loading...

ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ରୀତିନୀତିରେ ଝଲସୁଛି

ଭୁବନେଶ୍ୱର,  ଜୁଲାଇ ୨୦୨୪


  • ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ
  • ବିଶ୍ୱ ଦେଖୁଛି ଶ୍ରୀଜଗନ୍ନାଥଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ
  • କୌତୁହଳ ସୃଷ୍ଟି କରୁଛି ନୀଳାଦ୍ରି ବିଜେ ସମୟର ଲକ୍ଷ୍ମୀ-ନାରାୟଣ ବଚନିକା



ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀଙ୍କ ରୋଷ ଓ ରଥଭଙ୍ଗା ପରେ ଦକ୍ଷିଣାମୋଡ଼ ନେଇଛନ୍ତି ରଥତ୍ରୟ । ଆଷାଢ ଶୁକ୍ଲ ନବମୀରେ ବଡଭାଇ ଶ୍ରୀବଳଭଦ୍ର ଏବଂ ଅଲିଅଳୀ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଓଡିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ ଅନୁଷ୍ଠିତ ହେବ ସୁନାବେଶ । ମୋକ୍ଷପ୍ରାପ୍ତି ଆଶାରେ ଦୀର୍ଘ ଏକ ବର୍ଷ ଧରି ଅପେକ୍ଷାରତ ଅଶରୀରୀ ଏବଂ ନିମ୍ନଯୋନୀରେ ଜନ୍ମ ନେଇଥିବା ପ୍ରାଣୀମାନଙ୍କ ଉଦ୍ଦେଶ୍ୟରେ ତା’ ପରଦିନ ଅର୍ପଣ କରାଯିବ ଅଧରପଣା । ଶେଷରେ ନୀଳାଦ୍ରିବିଜେ ସହିତ ଶେଷ ହେବ ଚଳିତ ବର୍ଷର ରଥଯାତ୍ରା ।

ପୁରୀର ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାର ଫଟୋସମୂହ ସହିତ ଫଟୋଚିତ୍ରଗୁଡିକ ସହିତ ଉତ୍ତମ ସାମଞ୍ଜସ୍ୟ ରଖି ପୁରାତନ ରଚନାରୁ ସଂଗୃହିତ କବିତା ପଂକ୍ତିଗୁଡିକ । କବିତା ପଂକ୍ତି ‘ଦ୍ୱାଦଶ ବିବିଧ ସ୍ୱର୍ଣ୍ଣ ଅଳଙ୍କାର କଟିମାଳା ଅଣ୍ଟାସୂତା, କିରୀଟୀ କୁଣ୍ଡଳ, ରନି ଗଳାମାଳ, ମସ୍ତକେ ମୁକୁଟ ଶୋଭା’ ବଡଠାକୁର ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବିଧ ସ୍ୱର୍ଣ୍ଣ ଅଳଙ୍କାର ସହିତ ସୁନାବେଶର ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟକୁ ବ୍ୟାଖ୍ୟା କରୁଛି । ସେହିପରି, ନୀଳାଦ୍ରି ବିଜେ ସମୟର ଲକ୍ଷ୍ମୀ-ନାରାୟଣ ବଚନିକାର ପ୍ରଥମ ପଂକ୍ତି ‘ନଅ ଦିନ ପରେ ହେ ବ୍ରହ୍ମାଣ୍ଡ ପତି କିପରି ଆସିଲ ଫେରି, ଆଉ କେଉଁ ଦିଗ ବାକି ରହିଲା ହେ ଦେଖିଚା କି ନାହିଁ ହରି’ ଓ ଶେଷ ପଂକ୍ତି ‘ଦାଣ୍ଡରେ ପଡ଼ିଣ ହାଟରେ ଗଡିଲା ତୁମର ସେ ରାଗଋଷା, କହନ୍ତି ସମସ୍ତେ ମାଇପ ଡରୁଆ ହେବି କେତେ ଲୋକହସା’ ଗୌରବମୟ ଓଡିଆ ଅସ୍ମିତାର ପରିଚୟ ପ୍ରଦାନ କରିବା ସହିତ ଜନମାନସରେ କୌତୁହଳ ସୃଷ୍ଟି କରୁଛି । ବ୍ରିଟିଶ ଶାସନ ସମୟରେ ତତ୍କାଳୀନ ଚିତ୍ରକରମାନଙ୍କ ଦ୍ୱାରା ରଥଯାତ୍ରାକୁ ନେଇ ଅଙ୍କିତ ଚିତ୍ରର ଫଟୋଗୁଡ଼ିକ ଦର୍ଶକମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରୁଛି । ପ୍ରଦର୍ଶନୀ ମଣ୍ଡପ ମଧ୍ୟରେ ସ୍ଥାପିତ ଭିଡିଓ ୱାଲରେ ପ୍ରଦର୍ଶିତ ହେଉଛି ଅତି ପୁରାତନ ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ର ।

ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକମାନେ ସେସବୁକୁ ଅତି ଆଗ୍ରହର ସହିତ ଉପଭୋଗ କରିବା ସହିତ ସବୁଦିନ ପାଇଁ ସ୍ମୃତି ରୂପେ ରଖିବାକୁ ପ୍ରଦର୍ଶନୀ ବୋର୍ଡଗୁଡିକ ନିକଟରେ ନିଜର ଓ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ଫଟୋ ଉତ୍ତୋଳନ କରୁଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget