ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୫
- ଅକ୍ଟୋବର ୧୮ ରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ନେଇ ଆଲୋଚନା
- ସାଇବର ସୁରକ୍ଷା ସଂପର୍କରେ ରାଜ୍ୟର ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଆସନ୍ତା ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ ଓ ଅଫଲାଇନ୍ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ଆଜି ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଅକ୍ଟୋବର ୧୮ରୁ କଳିଙ୍ଗ ଷ୍ଟାଡିଅମ ଠାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସାଇବର ରଥର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସାଇବର ସୁରକ୍ଷା ସଂପର୍କିତ ଭିଡିଓ, ପ୍ରଚାର ପତ୍ର, ଥିମ୍ ସଂଗୀତ ସହିତ ଏହି ସଚେତନତାକୁ ବ୍ୟାପକ କରାଯିବ । ସମଭାବରେ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବ ।
ସାଇବର ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା, ନିବେଶ କ୍ଷେତ୍ରରେ ଜାଲିଆତିରୁ ସୁରକ୍ଷିତ ରହିବା, ଅପରାଧି କେହି ବ୍ୟକ୍ତିଙ୍କର ନିଜସ୍ୱ କିମ୍ବା ଗୋପନ ଫଟୋ, ଭିଡିଓ କିମ୍ବା ଚାଟ୍ ଦେଖାଇ କିମ୍ବା ଧମକ ଦେଇ ଟଙ୍କା ବା ଅନ୍ୟ କିଛି ସୁବିଧା ଚାହିଁବା ( ସେକ୍ସଟରସନ), ବେଆଇନ ବ୍ୟାଙ୍କ୍ ଆକାଉଣ୍ଟ ଏବଂ ସିମ ବିକ୍ରି କରିବା, ହୋଟେଲ ବୁକିଂରେ ସ୍କାମ, ଡିଜିଟାଲ ଆରେଷ୍ଟ, ସୁରକ୍ଷିତ ସାମାଜିକ ଗଣମାଧ୍ୟମର ବ୍ୟବହାର ସଂପର୍କର ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଅଭିଯାନର ଟ୍ୟାଗ୍ ଲାଇନ୍ ରଖାଯାଇଛି- ଷ୍ଟପ, ଭେରିଫାଏ, ବି ସିକ୍ୟୁୟର ( ରୁହ, ଯାଞ୍ଚ କର, ସୁରକ୍ଷିତ ରୁହ ) । ଅଭିଯାନରେ ମାସ୍କଟ “ସାଇରା” ବ୍ୟବହୃତ ହେବ ।
ଅଭିଯାନରେ ବିଭିନ୍ନ ବିଭାଗ ସାମିଲ ହେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ ହଷ୍ଟେଲରେ ସଚେତନତା ସହ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଚାର ପ୍ରସାର କରାଯିବା ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜନପ୍ରତିନିଧିମାନଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ହେବ । ଆଶାକର୍ମୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହେବେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯିବ । ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ସହଯୋଗ ନିଆଯିବ । ଅଭିଯାନରେ କୁଇଜ୍ ପ୍ରତିଯୋଗିତା, ଗଣ ଦୌଡ, ପଦଯାତ୍ରା, ଇନ୍ଫୋଗ୍ରାଫିକ୍ସ, ସଚେତନତା ସମ୍ମିଳନୀ, ଟିଭି, ରେଡିଓ, ସିନେମା ହଲ ସମେତ ବିଭିନ୍ନ ଗଣମାଧ୍ୟମରେ ସଚେତନତା ବ୍ୟାପକ କରାଯିବ ।
ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଯୁବବର୍ଗ. ନିଯୁକ୍ତି ଆଶାୟୀ, ମହିଳା ଓ ବାଳିକା, ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳ ନାଗରିକ, ବରିଷ୍ଠ ନାଗରିକ, ଏସ୍.ଏଚ୍.ଜି ଓ ବିଭିନ୍ନ ଗୋଷ୍ଠୀ, ବ୍ୟବସାୟୀ ବୃତ୍ତିଧାରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସଂପର୍କିତ ସଚେତନତା ବୃଦ୍ଧି କରିବା ପାଇଁ ଏହି ଅଭିଯାନ ବ୍ୟାପକ ହେବ । ଅଭିଯାନରେ ସାଇବର ସୁରକ୍ଷା ରଥ ରାଜ୍ୟ ସାରା ବୁଲି ପ୍ରଚାର ଅଭିଯାନ ଓ ସଚେତନ କରିବ । ସାଇବର-ଅପରାଧ ସଂପର୍କିତ ହେଲ୍ପ ଲାଇନ୍ - ନମ୍ବର ୭୦୩୦ କାର୍ଯ୍ୟକାରୀ ହେଉଛି ଏବଂ ନ୍ୟାସନାଲ ସାଇବର କ୍ରାଇମ ରିପୋଟିଂ ପୋର୍ଟାଲ ରହିଛି । ଏହାର ସୁବିଧା ନେବାକୁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯିବା ନେଇ ବେଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଏହି ସଚେତନତା ଅଭିଯାନ ଯେପରି ଜନସାଧାରଣଙ୍କ ପାଇଁ ଅଧିକ ପ୍ରଭାବୀ ହେବ ସେ ସଂପର୍କରେ ଗୁରୁତ୍ୱ ନେଇଛନ୍ତି । ସଂପୃକ୍ତ ସମସ୍ତ ବିଭାଗୀୟ ସଚିବମାନଙ୍କୁ ନିଜ ନିଜ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃଢ଼ କରି ସାଇବର ଅପରାଧରୁ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ସଚେତନତ ହେବା ପାଇଁ ସେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି । ଏହି ଅଭିଯାନ କେବଳ ମାସେ ବ୍ୟାପୀ ନୁହେଁ, ବର୍ଷସାରା ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତି କରି ସଚେତନତା ସୃଷ୍ଟି କରିବା, ଅନ୍ଲାଇନ୍ ପାଠ୍ୟକ୍ରମ ସହିତ ପ୍ରମାଣ ପତ୍ର ବ୍ୟବସ୍ଥା ଆଦି କରିବାକୁ ସେ ପରାମର୍ଶ ଦେଇଛନ୍ତି । ସାଇବର ସୁରକ୍ଷା ସଂପର୍କିତ ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରାଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।
ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, ଡିଜିପି,ସିଆଇଡି, କ୍ରାଇମ୍ ବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର, ଆଇ.ଜି ସିଆଇଡି, ସିବି. ଶ୍ରୀ ସାର୍ଥକ ଷଡଙ୍ଗୀ, ଏସପି , ସିଆଇଡି, ସିବି ଶ୍ରୀ ସ୍ମିତ୍ ପାରାମାର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ତତ୍ ସହିତ ରାଜ୍ୟ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ, ସମାଜ କଲ୍ୟାଣ, ମିଶନ ଶକ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ଆଦିର ସଚିବ , ନିର୍ଦ୍ଦେଶକ ତଥା ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
.jpeg)
Post a Comment