loading...

ପ୍ରବାସୀ ଭାରତୀୟ ଦିବସ ଆୟୋଜନ ସଂପର୍କିତ ସମୀକ୍ଷା ବୈଠକ, ବିଭିନ୍ନ କମିଟି ତଥା ବିଭାଗ ତରଫରୁ ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ଆଲୋଚନା

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୪



          ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଗତ ବୁଧବାର  ଅନୁଷ୍ଠିତ ହୋଇଯାଇଛି ।  ଏହି ତ୍ରିବସୀୟ କାର୍ଯ୍ୟକ୍ରମକୁ  ଭଲ ଭାବରେ ଏବଂ ଆକର୍ଷଣୀୟ ଭାବରେ  ଅନୁଷ୍ଠିତ ହେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଓ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ  ଅନୁଷ୍ଠିତ  ଏହି ବୈଠକରେ ବିଭିନ୍ନ ଉପ-କମିଟିରେ ସଦସ୍ୟ ଥିବା ସଂପୃକ୍ତ ବିଭାଗୀୟ  ସଚିବମାନେ ସେମାନଙ୍କର କାର୍ଯ୍ୟ ଅଗ୍ରଗତି ସଂପର୍କରେ ବୈଠକରେ ସୂଚନା ଦେବା ପୂର୍ବକ ପ୍ରସ୍ତୁତି ସଂପର୍କରେ  ସବିଶେଷ ଆଲୋଚନା କରାଯାଇଥିଲା ।  

       ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଗତ ଡିସେମ୍ବର ୯ ତାରିଖରେ ଜନତା ମଇଦାନ ଠାରେ ଭୂମି ପୂଜନ କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ଭି.ଭି.ଆଇ.ପି, ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ପ୍ରବାସୀ ଭାରତୀୟଙ୍କ ଖାଦ୍ୟ ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି, ନକ୍ସା ଉପସ୍ଥାପନ ଓ ଅନୁମୋଦନ ମୁତାବକ କାର୍ଯ୍ୟ ଅଗ୍ରଗତି ଚାଲିଥିବା ସଂପର୍କରେ ଶିଳ୍ପ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । 

           ପ୍ରବାସୀ ଭାରତୀୟ ଦିବସରେ ବିଭିନ୍ନ ଦିବସରେ  ସାଂସ୍କୃତିକ କାର୍ଯ୍ୟକ୍ରମରେ କେଉଁମାନେ ଅଂଶ ଗ୍ରହଣ କରିବେ, ତାହା ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଚୂଡ଼ାନ୍ତ କରାଯାଇଛି । ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ , ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ  ଏବଂ ଏକାମ୍ର କାନନ ଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।  ୮ ଜାନୁଆରୀରେ ସାଂସ୍କୃତିକ ଫ୍ୟୁଜନ ନୃତ୍ୟ ପରିବେଷଣ, ୫ ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ଆଦିବାସୀ ମେଳା, ୬ରୁ ୧୨  ଜାନୁଆରୀ ପର୍ଯ୍ୟନ୍ତ ଚିଲିକା ପକ୍ଷୀ ଉତ୍ସବ, ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ମେଳା, ପଥ ଉତ୍ସବ ଏବଂ ରାତ୍ରୀକାଳୀନ ବଜାର(ନାଇଟ୍ ଫ୍ଲି ମାର୍କେଟ୍) ଅନୁଷ୍ଠିତ ହେବା ନିମନ୍ତେ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି ।  ଏହି ଅବସରରେ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ଓଡ଼ିଶାର ଗୌରବ( ଗ୍ଲୋରିଅସ୍ ଓଡ଼ିଶା ପ୍ରମ୍ ଆନସିଏଣ୍ଟ ଟୁ ମଡର୍ଣ୍ଣ)  ଉପରେ ଆଧାରିତ ଓଡ଼ିଶା ଥିମ୍ ପାଲିଲିଅନ ଆୟୋଜିତ ହେବ । ଏହାର ରୂପରେଖ କିପରି ରହିବ, ସେଥିପାଇଁ  ପ୍ରସ୍ତୁତି  ଜାରି ରହିଛି । 

       ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ  ଯୁବ ପ୍ରବାସୀ ଭାରତୀୟ ଦିବସ, ଜାନୁଆରୀ ୯ରେ  ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏବଂ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ଉଦଯାପନୀ ଦିବସ ସହିତ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ପ୍ରସାର ପ୍ରଚାର ପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ  ମିଡିଆ ପ୍ଲାନ ପ୍ରସ୍ତୁତି ପୂର୍ବକ ଆବଶ୍ୟକ  ପ୍ରସ୍ତାବ ଦିଆଯାଇଛି  । 

           ସହରରେ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଚିହ୍ନଟ ହୋଇଥିବା ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା, ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଜାରି ରହିଛି । ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ଏହି ସମ୍ମିଳନୀରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ରହଣି ପାଇଁ ପ୍ରକୋଷ୍ଠ ବୁକିଂ କରାଯାଇଛି  ଏବଂ ଯୋଗଦେବାକୁ ଥିବା  ପ୍ରବାସୀ ଭାରତୀୟମାନଙ୍କ ତରଫରୁ ପଞ୍ଜୀକରଣ ଜାରି ରହିଛି । ସମ୍ମିଳନୀରେ ଯେପରି ଅଧିକରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେବେ, ସେ ସଂପର୍କରେ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଦେଶରେ ପ୍ରବାସୀ ଓଡିଆ ଅନୁଷ୍ଠାନମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ଅବଗତ କରାଯାଇଛି । 

      ପ୍ରବାସୀ ଭାରତୀୟମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁ ବିଶେଷ କରି ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ଥିବା ୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି  । ଏଥି ସହିତ ପ୍ରବାସୀ ଭାରତୀୟମାନେ ରାଜ୍ୟର ଅନ୍ୟ କେତେକ ଦର୍ଶନୀୟ ସ୍ଥାନକୁ ଯିବାର ସମ୍ଭାବନା ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ ସମସ୍ତ ସ୍ଥାନର ସୌନ୍ଦର୍ଯ୍ୟକରଣ, ପରିଚ୍ଛନ୍ନତା ଆଦିକୁ ମଧ୍ୟ ଦୃଷ୍ଟି ଦିଆଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।  ପ୍ରବାସୀମାନଙ୍କ ଯାତାୟତ ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରରେ ଏଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ  ଉପସ୍ଥାପନ କରାଯାଇଥିଲା । ଆୟୋଜନ ହେବାକୁ ଥିବା ପ୍ରଦର୍ଶନୀରେ ଓଡ଼ିଶା ପାଇଁ ଚିହ୍ନଟ କରାଯାଇଥିବା ୪୦ଟି ପ୍ରଦର୍ଶନୀ ଷ୍ଟଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଉଦ୍ଦିଷ୍ଟ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ ପାଇଁ  ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ଆଲୋଚନା କରାଯାଇଥିଲା । ପୂର୍ତ୍ତ ବିଭାଗ ତରଫରୁ  ରାଜ୍ୟ ସଂଗ୍ରହାଳୟ, ରବିନ୍ଦ୍ର ମଣ୍ଡପ, ଭଞ୍ଜ କଳା ମଣ୍ଡପ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି  ଏବଂ ଭୁବନେଶ୍ୱର,ପୁରୀ, କୋଣାର୍କ, ଚିଲିକାକୁ ସଂଲଗ୍ନ କରୁଥିବା ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ।  

      ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ ବିଭିନ୍ନ କମିଟିରେ ଥିବା ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ, ବିଏମସି କମିଶନର ,  ଡିସିପି , ଭୁବନେଶ୍ୱର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget