Articles by "Crime"

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫




ଭୁବନେଶ୍ୱର ତା ୨୧.୧୧.୨୫ :- ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପଯ୍ୟସ୍ଥ। ୨୦୨୪ରେ  ୨୪ ବର୍ଷର ଶାସନକୁ ଏକ ସ୍ୱଚ୍ଛ, ପ୍ରଗତିଯୁକ୍ତ ଓ ଆଇନ ଶୃଙ୍ଖଳାର ଉତ୍ତମ ଶାସନ ପ୍ରତିଷ୍ଠା ପାଇଁ ବିତାଡିତ କରିଥିଲେ । କିନ୍ତୁ ସରକାର ଆସିବା ପରେ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ରାଜ୍ୟକୁ ବଦନାମ ହେବାକୁ ପଡୁଛି  । ପ୍ରତ୍ୟେକ ଦିନ ୧୫ ଜଣ ମହିଳା ଅତ୍ୟାଚାରର ଶିକାର ହେଉଛନ୍ତି । ଗଣ ଦୁଷ୍କର୍ମ, ନାବାଳିକା ଗର୍ଭବତୀ, ହତ୍ୟାକାଣ୍ଡ, ଲୁଟ ତରାଜ ଇତ୍ୟାଦି ସୀମା ଲଙ୍ଘନ କରିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ସମଗ୍ର ଓଡିଶାରେ ବର୍ତ୍ତମାନ ଦୁର୍ବୃତ୍ତଙ୍କ ଶାସନ ଚାଲିଛି । ବର୍ତ୍ତମାନ ଏକ ଅତ୍ୟନ୍ତ ଗୁରୁତର ଘଟଣା ଘଟିଛି, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୁତ୍ର ତଥା ଭବାନୀପାଟଣା ଯୁବ ବିଧାୟକ ସାଗର ଚରଣ ଦାସଙ୍କୁ ଜୀବନରେ ମାରିଦେବାର ଧମକ ମିଳିଛି । ଗତକାଲି ସକାଳେ କଂଗ୍ରେସ ଦଳର ଜଣେ ଜୋନ ସଭାପତି ତଥା ବିଧାୟକ ଶ୍ରୀ ଦାସଙ୍କ ସମର୍ଥକ ଦେବାନନ୍ଦ ଜୋଷୀଙ୍କୁ ୪/୫ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କୁ ଘରୁ ଉଠାଇ ଆଣି ବିଧାୟକ ଶ୍ରୀ ଦାସ କୁଆଡେ ଅଛନ୍ତି ବୋଲି ପଚାରିଥିଲେ ଏବଂ ନ କହିଲେ ଜୀବନରେ ତାଙ୍କୁ ଏବଂ ବିଧାୟକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ।

ରାଜ୍ୟର ଜଣେ ଉଦୀୟମାନ ଓ ପ୍ରସିଦ୍ଧ ବିଧାୟକଙ୍କୁ ହତ୍ୟା ଧମକ ମିଳିବା ଦର୍ଶାଉଛି ଯେ ରାଜ୍ୟରେ ମୋହନ ସରକାରଙ୍କ ନୁହଁ ଦୁର୍ବୃତ୍ତଙ୍କ ଶାସନ ଚାଲିଛି । ପୋଲିସ ଦୁର୍ବୃତ୍ତଙ୍କୁ ଧରି ପୁଣି ଛାଡି ଦେବା ଓଡ଼ିଶାରେ ଜଙ୍ଗଲରାଜର ଯୁଗ ଆରମ୍ଭ ହୋଇଗଲାଣି ବୋଲି ସୂଚାଉଛି । ବିଗତ ଦିନରେ କଂଗ୍ରେସ ନାରୀ ଦୁଷ୍କର୍ମକୁ ନେଇ ଆନ୍ଦୋଳନ କରିବାରୁ ଆମକୁ ଆତଙ୍କବାଦୀ ଆଖ୍ୟା ଦେଲେ । ତେବେ ବିଧାୟକଙ୍କ ସମର୍ଥକ ଏବଂ କଂଗ୍ରେସ ଦଳର ଜଣେ କର୍ମକର୍ତ୍ତାଙ୍କୁ ଘରୁ ଟେକିନେଇ ଧମକ ଦେବା ଦୁର୍ବୃତ୍ତଙ୍କୁ କଣ କୁହାଯିବ ?

ସୁରକ୍ଷା କଣ କେବଳ ମୋହନ ବାବୁ, କେଭି ସିଂଦେଓ, ପ୍ରଭାତୀ ମହାଶୟା ଏବଂ ମନ୍ତ୍ରୀମଣ୍ଡଳଙ୍କ ପାଇଁ କି ?

ତେବେ କଂଗ୍ରେସ ଦାବୀ କରୁଛି ଅପରାଧୀଙ୍କ ଦଣ୍ଡବିଧାନ ହେଉ । ବିଧାୟକ ଶ୍ରୀ ଦାସ ଡିଜିପିଙ୍କୁ ଲିଖିତ ଚିଠି ଲେଖି ସାରିଛନ୍ତି ।

ଯଦି ପୁଲିସ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ତେବେ କଂଗ୍ରେସ ପକ୍ଷରୁ ଡିଜିପି ଅଫିସ ଘେରାଓ କରି ତାଙ୍କୁ ଅଫିସ ଛଡ଼ାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଫିସ ଯିବାକୁ ଦେବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରୁଛନ୍ତି ।

ଅନ୍ୟତମ ମୁଖପାତ୍ର ବିଭୁତି ମହାପାତ୍ର କହିଲେ, ମୂଳକଥା ହେଲା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବାଲି ଚୋରୀ ଉପରେ ଏକ ଗମ୍ଭୀର ଅଭିଯୋଗ ଆଣିବାର ଦୁଇଦିନ ପରେ ଧମକ ଘଟଣା ଘଟିଛି । ପୂର୍ବରୁ ରାଜ୍ୟରେ ମନ୍ତ୍ରୀ ନବ ଦାସଙ୍କୁ ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରା ଯାଇଥିଲା ଏବଂ ବର୍ତ୍ତମାନ ଜଣେ ବିଧାୟକଙ୍କୁ ଖୋଲାଖୋଲି ଧମକ ମିଳୁଛି । ଏହି ଘଟଣା ଯୋଗୁଁ କଂଗ୍ରେସ ବିଚଳିତ । ପିସିସି ସଭାପତିଙ୍କ ଯୋଗୁଁ କଂଗ୍ରେସର ଓ ବିଧାୟକ ସାଗର ଦାସଙ୍କ ଲୋକପ୍ରିୟତା ବୃଦ୍ଧିକୁ ସହ୍ୟ କରି ନ ପାରି, ଭୟରେ ଏଭଳି ହୀନକାଣ୍ଡ ଘଟାଇଛନ୍ତି । ତେବେ ଏହି ହତ୍ୟା ଧମକ ପଛରେ କେଉଁ ବଡ଼ ବଡ଼ିଆ ବ୍ୟକ୍ତି ବିଶେଷ ଅଛନ୍ତି ତାଙ୍କ ବିରୋଧରେ ସରକାର ତଥା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କହିବା ସହ   ବିଧାୟକ ଶ୍ରୀ ଦାସଙ୍କୁ ଉଚ୍ଚତ୍ତମ ସୁରକ୍ଷା ପ୍ରଦାନ କରାଯାଉ ବୋଲି ମୁଖପାତ୍ର ଶ୍ରୀ ମହାପାତ୍ର ଦାବୀ ଜଣାଇଛନ୍ତି । ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



  • ଜନସାଧାରଣଙ୍କୁ ନିବେଦନ ବୈଧ ଟିକେଟ୍ ନେଇ ଦାୟିତ୍ୱର ସହିତ ଯାତ୍ରା କରନ୍ତୁ ।
  • ଅକ୍ଟୋବର 2025 ରେ 58,731 ଟି ଟିକେଟ୍ ଉଲ୍ଲଂଘନ ଚିହ୍ନଟ ହୋଇଛି ।
  • ଏପ୍ରିଲ୍ ରୁ ଅକ୍ଟୋବର ମାସ 2025 ମଧ୍ୟରେ 4.41 ଲକ୍ଷରୁ ଅଧିକ ବିନା ଟିକେଟ୍ କିମ୍ବା ଅନୁପଯୁକ୍ତ ଟିକଟ ସମ୍ବନ୍ଧୀୟ ଅପରାଧ ରେକର୍ଡ କରାଯାଇଛି ।
  • 2,145 ଟି ଟ୍ରେନରେ ବ୍ୟାପକ ଯାଞ୍ଚ କରାଯାଇଅଛି ।
  • ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀମାନଙ୍କୁ ନିୟମ ପାଳନ କରିବାକୁ ଏବଂ ଅସୁବିଧା ଏଡାଇବାକୁ ଅନୁରୋଧ କରିଛି ।


ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନଧିକୃତ ଯାତ୍ରାକୁ ଏଡ଼ାଇବା ପାଇଁ ଏହାର କାର୍ଯ୍ୟକାରୀତା ଏବଂ ସଚେତନତା ପ୍ରୟାସକୁ ସୁଦୃଢ଼ କରିଛି ଯାହା ଦ୍ୱାରା ଅକ୍ଟୋବର 2025 ରେ ବହୁ ସଂଖ୍ୟକ ବିନା ଟିକେଟ୍ ଏବଂ ଅନିୟମିତ ଯାତ୍ରା ମାମଲା ଚିହ୍ନଟ କରାଯାଇଅଛି । ରେଳମଣ୍ଡଳ ଗୁରୁତ୍ୱାରୋପ କରିଛି ଯେ ବିନା ଟିକେଟ କିମ୍ବା ବୈଧ ଟିକେଟ ବିନା ଟ୍ରେନ ଯାତ୍ରା କରିବା ଦ୍ୱାରା କେବଳ ଦଣ୍ଡ ଲାଗୁ ହୁଏ ନାହିଁ ବରଂ ଯାତ୍ରୀମାନଙ୍କୁ ଅସୁବିଧା ହୁଏ ଏବଂ ଯାତ୍ରା ପରିବେଶକୁ ବିପର୍ଯ୍ୟସ୍ତ କରେ ।

କେବଳ ଅକ୍ଟୋବର 2025 ରେ, ଟିକେଟ ଉଲ୍ଲଂଘନର 58,731 ମାମଲା ଚିହ୍ନଟ ହୋଇଅଛି ଯାହା ଗତ ବର୍ଷ ଅକ୍ଟୋବର ମାସ ତୁଳନାରେ 5.4% ଅଧିକ ଅଟେ । ଏପ୍ରିଲରୁ ଅକ୍ଟୋବର 2025 ପର୍ଯ୍ୟନ୍ତ, ମୋଟ ଉଲ୍ଲଂଘନ 4,41,106 ମାମଲାକୁ ବୃଦ୍ଧି ପାଇଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପଞ୍ଜିକୃତ 4,00,946 ମାମଲା ତୁଳନାରେ 10% ଅଧିକ ।


ଜରିମାନା ସଂଗ୍ରହରେ ଯଥେଷ୍ଟ ଅଭିବୃଦ୍ଧି :

ବ୍ୟାପକ ଟିକେଟ ଯାଞ୍ଚ ଓ ସଚେତନତା ପ୍ରୟାସ କେବଳ ରାଜସ୍ୱ ସୁରକ୍ଷାକୁ ସୁଦୃଢ଼ କରିନାହିଁ ବରଂ ଯାତ୍ରୀମାନଙ୍କୁ ଅନୁପଯୁକ୍ତ ଯାତ୍ରା ଟିକେଟ କିମ୍ବା ବିନା ଟିକେଟ ଯାତ୍ରା କରିବାକୁ ନିରୁତ୍ସାହିତ କରିଛି, ଯାହା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଯାତ୍ରା ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇ ହେବ ।  ରେଳମଣ୍ଡଳ 2025 ଅକ୍ଟୋବରରେ ₹3,15,11,770 ଜରିମାନା ସଂଗ୍ରହ କରିଛି, ଯାହା ଗତ ବର୍ଷ ତୁଳନାରେ 23% ବୃଦ୍ଧିକୁ ପ୍ରତିଫଳିତ କରୁଅଛି । ଚଳିତ ଆର୍ଥିକ ବର୍ଷର ଏପ୍ରିଲ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଜରିମାନା ପରିମାଣ ₹23,94,23,698 ରେ ପହଞ୍ଚିଛି ଯାହା ଅକ୍ଟୋବର 2024 ସୁଦ୍ଧା ଆଦାୟ ହୋଇଥିବା ଜରିମାନା ₹18,97,29,010 ତୁଳନାରେ 26% ବୃଦ୍ଧିକୁ ଦର୍ଶାଉଛି । ଏହି ପଦକ୍ଷେପଗୁଡ଼ିକ ଯାତ୍ରୀମାନଙ୍କୁ ସମ୍ମାନର ସହିତ ଯାତ୍ରା କରିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ରେଳ ନିୟମ ପାଳନ କରିବାକୁ ଆହୁରି ଉତ୍ସାହିତ କରେ ।


ବ୍ୟାପକ ତଦାରଖ ଏବଂ ଯୋଜନାବଦ୍ଧ ଯାଞ୍ଚ

ଚଳିତ ଆର୍ଥିକ ବର୍ଷରେ ମୋଟ 1,586 ଟି ଟିକେଟ ଯାଞ୍ଚ ଅଭିଯାନ କରାଯାଇଥିବା ବେଳେ ରେଳମଣ୍ଡଳ ପକ୍ଷରୁ 2,145 ଟି ଟ୍ରେନରେ ମଧ୍ୟ ଟିକେଟ ଯାଞ୍ଚ କରାଯାଇଥିଲା । ଏହି ନିରନ୍ତର ପଦକ୍ଷେପଗୁଡ଼ିକ ଉଚ୍ଚ ଅନୁପାଳନ ସ୍ତର ଏବଂ ଅନଧିକୃତ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଅବଦାନ ରଖିଛି ।


ସଚେତନତା ଏବଂ ପ୍ରବର୍ତ୍ତନ ଏକାଠି କାର୍ଯ୍ୟ କରିବା

କଠୋର ତଦାରଖ ସହିତ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସାର୍ବଜନୀନ ଘୋଷଣା, ସୋସିଆଲ ମିଡିଆ ମେସେଜିଂ ଏବଂ ଷ୍ଟେସନ-ସ୍ତରୀୟ ପ୍ରଚାର ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ ସର୍ବଦା ଚଳାଇ ଆସୁଅଛି । ଯାତ୍ରୀମାନଙ୍କୁ ନିରନ୍ତର ଭାବେ ସମ୍ମାନର ସହିତ ଯାତ୍ରା କରିବାକୁ ଏବଂ ରେଳ ନିୟମ ପାଳନ କରିବାକୁ ଉତ୍ସାହିତ କରାଯାଇଛି। ସ୍ୱତନ୍ତ୍ର ଟିକେଟ ଯାଞ୍ଚ ଦଳଗୁଡ଼ିକ ରେଳ ସୁରକ୍ଷା ବଳ (RPF) ସହିତ ସମନ୍ୱୟ ରଖି ଏହି ବ୍ୟାପକ ଯାଞ୍ଚ ତୁଲାଉଥିବାବେଳେ ପ୍ରମୁଖ ଷ୍ଟେସନ ଏବଂ ଟ୍ରେନଗୁଡ଼ିକରେ ଦକ୍ଷ ଏବଂ ସମନ୍ୱିତ ପ୍ରବର୍ତ୍ତନ ସୁନିଶ୍ଚିତ କରୁଛନ୍ତି ।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏକ ସ୍ୱଚ୍ଛ, ନିରାପଦ ଏବଂ ଯାତ୍ରୀ-ଅନୁକୂଳ ରେଳ ଇକୋସିଷ୍ଟମ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି । ରେଳମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ. ସମସ୍ତ ଯାତ୍ରୀଙ୍କୁ ଅଯଥା ଅସୁବିଧାକୁ ଏଡାଇବା ଏବଂ ଏକ ଶୃଙ୍ଖଳିତ ଏବଂ ସମ୍ମାନର ସହ ସୁବିଧା ଯୁକ୍ତ ଯାତ୍ରା ପରିବେଶକୁ ଆପଣେଇବା ପାଇଁ ସର୍ବଦା ବୈଧ ଟିକେଟ୍ କିମ୍ବା ଯାତ୍ରା ଅଧିକାର ଦଲିଲ ବହନ କରିବାକୁ ନିବେଦନ କରିଛନ୍ତି ।

ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୫




ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଊପନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗିଥିବା ବେଳେ  ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନୂଆପଡାରେ୍ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି।ଏଭଳି ସମୟରେ କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝିଙ୍କ ବିଜୟ ସମ୍ଭାବନା ଦେଖି କିଛି ସାମାଜିକ ଗଣମାଧ୍ୟମ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସ ଦଳକୁ ବଦନାମ କରିଚାଲିଛନ୍ତି।  ନିର୍ଦ୍ଧିଷ୍ଟ ଏକ ୟୁଟ୍ୟୁବ ଚ୍ୟାନେଲର ମାଲିକ ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନାମ ବିନା କୌଣସି ପ୍ରମାଣ ଓ ତଥ୍ୟ ଆଧାରରେ ଯେଭଳି ଚିତ୍ରଣ କରୁଛନ୍ତି ଏବଂ ତାଙ୍କ ନାମରେ ବିଭିନ୍ନ ମନଗଢା ବିଷୟ ତିଆରି କରି ବଦନାମ କରାଯାଊଛି।ଊକ୍ତ ୟୁଟ୍ୟୁବ୍ ଚ୍ୟାନେଲର ସଂପାଦକ କିଛି ଦିନ ଆଗରୁ ଆସାମାଜିକ ବ୍ୟକ୍ତିଙ୍କ ଭିଡକୁ କଂଗ୍ରେସ ଭବନ ଆଗରେ ଧାରଣ ଦେଇ ଗଣ୍ଡଗୋଳ କରିବାକୁ ଊସୁକାଇଥିଲେ। ତାହା ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଭିଏସଏସ ନଗର ସ୍ଥିତ ସାଇବର ପୋଲିସ ଥାନା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ସାଇବର ସେଲ ଅଧିକାରୀଙ୍କୁ ସବିଶେଷ ତଥ୍ୟ  ଓ ପ୍ରମାଣ ଊପସ୍ଥାପନ କରିଥିଲେ। ଦାବି ପତ୍ରରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ବିରୋଧରେ ବିନା ପ୍ରମାଣ,ତଥ୍ୟ ଆଧାରରେ ସମ୍ମାନହାନି କରିଥିବା ଊକ୍ତ ତଥାକଥିତ ଗଣ ମାଧ୍ୟମ ଊପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ଏଥି ସହିତ କିଛି ଅସାମାଜିକ ବ୍ୟକ୍ତିତ୍ବ କଂଗ୍ରେସ ବିରୋଧରେ କରୁଥିବା ଅପପ୍ରଚାର ଊପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା। ଯଦି ସଂପୃକ୍ତଙ୍କ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ।  ଉକ୍ତ ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ଅଶୋକ ଦାଶ, ଗୀତାଞ୍ଜଳି ମହାନ୍ତି, ପ୍ରଶାନ୍ତ ଚମ୍ପତି , ଅଭିଳାଷ ମାଣିଆ, ଜୟକୃଷ୍ଣ ସୁବୁଦ୍ଧି, ବ୍ରହ୍ମାନନ୍ଦ ସାହୁ, ଜୟକୃଷ୍ଣ ମଲିଆ, ଆଲୋକ ମହାନ୍ତି, ତରୁଣ ମିଶ୍ର, ହିମାଂଶୁ ଲେଙ୍କା, ପ୍ରାଚୀ ରାଉତରାୟ, ମୋହନ ଜେନା, ସୂର୍ଯ୍ୟକାନ୍ତ ଜେନା, ଅକ୍ଷୟ ଦାସ, ପ୍ରଶାନ୍ତ ସେନାପତି, ଅଭିଳାଷ ନନ୍ଦ, ଲୁଲୁ ଅହମ୍ମଦ, ମିହିର ଆଚାର୍ଯ୍ୟ, ଉମେଶ ସ୍ୱାଇଁ, ଦେଓ ପ୍ରସାଦ ପ୍ରମୁଖ ଊପସ୍ଥିତ ଥିଲେ।


ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୫




  • ସୁଭଦ୍ରା ଯୋଜନାରୁ ବୃତ୍ତି ପାଉଥିବା ଛାତ୍ରୀଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ
  • ଏସ୍‌ଆଇ କେଳଙ୍କାରୀ ଓ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ତଦନ୍ତ ପାଇଁ ଦାବି କଲା କଂଗ୍ରେସ

ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଚୂଡ଼ାନ୍ତ ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଗୁରୁବାର ନୂଆପଡାର ଖୁଣ୍ଟିଆ ଭବନଠାରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ କହିଲେ, ଗତ ପନ୍ଦର ଅକ୍ଟୋବରରେ ଆଇସିଡିଏସ ଓ ଏସ୍‌ଡବ୍‌ଲୁ ନିର୍ଦ୍ଦେଶିକା ଅନୁସୂଚିତ ଜାତି, ଓ ଜନଜାତି ବିଭାଗର ସଚିବଙ୍କୁ ପଠାଇଥିବା ଏକ ଚିଠି ଆମର ହସ୍ତଗତ ହୋଇଛି, ଯେଊଁଥିରେ ଉଲ୍ଲେଖ ଅଛି ଯେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କା ବୃତ୍ତି ପାଉଛନ୍ତି, ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଉ। ଯଦି ସରକାରଙ୍କର ଦମ ନ ଥିଲା, ତେବେ କାହିଁକି ଏକକାଳୀନ ପ୍ରତ୍ୟେକ ମହିଲାଙ୍କୁ ପଚାଶ ହଜାର ଟଙ୍କାର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ? ପରବର୍ତ୍ତୀ ସମୟରେ ସରକାରକୁ ଆସିଲା ପରେ ବିଭିନ୍ନ ଆଳରେ ବିଭିନ୍ନ ବର୍ଗର ମହିଲାମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଛି। ଦିନକୁ ମାତ୍ର ୨୭ ଟଙ୍କା ୩୯ ପଇସା ଦେବାର ସାମର୍ଥ୍ୟ ମଧ୍ୟ ସରକାରଙ୍କର ନାହିଁ ଯେ ବୃତ୍ତି ପାଉଥିବା ଛାତ୍ରୀମାନଙ୍କୁ ଯୋଜନାରୁ ବାଦ୍ ଦେବାକୁ ପଡ଼ୁଛି? କଂଗ୍ରେସର ଦାବି ଏହି ନିର୍ଦ୍ଦେଶାବଳୀକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଆହୁରି ମଧ୍ୟ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଭୋଟ ଚୋରିର ପର୍ଦ୍ଦାଫାସ ସାରା ଭାରତରେ ଲୋକଙ୍କୁ ଜାଗ୍ରତ କରିଛି। ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସସୀରାମ ମାଝିଙ୍କ ବିପୁଳ ବିଜଯ ହେଉଥିବା ଜାଣି ବିଜେପି ଭୟଭୀତ ହୋଇ ପଡିଛି। ସରକାର କଂଗ୍ରେସକୁ ହରାଇବା ପାଇଁ ସମସ୍ତ ପ୍ରକାରର କୌଶଳକୁ ଆପଣେଇଛନ୍ତି।ଭୋଟରଙ୍କୁ ନେଇ ଏକ ବିରାଟ ବ୍ୟତିକ୍ରମର ପ୍ରମାଣ ହସ୍ତଗତ ହୋଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଶୋଧିତ ତଥା ଚୂଡ଼ାନ୍ତ ଭୋଟର ତାଲିକାରେ ୫ ହଜାର ନୂଆ ଭୋଟରଙ୍କୁ ଯୋଡ଼ିଛନ୍ତି। କଂଗ୍ରେସର ପ୍ରଶ୍ନ ହେଉଛି, ଏହି ୫ ହଜାର ମତଦାତା କୁଆଡୁ ଆସିଲେ? ଏମାନେ ବାହାରୁ ଆମଦାନି ଭୋଟର ନୁହଁନ୍ତି ତ? କର୍ଣ୍ଣାଟକର ମହାଦେବପୁରାରେ ଯେମତି ବାହାର ଭୋଟର ସଂଯୋଗ କରାଯାଇଥିଲା, ସେଭଳି ନିର୍ବାଚନ ଜିତିବା ପାଇଁ ନୂଆପଡ଼ାରେ କୌଶଳ ଅବଲମ୍ବନ କରାଯାଇଛି କି? ପୂର୍ବରୁ ବିଜେପି ହାଇକୋର୍ଟରୁ ଓକିଲ ଡକାଇ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝିଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ  ଅପଚେଷ୍ଟା କରିଥିଲା। ତେବେ ବିଜେପି ସତ ଉପାୟରେ ନିର୍ବାଚନ ଲଢିବାକୁ ଏତେ ଭୟ କାହିଁକି କରୁଛି? ଏସ୍‌ଆଇ କେଳଙ୍କାରୀ ମାମଲାରେ ସରକାର ସିବିଆ ତଦନ୍ତ କରାଉଥିବା ସ୍ବାଗତଯୋଗ୍ୟ; ତେବେ ଏହା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହେଲେ ଯାଇ ବିଶ୍ବସନୀୟତା ରହିବ ବୋଲି ସେ କହିଥିଲେ। ଉଭୟ କ୍ରାଇମବ୍ରାଞ୍ଚ ଓ ସିବିଆଇ ଉପରୁ ରାଜ୍ୟବାସୀଙ୍କର ଭରସା ତୁଟିଯାଇଥିବାରୁ ପୀତବାସ ପଣ୍ଡା ହତ୍ୟା ମାମଲାରେ ମଧ୍ୟ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଇବାକୁ କଂଗ୍ରେସ ପକ୍ଷରୁ ସେ ଦାବି କରିଥିଲେ।

କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ.ହମିଦ ହୁସେନ ଆଜିଯାଏ ବିଜେପି ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେଇ ନ ପାରିବା ପଶ୍ଚିମ ଓଡ଼ିଶା ପ୍ରତି ଦଳର କିପରି ଆନ୍ତରିକତା ଅଛି ତାକୁ ପ୍ରଶ୍ନ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀ ନୂଆପ଼ାର ବିକାଶ ପାଇଁ କଂଗ୍ରେସର ଭିଜନ ଡକୁମେଣ୍ଟ ବର୍ଣ୍ଣନା କରିଥିଲେ। ପିସିସି ପ୍ରବକ୍ତା ବିଭୂତିଭୂଷଣ ମହାପାତ୍ର ଧନ୍ୟବାଦ ଜଣାଇବା ସହ ଭୋଟ୍ ଚୋରି ରୋକିବାକୁ ବାହାରର ନକଲି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟ୍ ପୂର୍ବରୁ ଦୁଇତିନିଦିନ ରେଳଷ୍ଟେସନରେ କଡ଼ା ଯାଂଚ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବକଂଗ୍ରେସ ନେତା ଗଣେଶ ସାହୁ, ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର, ତୁଲେଶ୍ବର ନାଏକ , ରବି ମଙ୍ଗରାଜ ପ୍ରମୁଖ ମଂଚାସୀନ ଥିଲେ।


ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୫




ପୂର୍ବତଟ ରେଳପଥ  ଜନସାଧାରଣଙ୍କୁ  — ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳମାନଙ୍କୁ — ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍‌ର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରିବା କିମ୍ବା "ରିଲ୍‌" ତିଆରି କରିବାର ମାରାତ୍ମକ ଏବଂ ବେଆଇନ ଅଭ୍ୟାସ ବିରୁଦ୍ଧରେ ସତର୍କ କରାଇ ଏକ କଡ଼ା ସଚେତନତା ଅଭିଯାନ ଆରମ୍ଭ କରିଛି।ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି  ଯେ ଏପରି ବେପରୁଆ କାର୍ଯ୍ୟ କେବଳ ଜୀବନ ପାଇଁ ବିପଦପୂର୍ଣ୍ଣ ନୁହେଁ ବରଂ ରେଳବାଇ ଆଇନ, ୧୯୮୯ ଅନୁଯାୟୀ କଡ଼ା ଦଣ୍ଡନୀୟ ଅପରାଧ।

ଏହି ପଦକ୍ଷେପ ଏକ ଚିନ୍ତାଜନକ ପ୍ରବୃତ୍ତି ପ୍ରତି ପ୍ରତିକ୍ରିୟା ସ୍ୱରୂପ ଗ୍ରହଣ କରାଯାଇଛି, ଯେଉଁଠାରେ ସାମାଜିକ ଗଣମାଧ୍ୟମର ଖ୍ୟାତି ପାଇବା ପାଇଁ କେହି କେହି ବ୍ୟକ୍ତି ସ୍ୱୟଂ ତାଙ୍କର ଏବଂ ରେଳ ପରିଚାଳନାର ସୁରକ୍ଷାକୁ ବିପଦରେ ପକାନ୍ତି, ଯାହା ଅନେକ ସମୟରେ ଦୁଃଖଦ ଓ ମାରାତ୍ମକ ଦୁର୍ଘଟଣାକୁ ଜନ୍ମ ଦେଇଥାଏ।

ପୂର୍ବତଟ ରେଳପଥ ଅନୁରୋଧ କରିଛି ଯେ ରେଳପଥ, ଷ୍ଟେସନ ପରିସର ଏବଂ ଚଳନ୍ତା ଟ୍ରେନ୍‌ଗୁଡ଼ିକ ମନୋରଞ୍ଜନ ଭିଡିଓ ପାଇଁ ପୃଷ୍ଠଭୂମି ନୁହେଁ, ବରଂ ଏଗୁଡ଼ିକ ଉଚ୍ଚ ବିପଦପୂର୍ଣ୍ଣ କାର୍ଯ୍ୟକ୍ଷମ କ୍ଷେତ୍ର। ଏହି ସ୍ଥାନଗୁଡ଼ିକରେ ଅନଧିକାର ପ୍ରବେଶ କିମ୍ବା ଷ୍ଟଣ୍ଟ ପ୍ରଦର୍ଶନ କରିବା ଜୀବନ ପ୍ରତି ଏକ ଗୁରୁତର ବିପଦ ଏବଂ ଅପରାଧିକ ଅବହେଳାର କାର୍ଯ୍ୟ।

ରେଳ ସୁରକ୍ଷା ବଳ (RPF) ଏବଂ ସରକାରୀ ରେଳ ପୋଲିସ (GRP)କୁ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଶୀଘ୍ର ଏବଂ କଠୋର ହେବ। ଚଳନ୍ତା ଟ୍ରେନ୍ ନିକଟରେ ଫଟୋ କିମ୍ବା ଭିଡିଓ ଧାରଣ କରିବା, କିମ୍ବା ରେଳପଥ ଉପରେ ଅନଧିକୃତ ପ୍ରବେଶ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଏହିପରି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ରେଳ ଆଇନ, 1989 ର ଧାରା 147 ଏବଂ 153 ଅନୁଯାୟୀ ମାମଲା ରୁଜୁ ହେବ, ଯେଉଁଥିରେ ଜେଲ ଦଣ୍ଡ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲାଗୁ ହେବ।

ପୂର୍ବତଟ ରେଳପଥ ସମସ୍ତ ନାଗରିକଙ୍କୁ, ବିଶେଷକରି ଛାତ୍ର ଏବଂ କିଶୋରମାନଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀ ବୁଝିବା ଏବଂ ପାଳନ କରିବାକୁ ଅନୁରୋଧ କରୁଛି, ଏହା ଉପରେ ଗୁରୁତ୍ୱ ଦେଇ ଯେ ଜୀବନ ଏକ ପୋଷ୍ଟ ଅପେକ୍ଷା ଅଧିକ ମୂଲ୍ୟବାନ। ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ଯେ ଫଟୋଗ୍ରାଫି ସମେତ କୌଣସି କାରଣ ପାଇଁ ରେଳ ଟ୍ରାକ୍ ଉପରକୁ କେବେବି ଯିବାକୁ ନାହିଁ, କାରଣ ଟ୍ରେନ୍ଗୁଡ଼ିକ ଦ୍ରୁତ ଗତିରେ ଗତି କରେ ଏବଂ ଦେଖାଯାଉଥିବା ଦୂରତା ଅପେକ୍ଷା ଶୀଘ୍ର ଅତିକ୍ରମ କରେ। ଲୋକମାନେ ଚାଲୁଥିବା ଟ୍ରେନ୍ ରୁ ଝୁଙ୍କି ପଡ଼ିବା, ଫୁଟବୋର୍ଡରେ ଯାତ୍ରା କରିବା, କିମ୍ବା ଭିଡିଓ ଫିଲ୍ମ କରିବା ପାଇଁ ଛାତ କିମ୍ବା ଇଞ୍ଜିନରେ ଚଢ଼ିବା ଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ କରିବାରୁ ଦୂରେଇ ରହିବା ଉଚିତ, କାରଣ ଏପରି କାର୍ଯ୍ୟ ଉଚ୍ଚ-ଭୋଲଟେଜ୍ ଓଭରହେଡ୍ ଇଲେକ୍ଟ୍ରିକ୍ (OHE) ଲାଇନ ସହିତ ଘାତକ ସଂସ୍ପର୍ଶରେ ଆସିପାରେ। ସମସ୍ତେ ପ୍ଲାଟଫର୍ମ ଧାରରୁ ନିରାପଦ ଦୂରତା ବଜାୟ ରଖି ସୁରକ୍ଷା କ୍ଷେତ୍ରଗୁଡ଼ିକୁ ସମ୍ମାନ ଦେବା ଉଚିତ, ବିଶେଷକରି ଯେତେବେଳେ ଏକ ଟ୍ରେନ୍ ଆସୁଛି କିମ୍ବା ଅତିକ୍ରମ କରୁଛି। ଚାଲୁଥିବା ଟ୍ରେନ୍ ରୁ ଚଢ଼ିବା କିମ୍ବା ଓହ୍ଲାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ। ବିପଦପୂର୍ଣ୍ଣ ରେଳ ଷ୍ଟଣ୍ଟ ମାଧ୍ୟମରେ ସାମାଜିକ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାର ବାସ୍ତବ ବିପଦ ଏବଂ କଠୋର ଆଇନଗତ ପରିଣାମ ବିଷୟରେ ଯୁବପିଢ଼ିଙ୍କୁ ପରାମର୍ଶ ଦେବାକୁ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଛି।

ପିଲାମାନଙ୍କୁ ଏହି ବିଷୟରେ ସଚେତନ କରିବା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କୁ ମଧ୍ୟ ରେଳବାଇ ଅନୁରୋଧ କରିଛି — ଯେ ଅନଲାଇନ୍ ଖ୍ୟାତି ପାଇଁ ରେଳ ଷ୍ଟଣ୍ଟ କରି ଜୀବନ ନଷ୍ଟ କରିବା ଉଚିତ ନୁହେଁ।

ଆହୁରି ଦୁର୍ଭାଗ୍ୟଜନକ ଘଟଣା ରୋକିବା ପାଇଁ ପୂର୍ବତଟ ରେଳପଥ ସାର୍ବଜନୀନ ଘୋଷଣା, ଡିଜିଟାଲ୍ ମିଡିଆ ବାର୍ତ୍ତା ଏବଂ ଶାରୀରିକ ପାଟ୍ରୋଲିଂ ମାଧ୍ୟମରେ ଏହାର ସଚେତନତା ଅଭିଯାନକୁ ତୀବ୍ର କରୁଛି। ରେଳବାଇ ସମସ୍ତଙ୍କୁ ସାମାଜିକ ଗଣମାଧ୍ୟମ ଷ୍ଟଣ୍ଟ ଅପେକ୍ଷା ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରୁଛି।

ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୫ 





 ନୂଆପଡା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାର ବଳକା ଖାଦ୍ୟ ଖାଇ ୨୦ ଗୋଟି ଗାଈଙ୍କ ଦୁଃଖଦ ମୃତ୍ୟୁବରଣ କରିବା ନେଇ କଂଗ୍ରେସ ଭବନରେ କଂଗ୍ରେସର ବରିଷ୍ଠ ମୁଖପାତ୍ର ସୋନାଲି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀମତୀ ସାହୁ କହିଛନ୍ତି, ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁ ସଭାରେ ୨୦ ରୁ ୨୫ ହଜାର ଲୋକଙ୍କ ପାଇଁ ଖାଦ୍ୟ ରନ୍ଧନ ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ବଡ଼ କଷ୍ଟରେ କେବଳ ୫ ହଜାର ଲୋକଙ୍କୁ ଜୁଟାଇ ପାରିଥିଲା । ତେଣୁ ପ୍ରାୟ ଅବଶିଷ୍ଟ ୧୫ ରୁ ୨୦ ହଜାର ଲୋକଙ୍କ ପାଇଁ ଥିବା ଖାଦ୍ୟ ଦାୟିତ୍ୱହୀନ ଭାବରେ ଫୋପାଡ଼ି ଦେଇଥିଲେ ଏବଂ ଏହାକୁ ଗୋତମା ଗାଁର ଗାଈ ଭକ୍ଷଣ କରିବାରୁ ୨୦  ଗୋଟି ଗାଈ ମୃତ୍ୟୁବରଣ କରିବା ସହ ୪୦ ଗୋଟି ଗାଈ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁଃଖର କଥା ଏପର୍ଯ୍ୟନ୍ତ ଗାଈ ମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ସରକାର ସାର୍ବଜନୀନ କରିନାହିଁ, ପଶୁପାଳନ ବିଭାଗ ଚୁପ, ନିର୍ବାଚନ କମିଶନଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ନାହିଁ, ସ୍ଥାନୀୟ ନେତା ଚୁପ, ସାଂସଦ ଚୁପ, ଏପରିକି ବିଜେପି ଦଳର ଛାମୁଆ ସଂଗଠନ ଗୋପ୍ରେମୀ ବୋଲାଉଥିବା ବଜରଙ୍ଗ ଦଳ, ଭିଏଚପି ଆଦି ନୀରବଦ୍ରଷ୍ଟା । ଗୋମାତାକୁ ନେଇ ରାଜନୀତି କରୁଥିବା ବିଜେପି କାହିଁକି ଲୁଚିଛି ବୋଲି ପ୍ରଶ୍ନ ପଚାରିଛନ୍ତି ଶ୍ରୀମତୀ ସାହୁ । ସେ କହିଛନ୍ତି ବିଜେପିର ବିଜୟୀ ହେବା ଓ ଦଳ ମଧ୍ୟରେ କନ୍ଦଳ ନଥିବା ବାହାସ୍ଫୋଟର ପର୍ଦାଫାଶ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସଭାରୁ ସାରା ଓଡିଶାବାସୀ ଜାଣିଲେ । ମୁଖ୍ୟମନ୍ତ୍ରୀ ସଭା ପାଇଁ ୨୦ ହଜାର ଲୋକ ଆସିବା ଯୋଜନା ଥିଲେ ସୁଦ୍ଧା ବିଜେପି ଦଳର ଅକ୍ଲାନ୍ତ ପରିଶ୍ରମ ଓ ଟଙ୍କା ବାଣ୍ଟିବା ସତ୍ୱେ ମଧ୍ୟ ମୋଟେ ୫ ହଜାର ଦର୍ଶକ ହୋଇଥିଲେ ଓ ୧୫ ହଜାର ଚୌକି ଖାଲି ପଡିଥିଲା । ପ୍ରକୃତରେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ବିଜେପି ନେତା ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀ ଗୋଷ୍ଠୀ ସହଯୋଗ କରିଲେ ନାହିଁ ଭିତିରି ବିରୋଧ କଲେ ଫଳରେ ମୁଖ୍ୟମନ୍ତ୍ରୀ ସଭା ଖାଲି ପଡିଲା । ଭିତରେ ଗୋଷ୍ଠୀ କନ୍ଦଳରେ କାନ୍ଦୁଥିବା ବିଜେପି ବାହାରେ ବାହାଦୁରି ଦେଖାଇବା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ । ପ୍ରକୃତରେ ବଳକା ପଚା ଖାଦ୍ୟ ଖାଇ ଗାଈ ମୃତ୍ୟୁବରଣ କରି ନାହାନ୍ତି ସେମାନଙ୍କୁ ବିଜେପି ଜାଣିଶୁଣି ହତ୍ୟା କରିଛି । ଗାଇଙ୍କ ସୁରକ୍ଷା ପାଇଁ ଚିତ୍କାର କରୁଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କାହିଁକି ମୁହଁ ଖୋଲୁ ନାହାନ୍ତି? ମୁହଁ ଖୋଲିଲେ କଣ ବାଲେଶ୍ୱର ଗୋଶାଳାରୁ ୨୫ ହଜାର ଗାଈ ଚୋରୀ ହେବା ପ୍ରସଙ୍ଗ ଉଠିବ ତେଣୁ ମୁହଁ ବନ୍ଦ କି ବଳକା ୧୫ ହଜାର ଜଣଙ୍କ ଖାଦ୍ୟକୁ ଖାଦ୍ୟ ଯୋଗାଣ ବିଭାଗ କାହିଁକି ନଷ୍ଟ କଲାନାହିଁ ? ଏବେ ମଧ୍ୟ ୪୦ ଗାଈ ଅସୁସ୍ଥ ଅଛନ୍ତି ତେବେ ପଶୁପାଳନ ବିଭାଗ କଣ ପଦକ୍ଷେପ ନେଇଛନ୍ତି ? ଏସବୁରୁ ସରକାରଙ୍କ ପାରିବା ପଣିଆ କେତେ ଜଣା ପଡୁଛି । ମୁଖ୍ୟମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି? ପ୍ରତ୍ୟେକ ଜିଲ୍ଲାରେ ଗୋଶାଳା ଖୋଲାଯିବା କଣ ହେଲା ? ବୋଲି ପ୍ରଶ୍ନ ପଚାରିବା ସହ କହିଛନ୍ତି ଯେ, ନିର୍ବାଚନ ଭଳି ଏକ ସମ୍ବେଦନଶୀଳ ସମୟରେ ଏତେ ସଂଖ୍ୟକ ଗାଈଙ୍କ ଦୁଃଖଦ ଅପମୃତ୍ୟୁକୁ ନେଇ ନିର୍ବାଚନ କମିଶନ ବିଜେପିକୁ କାହିଁକି କାରଣ ଦର୍ଶାଅ ନୋଟିସ ଜାରୀ କରି ନାହାନ୍ତି ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି । ଗୋମାତା ଅପମୃତ୍ୟୁକୁ ବାବଦକୁ ପ୍ରତି ଗାଈ ପିଛା ୨୫ ହଜାର ଟଙ୍କା ସରକାର କ୍ଷତି ପୂରଣ ଦିଅନ୍ତୁ । ମୃତ ଗାଈଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରାଯାଉ। ଏଭଳି ଧର୍ତ୍ତବ୍ୟ ଅପରାଧ ପାଇଁ ମୁଖ୍ୟମନ୍ତ୍ରୀ ଅଫିସ ତଥା ବିଜେପି ନିସର୍ତ୍ତ କ୍ଷମା ମାଗନ୍ତୁ । ଜିଲ୍ଲା ଖାଦ୍ୟ ନିରୀକ୍ଷଣ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବୀ କରିଥିବା ମୁଖପାତ୍ର ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁଙ୍କ ସହ ମୁଖପାତ୍ର ନଳିନୀକାନ୍ତ ନାୟକ ଓ ଝୁନା ପଟ୍ଟନାୟକ ଉପସ୍ଥିତ ଥିଲେ ।


ଭୁବନେଶ୍ୱର, ୧୮ ଅକ୍ଟୋବର ୨୦୨୫ 




ପୋଲିସ ଏସଆଇ ଚାକିରୀ ବିକ୍ରୀର ମହାଦୁର୍ନୀତିର ବଡ଼ମାଛମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ସଂପୂର୍ଣ୍ଣରୂପେ ଜନମାନସରୁ ଅପସରି ଦେବାପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ମାଧ୍ୟମରେ ଏକ ବଡ଼ ଷଡଯନ୍ତ୍ର ରଚିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଅଭିଯୋଗ କରିଛନ୍ତି।

 ପ୍ରକାଶଥାଉକି ୨୦୨୪ ମସିହାରେ ରାଜ୍ୟ ସରକାର ରାଜ୍ୟରେ ୯୩୩ ପୋଲିସ ବିଭାଗର ଏସଆଇ ପଦବୀ ସହିତ ଅନ୍ୟପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ। ଓଡ଼ିଶା ପୋଲିସ ରିକ୍ୟୁଟମେଂଟ ବୋର୍ଡ ମାଧ୍ୟମରେ ଏହି ପରୀକ୍ଷା କରାଯିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ସବୁଠାର ଆଶ୍ଚର୍ଯ୍ୟର କଥା ଏହି ପରୀକ୍ଷାକୁ କରିବାପାଇଁ ଓଡ଼ିଶା ପୋଲିସ ରିକ୍ୟୁଟମେଂଟ ବୋର୍ଡ ପାଖରେ ଆବଶକୀୟ ଆସବାସ ପତ୍ର ନଥିଲା ବେଳେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ରିକ୍ୟୁଟମେଂଟ ବୋର୍ଡକୁ ଏ ଦାୟିତ୍ୱ ଦିଆଗଲାବୋଲି ସେ ପ୍ରଶ୍ନ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପରୀକ୍ଷାକୁ ସୁଚାରୁରୂପେ ପରିଚାଳନ କରିବାପାଇଁ ଓପିଆରବି ଭାରତ ସରକାରଙ୍କର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ଦେଇଥିଲା। ସେତେବେଳେ ଟେଣ୍ଡରର କଂଟ୍ରାକ୍ଟ ମୁତାବକ ଆଇଟିଆଇ ସଂସ୍ଥା କୌଣସି ଏକ ସଂସ୍ଥାକୁ ସବକଂଟ୍ରାକ୍ଟ ଦେଇପାରିବାର ନିୟମ ରଖିଥିଲେ। ସେହି ନିଷ୍ପତ୍ତିରେ ଆଇଟିଆଇ ସଂସ୍ଥାକୁ ସିଲିକନ ଟେକ ଲ୍ୟାବକୁ ଏହି ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବାପାଇଁ ସବକଂଟ୍ରାକ୍ଟ ଦେଇଥିଲେ। କିନ୍‌ତୁ ମୂଳ କଂଟ୍ରାକ୍ଟ ନିୟମରେ ସବ କଂଟ୍ରାକ୍ଟ ପାଇଥିବା କମ୍ପାନୀ ବା ଫାର୍ମ ଅନ୍ୟକାହାକୁ ସବ ସବକଂଟ୍ରାକ୍ଟ ଦେଇପାରିବ ନାହିଁ ତେଣୁ ଏଠାରେ ସିଲିକନ ଟେକ ଲାବ କିଭଳି ଭାବରେ ଶଙ୍କର ପୃଷ୍ଟିଙ୍କ ସଂସ୍ଥା ଟେକ ଲାବକୁ ଦେଲା ଏବଂ ଏହି ଘଟଣା ଜାଣିଲାପରେ କାହିଁକି ଓପିଆରବି ପ୍ରତିବାଦ କରିନଥିଲା। ଏହି ସମୁଦାୟ କାରବାରରେ ନିୟମର ଖୋଲା ଉଲ୍ଲଙ୍ଘନ ହୋଇଥିଲେ ମଧ୍ୟ ଏବଂ ପୂର୍ବ ସରକାର ସମୟରେ ପଂଚସପ୍ଟ କମ୍ପାନୀ ଓ ତାଙ୍କ ମାଲିକଙ୍କ ଶଙ୍କର ପୃଷ୍ଟିଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ସତ୍ୱେ କାହିଁକି ଓ କେଉଁ ସ୍ୱାର୍ଥ ଯୋଗୁଁ ଏହି ଟେଣ୍ଡରକୁ କେନସଲ ନକରି ଏହି ଦୁର୍ନୀତି କରିବାପାଇଁ ଶଙ୍କର ପୃଷ୍ଟି ଓ ତାଙ୍କର ସହଯୋଗୀ ମାନଙ୍କୁ ସୁଯୋଗ ଦେଲେ। କ୍ରାଇମବ୍ରାଞ୍ଚର ତଦନ୍ତ କରୁଥିବା ଅଧିକାରୀମାନେ ଏପର୍ଯ୍ୟନ୍ତ କାହିଁକି ଓପିଆରବିର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ତଦନ୍ତର ପରିସର ଭୁକ୍ତ କରୁନାହାନ୍ତି। ସବୁକିଛି ଜଳ ଜଳ ଦେଖାଯାଉଥିଲା ବେଳେ କ୍ରାଇମବ୍ରାଞ୍ଚକୁ ଏକଥା ଜଣାନାହିଁକି? ତଦନ୍ତକାରୀ ଅଧିକାରୀମାନେ ନିଜେ ସ୍ୱୀକାର କରି କହିଛନ୍ତି ଯେ ୧୮୬ ଜଣ ଆଶାୟୀ ପରିକ୍ଷାର୍ଥୀ ଟ୍ରେନଯୋଗେ ବାଲେଶ୍ୱରରୁ ସିକାକୁଲମ ଯାଇଥିଲେ। ତେଣୁ ୩୦୦ ଜଣ ଆଶାୟୀ ପରୀକ୍ଷାର୍ଥୀ ରାଜ୍ୟରୁ ଯାଇ ସିକାକୁଲମରେ ପହଞ୍ôଚଲା ପରେ ମଧ୍ୟ କିଭଳି ଭାବେ ରାଜ୍ୟ ପୋଲିସ ବିଭାଗ ପାଖରେ କିମ୍ବା ରାଜ୍ୟ ସରକାରଙ୍କ ପାଖରେ କିଛି ଖୋଜ ଖବର ରହିଲାନାହିଁ କିପରି। ୭୫ କୋଟି ଟଙ୍କାର ଟଙ୍କା ନେଇ ଚାକିରି ଦେବା ଏହି ମହାଦୁର୍ନୀତିକୁ ଜାଣିସୁଣି ରାଜ୍ୟ ସରକାର ଚାପି ଦେବାପାଇଁ ଚେଷ୍ଟା ଚଳାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ଆଳରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ଦିଗହରା କରି ଏହି ଘଟଣାକୁ ଏକ ଭିନ୍ନ ମୋଡ଼ ଦେବାପାଇଁ ରାଜ୍ୟ ସରକାର ଏବଂ ପୋଲିସ ବିଭାଗର ଯେଉଁ ବରିଷ୍ଠ ଅଧିକାରୀମାନେ ଚକ୍ରାନ୍ତ ଚଳାଇଛନ୍ତି ତାହାକୁ ରାଜ୍ୟ କଂଗ୍ରେସ କେବେହେଲେ କରାଇଦେବ ନାହିଁ। ସବୁଠାରୁ ବଡ଼କଥା ଏହି ପରୀକ୍ଷାପାଇଁ ପ୍ରଶ୍ନପତ୍ର ତ ଓପିଆରବି ପ୍ରସ୍ତୁତ କରିବା କଥା ଓ ପ୍ରଶ୍ନପତ୍ର ଓପିଆରବି ହେପାଜାତରେ ରହିବା କଥା। କିଭଳି ଭାବରେ ପରୀକ୍ଷାର ବହୁ ପୂର୍ବରୁ ଏହି ପ୍ରଶ୍ନପତ୍ର ପଞ୍ଚସପ୍ଟ ପାଖରେ ପହଞ୍ôଚଲା। ଚାକିରି ବିକ୍ରୀ କରୁଥିବା ଦଲାଲ ଶଙ୍କର ପୃଷ୍ଟି ଓ ତାଙ୍କର ସହଯୋଗୀ ମାନଙ୍କ ପାଖରେ କିଏ ପହଞ୍ଚାଇଲା? ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡର ଯେଉଁ ବରିଷ୍ଠ ଅଧିକାରୀମାନେ ପଞ୍ଚସପ୍ଟ ଅଫିସକୁ ଯାଉଥିଲେ ଏବଂ ପରୀକ୍ଷା ପ୍ରସ୍ତୁତିକୁ ତଦାରଖ କରୁଥିଲେ ସେମାନେ କିଭଳି ଜାଣିପାରିଲେ ନାହିଁ ଯେ ପଞ୍ଚସପ୍ଟ ସହିତ ହୋଇଥିବା ଟେଣ୍ଡର ସଂପୂର୍ଣ୍ଣରୂପେ ଅସିଦ୍ଧବୋଲି। ଯଦି ଆଶାୟୀ ୧୧୪ ପ୍ରାର୍ଥୀମାନେ ଚାକିରି ପାଇବା ଲୋଭରେ ଅର୍ଥ ଦେଇଥିବା ଅଭିଯୋଗରେ ଜେଲ ଗଲେ ଏବଂ ତାଙ୍କର ଭବିଷ୍ୟତକୁ ସଂପୂର୍ଣ୍ଣରୂପେ ମାଟିରେ ମିଶାଇ ଦିଆଗଲା ତାହାହେଲେ ରାଜ୍ୟର ଏହି ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି। ଏମାନଙ୍କୁ କାହିଁକି ଜେଲକୁ ପଠାଯାଉ ନାହିଁ। ସବୁଠାରୁ ଅତ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବିଜେପି ଦଳର ଜନୈକ ବରିଷ୍ଠ ନେତା ଶଙ୍କର ପୃଷ୍ଟିଙ୍କ ଠାରୁ ଏକ ଫର୍ଚୁନରକାର ଗିପ୍ଟ ଆକାରରେ ନେଇଛନ୍ତି ବୋଲି ବହୁ ଆଡ଼େ ଆଲୋଚନା ହେଉଛି। ଏହି ଘଟଣାର ସତ୍ୟତା କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରୁ। ଏହି ୭-୮ ମାସ ଭିତରେ ରାଜ୍ୟ ବିଜେପିର କେଉଁ ବରିଷ୍ଠ ନେତୃବର୍ଗ ନୂଆ ଫର୍ଚୁନର କାର କିଣିଛନ୍ତି। ଏବଂ ସେମାନଙ୍କ କାର କାହା ନାରେ ରେଜିଷ୍ଟ୍ରେସନ ହୋଇଛି ଏହା ଜଣାପଡ଼ିଯିବ। ଏହି କାରକୁ ନଗଦ ଆକାରରେ କିଣାଯାଇଛି ନା ଋଣ ମାଧ୍ୟମରେ କିଣାଯାଇଛି ତାହାବି ଜଣାପଡ଼ିବ। 

ରାଜ୍ୟ ସରକାରଙ୍କର ଓଡ଼ିଶାର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀଙ୍କ ପ୍ରତି ସାମାନ୍ୟ ସମ୍ମାନ ଅଛି ତାହାଲେ ତଦନ୍ତକୁ ବାଟବଣା କରନ୍ତୁ ନାହିଁ। 

ଆଉ ଏକ ଘଟଣାର ଅବତାରଣ କରି ଶ୍ରୀ ମହାନ୍ତି କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ବାସୀଙ୍କୁ ଆସ୍ୱାସନା ଦେଇ କହିଛନ୍ତି ଯେ ନୂଆପଡ଼ାର ବିକାଶ ତାଙ୍କର ଦାୟିତ୍ୱ। ଠିକ ସମାନ ଭାବରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି କହିଥିଲେଯେ ତାଙ୍କ ଦଳକୁ ଥରୁଟିଏ ସୁଯୋଗ ଦେଲେ ସେ ଓଡ଼ିଶାକୁ ସାରା ଭାରତରେ ଏକ ନମ୍ବର ରାଜ୍ୟ କରିବେ। କିନ୍ତୁ ୧୬ ମାସ ପରେ ଓଡ଼ିଶା ଆଜି ମହିଳା ଅତ୍ୟାଚାର, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାରେ ଏକନମ୍ବର ମାନ୍ୟତା ପାଇଛି। ଏହା କଣ ଆମର ବିକାଶ କି? ଏହି ୧୬ ମାସ ଭିତରେ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତିମାନଙ୍କ ଉପରେ ଆକ୍ରମଣ ଓ ହିଂସା ବହୁ ପରିମାଣରେ ବୃଦ୍ଧି ପାଇଛି। ଏହି ସମୟ ଭିତରେ ୩୭୨୭ ଟି ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି। ମୁଖ୍ୟମନ୍ତ୍ରୀ ଆଦିବାସୀ ବର୍ଗରୁ କିନ୍ତୁ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ଲୋକମାନେ ଆଜି ନିରାପଦ ନୁହଁନ୍ତି। ଏହି ୯ ମାସ ଭିତରେ ୨୪୨୮ ଟି ମାମଲା ଏହି ବର୍ଗଙ୍କ ଉପରେ ହୋଇସାରିଲାଣି। ରାଜ୍ୟ ପ୍ରଗତୀ କରିବା ପରିବର୍ତ୍ତେ ବିନାଶ ଆଡକୁ ଦ୍ରୁତ ଗତିରେ ଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ଅନ୍ୟତମ ମୁଖପାତ୍ର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ନବ ଦାସଙ୍କ ହତ୍ୟା ଘଟଣା ଠୁ ଆରମ୍ଭ କରି ମମିତା ମେହେର ଘଟଣା ପର୍ଯ୍ୟନ୍ତ ଏବେକାର ସରକାର ନ୍ୟାୟ ପାଇଁ ଚିତ୍କାର କରୁଥିଲେ କିନ୍ତୁ ସରକାର ଆସିଲାପରେ ଆଜି ପର୍ଯ୍ୟନ୍ତ ଦୋଷୀମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲିଯାଇଛି। ଯୁବକ ମାନଙ୍କର ଭବିଷ୍ୟତକୁ ଏ ସରକାର ଦଲାଲ ମାନଙ୍କ ପାଖରେ ବନ୍ଧା ପକାଇ ଦେଇଛନ୍ତି। ଏ ସରକାର ଏକ ଜନବିରୋଧି ସରକାର। 


ଭୁବନେଶ୍ୱର, ୧୬ ଅକ୍ଟୋବର ୨୦୨୫






ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଟ୍ରେନ୍‌ରେ ଆତଶବାଜି ଓ ଅନ୍ୟାନ୍ୟ ଜ୍ୱଲନଶୀଳ ପଦାର୍ଥ ବହନ ବିରୋଧରେ ବିଶେଷ ଅଭିଯାନ ଆରମ୍ଭ କରିଛି ।

ଆତଶବାଜି, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ୍ ଇତ୍ୟାଦି ଜ୍ୱଲନଶୀଳ ପଦାର୍ଥ ଟ୍ରେନ୍‌ରେ ବହନ କରିବା ରେଲୱେ ଆକ୍ଟ, 1989 ଅନୁସାରେ ଗୁରୁତର ଅପରାଧ ଏବଂ ଏହା ପାଇଁ ଜୋରିମାନା କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ ।

ଏଥି ପାଇଁ, ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ସତର୍କ ନଜର ରଖିବା ଓ ଯାତ୍ରୀ ଓ ସାମଗ୍ରୀ ଯାଞ୍ଚ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ସୁରକ୍ଷା ବଳ (RPF) ଓ ସରକାରୀ ରେଳ ପୋଲିସ (GRP) ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମଗ୍ରୀ ଓ ପାର୍ସଲ ଲୋଡିଂ ପୂର୍ବରୁ ସୁନିଶ୍ଚିତ ଯାଞ୍ଚ କରାଯାଉଛି ।

ଏହା ସହିତ, ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ଅଭିଯାନ ଚାଲୁ ହୋଇଛି । ରେଲୱେ ଷ୍ଟେସନ୍‌ ଗୁଡିକରେ ଘୋଷଣା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି ଯେ ଯାତ୍ରା ସମୟରେ କୌଣସି ଜ୍ୱଲନଶୀଳ ବା ବିସ୍ଫୋରକ ପଦାର୍ଥ ଟ୍ରେନ ଯାତ୍ରା ସମୟରେ ସାଙ୍ଗରେ ନନେବା ପାଇଁ । ରେଳ କର୍ମଚାରୀ, ଲିଜ୍‌ ହୋଲ୍ଡର, ପାର୍ସଲ, ପ୍ୟାଣ୍ଟ୍ରି କାର୍, ଖାଦ୍ୟ ଯୋଗାଣ କର୍ମଚାରୀ, କୁଲି, OBHS କର୍ମଚାରୀ ଓ ଅନ୍ୟାନ୍ୟ ଆଉଟସୋର୍ସ କର୍ମଚାରୀଙ୍କୁ ଜ୍ୱଲନଶୀଳ ପଦାର୍ଥ ବହନର ବିଷୟରେ ଅବଗତ କରାଯାଇଅଛି ଯାହାଦ୍ୱାରା ସେମାନେ ରେଳ ପ୍ରଶାସନକୁ ଦହନଶୀଳ ବସ୍ତୁ ପରିବହନ ସମ୍ବନ୍ଧରେ ଅବଗତ କରାଇ ପାରିବେ ।

ଆରପିଏଫ ଜିଆରପି ଓ ସିଭିଲ୍‌ ଡିଫେନ୍ସ ସ୍ବେଛାସେବୀ ମାନଙ୍କ ସହ ସଂଯୁକ୍ତ ଭାବେ ବିଶେଷ ଯାଞ୍ଚ ଅଭିଯାନ ଚାଲୁ ରହିଛି । ଟ୍ରେନ୍‌ ଏସ୍କର୍ଟ ଟିମ୍‌ ଓ ମେରି ସହେଲି ଟିମ୍‌ ଯାତ୍ରୀ ଓ ସାମଗ୍ରୀ ଉପରେ ସତର୍କ ନଜର ରଖୁଛନ୍ତି । ଷ୍ଟେସନ୍‌, ଗୁଡ୍ସ ସେଡ୍‌, ଗାର୍ଡ ଭ୍ୟାନ୍‌, ପ୍ୟାଣ୍ଟ୍ରି କାର୍‌, ଏସି କୋଚ୍ ଓ ଲୋକୋମୋଟିଭ୍‌ରେ ଅଗ୍ନିନିରୋଧକ ଯନ୍ତ୍ରପାତି ସୁନିଶ୍ଚିତ ରଖାଯାଇଛି ।

ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଯାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ, ଟ୍ରେନ୍‌ରେ ଯାତ୍ରା ସମୟରେ ଦହନଶୀଳ ବସ୍ତୁ ସାଙ୍ଗରେ ନନେବା ପାଇଁ ଓ ଯଦି ଏପରି କୌଣସି ଘଟଣା ଦେଖିବେ ତେବେ ତୁରନ୍ତ ରେଲୱେ ହେଲ୍ପଲାଇନ୍‌ ନମ୍ବର 139 କୁ ଯୋଗାଯୋଗ କରି ସୂଚନା ଦେବାକୁ କୁହାଯାଇଅଛି ।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପ୍ରତି ସଦା ପ୍ରତିବଦ୍ଧ ଓ ସମସ୍ତଙ୍କୁ ଏହି ସୁରକ୍ଷା ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରୁଛି ।

ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୫




  • ଅକ୍ଟୋବର ୧୮ ରୁ  ନଭେମ୍ବର ୧୭  ପର୍ଯ୍ୟନ୍ତ ମାସେ ବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ନେଇ ଆଲୋଚନା 
  • ସାଇବର ସୁରକ୍ଷା ସଂପର୍କରେ ରାଜ୍ୟର ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ  ଗୁରୁତ୍ୱ

ଆସନ୍ତା  ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ ଅଫଲାଇନ୍ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ  ଆଜି ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଲୋକସେବା  ଭବନସ୍ଥିତ  ସମ୍ମିଳନୀ କକ୍ଷରେ  ମୁଖ୍ୟ ଶାସନ ସଚିବ                       ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଆସନ୍ତା  ଅକ୍ଟୋବର ୧୮ରୁ  କଳିଙ୍ଗ ଷ୍ଟାଡିଅମ ଠାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସାଇବର ରଥର  ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ          ରହିଛି   ସାଇବର ସୁରକ୍ଷା ସଂପର୍କିତ ଭିଡିଓ, ପ୍ରଚାର ପତ୍ର, ଥିମ୍ ସଂଗୀତ ସହିତ ଏହି ସଚେତନତାକୁ ବ୍ୟାପକ କରାଯିବ   ସମଭାବରେ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ  ହେବ   

ସାଇବର ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା, ନିବେଶ କ୍ଷେତ୍ରରେ ଜାଲିଆତିରୁ ସୁରକ୍ଷିତ ରହିବା,  ଅପରାଧି କେହି  ବ୍ୟକ୍ତିଙ୍କର ନିଜସ୍ୱ କିମ୍ବା ଗୋପନ ଫଟୋ, ଭିଡିଓ କିମ୍ବା ଚାଟ୍‌  ଦେଖାଇ କିମ୍ବା ଧମକ ଦେଇ ଟଙ୍କା ବା ଅନ୍ୟ କିଛି ସୁବିଧା ଚାହିଁବା ( ସେକ୍ସଟରସନ), ବେଆଇନ ବ୍ୟାଙ୍କ୍‌  ଆକାଉଣ୍ଟ ଏବଂ ସିମ ବିକ୍ରି  କରିବା, ହୋଟେଲ ବୁକିଂରେ  ସ୍କାମ, ଡିଜିଟାଲ ଆରେଷ୍ଟ, ସୁରକ୍ଷିତ  ସାମାଜିକ ଗଣମାଧ୍ୟମର ବ୍ୟବହାର  ସଂପର୍କର ବ୍ୟାପକ ସଚେତନତା ସୃଷ୍ଟି କରାଯିବ   ଅଭିଯାନର ଟ୍ୟାଗ୍ଲାଇନ୍ରଖାଯାଇଛି- ଷ୍ଟପ, ଭେରିଫାଏ, ବି ସିକ୍ୟୁୟର ( ରୁହ, ଯାଞ୍ଚ କର, ସୁରକ୍ଷିତ ରୁହ )   ଅଭିଯାନରେ  ମାସ୍କଟ  “ସାଇରା”  ବ୍ୟବହୃତ ହେବ   

ଅଭିଯାନରେ ବିଭିନ୍ନ ବିଭାଗ ସାମିଲ ହେବେ  । ବିଦ୍ୟାଳୟ ଗଣଶିକ୍ଷା ବିଭାଗ  ଏବଂ ଉଚ୍ଚଶିକ୍ଷା  ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ  ହଷ୍ଟେଲରେ ସଚେତନତା ସହ  ବକୃତା ପ୍ରତିଯୋଗିତା  ଅନୁ​‌ଷ୍ଠିତ ହେବ   ସୂଚନା ଲୋକସଂପର୍କ ବିଭାଗ ତରଫରୁ  ରାଜ୍ୟ ଜିଲ୍ଲାସ୍ତରରେ ପ୍ରଚାର ପ୍ରସାର କରାଯିବା ସହିତ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପକ୍ଷରୁ ଜନପ୍ରତିନିଧିମାନଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ  ହେବ   ଆଶାକର୍ମୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ  ଏହି ଅଭିଯାନରେ ସାମିଲ ହେବେ   ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଓ  ଲୋକନୃତ୍ୟ ମାଧ୍ୟମରେ  ସଚେତନ କରାଯିବ   ଇଲେକ୍ଟ୍ରୋନିକ ଆଇଟି ବିଭାଗର ସହଯୋଗ ନିଆଯିବ ଅଭିଯାନରେ କୁଇଜ୍ ପ୍ରତିଯୋଗିତା, ଗଣ ଦୌଡ, ପଦଯାତ୍ରା, ଇନ୍ଫୋଗ୍ରାଫିକ୍ସ,  ସଚେତନତା ସମ୍ମିଳନୀ, ଟିଭି, ରେଡିଓ, ସିନେମା ହଲ  ସମେତ  ବିଭିନ୍ନ ଗଣମାଧ୍ୟମରେ ସଚେତନତା ବ୍ୟାପକ କରାଯିବ ।   

ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଯୁବବର୍ଗ. ନିଯୁକ୍ତି ଆଶାୟୀ, ମହିଳା ବାଳିକା, ଗ୍ରାମୀଣ ଅର୍ଦ୍ଧ ସହରାଞ୍ଚଳ ନାଗରିକ, ବରି​‌ଷ୍ଠ  ନାଗରିକ, ଏସ୍.ଏଚ୍‌.ଜି ବିଭିନ୍ନ ଗୋଷ୍ଠୀ, ବ୍ୟବସାୟୀ ବୃତ୍ତିଧାରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସଂପର୍କିତ ସଚେତନତା ବୃଦ୍ଧି କରିବା ପାଇଁ ଏହି ଅଭିଯାନ ବ୍ୟାପକ ହେବ   ଅଭିଯାନରେ ସାଇବର ସୁରକ୍ଷା ରଥ ରାଜ୍ୟ ସାରା  ବୁଲି ପ୍ରଚାର  ଅଭିଯାନ ଓ ସଚେତନ  କରିବ   ସାଇବର-ଅପରାଧ ସଂପର୍କିତ ହେଲ୍ପ ଲାଇନ୍ - ନମ୍ବର ୭୦୩୦ କାର୍ଯ୍ୟକାରୀ ହେଉଛି ଏବଂ ନ୍ୟାସନାଲ ସାଇବର କ୍ରାଇମ ରିପୋଟିଂ ପୋର୍ଟାଲ  ରହିଛି   ଏହାର ସୁବିଧା ନେବାକୁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯିବା ନେଇ ବେଠକରେ ଆଲୋଚନା କରାଯାଇଥିଲା । 

ବୈଠକରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଏହି ସଚେତନତା   ଅଭିଯାନ ଯେପରି ଜନସାଧାରଣଙ୍କ  ପାଇଁ ଅଧିକ ପ୍ରଭାବୀ ହେବ ସେ ସଂପର୍କରେ ଗୁରୁତ୍ୱ ନେଇଛନ୍ତି   ସଂପୃକ୍ତ ସମସ୍ତ ବିଭାଗୀୟ  ସଚିବମାନଙ୍କୁ ନିଜ ନିଜ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃଢ଼ କରି ସାଇବର ଅପରାଧରୁ  ସମସ୍ତଙ୍କୁ  ସୁରକ୍ଷିତ ରଖିବାକୁ ସଚେତନତ ହେବା  ପାଇଁ ସେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି ଏହି ଅଭିଯାନ କେବଳ ମାସେ ବ୍ୟାପୀ ନୁହେଁ, ବର୍ଷସାରା ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ  ପ୍ରସ୍ତୁତି  କରି ସଚେତନତା ସୃଷ୍ଟି କରିବା,  ଅନ୍ଲାଇନ୍ ପାଠ୍ୟକ୍ରମ ସହିତ ପ୍ରମାଣ ପତ୍ର ବ୍ୟବସ୍ଥା ଆଦି କରିବାକୁ ସେ ପରାମର୍ଶ ଦେଇଛନ୍ତି । ସାଇବର ସୁରକ୍ଷା ସଂପର୍କିତ ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରାଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବା  ଉପରେ ମୁଖ୍ୟ ଶାସନ  ସଚିବ ଗୁରୁତ୍ୱ ଦେଇଥିଲେ ।  

ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, ଡିଜିପି,ସିଆଇଡି, କ୍ରାଇମ୍ ବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର, ଆଇ.ଜି ସିଆଇଡି, ସିବି. ଶ୍ରୀ ସାର୍ଥକ  ଷଡଙ୍ଗୀ, ଏସପି , ସିଆଇଡି, ସିବି ଶ୍ରୀ  ସ୍ମିତ୍ ପାରାମାର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ତତ୍ ସହିତ ରାଜ୍ୟ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ, ସମାଜ କଲ୍ୟାଣ, ମିଶନ ଶକ୍ତି, ସୂଚନା ଓ ଲୋକସଂପର୍କ ବିଭାଗର  ଆଦିର ସଚିବ , ନିର୍ଦ୍ଦେଶକ ତଥା ଅନ୍ୟ ବରିଷ୍ଠ  ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ  ଅଂଶ ଗ୍ରହଣ କରିଥିଲେ ।


Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget