loading...

ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ବି. ଆର୍ ଷଡ଼ଙ୍ଗୀ

ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୫





ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ ଏବଂ ପ୍ରତ୍ୟେକ କ୍ଷଣରୁ ଶିକ୍ଷା ଗ୍ରହଣ କରାଯାଇପାରିବ। ଶିକ୍ଷା ଗ୍ର୍ରହଣ ପ୍ରକ୍ରିୟା ସବୁବେଳେ ଜାରି ରଖିବା ଜରୁରୀ। ଏଥି ସହିତ ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଜାତୀୟ ମାନବାଧିକାରୀ କମିଶନର ସଦସ୍ୟ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ। ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ୯ମ ବାର୍ଷିକ ଉତ୍ସବ ‘ଜଷ୍ଟିସିଆ ୩.୦-୨୦୨୫’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଜଷ୍ଟିସ୍ ଷଢ଼ଙ୍ଗୀ ଆଇନ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଉପଦେଶ ଦେଇଛନ୍ତି।

ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଥିବା ଜଷ୍ଟିସ୍ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଆଇନ୍ ପେସାର ଅନୁଭୂତି ବଖାଣିବା ସହ ଏହି ବୃତିରେ ଧୈର୍ଯ୍ୟର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି କହିଥିଲେ। ବୃତିଗତ ଯାତ୍ରା ବେଶ ଜଟିଳ। ତେଣୁ ନିଜକୁ ବଂଚାଇ ରଖିବାର କଳା ଆହରଣ କରିବା ଉଚିତ୍ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। 

ସୋଆକୁ ଉଚ୍ଚ ପ୍ରଶଂସା କରି ଜଷ୍ଟିସ୍ ଷଢ଼ଙ୍ଗୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବାରୁ ଗର୍ବ ଅନୁଭବ କରିବା ଉଚିତ୍‌। ସାମାନ୍ୟ ସଫଳତାରେ ଉଲ୍ଲସିତ ନ ହୋଇ ଆହୁରି ଅଧିକ ସଫଳତା ସାଉଁଟିବା ଦିଗରେ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି କହି ଜଣେ ଆଇନଜୀବିର ଯାତ୍ରା କେବେ ଶେଷ ହୁଏ ନାହିଁ ବୋଲି ସେ ମନ୍ତବ୍ୟ ଦେଇଥିଲେ। 

ଏସ୍‌ଏନ୍‌ଆଇଏଲ୍‌ର ୫ ଜଣ ଛାତ୍ରଛାତ୍ରୀ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ବିଶ୍ୱବିଦ୍ୟାଳୟକୁ ସେ ଶୁଭେଚ୍ଛା ଜଣାଇଥିଲେ। 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ବୃତି ପ୍ରତି ଏକାଗ୍ରତା ଓ ଭଲ ପାଇବା ରହିଲେ ଛାତ୍ରଛାତ୍ରୀମାନେ ଆଗକୁ ଯାଇପାରିବେ ବୋଲି କହିଥିଲେ। ନିଜର ବୃତିଗତ ଯାତ୍ରା ବିଶ୍ୱବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ ବୋଲି ପ୍ରଫେସର ନନ୍ଦ କହିଥିଲେ। 

କାର୍ଯ୍ୟକ୍ରମରେ ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ.ଏ.କେ. ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। 

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ ଏସ୍‌ଏନ୍‌ଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସୋଆର ନିର୍ଦ୍ଦେଶକ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଶ୍ରୀ ମହେନ୍ଦ୍ର ପ୍ରସାଦ ଓ ବିଭିନ୍ନ ବିଭାଗୀୟ ନିର୍ଦ୍ଦେଶକ, ବରିଷ୍ଠ କର୍ମକର୍ତା, ଏସ୍‌ଏନଆଇଏଲ୍‌ର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ସିନିୟର ପ୍ରଫେସର ଡକ୍ଟର ମଧୁସୁଦନ ଦାସ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget