ଭୁବନେଶ୍ୱର, ୨୮ ଏପ୍ରିଲ୍ ୨୦୨୫
କୋଲକତାର ଆର୍ଟ ଆଣ୍ଡ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନ ମିଶନ ଡ୍ରିମ୍ସ ପକ୍ଷରୁ ସ୍ଥାନୀୟ ଏକାମ୍ର ହାଟରେ ଏକ ଫେଶନ ସପ୍ତାହ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ରାଉରକେଲା, ଯୋଡ଼ା, ସମ୍ବଲପୁର, ବାରିପଦା, ବାଲେଶ୍ୱର, ପୁରୀ, ବଡ଼ବିଲ୍ର ଫେଶନ ଡିଜାଇନର ଓ ନାମୀଦାମୀ ମଡ଼େଲମାନେ ଯୋଗ ଦେଇଥିଲେ। ଏହି ସୁନ୍ଦର ପରିକଳ୍ପନା ଓଡ଼ିଶାର ଖଦୀ କୁଟୀରଶିଳ୍ପ ଉଦ୍ୟୋଗୀ ଓ ସମ୍ବଲପୁରୀ ବୁଣାକାରମାନଙ୍କୁ ଉତ୍ସାହିତ କରିବାକୁ ଆୟୋଜନ କରାଯାଇଛି ବୋଲି ମିଶନ ଡ୍ରିମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶିକା ପ୍ରିୟା ପ୍ରିୟମ୍ବଦା ନାୟକ ପ୍ରକାଶ କରିଛନ୍ତି। ଦେଶ ଓ ଦେଶ ବାହାରେ ଓଡ଼ିଶାର ହସ୍ତଶିଳ୍ପ, କୁଟୀର ଶିଳ୍ପ ତଥା ହ୍ୟାଣ୍ଡଲୁମ୍ର ବହୁଳ ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଏହି ପ୍ରଚେଷ୍ଟାରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଅନୁରୋଧ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ଜଣେ ଓଡ଼ିଆ ଝିଅ ପ୍ରିୟା ପ୍ରିୟମ୍ବଦା ନାୟକ ଦୀର୍ଘ ଦଶବର୍ଷ ଧରି ମୁମ୍ବାଇ, କୋଲକତା ଓ ପୁନେ ଭଳି ଅନେକ ସ୍ଥାନରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରି ଯେଭଳି ଉଚ୍ଚ ପ୍ରଶଂସିତ ହୋଇଛନ୍ତି, ତାର ଭୂୟସୀ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଖଦୀ ଓ ଗ୍ରାମଦ୍ୟୋଗ କମିଶନର ନିର୍ଦ୍ଦେଶକ ସୁବାସ ଛେତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଭାମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ସହାୟତା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ବିଶିଷ୍ଟ ଉଦ୍ୟୋଗୀ ଓ ଲେଖିକା ତଥା ଦୈନିକ ସମ୍ବାଦପତ୍ର ‘ଈଶ୍ୱର’ର ସମ୍ପାଦିକା ଶ୍ରୀମତୀ ମଞ୍ଜୁଲତା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାର ଝିଅ ପ୍ରିୟା ପ୍ରିୟମ୍ବଦା ନାୟକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ତାଙ୍କର ଏହି ଉଦ୍ୟମ ଯେଉଁଭଳି ଭାବେ ଜାରି ରଖିଛନ୍ତି, ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଏଥିରେ ଫେଶନ ଡିଜାଇନର ଜିତ୍ ଜଗଜିତ୍, ସୌରଭ ଦାସ, ଦର୍ବି ଥାପା ଏବଂ ମିଶନ ଡ୍ରିମ୍ସର ଓଡ଼ିଶା ମୁଖ୍ୟ ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment