Articles by "National-International"

 ଭୁବନେଶ୍ୱର, ୦୩ ଜୁଲାଇ ୨୦୨୬






ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ

ACME ଓ IHI କର୍ପୋରେସନ ସହିତ ଓଡିଶା ସରକାରଙ୍କ ସହଯୋଗ ପତ୍ର(Memorandum of Cooperation) ସ୍ୱାକ୍ଷରିତ

ପାରାଦୀପ ଓ ଗୋପାଳପୁରରେ ହେବ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ନିଯୁକ୍ତି-୭,୬୦୦

ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ



ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ଜାପାନୀ ଶିଳ୍ପ  ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ।

ଆଜି ଲୋକସେବା ଭବନର କନଭେନସନ୍‌ ସେଣ୍ଟରଠାରେ ଜାପାନର ବିଜିନେସ୍ ଡେଲିଗେଟ୍ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। 

ଏହି ଅବସରରେ ରାଜ୍ୟ ସରକାର ACME ଗ୍ରୁପ ଓ IHI Corporation ସହିତ ଏକ ସହଯୋଗ ପତ୍ର ବା Memorandum of Cooperation (MoC) ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଏହି ଦୁଇଟି କମ୍ପାନୀ ଓଡିଶାରେ ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ରୂପରେ ନିବେଶ କରିବା ପାଇଁ ଉଦ୍ୟମ କରିବେ। ଏହି ସହଯୋଗ ଦ୍ୱାରା ଟେକ୍ନୋଲୋଜି ଟ୍ରାନ୍ସଫର, ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହିତ ଓଡିଶାରେ ବ୍ୟାପକ ନିଯୁକ୍ତି ଓ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ। 

ଏହି ଦୁଇଟି କମ୍ପାନୀ ACME ଓ IHI ଓଡିଶାରେ ୩ଟି ପ୍ରକଳ୍ପ ସ୍ଥାପନ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି ଟଙ୍କା ଏବଂ ଏହା ଦ୍ୱାରା ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

ଏହି ପ୍ରକଳ୍ପ ଗୁଡିକ ହେଲା ଗୋପାଳପୁରରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ ଆମୋନିଆ ପ୍ରକଳ୍ପ। ଏଥିରେ ୨୦,୦୦୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ୱାରା ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହିତ ଏହି ପ୍ରକଳ୍ପରେ ଅତିରିକ୍ତ ୧,୦୦୦ କୋଟି ଟଙ୍କା ନିବେଶରେ ଏକ ଜେଟି ବିହୀନ ଫ୍ଲୋଟିଙ୍ଗ୍ ଟର୍ମିନାଲ୍ ଭିତ୍ତିଭୂମି ସୃଷ୍ଟି କରାଯିବ।

ଏହା ସହିତ ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୩,୬୦୦ ନିଯୁକ୍ତି ସୃଷ୍ଟି ହେବ। ତୃତୀୟ ପ୍ରକଳ୍ପଟି ହେଉଛି ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ କରାଯିବ। ଏହା ଦ୍ୱାରା ୬୦୦ ନିଯୁକ୍ତି ସୃଷ୍ଟି ହେବ।

ଏହି ଅବସରରେ ଦେଶର ଅନ୍ୟତମ ବୃହତ୍ତମ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ ପ୍ରତିଷ୍ଠା ନେଇ ଓଡ଼ିଶାର ଦୂରଦୃଷ୍ଟି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି। ଗତକାଲି ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ୧୧ ବିଲିୟନ ଡଲାରର ଚୁକ୍ତି ପରେ ଆଜି ଦୂର ପ୍ରାଚ୍ୟ ବନ୍ଧୁ ଜାପାନ ସହିତ ହୋଇଥିବା ଏହି ସହଭାଗିତା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ଉଜ୍ଜ୍ୱଳ କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇସାରିଛି। ଏହାଦ୍ୱାରା ରାଜ୍ୟକୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର 'ଇସ୍ପାତ ରାଜଧାନୀ' ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ। 

ଏହି କାର୍ଯ୍ୟକ୍ରମରେ ACME, IHI ଓ MITSUBISHI ଆଦି ଅନ୍ତର୍ଜାତୀୟ ସ୍ତରର କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  IHI କର୍ପୋରେସନ୍‌କୁ ରାଜ୍ୟରେ ଏକ 'ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଏବଂ ଇନୋଭେସନ୍ ସେଣ୍ଟର' ଏବଂ MITSUBISHI କର୍ପୋରେସନ୍‌କୁ ଗ୍ରୀନ୍ କେମିକାଲ୍ସ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ନିବେଶ ପାଇଁ ବିଶେଷ ଆମନ୍ତ୍ରଣ ଜଣାଇଛନ୍ତି। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜାନୁଆରୀର ‘ଉତ୍କର୍ଷ ଓଡ଼ିଶା’ ପରଠାରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଏବଂ ବିଗତ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସରକାର ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ରାଜ୍ୟର ୨୯ଟି ଜିଲ୍ଲାରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ସମାବେଶୀ ଶିଳ୍ପାୟନର ଲକ୍ଷ୍ୟକୁ ହାସଲ କରାଯିବ।
ଏହି ଆଲୋଚନାରେ, ଆଇଏଚ୍‌ଆଇ (IHI) କର୍ପୋରେସନ୍ ର President ଓ CEO Hiroshi Ide ଓଡ଼ିଶାର ସବୁଜ ଶକ୍ତି ନୀତି ଏବଂ ପୁଞ୍ଜିନିବେଶ ପରିବେଶକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ  ଓଡ଼ିଶାରେ ଶକ୍ତି କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ସହଯୋଗ ଓ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଶକ୍ତି ନୀତି ବେଶ୍ ପ୍ରଶଂସନୀୟ। ଜାପାନ ପାଇଁ ସବୁଜ ଶକ୍ତି (ଗ୍ରୀନ୍ ଏନର୍ଜି) କ୍ଷେତ୍ରରେ ବୃହତ ପୁଞ୍ଜିନିବେଶ କରିବା ନିମନ୍ତେ ଓଡ଼ିଶା ଏକ ସର୍ବୋତ୍ତମ ଏବଂ ସୁଦୃଢ଼ ମାଧ୍ୟମ ସାଜିଛି ବୋଲି ସେ କହିଥିଲେ।

Mitsubishi ଗ୍ୟାସ୍ କେମିକାଲ୍ କମ୍ପାନୀର ପ୍ରତିନିଧି ଓଡ଼ିଶାର ଏକ ସବୁଜ ଓ ସୁଦୃଢ଼ ଭବିଷ୍ୟତ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। 

ଏସିଏମଇ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡିରେକ୍ଟର ମନୋଜ କୁମାର ଉପାଧ୍ୟାୟ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶକୁ ପୁଞ୍ଜିନିବେଶର ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶା ସବୁଠାରୁ ଅନୁକୂଳ ଏବଂ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଜାପାନର ଅଧିକ ନିକଟତର। ତେଣୁ ଓଡ଼ିଶାରେ ଉତ୍ପାଦିତ ସବୁଜ ଶକ୍ତିକୁ ଖୁବ୍ ସହଜରେ ଜାପାନକୁ ରପ୍ତାନି କରାଯାଇପାରିବ ଏବଂ ଆଗାମୀ ଦିନରେ ଓଡ଼ିଶା ସଫଳତାର ସହ ଜାପାନକୁ ଶକ୍ତି ରପ୍ତାନୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ  ସଚିବ ଶ୍ରୀମତୀ ଅନୁ ଗର୍ଗ, ଜାପାନୀ ପ୍ରତିନିଧିମଣ୍ଡଳ ସମେତ ଟି.ଆର୍‌.ଏଲ୍‌. କ୍ରୋସାକି, ଟି.ୱାଇ.କେ. କର୍ପୋରେସନ୍‌, ଇଣ୍ଡୋ ନିସିନ୍‌, ଏ.ସି.ଏମ୍‌.ଇ. ଗ୍ରୁପ୍‌, ଆଇ.ଏଚ୍‌.ଆଇ. କର୍ପୋରେସନ୍‌ ଓ ମିତ୍‌ସୁବିଶିର ପ୍ରତିନିଧିବୃନ୍ଦ ଏବଂ ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ଅର୍ଥ ନିଗମ (IFC) ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ।


ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇପିକଲ୍‌ (IPICOL) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଆବୋଲି ସୁନୀଲ ନରଭାଣେ ଆଲୋଚନା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୦୧ ଜୁଲାଇ ୨୦୨୬



ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରିବ ଉଚ୍ଚସ୍ତରୀୟ କମିଟି
ଜନସଂଖ୍ୟା ପରିବର୍ତ୍ତନ ସମ୍ପର୍କିତ ମତାମତ ସଂଗ୍ରହ ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ସହ ବୈଠକ କରିବ କମିଟି
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ ପୂର୍ବରୁ ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହେଲା ସମନ୍ୱିତ ପ୍ରଶ୍ନାବଳୀ

ଜନସଂଖ୍ୟା ହାର ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି ଏବଂ ଏକ ସୌଜନ୍ୟମୂଳକ ବୈଠକ କରିଛନ୍ତି।

ଏହି ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଠାରୁ ପ୍ରାଥମିକ ସ୍ତରରେ ସବିଶେଷ ତଥ୍ୟ ହାସଲ କରିବା ଏବଂ ଜନସଂଖ୍ୟା ହାର ପରିବର୍ତ୍ତନ ସମ୍ବନ୍ଧୀୟ ବିଷୟ ଉପରେ ମତାମତ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା କରିବା ଲାଗି ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲା। ଉଚ୍ଚସ୍ତରୀୟ କମିଟି ଏହା ମଧ୍ୟ ସୂଚନା ଦେଇଛି ଯେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ଭାବ ବିନିମୟ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାସଙ୍ଗିକ ସୂଚନା ଗ୍ରହଣ କରିବା ପାଇଁ ଏକ ବିସ୍ତୃତ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି। 

କେନ୍ଦ୍ର ଗୃହମନ୍ତ୍ରୀ, ଉଚ୍ଚସ୍ତରୀୟ କମିଟି ଦ୍ୱାରା ଗଠିତ ରଣନୀତିର ପ୍ରଶଂସା କରି, କମିଟିର ଦୈନନ୍ଦିନ କାର୍ଯ୍ୟ ଏବଂ ଗସ୍ତ ସମୟରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଉଚ୍ଚସ୍ତରୀୟ କମିଟିକୁ ଯଥାଶୀଘ୍ର ଏହାର ସୁପାରିଶ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅଗଷ୍ଟ ୧୫ ତାରିଖରେ “ଉଚ୍ଚ କ୍ଷମତା ସମ୍ପନ୍ନ ଜନସଂଖ୍ୟା ହାର ପରିବର୍ତ୍ତନ ସଂକ୍ରାନ୍ତୀୟ ମିଶନ” ଘୋଷଣା କରିଥିଲେ। ବେଆଇନ ପ୍ରବାସ ଏବଂ ଅନ୍ୟାନ୍ୟ ଅସ୍ୱାଭାବିକ କାରଣରୁ ଉପୁଜିଥିବା ଜନସଂଖ୍ୟା ହାର ପରିବର୍ତ୍ତନର ଅଧ୍ୟୟନ କରିବା ଏବଂ ଏହି ପରିବର୍ତ୍ତନର ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ପରାମର୍ଶ ଦେବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। 

ଜଷ୍ଟିସ୍ ପ୍ରକାଶ ପ୍ରଭାକର ନଭଲେକର (ଅବସରପ୍ରାପ୍ତ) କମିଟିର ଅଧ୍ୟକ୍ଷ ଅଛନ୍ତି। ଜନଗଣନା କମିଶନରଙ୍କ ବ୍ୟତୀତ ତିନି ଜଣ ବିଶିଷ୍ଟ ବ୍ୟକ୍ତି-ଶ୍ରୀ ଦୁର୍ଗା ଶଙ୍କର ମିଶ୍ର (ଅବସରପ୍ରାପ୍ତ ଆଇ.ଏ.ଏସ୍.), ଶ୍ରୀ ବାଲାଜୀ ଶ୍ରୀବାସ୍ତବ (ଅବସରପ୍ରାପ୍ତ ଆଇ.ପି.ଏସ୍.) ଏବଂ ଡ. ଶାମିକା ରବି (ପି.ଏମ୍.ଇ.ଏ.ସି. ସଦସ୍ୟ) ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଅଛନ୍ତି। 

ଏହି ଉଚ୍ଚସ୍ତରୀୟ କମିଟି ବେଆଇନ ଇମିଗ୍ରେସନ୍ ଏବଂ ଅନ୍ୟାନ୍ୟ ଅସ୍ୱାଭାବିକ କାରଣରୁ ଦେଶର ବିଭିନ୍ନ ଭାଗରେ ଘଟୁଥିବା ଜନସଂଖ୍ୟା ହାରରେ ପରିବର୍ତ୍ତନକୁ ବୈଜ୍ଞାନିକ ଭାବରେ ମୂଲ୍ୟାଙ୍କନ କରିବ, ସେଗୁଡ଼ିକର କାରଣ ବିଶ୍ଳେଷଣ କରିବ ଏବଂ ଉପଯୁକ୍ତ ନୀତି, ବୈଧାନିକ ଏବଂ ପ୍ରଶାସନିକ ପଦକ୍ଷେପ ସୁପାରିଶ କରିବ। 

ଭୁବନେଶ୍ୱର, ୦୧ ଜୁଲାଇ ୨୦୨୬




ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ ବର୍ଷର ଉତ୍ସର୍ଗ, ନିରନ୍ତର ଜ୍ଞାନ ଆହରଣ ଏବଂ ଅଦୃଶ୍ୟ ତ୍ୟାଗ ରହିଥାଏ। ରୋଗୀମାନେ ଡାକ୍ତରମାନଙ୍କୁ ଭଗବାନ ସଦୃଶ ମାନିଥାନ୍ତି ବୋଲି ମତ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ। 
ଜୁଲାଇ ୧ ତାରିଖ ଜାତୀୟ ଡାକ୍ତର ଦିବସ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ ୧ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ପ୍ରତ୍ୟେକ ଦିନ ଡାକ୍ତରମାନେ ଯେଉଁ ନିଷ୍ପତି ନିଅନ୍ତି ତାହା ଗଭୀର ଭାବେ ରୋଗୀ ଏବଂ ତାଙ୍କ ପରିବାର ଉପରେ ପ୍ରଭାବ ପକାଇଥାଏ। ତେଣୁ ଡାକ୍ତରମାନେ ରୋଗୀମାନଙ୍କୁ ନିଜର ଆତ୍ମୀୟ ଭଳି ବିବେଚନା କରି ଚିକିତ୍ସା କରନ୍ତୁ ବୋଲି ଶ୍ରୀମତି ଦାସ ଆଶାବ୍ୟକ୍ତ କରିଥିଲେ। 
ଆଇଏମଏସ୍ ଆଣ୍ଡ ସମ ଡାକ୍ତରମାନଙ୍କର ରୋଗୀ ସେବା କ୍ଷେତ୍ରରେ ବେଶ ଖ୍ୟାତି ରହିଥିବା ବେଳେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀମତି ଦାସ। 
ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଦେଶର ଶ୍ରେଷ୍ଠ ୧୦ ଟି ହସ୍ପିଟାଲ ମଧ୍ୟରେ ପରିଗଣିତ ହେବା ନେଇ ଆଶା ରଖିଥିବା ନିଜ ବକ୍ତବ୍ୟରେ କହିଥିଲେ। 
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତ ରତ୍ନ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କର ଉଭୟ ଜନ୍ମ ଏବଂ ମୃତ୍ୟୁ ଦିବସକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିବା ଡିନ୍ କହିଥିଲେ। 
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଆଡିସ୍ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ନିଜ ବକ୍ତବ୍ୟରେ ଡାକ୍ତରମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। 
ଏହି ଅବସରରେ ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପସନ୍ଦ କରାଯାଇଥିବା ଓ ମନୋନୀତ ହୋଇଥିବା ପ୍ରାୟ ୩୫ ଜଣ ଡାକ୍ତର ଓ ବିଭାଗୀ ମୁଖ୍ୟମାନଙ୍କୁ ଉପସଭାପତି ସମ୍ମାନିତ କରିଥିଲେ। 
ଡାକ୍ତରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଦିବସ ପାଳନର ପ୍ରମୁଖ ଆକର୍ଷଣ ରହିଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର, ବରିଷ୍ଠ ଡାକ୍ତର ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୯ ଜୁନ୍ ୨୦୨




ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି । ସେଶେଲ୍ସ ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହାର୍ମିନି ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ୱ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ପରିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ଏବଂ ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ବିକାଶମୂଳକ ଆକାଂକ୍ଷାକୁ ସମର୍ଥନ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ସଂକଳ୍ପବଦ୍ଧ ସମସ୍ତ ରାଷ୍ଟ୍ରଙ୍କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଯେ ଏହି ପୁରସ୍କାର ଦୁଇ ଦେଶ ମଧ୍ୟରେ ବିଶେଷ ବନ୍ଧୁତାକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ । ନିକଟରେ ଭାରତ-ସେଶେଲ୍ସ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ କରିଛି। ଏହି ସମ୍ମାନ ଏକ ସବୁଜ ପୃଥିବୀ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସ୍ୱୀକୃତି ଦିଏ । ଅନ୍ତର୍ଜାତୀୟ ସୌର ମେଣ୍ଟ, ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ), 'ଏକ ପେଡ଼ ମା କେ ନାମ' (ମାଙ୍କ ନାମରେ ଗଛଟିଏ), ଏବଂ ଅନ୍ତର୍ଜାତୀୟ ବ୍ୟାଘ୍ର ମେଣ୍ଟ ଭଳି ପଦକ୍ଷେପରେ ମଧ୍ୟ ଏହା ସ୍ପଷ୍ଟ ହୋଇଥାଏ। ପୂର୍ବରୁ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନେକଗୁଡ଼ିଏ ସମ୍ମାନ ମିଳିଛି । ଏଥିମଧ୍ୟରେ ଏଫଏଓର ଏଗ୍ରିକୋଲା ପଦକ, ସିଓଲ ଶାନ୍ତି ପୁରସ୍କାର ଏବଂ ଜାତିସଂଘ ‘ଚାମ୍ପିଅନ୍ସ ଅଫ୍‌ ଦ ଆର୍ଥ’ ଆଦି ପ୍ରମୁଖ ସମ୍ମାନ ରହିଛି ।
ଏହି ସମ୍ମାନ ଭାରତ ମହାସାଗର କ୍ଷେତ୍ରରେ ଦକ୍ଷତା ନିର୍ମାଣ, ପରିବେଶ ସଂରକ୍ଷଣ, ଦୀର୍ଘସ୍ଥାୟୀ ବିକାଶ ପଦକ୍ଷେପ ଏବଂ ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବାରେ ଭାରତର ବର୍ଦ୍ଧିତ ଭୂମିକାକୁ ସେଶେଲ୍ସ କେତେ ଗୁରୁତ୍ୱ ଦିଏ ତାହା ପ୍ରତିଫଳିତ କରେ ।

ଭୁବନେଶ୍ୱର, ୨୫ ଜୁନ୍ ୨୦୨



ଯାତ୍ରୀମାନଙ୍କ ଯାତ୍ରାକୁ  ସୁବିଧାଜନକ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ, ପୂର୍ବତଟ ରେଳପଥ, ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ  ସ୍ୱତନ୍ତ୍ର  ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି।ଏହା  କେବଳ ଗୋଟିଏ ପାର୍ଶ୍ୱରୁ ଅର୍ଥାତ ଭୁବନେଶ୍ୱର ଠାରୁ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଯାତ୍ରା ସମାପ୍ତ କରିବ ।


ଟ୍ରେନ୍ ବିବରଣୀ:

ଟ୍ରେନ୍ ନମ୍ବର ୦୮୪୦୭ ଭୁବନେଶ୍ୱର-ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ୨୬ ଜୁନ୍ ୨୦୨୬ ରେ (ଶୁକ୍ରବାର)  ରାତି ୧୧ :୦୦ ଘଣ୍ଟାରେ ଭୁବନେଶ୍ୱରରୁ ଛାଡିବ ଏବଂ ୨୮ ଜୁନ୍, ୨୦୨୬ ରେ ସକାଳ  ୦୯:୦୦ ଘଣ୍ଟାରେ ଲୋକମାନ୍ୟ ତିଲକରେ ପହଞ୍ଚିବ ।


କୋଚ୍ ସଂରଚନା (Coach Composition):


ଏସି ୨-ଟାୟାର୍ (AC 2-Tier) – ୦୩ କୋଚ୍

ଏସି ୩-ଟାୟାର୍ (AC 3-Tier) – ୦୪ କୋଚ୍

ସ୍ଲିପର କ୍ଲାସ (Sleeper Class) – ୦୯ କୋଚ୍


ଲଗେଜ୍-ସହ-ଜେନେରେଟର-ସହ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ କୋଚ୍

ଯାତ୍ରୀମାନଙ୍କୁ ସମୟସୂଚୀ ପ୍ରତି ଧ୍ୟାନ ଦେବାକୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନର ସଦ୍ୟତମ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) ପରିଦର୍ଶନ କରିପାରିବେ କିମ୍ବା ଅଫିସିଆଲ୍ ରେଳବାଇ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ।

ଭୁବନେଶ୍ୱର, ୨୫ ଜୁନ୍ ୨୦୨


ପ୍ରଶ୍ନପତ୍ର ପାଇଁ ଏୟାର ଫୋର୍ସ, ସୈନ୍ୟବାହିନୀ ବ୍ୟବହାର, ଧର୍ମେନ୍ଦ୍ରଙ୍କ ଅପାରଗତାର ସାର୍ଟିଫିକେଟ : ଖେରା

ଏହି ସରକାର ମିଡ଼ିଆକୁ ସବୁଠୁ ବେଶୀ ଭୟ କରେ, ଆପଣ ଟିକିଏ ଭୟ ପ୍ରଦର୍ଶନ କରନ୍ତୁ : ଖେରା

ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଦ୍ୱାରା ଶହୀଦ ନଗରସ୍ଥିତ ଏମ୍ପାୟାର ହୋଟେଲରେ ଆୟୋଜିତ 'ଛାତ୍ରୋଂକି ଗୁଞ୍ଜ' ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ନିଟ ପ୍ରଶ୍ନପତ୍ର ପ୍ରଘଟ, ସିବିଏସସି ମୂଲ୍ୟାୟନ ବିଭ୍ରାଟ ତଥା ବାରମ୍ବାର ବିଭିନ୍ନ ପରୀକ୍ଷାରେ ଅନିୟମିତତା, ଲିକ ପାଇଁ ଦେଶରେ ଛାତ୍ରଙ୍କ ଆକ୍ରୋଶ ଦେଖାଯାଉଛି l ସେଇ ପରିପେକ୍ଷୀରେ କଂଗ୍ରେସ ତଥା ବିପକ୍ଷ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରୋଂକି ଗୁଞ୍ଜ ଅଭିଯାନ ଆରମ୍ଭ ହୋଇ ଦେଶ ସାରା କଂଗ୍ରେସ ଛାତ୍ରଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛି l ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରୁଛି l

ଭୁବନେଶ୍ୱର ଏମ୍ପାୟାର ହୋଟେଲରେ ଅନୁଷ୍ଠିତ ଛାତ୍ରୋଂ କି ଗୁଞ୍ଜ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଏଆଇସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା ଗଣମାଧ୍ୟମ ଓ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିଛନ୍ତି l ଶ୍ରୀ ଖେରା କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲସ ତିଆରିରେ ବ୍ୟସ୍ତ l ଏହା କଣ ଶିକ୍ଷମନ୍ତ୍ରୀଙ୍କ କାମ ? ଏମାନଙ୍କ ସରକାରରେ ବିଗତ 10 ବର୍ଷରେ 90 ଥର ପ୍ରଶ୍ନପତ୍ର ଲିକ ହୋଇ 7 କୋଟି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଇଛି l ପ୍ରଧାନମନ୍ତ୍ରୀ ପରୀକ୍ଷା ଚର୍ଚ୍ଚା କରୁଛନ୍ତି l ପରୀକ୍ଷା କିଭଳି କରାଯାଏ ଜଣା ନାହିଁ, ପରୀକ୍ଷା କେମିତି ଦେବେ ଜ୍ଞାନ ଦେଉଛନ୍ତି l ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ ଲାଗିଛି l ରାହୁଳ ଗାନ୍ଧୀ କେତେ ବର୍ଷ ଆଗରୁ କହି ଆସୁଛନ୍ତି ଯେ ଛୁଆପିଲାଙ୍କ ଭବିଷ୍ୟତ ଉପରେ ଖେଳିବା ବନ୍ଦ କରନ୍ତୁ ବୋଲି l ବର୍ତମାନ ନିଟ-ଲିକ-ରିପିଟ ଏକ ପରମ୍ପରା ହୋଇ ଗଲାଣି l ଯେଉଁ ପିଲାମାନେ ନିଟ ଦେଉଛନ୍ତି ସେମାନଙ୍କ ପରିବାର ଉପରେ କଣ ବିତୁଥିବ ଟିକିଏ ଚିନ୍ତା କରନ୍ତୁ l ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ଅଛି l

କୋଟାରେ ଆମେ ଛାତ୍ରଙ୍କ ଆକ୍ରୋଶ ଦେଖିବାକୁ ପାଇଲୁ l ସାରା ଦେଶରେ ଛାତ୍ର ସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି l ଯଦି ଠିକଣା ସମୟରେ ପଦକ୍ଷେପ ନିଆ ନ' ଯାଏ ତେବେ ଦେଶର ପ୍ରଭୂତ କ୍ଷତି ଘଟିବ ବୋଲି ଶ୍ରୀ ଖେଡା ସରକାରଙ୍କୁ ଚେତାଇ ଦେଇଛନ୍ତି l ଭାରତର 28 ଗୋଟି ସହରରେ ଆଜି ଏକା ସାଥିରେ ସାମ୍ବାଦିକ ସମ୍ମିଳନୀ ହେଉଛି l ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି l ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦରକାର କାରଣ ସେ ଉତ୍ତରଦାୟୀ ଓ ପାପ କରିଛନ୍ତି l ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ ହେବା ଆବଶ୍ୟକl ବାର୍ଷିକ ପରୀକ୍ଷା, ଫଳାଫଳ ଘୋଷଣା ଆଦିର ବର୍ଷର ନିର୍ଦିଷ୍ଟ ଦିନ କରିବା ଉଚିତ l ଓଡ଼ିଶାର ସାମ୍ବାଦିକ ସାହସୀ, ମିଡ଼ିଆ ଭାଇଙ୍କୁ ଅନୁରୋଧ ସ୍ୱର ଉତ୍ତୋଳନ କରନ୍ତୁ l ଏହି ସରକାର ଅତ୍ୟନ୍ତ ଭୟାଳୁ ସରକାର ଅଟନ୍ତି, ସବୁଠାରୁ ବେଶୀ ମିଡ଼ିଆକୁ ଡରନ୍ତି l ତେଣୁ ସ୍ୱର ଶାଣିତ କରି ଏମାନଙ୍କୁ ଟିକିଏ ଡରାନ୍ତୁ ଓ ଦେଶର ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ସ୍ୱର ଉଠାନ୍ତୁ ବୋଲି ଶ୍ରୀ ଖେଡା ଅନୁରୋଧ କରିବା ସହ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଖେଡା କହିଛନ୍ତି ଯେ, ପୁରା ବିଶ୍ୱରେ ଛାତ୍ରଙ୍କ ପରୀକ୍ଷା ପାଇଁ ଏୟାର ଫୋର୍ସ ଓ ସେନାବାହିନୀର ବ୍ୟବହାର ଆପଣ କେବେ ଦେଖି ନଥିବେ, ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତାର ସାର୍ଟିଫିକେଟ ଅଟେ l ଆଜିର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଛାତ୍ରୋଂ କି ଗୁଞ୍ଜ ଅଭିଯାନ ପୋଷ୍ଟର ଉନ୍ମୋଚିତ ହୋଇଥିଲାl ଏହି ଅବସରରେ  ମଞ୍ଚାସିନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ (କୋକୋ) କହିଥିଲେ, ଆଜିଠାରୁ ଦୀର୍ଘ 40 ଦିନ ଧରି କଂଗ୍ରେସ ଭୁବନେଶ୍ୱରର ପ୍ରତ୍ୟେକ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଆଦିକୁ ଯାଇ ଛାତ୍ରଙ୍କ ଅସୁବିଧା ଓ ସମସ୍ୟା ଆଦି ବୁଝିବ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଥିଲେ l ଆଜିର ଏହି ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସଂଚାଳନ କରି ଥିବାବେଳେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, କୋକୋ ପାଢ଼ୀ, ପୂର୍ବତନ ଯୁବ କଂଗ୍ରେସ ସ୍ମୃତି ରଞ୍ଜନ ଲେଙ୍କା ମଞ୍ଚାସିନ ଥିଲେ l ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସସ୍ମିତା ବେହେରା, ମିନାକ୍ଷୀ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ସୁଦର୍ଶନ ଦାସ, ସତ୍ୟବ୍ରତ ପାତ୍ର, ଅଭୟ ସାହୁ, ରଞ୍ଜିତ ପାତ୍ର, ୟାଶୀର ନାୱାଜ, ମଧୁସ୍ମିତା ସେଠି, ଆରୋ ପ୍ରସାଦ ମିଶ୍ର, ତରୁଣ ମିଶ୍ର, ନିରୁପମା ପାତ୍ର, ସୁନିତା ନାୟକ, ପ୍ରଦୀପ ମହାପାତ୍ର, ସୁଦୀପ ସାମଲ, ଉଷାରାଣୀ ବେହେରା ଓ ଗଣମାଧ୍ୟମ ବିଭାଗର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫



  • ଗୁଗୁଲ୍ ଇଣ୍ଡିଆର ଉପ-ସଭାପତି ଏବଂ ଗୁଗୁଲ୍ ଟିମ୍ ସହ ପୃଥକ ବୈଠକରେ କଲେ ଆଲୋଚନା 
  • ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ଏବଂ ଆଇଆଇଟି ବମ୍ବେରେ 'ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍' ପ୍ରତିଷ୍ଠା ପାଇଁ ଗୁଗୁଲର ସହଯୋଗକୁ ପ୍ରଶଂସା 
  • ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିକୁ ପ୍ରାଧାନ୍ୟ, ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବା ଉପରେ ଆଲୋଚନା 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଗୁଗୁଲ୍‌ ଦ୍ୱାରା ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ  ଯୋଗ ଦେଇ ଭାରତର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷମତାକୁ ପ୍ରୋତ୍ସାହିତ କରିବା ସହ ଦେଶରେ ଏକ 'ଏଆଇ-ପ୍ରସ୍ତୁତ ପିଢ଼ି' ସୃଷ୍ଟି କରିବା ତଥା ଏଆଇ ମାଧ୍ୟମରେ ଆଗାମୀ ପିଢିର ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । 

ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ସହିତ ଗୁଗୁଲ୍‌ର ସହଯୋଗ ଏବଂ ଏଥିପାଇଁ ୮ ମିଲିୟନ୍ ଆମେରିକୀୟ ଡଲାର୍ ବିନିଯୋଗକୁ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ, ଆଇଆଇଟି ବମ୍ବେ ଠାରେ 'ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍' ପ୍ରତିଷ୍ଠା ପାଇଁ ଗୁଗୁଲ୍ ଦ୍ୱାରା ପ୍ରଦତ୍ତ ୨ ମିଲିୟନ୍ ଆମେରିକୀୟ ଡଲାର୍‌ର ଯୋଗଦାନକୁ ମଧ୍ୟ ସେ ସ୍ୱୀକୃତି ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ 'ଇଣ୍ଡିଆ ଏଆଇ ମିଶନ୍' ସହିତ ଏହିପରି ରଣନୀତିକ ଶିଳ୍ପ ଭାଗିଦାରୀ ଭାରତକୁ ଏକ ଆନ୍ତର୍ଜାତୀୟ ଏଆଇ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେ ଗୁଗୁଲ୍ ଭଳି ବୈଶ୍ୱିକ ସହଯୋଗୀମାନଙ୍କୁ କେବଳ ପାଣ୍ଠି ଯୋଗାଣ ବଦଳରେ, ଏଆଇ ଉତ୍କର୍ଷ କେନ୍ଦ୍ରଗୁଡ଼ିକ ସହିତ ଦୀର୍ଘମିଆଦୀ ସାଂସ୍ଥାନିକ ଭାଗିଦାରୀ ସ୍ଥାପନ କରିବାକୁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଭାରତ ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ସୃଷ୍ଟିର ଏକ କେନ୍ଦ୍ର ହୋଇପାରିବ ଏବଂ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ହୋଇପାରିବ ।

ପରେ, ଶ୍ରୀ ପ୍ରଧାନ ଗୁଗୁଲ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ତଥା ଉପ-ସଭାପତି ଶ୍ରୀମତୀ ପ୍ରୀତି ଲୋବାନା ଏବଂ ଗୁଗୁଲ୍ ନେତୃତ୍ୱ ଟିମ୍ ସହ ଏକ ଫଳପ୍ରଦ ବୈଠକ କରିଥିଲେ । ଏହି ଆଲୋଚନାରେ ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିର  ଗଣତାନ୍ତ୍ରିକୀକରଣ, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଶିକ୍ଷାକୁ ସୁଗମ କରିବା ପାଇଁ ପ୍ରଯୁକ୍ତିର ଉପଯୋଗ ଏବଂ ବଡ଼ ଭାଷା ମଡେଲ୍‌ଗୁଡ଼ିକୁ (ଏଲଏଲଏମ) 'ଭାରତୀୟ ଭାଷା' ଓ 'ଭାରତୀୟତା' ସହିତ ସମନ୍ୱିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନଙ୍କ ଏହି ଉଦ୍ୟମଗୁଡ଼ିକ ପ୍ରଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଭାରତର ଆଗାମୀ ଯାତ୍ରା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । 


ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫



ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ୧୧୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କର୍ମଚାରୀ ଏବଂ ସମାଜର ସୁସ୍ଥତା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରି ବ୍ୟାଙ୍କ ତରଫରୁ ଦେଶବ୍ୟାପି ୱାକାଥନ୍‌ର ଆୟୋଜନ କରାଯାଇଥିଲା। “ଫିଟ୍ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ଏହି ପ୍ରେରଣାଦାୟକ ବିଷୟବସ୍ତୁ ସହିତ ଆୟୋଜିତ ଏହି ୱାକାଥନ୍ ଆଜିର ବ୍ୟସ୍ତ ବହୁଳ ବୃତ୍ତିଗତ ପରିବେଶରେ ଶାରୀରିକ ସୁସ୍ଥତା, ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା। ଏହି ଉପଲକ୍ଷେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ୱାକାଥନ୍‌ର ଆୟୋଜନ କରାଯାଇଥିଲା ଯେଉଁଥିରେ ବହୁସଂଖ୍ୟାରେ ବ୍ୟାଙ୍କର କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର, ଉପ-କ୍ଷେତ୍ରୀୟ ମୁଖ୍ୟ ସୁରେଶ ଚନ୍ଦ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫



ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନଅଟି ପ୍ରମୁଖ ରେଳ ଷ୍ଟେସନରେ ISO 14001:2015 ପରିବେଶଗତ ପରିଚାଳନା ପ୍ରଣାଳୀ (EMS) ଅଡିଟ୍ ସଫଳତାର ସହ ସମାପ୍ତ ହୋଇଛି ଯାହା ପରିବେଶଗତ ସ୍ଥିରତା ଏବଂ ପରିବେଶ-ଅନୁକୂଳ ରେଳ ପରିଚାଳନା ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୂଚିତ କରିଛି । ସଫଳ ଅନୁପାଳନ ପରେ ଏକ ସ୍ୱଚ୍ଛ, ସବୁଜ ଏବଂ ସ୍ଥାୟୀ ପରିବେଶରେ ଯାତ୍ରୀ ଏବଂ ଆନୁସଙ୍ଗିକ ସେବା ପ୍ରଦାନ କରିବା ପାଇଁ ଏହି ଷ୍ଟେସନଗୁଡ଼ିକୁ ପରିବେଶଗତ ପରିଚାଳନା ପ୍ରଣାଳୀ ମାନକ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ISO 14001:2015 ପ୍ରମାଣପତ୍ର ସହିତ ସମ୍ମାନିତ ରେଳ ଷ୍ଟେସନଗୁଡ଼ିକ ହେଉଛି ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ପଲାସା, ବାଲୁଗାଁ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, କଟକ ଏବଂ ବ୍ରହ୍ମପୁର । ଏହି ଷ୍ଟେସନଗୁଡ଼ିକ ସମଗ୍ର ଷ୍ଟେସନ ପରିସରରେ ଉନ୍ନତ ଏବଂ ପରିବେଶଗତ ଭାବରେ ଦକ୍ଷ ପଦକ୍ଷେପ ଗ୍ରହଣ କରିଛି ଯେଉଁଥିରେ ଯାତ୍ରୀ ସେବା ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଯେପରିକି ଟ୍ରେନ୍ ପରିଚାଳନା, ସିଗନାଲିଂ ଏବଂ ଟେଲିଯୋଗାଯୋଗ, ଷ୍ଟେସନ ରକ୍ଷଣାବେକ୍ଷଣ, ଟିକେଟିଂ ସେବା, ସାର୍ବଜନୀନ ଉପଯୋଗୀତା ଏବଂ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଅନ୍ତର୍ଭୁକ୍ତ ଅଟେ ।

ସମସ୍ତ ନଅଟି ପ୍ରମାଣିତ ଷ୍ଟେସନ୍ ଅପଚୟ ହ୍ରାସ, ଜଳ ସଂରକ୍ଷଣ ଏବଂ ସମ୍ପଦର ଦକ୍ଷ ଉପଯୋଗ ପାଇଁ ପ୍ରଭାବଶାଳୀ ପଦକ୍ଷେପ କାର୍ଯ୍ୟକାରୀ କରି ଉନ୍ନତ ପରିବେଶଗତ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛନ୍ତି । ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟବସ୍ଥିତ ସଂଗ୍ରହ, ପୃଥକୀକରଣ ଏବଂ ବୈଜ୍ଞାନିକ ଭାବରେ ବର୍ଜ୍ୟବସ୍ତୁର ନିଷ୍କାସନ କଡ଼ାକଡ଼ି ଭାବରେ କରାଯାଉଛି । ପ୍ଲାଟଫର୍ମ, ପରିଚଳନ କ୍ଷେତ୍ର, ଶୌଚାଳୟ ଏବଂ ବିଶ୍ରାମାଗାର ସମେତ ସ୍ୱଚ୍ଛତା, ପରିମଳ ଏବଂ ପରିଷ୍କାରତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହାସଲ କରାଯାଇଛି । ନିରାପଦ ଏବଂ ସ୍ୱଚ୍ଛ ପାନୀୟ ଜଳ ସୁନିଶ୍ଚିତ କରିବା, ଉନ୍ନତ ପରିମଳ ସୁବିଧା ଏବଂ ପାଣି ଟାଙ୍କିରେ ଭାସମାନ ଭଲଭ୍ ସ୍ଥାପନ ଭଳି ଜଳ ସଂରକ୍ଷଣ ପଦକ୍ଷେପ ଏବଂ ପରିବେଶ ସୁରକ୍ଷାରେ ଆହୁରି ଅବଦାନ ରଖିଛି ।

ISO 14001:2015 ହେଉଛି ପରିବେଶଗତ ପରିଚାଳନା ପ୍ରଣାଳୀ ପାଇଁ ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନକ ଯାହା ପ୍ରଯୁଜ୍ୟ ରାଜ୍ୟ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରିବା ସହିତ ସଂଗଠନଗୁଡ଼ିକୁ ପରିବେଶଗତ କାର୍ଯ୍ୟଦକ୍ଷତା ଉନ୍ନତ କରିବାରେ ସାହାଯ୍ୟ କରେ । ଏହି ପ୍ରମାଣପତ୍ର ଶକ୍ତି ସଂରକ୍ଷଣ, ଦକ୍ଷ ସମ୍ବଳ ପରିଚାଳନା ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ସମେତ ସଂରଚିତ ପରିବେଶଗତ ପରିଚାଳନା ପ୍ରଣାଳୀର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ପ୍ରତିଫଳିତ କରୁଅଛି ।

ତୃତୀୟ-ପକ୍ଷ ସ୍ୱୀକୃତିପ୍ରାପ୍ତ ଜାତୀୟ ସଂସ୍ଥା ଏନଭୋ ଗ୍ରୀନ୍ ମ୍ୟାନେଜମେଣ୍ଟ କନ୍ସଲଟିଙ୍ଗ ସଲ୍ୟୁସନ୍ସ, କଟକ ଦ୍ୱାରା କରାଯାଇଥିବା ଏକ ବ୍ୟାପକ ସର୍ଭେ ଏବଂ ଅଡିଟ୍ ପରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଯାହା ପ୍ରତ୍ୟେକ ଷ୍ଟେସନରେ ନିର୍ଦ୍ଧାରିତ ପରିବେଶଗତ ପରିଚାଳନା ମାନଦଣ୍ଡ ଅନୁପାଳନର ମୂଲ୍ୟାଙ୍କନ କରିଥିଲା ।

ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ମେକାନିକାଲ୍ ବିଭାଗର ପରିବେଶଗତ ହାଉସକିପିଂ ମ୍ୟାନେଜମେଣ୍ଟ (EnHM) ଦଳକୁ ରେଳ ଷ୍ଟେସନଗୁଡ଼ିକୁ ଅଧିକ ପରିବେଶ ଅନୁକୂଳ କରିବାରେ ଏବଂ ପୂର୍ବତଟ ରେଳପଥର ସ୍ଥାୟୀ, ଦାୟିତ୍ୱପୂର୍ଣ୍ଣ ଏବଂ ଯାତ୍ରୀ-କେନ୍ଦ୍ରିକ ରେଳ ପରିଚାଳନା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏବଂ ସେମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଭୁବନେଶ୍ୱର, ୨ ନଭେମ୍ବର ୨୦୨୫



ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା 20 ନଭେମ୍ବର 2025 (ଗୁରୁବାର) ସକାଳେ ହିନ୍ଦୋଳ ରୋଡ୍ ରେଳ ଷ୍ଟେସନ ଠାରେ ଏକ ପୂର୍ଣ୍ଣ-ମାତ୍ରା ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ୍ ଆୟୋଜନ କରିଥିଲା ଯାହା ଦ୍ୱାରା ଟ୍ରେନ୍ ଦୁର୍ଘଟଣା ପରିଚାଳନା ପାଇଁ ପ୍ରସ୍ତୁତି ମୂଲ୍ୟାଙ୍କନ ସହ ଜରୁରୀକାଳୀନ ପରିସ୍ଥିତିରେ ଦ୍ରୁତ ପୁନରୁଦ୍ଧାର, ପ୍ରଭାବଶାଳୀ ଯାତ୍ରୀ ସହାୟତା ଏବଂ ଟ୍ରେନ ପରିଚାଳନାର ଶୀଘ୍ର ସ୍ୱାଭାବିକୀକରଣ ସୁନିଶ୍ଚିତ କରିବା ପାଇଁ ଧ୍ୟାନ ଦିଆଯାଇଥିଲା ।

ଭାରତୀୟ ରେଳବାଇ ନିୟମିତ ଭାବରେ ଏହାର ସମସ୍ତ ରେଳମଣ୍ଡଳ ମାନଙ୍କରେ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରିଥାଏ । ଏହି ଅଭ୍ୟାସଗୁଡ଼ିକ ନିମ୍ନଲିଖିତ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି:


  • ଦୁର୍ଘଟଣା ପରି ପରିସ୍ଥିତିରେ ରେଳ କର୍ମଚାରୀ, ଏନଡିଆରଏଫ ଦଳ ଏବଂ ସ୍ଥାନୀୟ ସହଭାଗୀ ମାନଙ୍କର ଜରୁରୀକାଳୀନ ପ୍ରସ୍ତୁତି ପରୀକ୍ଷା କରିବା ।
  • ଆରପିଏଫ, ସରକାରୀ ରେଳ ପୁଲିସ, ଅଗ୍ନିଶମ ସେବା, ଡାକ୍ତରୀ ୟୁନିଟ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମେତ ବହୁ-ଭାଗିଦାରୀ ସଂସ୍ଥା ମାନଙ୍କ ମଧ୍ୟରେ ସମନ୍ୱୟ ଉନ୍ନତ କରିବା ।
  • ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା, ଆହତମାନଙ୍କୁ ସ୍ଥିରୀକରଣ ଏବଂ ଲାଇନଚ୍ୟୁତ କୋଚ୍ ରୁ ଫସି ରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ଭଳି ପଦକ୍ଷେପ ଏବଂ ରିଲିଫ୍ କାର୍ଯ୍ୟ ଅଭ୍ୟାସ କରିବା ।
  • ବିଳମ୍ବ କିମ୍ବା ବିଳମ୍ବ ଭଳି କାର୍ଯ୍ୟଗୁଡିକର କାରଣ ଚିହ୍ନଟ କରି ବାସ୍ତବ-ସମୟ ବିପର୍ଯ୍ୟୟ ପ୍ରତିକ୍ରିୟାକୁ ବୃଦ୍ଧି କରିବା ପାଇଁ ସଂଶୋଧନାତ୍ମକ ପଦକ୍ଷେପ କାର୍ଯ୍ୟକାରୀ କରି ପ୍ରତିକ୍ରିୟା ସମୟକୁ ସୁଧାରିବା ।


ଏହି ମକ୍ ଡ୍ରିଲ୍ ରେ ଲାଇନଚ୍ୟୁତ, ଯାତ୍ରୀ ଉଦ୍ଧାର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଭିଡ଼ ପରିଚାଳନା, ଡାକ୍ତରୀ ଦଳ ନିୟୋଜିତ, ପୁନରୁଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି ଚଳାଚଳ ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା ମାନଙ୍କ ମଧ୍ୟରେ ସମନ୍ୱୟ ସହିତ ଏକ ବାସ୍ତବବାଦୀ ରେଳ ଦୁର୍ଘଟଣା ପରିସ୍ଥିତି ଗୁଡିକର ଅବସ୍ଥା ଇତ୍ୟାଦିର ଛଳନା କରାଯାଇଥିଲା । ଏହି ଅଭ୍ୟାସର ଲକ୍ଷ୍ୟ ଥିଲା ଟ୍ରେନ ଟ୍ରାଫିକକୁ ଦକ୍ଷତାର ସହିତ ପୁନଃସ୍ଥାପିତ କରିବା ପାଇଁ ଏକ ସଂରଚିତ ଏବଂ ସମୟସୀମାବଦ୍ଧ ପ୍ରତିକ୍ରିୟା ଯୋଜନା ସୁନିଶ୍ଚିତ କରିବା ଓ ଯାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ଏହି ମକଡ୍ରିଲ ଅଭ୍ୟାସର ନେତୃତ୍ୱ ନେଇ ଭୂମିଗତ କାର୍ଯ୍ୟ ବା ତଳସ୍ତରର କାର୍ଯ୍ୟ ଏବଂ ଆନ୍ତଃ-ବିଭାଗୀୟ ସମନ୍ୱୟ ତଦାରଖ କରିଥିଲେ । ମଣ୍ଡଳ ରେଳ ପ୍ରବନ୍ଧକ ମଧ୍ୟ ସାମଗ୍ରିକ ଯୋଜନା, ଲଜିଷ୍ଟିକ୍ସ ଏବଂ କାର୍ଯ୍ୟାନ୍ୱୟନ ତଦାରଖ କରିଥିଲେ ଯାହା ସୁନିଶ୍ଚିତ କରିଥିଲା ଯେ ସମସ୍ତ ୟୁନିଟ୍ ଅଭ୍ୟାସ ସମୟରେ ସମ୍ପୂର୍ଣ୍ଣ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି ।

ରେଳ ସୁରକ୍ଷା ବଳ (RPF), ସିଭିଲ୍ ଡିଫେନ୍ସ, ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ଏନଡିଆରଏଫ, ଓଡ୍ରାଫ, ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ, ବେସରକାରୀ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ସିଭିଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ସିଗନାଲ ଏବଂ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ, ନିରାପତ୍ତା ଓ ସୁରକ୍ଷା ବିଭାଗ କର୍ମଚାରୀ, ଅପରେଟିଙ୍ଗ, କମରସିଆଲ ଏବଂ ଚିକିତ୍ସା ବିଭାଗ ସମେତ ବିଭିନ୍ନ ଦଳ ଅଂଶଗ୍ରହଣ କରିଥିଲେ । ଅଭ୍ୟାସକୁ ସର୍ବାଧିକ ବାସ୍ତବବାଦ ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାର ଉପକରଣ, ଦୁର୍ଘଟଣା ସହାୟତା ଉପକରଣ ଏବଂ ପୁନରୁଦ୍ଧାର ଯନ୍ତ୍ରପାତି ନିୟୋଜିତ କରାଯାଇଥିଲା ।

ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମୀନା ଏହି କାର୍ଯ୍ୟକ୍ରମକୁ ସକ୍ରିୟ ଭାବରେ ସମନ୍ୱୟ କରି ମକ୍ ଡ୍ରିଲର ପ୍ରତ୍ୟେକ ପର୍ଯ୍ୟାୟକୁ ସୁଗମ ଭାବରେ ସମ୍ପାଦନ କରିବା ସୁନିଶ୍ଚିତ କରିଥିଲେ । ତାଙ୍କର ନିଖୁଣ ତଦାରଖ, ସମୟୋଚିତ ମାର୍ଗଦର୍ଶନ ଏବଂ ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡ଼ିକର ନିରନ୍ତର ତଦାରଖ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା ।

ଯାତ୍ରୀ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ସ୍ଥିରତାର ସର୍ବୋଚ୍ଚ ମାନଦଣ୍ଡ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା କ୍ଷମତା ବୃଦ୍ଧି କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।

ଭୁବନେଶ୍ୱର, ୨ ନଭେମ୍ବର ୨୦୨୫



ନଭେମ୍ବର ୨୨ ତାରିଖରେ କିମ୍‍ସରେ ପ୍ରମୁଖ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ, ‘କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫'ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି। ଏହି ସମ୍ମିଳନୀର ବିଷୟ ବସ୍ତୁ ରହିଛି "ଫ୍ୟୁଚର୍‍ ଅଫ୍‍ ମେଡିକାଲ୍‍ କେୟାର ଆଣ୍ଡ ପ୍ରୋଗ୍ରେସ୍‍’। ଏଥିରେ ଭାରତରେ ସ୍ୱାସ୍ଥ୍ୟସେବା ପ୍ରଦାନର ଭବିଷ୍ୟତ ଦିଗ ଉପରେ ଆଲୋଚନା ପାଇଁ କ୍ଲିନିକାଲ୍ ମେଡିସିନ୍‌, ଜନସ୍ୱାସ୍ଥ୍ୟ, ନୀତି ନିର୍ଦ୍ଧାରଣ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ବିଶେଷଜ୍ଞମାନେ ଏକତ୍ରିତ ହେବେ। ଏହା ସହ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ବକ୍ତାମାନେ ସଂପ୍ରତି ବଢୁଥିବା ରୋଗ, ଦ୍ରୁତ ଡିଜିଟାଲାଇଜେସନ୍‌, ଅସମାନ ପ୍ରବେଶାଧିକାର ଓ ସ୍ଥିର, ରୋଗୀ-କୈନ୍ଦ୍ରିକ ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ଆଲୋକକପାତ କରିବେ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଡା ସୁବ୍ରତ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସମ୍ମିଳନୀ ଅବସରରେ ଚଳିତବର୍ଷଠାରୁ କିମସ ପକ୍ଷରୁ ହେଲଥ ଏମ୍ପାୱରମେଣ୍ଟ ଇନ ରୁରାଲ ଓଡ଼ିଶା (ହିରୋ) ପୁରସ୍କାର' ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି କିମ୍‍ସ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‍ ଡା ଆର ସି ଦାସ। ସେ କହିଲେ, କିଟ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶାର ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉପରେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି। ସେଥିପାଇଁ ଓଡ଼ିଶାର ଗ୍ରାମାଞ୍ଚଳର ପ୍ରସିଦ୍ଧ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିମ୍‍ସ ପକ୍ଷରୁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ଡାକ୍ତରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ।

ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ଡା ସୁବ୍ରତ ଆଚାର୍ଯ୍ୟ, ଡା ୱାଇ.କେ. ଚାୱଲା, ପ୍ରଫେସର ସି.ବି.କେ. ମହାନ୍ତି ଏବଂ କିମସ ମହାନିର୍ଦ୍ଦେଶକ ତଥା ଆୟୋଜନ କମିଟି ସଭାପତି ଡା ଅଜିତ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ଚିକିତ୍ସାବିତ ତଥା ଶିକ୍ଷାବିତମାନେ ମାର୍ଗଦର୍ଶକ ରହିଛନ୍ତି। ୨୨ ତାରିଖ ଦିବସ ବ୍ୟାପୀ ବୈଜ୍ଞାନିକ ଅଧିବେଶନଗୁଡ଼ିକ ସିଷ୍ଟମିକ୍ ରିଫର୍ମ ଓ ଜାତୀୟ ସେବା, ନବସର୍ଜନା ଓ ଅନୁବାଦ ଗବେଷଣା, ବିଶେଷଜ୍ଞ ଯତ୍ନ ଓ ପ୍ରତିଷ୍ଠାନଗତ ଉତ୍କର୍ଷତା ଆଦି ତିନୋଟି ପର୍ଯ୍ୟାୟରେ ଚାଲିବ।

ପ୍ରମୁଖ ଅଧିବେଶନଗୁଡ଼ିକରେ ଡା କେ. ଶ୍ରୀନାଥ ରେଡ୍ଡୀ ଡାକ୍ତରୀ ଶିକ୍ଷାରେ ସଂସ୍କାର ଉପରେ ଅଭିଭାଷଣ, ସାବର୍ଜନୀନ ସ୍ୱାସ୍ଥ୍ୟ, ସାମାଜିକ ନିର୍ଣ୍ଣାୟକ ଏବଂ ସାମୁଦାୟିକ ସଂପୃକ୍ତି ଉପରେ ଆଲୋଚନା କରିବେ। ଗବେଷଣା କ୍ଷେତ୍ରରେ, ଡା ରାଜୀବ ବହଲ, ଡିଜି-ଆଇସିଏମଆର, ଭାରତର ଚିକିତ୍ସା ଗବେଷଣା ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ଥିବା ରଣନୀତି ଉପରେ କହିବେ। ସେହିପରି ପ୍ରଫେସର ଆଲୋକ ଧାୱନ ସିଷ୍ଟମ ବାୟୋଲୋଜିକୁ କ୍ଲିନିକାଲ୍ ପ୍ରୟୋଗରେ ଅନୁବାଦ କରିବା ବିଷୟରେ ଆଲୋଚନା କରିବେ। ଆଇଆଇଟି ମାଡ୍ରାସର ପ୍ରଫେସର ଭି. କାମାକୋଟି ସୁଲଭ, ଇଞ୍ଜିନିୟରିଂ-ଚାଳିତ ସ୍ୱାସ୍ଥ୍ୟସେବା ନବର୍ସଜନା ଉପରେ ଆଲୋକପାତ କରିବେ।


ଭୁବନେଶ୍ୱର, ୨ ନଭେମ୍ବର ୨୦୨୫





ଟାୟାର ଟେକ୍ନୋଲୋଜି ପାଠ୍ୟକ୍ରମ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏଥିରେ ସ୍ୱାକ୍ଷର କରିଥିବା ବେଳେ ଆପୋଲୋ ଟାୟାର୍ସ ପକ୍ଷରୁ ଫିଲ୍‍ଡ ଟେକ୍ନିକାଲ୍‍ ସର୍ଭିସ୍‍ ମୁଖ୍ୟ ଅନୀତ ଚାକୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏଭଳି ବୁଝାମଣା ଭାରତରେ ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହା ସହ ଟାୟାର ଟେକ୍ନୋଲୋଜିରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରିବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ଏହି ବୁଝାମଣା ଫଳରେ କିଟ୍‍ ଟାୟାର ବିଜ୍ଞାନ, ଟାୟାର ଡିଜାଇନ୍‌, ଉତ୍ପାଦନ, ପରୀକ୍ଷଣ ଏବଂ ସ୍ଥାୟିତ୍ୱକୁ ଅନ୍ତର୍ଭୁକ୍ତ କରୁଥିବା ଏକ ସ୍ୱତନ୍ତ୍ର ଇଚ୍ଛାଧୀନ ବିଷୟ ପ୍ରଦାନ କରିବ। ପୂର୍ବରୁ ଭାରତରେ ଏକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଏଭଳି ସଂପୃକ୍ତି ନଥିଲା ବୋଲି କୁହାଯାଉଛି। ବୁଝାମଣା ଅନୁସାରେ ଆପୋଲୋ ଟାୟାର୍ସ ବିଶ୍ୱବିଦ୍ୟାଳୟକୁ ପାଠ୍ୟକ୍ରମ ବିକାଶ, ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ ଏବଂ ନୂତନତମ ଶିଳ୍ପ ଧାରା ସହିତ ଶିକ୍ଷାଦାନକୁ ସମନ୍ୱିତ କରିବାରେ ସହାୟତା କରିବ। କମ୍ପାନୀର ବିଷୟବସ୍ତୁ ଉପରେ ବିଶେଷଜ୍ଞମାନେ ମଧ୍ୟ  ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ। ଫଳରେ ଛାତ୍ରଛାତ୍ରୀମାନେ ବାସ୍ତବ-ବିଶ୍ୱ ଅଭ୍ୟାସ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ ହେବେ। ଏହି ଅବସରରେ ପ୍ରଫେସର ସିଂହ ସୂଚନା ଦେଇ କହିଲେ, ଏହା ହେଉଛି ଭାରତର ପ୍ରଥମ ଓ ସ୍ୱତନ୍ତ୍ର ଢ଼ଙ୍ଗର ବୁଝାମଣା। ବର୍ତ୍ତମାନ ସୁଦ୍ଧା ପ୍ରାୟ କୌଣସି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଟାୟାର ଉତ୍ପାଦନ ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିନାହିଁ। ଆପୋଲୋ ଟାଇର୍ସର ଉତ୍ପାଦ ବିକାଶ ମୁଖ୍ୟ ପ୍ରଶାନ୍ତ କୁମାର ଏସ୍‌. କହିଲେ, ଏହି ବୁଝାମଣାପତ୍ର ଛାତ୍ରମାନଙ୍କୁ ଗଭୀର ଶିଳ୍ପ-ସମର୍ଥିତ ଦକ୍ଷତା ପ୍ରଦାନ କରି ସେମାନଙ୍କ ନିଯୁକ୍ତି ଯୋଗ୍ୟତା ଭାଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏହି ବୁଝାମଣା ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏହା କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ଓ ପାଠ୍ୟକ୍ରମରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି।


ଭୁବନେଶ୍ୱର, ୨ ନଭେମ୍ବର ୨୦୨୫



ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଆଜି ପୂର୍ବାହ୍ଣରେ  ମୁଖ୍ୟ ଶାସନ ସଚିବ  ଶ୍ରୀ ମନୋଜ ଆହୁଜାଙ୍କ  ସହିତ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ଥିଲେ । ବିଶ୍ୱ ବ୍ୟାଙ୍କର  ଦକ୍ଷିଣ ଏସିଆ ଆଂଚଳିକ ଉପସଭାପତି ଜୋହାନେସ୍ ଜୁଟ୍ ଏବଂ ଆଂଚଳିକ ନିର୍ଦ୍ଦେଶକ ଇମାଦ୍ ଫାକୁରୀଙ୍କ ସମେତ ବିଶ୍ୱବ୍ୟାଙ୍କର ଅନ୍ୟ ପ୍ରତିନିଧିମାନେ ଯୋଗଦେଇ  ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

ଏହି ବୈଠକରେ ରାଜ୍ୟ  ଉନ୍ନୟନ କମିଶନର  ତଥା  ଅତିରିକ୍ତ  ମୁଖ୍ୟ ଶାସନ ସଚିବ ଶ୍ରୀମତୀ   ଅନୁ ଗର୍ଗ, ଶିଳ୍ପ,  ସୂଚନା  ଓ ଲୋକ ସଂପର୍କ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ହେମନ୍ତ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ  ବିଭାଗ ପ୍ରମୁଖ  ଶାସନ  ସଚିବ  ଡଃ.  ଅରବିନ୍ଦ  କୁମାର ପାଢ଼ୀଙ୍କ  ସମେତ  ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । 

ବୈଠକରେ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଅଭିବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟର ଆଗାମୀ ଲକ୍ଷ୍ୟ, ଆର୍ଥିକ ବ୍ୟବସ୍ଥା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶ୍ୱବ୍ୟାଙ୍କ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟରେ କୃଷିଭିତ୍ତିକ ଅର୍ଥନୀତି,  ଶିଳ୍ପ ବିକାଶ, ଦକ୍ଷତା ବିକାଶ, ବନ୍ଦରଭିତ୍ତିକ ବିକାଶ ଆଦି ସଂପର୍କରେ ଆଲୋଚନା କରିବା ସହିତ ଓଡ଼ିଶାକୁ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଉପସ୍ଥାପିତ କରିଥିଲେ ।

 ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭  ଲକ୍ଷ୍ୟ ସଂପର୍କରେ  ଭିଜନ ଡକ୍ୟୁମେଣ୍ଟ  ଉପସ୍ଥାପନ କରିଥିଲେ ।  ରାଜ୍ୟର  ଭୌଗୋଳିକ, ଜନସଂଖ୍ୟା, ଅବିବୃଦ୍ଧିର କ୍ରମ ବିକାଶ, ଶିକ୍ଷା , ସ୍ୱାସ୍ଥ୍ୟ ଆଦିର ସାଂପ୍ରତିକ ସ୍ଥିତି ସଂପର୍କରେ ସେ  ଉପସ୍ଥାପନ କରିବା ସହ ରାଜ୍ୟର ପ୍ରାକୃତିକ ସଂପଦ, ଖଣିଜ ସଂପଦ, ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଜଳ ସଂପଦ, ଯୁବ ଶକ୍ତି ସଂବଳ, ଅର୍ଥନୈତିକ ଓ ବିତ୍ତୀୟ ସ୍ଥିରତା ଯୋଗୁଁ ରାଜ୍ୟର ଆଗାମୀ ବିକାଶର ଉଜ୍ୱଳ ସମ୍ଭାବନା ଉପରେ ସେ ଆଲୋଚନା କରିଥିଲେ । ବିଭିନ୍ନ ସମୟରେ ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ , ଦାରିଦ୍ର୍ୟ ଦୂରୀକରଣ, ଦକ୍ଷତା ବିକାଶ, ଜନଜାତିଙ୍କ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ନିରନ୍ତରତା ଭିତ୍ତିରେ  ସହରାଂଚଳ ବିକାଶ , ଶିକ୍ଷା, ସ୍ୱାସ୍ଥ୍ୟରେ ଗୁଣାତ୍ମକ ଉନ୍ନତି ଏବଂ ଅତ୍ୟାବଶ୍ୟକ ମୌଳିକ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟର ଆହ୍ୱାନ ଓ ସେ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ  ଉପସ୍ଥାପନ କରିଥିଲେ ।  କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ରାଜ୍ୟରେ କୃଷିଭିତ୍ତିକ ଯୋଜନା ଓ କାର୍ଯ୍ୟକ୍ରମ, କୃଷିରେ  ଉତ୍ପାଦନ ବୃଦ୍ଧି, କୃଷି ବିବିଧିକରଣକୁ ଗୁରୁତ୍ୱ, ରୋଗପୋକ ନିୟନ୍ତ୍ରଣରେ ସଫଳତା ସଂପର୍କରେ ଆଲୋଚନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ କୃଷି ପରିଚାଳନା ପାଇଁ ଆହ୍ୱାନ ରହିଥିବା ସଂପର୍କରେ କହିଥିଲେ । 

ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଓ ରାଜ୍ୟର ବିଭିନ୍ନ ଅଂଚଳରେ ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ଓ ପୁଞ୍ଜି ନିବେଶ ସଂପର୍କରେ  ଆଲୋକପାତ କରିଥିଲେ । 

ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗାମୀ ଦୃଷ୍ଟିକୋଣକୁ ବିଶ୍ୱ ବ୍ୟାଙ୍କର ପ୍ରତିନିଧିମାନେ ଉଚ୍ଚ ପ୍ରଶଂସା କରିଥିଲେ । ବିଶ୍ୱବ୍ୟାଙ୍କ ଟିମ୍ ର ପ୍ରତିନିଧିମାନେ ରାଜ୍ୟରେ ଦକ୍ଷତା ବିକାଶ, କୃଷି, ପର୍ଯ୍ୟଟନ, ଏମଏସଏମଇ, ନିଯୁକ୍ତି ସୁଯୋଗ, ରୋଜଗାର ବୃଦ୍ଧି, ନିରନ୍ତରତା ଭିତ୍ତିରେ ଅଭିବୃଦ୍ଧି, ସହରାଂଚଳରେ  ଆବାସ ଆଦି କ୍ଷେତ୍ରରେ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।  ଓଡ଼ିଶାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ରାଜ୍ୟ ଭାବେ ଅଭିହିତ କରି ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ, ଭୁବନେଶ୍ୱର ସର୍କଲ ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତା ଆମେମ୍ବାଲ ସୁବାରାଓ ପାଇଙ୍କର ୧୭୩ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସର୍କଲ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳନ କରାଯାଇଛି। ବ୍ୟାଙ୍କର ମଣ୍ଡଳ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏଥିରେ କାନାରା ବ୍ୟାଙ୍କର କର୍ମଚାରୀମ।।ନଙ୍କ ସହିତ ହାଇ ନେଟ୍ ୱର୍ଥ ଗ୍ରାହକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର ମହାପ୍ରବନ୍ଧକ (ଡି) ସୁମନ ଚକ୍ରବର୍ତ୍ତୀ ରାଜ୍ୟରେ କାନାରା ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସେ ବ୍ୟାଙ୍କର ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ଓ ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ପାଇଁ ଏହାର ପ୍ରତିବଦ୍ଧତା ସମ୍ପର୍କରେ ଗ୍ରାହକମାନଙ୍କୁ ଅବଗତ କରାଇଥିଲେ। ପ୍ରତିଷ୍ଠାତାଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କାଟିବା ସମାରୋହ ଆୟୋଜିତ ହୋଇଥିଲା ଏବଂ ବ୍ୟାଙ୍କର ମୂଲ୍ୟବୋଧ ଓ ସମୃଦ୍ଧ ଐ୍ୟତିହ୍ୟ ପ୍ରତି ବ୍ୟାଙ୍କର ସମର୍ପଣକୁ ସୁନିଶ୍ଚିତ କରାଯାଇଥିଲା। ଉପ-ମହାପ୍ରବନ୍ଧକ ନେତ୍ର ମୋହନ ପାତ୍ର ଗ୍ରାହକମାନଙ୍କ ଉପସ୍ଥିତି ପାଇଁ ସେମରନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ସମ୍ବଲପୁର ମଣ୍ଡଳ ପକ୍ଷରୁ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ “ସ୍ନେହାଞ୍ଜଳି-୨୦୨୫” କାର୍ଯ୍ୟକ୍ରମ ସମ୍ବଲପୁରସ୍ଥିତ ହିଲ ଭିୟୁ ହଲ୍‌, ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ପ୍ରମୁଖ ଅଜିତ କୁମାର ମେହେର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ୭୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ନାରାୟଣ ପ୍ରଧାନ (ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ), ସୃଷ୍ଟିଚନ୍ଦ୍ର ନାଏକ (ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ), ପୃଥ୍ୱୀରାଜ ମିଶ୍ର (ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ) ଏବଂ ଲମ୍ବୋଦର ମିଶ୍ର ଅନ୍ୟତମ। ଏହି ଅବସରରେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ, ଅଦ୍ୟତନ ବ୍ୟାଙ୍କି୍‌ଙ୍ଗ୍ ପଦକ୍ଷେପ ଓ ଯୋଜନା ସମ୍ପର୍କୀତ ସୂଚନା, ସାଇବର ଠକେଇ ସଚେତନତା ଏବଂ ନ୍ୟାଶନାଲ ଅନୁଭବ ଆୱାଡ୍ ସ୍କିମ୍‌-୨୦୨୬ ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ତାପସ କୁମାର ମହାନ୍ତି, ସଞ୍ଜିବ ମେହେର, ସ୍ୱାଗତିକା ମହାପାତ୍ର ଏବଂ ସୁଭାସୀନି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହ ମୁଖ୍ୟ ପ୍ରବନ୍ଧକ ପାର୍ଥ ସାରଥୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖଜୁରିଆ ଶାଖାଠାରେ ଏକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସାଚୁରେସନ ଡ୍ରାଇଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ସମାଜର ଅବହେଳିତ ବର୍ଗକୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବା ସହିତ ଯୋଡ଼ିବା, ଆର୍ଥିକ ସଚେତନତା ବୃଦ୍ଧି କରିବା ଏବଂ ଡିଜିଟାଲ ପେମେଣ୍ଟ ସମାଧାନକୁ ପ୍ରୋତ୍ସାହିତ କରିବା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁମ୍ବାଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଜିକେ ସୁଧାକର ରାଓ, ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ହରେକୃଷ୍ଣ ଦାସ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ମିତ୍ରଙ୍କ ସମେତ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ପେନ୍‌ସନ୍ ଯୋଜନା,ପିଏମ୍ ସ୍ୱନିଧି ଯୋଜନା ଓ ଆକାଉଣ୍ଟଗୁଡିକର ରିକେୱାଇସି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉପସ୍ଥିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିବା ସହ ଏହାକୁ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସର୍ବଦା ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ଏବଂ ପ୍ରତ୍ୟେକ ନାଗରିକଙ୍କୁ ନିରାପଦ, ସୁଗମ ଓ ସ୍ୱଚ୍ଛ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ନିମନ୍ତେ ନିରନ୍ତର ପ୍ରୟାସରତ ରହିଛି।

ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ଆରଏସପିର ପରିଚାଳନା, ସମ୍ପ୍ରସାରଣ ଏବଂ ଓଡ଼ିଶାର ବୃଦ୍ଧି ପାଉଥିବା ଇସ୍ପାତ ଏବଂ ଖଣି ଉତ୍ପାଦନ ବିଷୟରେ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ  ଏଚ୍ ଡି କୁମାରସ୍ୱାମୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ 300 ମେଟ୍ରିକ ଟନ୍ ଇସ୍ପାତ କ୍ଷମତା ଲକ୍ଷ୍ୟ ହାସଲ ପାଇଁ ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଆଜି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ବିକାଶ, ବିଶେଷକରି ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ପରିଚାଳନା ଏବଂ ସମ୍ପ୍ରସାରଣ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ମଧ୍ୟ ଉପସ୍ଥିତ ଥିଲେ।

ଆଲୋଚନାକୁ ‘ଫଳପ୍ରଦ’ ବୋଲି ଅଭିହିତ କରି କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, ଏକ ଅଗ୍ରଣୀ ଇସ୍ପାତ ଏବଂ ଖଣି ହବ୍ ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ ​​କରିବା ଉପରେ ଆଲୋଚନା ହୋଇଛି। ଇସ୍ପାତ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ଆଲୋଚନା ହୋଇଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଆମେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟକାରିତା, ସୁବିଧାର ଯୋଜନାବଦ୍ଧ ସମ୍ପ୍ରସାରଣ ଏବଂ ଓଡ଼ିଶାରେ ଇସ୍ପାତ ଓ ଖଣି ଉତ୍ପାଦନ ବୃଦ୍ଧି ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ । ସମୃଦ୍ଧ ଖଣିଜ ସମ୍ପଦ ଏବଂ ଦୃଢ଼ ଶିଳ୍ପ ଭିତ୍ତିଭୂମି ସହିତ ଓଡ଼ିଶା ଭାରତର ଇସ୍ପାତ ଅଭିବୃଦ୍ଧି ରଣନୀତି ପାଇଁ ଏକ ଅତ୍ୟାବଶ୍ୟକ ସ୍ତମ୍ଭ ହୋଇ ରହିଛି ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆରଏସପିର ସମ୍ପ୍ରସାରଣ ଏବଂ ଇସ୍ପାତ କ୍ଷେତ୍ରର ବ୍ୟାପକ ବିକାଶକୁ ସୁଗମ କରିବା ଲାଗି ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। 2030 ସୁଦ୍ଧା 300 ନିୟୁତ ଟନ୍ ଇସ୍ପାତ କ୍ଷମତା ହାସଲ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଲକ୍ଷ୍ୟକୁ ସାକାର କରିବାରେ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଏହି ବୈଠକ ଓଡ଼ିଶାରେ ଶିଳ୍ପ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ମଧ୍ୟରେ ବର୍ଦ୍ଧିତ ସମନ୍ୱୟକୁ ପ୍ରତିଫଳିତ କରିଥାଏ ଯାହା ଭାରତର ଇସ୍ପାତ ଏବଂ ଖଣି ଉତ୍ପାଦନରେ ପ୍ରମୁଖ ଯୋଗଦାନ ଦେଇଥାଏ।

ନିରନ୍ତର ସହଯୋଗ ଲାଗି ପ୍ରତିବଦ୍ଧତାକୁ ଦୋହରାଇ ସେ କହିଛନ୍ତି, ସମନ୍ୱିତ ପ୍ରୟାସ ଉତ୍ପାଦନ କ୍ଷମତା ବୃଦ୍ଧି, ଭିତ୍ତିଭୂମିର ଆଧୁନିକୀକରଣ ଏବଂ ଜାତୀୟ ଆର୍ଥିକ ଲକ୍ଷ୍ୟକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଉତ୍ପାଦନକାରୀ କ୍ଷେତ୍ର ଭାବରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ ​​କରିବା ଏବଂ 300 ମେଟ୍ରିକ ଟନ୍ ଇସ୍ପାତ କ୍ଷମତା ମାଇଲଖୁଣ୍ଟ ଆଡ଼କୁ ଦେଶର ଅଗ୍ରଗତିକୁ ଆଗକୁ ବଢ଼ାଇବା ଦିଗରେ ଏହି ଆଲୋଚନା ଆଉ ଏକ ପଦକ୍ଷେପ।


ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ଏନ୍‌.ଟି.ପି.ସି ତାଳଚେର ଓ ଭେଲ୍‌ରେ କାର୍ଯ୍ୟରତ ୫ ହଜାର ଠିକା ଶ୍ରମିକଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ତଥା ଏନ୍‌.ଟି.ପି.ସି. ତାଳଚେର ଶ୍ରମିକ କଂଗ୍ରେସ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ସାଂସଦ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପରିଚଳାନା କାର୍ଯ୍ୟନିର୍ବାହି ନିର୍ଦ୍ଦେଶଙ୍କ ସହିତ ଆଲୋଚନା କରିଥିଲେ। ୨୧୩ ଛଟେଇ ଶ୍ରମିକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା, ସମସ୍ତ ଠିକା ଶ୍ରମିକ ମାନଙ୍କର ମାସିକ କାର୍ଯ୍ୟ ଦିବସ ୨୬ ଦିନକୁ ବୃଦ୍ଧି କରିବା ଓ ମାସିକ ବେତନ ୭ ତାରିଖ ପୂର୍ବରୁ ଦେବା, ସମସ୍ତ ଠିକା ଶ୍ରମିକମାନଙ୍କୁ ଭବିଷ୍ୟନିଧି ଓ ବୀମା କର୍ମଚାରୀ ନିଗମ ପ୍ରତ୍ୟେକ ମାସର ରିଟର୍ଣ୍ଣ ବିଲ୍ ସହିତ ସଂଯୁକ୍ତ କରିବା, ଉଚ୍ଚମାନର ନିରାପତା ସଂରଜାମ ଯୋଗାଇବା ଏବଂ ଦୈନିକ ଭତା ୨୨ ଟଙ୍କାରୁ ୫୦ ଟଙ୍କା ବୃଦ୍ଧି କରିବା। କାର୍ଯ୍ୟସ୍ଥଳରେ ବିଶୁଦ୍ଧ ପାନୀୟଜଳ ଓ ଶୌଚାଳୟ ବନ୍ଦବସ୍ତ କରିବା ପ୍ରଭୁତି ବିଭିନ୍ନ ସଂପର୍କରେ ଆଲୋଚନା କରାଯାଇଥିଲା। କର୍ତୃପକ୍ଷ ଏ ଦାବିଗୁଡିକ ସଂପର୍କରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତ ଦେଇଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ସମ୍ପାଦକ ପ୍ରଦୀପ୍ତ ଦାସ, ସତ୍ୟାନନ୍ଦ ସାହୁ, ବିଷ୍ଣୁ ମୋହନ ରଥ, ଶ୍ରବଣ ସାମଲ, ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫




ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସମ୍ବଳ, ଏମ୍‌ଏସ୍‌ଏମ୍‌ଇ ଓ କୃଷି ମହୋତ୍ସବ ଭୁବନେଶ୍ୱରର ହୋଟେଲ ଏକ୍ସେଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ, କୃଷି, ସମ୍ପଦ ଗ୍ରାହକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ମିତ୍ରମାନେ ମାନେ ଯୋଗଦେଇଥିଲେ। ଏହି ଅବସରରେ ଗୈାତମ ପାତ୍ର, ମୁଖ୍ୟ ମହାପ୍ରବନ୍ଧକ, ବ୍ୟବସାୟ ବିକାଶ ତଥା ସଂଯୋଜକ , ଏସ୍‌ଏଲ୍‌ବିସି, ଓଡିଶା ଏବଂ ପ୍ରସନଜିତ୍ ରାୟ, ଉପ-ମହାପ୍ରବନ୍ଧକ, କୃଷି ଏବଂ ଗ୍ରାମୀଣ ବ୍ୟବସାୟ ବିଭାଗ, ୟୁକୋ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟାଳୟ, କୋଲକାତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳର ଉପ ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ଭାଗବତ ସିଂ ଭାକୁନି ସମ୍ମାନିତ ବ୍ୟକ୍ତି ଓ ଅତିଥିମାନଙ୍କୁ ସ୍ୱାଗତ କରିଥିବା ସହ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଭୁବନେଶ୍ୱର ଜୋନ୍‌ର ପ୍ରଦର୍ଶନ ଗୁଡିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ। ଶ୍ରୀ ପାତ୍ର ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ନାଗରିକମାନଙ୍କ ଉନ୍ନତି ବିଶେଷ କରି ମହିଳା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ୟୁକୋ ବ୍ୟାଙ୍କର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପ୍ରସନଜିତ ରାୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ କେବଳ ଆର୍ଥିକ ସହାୟତା ପ୍ରଦାନ କରିବା ଦୃଷ୍ଟିରୁ ନୁହେଁ ବରଂ ଇକୋ ସିଷ୍ଟମ ସୃଷ୍ଟି କରି ଦେଶ ନିର୍ମାଣରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏହି ମହୋତ୍ସବରେ ଋଣ ସୁବିଧା, ଡିଜିଟାଲ ବ୍ୟାଙ୍କିଂ ଏବଂ ଆର୍ଥିକ ସାକ୍ଷରତା ମାଧ୍ୟମରେ ବ୍ୟବସାୟୀ ଓ ଚାଷୀମାନଙ୍କୁ ସମୟୋପଯୁକ୍ତ ଋଣ ଏବଂ ଆଧୁନିକ ସମାଧାନ ସହିତ ସଶକ୍ତ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ସହାୟକ ମହାପ୍ରବନ୍ଧକ ତଥା ରିସୋର୍ସ ମୁଖ୍ୟ ରାମଚନ୍ଦ୍ର ଦାଶ ବ୍ୟାଙ୍କର ସଦ୍ୟତମ ଅଫରଗୁଡିକ ଯେପରି ମହିଳା ଗ୍ରାହକମାନଙ୍କ ପାଇଁ ପିଙ୍କ ବାସ୍‌କେଟ୍‌, ୟୁକୋ ଅପରାଜିତା, ୟୁକୋ ଜୟଲକ୍ଷ୍ମୀ ଏବଂ ୟୁକୋ ସଞ୍ଚୟିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲା। ପରିଶେଷରେ ଉପ ଆଞ୍ଚଳିକ ମୁଖ୍ୟ କୃଷ୍ଣପାଲ ସିଂହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୫




  • ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ 

  • ଆମେ ଏକ ଶତାବ୍ଦୀ ପୁରୁଣା ଉପନିବେଶବାଦୀ ଜାହାଜ ଚଳାଚଳ ଆଇନକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ, ଭବିଷ୍ୟତବାଦୀ ଆଇନ ରୂପେ ବଦଳାଇଛୁ: ପ୍ରଧାନମନ୍ତ୍ରୀ

  • ଆଜି, ଭାରତର ବନ୍ଦରଗୁଡ଼ିକୁ ବିକାଶଶୀଳ ବିଶ୍ୱରେ ସବୁଠାରୁ ଦକ୍ଷ ରୂପେ ଗଣନା କରାଯାଉଛି; ଅନେକ ଦିଗରୁ, ସେଗୁଡ଼ିକୁ ବିକଶିତ ବିଶ୍ୱର ବନ୍ଦରଗୁଡ଼ିକ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରୁଛନ୍ତି: ପ୍ରଧାନମନ୍ତ୍ରୀ

  • ଭାରତ ଜାହାଜ ନିର୍ମାଣରେ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରୁଛି, ଆମେ ଏବେ ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମି ସମ୍ପତ୍ତିର ମାନ୍ୟତା ପ୍ରଦାନ କରିଛୁ: ପ୍ରଧାନମନ୍ତ୍ରୀ

  • ଭାରତର ଜାହାଜ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ଏବଂ ଏହାକୁ ସମ୍ପ୍ରସାରଣ କରିବାର ଏହା ସଠିକ୍ ସମୟ: ପ୍ରଧାନମନ୍ତ୍ରୀ

  • ଦୁନିଆର ସମୁଦ୍ର ଅଶାନ୍ତ ଥିବା ସମୟରେ ବିଶ୍ୱ ଏକ ସ୍ଥିର ଆଲୋକବର୍ତ୍ତିକା ଖୋଜୁଥିବା ବେଳେ ଭାରତ ଶକ୍ତି ଓ ସ୍ଥିରତା ସହିତ ସେହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

  • ଜାଗତିକ ଉତ୍ତେଜନା, ବାଣିଜ୍ୟିକ ବାଧା ଏବଂ ସ୍ଥାନାନ୍ତରିତ ଯୋଗାଣ ଶୃଙ୍ଖଳ ମଧ୍ୟରେ, ଭାରତ ରଣନୀତିକ ସ୍ୱାୟତ୍ତତା, ଶାନ୍ତି ଏବଂ ସମାବେଶୀ ଅଭିବୃଦ୍ଧିର ପ୍ରତୀକ ଭାବରେ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ।  ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।
ଏହି ସମ୍ମିଳନୀ ସମୟରେ ଜାହାଜ ଚଳାଚଳ କ୍ଷେତ୍ର ସହ ଜଡିତ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଜାହାଜ ଚଳାଚଳ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସାମୁଦ୍ରିକ କ୍ଷମତା ପ୍ରତି ବିଶ୍ୱସ୍ତରୀୟ ବିଶ୍ୱାସକୁ ପ୍ରତିଫଳିତ କରେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ଉପସ୍ଥିତି ସେମାନଙ୍କର ସାଧାରଣ ପ୍ରତିବଦ୍ଧତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏକବିଂଶ ଶତାବ୍ଦୀରେ, ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ସେ କହିଥିଲେ, 2025 ବର୍ଷ ଏହି କ୍ଷେତ୍ର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ସଫଳତା ହାସଲ କରିଛି। ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସ-ସିପମେଣ୍ଟ ହବ୍, ଭିଜିଞ୍ଜାମ ବନ୍ଦର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ ସମ୍ପ୍ରତି ବନ୍ଦରରେ ପହଞ୍ଚିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ କହିଥିଲେ, 2024-25ରେ, ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ସର୍ବାଧିକ ମାଲ ପରିବହନ କରିଛନ୍ତି, ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ପ୍ରଥମ ଥର ପାଇଁ ଏକ ଭାରତୀୟ ବନ୍ଦର ଏକ ମେଗାୱାଟ-ସ୍କେଲ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ସୁବିଧା ଆରମ୍ଭ କରିଛି। ଏହା ହେଉଛି କାଣ୍ଡଲା ବନ୍ଦର ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ଜେଏନପିଟିରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି, ଯେଉଁଠାରେ ଭାରତ ମୁମ୍ବାଇ କଣ୍ଟେନର ଟର୍ମିନାଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଟର୍ମିନାଲର ପରିଚାଳନା କ୍ଷମତାକୁ ଦ୍ୱିଗୁଣିତ କରିଛି, ଏହାକୁ ଭାରତର ସର୍ବବୃହତ କଣ୍ଟେନର ବନ୍ଦର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବନ୍ଦର ଭିତ୍ତିଭୂମିରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ଏବଂ ସିଙ୍ଗାପୁରର ଭାଗୀଦାରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବିଶେଷ କୃତଜ୍ଞତା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଚଳିତ ବର୍ଷ, ଭାରତ ସାମୁଦ୍ରିକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ପ୍ରମୁଖ ପଦକ୍ଷେପ ନେଇଛି। ଏକ ଶତାବ୍ଦୀରୁ ଅଧିକ ପୁରୁଣା ଔପନିବେଶିକ ଜାହାଜ ଚଳାଚଳ ଆଇନଗୁଡ଼ିକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ ଏବଂ ଭବିଷ୍ୟତବାଦୀ ଆଇନ ଦ୍ୱାରା ବଦଳାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନୂତନ ଆଇନଗୁଡ଼ିକ ରାଜ୍ୟ ସାମୁଦ୍ରିକ ବୋର୍ଡଗୁଡ଼ିକୁ ସଶକ୍ତ କରିଛି, ସୁରକ୍ଷା ଓ ସ୍ଥିରତାକୁ ସୁଦୃଢ଼ ​​କରିଛି ଏବଂ ବନ୍ଦର ପରିଚାଳନାରେ ଡିଜିଟାଲକରଣକୁ ବିସ୍ତାର କରିଛି ବୋଲି ଶ୍ରୀ ମୋଦୀ କହିଥିଲେ।
ବାଣିଜ୍ୟ ପରିବହନ ଆଇନ ଅଧୀନରେ ଭାରତୀୟ ଆଇନଗୁଡ଼ିକୁ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସହିତ ସମନ୍ୱିତ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏହି ସମନ୍ୱୟ ସୁରକ୍ଷା ମାନଦଣ୍ଡରେ ବିଶ୍ୱାସ ବୃଦ୍ଧି କରିଛି, ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିଛି ଏବଂ ସରକାରୀ ହସ୍ତକ୍ଷେପ ହ୍ରାସ କରିଛି। ଏହି ପ୍ରୟାସଗୁଡ଼ିକ ଅଂଶୀଦାର ଏବଂ ନିବେଶକଙ୍କ ବିଶ୍ୱାସକୁ ଆହୁରି ବୃଦ୍ଧି କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଉପକୂଳ ଜାହାଜ ଚଳାଚଳ ଆଇନ ବାଣିଜ୍ୟକୁ ସରଳ କରିବା ଏବଂ ଯୋଗାଣ ଶୃଙ୍ଖଳ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଡିଜାଇନ୍ କରାଯାଇଛି। ସେ ଗୁରୁତ୍ୱାରୋପ କରି କହିଥିଲେ, ଏହି ଆଇନ ଭାରତର ବ୍ୟାପକ ଉପକୂଳରେ ସନ୍ତୁଳିତ ବିକାଶକୁ ସୁନିଶ୍ଚିତ କରିଥାଏ। ଏକ ରାଷ୍ଟ୍ର, ଏକ ବନ୍ଦର ପ୍ରକ୍ରିୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ବନ୍ଦର-ସମ୍ବନ୍ଧୀୟ ପ୍ରକ୍ରିୟାଗୁଡ଼ିକୁ ମାନକୀକରଣ କରିବ ଏବଂ ଦସ୍ତାବିଜକରଣ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ। ଶ୍ରୀ ମୋଦୀ କହିଥିଲେ, ଜାହାଜ ପରିବହନ କ୍ଷେତ୍ରରେ ଏହି ସଂସ୍କାରଗୁଡ଼ିକ ଭାରତରେ ଗତ ଏକ ଦଶନ୍ଧି ଧରି ଚାଲିଥିବା ସଂସ୍କାର ଯାତ୍ରାର ଏକ ନିରନ୍ତର ପ୍ରକ୍ରିୟା। ଗତ ଦଶରୁ ଏଗାର ବର୍ଷ ଉପରେ ଆଲୋକପାତ କରି ସେ ଉଲ୍ଲେଖ କରିଥିଲେ ଯେ, ଭାରତର ସାମୁଦ୍ରିକ କ୍ଷେତ୍ରରେ ପରିବର୍ତ୍ତନ ଐତିହାସିକ। ମେରିଟାଇମ୍‌ ଇଣ୍ଡିଆ ଭିଜନ୍‌ (ସାମୁଦ୍ରିକ ଭାରତ ଦୃଷ୍ଟିକୋଣ) ଅଧୀନରେ, 150ରୁ ଅଧିକ ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି, ଯାହାର ଫଳସ୍ୱରୂପ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି । କାରବାର ସମୟରେ ଯଥେଷ୍ଟ ହ୍ରାସ ହୋଇପାରିଛି ଏବଂ କ୍ରୁଜ୍ ପର୍ଯ୍ୟଟନରେ ଏକ ନୂତନ ଗତି ଆସିଛି। ଆଭ୍ୟନ୍ତରୀଣ ଜଳପଥରେ ମାଲ ପରିବହନ 700 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, କାର୍ଯ୍ୟକ୍ଷମ ଜଳପଥ ସଂଖ୍ୟା ତିନିରୁ ବତିଶକୁ ବୃଦ୍ଧି ପାଇଛି। ଗତ ଦଶନ୍ଧି ମଧ୍ୟରେ ଭାରତୀୟ ବନ୍ଦରଗୁଡ଼ିକର ବାର୍ଷିକ ନିଟ ଅତିରିକ୍ତ ପରିମାଣ ନଅ ଗୁଣ ବୃଦ୍ଧି ପାଇଛି ବୋଲି ସେ ଆହୁରି କହିଥିଲେ।
‘‘ବର୍ତ୍ତମାନ ବିକାଶଶୀଳ ବିଶ୍ୱରେ ଭାରତର ବନ୍ଦରଗୁଡ଼ିକ ସବୁଠାରୁ ଦକ୍ଷ ରୂପେ ଗଣାଯାଉଛି, ଏବଂ ଅନେକ କ୍ଷେତ୍ରରେ ବିକଶିତ ବିଶ୍ୱର ବନ୍ଦରଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି", ପ୍ରଧାନମନ୍ତ୍ରୀ କହିଥିଲେ। ସେ ପ୍ରମୁଖ କାର୍ଯ୍ୟଦକ୍ଷତା ପରିସଂଖ୍ୟାନ ବିଷୟରେ ସୂଚନା ଦେଇ କହିଥିଲେ ଯେ ଭାରତରେ ହାରାହାରି କଣ୍ଟେନର ରହଣି ସମୟ ତିନି ଦିନରୁ କମକୁ ହ୍ରାସ ପାଇଛି, ଯାହା ଅନେକ ବିକଶିତ ଦେଶ ତୁଳନାରେ ଉତ୍ତମ। ହାରାହାରି ଜାହାଜ ଚଳାଚଳ ସମୟ ଛୟାନବେ ଘଣ୍ଟାରୁ ମାତ୍ର ଅଠଚାଳିଶ ଘଣ୍ଟାକୁ ହ୍ରାସ ପାଇଛି, ଯାହା ଭାରତୀୟ ବନ୍ଦରଗୁଡ଼ିକୁ ବିଶ୍ୱ ପରିବହନ ଲାଇନ୍ ପାଇଁ ଅଧିକ ପ୍ରତିଯୋଗିତାମୂଳକ ଏବଂ ଆକର୍ଷଣୀୟ କରିଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଭାରତ ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦେଖାଇଛି। ସାମୁଦ୍ରିକ ମାନବ ସମ୍ବଳରେ ଭାରତର ବର୍ଦ୍ଧିତ ଶକ୍ତି ଉପରେ ଆହୁରି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗତ ଦଶନ୍ଧିରେ ଭାରତୀୟ ନାବିକଙ୍କ ସଂଖ୍ୟା 1.25 ଲକ୍ଷରୁ ବୃଦ୍ଧି ପାଇ 3 ଲକ୍ଷରୁ ଅଧିକ ହୋଇଛି। ଆଜି, ନାବିକ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱ ସ୍ତରରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି।
ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିତିଗଲାଣି ଏବଂ ଆଗାମୀ 25 ବର୍ଷ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ନୀଳ ଅର୍ଥବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟୀ ଉପକୂଳ ବିକାଶ ଉପରେ ଭାରତର ଧ୍ୟାନ ରହିଛି। ସବୁଜ ଲଜିଷ୍ଟିକ୍ସ, ବନ୍ଦର ସଂଯୋଗ ଏବଂ ଉପକୂଳ ଶିଳ୍ପ କ୍ଲଷ୍ଟର ଉପରେ ସରକାରଙ୍କ ଦୃଢ ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।
ଜାହାଜ ନିର୍ମାଣ ଏବେ ଭାରତର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ। ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତର ଐତିହାସିକ ଗୁରୁତ୍ୱକୁ ସ୍ମୃତିଚାରଣ କରି ସେ ଉଲ୍ଲେଖ କରିଥିଲେ ଯେ, ଏହି କ୍ଷେତ୍ରରେ ଦେଶ ଏକଦା ଏକ ପ୍ରମୁଖ ବିଶ୍ୱସ୍ତରୀୟ କେନ୍ଦ୍ର ଥିଲା। ଏହି ସ୍ଥାନଠାରୁ ଅଳ୍ପ ଦୂରରେ ଅଜନ୍ତା ଗୁମ୍ଫା ରହିଛି, ଯେଉଁଠାରେ ଷଷ୍ଠ ଶତାବ୍ଦୀର ଏକ ଚିତ୍ରକଳାରେ ତିନୋଟି ମାସ୍ତୁଲ ଲାଗିଥିବା ଜାହାଜର ଡିଜାଇନକୁ ଚିତ୍ରିତ କରାଯାଇଛି। ପ୍ରାଚୀନ ଭାରତୀୟ କଳାରେ ଦେଖାଯାଉଥିବା ଏହି ଡିଜାଇନକୁ ଶହ ଶହ ବର୍ଷ ପରେ ଅନ୍ୟ ଦେଶମାନେ ଗ୍ରହଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତରେ ନିର୍ମିତ ଜାହାଜଗୁଡ଼ିକ ଏକଦା ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଭାରତ ବିଳମ୍ବରେ ଜାହାଜ ଭାଙ୍ଗିବା କ୍ଷେତ୍ରରେ ଅଗ୍ରଗତି କରିଥିଲା ​​ଏବଂ ଏବେ ଜାହାଜ ନିର୍ମାଣରେ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରୟାସ ତ୍ୱରାନ୍ୱିତ କରୁଛି। ଭାରତ ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମି ସମ୍ପତ୍ତିର ମାନ୍ୟତା ପ୍ରଦାନ କରିଛି, ଏହା ଏକ ନୀତିଗତ ନିଷ୍ପତ୍ତି ଯାହା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଜାହାଜ ନିର୍ମାଣକାରୀଙ୍କ ପାଇଁ ନୂତନ ରାସ୍ତା ଖୋଲିବ। ଏହା ନୂତନ ଆର୍ଥିକ ବିକଳ୍ପ ପ୍ରଦାନ କରିବ, ସୁଧ ଖର୍ଚ୍ଚ ହ୍ରାସ କରିବ ଏବଂ ଋଣ ପାଇବାକୁ ସହଜ କରିବ । ଏହି ସଂସ୍କାରକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ସରକାର ପ୍ରାୟ 70,000 କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଘରୋଇ କ୍ଷମତା ବୃଦ୍ଧି କରିବ । ଏହା ମଧ୍ୟ ଦୀର୍ଘକାଳୀନ ଆର୍ଥିକ ସହାୟତାକୁ ପ୍ରୋତ୍ସାହିତ କରିବା ସହିତ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ଜାହାଜ ୟାର୍ଡର ବିକାଶକୁ ସମର୍ଥନ କରିବ, ଉନ୍ନତ ସାମୁଦ୍ରିକ ଦକ୍ଷତା ନିର୍ମାଣ କରିବ ଏବଂ ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ପଦକ୍ଷେପ ସମସ୍ତ ଅଂଶୀଦାରଙ୍କ ପାଇଁ ନୂତନ ନିବେଶ ସୁଯୋଗ ମଧ୍ୟ ଖୋଲିବ ବୋଲି ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମିଳନୀର ଆୟୋଜନ କରୁଥିବା ଭୂମି ଛତ୍ରପତି ଶିବାଜୀ ମହାରାଜଙ୍କ ମାଟି। ସେ କେବଳ ସାମୁଦ୍ରିକ ସୁରକ୍ଷାର ମୂଳଦୁଆ ସ୍ଥାପନ କରିନଥିଲେ ବରଂ ଆରବ ସାଗରର ବାଣିଜ୍ୟ ମାର୍ଗରେ ଭାରତୀୟ ଶକ୍ତିକୁ ଜାହିର କରିଥିଲେ। ସେ ଶିବାଜୀ ମହାରାଜଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି କହିଥିଲେ ଯେ, ସମୁଦ୍ର ସୀମା ନୁହେଁ ବରଂ ସୁଯୋଗର ପ୍ରବେଶ ଦ୍ୱାର । ଭାରତ ମଧ୍ୟ ଅନୁରୂପ ଚିନ୍ତାଧାରା ସହିତ ଆଗକୁ ବଢ଼ୁଥିବା ଶ୍ରୀ ମୋଦୀ କହିଥିଲେ।
ଶ୍ରୀ ମୋଦୀ ବିଶ୍ୱ ଯୋଗାଣ ଶୃଙ୍ଖଳ ସ୍ଥିରତାକୁ ସୁଦୃଢ଼ ​​କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶ ସକ୍ରିୟ ଭାବରେ ବିଶ୍ୱସ୍ତରୀୟ ମେଗା ବନ୍ଦର ନିର୍ମାଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ମହାରାଷ୍ଟ୍ରର ୱାଧବନରେ 76,000 କୋଟି ଟଙ୍କା ବ୍ୟୟରେ ଏକ ନୂତନ ବନ୍ଦର ନିର୍ମାଣ କରାଯାଉଛି ବୋଲି ସେ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଏହାର ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ଚାରିଗୁଣ ବୃଦ୍ଧି କରିବା ଏବଂ କଣ୍ଟେନରାଇଜଡ୍ କାର୍ଗୋରେ ଏହାର ଅଂଶ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି। ଉପସ୍ଥିତ ସମସ୍ତ ଅଂଶୀଦାର ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଅଂଶୀଦାର ବୋଲି ସେ ଦୃଢ଼ ଭାବେ କହିବା ସହିତ ସେମାନଙ୍କର ଚିନ୍ତାଧାରା, ନବସୃଜନ ଏବଂ ନିବେଶକୁ ସ୍ୱାଗତ କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ବନ୍ଦର ଏବଂ ପରିବହନରେ 100 ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ଅନୁମତି ଦିଏ ଏବଂ ସରକାରୀ-ଘରୋଇ ସହଭାଗୀତା ଦ୍ରୁତ ଗତିରେ ବିସ୍ତାର କରୁଛି। ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ଦୃଷ୍ଟିକୋଣ ଅଧୀନରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଏବଂ ରାଜ୍ୟଗୁଡ଼ିକୁ ନିବେଶ ଆକର୍ଷିତ କରିବାକୁ ଉତ୍ସାହିତ କରାଯାଉଛି। ବିଭିନ୍ନ ଦେଶର ନିବେଶକମାନଙ୍କୁ ଭାରତର ପରିବହନ କ୍ଷେତ୍ରରେ ସାମିଲ ହେବା ଏବଂ ବିସ୍ତାର କରିବା ପାଇଁ ଏହି ମୁହୂର୍ତ୍ତକୁ ବ୍ୟବହାର କରିବାକୁ ସେ ଅନୁରୋଧ କରିବା ସହିତ ଏହା ହେଉଛି ସଠିକ୍ ସମୟ ବୋଲି କହିଥିଲେ ।
ଭାରତର ସଜୀବ ଗଣତନ୍ତ୍ର ଏବଂ ବିଶ୍ୱସନୀୟତାକୁ ଏକ ପରିଭାଷିତ ଶକ୍ତି ଭାବରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଦୁନିଆର ସମୁଦ୍ର ଅଶାନ୍ତ ଥିବା ସମୟରେ ବିଶ୍ୱ ଏକ ସ୍ଥିର ଆଲୋକବର୍ତ୍ତିକା ଖୋଜୁଥିବା ବେଳେ ଭାରତ ଶକ୍ତି ଓ ସ୍ଥିରତା ସହିତ ସେହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ । ଜାଗତିକ ଉତ୍ତେଜନା, ବାଣିଜ୍ୟ ବାଧା ଏବଂ ଯୋଗାଣ ଶୃଙ୍ଖଳ ପରିବର୍ତ୍ତନ ମଧ୍ୟରେ ଭାରତ ରଣନୀତିକ ସ୍ୱାୟତ୍ତତା, ଶାନ୍ତି ଏବଂ ସମାବେଶୀ ବିକାଶର ପ୍ରତୀକ ଭାବରେ ଠିଆ ହୋଇଛି। ଭାରତର ସାମୁଦ୍ରିକ ଏବଂ ବାଣିଜ୍ୟିକ ପଦକ୍ଷେପ ଏହି ବ୍ୟାପକ ଦୃଷ୍ଟିକୋଣର ଅବିଚ୍ଛେଦ୍ୟ ଅଂଶ। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରି ସେ କହିଥିଲେ, ଏହା ବାଣିଜ୍ୟ ମାର୍ଗଗୁଡ଼ିକୁ ପୁନଃପରିଭାଷିତ କରିବ ଏବଂ ସ୍ୱଚ୍ଛ ଶକ୍ତି ଏବଂ ସ୍ମାର୍ଟ ଲଜିଷ୍ଟିକ୍ସକୁ ପ୍ରୋତ୍ସାହିତ କରିବ।
ସମାବେଶୀ ସାମୁଦ୍ରିକ ବିକାଶ ଉପରେ ଭାରତର ଗୁରୁତ୍ୱ ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଲକ୍ଷ୍ୟ କେବଳ ପ୍ରଯୁକ୍ତିବିଦ୍ୟା, ତାଲିମ ଏବଂ ଭିତ୍ତିଭୂମି ମାଧ୍ୟମରେ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଜ୍ୟ ଏବଂ ସର୍ବନିମ୍ନ ବିକଶିତ ଦେଶଗୁଡ଼ିକୁ ସଶକ୍ତ କରି ହାସଲ କରାଯାଇପାରିବ। ସେ ଜଳବାୟୁ ପରିବର୍ତ୍ତନ, ଯୋଗାଣ ଶୃଙ୍ଖଳ ବାଧା, ଆର୍ଥିକ ଅନିଶ୍ଚିତତା ଏବଂ ସାମୁଦ୍ରିକ ସୁରକ୍ଷାକୁ ସମାଧାନ କରିବା ପାଇଁ ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ ଏକାଠି ହେବାକୁ ଏବଂ ଏକ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବାକୁ ଆହ୍ୱାନ କରିଥିଲେ। ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଶିଖର ସମ୍ମିଳନୀର ଅଂଶବିଶେଷ ହୋଇଥିବାରୁ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ୍, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ଶାନ୍ତନୁ ଠାକୁର ଏବଂ ଶ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ଗ୍ଲୋବାଲ ମେରିଟାଇମ ସିଇଓ ଫୋରମ ହେଉଛି ଇଣ୍ଡିଆ ମେରିଟାଇମ ୱିକ୍ 2025ର ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଭବିଷ୍ୟତର ବିଶ୍ୱସ୍ତରୀୟ ସାମୁଦ୍ରିକ ଇକୋସିଷ୍ଟମକୁ ନିର୍ଦ୍ଧାରଣ କରିବାକୁ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସାମୁଦ୍ରିକ କାରବାର କ୍ଷେତ୍ର କମ୍ପାନିଗୁଡ଼ିକର ସିଇଓ, ଅଗ୍ରଣୀ ନିବେଶକ, ନୀତି ନିର୍ଦ୍ଧାରକ, ନବସୃଜନକାରୀ ଏବଂ ଅନ୍ତର୍ଜାତୀୟ ସହଯୋଗୀମାନେ ଏକାଠି ହୋଇଛନ୍ତି । ଦୀର୍ଘସ୍ଥାୟୀ ସାମୁଦ୍ରିକ ବିକାଶ, ସ୍ଥିର ଯୋଗାଣ ଶୃଙ୍ଖଳ, ସବୁଜ ଜାହାଜ ଚଳାଚଳ, ସମାବେଶୀ ନୀଳ ଅର୍ଥବ୍ୟବସ୍ଥା ରଣନୀତି ବାବଦରେ ଆଲୋଚନା ପାଇଁ ଏହି ଫୋରମ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ମହତ୍ୱାକାଂକ୍ଷୀ, ଭବିଷ୍ୟତମୁଖୀ ସମୁଦ୍ରୀ ପରିବର୍ତ୍ତନ ସହ ସାମୁଦ୍ରିକ ଅମୃତ କାଳ ଭିଜନ 2047 ଲକ୍ଷ୍ୟରେ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଦୀର୍ଘକାଳୀନ ଦୃଷ୍ଟିକୋଣ ଚାରୋଟି ରଣନୀତିକ ସ୍ତମ୍ଭ ଉପରେ ପର୍ଯ୍ୟବସିତ - ବନ୍ଦରଭିତ୍ତିକ ବିକାଶ, ଜାହାଜ ଚଳାଚଳ ଏବଂ ଜାହାଜ ନିର୍ମାଣ, ବାଧାମୁକ୍ତ ପରିବହନ ଏବଂ ସାମୁଦ୍ରିକ କୌଶଳ ଗଠନ- ଲକ୍ଷ୍ୟ ବିଶ୍ୱର ବୃହତ ସାମୁଦ୍ରିକ ଶକ୍ତିଙ୍କ ମଧ୍ୟରେ ଭାରତକୁ ସ୍ଥାନ ଦେବା । ଜାହାଜ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, କ୍ରୁଜ ପର୍ଯ୍ୟଟନ ଏବଂ ନୀଳ ଅର୍ଥବ୍ୟବସ୍ଥା ଫାଇନାନ୍ସର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରିବା ଏବଂ ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ରୂପାନ୍ତର କରିବାରେ ‘ଇଣ୍ଡିଆ ମେରିଟାଇମ ୱିକ୍ 2025’ ଭାରତ ସରକାରଙ୍କ ମୁଖ୍ୟ ବିଶ୍ୱସ୍ତରୀୟ ମଞ୍ଚ ।
27 ରୁ 31 ଅକ୍ଟୋବର, 2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଡିଆ ମେରିଟାଇମ ୱିକ୍ 2025’ ର ବିଷୟବସ୍ତୁ ହେଉଛି ‘‘ମହାସାଗରକୁ ଏକତ୍ର କରିବା, ଏକ ସାମୁଦ୍ରିକ ଦୃଷ୍ଟିକୋଣ।’’ ଏହା ବିଶ୍ୱ ସାମୁଦ୍ରିକ କେନ୍ଦ୍ର ଏବଂ ନୀଳ ଅର୍ଥବ୍ୟବସ୍ଥାରେ ଅଗ୍ରଣୀ ହେବା ପାଇଁ ଭାରତର ରଣନୀତିକ ଦୃଷ୍ଟିକୋଣକୁ ଦର୍ଶାଉଛି। ‘ଇଣ୍ଡିଆ ମେରିଟାଇମ ୱିକ୍ 2025’ ରେ 85ରୁ ଅଧିକ ଦେଶ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି, 500ରୁ ଅଧିକ ପ୍ରଦର୍ଶକ ଏବଂ 350ରୁ ଅଧିକ ଅନ୍ତର୍ଜାତୀୟ ବକ୍ତା ସାମିଲ ହୋଇଛନ୍ତି।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget