loading...

ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ

ଭୁବନେଶ୍ୱର, ୨ ନଭେମ୍ବର ୨୦୨୫



ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଆଜି ପୂର୍ବାହ୍ଣରେ  ମୁଖ୍ୟ ଶାସନ ସଚିବ  ଶ୍ରୀ ମନୋଜ ଆହୁଜାଙ୍କ  ସହିତ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ଥିଲେ । ବିଶ୍ୱ ବ୍ୟାଙ୍କର  ଦକ୍ଷିଣ ଏସିଆ ଆଂଚଳିକ ଉପସଭାପତି ଜୋହାନେସ୍ ଜୁଟ୍ ଏବଂ ଆଂଚଳିକ ନିର୍ଦ୍ଦେଶକ ଇମାଦ୍ ଫାକୁରୀଙ୍କ ସମେତ ବିଶ୍ୱବ୍ୟାଙ୍କର ଅନ୍ୟ ପ୍ରତିନିଧିମାନେ ଯୋଗଦେଇ  ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

ଏହି ବୈଠକରେ ରାଜ୍ୟ  ଉନ୍ନୟନ କମିଶନର  ତଥା  ଅତିରିକ୍ତ  ମୁଖ୍ୟ ଶାସନ ସଚିବ ଶ୍ରୀମତୀ   ଅନୁ ଗର୍ଗ, ଶିଳ୍ପ,  ସୂଚନା  ଓ ଲୋକ ସଂପର୍କ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ହେମନ୍ତ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ  ବିଭାଗ ପ୍ରମୁଖ  ଶାସନ  ସଚିବ  ଡଃ.  ଅରବିନ୍ଦ  କୁମାର ପାଢ଼ୀଙ୍କ  ସମେତ  ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । 

ବୈଠକରେ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଅଭିବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟର ଆଗାମୀ ଲକ୍ଷ୍ୟ, ଆର୍ଥିକ ବ୍ୟବସ୍ଥା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶ୍ୱବ୍ୟାଙ୍କ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟରେ କୃଷିଭିତ୍ତିକ ଅର୍ଥନୀତି,  ଶିଳ୍ପ ବିକାଶ, ଦକ୍ଷତା ବିକାଶ, ବନ୍ଦରଭିତ୍ତିକ ବିକାଶ ଆଦି ସଂପର୍କରେ ଆଲୋଚନା କରିବା ସହିତ ଓଡ଼ିଶାକୁ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଉପସ୍ଥାପିତ କରିଥିଲେ ।

 ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭  ଲକ୍ଷ୍ୟ ସଂପର୍କରେ  ଭିଜନ ଡକ୍ୟୁମେଣ୍ଟ  ଉପସ୍ଥାପନ କରିଥିଲେ ।  ରାଜ୍ୟର  ଭୌଗୋଳିକ, ଜନସଂଖ୍ୟା, ଅବିବୃଦ୍ଧିର କ୍ରମ ବିକାଶ, ଶିକ୍ଷା , ସ୍ୱାସ୍ଥ୍ୟ ଆଦିର ସାଂପ୍ରତିକ ସ୍ଥିତି ସଂପର୍କରେ ସେ  ଉପସ୍ଥାପନ କରିବା ସହ ରାଜ୍ୟର ପ୍ରାକୃତିକ ସଂପଦ, ଖଣିଜ ସଂପଦ, ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଜଳ ସଂପଦ, ଯୁବ ଶକ୍ତି ସଂବଳ, ଅର୍ଥନୈତିକ ଓ ବିତ୍ତୀୟ ସ୍ଥିରତା ଯୋଗୁଁ ରାଜ୍ୟର ଆଗାମୀ ବିକାଶର ଉଜ୍ୱଳ ସମ୍ଭାବନା ଉପରେ ସେ ଆଲୋଚନା କରିଥିଲେ । ବିଭିନ୍ନ ସମୟରେ ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ , ଦାରିଦ୍ର୍ୟ ଦୂରୀକରଣ, ଦକ୍ଷତା ବିକାଶ, ଜନଜାତିଙ୍କ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ନିରନ୍ତରତା ଭିତ୍ତିରେ  ସହରାଂଚଳ ବିକାଶ , ଶିକ୍ଷା, ସ୍ୱାସ୍ଥ୍ୟରେ ଗୁଣାତ୍ମକ ଉନ୍ନତି ଏବଂ ଅତ୍ୟାବଶ୍ୟକ ମୌଳିକ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟର ଆହ୍ୱାନ ଓ ସେ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ  ଉପସ୍ଥାପନ କରିଥିଲେ ।  କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ରାଜ୍ୟରେ କୃଷିଭିତ୍ତିକ ଯୋଜନା ଓ କାର୍ଯ୍ୟକ୍ରମ, କୃଷିରେ  ଉତ୍ପାଦନ ବୃଦ୍ଧି, କୃଷି ବିବିଧିକରଣକୁ ଗୁରୁତ୍ୱ, ରୋଗପୋକ ନିୟନ୍ତ୍ରଣରେ ସଫଳତା ସଂପର୍କରେ ଆଲୋଚନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ କୃଷି ପରିଚାଳନା ପାଇଁ ଆହ୍ୱାନ ରହିଥିବା ସଂପର୍କରେ କହିଥିଲେ । 

ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଓ ରାଜ୍ୟର ବିଭିନ୍ନ ଅଂଚଳରେ ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ଓ ପୁଞ୍ଜି ନିବେଶ ସଂପର୍କରେ  ଆଲୋକପାତ କରିଥିଲେ । 

ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗାମୀ ଦୃଷ୍ଟିକୋଣକୁ ବିଶ୍ୱ ବ୍ୟାଙ୍କର ପ୍ରତିନିଧିମାନେ ଉଚ୍ଚ ପ୍ରଶଂସା କରିଥିଲେ । ବିଶ୍ୱବ୍ୟାଙ୍କ ଟିମ୍ ର ପ୍ରତିନିଧିମାନେ ରାଜ୍ୟରେ ଦକ୍ଷତା ବିକାଶ, କୃଷି, ପର୍ଯ୍ୟଟନ, ଏମଏସଏମଇ, ନିଯୁକ୍ତି ସୁଯୋଗ, ରୋଜଗାର ବୃଦ୍ଧି, ନିରନ୍ତରତା ଭିତ୍ତିରେ ଅଭିବୃଦ୍ଧି, ସହରାଂଚଳରେ  ଆବାସ ଆଦି କ୍ଷେତ୍ରରେ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।  ଓଡ଼ିଶାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ରାଜ୍ୟ ଭାବେ ଅଭିହିତ କରି ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget