । ଏହା ଗୁଗୁଲର ଦୁଇ ନିୟୁତ ମାଇଲରୁ ଅଧିକ ଦୀର୍ଘ ସ୍ଥଳଜ ଏବଂ ଉପସାଗର କେବୁଲ ସହିତ ଯୋଡ଼ି ହେବ। ଏହା ବିଶାଖାପାଟଣାକୁ ଏକ ଏଆଇ ଏବଂ ସଂଯୋଗ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ଯାହା କେବଳ ଭାରତକୁ ନୁହେଁ ବରଂ ବିଶ୍ୱର ଅନ୍ୟାନ୍ୟ ଦେଶକୁ ସେବା ପ୍ରଦାନ କରିବ।


ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୫




  • ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ କଲେ ଆଲୋଚନା 

  • ଛାତ୍ରଛାତ୍ରୀମାନେ ନୂଆ ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ ବିଶ୍ୱ ପାଇଁ ନୂଆ ଇତିହାସ ଲେଖିବେ

  • ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ 

  • ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ 'ବିକଶିତ ଭାରତ ବିଲ୍ଡାଥନ୍’  ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ 

  • ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

  • ଏକ ବିକଶିତ ଏବଂ ସମୃଦ୍ଧ ଭାରତ ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ସମ୍ଭବ 

  • ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ 

 'ବିକଶିତ ଭାରତ ବିଲ୍ଡାଥନ୍ ହେଉଛି ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ । ଏହି ବିଲ୍ଡାଥନରୁ ତିଆରି ହେଉଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତଦୃଷ୍ଟିକୋଣକୁ ଆଗକୁ ନେଇ ଏହି ବିଲ୍ଡାଥନ୍ ୨୦୨୫କୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ । ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏଠାରୁ ସୃଷ୍ଟି ହୋଇଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ । ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଆମର ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଗଠନ ହେବ । ଆମର ଛାତ୍ରଛାତ୍ରୀମାନେ  ସେମାନଙ୍କର ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ  ଭାରତ ତଥା ବିଶ୍ୱ ପାଇଁ ଇତିହାସ ଲେଖିବେ ।  

ଏହି ଅବସରରେ ଶ୍ରୀ ପ୍ରଧାନ ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପାଠପଢାର ମନୋଭାବକୁ ପ୍ରଶଂସା କରିଥିଲେ । ସେହିପରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଥିବା ନବସୃଜନର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ । ଏହି ଯୁବ ଉଦ୍ଭାବକମାନଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷା ମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନଙ୍କର କୌତୁହଳ, ସୃଜନଶୀଳତା ଏବଂ ଉଦ୍ଭାବନ ଭାରତକୁ ଆଗକୁ ନେବ । ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଶିକ୍ଷା ମନ୍ତ୍ରଣାଳୟ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବିକଶିତ ଭାରତ ବିଲ୍ଡାଥନ୍ - ୨୦୨୫ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ 'ଭୋକାଲ୍ ଫର୍ ଲୋକାଲ’, 'ଆତ୍ମନିର୍ଭର ଭାରତ', 'ସ୍ୱଦେଶୀ', ଏବଂ 'ସମୃଦ୍ଧି' ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ । ଏହି କାର୍ଯ୍ୟକ୍ରମ ଦେଶରେ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ, ଓ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ବିକଶିତ ଭାରତ ବିଲ୍ଡାଥନ୍ ପୋର୍ଟାଲ୍ (https://vbb.mic.gov.in/) ରେ ପଞ୍ଜିକରଣ କରିଥିଲେ । ଏହାର ଶେଷ ପର୍ଯ୍ୟାୟ ୨୦୨୬ ଜାନୁଆରୀରେ ଆୟୋଜନ ହୋଇ ଫଳାଫଳ ଘୋଷଣା ହେବ ଏବଂ ଶ୍ରେଷ୍ଠ ୧୦୦୦ରୁ ଅଧିକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । 


ଭୁବନେଶ୍ୱର, ୧୧ ଅକ୍ଟୋବର ୨୦୨୫




ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ସହିତ ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଶନିବାର ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି।
ଆଇନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବା ଛାତ୍ରୀଙ୍କୁ ବିଭିନ୍ନ ଆଇନ ଓ ବିଷୟ ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ କାରଣ ଜଣେ ଆଇନଜ୍ଞଙ୍କୁ କେଉଁ ପ୍ରକାରର ମାମଲା ପରିଚାଳନା କରିବାକୁ ପଡ଼ିବ ତାହା ଜଣା ନଥାଏ ବୋଲି ନ୍ୟାୟମୂର୍ତିୀ ଦୀକ୍ଷିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଲ’ର ୧୫ତମ ଓିରିଏଂଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। 
ଭାଷା ମାଧ୍ୟମରେ ଆଇନ ପ୍ରକଟିତ ହୁଏ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଆଇନ ଓ ଭାଷାକୁ ଆୟତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। 
ଛାତ୍ରଛାତ୍ରୀମାନଙ୍କୁ ବିଶ୍ଳେଷଣାତ୍ମକ ମନୋଭାବ ପୋଷଣ କରିବା ସହିତ ତର୍କଶାସ୍ତ୍ର ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ। ଏହା ଛଡ଼ା ସେମାନଙ୍କୁ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ଯୀହୁଦିମାନଙ୍କ ରାଜ ଶଲୋମନ ବିଷୟରେ ଉଲ୍ଲେଖ କରି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଯୀହୁଦିମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ଭାବେ ପରିଗଣିତ ଏହି ରାଜାଙ୍କୁ ଥରେ ଏକ କଠିନ ମାମଲାର ସମାଧାନ କରିବାକୁ ପଡ଼ିଥିଲା। ଦୁଇ ଜଣ ମହିଳା ନିଜକୁ ଗୋଟିଏ ଶିଶୁର ମାତା ବୋଲି ଦାବୀ କରୁଥିବା ବେଳେ ଏହି ମାମଲା ତାଙ୍କ ସମ୍ମୁଖକୁ ଆସିଥିଲା। ସେତେବେଳେ ଡିଏନ୍‌ଏ ପରୀକ୍ଷା ଉପଲବ୍ଧ ନଥିବାରୁ ଏହା କଠିନ ମାମଲା ଥିଲା। 
ରାଜା ଶଲୋମନ ଆଜ୍ଞା ଦେଇଥିଲେ ଯେ ଶିଶୁଟିକୁ ଖଡ୍ଗରେ ଦୁଇ ଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଂଟି ଦିଆଯାଉ। ଏହା ଶୁଣି ଶିଶୁଟିର ପ୍ରକୃତ ମାତା ଚିତ୍କାର କରି ଶିଶୁକୁ ହତ୍ୟା ନ କରି ତାକୁ ଅନ୍ୟ ମହିଳାଙ୍କୁ ଦେଇ ଦେବାକୁ ଗୁହାରି କରିଥିଲେ। କାରଣ ସେ ନିଜେ ଶିଶୁଟିର ମାତା ହୋଇଥିବାରୁ ତାହାର ମୃତ୍ୟୁ ଚାହିଁ ନଥିଲେ। ଏହା ଦ୍ୱାରା ଶିଶୁର ପ୍ରକୃତ ମାତାଙ୍କୁ ଚିହ୍ନଟ କରାଯାଇ ପାରିଥିଲା ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ। 
କଠିନ ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ ବୋଲି ପ୍ରକାଶ କରି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଭାରତର ପ୍ରସିଦ୍ଧ ଆଇନ ବିଶାରଦ ନନି ପାଲଖିୱାଲାଙ୍କ ଉଦାହରଣ ଅନୁକରଣୀୟ। ବମ୍ବେ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିବା ସମୟରେ ପାଲଖିୱାଲା କୁଳାଧିପତିଙ୍କୁ ଅନୁରୋଧ କରିଥିଲେ ଯେ ବିଶ୍ୱବିଦ୍ୟାଳୟର ପୁସ୍ତକାଗାର ସନ୍ଧ୍ୟା ୫ଟାରେ ବନ୍ଦ ହୋଇଯାଉଥିବାରୁ ତାଙ୍କର ଅଧ୍ୟୟନ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ସମୟକୁ ବୃଦ୍ଧି କରିବାକୁ ସେ ପ୍ରାର୍ଥନା କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା। 
ଏହି ଅଧ୍ୟୟନ ହିଁ ତାଙ୍କୁ ଦେଶର ଜଣେ ପ୍ରତିଷ୍ଠିତ ଆଇନ ବିଶାରଦରେ ପରିଣତ କରିଥିଲା। ମାତ୍ର କେବଳ କଠିନ ପରିଶ୍ରମ ଯଥେଷ୍ଟ ନୁହେଁ ଯଦି ଜଣେ ନିଜର ଲକ୍ଷ୍ୟସ୍ଥଳ ବିଷୟରେ ନ ଜାଣେ। 
ଆଇନ ଏକ ବ୍ୟବସାୟ ନୁହେଁ ମାତ୍ର ଏକ ମହାନ ବୃତି ଅଟେ। ତେଣୁ ଏହି ବୃତିରେ ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନୈତିକ ଆଚରଣ କରିବା ଆବଶ୍ୟକ ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ। 
ଏହି ବୃତିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ କେବେ ମଧ୍ୟ ନ୍ୟାୟକୁ ବିଳମ୍ବିତ ପ୍ରତ୍ୟାଖିତ ଅବା ବିକ୍ରୀ ହେବାକୁ ଦେବେ ନାହିଁ ବୋଲି ସେ କହିଥିଲେ। 
ଛାତ୍ରଛାତ୍ରୀମାନେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାର ଆବଶ୍ୟକତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ କୌଣସି ଗୋଟିଏ ପୁସ୍ତକ ଉପରେ ନିର୍ଭରଶୀଳ ହେବା ଦେଶର ବା ସଂସ୍କୃତିର ପରିଚାୟକ ନୁହେଁ। ଗୀତା ପ୍ରକାଶ କରେ ଯେ ଜ୍ଞାନ ଆହରଣ ଠାରୁ ଅଧିକ ଉତ୍ସର୍ଗୀକୃତ ବିଷୟ କିଛି ନାହିଁ ବୋଲି ସେ କହିଥିଲେ।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget