Articles by "Lifestyle"

ଭୁବନେଶ୍ୱର, ୧୯ ସେପ୍ଟେମ୍ବର ୨୦୨୫




ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଆଟିଭୋ’ ପକ୍ଷରୁ ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଗୁରୁବାର କ୍ୟାମ୍ପସ ୪ରେ ପାର୍ବଣର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 
ବିଶ୍ୱବିଦ୍ୟାଳୟର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଆଟିଭୋର ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ଓ ସେମାନଙ୍କର ପ୍ରତିଭା ବିକାଶ ନିମନ୍ତେ ଉତ୍ସାହିତ କରିବା ସହିତ ଏଭଳି ଉଦ୍ୟମକୁ ରାଜ୍ୟସ୍ତରରେ ଆୟୋଜନ କରିବା ପାଇଁ ଉପଦେଶ ଦେଇଥିଲେ। 
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଉଦ୍‌ବୋଧନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। 
ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ। 
ଏହି ଅବସରରେ ଆଇଏଏସର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ଡକ୍ଟର ଦୀପାଲି ଦାଶ ମଂଚ ସଂଯୋଜନା କରିଥିବା ବେଳେ କ୍ରିଆଟିଭୋର ଆବାହକ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି. ମାନସ ଦାସଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅର୍ଥାତ୍ ଓଡ଼ିଶାର ପାରମ୍ପରିକ ଓଡ଼ିଶୀ, ଛଉ, ବାଘ ନାଚ, କେନ୍ଦେରା, ଦାସକାଠିଆ, ଚକୁଳିଆ ପଣ୍ଡା, ଚଢ଼େଇଆ, ସମ୍ବଲପୁରୀ ଆଦି ଲୋକକଳା ମଧ୍ୟ ପ୍ରଦର୍ଶିତ ହୋଇଥିଲା। 
ଶ୍ରୀ ବିଶ୍ୱଜିତ ମିଶ୍ର, ଡକ୍ଟର ରାକେଶ ଶତପଥୀ, ଡକ୍ଟର ବିଦ୍ୱାନ ରଞ୍ଜନ ସାହୁ, ଡକ୍ଟର ରାମକୃଷ୍ଣ ବସ୍ତିଆ, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ଏସ୍‌.ପି ମୋନାଲିସା ଓ ଡକ୍ଟର ସୁବ୍ରତ ସେନାପତି ଉତ୍ସବକୁ ପରିଚାଳନା କରିଥିଲେ।

ଭୁବନେଶ୍ୱର, ୦୫ ସେପ୍ଟେମ୍ବର ୨୦୨୫




ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ସହିତ ସମନ୍ୱୟ ରଖି ଭାରତୀୟ ରେଳବାଇର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ "ସାଇକେଲ୍ ଉପରେ ରବିବାର" ବା ସଣ୍ଡେ ଅନ ସାଇକେଲ୍ ବ୍ୟାନରରେ ଏକ ସ୍ୱତନ୍ତ୍ର ସାଇକ୍ଲୋଥନ୍-2025 ଆୟୋଜନ କରୁଛି । ଏହି ପ୍ରୟାସର ଲକ୍ଷ୍ୟ ହେଉଛି ରେଳ କର୍ମଚାରୀ ଏବଂ ସମାଜ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ବ୍ୟାପକ ଭାବେ ପ୍ରୟାସ କରିବା ।

ଏହି କାର୍ଯ୍ୟକ୍ରମ ଆସନ୍ତା ରବିବାର, 7 ସେପ୍ଟେମ୍ବର 2025 ପାଇଁ ସ୍ଥିର କରାଯାଇଛି ଏବଂ ଏହା ସକାଳ 7ଘ.30ମି.ରେ ରେଳବାଇ ଷ୍ଟାଡିୟମରୁ ଆରମ୍ଭ ହୋଇ ଅରଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱରର ପ୍ରବେଶ ଫାଟକ ପର୍ଯ୍ୟନ୍ତ ଯାଇ ୧୦ କିଲୋମିଟର ଦୂରତା ଅତିକ୍ରମ କରି ପୁନର୍ବାର ଫେରିବ ।

"ଫିଟନେସ୍ କି ଡୋଜ୍, ଆଧା ଘଣ୍ଟା ରୋଜ୍" ଅଭିଯାନ ସ୍ଲୋଗାନ୍ ଅଧୀନରେ ଆୟୋଜିତ ଫିଟ୍ ଇଣ୍ଡିଆ ଆନ୍ଦୋଳନ କାର୍ଯ୍ୟକ୍ରମ ନିୟମିତ ଶାରୀରିକ କାର୍ଯ୍ୟକଳାପକୁ ଆମ ଦିନଚର୍ଯ୍ୟାରେ ସାମିଲ କରିବାର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ସହ ଏହାକୁ କ୍ରମାଗତ ଭାବେ ଅଭ୍ୟାସ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।

ସାଇକେଲିଂ ଏକ ସରଳ କିନ୍ତୁ ଶକ୍ତିଶାଳୀ ବ୍ୟାୟାମ ଅଟେ ଯାହା ହୃଦ୍‌ରୋଗ ସୁସ୍ଥତା ବୃଦ୍ଧି, ଉନ୍ନତ ଆସନ ଏବଂ ସମନ୍ୱୟ, ମାଂସପେଶୀ ଶକ୍ତି ଏବଂ ନମନୀୟତା ବୃଦ୍ଧି, ହାଡ଼ ଏବଂ ସନ୍ଧି ଗତିଶୀଳତାକୁ ସୁଦୃଢ଼ କରିବା, ଶରୀରର ଚର୍ବି ଏବଂ ଚାପ ସ୍ତର ହ୍ରାସ ଏବଂ ଜୀବନଶୈଳୀ ରୋଗର ପ୍ରତିରୋଧ ଏବଂ ପରିଚାଳନା ଭଳି ବହୁବିଧ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ ।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ସମସ୍ତ ଶାଖା ଅଧିକାରୀ, କର୍ମଚାରୀ ଏବଂ କ୍ରୀଡାବିତ ଓ କ୍ରୀଡା କର୍ମଚାରୀମାନଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଉଛି । ସମସ୍ତ ନିକଟବର୍ତ୍ତୀ ଷ୍ଟେସନରେ ରେଳ କର୍ମଚାରୀମାନଙ୍କୁ ସେମାନଙ୍କ ପରିବାର ସହିତ ଏହି ସ୍ୱାସ୍ଥ୍ୟ ପଦକ୍ଷେପରେ ଯୋଗଦେବା ଏବଂ ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ବିଶେଷ ପ୍ରୟାସ କରାଯାଉଛି ।

"ସଣ୍ଡେଜ୍ ଅନ୍ ସାଇକେଲ" କାର୍ଯ୍ୟକ୍ରମ କେବଳ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଭାରତୀୟ ରେଳବାଇର ସ୍ଥାୟୀତ୍ୱ ଏବଂ ସାମୁଦାୟିକ କଲ୍ୟାଣର ବ୍ୟାପକ ଲକ୍ଷ୍ୟ ସହିତ ସମନ୍ୱୟ ରଖି ପରିବେଶଗତ ଚେତନାର ଏକ ଦୃଢ଼ ବାର୍ତ୍ତା ମଧ୍ୟ ଦେଇଥାଏ ।

ଏହି ଆନ୍ଦୋଳନରେ ଯୋଗଦାନ କରନ୍ତୁ ।  ଫିଟନେସ୍ ପାଇଁ ପେଡାଲ୍ ।  ପରିବେଶ ପାଇଁ ଯାତ୍ରା କରନ୍ତୁ ।

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୫




ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଆୟୋଜିତ ଏକ ୧୦ ଦିନିଆ ଏନ୍‌ସିସି କମ୍ବାଇନଡ ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ସିଏଟିସି) ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି କ୍ୟାମ୍ପ ୪ (ଓ) କଟକ ଓ ୧ (ଓ) ମେଡିକାଲ୍ ୟୁନିଟର ସହଯୋଗରେ ଜୁଲାଇ ୨୩ ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ଶିକ୍ଷା ସଂସ୍ଥାନରୁ ପ୍ରାୟ ୪୨୦ ଜଣ ଏନ୍‌ସିସି କ୍ୟାଡେଟ ଏବଂ ୩୦ ଜଣ ସେନା କର୍ମଚାରୀ ଏନ୍‌ସିସି ସିଏଟିସି କ୍ୟାମ୍ପ ୨୦୨୫ରେ ଅଂଶ ଗ୍ରହଣ କରିଥିଲେ। 

ଉଦ୍‌ଘାଟନୀ ଉତ୍ସବରେ ୪ (ଓ) କଟକର କମାଣ୍ଡିଂ ଅଫିସର ଲେଫ୍ଟନାଂଟ କର୍ଣ୍ଣେଲ୍ ଶାନ୍ତନୁ ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କ୍ୟାମ୍ପର ଶୁଭାରମ୍ବ କରିବା ସହ ଯୋଗ ଦେଇଥିବା କ୍ୟାଡେଟମାନଙ୍କୁ ଦୈନିକ କ୍ରିୟାକଳାପ, ଅନୁଶାସନ, ସହଯୋଗ ଓ ଜାତୀୟ ଭାବନାର ମହତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି କ୍ୟାମ୍ପରେ ଅଂଶ ଗ୍ରହଣ କରିଥିବା ସଂସ୍ଥାଗୁଡ଼ିକ ହେଲେ ଏମ୍‌ଏସ୍ ହାଇସ୍କୁଲ, ଏଏନ୍ ହାଇସ୍କୁଲ, ଏମ୍‌ପିଏଲ୍ ସ୍କୁଲ, ଭକ୍ତ ମଧୁ ପବ୍ଲିକ ସ୍କୁଲ, ରାଣିହାଟ ହାଇସ୍କୁଲ, କେଡବ୍ଲ୍ୟୁଏସ୍ ଜରିପଡା, କଖଡି ହାଇସ୍କୁଲ୍‌, ସିସି ସ୍କୁଲ, ବାଦାମବାଡି ହାଇସ୍କୁଲ, ଶୈଳଗୋବିନ୍ଦପୁର ହାଇସ୍କୁଲ, ସଇଦ୍ ସେମିନାରୀ, ଗୁରୁନାନକ ହାଇସ୍କୁଲ ଏବଂ ମହାବିଦ୍ୟାଳୟ ଭାବେ ଆଇଟିଇଆର, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଏବଂ ଆର‌୍ୟନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି।

ଏହି ଶିବିରରେ କ୍ୟାଡେଟମାନେ ଶାରୀରିକ ଅଭ୍ୟାସ, ଏନ୍‌ସିସି ବିଷୟରେ ଥିଓରୀ କ୍ଲାସ ଯଥା ଜୁଡିସିଆରୀ ଡ୍ୟୁଟିସ୍ ଅଫ୍ ଫିଲ୍ଡ ସର୍ଭିସ (ଜେଡିଏଫ୍‌ଏସ୍‌), ମ୍ୟାପ୍ ରିଡିଙ୍ଗ୍‌, ଇଣ୍ଡିଆନ୍ ଜିଓଗ୍ରାଫି ଉପରେ ଶିକ୍ଷା ଗ୍ରହଣ କରିଥିବା ବେଳେ ଗାର୍ଡ ଅଫ୍ ଅନର୍‌, ପାଇଲଟିଂ ଏବଂ ନେତୃତ୍ୱ ପ୍ରଶିକ୍ଷଣ ନେଇଥିଲେ।

  ଜୁଲାଇ ୨୯ ତାରିଖରେ ଏହି କ୍ୟାମ୍ପରେ ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରୁପ୍ କମାଣ୍ଡରଙ୍କ ଦର୍ଶନ ଓ ପ୍ରେରଣାକୁ ନେଇ କ୍ୟାଡେଟମାନଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଅତୀତ ହେଉଛି ଇତିହାସ, ଭବିଷ୍ୟତ ହେଉଛି ରହସ୍ୟ ଏବଂ ବର୍ତମାନ ହେଉଛି ଏକ ଉପହାର। ଏହା କ୍ୟାଡେଟମାନଙ୍କୁ ବର୍ତମାନର ମୂଲ୍ୟକୁ ବୁଝାଇବା ସହ ଉତମ ଜୀବନଯାପନ କରିବା ନିମନ୍ତେ ପ୍ରେରଣା ଦେଇଥିଲା।

ଏହି ଶିବିରରେ କ୍ୟାଡେଟମାନେ ଦଳୀୟ ମନୋଭାବ ଏବଂ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏହା ସହିତ ସେମାନଙ୍କ ମଧ୍ୟରେ ଏରିଆ ପ୍ରତିଯୋଗିତା ଏବଂ ବିଭିନ୍ନ ଖେଳ ପ୍ରତିଯୋଗିତା ହୋଇଥିଲା। ଯଦ୍ୱାରା ସମ୍ପୂର୍ଣ୍ଣ ଶିବିରରେ ଏକତା ବୃଦ୍ଧି ପାଇଥିଲା। 

ଅଗଷ୍ଟ ୧ ତାରିଖରେ ଏହି କ୍ୟାମ୍ପର ଉଦ୍‌ଯାପନୀ ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି କମ୍ପାନୀମାନଙ୍କୁ ପୁରସ୍କାର ବଂଟନ କରିଥଲେ। 

ଏହି ଶିବିରକୁ ୧ (ଓ) ମେଡିକାଲ୍ ୟୁନିଟ୍‌ର ମେଡିକାଲ୍ ଓସି ମେଜର ଆଶୁତୋଷ ତ୍ରିପାଠୀ ସମ୍ପୂର୍ଣ୍ଣ ଶିବିରରେ ଅଂଶ ଗ୍ରହଣ କରିଥିବା କମ୍ପାନୀମାନଙ୍କର ଚିକିତ୍ସା ଓ ସୁରକ୍ଷିତ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇଥିଲେ। 

ଲେଫ୍ଟନାଂଟ କର୍ଣ୍ଣେଲ ଶାନ୍ତନୁ ଦେ ଅନ୍ତିମ ଅଭିଭାଷଣରେ କ୍ୟାଡେଟ, ଅନ୍ୟ ଅଧିକାରୀ ଓ ସେବକମାନଙ୍କ ଦ୍ୱାରା ଏହି ଶିବିର ସଫଳତାର ସହ ସମାପନ ହେଲା ବୋଲି ଘୋଷଣା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର,  ମଇ ୨୦୨୫




ଆଇଆଇଟି ଭୁବନେଶ୍ୱର ୨୮ ମଇ ୨୦୨୫ରେ ଏହାର ଅରଗୁଳ କ୍ୟାମ୍ପସ ଅଡିଟୋରିୟମରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଏକ ଅଗ୍ରଣୀ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।

ୟୁନିସେଫ୍, ଆୟୁରାରୋଗ୍ୟ ସୌଖ୍ୟମ ଫାଉଣ୍ଡେସନ, ଆକ୍ସନ ଲ୍ୟାବ ୨୦୫୦ ଫାଉଣ୍ଡେସନ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଆଲାଏନ୍ସର ସହଯୋଗରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ଦ୍ୱାରା "ପ୍ରୋଜେକ୍ଟ ପିରିୟଡ୍: ସାନିଟେସନ୍, ହେଲ୍ଥ ଆଣ୍ଡ୍ ହାଇଜିନ୍, ଆଣ୍ଡ୍ ଏନଭାରନମେଣ୍ଟ୍ (SHE)" ଅଭିଯାନ ଅଧୀନରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱସ୍ତରୀୟ ବିଶେଷଜ୍ଞ, ଏନଜିଓ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଶିକ୍ଷକମାନଙ୍କୁ ଏକତ୍ରିତ କରି ଋତୁସ୍ରାବ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଭାବଶାଳୀ ଆଲୋଚନା ଏବଂ କାର୍ଯ୍ୟ ପରିଚାଳନା କରିବ।

ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।

ଏହି ଏକଦିନିଆ କାର୍ଯ୍ୟକ୍ରମରେ ଋତୁସ୍ରାବ ସମୟରେ ହେଉଥିବା କଳଙ୍କ, ସ୍ୱଚ୍ଛତା ଉତ୍ପାଦର ଉପଲବ୍ଧତା, ଋତୁସ୍ରାବ ଶିକ୍ଷା, ପରିବେଶଗତ ପ୍ରଭାବ ଏବଂ ମାନସିକ ସ୍ୱାସ୍ଥ୍ୟ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ଏଥିରେ ନବସୃଜନଶୀଳ ଋତୁସ୍ରାବ ଉତ୍ପାଦ ଏବଂ ସମ୍ପ୍ରଦାୟ ନେତୃତ୍ୱାଧୀନ ସଚେତନତା ପଦକ୍ଷେପର ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେବ।

କାର୍ଯ୍ୟକ୍ରମର ମୁଖ୍ୟାଂଶ:

  • ସ୍କୁଲ ଏବଂ କଲେଜ ଯାଉଥିବା ଝିଅମାନଙ୍କ ମଧ୍ୟରେ ପୁନଃବ୍ୟବହାରଯୋଗ୍ୟ ଋତୁସ୍ରାବ ଉତ୍ପାଦର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ, ପ୍ରୋଜେକ୍ଟ କେୟାର (କ୍ୟାମ୍ପସ୍ ଆକ୍ସନ୍ ଫର୍ ରିୟୁଜେବଲ୍ ଏସେନ୍ସିଆଲ୍ସ)ର ଶୁଭାରମ୍ଭ
  • କାନାରା ବ୍ୟାଙ୍କ ଦ୍ୱାରା ଦାନ କରାଯାଇଥିବା ୨ଟି ସାନିଟାରୀ ନାପକିନ ଭେଣ୍ଡିଂ ମେସିନର ଉଦଘାଟନ
  • ଉନ୍ନତ ଭାରତ ଅଭିଯାନ (ୟୁବିଏ) ଅଧୀନରେ ଆଇଆଇଟି ଭୁବନେଶ୍ୱରର ପାଳିତ ଗ୍ରାମଗୁଡିକର ହିତାଧିକାରୀମାନଙ୍କୁ ପୁନଃବ୍ୟବହାରଯୋଗ୍ୟ ପ୍ୟାଡ୍ ସେଟ୍ ବଣ୍ଟନ
  • ପ୍ରୋଜେକ୍ଟ ଅସ୍ମିତା - ମୋର ପିରିୟଡ୍, ମୋର ଗର୍ବ
  • ସରକାରୀ ପଦକ୍ଷେପ ଏବଂ ସ୍ଥାୟୀ ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ସମାଧାନ ଉପରେ ବିଶେଷଜ୍ଞ ପ୍ୟାନେଲ୍ ଆଲୋଚନା
  • ୟୁନିସେଫ୍, ଏମ୍ସ, ନେକ୍ସସ ସିଲେକ୍ଟ ଟ୍ରଷ୍ଟ, ଏବଂ ସୌଖ୍ୟମ ଫାଉଣ୍ଡେସନର ବିଶିଷ୍ଟ ପ୍ରତିନିଧିଙ୍କ ଦ୍ୱାରା ଅଭିଭାଷଣ
  • ପ୍ରୋଜେକ୍ଟ ପିରିୟଡ୍ ଅଧୀନରେ ହ୍ୟାକାଥନ୍ ଥିମ୍ ଉନ୍ମୋଚନ

ଏହି କନକ୍ଲେଭର ଲକ୍ଷ୍ୟ ହେଉଛି ଜ୍ଞାନ ଆଦାନପ୍ରଦାନ, ସହଭାଗୀତାକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଋତୁସ୍ରାବ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିବା।

ଭୁବନେଶ୍ୱର, ୨୮ ଏପ୍ରିଲ୍ ୨୦୨୫




କୋଲକତାର ଆର୍ଟ ଆଣ୍ଡ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନ ମିଶନ ଡ୍ରିମ୍ସ ପକ୍ଷରୁ ସ୍ଥାନୀୟ ଏକାମ୍ର ହାଟରେ ଏକ ଫେଶନ ସପ୍ତାହ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ରାଉରକେଲା, ଯୋଡ଼ା, ସମ୍ବଲପୁର, ବାରିପଦା, ବାଲେଶ୍ୱର, ପୁରୀ, ବଡ଼ବିଲ୍‌ର ଫେଶନ ଡିଜାଇନର ଓ ନାମୀଦାମୀ ମଡ଼େଲମାନେ ଯୋଗ ଦେଇଥିଲେ। ଏହି ସୁନ୍ଦର ପରିକଳ୍ପନା ଓଡ଼ିଶାର ଖଦୀ କୁଟୀରଶିଳ୍ପ ଉଦ୍ୟୋଗୀ ଓ ସମ୍ବଲପୁରୀ ବୁଣାକାରମାନଙ୍କୁ ଉତ୍ସାହିତ କରିବାକୁ ଆୟୋଜନ କରାଯାଇଛି ବୋଲି ମିଶନ ଡ୍ରିମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶିକା ପ୍ରିୟା ପ୍ରିୟମ୍ବଦା ନାୟକ ପ୍ରକାଶ କରିଛନ୍ତି। ଦେଶ ଓ ଦେଶ ବାହାରେ ଓଡ଼ିଶାର ହସ୍ତଶିଳ୍ପ, କୁଟୀର ଶିଳ୍ପ ତଥା ହ୍ୟାଣ୍ଡଲୁମ୍‌ର ବହୁଳ ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଏହି ପ୍ରଚେଷ୍ଟାରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଅନୁରୋଧ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ଜଣେ ଓଡ଼ିଆ ଝିଅ ପ୍ରିୟା ପ୍ରିୟମ୍ବଦା ନାୟକ ଦୀର୍ଘ ଦଶବର୍ଷ ଧରି ମୁମ୍ବାଇ, କୋଲକତା ଓ ପୁନେ ଭଳି ଅନେକ ସ୍ଥାନରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରି ଯେଭଳି ଉଚ୍ଚ ପ୍ରଶଂସିତ ହୋଇଛନ୍ତି, ତାର ଭୂୟସୀ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଖଦୀ ଓ ଗ୍ରାମଦ୍ୟୋଗ କମିଶନର ନିର୍ଦ୍ଦେଶକ ସୁବାସ ଛେତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଭାମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ସହାୟତା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ବିଶିଷ୍ଟ ଉଦ୍ୟୋଗୀ ଓ ଲେଖିକା ତଥା ଦୈନିକ ସମ୍ବାଦପତ୍ର ‘ଈଶ୍ୱର’ର ସମ୍ପାଦିକା ଶ୍ରୀମତୀ ମଞ୍ଜୁଲତା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ଝିଅ ପ୍ରିୟା ପ୍ରିୟମ୍ବଦା ନାୟକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ତାଙ୍କର ଏହି ଉଦ୍ୟମ ଯେଉଁଭଳି ଭାବେ ଜାରି ରଖିଛନ୍ତି, ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଏଥିରେ ଫେଶନ ଡିଜାଇନର ଜିତ୍ ଜଗଜିତ୍‌, ସୌରଭ ଦାସ, ଦର୍ବି ଥାପା ଏବଂ ମିଶନ ଡ୍ରିମ୍ସର ଓଡ଼ିଶା ମୁଖ୍ୟ ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୫





ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ ଏବଂ ପ୍ରତ୍ୟେକ କ୍ଷଣରୁ ଶିକ୍ଷା ଗ୍ରହଣ କରାଯାଇପାରିବ। ଶିକ୍ଷା ଗ୍ର୍ରହଣ ପ୍ରକ୍ରିୟା ସବୁବେଳେ ଜାରି ରଖିବା ଜରୁରୀ। ଏଥି ସହିତ ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଜାତୀୟ ମାନବାଧିକାରୀ କମିଶନର ସଦସ୍ୟ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ। ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ୯ମ ବାର୍ଷିକ ଉତ୍ସବ ‘ଜଷ୍ଟିସିଆ ୩.୦-୨୦୨୫’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଜଷ୍ଟିସ୍ ଷଢ଼ଙ୍ଗୀ ଆଇନ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଉପଦେଶ ଦେଇଛନ୍ତି।

ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଥିବା ଜଷ୍ଟିସ୍ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଆଇନ୍ ପେସାର ଅନୁଭୂତି ବଖାଣିବା ସହ ଏହି ବୃତିରେ ଧୈର୍ଯ୍ୟର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି କହିଥିଲେ। ବୃତିଗତ ଯାତ୍ରା ବେଶ ଜଟିଳ। ତେଣୁ ନିଜକୁ ବଂଚାଇ ରଖିବାର କଳା ଆହରଣ କରିବା ଉଚିତ୍ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। 

ସୋଆକୁ ଉଚ୍ଚ ପ୍ରଶଂସା କରି ଜଷ୍ଟିସ୍ ଷଢ଼ଙ୍ଗୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବାରୁ ଗର୍ବ ଅନୁଭବ କରିବା ଉଚିତ୍‌। ସାମାନ୍ୟ ସଫଳତାରେ ଉଲ୍ଲସିତ ନ ହୋଇ ଆହୁରି ଅଧିକ ସଫଳତା ସାଉଁଟିବା ଦିଗରେ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି କହି ଜଣେ ଆଇନଜୀବିର ଯାତ୍ରା କେବେ ଶେଷ ହୁଏ ନାହିଁ ବୋଲି ସେ ମନ୍ତବ୍ୟ ଦେଇଥିଲେ। 

ଏସ୍‌ଏନ୍‌ଆଇଏଲ୍‌ର ୫ ଜଣ ଛାତ୍ରଛାତ୍ରୀ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ବିଶ୍ୱବିଦ୍ୟାଳୟକୁ ସେ ଶୁଭେଚ୍ଛା ଜଣାଇଥିଲେ। 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ବୃତି ପ୍ରତି ଏକାଗ୍ରତା ଓ ଭଲ ପାଇବା ରହିଲେ ଛାତ୍ରଛାତ୍ରୀମାନେ ଆଗକୁ ଯାଇପାରିବେ ବୋଲି କହିଥିଲେ। ନିଜର ବୃତିଗତ ଯାତ୍ରା ବିଶ୍ୱବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ ବୋଲି ପ୍ରଫେସର ନନ୍ଦ କହିଥିଲେ। 

କାର୍ଯ୍ୟକ୍ରମରେ ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ.ଏ.କେ. ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। 

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ ଏସ୍‌ଏନ୍‌ଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସୋଆର ନିର୍ଦ୍ଦେଶକ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଶ୍ରୀ ମହେନ୍ଦ୍ର ପ୍ରସାଦ ଓ ବିଭିନ୍ନ ବିଭାଗୀୟ ନିର୍ଦ୍ଦେଶକ, ବରିଷ୍ଠ କର୍ମକର୍ତା, ଏସ୍‌ଏନଆଇଏଲ୍‌ର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ସିନିୟର ପ୍ରଫେସର ଡକ୍ଟର ମଧୁସୁଦନ ଦାସ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫




  • ସୁରକ୍ଷିତ ଘର ବାହୁଡା ଉପରେ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱ
  • ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ
  • ନିୟମ ଭଙ୍ଗକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ
  • ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ

ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା  ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି ।  ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ  ଧନଜୀବନ ହାନି ଘଟୁଛି ।  ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁ ପଡିବ ବୋଲି ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତିଭୂଷଣ ଜେନା ମତବ୍ୟକ୍ତ କରିଛନ୍ତି ।  

ଲୋକସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁ​‌ଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ସହ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିବା ଅଂଶୀଦାରମାନଙ୍କ ଠାରୁ ସଡ଼କ ସୁରକ୍ଷା  ସଂପର୍କିତ ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବା  ସହ ସମସ୍ତଙ୍କ  ମଧ୍ୟରେ ସଚେତନତା ସୃଷ୍ଟି ସହ କଡ଼ା ଦଣ୍ଡ ବିଧାନ ଓ ଜୋରିମାନା ଆଦାୟ କଡାକଡି  କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପ୍ରତ୍ୟେକଟି ଜୀବନ ଆମ ପାଇଁ ମୁଲ୍ୟବାନ ହୋଇଥିବାରୁ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ଅନୁଯାଇ ସୁରକ୍ଷିତ ଘର ବାହୁଡା ଲାଗି ଆମ ସମସ୍ତଙ୍କୁ ଉଦ୍ୟମ  କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ  ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଲେ ଯେ  ବିନା ହେଲମେଟରେ ଗାଡି ଚାଳନା ଏବଂ ଓଭର ସ୍ପିଡ ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ  ସିସିଟିଭି ନେଟୱାର୍କ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ବେଆଇନ ପାର୍କିଂ ହଟାଇବା ଏବଂ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ  ନିଜର ମତ ରଖିଥିଲେ ।  

ଉନ୍ନୟନ କମିଶନର ଶ୍ରମତୀ ଅନୁ ଗର୍ଗ ଯୋଗଦେଇ ବ୍ଲାକ ସ୍ପଟ ଚିହ୍ନଟ ସହ ୧୮ ବର୍ଷର କମ୍ ବୟସର ପିଲାଙ୍କୁ  ଗାଡିଚାଳନାରୁ କ୍ଷାନ୍ତ କରିବା, ଗ୍ରାମାଞ୍ଚଳରେ ସଡ଼କ  ସଚେତନତା ସୃଷ୍ଟି  ଓ ରୋଡ଼ ସେଫଟି ପଲିସି ଉପରେ ନିଜର ମତ ରଖିଥିଲେ ।  

ଏହି ବୈଠକରେ  ଦେଶ ଓ ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଖରାପ ଥିବା ରାସ୍ତାର ମରାମତି, ମଦ୍ୟପାନ କରି ଗାଡି  ଚାଳନାକୁ ରୋକିବା, ସିସି ଟିଭି ନେଟୱାର୍କ, ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁର୍ଘଟଣାକୁ କମ କରିବା ଦିଗରେ ନିଆଯିବାକୁ ଥିବା  ପଦକ୍ଷେପ  ବିଷୟରେ ଆଲୋଚନା ହୋଇଥିଲା ।  

୨୦୨୪ ରେ ଖୋର୍ଦ୍ଧା , ସୁନ୍ଦରଗଡ଼, କଟକ, ଗଞ୍ଜାମ ଏବଂ କେଉଁଝର ଜିଲ୍ଲାରେ ଅଧିକ ଦୁର୍ଘଟଣା ହୋଇଥିବା ରେକଡ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ହସ୍‌ପିଟାଲ,  ମନ୍ଦିର ତଥା ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।   

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ସତ୍ୟବ୍ରତ ସାହୁ, ପୁଲିସ ଡିଜି  ଶ୍ରୀ ୱାଇବି ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଓଏସଆରଟିସି ସିଏମଡି ଶ୍ରୀ ଦିପ୍ତେଶ ପଟ୍ଟନାୟକ, ପରିବହନ  କମିଶନର  ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ପୁଲିସ କମିଶନର ଶ୍ରୀ ନରସିଂହ ଭୋଳ,ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ  ସମେତ ବିଭିନ୍ନ  ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ସଦସ୍ୟମାନେ ଯୋଗ ଦେଇଥିଲେ । 


ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫



 ସୋଆ ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ନାୟୁ ଜନିତ ବ୍ୟାଧି ପାର୍କିନ୍‌ସନ୍‌ସ ଡିଜିଜ ସମସ୍ୟାରେ ଦୀର୍ଘ ବର୍ଷ ଧରି ପୀଡ଼ିତ ଥିବା ଜଣେ ୩୬ ବର୍ଷୀୟା ମହିଳାଙ୍କର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍‌) ମାଧ୍ୟମରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। 

ଏହି ଅସ୍ତ୍ରୋପଚାର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଗତ ମଙ୍ଗଳବାର ସମ ହସ୍ପିଟାଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସୂଚନା ଦେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ସମସ୍ୟା ମସ୍ତିଷ୍କରେ ସଂକ୍ରମଣ ଓ ରକ୍ତପ୍ରବାହରେ ସମସ୍ୟା ଯୋଗୁଁ ଉପୁଜିଥାଏ। ଏପରିକି ପ୍ରଦୁଷଣ ମଧ୍ୟ ଏହି ରୋଗର ଅନ୍ୟ ଏକ ପ୍ରମୁଖ କାରଣ ହୋଇପାରେ। ଏହି ରୋଗରେ ହାତ ଓ ଗୋଡ ଥରିଥାଏ, ପାଟିରୁ ଲାଳ ମଧ୍ୟ ବୋହିଥାଏ। ମଣିଷ ଦୈନନ୍ଦିନ କାର୍ଯ୍ୟ କରିବାରେ ଅକ୍ଷମ ହୋଇପଡ଼େ। 

ପୂର୍ବରୁ ଏହି ସମସ୍ୟାକୁ କେବଳ ଔଷଧ ମାଧ୍ୟମରେ ଚିକିତ୍ସା କରାଯାଉଥିବା ବେଳେ ଏବେ ଅସ୍ତ୍ରୋପଚାର ମାଧ୍ୟମରେ ଏହାର ଚିକିତ୍ସା କରାଯାଉଥିବା ପ୍ରଫେସର ମହାପାତ୍ର କହିଥିଲେ। 

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ସର୍ଜରୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କରାଯାଇଛି। ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଥିବା ସେ କହିଛନ୍ତି। 

ମହିଳା ଜଣକ ଦୀର୍ଘ ବର୍ଷ ଧରି ପାର୍କିନ୍‌ସନ୍‌ସ ବ୍ୟାଧିରେ ପୀଡ଼ିତ ଥିବା ବେଳେ ତାଙ୍କ ସମସ୍ୟା ଗଭୀର ହେବାକୁ ଲାଗିବାରୁ ତାଙ୍କର ମସ୍ତିଷ୍କରେ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍‌) ଅସ୍ତ୍ରୋପଚାର କରାଯାଇ ତାଙ୍କ ଜୀବନ ଶୈଳୀକୁ ସରଳ କରାଯିବାର ପ୍ରଚେଷ୍ଟା କରାଯାଇଛି ବୋଲି କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ସମ୍ ହସ୍ପିଟାଲ୍‌ର ନ୍ୟୁରୋ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲୁଲୁପ୍ କୁମାର ସାହୁ। 

ରୋଗ ସମ୍ପର୍କରେ ଅଧିକ ସୂଚନା ଦେଇ ପାର୍କିନ୍‌ସନ୍‌ସ ଡିଜିଜ୍ ଆଣ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସାହୁ କହିଛନ୍ତି ଯେ ଏହି ସମସ୍ୟା ୪ ଓ ୫ ବର୍ଷ ରୁ ଅଧିକ ସମୟ ରହିଲେ ଔଷଧ ଆଉ କାମ କରି ନଥାଏ। ତେଣୁ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ। ପ୍ରାୟତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଉଥିବା ବେଳେ ବର୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ପରିଲକ୍ଷିତ ହେଉଛି ବୋଲି ପ୍ରଫେସର (ଡାକ୍ତର) ସାହୁ କହିଛନ୍ତି। ଯଦିଓ ଏହି ଅସ୍ତ୍ରୋପଚାର ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନଥାଏ ତେବେ ଏହା ଜୀବନ ଶୈଳୀର ମାନକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ। 

ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏହି ଅସ୍ତ୍ରୋପଚାର ପାଇଁ ପ୍ରାୟ ୭ ରୁ ୮ ଘଂଟା ସମୟ ଲାଗିଥାଏ। ଅସ୍ତ୍ରୋପଚାର ସମୟରେ ରୋଗୀ ଜଣକ ସଚେତନ ଥାଏ ବୋଲି ପ୍ରଫେସର (ଡାକ୍ତର) ପାଣିଗ୍ରାହୀ କହିଥିଲେ। 

ମସ୍ତିଷ୍କର କୋଷିକାରେ ଡୋପାମାଇନ୍ ଉତ୍ପାଦନର ମାତ୍ରା କମିଗଲେ ଏହି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି। ଏହି ସମସ୍ୟାରେ ମଣିଷ ଚାଲିପାରି ନଥାଏ, ଲେଖି ପାରି ନଥାଏ, ହାତ ଏବଂ ଗୋଡ ଥରିଥାଏ ଓ ସ୍ୱର କ୍ଷୀଣ ହୋଇଯାଇଥାଏ ବୋଲି ସେ କହିଥିଲେ। 

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ସାହୁ ଏବଂ ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ରାମ ଚନ୍ଦ୍ର ଦେଓ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୪





ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା । ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି । ଏହାକୁ କିଟ୍‍କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉଦ୍‍ଘାଟନ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଲେଜର ମେସିନ୍‍ ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ହୃଦରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ।

ପାରମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ୱାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମିଲିଡ୍‍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍‍ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍‍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍‍ସର ବରିଷ୍ଠ ହୃଦ୍‍ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ୱାରା ଆମେ ଅତ୍ୟାଧୁନିକ ହୃଦରୋ ଗ ଚିକିତ୍ସା ଯୋଗାଇ ଦେଇପାରୁଛୁ । ଏଭଳି ଚିକିତ୍ସା ପୂର୍ବରୁ ଆମ ରାଜ୍ୟରେ ସମ୍ଭବ ହୋଇପାରୁ ନଥିଲା । ରୋଗୀର ଆର୍ଟେରୀରେ ବ୍ଲକେଜ୍‍ କିମ୍ବା ପେସ୍‍ମେକର୍‍ ଲିଡ ରିମୁଭାଲ ଭଳି ଜଟିଳ ପ୍ରକ୍ର୍ରିୟା ଏବେ ସହଜରେ ହୋଇପାରୁଛି । ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଏହି ଲେଜର ମେସିନ୍‍ କମ୍‍ ବୟସର ରୋଗୀଙ୍କୁ ହୃଦ୍‍ ସମସ୍ୟାରୁ ମୁକ୍ତ କରିପାରୁଛି ।

କିମ୍‍ସ ହୃଦରୋଗ ବିଭାଗ ମୁଖ୍ୟ ଡା. ଶୁଭାଶିଷ ମିଶ୍ର କହିଛନ୍ତି ଏହି ଯନ୍ତ୍ର ଦ୍ୱାରା ରକ୍ତ ଜମାଟ ଓ ବ୍ଲକେଜ ଆଦି ସମସ୍ୟା ଅତି ସହଜରେ ସମାଧାନ ହୋଇପାରୁଛି । ଏହା ସହିତ ଜଟିଳ କରୋନାରୀ ହୃଦରୋଗର ଚିକିତ୍ସା କରିବା ସହ ରୋଗୀଠାରେ ଥିବା ଷ୍ଟେଣ୍ଟ ଜନିତ ବିପଦରୁ ହ୍ରାସ କରିଥାଏ ।

ସୂଚନାଯୋଗ୍ୟକିମ୍‍ସ ପ୍ରଦ୍ୟୁମ୍ନ ବଳ ମେଡିକାଲ୍‍ରେ ହୃଦରୋଗ ବିଭାଗରେ ସର୍ବାଧୁନିକ ଯନ୍ତ୍ରପାତି ସହ ଅତ୍ୟାଧୁନିକଦକ୍ଷ ଓ ଉଚ୍ଚ ତାଲିମ ପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ହୃଦରୋଗ ଚିକିତ୍ସା କରାଯାଇଥାଏ । ଡା ଅନୁପମ ଜେନାଡା ଶୁଭାଶିଷ ମିଶ୍ରଡା ପଞ୍ଚାନନ ସାହୁ ଓ ଡା ଚନ୍ଦନ କୁମାର ରାୟ ମହାପାତ୍ରଙ୍କ ଭଳି ଅନୁଭବୀ ଡାକ୍ତରମାନେ ରୋଗୀସେବା ଯୋଗାଇ ଦେଉଛନ୍ତି ।

ଭୁବନେଶ୍ୱର, ୧୨ ଡିସେମ୍ବର ୨୦୨୪



C:\Users\pathani\Downloads\WhatsApp Image 2024-12-12 at 7.09.39 PM.jpeg

ଭାରତୀୟ ଉପକୂଳ ସମୁଦାୟ (ଇସିଆରଆଇସିସି) ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ପରିସରରେ  କଙ୍କଡ଼ା ଚାଷ କରୁଥିବା କୃଷକ ଓ ରପ୍ତାନିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ କଙ୍କଡ଼ା ଚାଷୀ, ରପ୍ତାନିକାରୀ, ସରକାରୀ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞମାନେ ଏକତ୍ରିତ ହୋଇ ନିରନ୍ତର ଜଳଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ସହ କିପରି ଏ କ୍ଷେତ୍ରରେ ସୁଦୃଢ଼ ବଜାର ସଂଯୋଗୀକରଣ ହୋଇପାରିବ, ସେ ସଂପର୍କରେ ଆଲୋଚନା କରିଥିଲେ

      ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ପରିବେଶ-ତଥା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ଏବଂ  ଇସିଆରସିସି ପ୍ରକଳ୍ପ, ଓଡ଼ିଶାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମ କୁମାର ଝା  ଉଦଘାଟନ କରି  ଓଡ଼ିଶାର ମତ୍ସ୍ୟଚାଷ କ୍ଷେତ୍ରକୁ ସୁଦୃଢ଼ କରିବାରେ ମାଟି କଙ୍କଡ଼ା ଜଳଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ  କରିଥିଲେ ଏହି ପଦକ୍ଷେପ କିପରି ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଗୋଷ୍ଠୀ ସମୁଦାୟର  ଆୟ ପାଇଁ ସ୍ଥାୟୀ ଉତ୍ସ ହେବା ପାଇଁ  ସୁନିଶ୍ଚିତ କରିବ, ସେ ବିଷୟରେ  ଆଲୋକପାତ କରିଥିଲେ ପ୍ରକଳ୍ପର ଅଗ୍ରଗତି, କଙ୍କଡ଼ା ରପ୍ତାନିରେ ଆହ୍ୱାନ ଓ ସୁଯୋଗ ଏବଂ ଅଂଶୀଦାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମରେ  ଆଲୋଚନା କରାଯାଇଥିଲା କାର୍ଯ୍ୟକ୍ରମରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ(ଏମ୍ପିଇଡିଏ)ର ଉପନିର୍ଦ୍ଦେଶକ ଡ. ଅର୍ଚ୍ଚିମାନ ଲାହିରୀ ଆନ୍ତର୍ଜାତିକ ବଜାରରେ ଉନ୍ନତମାନର ମାଟି କଙ୍କଡ଼ାର ଚାହିଦା ବୃଦ୍ଧି ପାଉଥିବା ଏବଂ ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରପ୍ତାନିକାରୀ ଭାବେ ଉଭା ହେବାର ପ୍ରଚୁର ସମ୍ଭାବନା ରଖୁଥିବା  ଉପରେ ସେ ଆଲୋକପାତ କରିଥିଲେ

ସବୁଜ ଜଳବାୟୁ ପାଣ୍ଠି ସହାୟତାରେ  ଇସିଆରଆଇସିସି ପ୍ରକଳ୍ପ ବିଶେଷ କରି ଓଡ଼ିଶା ଏବଂ ଅନ୍ୟ ଦୁଇଟି ରାଜ୍ୟ ଯଥା ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଆର୍ଥିର ଦୁର୍ବଳ ଉପକୂଳବର୍ତ୍ତୀ ଜନସଂଖ୍ୟାର ଜୀବିକାକୁ ସୁଦୃଢ଼ କରିବାର  ଲକ୍ଷ୍ୟ ରଖିଛି ଏହି ପ୍ରକଳ୍ପ ଜଳବାୟୁ ଅନୁକୂଳ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ  ପ୍ରତି ଉପକୂଳବର୍ତ୍ତୀ ଗୋଷ୍ଠୀ ସମୁଦାୟର ସ୍ଥିରତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛି

ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ତତ୍ତ୍ୱାବଧାନରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଓଡ଼ିଶାର ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ୪ଟି ଜିଲ୍ଲାର ୭ଟି ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ପ୍ରକଳ୍ପର ଗୁଣାତ୍ମକ ନିଶ୍ଚିତତା ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି),  ସବୁଜ ଜଳବାୟୁ ପାଣ୍ଠିର ସରକାରୀ ଏଜେନ୍ସି ଅଟନ୍ତି ।  

୨୦୨୫ ର ଯୋଜନାଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରରେ ଆହୁରି ଅଧିକ କୃଷକମାନଙ୍କୁ ଚିହ୍ନଟ , କଙ୍କଡ଼ା ଜଳଚାଷ ପ୍ରଣାଳୀ ଅଭ୍ୟାସ ବୃଦ୍ଧି ଏବଂ ଓଡ଼ିଶାରେ ଏକ ଉତ୍ସର୍ଗୀକୃତ କଙ୍କଡ଼ା ହାଚେରୀ  ପ୍ରତିଷ୍ଠା କରିବା ଅନ୍ତର୍ଭୁକ୍ତ ଯାହା ଦ୍ୱାରା ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କଙ୍କଡ଼ା ଯାଆଁଳ  ଯୋଗାଣ ନିରନ୍ତରତାକୁ ସୁନିଶ୍ଚିତ କରିବ କୃଷକଙ୍କ ସମେତ ସମ୍ପୃକ୍ତ ସମସ୍ତଙ୍କ ଦକ୍ଷତା ବୃଦ୍ଧି ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ କାର୍ଯ୍ୟ ହେବ। ଅନ୍ତର୍ଜାତୀୟ ବଜାରରେ କୃଷକଙ୍କ ପ୍ରବେଶକୁ ସହଜ କରିବା, ଗୁଣବତ୍ତା ଯାଞ୍ଚ ଏବଂ ରପ୍ତାନି ଇତ୍ୟାଦିରେ ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତିତ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା

ଏହି କର୍ମଶାଳାରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏମ୍ପିଇଡିଏ), ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଧିକାରୀ, ପଶ୍ଚିମବଙ୍ଗ ଓ ତାମିଲନାଡୁର ରପ୍ତାନିକାରୀମାନେ ଯୋଗଦେଇଥିଲେ ଇସିଆରଆଇସିସିର ରାଜ୍ୟ ପ୍ରକଳ୍ପ ପରିଚାଳିକା ଡ. ସ୍ପନ୍ଦିତା କର ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ରପ୍ତାନିକାରୀଙ୍କ ମଧ୍ୟରେ ଭାଗିଦାରୀ ସ୍ଥାପନ ଓଡ଼ିଶାର ଉପକୂଳବର୍ତ୍ତୀ ସମୁଦାୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଦୃଢ ଆଶା ପ୍ରକାଶ ପାଇଛି 

ଭୁବନେଶ୍ୱର,  ଡିସେମ୍ବର ୨୦୨୪





ଜଳବାୟୁ ପରିବର୍ତନ ଏବେ ଆଉ ଗଳ୍ପ ନୁହେଁ, ଏହା ବାସ୍ତବ। ସାରା ପୃଥିବୀରେ ଏହାର ପ୍ରଭାବ ଅନୁଭୂତ ହେଉଛି। ଏହାକୁ ପ୍ରତିହତ କରିବା ନିମନ୍ତେ ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। 

ଜଳବାୟୁ ପରିବର୍ତନ ଆଉ କାହାଣୀ ନୁହେଁ ଏହା ଏକ ଭୈାଗଳିକ ତଥା ପ୍ରତ୍ୟକ୍ଷ ଭାବେ ଅନୁଭୂତ ହେଉଥିବା ଘଟଣା ଯାହାର ସ୍ଥାନୀୟ ଭାବେ ଯଥେଷ୍ଟ ପ୍ରଭାବ ରହିଛି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି। ପ୍ରଫେସର ରାଉଳ ରବିବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ (ସୋଆ)ରେ ଆୟୋଜିତ ‘ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଥିଲେ। ଏହି କନ୍‌କ୍ଲେଭ୍‌କୁ ଶିକ୍ଷା ଓ ଅନୁସନ୍ଧାନ ଓ ଏଭର ଗ୍ରୀନ୍ ଫୋରମ୍ ଦ୍ୱାରା ବିଶ୍ୱ ଜଳବାୟୁ ଦିବସ ଉପଲକ୍ଷେ ଆୟୋଜିତ କରାଯାଇଥିଲା। 

ପ୍ରଫେସର ରାଉଳ କହିଥିଲେ ଯେ ଜଳବାୟୁ ପରିବର୍ତନର ପ୍ରଭାବ ସବୁଆଡ଼େ ପରିଲକ୍ଷିତ ହେଉଛି। ଏପରି ସମୟ ମଧ୍ୟକୁ ମାନବ ସମାଜ ପ୍ରବେଶ କରୁଛି ଯେତେବେଳେ କେବଳ ଦୁଇଟି ଋତୁ, ଶୁଷ୍କ ଓ ଆର୍ଦ୍ର ଭବିଷ୍ୟତରେ ଅନୁଭୂତ ହେବ। ଏହି ପରିବର୍ତନ ଫଳରେ ଓଡ଼ିଶାରେ ଗହମ ଚାଷ ହୋଇପାରୁ ନାହିଁ ଏବଂ ଭବିଷ୍ୟତରେ ସୋରିଷ ଚାଷ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି ବୋଲି ସେ କହିଥିଲେ। 

ଏହି କନ୍‌କ୍ଲେଭର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୁନେ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜିର ନିର୍ଦ୍ଦେଶକ ଡକ୍ଟର ଆର. କ୍ରିଷ୍ଣନ୍‌, ମିଜୋରାମର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବିଶ୍ୱାଳ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଏଭର ଗ୍ରୀନ୍ ଫୋରମ୍‌ର ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା ବକ୍ତବ୍ୟ ରଖିଥିଲେ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। 

ଡକ୍ଟର କ୍ରିଷ୍ଣନ୍ ଜଳବାୟୁ ପରିବର୍ତନକୁ ମନୁଷ୍ୟକୃତ ବୋଲି ଅଭିହିତ କରି ଏହା ବାୟୁମଣ୍ଡଳ, ସମୁଦ୍ର ଓ ଭୂଭାଗକୁ ଉତପ୍ତ କରି ଚାଲିଛି ବୋଲି କହିଥିଲେ। ଆମେ ଯେଉଁ ପରିବର୍ତନ ଏବେ ଅନୁଭବ କରୁଛୁ ତାହା ଭବିଷ୍ୟତରେ ଆହୁରି ଅଧିକ ଅନୁଭୂତ ହେବ ବୋଲି ସେ କହିଥିଲେ। ଶ୍ରୀ ବିଶ୍ୱାଳ ମିଜୋରାମକୁ ଭାରତର ସବୁଠାରୁ ସ୍ୱଚ୍ଛ ରାଜ୍ୟ ବୋଲି ବର୍ଣ୍ଣନା କରି ବିଭିନ୍ନ କ୍ଷେତ୍ରରେ ଏହା ରାଜ୍ୟର ଜନସାଧାରଣଙ୍କ ମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ। 

ପରିବେଶ ସଂରକ୍ଷଣ ନିମନ୍ତେ ଦୃଢ଼ ପଦକ୍ଷେପ ନ ନେଲେ ଜଳବାୟୁ ପରିବର୍ତନକୁ ପ୍ରତିହତ କରିହେବ ନାହିଁ ବୋଲି ମତ ପ୍ରକାଶ କରି ବିକାଶ ନିମନ୍ତେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ତଥା କୃଷିକ୍ଷେତ୍ରରେ ଅନୁସୃତ ହେଉଥିବା ପ୍ରଣାଳୀର ନକାରାତ୍ମକ ପ୍ରଭାବ ପଡ଼ୁଥିବା ବିଷୟ ସେ ଉଲ୍ଲେଖ କରିଥିଲେ। 

ଜଳ ସଂପଦର ଉଚିତ୍ ବ୍ୟବହାର ନ କଲେ ଓ ନବୀକରଣକ୍ଷମ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ନ ଦେଲେ ଜଳବାୟୁ ପରିବର୍ତନର ମୁକାବିଲା କରିବା ସହଜ ହେବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। 

ସ୍ଥାନୀୟ ଭାବେ ଉପଲବ୍ଧ ଜ୍ଞାନ କୁ ମଧ୍ୟ ଏହି ପ୍ରକାର ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ବ୍ୟବହାର କରିବା ଆବଶ୍ୟକ ବୋଲି କହି ଜନସାଧାରଣ ଏକ ହୋଇ ଏହାର ମୁକାବିଲା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ୧୯୫୮ ମସିହାରେ ମିଜୋରାମରେ ଉପୁଜିଥିବା ଦୁର୍ଭିକ୍ଷ ସମୟରେ ଭୀଷଣ ଖାଦ୍ୟାଭାବ ଘଟିଥିଲା। ମାତ୍ର ରାଜ୍ୟର ଲୋକମାନେ ସେମାନଙ୍କ ଠାରେ ଉପଲବ୍ଧ ଖାଦ୍ୟକୁ ସମସ୍ତଙ୍କ ସହ ଅଂଶୀ ହେବା ଫଳରେ ସମସ୍ତେ ବଂଚି ପାରିଥିଲେ ବୋଲି ସେ କହିଥିଲେ। 

ପ୍ରଫେସର ରାଉତ କହିଥିଲେ ଯେ ଜଳବାୟୁ ପରିବର୍ତନ କୃଷି କ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି। ବୃଦ୍ଧି ପାଉଥିବା ଉତାପ, ବୃଷ୍ଟିପାତରେ ଅନିୟମିତତା ଏବଂ ବାରମ୍ବାର ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ କୃଷି ନିମନ୍ତେ ସମସ୍ୟା ସୃଷ୍ଟି କରୁଥିବା ବେଳେ ଉତ୍ପାଦନରେ ଏବଂ ମୃତିକାର ଗୁଣବତାରେ ହ୍ରାସ ଘଟୁଛି। 

ପ୍ରଫେସର ନନ୍ଦ କହିଥିଲେ ଯେ ଜଳବାୟୁ ପରିବର୍ତନ ଏକ ବିଶ୍ୱବ୍ୟାପୀ ଘଟଣା ହୋଇଥିବା ବେଳେ ଏହାକୁ ଏକ ସ୍ଥାନୀୟ ବିଷୟ ବୋଲି ସାଧାରଣ ଭାବେ ମନେ କରାଯାଉଥିଲା। ବିକାଶ ଉପରେ ଆମର ଦୃଷ୍ଟି ନିବଦ୍ଧ ହୋଇଥିବା ବେଳେ ଏହା ଦ୍ୱାରା ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ଆମେ ଅଣଦେଖା କରିଥିଲୁ। ଏବେ ପ୍ରକୃତି ଆମ ଉପରେ ଦାଉ ସାଧୁଛି। 

ଏହି କନ୍‌କ୍ଲେଭ୍‌ର ବିଭିନ୍ନ ଅଧିବେଶନରେ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ)ର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି, ଇନ୍‌ଟରନ୍ୟାସ୍‌ନାଲ୍ ସୋସାଇଟି ଫର୍ ଏଗ୍ରିକଲ୍‌ଚରାଲ୍ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ଆଇଏମ୍‌ଡି ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି, ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ମହାନ୍ତି, ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଆଇସିଏଆର-ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ପଣ୍ଡା ଓ ସୋଆର ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନ୍ସ ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ବକ୍ତବ୍ୟ ରଖିଥିଲେ।

ଭୁବନେଶ୍ୱର, ୧୧ ନଭେମ୍ବର ୨୦୨୪


ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରୋଡ୍‌ମ୍ୟାପ ପ୍ରସ୍ତୁତି ପାଇଁ ନିଷ୍ପତ୍ତି 

‘ବିସ୍ମୃତ ଖାଦ୍ୟର ମହକ - ଓଡ଼ିଶାର ଖାଦ୍ୟ ସମ୍ଭାର’ ଓ ଆଦି ଅନ୍ନ ପୁସ୍ତକ ଉନ୍ମୋଚିତ


କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ନେଇ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ଯୋଗ ଦେଇଥିବା ଅଂଶଗ୍ରହଣକାରୀମାନେ ମତବ୍ୟକ୍ତ କରିଥିଲେ । 

ଉଦଯାପନୀ ସମାରୋହରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜଳବାୟୁ ସହନଶୀଳ ଓ ପାରମ୍ପରିକ ଖାଦ୍ୟକୁ ପୁନରୁଦ୍ଧାର କରିବା ଦିଗରେ ପ୍ରୟାସ ଜାରି ରଖିବୁ । ଚିରନ୍ତନ କୃଷି ଓ ଖାଦ୍ୟ ନିରାପତ୍ତାକୁ ସୁଦୃଢ କରିବା ନେଇ ମିଳିମିଶି କାର୍ଯ୍ୟ କରିବୁ । ବିଭାଗର ଏହି ପ୍ରୟାସକୁ ସମର୍ଥନ କରୁଥିବା ହିତାଧିକାରୀ ଓ ସଂଗଠନମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରିବା ଦିଗରେ ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓଡ଼ିଶାରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟର ପୁନଃରୁଦ୍ଧାର କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । 

ସମ୍ମିଳନୀରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ କହିଛନ୍ତି ଯେ, ଶ୍ରୀ ଅନ୍ନ ଆମ ପାଇଁ ଖାଦ୍ୟର ଉତ୍ସ ହେବା ସହ ଏହା ଆମର ଐତିହ୍ୟ ଓ ଭବିଷ୍ୟତ ଅଟେ । ଏହାକୁ ପୁନରୁଦ୍ଧାର କରିବା ନିମନ୍ତେ ସମସ୍ତଙ୍କ ଖାଦ୍ୟଥାଳିରେ ସାମିଲ କରିବାକୁ ହେବ । ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କୁ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ମାଣ୍ଡିଆ ଦିଆଯିବା ପାଇଁ ସରକାର ଯୋଜନା କରୁଛନ୍ତି । ପୁରୁଣା ସମୟର ଲୋକଙ୍କ ଖାଦ୍ୟାଭ୍ୟାସ ସବୁଠାରୁ ଉତ୍କୃଷ୍ଟ ଥିଲା କିନ୍ତୁ ଆଜିକାଲି ଆମେ ବିଦେଶୀ ଖାଦ୍ୟକୁ ଅନୁକରଣ କରି ଆମ ନିଜସ୍ୱ ଖାଦ୍ୟକୁ ଅବହେଳା କରୁଛେ । ତେଣୁ ନିଜସ୍ୱ ଖାଦ୍ୟକୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଯେତେବେଳେ ମା’ମାନେ ଶ୍ରୀ ଅନ୍ନକୁ ଆପଣାଇବେ, ସେତେବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆହୁରି ଉନ୍ନତି ହେବ । ମିଲେଟ୍‌ ଶକ୍ତି କାଫେ, ଟିଫିନ ସେଣ୍ଟର ଏବଂ ମିଲେଟ୍‌ ମଦର କାର୍ଯ୍ୟକ୍ରମରେ ଆମେ ଆଦିବାସୀ ସମ୍ପ୍ରଦାୟଙ୍କୁ ସାମିଲ କରି ଏହି ଜଳବାୟୁ ସହନଶୀଳ ଶସ୍ୟକୁ ଆହୁରି ବ୍ୟାପକ କରିପାରିବା । ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀମାନେ ୩୦ଟି ଜିଲ୍ଲାରେ ୧୭୭ଟି ବ୍ଲକ୍‌ରେ ମିଲେଟ୍‌ର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି ଏବଂ ମିଶନ ଶକ୍ତି ଦ୍ୱାରା ପରିଚାଳିତ ୨୬୩ଟି ମିଲେଟ୍‌ ଟିଫିନ୍‌ ସେଣ୍ଟର ରାଜ୍ୟରେ ରହିଥିବାବେଳେ ୩୩ଟି ମିଲେଟ୍‌ କାଫେ ଖୋଲାଯାଇଛି । 

ସମ୍ମିଳନୀରେ ଅନ୍ୟତମ ଅତିଥିଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଷ୍ଟ୍ର ନିର୍ଦ୍ଦେଶିକା ଏଲିଜାବେଥ ଫୌର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀ ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଯୋଗ ଦେଇଥିଲେ । 

ଏହି ଦ୍ୱିିଦିବସୀୟ ସମ୍ମିଳନୀର ୨ୟ ଦିବସରେ ବିସ୍ମୃତ ଖାଦ୍ୟ ଶସ୍ୟର ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ଜନଜାତି ସମ୍ପ୍ରଦାୟଙ୍କ ଅଭିଜ୍ଞତା, ଅବହେଳିତ ଫସଲକୁ ବ୍ୟାପକ କରିବା ଏବଂ ବିସ୍ମୃତ ଖାଦ୍ୟଶସ୍ୟର ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଦେବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ ଉଦ୍ୟୋଗୀଙ୍କ ଦ୍ୱାରା ଅବହେଳିତ ଖାଦ୍ୟଶସ୍ୟ ଓ ବିସ୍ମୃତ ଖାଦ୍ୟର ବ୍ୟବସାୟୀକରଣ ଓ ଉଦ୍ୟୋଗୀକରଣ, ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ୱ ପାଇଁ ଦୀର୍ଘମିଆଦି ଆଭିମୁଖ୍ୟ, ଖାଦ୍ୟ ସଂସ୍କୃତିର ବିସ୍ମୃତ ଖାଦ୍ୟଶସ୍ୟ ଓ ସମ୍ପ୍ରଦାୟର ଯୋଗଦାନ ଭଳି ୫ଟି ବିଷୟବସ୍ତୁକୁ ନେଇ ଆୟୋଜିତ ଅଧିବେଶନରେ ଆଲୋଚନା କରାଯାଇଥିଲା । 

ଏହି ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍‌, ସେଫ୍‌ ସଂଗଠନ, ବ୍ଲଗର୍‌ ଏବଂ ଛାତ୍ରଛାତ୍ରୀଙ୍କ ସମେତ ବହୁ ହିତାଧିକାରୀଙ୍କୁ ସାମିଲ କରାଯାଇ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକ ସମ୍ପ୍ରଦାୟଙ୍କ ଦ୍ୱାରା ଅଭିନବ ତଥା ଚିରନ୍ତନ କୃଷି ପଦ୍ଧତି, ଜୈବବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । 

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ, ଜାତୀୟ ପୋଷଣ ପ୍ରତିଷ୍ଠାନ, ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ, ଓଡିଶା ହୋଟେଲ ଓ ରେସ୍ତୋରାଁ ଆସୋସିଏସନ୍‌, ଏମ୍‌. ଏସ୍‌. ସ୍‌ାମୀନାଥନ୍‌ ଗବେଷଣା ପ୍ରତିଷ୍ଠାନ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, ବାୟୋଭରସିଟି ଇଣ୍ଟରନାସନାଲ, ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ପ୍ରାଧିକରଣ ଆଦି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ବିଭିନ୍ନ ସଂଗଠନ ସମେତ ମିଶନ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ । 

ଏହି ଅବସରରେ ‘ବିସ୍ମୃତ ଖାଦ୍ୟର ମହକ - ଓଡ଼ିଶାର ଖାଦ୍ୟ ସମ୍ଭାର’ ଶୀର୍ଷକ ରନ୍ଧନ ପୁସ୍ତକ, ପୁଷ୍ଟିଶସ୍ୟଭିତ୍ତିକ ଆଦି ଅନ୍ନ ପୁସ୍ତକ ଓ ଅମଳ ପରବର୍ତ୍ତୀ ପଡିଆ ଜମି ପରିଚାଳନାର ସଂକଳନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । 

ଏହି ଅବସରରେ ପୁଷ୍ଟିଶସ୍ୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଟକ ଜିଲ୍ଲାର ଦୁଲଣପୁର, ନବରଙ୍ଗପୁର ଜିଲ୍ଲାର ସାଲିନି ଏବଂ ବଲାଙ୍ଗୀର ଜିଲ୍ଲାର ଶ୍ୟାମା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା । କୋରାପୁଟ ଜିଲ୍ଲାର ଜୈବିକ ଶ୍ରୀ ଏଫପିସିଏଲ୍‌, ନୂଆପଡାର ଉଦନ୍ତି ଏଫପିସିଏଲ୍‌, ବରଗଡର ବୁଢ଼ସମ୍ବର ଦଳ ଓ ଭେଜିଟେବୁଲ ପିସି ଲିମିଟେଡ଼, ଗାଇସିଲଟ୍‌କୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃଷକ ଉତ୍ପାଦକ ସଂଗଠନ ଭାବେ ପୁରସ୍କୃତ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଦିଶା, ନୂଆପଡାର ସିପିଏସଡବ୍ଲì ଏବଂ ଗଞ୍ଜାମ ଜିଲ୍ଲାର ଏସଏସିଏଏଲଙ୍କୁ ଶ୍ରେଷ୍ଠ ସହାଭାଗୀ ସଂସ୍ଥା ଭାବେ ପୁରସ୍କୃତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ମା’ ବସୁନ୍ଧରା ମହାସଂଘ ବିଏଲଏଫ୍‌, କୋରାପୁଟର ରାଜପୁତ ଜିପିଏଲଏଫ୍‌ ଏବଂ କେନ୍ଦୁଝର ଜିଲ୍ଲାର ଶ୍ରଦ୍ଧାଞ୍ଜଳି ସ୍ୱୟଂ ସହାୟକ ଗୋଷ୍ଠୀକୁ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ମାନିତ କରାଯାଇଛି । ବିସ୍ମୃତ ଖାଦ୍ୟକୁ ନେଇ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜେତାଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହା ସହ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ଅନୁପମ ଘୋଷଙ୍କ ଦ୍ୱାରା ମ୍ୟାଜିକ୍‌ ସୋର ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଗୁରୁବାର କ୍ୟାମ୍ପସ୍ -୪ ରେ ପାର୍ବଣର ବିଶେଷ କାର୍ଯ୍ୟକ୍ରମ ‘ମା’ ଅନୁ ିତ ହୋଇଯାଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଏଟିଭୋର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କର ଅଂଶ ଗ୍ରହଣକୁ ଉତ୍ସାହିତ କରିଥିଲେ। 

ଏହି ଉତ୍ସବରେ ସୋଆର ପରୀକ୍ଷକ ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇଥିଲେ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରିଏଟିଭୋ ଆବାହକ ଡକ୍ଟର ଭୁବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ। 

ଏହି ଅବସରରେ କ୍ରିଏଟିଭୋର ନବ ନିର୍ମିତ କକ୍ଷ ଲୋକାର୍ପିତ ହୋଇଥିବା ବେଳେ ବାର୍ଷିକ ବିବରଣୀ ମଧ୍ୟ ଉନ୍ମୋଚନ ହୋଇଥିଲା। 

ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆଧାରିତ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କ୍ରିଏଟିଭୋ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ଆଇଏଏସ୍‌ର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ଡକ୍ଟର ଦୀପାଲି ଦାସ ମଂଚ ସଂଯୋଜନା କରିଥିବା ବେଳେ ଶ୍ରୀମତି ଲୋପାମୁଦ୍ରା ମହାନ୍ତି, କ୍ରିଏଟିଭୋର ଉପଦେଷ୍ଟା ପ୍ରଫେସର ବିବୁଧ ପରାଶର ଓ ଅନ୍ୟାନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ପକ୍ଷରୁ ସାରା ଭାରତରେ ଚାଲିଥିବା ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ ହୋଇଯାଇଛି   ଖଣି ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱେଚ୍ଛାକୃତ 'ଶ୍ରମ ଦାନ' କାର୍ଯ୍ୟକଳାପ ଏବଂ ସ୍ୱଚ୍ଛତା ପାଇଁ ସାମୂହିକ ଦାୟୀତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପକ୍ଷ ପାଳନ କରାଯାଇଥିଲା।


ସି.ଏମ୍.ଡି. ଶ୍ରୀ ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ କମ୍ପାନୀର ସମସ୍ତ ପରିଚାଳନା ୟୁନିଟ୍ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ, ସି. ଆଇ. ଏସ୍. ଏଫ୍. କର୍ମଚାରୀ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ। ଏହି ପକ୍ଷ ପାଳନ ଅବସରରେ, ନାଲକୋ ପକ୍ଷରୁ ସାମୂହିକ ସ୍ୱଚ୍ଛତା ଅଭିଯାନ, ସାମୂହିକ ବୃକ୍ଷରୋପଣ ଅଭିଯାନ, ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସହ ସଫେଇ ମିତ୍ର ମାନଙ୍କୁ  ପି.ପି.ଇ. ତଥା ସୁରକ୍ଷା/ସ୍ଵଚ୍ଛତା କିଟ୍ ଇତ୍ୟାଦି ବଣ୍ଟନ କରଯାଇଥିଲା। ଏହା ବ୍ୟତୀତ, ପନ୍ଦର ଦିନ ଧରି ଚାଲିଥିବା ଅଭିଯାନରେ କୁଇଜ୍, ଚିତ୍ରକଳା ପ୍ରତିଯୋଗିତା, କବିତା ଆବୃତ୍ତି ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀ, ଛାତ୍ର ଏବଂ ବିଭିନ୍ନ ବର୍ଗର ସହଭାଗୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। 


ନାଲକୋ ଅନୁଗୋଳ ଓ ଦାମନଯୋଡ଼ି ଠାରେ ଥିବା ପରିଚାଳନା ୟୁନିଟ୍ ପକ୍ଷରୁ ପରିପାର୍ଶ୍ଵିକ ଅଞ୍ଚଳରେ ଥିବା ପୁରାତନ ଆବର୍ଜନା କ୍ଷେତ୍ରଗୁଡ଼ିକୁ ଚିହ୍ନଟ ସହ ସଫା କରାଯାଇଥିଲା। ଏହି ଅବସରରେ ସାମୁଦାୟିକ ଅଂଶଗ୍ରହଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଯାହା ଏକ ସ୍ଵଚ୍ଛ ଓ ଦୀର୍ଘସ୍ଥାୟୀ ସୁସ୍ଥ ପରିବେଶ ଗଠନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାସେବୀ ମାନଙ୍କୁ ବର୍ଷରେ ୧୦୦ ଘଣ୍ଟା ସ୍ଵଚ୍ଛତା ନିମନ୍ତେ ସମର୍ପିତ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା। ଦୀର୍ଘ ୧୫ ଦିନ ବ୍ୟାପୀ ଚାଲିଥିବା ଏହି ଅଭିଯାନ ଗାନ୍ଧୀ ଜୟନ୍ତୀ ଅବସରରେ ସମାପ୍ତ ହୋଇଛି। ସମାପନ ଉତ୍ସବରେ ସ୍ଵଚ୍ଛ ଭାରତ ଦିବସ ସହ ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ନିମନ୍ତେ “ସଫେଇ ମିତ୍ର ସମ୍ମାନ ଶିବିର” ମଧ୍ୟ ଆୟୋଜନ କରଯାଇଥିଲା। 

ଭୁବନେଶ୍ୱର,  ଅକ୍ଟୋବର ୨୦୨୪


ଭାରତ ବର୍ଷରେ ଗାନ୍ଧୀ ବାଦକୁ ମାରିବା ପାଇଁ ଚକ୍ରାନ୍ତ ଚାଲିଛି 



 ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅହିଂସାର ପୂଜାରୀ, ଶାନ୍ତିର ମୂର୍ତିମନ୍ତ ପ୍ରତୀକ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୫ ତମ ଜୟନ୍ତୀ ଉତ୍ସବ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। 

ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ନାଲକୋ ଛକ ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କରେ କଂଗ୍ରେସ ନେତୃବୃନ୍ଦ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ଏକ ଶାନ୍ତି ପ୍ରଭାତ ଫେରୀ ପଦଯାତ୍ରା ବାହାରି ରାମଧୁନ ଗାନ ସହ କଂଗ୍ରେସ ଭବନ ଠାରେ ପଂହଚିଥିଲା। ପିସିସି କାର୍ଯ୍ୟାଳୟ ଠାରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର ପ୍ରତିମୂର୍ତିରେ ନେତୃବୃନ୍ଦ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। 

ପରେ ପିସିସି କାର୍ଯ୍ୟାଳୟ ଠାରେ “ମହାତ୍ମା ଗାନ୍ଧୀ ଓ ଆର୍ନ୍ତଜାର୍ତିକ ଅହିଂସା ଦିବସ” ଶୀର୍ଷକ ଏକ ଆଲୋଚନା ଚକ୍ର ପୂର୍ବତନ ସାଂସଦ ତଥା ସଂଯୋଜକ ଶ୍ରୀ ଅନନ୍ତ ପ୍ରସାଦ ସେଠୀଙ୍କ ପୌରହିତ୍ୟରେ ଅନୁ ିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରଫେସର ଶ୍ରୀ ଦାସ ବେନେହୁର ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଭାରତ ବର୍ଷରେ ଗାନ୍ଧୀ ବାଦକୁ ମାରିଦେବା ପାଇଁ ପ୍ରକାରାନ୍ତରେ ଯେତେବେଳେ ଚକ୍ରାନ୍ତ ଚାଲିଛି ସେତିକିବେଳେ ବିଶ୍ୱବାସୀ ଗାନ୍ଧୀ ବାଦକୁ ଆପଣାଇ ନେଇଛନ୍ତି। ଗାନ୍ଧୀ ସବୁଠାରୁ ଏକ ବଡ଼କଥା କହୁଥିଲେ ମୁଁ ଅହିଂସାରେ ବିଶ୍ୱାସ କରେ କିନ୍ତୁ ଏହା ଦୁର୍ବଳତାର ଅହିଂସା ନୁହେଁ ଅହିଂସା ସବଳର ଆୟୁଦ୍ଧ ଭାବେ କାର୍ଯ୍ୟ କରୁ ଏହାହିଁ ମୁଁ ହୃଦୟରୁ ଚାହିଁଥାଏ। 

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ମହାତ୍ମା ଗାନ୍ଧୀ ଏଭଳି ଜଣେ ମଣିଷ ଥିଲେ ଯାହାର ସ୍ୱର ଅତ୍ୟନ୍ତ କ୍ଷୀଣ ଥିଲା କିନ୍ତୁ ବାକ୍ୟର ଗାମ୍ଭୀର୍ଯ୍ୟତା ଓ ପ୍ରୟୋଗ ଅନ୍ୟମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲା। 

ଏହି କାର୍ଯ୍ୟକ୍ରମକୁ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ ଓ ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି ସସସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଂଟିଆ, ମହମ୍ମଦ ମୋକିମ, ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନଗୋ, ଡ. ବିଶ୍ୱରଞ୍ଜନ ମହାନ୍ତି, ନଗେନ୍ଦ୍ର ପ୍ରଧାନ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ଜେନା, ଶ୍ରୀନିବାସ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, କିଶୋର ଜେନା, ରଣଜିତ ପାତ୍ର, ଉଦିତ ପ୍ରଧାନ, ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ମନୋଜ ସାହୁ, ପ୍ରଣତୀ ମିଶ୍ର, ସୁଶାନ୍ତ ତ୍ରିପାଠୀ, କୁମାର ଶ୍ରୀ ଚିରଞ୍ଜିବ, ନବଜ୍ୟୋତି ପଟ୍ଟନାୟକ, ମଧୁସ୍ମିତା ସେଠୀ, ଦେଓ ପ୍ରସାଦ, ତରୁଣ ମିଶ୍ର, ମାନସ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ଶଗରିଆ, ମନୋରଞ୍ଜନ ରାଉତରାୟ, ଜିଆଉଲ ହକ, ନଜିବୁଲ ରହେମାନ ଖାଁ, ସୁଧାଂଶୁ ମହାନ୍ତି, ଆଲୋକ ମହାନ୍ତି, ଜାନକୀ ମଲ୍ଲିକ, ଅଶୋକ ଦାସ, ରାଜକିଶୋର ବାରିକ, ସୁବ୍ରତ ମହାପାତ୍ର, ସତ୍ୟବ୍ରତ ନାୟକ, ସାରଦା ପ୍ରଧାନ, ପ୍ରଶାନ୍ତ ଚମ୍ପତି, ମହମ୍ମଦ ସାହାଦୁଲ୍ଲା, ପ୍ରତାପ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ନିକୁଞ୍ଜ ପଶାୟତ, ଅବଦୁଲ ସଲାମ, ବାସନ୍ତୀ ସାମଲ, ନଳିନୀକାନ୍ତ ନାୟକ, ଖଗେଶ୍ୱର ମଲ୍ଲିକ, ସଂଜୟ ରାୟ, କୁଳମଣି ସାହୁ, ଆତ୍ମାରାମ ପତି, ଗୀତାଞ୍ଜଳି ମହାନ୍ତି, ବିନୁ ପାଣି, ନାରାୟଣ ଜେନା, ସିଲି ସେଠୀ, ଜ୍ୟୋତି ମହାନ୍ତି, ଅକ୍ଷୟ ମଲ୍ଲିକ, ସୁଧିର ପଣ୍ଡା, ବସନ୍ତ ପଣ୍ଡା, ଭାସ୍କର ସେଠୀ, ଉମେଶ ଦାଶ, କାର୍ତିକେଶ୍ୱର କାଣ୍ଡି, ମନୋଜ ସାହୁ, ପ୍ରଶନ୍ନ ପାଇକରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪




  • ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରି ବିଶ୍ୱ ଦରବାରରେ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ପ୍ରଧାନମନ୍ତ୍ରୀ: ବିଜେପି
  • ମୋଦିଜୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସେବା ପକ୍ଷ” ଆଜି ଗାନ୍ଧି ଜୟନ୍ତୀରେ ଶେଷ ହୋଇଛି
  • ସେବାପକ୍ଷ ସମାରୋପ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ
  • ରାଜ୍ୟ ସଭାପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସେବାପକ୍ଷର ଶେଷ ଦିବସରେ ଦିବ୍ୟାଙ୍ଗମାନଙ୍କୁ ମାନନୀୟ ମୁଖ୍ୟମନ୍ତ୍ରୀ ପାର୍ଟୀର ସଦସ୍ୟ କରାଇଲେ
  • ଖଦିବସ୍ତ୍ର କିଣି ପରିଧାନ କରି ଗ୍ରାମଦ୍ୟୋଗକୁ ପ୍ରୋତ୍ସାହନ କରିବା ପାଇଁ ଦେଲେ ଆହ୍ୱାନ
  • ଗତ ୧୦ ବର୍ଷ ଧରି ସ୍ୱଚ୍ଛତା ଅଭିଯାନକୁ ମୋଦିଜୀ ଗୁରୁତ୍ୱ ଦେଇ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି, ତାହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ
  • ସେବା ପକ୍ଷରେ ସାମିଲ ହୋଇଥିବା ସଫେଇ, ଆଶାକର୍ମୀ ଓ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧନା

ମୋଦିଜୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସେବା ପକ୍ଷ” ଆଜି ଗାନ୍ଧି ଜୟନ୍ତୀରେ ଶେଷ ହୋଇଛି। ସେବା ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ଦୀର୍ଘ ୧୫ ଦିନ ଧରି ବିଭିନ୍ନ ମନ୍ଦିର, ପୁଷ୍କରିଣୀ, ପାର୍କ, ଜଳାଶୟ ଆଦି ସ୍ଥାନରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିିବିର, “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ଜାରୀ ରହିଥିବା ସାଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ - ୨୦୨୪”କୁ ଆହୁରି ଅଧିକ ଗତିଶୀଳ କରାଯାଇଛି । ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେବାପକ୍ଷର ଶେଷ ଦିବସରେ ଆଜି ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପାର୍ଟୀର ସଦସ୍ୟ କରାଇଛନ୍ତି ।
ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି। ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷରେ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ସେ ଦେଶର ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଏବଂ ସେବା ପକ୍ଷର ଶେଷ ଦିନ ଉପଲକ୍ଷେ ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁ ିତ ହୋଇଯାଇଛି । ବୁଥଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ପାର୍ଟୀର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ମୋଦିଙ୍କ ସ୍ୱଚ୍ଛଭାରତ ତୈଳ ଫଟୋଚିତ୍ର ଉନ୍ମୋଚନ କରାଯାଇଥିଲା। ସେବାପକ୍ଷରେ ସାମିଲ ହୋଇଥିବା ସଫେଇ ଓ ଆଶାକର୍ମୀ ଏବଂ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ, ମୋଦିଜୀ ଗତ ୧୦ ବର୍ଷ ହେବ ଯେଉଁଭଳି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଭାରତୀୟ ଜନତା ପାର୍ଟ ସମାଜର ସବୁ ବର୍ଗର ପାର୍ଟି। ଏହି ଦଳରେ ସାମିଲ ହୋଇ ଦେଶକୁ ଆଗେଇ ନେବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଥିଲେ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ “ଭୋକାଲ ଫର ଲୋକାଲ” ଏବଂ “ଖଦି ବସ୍ତ୍ର ପରିଧାନ”କୁ ଗୁରୁତ୍ୱ ଦେଉଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଖଦି ବୋର୍ଡ ବିକ୍ରୟ କେନ୍ଦ୍ରକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଖଦିବସ୍ତ୍ର କିଣିବା ସହିତ ପ୍ରତ୍ୟେକ ପରିବାରକୁ ଖଦି ତିଆରି ବସ୍ତ୍ର କିଣିବା ପାଇଁ ସଚେତନତା କରିବା ସହ ଗ୍ରାମଦ୍ୟୋଗକୁ ପ୍ରୋତ୍ସାହନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସେବାପକ୍ଷ ରାଜ୍ୟ ସହ ସଂଯୋଜିକା ଶ୍ରୀମତି ସ୍ମୃତି ପଟ୍ଟନାୟକ, ସଦସ୍ୟତା ଅଭିଯାନ ରାଜ୍ୟ ସଂଯୋଜକ ଶ୍ରୀ ଅଶୋକ ମିଶ୍ର, ସ୍ୱଚ୍ଛଭାରତ ପ୍ରକୋ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହସଂଯୋଜକ ଶ୍ରୀମତି ପଦ୍ମଜା ଦେବତା, ଶ୍ରୀ ମହେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



‘ଯୁବପିଢ଼ି ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ରାଷ୍ଟ୍ରଗଠନରେ ବ୍ରତୀ ହୁଅନ୍ତୁ’ : ମନ୍ତ୍ରୀ ଶ୍ରୀ ହରିଚନ୍ଦନ




ଗାନ୍ଧୀଜୀ କେବଳ ଏକ ନାମ ନୁହେଁ, ଏହା ଜୀବନ ଓ ଦର୍ଶନର ଏକ ମହାନ ମାର୍ଗ । ଗାନ୍ଧୀଜୀ କେବଳ ଦେଶକୁ ସ୍ୱାଧୀନ କରି ନଥିଲେ, ଦେଶ ତଥା ସମଗ୍ର ମାନବଜାତିକୁ ସତ୍‌ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ । ତାଙ୍କ ଦର୍ଶନ ଓ ପଦର୍ଶିତ ମାର୍ଗର ଆଜି ବି ଅନେକ ପ୍ରାସଙ୍ଗିକତା ରହିଛି । ତେଣୁ ଯୁବପିଢ଼ି ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ରାଷ୍ଟ୍ରଗଠନରେ ବ୍ରତୀ ହୁଅନ୍ତୁ ବୋଲି ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସମସ୍ତଙ୍କୁ ଏକାଠି କରି ଅହିଂସା ନାମକ ଅସ୍ତ୍ରରେ ଗାନ୍ଧୀଜୀ ବିଦେଶୀ ଶାସକ ବିରୁଦ୍ଧରେ ବିଜୟ ହାସଲ କରି ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ । ସର୍ବୋଦୟ, ସ୍ୱଦେଶୀ, ଗ୍ରାମସ୍ୱରାଜ ଏବଂ ସ୍ୱଚ୍ଛତା ନେଇ ଗାନ୍ଧୀଜୀଙ୍କ ବାଣୀକୁ ପାଳନ କରିବା ସହ ତାଙ୍କ ନୀତି ଓ ଆଦର୍ଶକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅବଲମ୍ବନ କଲେ ଆମେ ଦେଶକୁ ଶୀର୍ଷସ୍ତରକୁ ନେଇପାରିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ । 
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂହ କହିଲେ ଯେ ଗାନ୍ଧୀବାଦ ଓ ଗାନ୍ଧୀ ଦର୍ଶନ ହିଂସା ଉପରେ ଏକ ଶକ୍ତ ପ୍ରହାର ସଦୃଶ । ମହିଳାଙ୍କୁ ସମ୍ମାନ ଓ ନିଶାମୁକ୍ତ ଭାରତର ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଆଗାମୀ ପିଢ଼ି ଆନ୍ତରିକ ଭାବେ ପାଳନ କରିବାକୁ ସେ ଅନୁରୋଧ 
କରିଥିଲେ । 
ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ଏବଂ ଲେଖକ ଶ୍ରୀ ଗୌରାଙ୍ଗ ଚରଣ ପରିଡ଼ା କହିଲେ ଯେ ସତ୍ୟ ଓ ନିର୍ଭୀକତା ଅହିଂସା ରୂପକ ମୁଦ୍ରାର ଦୁଇଟି ପାଶ୍ୱର୍ । ଅସ୍ପୃଶ୍ୟତା ନିବାରଣ, ନାରୀ ସୁରକ୍ଷା ଲକ୍ଷ୍ୟ ନେଇ ଗାନ୍ଧୀଜୀ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ଭାରତକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା । ଗାନ୍ଧୀଜୀଙ୍କ ଆଦର୍ଶ ଆଜି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । 
ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ସତ୍ୟ, ଧର୍ମ ଓ ନ୍ୟାୟ ଉପରେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଆଧାରିତ ଥିଲା । ମାନବଜାତିର ଉତ୍‌ଥାନ ଥିଲା ତାଙ୍କ ବିଚାରଧାରାର ମୂଳମନ୍ତ୍ର । ପ୍ରାରମ୍ଭରେ ଅତିଥିମାନେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ଗୌରାଙ୍ଗ ଚରଣ ପରିଡ଼ାଙ୍କ ଗାନ୍ଧୀଜୀଙ୍କ ଉପରେ ରଚିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ଶୈଳଭାମା ଓ ସାଥୀ କଳାକାରମାନଙ୍କ ଦ୍ୱାରା ଗାନ୍ଧୀଭଜନ ପରିବେଷିତ ହୋଇଥିଲା । 
ଏହି ଅବସରରେ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଶାରେ ଗାନ୍ଧୀଜୀ’ ଶୀର୍ଷକ ଫଟୋ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ବିରଳ ଫଟୋଚିତ୍ର ସ୍ଥାନ ପାଇଥିଲା । 
ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂହ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଲିଭା ଆରତୀ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଭୁବନେଶ୍ୱର,  ଅକ୍ଟୋବର ୨୦୨୪







ପୂର୍ବତଟ ରେଳପଥ ଆଜି ସ୍ୱଚ୍ଛତା ଦିବସ ପାଳନ କରି ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନକୁ ସମ୍ମାନିତ କରିଛି | ଚାଲୁରହିଥିବା ସ୍ୱଚ୍ଛତା ପକ୍ଷ୍ୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଅଛନ୍ତି |

ଏହି ଅବସରରେ ଶ୍ରୀ ଫୁଙ୍କୱାଲ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନ ସହିତ ଆତ୍ମନିର୍ଭରଶୀଳତାର ଚିରସ୍ଥାୟୀ ପରମ୍ପରାକୁ ଆପଣାଇବାକୁ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କୁ କହିଥିଲେ | ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଶ୍ରୀ ଫୁଙ୍କୱାଲ ସମସ୍ତଙ୍କୁ ଗାନ୍ଧୀଙ୍କ ବାର୍ତ୍ତା ଅନୁସରଣ କରିବାକୁ ଅନୁରୋଧ କରି କହିଛନ୍ତି ଯେ “ଆପଣ ବିଶ୍ୱରେ ଦେଖିବାକୁ ଚାହୁଁଥିବା ପରିବର୍ତ୍ତନ ହୁଅନ୍ତୁ” | ସେ କହିଛନ୍ତି ଯେ ଆମର ପରିସର ଏବଂ ପରିବେଶକୁ ପରିଷ୍କାର ରଖିବା କେବଳ କର୍ତ୍ତବ୍ୟ ନୁହେଁ ବରଂ ଆତ୍ମନିର୍ଭର ଭାରତର ବୃହତ ଦୃଷ୍ଟିକୋଣରେ ଯୋଗଦାନ କରିବାର ଏକ ମାଧ୍ୟମ |

ଶ୍ରୀ ଫୁଙ୍କୱାଲ ମଧ୍ୟ ସମଗ୍ର ଦେଶରେ ସ୍ୱଚ୍ଛତା (ସ୍ୱଚ୍ଛତା) ର ଆତ୍ମାକୁ ବଜାୟ ରଖିବାରେ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ |  ରେଳବାଇର ଲଗାତାର ପ୍ରୟାସ ମାଧ୍ୟମରେ ଷ୍ଟେସନ, ଟ୍ରେନ୍, ପ୍ଲାଟଫର୍ମ ଏବଂ ଚଳପ୍ରଚଳ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି | ଯାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ପରିଷ୍କାର ଏବଂ ପାରିଛନତାର ପରିବେଶ ସୁନିଶ୍ଚିତ କରି ପୂର୍ବତଟ ରେଳପଥ ଏହି ପଦକ୍ଷେପର ଆଗରେ ରହିଛି |

ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିବାରେ ସ୍ୱଚ୍ଛତା ପକ୍ଷ୍ୟ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି | ଏହା ଏକ ସ୍ୱଚ୍ଛ ଭାରତର ବାର୍ତ୍ତା ପ୍ରସାର କରି ରେଳ କର୍ମଚାରୀ, ରେଳ ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ବ୍ୟାପକ ଅଂଶଗ୍ରହଣକୁ ଆକର୍ଷିତ କରିଥାଏ | ଶ୍ରୀ ଫୁଙ୍କୱାଲ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ଜନସମୁଦାୟକୁ ଜଡିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସମୃଦ୍ଧ ତଥା ବିକଶିତ ରାଷ୍ଟ୍ର - ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଛୋଟ ପ୍ରୟାସର ଅବଦାନ ରହିଛି ବୋଲି ଦୃଢ଼ୀଭୁତ କରିଛନ୍ତି |

ଏହି ସ୍ୱଚ୍ଛତା ପକ୍ଷ୍ୟ କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କ ଶିକ୍ଷା ଆଦର୍ଶ ଓ ଦର୍ଶନକୁ ପ୍ରତିଫଳିତ କରୁଥିବାବେଳେ ପ୍ରଗତି ପାଇଁ ସ୍ୱଚ୍ଛତା ଏକ ଅତ୍ୟାବଶ୍ୟକ ମୂଳଦୁଆ ବୋଲି ତାଙ୍କର ବିଶ୍ୱାସକୁ ଦର୍ଶାଇଥିଲା | ଏକ ପରିଷ୍କାର ଏବଂ ସବୁଜ ରେଳ ଇକୋସିଷ୍ଟମ ବଜାୟ ରଖିବା ଦିଗରେ ପୂର୍ବତଟ ରେଳପଥ ଉଦ୍ୟମ ଜାରି ରଖିବା ପାଇଁ ପ୍ରତିଶୃତିବଦ୍ଧ, ଏହା ସ୍ୱଚ୍ଛତା ଏବଂ ବିକାଶର ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

ଏହି ଉତ୍ସବକୁ ପାଳନ କରିବା ପାଇଁ ରେଳ କର୍ମଚାରୀଙ୍କ ଦ୍ୱାରା ଦେଶଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା ବେଳେ ସ୍ୱଚ୍ଛତା ସମ୍ବନ୍ଧରେ ଜନସାଧାରଣ ତଥା କର୍ମଚାରୀ ମାନଙ୍କୁ ଜାତିର ଜଣକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନ ପାଇଁ ରେଳ କର୍ମଚାରୀଙ୍କ ପିଲାମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା |

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୪




ଅନ୍ତନଳୀରେ ଜଟିଳ ସମସ୍ୟା ସହ ସୁପିରିୟର୍ ମେସେନଟେରିକ୍ ଆର୍ଟେରୀ (ଏସ୍‌ଏମ୍‌ଏ) ବ୍ୟାଧିରେ ପୀଡ଼ିତ ଥିବା ଜଣେ ୪୩ ବର୍ଷୀୟ ରୋଗୀଙ୍କର ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା କରାଯାଇଛି। 

କଟକରୁ ଆସିଥିବା ଏହି ରୋଗୀ ଜଣକ ସମ୍ମମ୍‌ରେ ପହଂଚିବା ପରେ ତାଙ୍କର ସେପ୍‌ସିସ୍ ଓ ସବ୍‌-ଆକ୍ୟୁଟ୍ ଇନ୍‌ଟେଷ୍ଟାଇନାଲ୍ ଅବ୍‌ଷ୍ଟ୍ରକ୍‌ସନ୍ ଦେଖାଦେବା ସହ ତଳି ପେଟରେ ଜଳୀୟ ଅଂଶ ସଂଗୃହୀତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ହସ୍ପିଟାଲ୍‌ର ଇନ୍‌ଟରଭେନ୍‌ସନାଲ ରେଡିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକଙ୍କ ଅଧୀନରେ ଭର୍ତି କରାଯାଇଥିଲା। 

ରୋଗୀ ଜଣଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇ ସିଟି ଆନ୍‌ଜିଓଗ୍ରାମ୍ ପରୀକ୍ଷା ପରେ ତାଙ୍କ ଶରୀରରେ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରମ୍ବୋସିସ୍ ଓ ଆକ୍ୟୁଟ୍ ମେସେନ୍‌ଟେରିକ୍ ଇଶ୍ଚେମିଆ ଚିହ୍ନଟ ହୋଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ। 

ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ଜଣଙ୍କୁ କ୍ୟାଥଲ୍ୟାବ୍‌ରେ ମିନିମାଲି ଇନ୍‌ଭେସିଭ୍ ଇମେଜ୍ ପରିଚାଳିତ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କର ବାମପଟ ଆର୍ଟେରୀରେ ଏକ ଛୋଟ ପିନ୍ ଆକାରର ଛିଦ୍ର କରାଯାଇ ଛୋଟଛୋଟ କ୍ୟାଥେଟର ଏବଂ ୱେୟାର ଦ୍ୱାରା ଫାର୍ମାକୋ -ମେକାନିକାଲ୍ ଥ୍ରୋମ୍ବେକ୍ଟୋମି ପ୍ରକ୍ରିୟାରେ ଜମାଟ ବାନ୍ଧିଥିବା ଅଂଶଗୁଡ଼ିକୁ ବାହାର କରାଯାଇଥିଲା। 

ଏହା ପରେ ରୋଗୀକୁ ଜରୁରୀ ଏକ୍ସପ୍ଲୋରେଟୋରୀ ଲାପାରୋଟୋମି ଅସ୍ତ୍ରୋପଚାର ପାଇଁ ଅପରେସନ୍ ଥିଏଟରକୁ ନିଆଯାଇଥିଲା। ଅସ୍ତ୍ରୋପଚାର ସମୟରେ ୩୦ ରୁ ୪୦ ପ୍ରତିଶତ ଅନ୍ତନଳୀ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଥିଲା ବୋଲି ସେ କହିଛନ୍ତି। 

ଜରୁରୀ ଅସ୍ତ୍ରୋପଚାର କରି ନଥିଲେ ଏହା ଅନ୍ତନଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାନ୍ତା ବୋଲି ଡାକ୍ତର ପଟ୍ଟନାୟକ କହିବା ସହ ଏସ୍‌ଏମ୍‌ଏ ଥ୍ରୋମ୍ବୋସିସ୍ ଏକ ଜଟିଳ ସମସ୍ୟା ଏବଂ ଏ କ୍ଷେତ୍ରରେ ଠିକ୍ ଭାବେ ଚିକିତ୍ସା କରା ନଗଲେ ୮୦ ରୁ ୯୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ ବୋଲି କହିଛନ୍ତି। 

ସେପ୍‌ସିସ୍ ସମସ୍ୟା କମିବା ପରେ ରୋଗୀଙ୍କୁ ଆଇସିୟୁରୁ ୱାର୍ଡକୁ ଅଣାଯାଇଥିଲା ଏବଂ ପରବର୍ତୀ ସମୟରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲ ଡାକ୍ତର ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ୱର, ୮ ଅଗଷ୍ଟ ୨୦୨୪




 ମୁମ୍ବାଇ ଠାରେ ଆୟୋଜିତ ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ୨୦୨୪ ଏବଂ ରୟାଲ ଗ୍ଲୋବାଲ୍ ଆଚିଭର୍ ଆୱାର୍ଡର ୪ର୍ଥ ସଂସ୍କରଣର ସୁନ୍ଦରୀ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଫ୍ୟାକଲ୍ଟି ଡକ୍ଟର ଦୀପିକା ଯାଦବ ‘ମିସେସ୍ ରୟାଲ୍ ଗ୍ଲୋବାଲ କୁଇନ୍ ୨୦୨୪ କନ୍‌ଫିଡେଂଟ’ ଏବଂ ‘ରୟାଲ୍ ଗ୍ଲୋବାଲ୍ କୁଇନ୍ ଅଫ୍ ଇଣ୍ଡିଆ ୨୦୨୪’ ଟାଇଟଲ୍ ହାସଲ କରି ବିଜୟିନୀ ହୋଇଛନ୍ତି। 

ଆଇଡିଏସ୍‌ର କନ୍‌ଜରଭେଟିଭ୍ ଡେଂଟିଷ୍ଟ୍ରି ଆଣ୍ଡ ଏଣ୍ଡୋଡନ୍‌ଟିକ୍ସ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଯାଦବ ଅଗଷ୍ଟ ୩ ଏବଂ ୪ରେ ମୁମ୍ବାଇ ସ୍ଥିତ କ୍ଲବ ଏମରାଲ୍ଡ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। 

ଏହି ପ୍ରତିଯୋଗିତାରେ ଭାରତ, ବାଂଲାଦେଶ, କାନାଡା, ସିଂଗାପୁର, ମାଲେସିଆ, ୟୁଏଇ, କୁଏତ୍‌, ବାହାରିନ୍‌, ଶ୍ରୀଲଙ୍କା ଏବଂ ନେପାଳର ପ୍ରତିଯୋଗୀମାନେ ସାମିଲ ହୋଇଥିଲେ। ପ୍ରତିଯୋଗୀମାନେ ଏକତା, ଭଲ ପାଇବା ଏବଂ ସଦ୍‌ଭାବନାକୁ ପ୍ରତିପାଦିତ କରିବା ସହ ବିବିଧ ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରାକୁ ଉଦ୍‌ଜୀବିତ କରିଥିବାର ଦେଖାଦେଇଥିଲା। 

ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତା ଆମିର ଅଲ୍ଲୀ ମଲ୍ଲିକ, ଅଲ୍ଲୀ ଖାନ୍‌, ଜ୍ୟୋତି ଯାଦବ, କ୍ରାମିକ୍ ଯାଦବ ଓ ତାହିର କମାଲ ଖାନ୍ ଯୋଗ ଦେଇଥିଲେ। 

ପ୍ରତିଯୋଗିତାରେ ଚେହେରା, ଉଚ୍ଚତା, ବୟସ ଓ ଓଜନ ବ୍ୟତିରେକେ ମହିଳାମାନଙ୍କର ଅନ୍ତରୀଣ ଦୃଢ଼ତା ଏବଂ ସୌନ୍ଦର୍ଯ୍ୟକୁ ସମ୍ମାନ ଦିଆଯାଇଥିଲା।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget