ଭୁବନେଶ୍ୱର, ୧୧ ନଭେମ୍ବର ୨୦୨୪
ଓଡିଶାର ୬ଟି ସ୍ଥାନ ସମେତ ସମଗ୍ର ଦେଶରେ ୧୪୯ଟି ସ୍ଥାନରେ ଏମ୍ଏସ୍ଏମ୍ଇ ସମୂହ ସମ୍ପର୍କ କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବେଙ୍ଗାଲୁରୁର ପିନିଆ କ୍ଲଷ୍ଟରଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଝି ଗୟାରୁ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ବେଙ୍ଗୁଲୁରୁରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୈାଧୁରୀ ଏବଂ କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ତଥା ସଚିବ, ଆର୍ଥିକ ସେବା ବିଭାଗ, ବିତ୍ତୀୟ ମନ୍ତ୍ରାଳୟ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଜନତାଙ୍କୁ ସମ୍ବୋଧନ କରିବା ସହ ଏମ୍ଏସ୍ଏମ୍ଇ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ଏବଂ ଏମ୍ଏସ୍ଏମ୍ଇ ଗ୍ରାହକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅର୍ଥମନ୍ତ୍ରୀ ସୀତାରମଣ ଏମ୍ଏସ୍ଏମ୍ଇ ଗ୍ରାହକଙ୍କ ସହ ଆଲୋଚନା କରିଥିଲେ। ଚଳିତ ଆର୍ଥିକ ବର୍ଷରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଋଣ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ ସମିତିର ଆବାହକ, ଓଡିଶା ପକ୍ଷରୁ ୬ଟି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଓ ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ ବାଲେଶ୍ୱର, କଟକ, ଭୁବନେଶ୍ୱର, ବ୍ରହ୍ମଗିରି (ପୁରୀ), ବରଗଡ ଓ ରମ୍ଭା (ଗଞ୍ଜାମ) ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଭିଡିଓ କନଫେରେନ୍ସ ମାଧ୍ୟମରେ ସମସ୍ତେ ବେଙ୍ଗାରୁରୁ ସହ ସଂଯୁକ୍ତ ହୋଇଥିଲେ ଯେଉଁଠାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୫୦ ଜଣ ଏମ୍ଏସ୍ଏମ୍ଇ ଗ୍ରାହକ ଓ ଅନ୍ୟ ବ୍ୟାଙ୍କର ପ୍ରତିନିଧିଗଣ ତଥା ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକମାନେ ଯୋଗ ଦେଇଥିଲେ। ଓଡିଶାରେ ଆୟୋଜିତ ବିଭିନ୍ନ କେନ୍ଦ୍ରର ପରିଚାଳନା ଯଥା କଟକ, ବାଲେଶ୍ୱର, ବ୍ରହ୍ମଗିରି (ପୁରୀ), ଭୁବନେଶ୍ୱର, ରମ୍ଭା (ଗଞ୍ଜାମ) ଓ ସମ୍ବଲପୁର କେନ୍ଦ୍ରରେ ୟୁକୋ ବ୍ୟାଙ୍କ, ପ୍ରଧାନ କାର୍ଯ୍ୟାଳୟ କୋଲକାତାର ମହାପ୍ରବନ୍ଧକ ଅରୁପାନନ୍ଦ ଜେନା, ରାଜେଶ ଉପାଧ୍ୟାୟ, ସତ୍ୟରଞ୍ଜନ ପଣ୍ଡା ଏବଂ ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୈାତମ ପାତ୍ର, ଭୁବନେଶ୍ୱର ଆଞ୍ଚଳିକ ପ୍ରମୁଖ ଚିନ୍ମୟ କୁମାର ସାହୁ, ସମ୍ବଲପୁରର ଅଞ୍ଚଳିକ ପ୍ରମୁଖ ଆଶିଷ କୁମାର ବିଶ୍ୱାଳ ଏବଂ ବାଲେଶ୍ୱରର ଆଞ୍ଚଳିକ ପ୍ରମୁଖ ସୁଦୀପ ଡାକୁଆ ଏହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଏସ୍ଏଲ୍ବିସି ଓଡିଶା ପ୍ରଭାରୀ ଲିଙ୍ଗରାଜ ନାୟକ ଓଡିଶାରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Post a Comment