Latest Post

ଭୁବନେଶ୍ୱର, ୨ ଅଗଷ୍ଟ ୨୦୨୬



ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ଅନଶନ ଆଜି ସପ୍ତମ ଦିବସରେ ପହଞ୍ଚିଛି। ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ଉପଦେଷ୍ଠା ମଧୁମିତା ସାମଲ ସହିତ, ଅମିତ ଜେନା, ସ୍ମୃତି ରଂଜନ ସାମଲ, ଏସ.କେ ହେଦାଇ ବିରୋଧି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ୬ ଦଫା ଦାବୀ ପତ୍ର ପ୍ରଦାନ କରିବା ସହ ସମର୍ଥନ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକ ମନଓ୍ବର ଅଲ୍ଲୀଙ୍କ ସପ୍ତମ ଦିନ ଅନଶନକୁ ସମର୍ଥନ ଜଣାଇବା ସହ ସଂଗଠନର ଦାବୀ ପତ୍ରକୁ ଆଗାମୀ ବିଧାନସଭା ଅଧିବେଶନରେ ଏହି ୬ ଦଫା ଦାବୀ ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ବିଜୁ ଜନତା ଦଳର ଏକ ଟିମ୍ ମନଓ୍ବର ଅଲ୍ଲୀଙ୍କ ଅନଶନ ସ୍ଥଳକୁ ଯାଇ ଆଲୋଚନା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆଗାମୀ ୨୭ ତାରିଖର ୪ଟା ସମୟରେ ଛାତ୍ରଛାତ୍ରୀଙ୍କର ଭୁଲ୍ ପାଠ୍ୟ ପୁସ୍ତକ ସରକାରଙ୍କୁ ଫେରସ୍ତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଲୋୟର ପିଏମଜିରେ ଜାରି ରଖିବା ପାଇଁ ସଂଗଠନର ପକ୍ଷରୁ ନିଷ୍ପତି ନିଆଯାଇଛି। ଆଜି ଏସ୍. କେ. ହେଦାଇଙ୍କ ନେତୃତ୍ବରେ ଶତାଧିକ ଯୁବକ ମନଓ୍ବର ଅଲ୍ଲୀଙ୍କୁ ସମର୍ଥନ ଦେବା ପାଇଁ ଅନଶନ ସ୍ଥଳୀରେ ପହଞ୍ଚିଥିଲେ।  

ଆଜି ଅନଶନର ସପ୍ତମ ଦିବସରେ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ତପନ ମିଶ୍ର, ଢେଙ୍କାନାଳ ସଭାପତି ଅଶ୍ବନୀ ଜେନା, ପ୍ରଫୁଲ ପରିଡ଼ା, ଗଞ୍ଜାମ ଯୁବ ନେତା କୃଷ୍ଣ ନାହାକ,
ଗଣେଷ ବେହରା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨ ଅଗଷ୍ଟ ୨୦୨୬



ଓଡିଶା ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ବିଜେପି ଖଣି ଅଧିନିୟମ ସଂଶୋଧନ ଆଇନ ଓଡ଼ିଆ ସ୍ୱାର୍ଥ ବିରୋଧି ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନେ ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବୀ କରିବା ପାଇଁ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରମିକ ନେତା ଡ. ରାମଚନ୍ଦ୍ର ଖୁଂଟିଆ ଦୃଢ଼ ଦାବି କରିଛନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ କେରଳ ରାଜ୍ୟର ସ୍ୱାର୍ଥ ପାଇଁ ସିପିଏମ୍ ନେତାମାନଙ୍କ ସହ କଂଗ୍ରେସ ମୁଖ୍ୟମୁଖ୍ୟମନ୍ତ୍ରୀ ଓମେନ ଚଣ୍ଡି ଧାରଣାରେ ବସିଥିଲେ। ସେହିପରି ପଶ୍ଚିମବଙ୍ଗଳାର ସ୍ୱାର୍ଥ ପାଇଁ କମ୍ୟୁନିଷ୍ଟମାନଙ୍କ ସହ କଂଗ୍ରେସ ସରକାର ଥିବାବେଳେ କଂଗ୍ରେସ ନେତାମାନେ ଧାରଣା ଦେବାର ନଜର ଅଛି। 

କଂଗ୍ରେସ ସରକାର ଥିଲାବେଳେ ନାଲ୍‌କୋ ଘରୋଇକରଣ ଦାବୀରେ ନାଲ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ମୁଁ ସାଂସଦ ଭାବରେ ଗିରଫ ହୋଇଥିଲି ଏବଂ ଦିଲ୍ଲୀରେ ସଂସଦ ଆଗରେ ଧାରଣା ଦିଆଯାଇଥିଲା। ଏଣୁ ଓଡ଼ିଶା ରାଜ୍ୟର ସ୍ୱାର୍ଥ ପାଇଁ ବିଜେପିର ଓଡ଼ିଶା ନେତାମାନେ କେନ୍ଦ୍ର ସରକାରଙ୍କ ପାଖରେ ଆଇନ ପ୍ରତ୍ୟାହାର କରିବା ଦାବୀ ଉପସ୍ଥାପିତ କରିବା ଆବଶ୍ୟକ। ୨୦୨୬ର ଧାରା ୯ (ଡି) କାର୍ଯ୍ୟକାରୀ ହେଲେ, ୨୦୨୪ ରେ ସୁପ୍ରିମ୍‌କୋର୍ଟର ରାୟର ଅକାମୀ ହେବ। ଖଣି ଖାଦାନ ଥିବା ୧୫ ଟି ରାଜ୍ୟ ଖଣି ରୟାଲଟି ସଂଗ୍ରହ କରିପାରିବେ ନାହିଁ ଏବଂ ବକେୟା ପାଉଣା ଜୋରିମନା ମଧ୍ୟ ସଂଗ୍ରହ କରିପାରିବେ ନାହିଁ। ଯାହାଫଳରେ ଓଡ଼ିଶାର ଲକ୍ଷକୋଟିର ଉର୍ଦ୍ଧ୍ୱ ଟଙ୍କା ଓଡ଼ିଶା ରାଜକୋଷ ହରାଇବ। 

ସମଗ୍ର ଦେଶର ୩୩ ରୁ ୩୫ % ଲୁହାପଥର କେବଳ ଓଡ଼ିଶାରେ ଅଛି। ପ୍ରତିବର୍ଷ ଭାରତରୁ ଉତ୍ପାଦିତ ଉତ୍ପାଦନ ଓ ରପ୍ତାନି ହେଉଥିବା ୫୦% ଲୁହାପଥର କେବଳ ଓଡ଼ିଶାରୁ ଯାଉଛି। ଭାରତବର୍ଷର ସମୁଦାୟ କ୍ରୋମାଇଟ୍ ଡିପୋଜିଟର ୯୮% ୧୮୮ ମିଲିୟନ ଟନ କେବଳ ଓଡ଼ିଶାରେ ଅଛି। ବକ୍‌ସାଇଟର ୫୧ ରୁ ୫୯% କେବଳ ଓଡ଼ିଶାରେ ଅଛି। ୧୨୫ବିଲିଅନ୍ ଟନ୍ ବକ୍‌ସାଇଟ ଗଚ୍ଛିତ ଅଛି। ତେଣୁ ଓଡ଼ିଶା ରାଜ୍ୟ ସବୁଠାରୁ ଅଧିକ କ୍ଷତିଗସ୍ତ ହେବ। ଏବର୍ଷର ଓଡ଼ିଶା ରାଜ୍ୟର ୩ ଲକ୍ଷ ୧୦ କୋଟି ଟଙ୍କା ବଜେଟର ମୁଖ୍ୟ ଅଂଶ ଓଡ଼ିଶାର ଖଣି ରୟାଲଟି ଓ ଜୋରିମନାର ଆସିଛି। ଏଣୁ ଏହାର ପ୍ରଭାବ ରାଜ୍ୟ ବଜେଟ ଉପରେ ପଡିବ।

କେନ୍ଦ୍ର ସରକାର ଖଣିଜ ପଦାର୍ଥର ଦର ଓ ସମାନତା ଆଣିବା ପାଇଁ ଶିଳ୍ପପତିମାନଙ୍କୁ ସୁବିଧା ଦେବା ପାଇଁ ବ୍ୟସ୍ତ ହେଉଥିବାବେଳେ ଶ୍ରମିକମାନଙ୍କର ମଜୁରୀରେ ମନେରେଗା ୨୨୨ଟଙ୍କା ଥିବାବେଳେ ଓଡ଼ିଶା ସର୍ବନିମ୍ନ ମଜୁରୀ ୪୭୨ ଟଙ୍କା, ଦିଲ୍ଲୀର ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା, କର୍ଣ୍ଣାଟକର ସର୍ବନିମ୍ନ ମଜୁରୀ ୨୩ ହଜାର ଟଙ୍କା, ତେଲେଙ୍ଗାନାର ସର୍ବନିମ୍ନ ମଜୁରୀ ୨୨ ହଜାର ଟଙ୍କା ପରିବର୍ତେ ସମଗ୍ର ଦେଶରେ ଏକ ଦେଶ ଏକ ମଜୁରୀ କରାଯାଇପାରିବ ନାହିଁ କାହିଁକି ? ଓଡ଼ିଶାରେ ଓ ସାରାଦେଶରେ ଥିବା ଗଚ୍ଛିତ ଖଣିଜ ସମ୍ପଦ କେବଳ କଂଚାମାଲ ଭାବେ ରପ୍ତାନି କରିବା ଆବଶ୍ୟକ। ଉତ୍ପାଦିତ ଖଣିଜ ଦ୍ରବ୍ୟ କେବଳ ଦେଶର ଶିଳ୍ପରେ ବ୍ୟବୌହୃତ ହେବା ଆବଶ୍ୟକ। ଯଦି ସମସ୍ତ ଖଣିଜ ସମ୍ପଦକୁ କେବଳ କଂଚାମାଲ ଭାବରେ ରପ୍ତାନି କରାଯାଏ ତେବେ ୫୦ ବର୍ଷ ପରେ ଦେଶରେ ଓ ଓଡ଼ିଶାରେ ଖଣିଜ ସମ୍ପଦ ଗଚ୍ଛିତ ସରିଯିବାର ଆଶଙ୍କା ଅଛି। ତେଣୁ କଂଚାମାଲ ଖଣିଜ ସମ୍ପଦକୁ ରପ୍ତାନି ବନ୍ଦ କରିବା ପାଇଁ ଡ. ଖୁଂଟିଆ ଦୃଢ଼ ଦାବୀ କରିଛନ୍ତି।  

ଏହି ଆଇନ୍ ପରିବର୍ତନ ନ ହେଲେ ଶ୍ରମିକ କର୍ମଚାରୀ, ଚାଷୀ, ମୂଲିଆ ଖଣିଜ ପ୍ରଧାନ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଅନୁଗୁଳ, ତାଳଚେର, ଢ଼େଙ୍କାନାଳ ଜିଲ୍ଲାମାନଙ୍କରେ ଓଡ଼ିଶା ବନ୍ଦ, ଅର୍ଥନୈତିକ ଅବରୋଧ ଓ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଖୁଂଟିଆ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ହିମାଂଶୁ ଲେଙ୍କା, ଡ. ମନୀଷାଦାସ ପଟ୍ଟନାୟକ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨ ଅଗଷ୍ଟ ୨୦୨୬



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆ‌ର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ଉଦୀୟମାନ ସମନ୍ୱୟ ଓ ପାରସ୍ପରିକ ସଂପର୍କକୁ ନେଇ ବିଷଦ ଆଲୋଚନା ମାଧ୍ୟମରେ ନୂତନ ଦିଗ ଉନ୍ମୋଚିତ ହୋଇଛି ।

ଆଇଟିଇଆ‌ରର ହ୍ୟୁମାନିଟିଜ୍‌‌ ଆଣ୍ଡ ସୋସିଆଲ ସାଇନ୍ସେସ୍‌‌ ବିଭାଗ ପକ୍ଷରୁ ଅଗଷ୍ଟ ୨୧ ଓ ୨୨ ଦୁଇ ଦିନ ଧରି ଆୟୋଜିତ ‘ଏଆଇ ଆଣ୍ଡ ହ୍ୟୁମାନିଟିଜ୍‌: ବ୍ରିଜିଂ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଇନ୍ ହ୍ୟୁମାନିଟିଜ୍‌’ ଶୀଷର୍କ କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍‌‌, ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ମାନବିକୀ ବିଜ୍ଞାନ ଓ ଡାଟା ସାଇନ୍ସ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତାର ଉଦୀୟମାନ ପ୍ରଯୁକ୍ତି ସଂପର୍କରେ ପରିଚିତ କରାଇବା ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ଥିଲା। ଶିକ୍ଷା, ଗବେଷଣା, ଭାଷା, ସାହିତ୍ୟ, ଇତିହାସ ଓ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଏଆଇର ପ୍ରୟୋଗ ସଂପର୍କରେ ଆଲୋଚନା ହେବା ସହ ଏଆଇ ସାକ୍ଷରତା ଏବଂ ଦାୟିତ୍ୱବୋଧପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

କର୍ମଶାଳାର ଉଦ୍‌‌ଘାଟନୀ ସମାରୋହରେ ଭାରତୀୟ ବିଦ୍ୟା ଭବନର ଏମେରିଟସ୍‌‌ ପ୍ରଫେସର ପ୍ରଫେସର କେ. ସି. ମିଶ୍ର ଏବଂ ଦି ପାୟୋନିୟ‌ରର ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଜ୍ଞାନ ଚୌଧୁରୀ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଚୌଧୁରୀ କହିଥିଲେ ଯେ ମାନବୀୟ ମୂଲ୍ୟବୋଧ ଓ ସୃଜନଶୀଳତାକୁ କେବେହେଲେ କୃତ୍ରିମ ବୁଦ୍ଧିମତା ପ୍ରତିସ୍ଥାପିତ କରିପାରିବ ନାହିଁ। ବୁଦ୍ଧିମତା କେବେ କୃତ୍ରିମ ହୋଇପାରିବ ନାହିଁ ବୋଲି ମତ ଦେଇ ସେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତା ହେଉଛି ଏକ ସାଧନ, ଯାହା ମାନବର କାର୍ଯ୍ୟକୁ ସହଜ ଓ ଦ୍ରୁତ କରିଥାଏ।

ଉଦ୍‌‌ଘାଟନୀ କାର୍ଯ୍ୟକ୍ରମକୁ ଡକ୍ଟର ପ୍ରାଚୀଶ୍ରୀ ମିଶ୍ର ପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜିକା ଓ କନ୍‌‌ଭେନର ଡକ୍ଟର ସ୍ୱୟଂପ୍ରଭା ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ସ୍ଥିତପ୍ରଜ୍ଞା ଧନ୍ୟବାଦ ଅପର୍ଣ କରିଥିଲେ।

ବିଭିନ୍ନ ଶିକ୍ଷାଭିତିକ ଅଧିବେଶନରେ ଆଇଆଇଟି ଖଡ଼ଗପୁରର ହ୍ୟୁମାନିଟିଜ୍‌‌ ଆଣ୍ଡ ସୋସିଆଲ ସାଇନ୍ସେସ୍‌‌ ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ ମାନବ ଆଚରଣକୁ ବୁଝିବା କ୍ଷେତ୍ରରେ ବ୍ୟବହାରଗତ ବିଜ୍ଞାନ ସହ ଏଆଇର ପ୍ରାସଙ୍ଗିକତା ଏବଂ ଏହାର ବିଭିନ୍ନ ପ୍ରୟୋଗ ସଂପର୍କରେ ଆଲୋଚନା କରିଥିଲେ।

ଆଇଆଇଏମ୍‌‌ ସମ୍ବଲପୁରର ପ୍ରଫେସର ଶିଖା ଭରଦ୍ୱାଜ ଅନ୍ୟତମ ଅଧିବେଶନରେ ମାନବିକୀ ଗବେଷଣାରେ କଂପ୍ୟୁଟେସନାଲ ପଦ୍ଧତି ଓ ଏଆଇର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ସାହିତ୍ୟ, ଭାଷା, ଇତିହାସ, ସଂସ୍କୃତି ଓ ଯୋଗାଯୋଗ କ୍ଷେତ୍ରରେ ଏଆଇର ପ୍ରୟୋଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

 ‘ଏଥିକ୍ସ ଆଣ୍ଡ ରେସ୍‌ପନ୍ସିବଲ ଏଆଇ’ ଶୀର୍ଷକ ଅଧିବେଶନରେ ଆଇଆଇଆଇଟି ଭୁବନେଶ୍ୱରର କଂପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ରାକେଶ ଚନ୍ଦ୍ର ବଳବନ୍ତରାୟ ଏଆଇ କ୍ଷେତ୍ରରେ ପକ୍ଷପାତ, ନ୍ୟାୟସଙ୍ଗତତା, ଗୋପନୀୟତା, ଶିକ୍ଷାଗତ ସତ୍ୟନିଷ୍ଠା, ହାଲୁସିନେସନ୍‌, ଦାୟିତ୍ୱବୋଧପୂର୍ଣ୍ଣ ବ୍ୟବହାର ଏବଂ ମାନବୀୟ ତତ୍ୱାବଧାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିଥିଲେ।

ଏହି କର୍ମଶାଳାର ବିଶେଷତ୍ୱ ଥିଲା ଏହାର ପ୍ରକୃତ ଆନ୍ତଃବିଷୟକ ଦୃଷ୍ଟିଭଙ୍ଗୀ। ଏଆଇକୁ କେବଳ ଏକ ପ୍ରଯୁକ୍ତିଗତ ଉଦ୍‌ଭାବନ ଭାବେ ଦେଖିବା ପରିବର୍ତେ ଏହାର ବ୍ୟବହାର ଓ ପ୍ରଭାବକୁ ବ୍ୟବହାରଗତ ବିଜ୍ଞାନ, ସାହିତ୍ୟ, ଭାଷା, ସଂସ୍କୃତି, ଯୋଗାଯୋଗ, ନୈତିକତା, ଗବେଷଣା ଓ ଏଥ୍ନୋଗ୍ରାଫି ଭଳି ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ କରାଯାଇଥିଲା।

କର୍ମଶାଳାରେ ଏଆଇର ଦାୟିତ୍ୱବୋଧପୂର୍ଣ୍ଣ ଓ ମାନବକୈନ୍ଦ୍ରିକ ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଆଇକୁ କେବଳ ପ୍ରଯୁକ୍ତିଗତ ସାଧନର ସମାହାର ଭାବେ ନ ଦେଖି ଏହାକୁ ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବ ପକାଉଥିବା ଏକ ଉଦୀୟମାନ ଶକ୍ତି ଭାବେ ବୁଝିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା।

ଶେଷ ଶିକ୍ଷାଭିତିକ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ମାନସ ରଞ୍ଜନ ପାତ୍ର ‘କମ୍ପ୍ୟୁଟେସ୍‌ନାଲ୍ ଏଆଇ ଆଣ୍ଡ ଡିଜିଟାଲ୍ ଏଥନୋଗ୍ରାଫି: ଫ୍ରମ୍ ଡିଜିଟାଲ୍ ଫୁଟପ୍ରିଂଟ ଟୁ ହ୍ୟୁମାନିଟିଜ୍‌’ ବିଷୟ ଉପରେ ଆଲୋଚନା କରିଥିଲେ। ମାନବିକୀ ଗବେଷଣାରେ କଂପ୍ୟୁଟେସନାଲ ଏଆଇର ପ୍ରୟୋଗ, ଏଆଇ ସହାୟତାପ୍ରାପ୍ତ ଏକାଡେମିକ ଯୋଗାଯୋଗ ଏବଂ ଏଥ୍ନୋଗ୍ରାଫିକ ଗବେଷଣାରେ କଂପ୍ୟୁଟେସନାଲ ପଦ୍ଧତି ସଂର୍ପକରେ ସେ ଆଲୋକପାତ କରିଥିଲେ।

ଉଦ୍‌ଯାପନୀ ଅଧିବେଶନରେ ସୋଆ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ପାତ୍ର ସମ୍ମାନିତ ଅତିଥି ଥିଲେ। ଡକ୍ଟର ମୌସୁମୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡକ୍ଟର ସ୍ୱୟଂ ପ୍ରଭା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


ଭୁବନେଶ୍ୱର, ୨ ଅଗଷ୍ଟ ୨୦୨୬



୭ ବର୍ଷରେ ୫୫ପ୍ରକାର ବିକାଶ ଓ ସେବା କାର୍ଯ୍ୟର ବିବରଣୀ ଦେଲେ ଭୁବନେଶ୍ୱର ସାଂସଦ

୮୮% ଜନ ଅଭିଯୋଗ ର ହୋଇଛି ସମାଧାନ

ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ ବିଦେଶରେ ବିଭିନ୍ନ ଭୂମିକାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି। ସାଂସଦ ଭାବରେ ନିଜର କାର୍ଯ୍ୟକାଳ ର ୭ ବର୍ଷ ପୂରଣ କରିଥିବା ବେଳେ ଏଭଳି କିଛି କହି  ୭ବର୍ଷର ନିଜ କାର୍ଯ୍ୟ ମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ୨୦୧୯ ମସିହାରେ ପ୍ରଥମ ଥର ଲାଗି ଜଣେ ଦକ୍ଷ ପ୍ରଶାସିକା ରୁ ରାଜନେତା ବନିଥିବା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଭାବରେ ନିର୍ବାଚିତ ହୋଇ ପାଞ୍ଚ ବର୍ଷ ନିଜ କାର୍ଯ୍ୟକାଳ ପୂରଣ କରିଥିଲେ। ପୁନର୍ବାର ୨୦୨୪ ନିର୍ବାଚନ ରେ ଭୁବନେଶ୍ଵର ବାସୀ ଅପରାଜିତା ଙ୍କୁ ନିଜର ପ୍ରଥମ ପସନ୍ଦ ଭାବରେ ବାଛିଥିଲେ।ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ କାର୍ଯ୍ୟକାଳ ର ୭ବର୍ଷ ପୂରଣ ପରେ ନିଜ ୭ ବର୍ଷ ର ୭୦ ବିକାଶ ଓ ସେବା ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଛନ୍ତି ଅପରାଜିତା।


ନିଜ କାର୍ଯ୍ୟକାଳ ରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,କ୍ରୀଡ଼ା,କୃଷି ଆଦିର ବିକାଶ, ପାନୀୟ ଜଳ ଯୋଗାଣ,ବିଦ୍ୟୁତ ଯୋଗାଣ ସମେତ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ସମସ୍ତଙ୍କର ସହଯୋଗ ରେ କାମ କରାଯାଉଥିବା ଦର୍ଶାଇଛନ୍ତି ସାଂସଦ।ଜନ ଅଭିଯୋଗ ଶୁଣାଣୀ ଏବଂ ସଂସଦୀୟ କ୍ଷେତ୍ରର ୮ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଲୋକଙ୍କ ଦାବି ଓ ଆବଶ୍ୟକତାକୁ ନେଇ ,ସାଂସଦ ଭାବରେ କରିଥିବା ନିଜର ବିକାଶ ଓ ସେବା କାର୍ଯ୍ୟ ମଧ୍ୟରେ ପ୍ରମୁଖ ରହିଛି.....

ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ୮୩୦୭କୋଟି ଟଙ୍କା ମଞ୍ଜୁର ହୋଇଥିବା ୬ଲେନ୍ ଵିଶିଷ୍ଟ ୧୧୧କିଲୋମିଟର ରାସ୍ତା,ଖୋର୍ଦ୍ଧା,ବାଘମାରି,ରାଜ ସୁନାଖଳା,ବେଗୁନିଆ ଓ ପୁବୁ ସାହି ବାଇପାସ୍,ପଳାଶୁଣୀ ସେତୁ ସମ୍ପ୍ରସାରଣ,ପଳାଶୁଣୀ ରୁ ରସୁଲଗଡ ରାସ୍ତାର ଭିତ୍ତିଭୂମି ବିକାଶ,ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ୩୭ଟି ସଡ଼କ ପ୍ରକଳ୍ପ,ସର୍ଭିସ ରୋଡ ଓ ଡ୍ରେନ୍ ନିର୍ମାଣ ସମେତ ଭୁବନେଶ୍ୱର କୁ ଟ୍ରାଫିକ ଭିଡମୁକ୍ତ ଏବଂ ସୁଗମ ଯାତାୟାତ ସୁବିଧା ସମ୍ପନ୍ନ ସହର ଭାବରେ ଗଢ଼ି ତୋଳିବା ପାଇଁ ନୂତନ ସଡ଼କ ପ୍ରକଳ୍ପ ଇତ୍ୟାଦି।ଏଥିସହିତ ଗମନାଗମନ କୁ ଅଧିକ ସୁଗମ କରିବା ପାଇଁ,ବିଭିନ୍ନ ସ୍ଥାନରେ ରାସ୍ତା ସହିତ ସେତୁ, ୨୪୦ କୋଟି ଟଙ୍କା ବ୍ୟୟରେ ୭ଟି ଫ୍ଲାଏ ଓଭର ବ୍ରିଜ୍,୧୮୬ କୋଟି ଟଙ୍କା ବ୍ୟୟରେ ୧୬ଟି ଅଣ୍ଡର ପାସ୍ ଆଦି କରାଯାଇଥିବା ନିଜ ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ସାଂସଦ। ଗମନା ଗମନ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ର ବିକାଶ ସମେତ ଭୁବନେଶ୍ୱର, ମଞ୍ଚେଶ୍ୱର, ଲିଙ୍ଗରାଜ ଷ୍ଟେସନ୍ ର ନବୀକରଣ,ପଟିଆ ଓ କଲାରାହାଙ୍ଗ ରେ ରେଳ ଓଭର୍ ବ୍ରିଜ୍ ଏବଂ ଅଟ୍ରି,ସାନପଦର,ତାରାବୋଇ, ବୋଲଗଡ ଆଦି ଷ୍ଟେସନ୍ ରେ ରେଳ ରହଣି ପାଇଁ ବ୍ୟବସ୍ଥା କରାଯାଇଛି।


ଅନୁରୂପ ଭାବରେ ସଂସଦୀୟ କ୍ଷେତ୍ରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯିବା ସହିତ ୫କୋଟି ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୮ଟି ବ୍ଲକ ଲେବୁଲ ମଡର୍ଣ୍ଣ ଲାଇବ୍ରେରୀ ଓ କୋଚିଂ ସେଣ୍ଟର ଓ ୨୩କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୫୬ ଟି ପଞ୍ଚାୟତ ସ୍ତରୀୟ ଲାଇବ୍ରେରୀ ନିର୍ମାଣ ସମେତ ଶିକ୍ଷାନୁଷ୍ଠାନ ମାନଙ୍କ ବିକାଶ ପାଇଁ ବ୍ୟାପକ କାର୍ଯ୍ୟ କରାଯାଇଥିବାର ବିବରଣୀ ରେ ଉଲ୍ଲେଖ ରହିଛି।ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟତର କରିବାକୁ ବ୍ଲକ ସ୍ତରରେ ସାଂସଦ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୩୦୦୦୦ ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଔଷଧ ପ୍ରଦାନ କରାଯାଇଛି। ନିଜସ୍ୱ ଉଦ୍ୟମ ରେ  ବିଭିନ୍ନ ଡାକ୍ତରଖାନା ମାନଙ୍କରେ ୨୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ସହିତ ଦିବ୍ୟଙ୍ଗ ମାନଙ୍କ ପାଇଁ ସହାୟକ ଉପକରଣ ଆଦି ବଣ୍ଟନ  କରାଯାଇଥିବା ଦର୍ଶାଇଛନ୍ତି ସାଂସଦ।

ପାନୀୟ ଜଳ ଯୋଗାଣ ସମେତ ଭୁବନେଶ୍ୱର ରେ ସ୍ୱରେଜ୍ ନେଟୱାର୍କ ର ବିକାଶ,ଜଳସେଚନ ,ବିଭିନ୍ନ କେନାଲ ଓ ଗଙ୍ଗୁଆ ନାଳର ବ୍ୟାପକ ପୁନରୁଦ୍ଧାର ଆଦି କାର୍ଯ୍ୟ ନେଇ ହିସାବ ଦେଇଛନ୍ତି ଅପରାଜିତା।

ଅଞ୍ଚଳର ବିଜୁଳି ସେବା କୁ ଲୋକାଭିମୁଖୀ କରିବା ପାଇଁ ବାଲିଅନ୍ତା ରେ ୬୧୬କୋଟି ଟଙ୍କାରେ ଗ୍ରିଡ୍ ସବ୍ ଷ୍ଟେସନ୍,୧୯ କୋଟି ଟଙ୍କା ବ୍ୟୟରେ ନାଗେଶ୍ୱର ଟାଙ୍ଗି ସବ୍ ଷ୍ଟେସନ୍ ନିର୍ମାଣ ସମେତ ଅନେକ ସ୍ଥାନରେ ସୌର ଆଲୋକ ସ୍ଥାପନ କରାଯାଇଛି।

କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ବେଗୁନିଆ ରେ ଏକ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ସମେତ ଅନେକ ସ୍ଥାନରେ ମାଗଣା କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଛି।

ଲୋକଙ୍କ ଦାବୀ ମୁତାବକ ପାଣ୍ଡରା ଠାରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆଧୁନିକ ମାଛ ବଜାର ସମେତ,ବହୁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ,ସହିଦନଗର ହାଟ ପାଇଁ ଜମି ଯୋଗାଣ ଆଦି କାର୍ଯ୍ୟ ଚାଲୁ ରହିଛି।

ବାଲିଅନ୍ତା ର ଜଗନ୍ନାଥପୁର ଠାରେ ୧୫ଏକର ଜମିରେ ୨୫୦କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ ବୟନ ଓ ପୋଷାକ ଶିଳ୍ପ କାରଖାନା କାର୍ଯ୍ୟ ଚାଲୁ ରହିଥିବା ବେଳେ,ଯୋଗ ଓ ପ୍ରାକୃତିକ ଚିକିତ୍ସା ଗଭେଷଣା ପ୍ରତିଷ୍ଠାନ ଆରମ୍ଭ ହୋଇଥିବା ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଅନ୍ୟପଟେ ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ଉଜ୍ଜୀବିତ ରଖିବା ପାଇଁ ଲିଙ୍ଗରାଜ, କପିଳେଶ୍ୱର ମନ୍ଦିର ସମେତ ୨୯ଟି ମନ୍ଦିର ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଖୋର୍ଦ୍ଧା ଠାରେ ସାଂସ୍କୃତିକ ପ୍ରେକ୍ଷାଳୟ,ଭୁବନେଶ୍ୱର ରେ ୬୩୦ କୋଟି ଟଙ୍କା ବ୍ୟୟରେ ଆଧୁନିକ କଳା ଗ୍ୟାଲେରୀ ଆଦି ପାଇଁ କାର୍ଯ୍ୟ ଜାରି ରହିଥିବା ଦର୍ଶାଇଛନ୍ତି ସାଂସଦ।

ଏସବୁ ବାଦ୍ ପ୍ରସିଦ୍ଧ ନୀଳାମ୍ବୁ ଚିଲିକା ର ଉନ୍ନତିକରଣ କାର୍ଯ୍ୟ ସହିତ ସଂସଦୀୟ କ୍ଷେତ୍ରରୁ ପ୍ରାପ୍ତ ୨୩୪୭୮ ଟି ଜନ ଅଭିଯୋଗ ମଧ୍ୟରୁ ୨୦୬୬୧ ଟି ଅର୍ଥାତ୍ ୮୮% ସମାଧାନ କରାଯାଇଥିବା ନିଜ ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୬



ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

    ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର  କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । 

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍ ତିରୁମାଲା ନାଏକଙ୍କ ସମେତ  କମିଟିର ସଦସ୍ୟ ଥିବା ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। 

ବୈଠକ ପ୍ରାରମ୍ଭରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ରାଜ୍ୟସ୍ତରୀୟ ପରିଚାଳନା କମିଟିର ଭୂମିକା, ଦାୟିତ୍ୱ,  ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିରୀକ୍ଷଣ ଓ ତଦାରଖ ପାଇଁ ଗଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସେଲ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନା କରିଥିଲେ । ବୈଠକରେ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ, ନିୟମିତ ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକତା ଅନୁଯାୟୀ ନୀତିଗତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟନ୍ୱୟନକାରୀ ସଂସ୍ଥାମାନଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି, ସମୁଦାୟ ୩୨୨ଟି ବିଦ୍ୟାଳୟ ନିର୍ମାଣ ଏହି  ଯୋଜନାରେ ସାମିଲ ହୋଇଛି ।  ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । 

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଯୋଜନା କାର୍ଯ୍ୟକାରିତାକୁ ଅଧିକ ସଫଳ କରିବା ପାଇଁ ବିଦ୍ୟାଳୟ ଚୟନ ଓ ଭିତ୍ତିଭୂମି ସମ୍ବନ୍ଧୀୟ କେତେକ ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । କେତେକ ସ୍ଥାନରେ ଜମିର ଆକାର, ଓସାର ଓ ଭୂମିର ଆକୃତି ଅନୁଯାୟୀ ପୂର୍ବରୁ ଅନୁମୋଦିତ ବର୍ଗାକାର ବିଲ୍ଡିଂ ପ୍ଲାନ୍ କାର୍ଯ୍ୟକାରୀ କରିବା ସମ୍ଭବ ହେଉନଥିବାରୁ ଆୟତାକାର ପ୍ଲାନ୍ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଯୋଜନାର କାର୍ଯ୍ୟାନ୍ୱୟନ, ନିରୀକ୍ଷଣ ଓ ଗୁଣାତ୍ମକ ତଦାରଖକୁ ଅଧିକ ସୁଦୃଢ଼ କରିବା ପାଇଁ  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସେଲ୍‌ରେ ଟେକ୍ନିକାଲ୍ ଓ ଏକାଡେମିକ୍ ଏବଂ ପ୍ରଶାସନିକ ତଥା ଅର୍ଥ ଏବଂ ମାନବ ସମ୍ବଳ ନିୟୋଜନ ଉପରେ ଆଲୋଚନା ହୋଇଛି ।  ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବିତ ବିଦ୍ୟାଳୟର ନିକଟସ୍ଥ ସରକାରୀ/ବେସରକାରୀ ଜମି ଅଧିଗ୍ରହଣ କରିବା ଏବଂ କେବଳ ପଞ୍ଚାୟତ ମୁଖ୍ୟାଳୟରେ ଏହି ବିଦ୍ୟାଳୟ ସ୍ଥାପନ  ସୀମିତ ନରଖି, ସେଠାରେ ଜମି ଉପଲବ୍ଧ ନଥିଲେ ପଞ୍ଚାୟତର ସର୍ବାଧିକ ଜନବସତି ଥିବା ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଗାଇଡଲାଇନ ସଂଶୋଧନ ପ୍ରସ୍ତାବ ଦିଆଯାଇଛି । 

ପ୍ରକାଶ ଥାଉକି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାର୍ଗଦର୍ଶିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୨୦୨୫ରେ ଅନୁମୋଦନ କରିଥିଲେ । ଏହାର ସୁଚାରୁ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ମାର୍ଚ୍ଚ ୨୦୨୬ରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ଗଠିତ ହୋଇଛି । ଏହି କମିଟି ଯୋଜନାର ନୀତିଗତ ମାର୍ଗଦର୍ଶନ, ରଣନୈତିକ ଦିଗନିର୍ଦ୍ଦେଶ ଓ ତଦାରଖ ପ୍ରଦାନ କରିବା ସହ କାର୍ଯ୍ୟାନ୍ୱୟନର ଅଗ୍ରଗତି ନିୟମିତ ସମୀକ୍ଷା କରିବ । କ୍ଷେତ୍ରସ୍ତରୀୟ ମତାମତ ଆଧାରରେ ବିଦ୍ୟାଳୟ ଚୟନ, ଭିତ୍ତିଭୂମି ଓ କାର୍ଯ୍ୟାନ୍ୱୟନ ମାନଦଣ୍ଡର ଆବଶ୍ୟକ ଅଦ୍ୟତନ, ବିଭାଗୀୟ ସମନ୍ୱୟ, କାର୍ଯ୍ୟନିର୍ବାହୀ ସଂସ୍ଥା ଚୟନ ଏବଂ ସମ୍ବଳର ସୁଚାରୁ ବଣ୍ଟନ ସୁନିଶ୍ଚିତ କରିବ । ଏଥିସହିତ, ଯୋଜନାର ଉଦ୍ଦେଶ୍ୟ ହାସଲ, ଗୁଣାତ୍ମକ ଓ ସମାବେଶୀ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଦେଖାଦେଉଥିବା ସମସ୍ୟାର ସମାଧାନ କରି ଫଳପ୍ରଦ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବ। ଯୋଜନାର କାର୍ଯ୍ୟକାରିତାରେ ରହୁଥିବା ସମସ୍ୟା ଓ ଆହ୍ୱାନଗୁଡ଼ିକର ସମାଧାନ କରି ଯୋଜନାରେ ସୁଗମ, ଉତ୍ତରଦାୟୀ ଏବଂ ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ରଣନୈତିକ ଦିଗ ନିର୍ଦ୍ଦେଶ ପ୍ରଦାନ କରିବା କମିଟିର ମୂଳ ଭୂମିକା ରହିଛି ।  

ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଓ ଶିଶୁ-ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଶ୍ରେଣୀକକ୍ଷ, ଶିଶୁ ବାଟିକା, ପ୍ରବେଶ ଲବି, ପ୍ରଧାନଶିକ୍ଷକଙ୍କ କକ୍ଷ, ଷ୍ଟାଫ୍ ରୁମ୍, ଷ୍ଟୋର୍ ରୁମ୍, ଅଫିସ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା  ରହିବ । ସ୍ଥାନର ପରିସ୍ଥିତି ଅନୁଯାୟୀ ନକ୍ସାରେ ଆବଶ୍ୟକ ପରିବର୍ତ୍ତନ କରି ଭିତ୍ତିଭୂମିର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଉନ୍ନତ ବିଦ୍ୟାଳୟ  ଭିତ୍ତିଭୂମି ସହିତ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା । ନିର୍ମାଣ କାର୍ଯ୍ୟ ପରେ ଆବଶ୍ୟକ ସଂଖ୍ୟକ ଓ ଉତ୍ତମ ଶିକ୍ଷକଙ୍କ ଉପଲବ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ରହିବ ବୋଲି   ସେ  ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ଯୋଜନାର ପ୍ରତ୍ୟେକ ପର୍ଯ୍ୟାୟରେ ଉଚ୍ଚ ଆକାଂକ୍ଷା, ଗୁଣାତ୍ମକ ମାନଦଣ୍ଡ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । 

ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଉନ୍ନତ ଶିକ୍ଷା ପରିବେଶ ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ସମୟବଦ୍ଧ ଓ ଗୁଣାତ୍ମକ ଭାବେ ଆଗେଇ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।


ଭୁବନେଶ୍ୱର, ୨୫  ଅଗଷ୍ଟ ୨୦୨୬ 



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି।

ପନ୍ଦରଟି ବିଭିନ୍ନ ଦେଶରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ବି.ଟେକ୍‌, ଏମ.ଟେକ୍‌, ବି.ଫାର୍ମ, ବି.ଏସ.ସି (କୃଷି), ବିବିଏ, ମାଷ୍ଟର ଇନ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଓ ବି.ଏସ.ସି (ଅପଟୋମେଟ୍ରି) ପାଠ୍ୟକ୍ରମର ଅନ୍ତଭୁର୍କ୍ତ ଥିଲେ।

ଏହି କାର୍ଯ୍ୟକ୍ରମରେ ଇଟଂରନ୍ୟାସନାଲ ଟ୍ରିବ୍ୟୁନାଲ ଫର ଦ ଲ ଅଫ ଦ ସି, ହାମବର୍ଗର ବିଚାରପତି ପ୍ରଫେସର ମରିସ କାମଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ସଫଳତା ନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ନିଜ ଦେଶ କ୍ୟାମେରୁନ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ଲାଭ କରିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ସୋଆ ସହିତ କ୍ୟାମେରୁନ୍‌ର ହାନସିଆଟିକ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ଆଣ୍ଡ ଆପ୍ଳାଇଡ୍ ସାଇନସେସର ଉଚ୍ଚ ଶିକ୍ଷାରେ ସହଯୋଗ ନିମନ୍ତେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସେ ପ୍ରକାଶ କରିଥିଲେ।

ପ୍ରଫେସର କାମଗାଙ୍କ ପତ୍ନୀ ଶ୍ରୀମତି ଜିନି କାମଗା ଯିଏ କି ଦ ହେଗ ସ୍ଥିତ ଇଟଂରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌ରେ କାର୍ଯ୍ୟରତ ସେ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେ କହିଥିଲେ ଯେ ଏହି ଛାତ୍ରଛାତ୍ରୀମାନେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେକ୍‌ୱାକ୍ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗ୍ ଅନୁଯାୟୀ ଭାରତର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ଗର୍ବିତ ହେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପ୍ରଫେସର (ଡ) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ୟୁନିଭର୍ସିଟି ଆଉଟ୍‌ରିଚ ପ୍ରୋଗ୍ରାମ ଓ ଇଂଟରନ୍ୟାସନାଲ ରିଲେନ୍ସ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬


୧୯ ପାଳି ସୁଦ୍ଧା ୯୫ ପ୍ରତିଶତ ସମାଧାନ

ଜିଲ୍ଲାସ୍ତରରେ ୮୭ ପ୍ରତିଶତ ଅଭିଯୋଗର ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ସହିତ  ୧୦ଜଣ  ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ

୧୬ ଜଣ ଦୂରାରୋଗ୍ୟ ପୀଡିତଙ୍କ ପାଇଁ ୧୪.୫୦ ଲକ୍ଷ ଟଙ୍କା ତୁରନ୍ତ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା- ମୁଖ୍ୟମନ୍ତ୍ରୀ


ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା। ଲୋକଙ୍କ ସମସ୍ୟା ଶୁଣି, ତା’ର ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଆଜି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତି ରଖି କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୧୦ଜଣ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ  ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ଶୁଣି ତା’ର ସମାଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯେଉଁଠି ଲୋକଙ୍କ ସମସ୍ୟା ଅଛି, ଆମ ସରକାର ସେଠାରେ ନିଶ୍ଚୟ ପହଞ୍ଚିଥାନ୍ତି। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ  ସବୁବେଳେ ଲୋକଙ୍କ ପାଖରେ ଆମେ ପହଞ୍ଚୁଛୁ ଓ ସେମାନଙ୍କୁ ସହାୟତା ପ୍ରଦାନ କରୁଛୁ। ୨୦୨୪ ମସିହାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରି ଆମେ ସହାୟତା ପ୍ରଦାନ କରିଥିଲୁ। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ ପ୍ରଦାନ କରିଛୁ। ଆମ ସରକାର ଲୋକଙ୍କ ସୁଖ ଦୁଃଖରେ ଅଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୯ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୫,୩୨୭ ଅଭିଯୋଗ ମଧ୍ୟରୁ ୧୪,୫୧୯ ଅର୍ଥାତ ୯୫ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି। 

ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା ୨,୬୯,୩୯୪ ଅଭିଯୋଗ ଶୁଣାଣି ହୋଇ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଜିଲ୍ଲାସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯାଉଥିବାରୁ ଲୋକଙ୍କୁ ଆଉ ଅଯଥା ହଇରାଣ ହେବାକୁ ପଡୁନାହିଁ। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଫଳରେ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଭରସା ଓ ଆସ୍ଥା ବହୁଗୁଣିତ ହୋଇଛି।

ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ।

ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ୧୬ ଜଣଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୧୪.୫୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି।

ଆଜି ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି।

 ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ, ପରିବେଶ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ   ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget