ଭୁବନେଶ୍ୱର, ୧୪ ଜୁଲାଇ ୨୦୨୪
ରାଜ୍ୟପାଳ ରଘୁବର ଦାସଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣକ୍ରମେ କସ୍ତୁରବା ଗାନ୍ଧୀ ମାତୃ ନିକେତନ, ପାଇକମାଳ, ବରଗଡ଼ର ଅନ୍ତେବାସୀମାନେ ରାଜ ଭବନ ବୁଲି ଦେଖିବା ସହ ପୁରୀ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ସୂଚନାଯୋଗ୍ୟଯେ ଗତ ଜୁନ୍ ୨୫ ତାରିଖ ଦିନ ରାଜ୍ୟପାଳ ଶ୍ରୀ ଦାସଙ୍କ ବରଗଡ଼ ଜିଲ୍ଲାର ପାଇକମାଳସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନ ସମୟରେ ଅନ୍ତେବାସୀମାନଙ୍କ ସହ ବାର୍ତ୍ତାଳାପବେଳେ ସେମାନଙ୍କର ରାଜଭବନ ବୁଲିବା ଏବଂ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ପ୍ରବଳ ଆଗ୍ରହ ଜାଣିବାକୁ ପାଇଥିଲେ । ଏଣୁ ଅନ୍ତେବାସୀମାନଙ୍କୁ ରାଜଭବନ ବୁଲିବା ସହିତ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ । ତଦନୁଯାୟୀ ଚଳିତ ଜୁଲାଇ ୧୩ ତାରିଖ ଦିନ ୫୦ଜଣ ଅନ୍ତେବାସୀ ଓ ୧୮ଜଣ କର୍ମକର୍ତ୍ତା ପାଇକମାଳରୁ ଯାତ୍ରା ଆରମ୍ଭକରି ଭୁବନେଶ୍ୱର ରାଜଭବନଠାରେ ରାତ୍ରିଯାପନ କରିଥିଲେ । ଜୁଲାଇ ୧୪ତାରିଖ ସକାଳୁ ପୁରୀ ଯାତ୍ରାକରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଅପାର ଆନନ୍ଦଲାଭ କରିଥିଲେ । ତତ୍ପରେ ପୁରୀ ରାଜଭବନରେ ସାମାନ୍ୟ ବିଶ୍ରାମ କରି ସମୁଦ୍ରକୂଳ ବୁଲି ଦେଖିଥିଲେ ଏବଂ ପରେପରେ ଶ୍ରୀମନ୍ଦିର ପରିକ୍ରମା କରି ଭୁବନେଶ୍ୱର ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଜଭବନ ପରିସରରେ ମୃଗ ପାର୍କ ସହ ଶିଶୁ ଉଦ୍ୟାନ ବୁଲି ଦେଖିଥିଲେ । ଏହି ଅବସରରେ ରାଜଭବନର ଅଭିଷେକ ହଲ୍ଠାରେ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସହ ଅନ୍ତେବାସୀମାନେ ବାର୍ତ୍ତାଳାପ କରିଥିଲେ । ଶ୍ରୀଜଗନ୍ନାଥ ଦର୍ଶନର ଅନୁଭୂତି ସଂପର୍କରେ ରାଜ୍ୟପାଳ ପିଲାମାନଙ୍କଠାରୁ ବୁଝିଥିଲେ । ଅନ୍ତେବାସୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ରାଜଭବନ ବୁଲିବାର ସୌଭାଗ୍ୟ ପାଇ ରାଜ୍ୟପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟପାଳ ପିଲାମାନଙ୍କୁ କହିଥିଲେଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱ ଠାକୁର ଏବଂ ତାଙ୍କ ଆଶୀର୍ବାଦରେ ତୁମମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ । ଭଲପାଠ ପଢ଼ି ବଡ଼ମଣିଷ ଓ ଉତ୍ତମ ନାଗରିକ ହେବା ସହ ସେବା ମନୋଭାବ ରଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଅନ୍ତେବାସୀଙ୍କୁ ଏହି ଅବସରରେ ରାଜ୍ୟପାଳ ଉପହାର ପ୍ରଦାନ କରିଥିଲେ । ଏହାପରେ ଅନ୍ତେବାସୀମାନେ ରାଜଭବନ ପରିସରରେ ଅନୁ ିତ ଧ୍ୟାନକେନ୍ଦ୍ର ପ୍ରତି । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ ରାତ୍ରିରେ ପାଇକମାଳ ଯାତ୍ରା କରିଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିଂମାଶୁ ନାରାୟଣ ପଟ୍ଟନାୟକ, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Post a Comment