ଭୁବନେଶ୍ୱର, ୧୧ ନଭେମ୍ବର ୨୦୨୪
ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରୋଡ୍ମ୍ୟାପ ପ୍ରସ୍ତୁତି ପାଇଁ ନିଷ୍ପତ୍ତି
‘ବିସ୍ମୃତ ଖାଦ୍ୟର ମହକ - ଓଡ଼ିଶାର ଖାଦ୍ୟ ସମ୍ଭାର’ ଓ ଆଦି ଅନ୍ନ ପୁସ୍ତକ ଉନ୍ମୋଚିତ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରୋଡ୍ମ୍ୟାପ ପ୍ରସ୍ତୁତ କରିବା ନେଇ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ଯୋଗ ଦେଇଥିବା ଅଂଶଗ୍ରହଣକାରୀମାନେ ମତବ୍ୟକ୍ତ କରିଥିଲେ ।
ଉଦଯାପନୀ ସମାରୋହରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜଳବାୟୁ ସହନଶୀଳ ଓ ପାରମ୍ପରିକ ଖାଦ୍ୟକୁ ପୁନରୁଦ୍ଧାର କରିବା ଦିଗରେ ପ୍ରୟାସ ଜାରି ରଖିବୁ । ଚିରନ୍ତନ କୃଷି ଓ ଖାଦ୍ୟ ନିରାପତ୍ତାକୁ ସୁଦୃଢ କରିବା ନେଇ ମିଳିମିଶି କାର୍ଯ୍ୟ କରିବୁ । ବିଭାଗର ଏହି ପ୍ରୟାସକୁ ସମର୍ଥନ କରୁଥିବା ହିତାଧିକାରୀ ଓ ସଂଗଠନମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରିବା ଦିଗରେ ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓଡ଼ିଶାରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟର ପୁନଃରୁଦ୍ଧାର କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ସମ୍ମିଳନୀରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ କହିଛନ୍ତି ଯେ, ଶ୍ରୀ ଅନ୍ନ ଆମ ପାଇଁ ଖାଦ୍ୟର ଉତ୍ସ ହେବା ସହ ଏହା ଆମର ଐତିହ୍ୟ ଓ ଭବିଷ୍ୟତ ଅଟେ । ଏହାକୁ ପୁନରୁଦ୍ଧାର କରିବା ନିମନ୍ତେ ସମସ୍ତଙ୍କ ଖାଦ୍ୟଥାଳିରେ ସାମିଲ କରିବାକୁ ହେବ । ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କୁ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ମାଣ୍ଡିଆ ଦିଆଯିବା ପାଇଁ ସରକାର ଯୋଜନା କରୁଛନ୍ତି । ପୁରୁଣା ସମୟର ଲୋକଙ୍କ ଖାଦ୍ୟାଭ୍ୟାସ ସବୁଠାରୁ ଉତ୍କୃଷ୍ଟ ଥିଲା କିନ୍ତୁ ଆଜିକାଲି ଆମେ ବିଦେଶୀ ଖାଦ୍ୟକୁ ଅନୁକରଣ କରି ଆମ ନିଜସ୍ୱ ଖାଦ୍ୟକୁ ଅବହେଳା କରୁଛେ । ତେଣୁ ନିଜସ୍ୱ ଖାଦ୍ୟକୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଯେତେବେଳେ ମା’ମାନେ ଶ୍ରୀ ଅନ୍ନକୁ ଆପଣାଇବେ, ସେତେବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆହୁରି ଉନ୍ନତି ହେବ । ମିଲେଟ୍ ଶକ୍ତି କାଫେ, ଟିଫିନ ସେଣ୍ଟର ଏବଂ ମିଲେଟ୍ ମଦର କାର୍ଯ୍ୟକ୍ରମରେ ଆମେ ଆଦିବାସୀ ସମ୍ପ୍ରଦାୟଙ୍କୁ ସାମିଲ କରି ଏହି ଜଳବାୟୁ ସହନଶୀଳ ଶସ୍ୟକୁ ଆହୁରି ବ୍ୟାପକ କରିପାରିବା । ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀମାନେ ୩୦ଟି ଜିଲ୍ଲାରେ ୧୭୭ଟି ବ୍ଲକ୍ରେ ମିଲେଟ୍ର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି ଏବଂ ମିଶନ ଶକ୍ତି ଦ୍ୱାରା ପରିଚାଳିତ ୨୬୩ଟି ମିଲେଟ୍ ଟିଫିନ୍ ସେଣ୍ଟର ରାଜ୍ୟରେ ରହିଥିବାବେଳେ ୩୩ଟି ମିଲେଟ୍ କାଫେ ଖୋଲାଯାଇଛି ।
ସମ୍ମିଳନୀରେ ଅନ୍ୟତମ ଅତିଥିଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଷ୍ଟ୍ର ନିର୍ଦ୍ଦେଶିକା ଏଲିଜାବେଥ ଫୌର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀ ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଦ୍ୱିିଦିବସୀୟ ସମ୍ମିଳନୀର ୨ୟ ଦିବସରେ ବିସ୍ମୃତ ଖାଦ୍ୟ ଶସ୍ୟର ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ଜନଜାତି ସମ୍ପ୍ରଦାୟଙ୍କ ଅଭିଜ୍ଞତା, ଅବହେଳିତ ଫସଲକୁ ବ୍ୟାପକ କରିବା ଏବଂ ବିସ୍ମୃତ ଖାଦ୍ୟଶସ୍ୟର ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଦେବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ ଉଦ୍ୟୋଗୀଙ୍କ ଦ୍ୱାରା ଅବହେଳିତ ଖାଦ୍ୟଶସ୍ୟ ଓ ବିସ୍ମୃତ ଖାଦ୍ୟର ବ୍ୟବସାୟୀକରଣ ଓ ଉଦ୍ୟୋଗୀକରଣ, ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ୱ ପାଇଁ ଦୀର୍ଘମିଆଦି ଆଭିମୁଖ୍ୟ, ଖାଦ୍ୟ ସଂସ୍କୃତିର ବିସ୍ମୃତ ଖାଦ୍ୟଶସ୍ୟ ଓ ସମ୍ପ୍ରଦାୟର ଯୋଗଦାନ ଭଳି ୫ଟି ବିଷୟବସ୍ତୁକୁ ନେଇ ଆୟୋଜିତ ଅଧିବେଶନରେ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ଆସୋସିଏସନ୍, ସେଫ୍ ସଂଗଠନ, ବ୍ଲଗର୍ ଏବଂ ଛାତ୍ରଛାତ୍ରୀଙ୍କ ସମେତ ବହୁ ହିତାଧିକାରୀଙ୍କୁ ସାମିଲ କରାଯାଇ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକ ସମ୍ପ୍ରଦାୟଙ୍କ ଦ୍ୱାରା ଅଭିନବ ତଥା ଚିରନ୍ତନ କୃଷି ପଦ୍ଧତି, ଜୈବବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ, ଜାତୀୟ ପୋଷଣ ପ୍ରତିଷ୍ଠାନ, ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ଓଡିଶା ହୋଟେଲ ଓ ରେସ୍ତୋରାଁ ଆସୋସିଏସନ୍, ଏମ୍. ଏସ୍. ସ୍ାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, ବାୟୋଭରସିଟି ଇଣ୍ଟରନାସନାଲ, ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ପ୍ରାଧିକରଣ ଆଦି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ବିଭିନ୍ନ ସଂଗଠନ ସମେତ ମିଶନ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ‘ବିସ୍ମୃତ ଖାଦ୍ୟର ମହକ - ଓଡ଼ିଶାର ଖାଦ୍ୟ ସମ୍ଭାର’ ଶୀର୍ଷକ ରନ୍ଧନ ପୁସ୍ତକ, ପୁଷ୍ଟିଶସ୍ୟଭିତ୍ତିକ ଆଦି ଅନ୍ନ ପୁସ୍ତକ ଓ ଅମଳ ପରବର୍ତ୍ତୀ ପଡିଆ ଜମି ପରିଚାଳନାର ସଂକଳନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ପୁଷ୍ଟିଶସ୍ୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଟକ ଜିଲ୍ଲାର ଦୁଲଣପୁର, ନବରଙ୍ଗପୁର ଜିଲ୍ଲାର ସାଲିନି ଏବଂ ବଲାଙ୍ଗୀର ଜିଲ୍ଲାର ଶ୍ୟାମା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା । କୋରାପୁଟ ଜିଲ୍ଲାର ଜୈବିକ ଶ୍ରୀ ଏଫପିସିଏଲ୍, ନୂଆପଡାର ଉଦନ୍ତି ଏଫପିସିଏଲ୍, ବରଗଡର ବୁଢ଼ସମ୍ବର ଦଳ ଓ ଭେଜିଟେବୁଲ ପିସି ଲିମିଟେଡ଼, ଗାଇସିଲଟ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃଷକ ଉତ୍ପାଦକ ସଂଗଠନ ଭାବେ ପୁରସ୍କୃତ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଦିଶା, ନୂଆପଡାର ସିପିଏସଡବ୍ଲì ଏବଂ ଗଞ୍ଜାମ ଜିଲ୍ଲାର ଏସଏସିଏଏଲଙ୍କୁ ଶ୍ରେଷ୍ଠ ସହାଭାଗୀ ସଂସ୍ଥା ଭାବେ ପୁରସ୍କୃତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ମା’ ବସୁନ୍ଧରା ମହାସଂଘ ବିଏଲଏଫ୍, କୋରାପୁଟର ରାଜପୁତ ଜିପିଏଲଏଫ୍ ଏବଂ କେନ୍ଦୁଝର ଜିଲ୍ଲାର ଶ୍ରଦ୍ଧାଞ୍ଜଳି ସ୍ୱୟଂ ସହାୟକ ଗୋଷ୍ଠୀକୁ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ମାନିତ କରାଯାଇଛି । ବିସ୍ମୃତ ଖାଦ୍ୟକୁ ନେଇ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜେତାଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହା ସହ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ଅନୁପମ ଘୋଷଙ୍କ ଦ୍ୱାରା ମ୍ୟାଜିକ୍ ସୋର ଆୟୋଜନ କରାଯାଇଥିଲା ।
Post a Comment