ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୪
ପ୍ରାଣନାଥଙ୍କ ଜୀବନ ସେବା ଓ ସଂଗ୍ରାମ ପାଇଁ ସମର୍ପିତ ଥୁଲା : ରାଜ୍ୟପାଳ
ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ସମଗ୍ର ଜୀବନ ସେବା ଓ ସଂଗ୍ରାମ ପାଇଁ ସମର୍ପିତ ଥିଲା । ସମାଜର ଅଗଣିତ ଗରିବ ଓ ଅବହେଳିତ ଜନସାଧାରଣଙ୍କ ମୁହଁରେ ହସ ଫୁଟାଇବାକୁ ସେ ଆଜୀବନ ପ୍ରୟା ଜାରି ରଖୁଥିଲେ ବୋଲି ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ରାଜ୍ୟପାଳ ରଘୁବର ଦାସ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ପିଢି ତାଙ୍କର ସେବା, ତ୍ୟାଗ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେମାନେ ଆହ୍ବାନ ଦେଇଛନ୍ତି |
ସ୍ଵାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଯୋଦ୍ଧା, ସାମ୍ୟବାଦୀ ଓ କୃଷକ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା, ଶିକ୍ଷା ପ୍ରସାରରେ ଅଗ୍ରଣୀ ଶିକ୍ଷାବିତ୍, ସାହିତ୍ୟିକ, ବିଧାୟକ ତଥା ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୟଦେବ ଭବନଠାରେ ଅନୁଷ୍ଠିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ରାଜ୍ୟପାଳ ଶ୍ରୀ ଦାସ ସ୍ଵାଧୀନତା ସଂଗ୍ରାମରେ ପ୍ରାଣନାଥଙ୍କ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରି ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵର୍ଗତ ପଟ୍ଟନାୟକଙ୍କୁ ବୈପ୍ଳବିକ ଚେତନାର ଅନ୍ୟତମ ଅଗ୍ରଦୂତ ରୂପେ ବର୍ଣ୍ଣନା କରି ରାଜ୍ୟପାଳ ତାଙ୍କର ଉତ୍ସର୍ଗୀକୃତ ଜନସେବା ଓ ଶିକ୍ଷାର ପ୍ରସାର ପାଇଁ ନିଷ୍ଠାପର ପ୍ରଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ୍ ମାଲବ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ, ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବରେଣ୍ୟ ଅତିଥୁ ରୂପେ ଯୋଗଦେଇ ପ୍ରାଣନାଥଙ୍କ ବୈପ୍ଳବିକ କର୍ମମୟ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ କୃଷକ ଓ ଶ୍ରମିକମାନଙ୍କୁ ସଂଗଠିତ କରିବା ଏବଂ କଳାହାଣ୍ଡିର ଦୁର୍ଭିକ୍ଷ ପୀଡ଼ିତ ଲୋକଙ୍କ ପାଖରେ ପ୍ରଥମେ ପହଞ୍ଚି ସେମାନଙ୍କୁ ସହାୟତାର ହାତ ବଢ଼ାଇବା କ୍ଷେତ୍ରରେ ପ୍ରାଣନାଥଙ୍କ ଭୂମିକାର ସ୍ମୃତିଚାରଣ କରିଥିଲେ । ସ୍ମୃତି ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ବିଶିଷ୍ଟ ଲେଖକା ଡକ୍ଟର ଅର୍ଚ୍ଚନା ନାୟକ ସ୍ଵାଗତ ଭାଷଣ
ଦେଇଥିବା ବେଳେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଛ’ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରାଣନାଥ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା । ସମ୍ବନ୍ଧିତ ବ୍ୟକ୍ତିତ୍ଵମାନେ ହେଲେ – ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ-ସମାଜସେବୀ ତଥା ଗଣମାଧ୍ୟମ, ନୃସିଂହ ଚରଣ ସାହୁ (ଜହୁରୀଭାଇ) -ଶିଶୁ ସାହିତ୍ୟ ଓ ଗବେଷଣା, ପ୍ରଦ୍ୟୁମ୍ନ ଶତପଥୀ– ଭାଷା ସୁରକ୍ଷା ଓ ସାମ୍ବାଦିକତା, ଡ. ଅନସୂୟା ନାଥ- ସଂଗୀତ ଓ ଶିକ୍ଷା, ନୈନା ଦାଶ –ଚଳଚ୍ଚିତ୍ର ଓ ସଂସ୍କୃତି, ସମୀର କୁମାର ରାଉତ– ପଟ୍ଟଚ୍ଚିତ୍ର । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।

Post a Comment