loading...

ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ୱର, ୧୨ ଜାନୁଆରୀ  ୨୦୨୫




  • ସ୍ୱାମୀ ବିବେକାନନ୍ଦ ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ
  • ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ- ମୁଖ୍ୟମନ୍ତ୍ରୀ

ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି । ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, ବାଗ୍ମୀ ଓ ମହାନ୍ ସଂଗ୍ରାମୀ  ସନ୍ୟାସୀ ଭାବେ ଅମଳିନ ରହିଛି । ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ୟାସୀ ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ । ସେ ପୁଣି କହିଥିଲେ ଆଜି ଆମେ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରୁଛୁ । ଆମର ଯୁବ ସମାଜ ଯେତେ ଉନ୍ନତି କରୁ, ଯେତେ ସଫଳ ହେଉ ଜଣେ ଭାରତୀୟ ଭାବରେ ପ୍ରଥମେ ଗର୍ବ ଅନୁଭବ କରିବା ଏବଂ ଭାରତୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ ।  ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଧାର୍ମିକ ସଭାରେ ଅଭିଭାଷଣ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ଏହା ମାଧ୍ୟମରେ ଭାରତର ଧାର୍ମିକ ଓ ଦର୍ଶନ ତତ୍ତ୍ୱ ସମ୍ପର୍କରେ ବିଶ୍ୱ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥିଲା ଏବଂ ଆମେ ଆମ ଧାର୍ମିକ ଓ ଦର୍ଶନ ତତ୍ତ୍ୱର ମହତ୍ତ୍ୱକୁ ବୁଝିଥିଲୁ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ଆମ ଯୁବ ସମାଜର । ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ଉଦ୍ୟମ କରିବା ସହିତ ଆମ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଆସନ୍ତୁ ଏହି ଦିବସ ଅବସରରେ ସଂକଳ୍ପନେବା । ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ ଯେ, ଭାରତୀୟ ଯୁବ ସମାଜ ପାଇଁ ଏକ ଅଦ୍ୱିତୀୟ ପ୍ରେରଣା ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ସ୍ୱାମୀ ବିବେକାନନ୍ଦ ଭାରତବର୍ଷର ଆତ୍ମାକୁ ଜାଗରିତ କରିଥିଲେ । ଭାରତ ବର୍ଷକୁ ନେଇ ସ୍ୱାମୀଜୀଙ୍କ ଅଭିମାନ ଓ ସ୍ୱାଭିମାନ ଥିଲା ଅତୁଳନୀୟ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କମ୍ ବୟସରୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ପରାମର୍ଶ ଦେଇ ସେ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଯଦି ଆମେ ଅନୁପାଳନ କରିବା ତେବେ ଆମ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ ।ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ଥିଲେ ଭାରତୀୟ ଯୁବ ସମାଜର ପ୍ରତୀକ । ଚିକାଗୋରେ ସ୍ୱାମୀଜୀଙ୍କ ତିନି ମିନିଟର ବକ୍ତବ୍ୟ ତାଙ୍କୁ ବିଶ୍ୱବିଖ୍ୟାତ କରିଦେଇଥିଲା । ଭାରତର ଯୁବ ନେତୃତ୍ୱକୁ ସେ ପ୍ରତିପାଦିତ କରିଥିଲେ ଚିକାଗୋରେ । ଆମ ଭାରତୀୟ ମାନଙ୍କ ଚିନ୍ତାଧାରା ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ । ଆଜିର ଦିବସ ହେଉଛି ଏ ଦେଶକୁ ବିଶ୍ୱ ମାନଚିତ୍ରରେ ଶ୍ରେଷ୍ଠ ଦେଶ କରିବା ପାଇଁ ସଂକଳ୍ପବଦ୍ଧ ହେବାର ଦିବସ ।  ମୋ ଦେଶ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ ଏହି ଚିନ୍ତାଧାରା ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ସେ କହିଥିଲେ ।ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡି.ଏ.ଭି ପୋଖରୀପୁଟର ଛାତ୍ର ଶ୍ରୀ ଜଗଦୀଶ ଆଚାର୍ଯ୍ୟ ସ୍ୱାମୀଜୀଙ୍କ ସ୍ୱଦେଶ ମନ୍ତ୍ର ସମସ୍ତଙ୍କୁ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନର ସମ୍ପାଦକ ତଥା ଅଧ୍ୟକ୍ଷ ସ୍ୱାମୀ ଆତ୍ମା ପ୍ରଭାନନ୍ଦଜୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀ ବ୍ରଜ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget