loading...

ଡ୍ରାଫ୍ଟ ୟୁଜିସି ନିୟମାବଳୀ,୨୦୨୫ରେ ବିଜେଡିର ଅଭିଯୋଗ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ୦ ଫେବୃଆରୀ ୨୦୨୫




  • ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରିଥିବା ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି : ସତ୍ୟବ୍ରତ ପଣ୍ଡା
  • ଡ୍ରାଫ୍ଟ ୟୁଜିସିର ନିୟମାବଳୀ ଉପରେ ବିଜେଡିର ଅଭିଯୋଗ ଭିତ୍ତିହୀନ 

  • ସ୍ୱାଧୀନତା ପର ଠାରୁ ବିଶ୍ୱବିଦ୍ୟାଳୟର କ୍ଷମତା କୁଳାଧିପତି ତଥା ମାନ୍ୟବର ରାଜ୍ୟପାଳଙ୍କ ହାତରେ ରହିଆସିଛି

  • ରାଜ୍ୟପାଳଙ୍କୁ ଏକ ନିର୍ଦ୍ଦିଷ୍ଟ ଆଇନ ଅଧୀନରେ କୁଳାଧିପତି କରାଯାଇଥାଏ ଏବଂ ସେହି ଆଇନକୁ ସେ ପାଳନ କରନ୍ତି

  • ବିଜେଡି ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ୨୦୨୦ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯  ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା

  • ଉକ୍ତ ଆଇନରେ ପରିବର୍ତ୍ତନ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମ ବିରୋଧ ଥିଲା, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ନ୍ୟାୟିକ ନିର୍ଦ୍ଦେଶକୁ ବି ଅଣଦେଖା କରୁଥିଲା 

  • ୟୁଜିସିର ନିୟମାବଳି ବ୍ୟାପକ ବିଚାରବିମର୍ଶ ଆଲୋଚନା ପରେ ପ୍ରସ୍ତୁତ କରାଯାଏ 

  • ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ସମ୍ମାନ ଦେଇ ଶୈକ୍ଷିକ ମାନରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୁଏ

  • ୟୁଜିସିର ନିୟମାବଳିରେ ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାର ପ୍ରତ୍ୟେକ ଦିଗରେ ନବସୃଜନ, ସମାବେଶୀ, ସରଳୀକରଣ ପ୍ରକ୍ରିୟାର ଗତିଶୀଳତାକୁ ପ୍ରୋତ୍ସାହିତ କରିବ


ରାଜ୍ୟରେ ପୂର୍ବ ବିଜେଡି ସରକାର ୨୦୨୦ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରି ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ନଷ୍ଟ କରିବା ପାଇଁ ବଡ଼ ଷଡଯନ୍ତ୍ର କରିଥିଲେ, ଯାହାକୁ ଶିକ୍ଷା ଜଗତ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମହଲରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ଆଜି ୟୁଜିସି ଡ୍ରାଫ୍ଟ -୨୦୨୫ ଉପରେ ବିଜେଡି ପ୍ରସଙ୍ଗବିହୀନ ଭାବେ କେନ୍ଦ୍ରକୁ ସମାଲୋଚନା କରି ରାଜନୈତିକ ଫାଇଦା ଉଠାଇବା ପାଇଁ ଯେଉଁ ଅମୂଳକ ଯୁକ୍ତି ବାଢୁଛି ତାହା ନିନ୍ଦନୀୟ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ଶ୍ରୀ ପଣ୍ଡା କହିଛନ୍ତି ଯେ ବିଜେଡି ଦଳ ୟୁଜିସି ଗ୍ରାଣ୍ଟ କମିଶନର ଅଧକ୍ଷଙ୍କୁ ଚିଠି ଲେଖି ୟୁଜିସି (ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଏକାଡେମିକ୍ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ ଉପରେ ଯେଉଁ ବିଷୟ ସବୁ ରଖିଛନ୍ତି, ଲାଗୁଛି ସେ ଉକ୍ତ ଡ୍ରାଫ୍ଟ ୟୁଜିସିର ନିୟମାବଳୀକୁ ପଢିନାହାନ୍ତି । କେବଳ ନାମକୁ ମାତ୍ର ବିରୋଧ କରିବା ପାଇଁ ଏହି ଚିଠିଟି ଲେଖିଛନ୍ତି । ବିଜେଡି ଯେଉଁଭଳି ଭାବେ ଡ୍ରାଫ୍ଟ ୟୁଜିସିର ନିୟମାବଳୀ ଉପରେ ରାଜ୍ୟ ସଂଘୀୟ ବ୍ୟବସ୍ଥାର ବିରୋଧ ଭଳି ଅଭିଯୋଗ ଆଣିଛି ତାହା ଭିତ୍ତିହୀନ ।

ସ୍ୱାଧୀନତା ପର ଠାରୁ ବିଶ୍ୱବିଦ୍ୟାଳୟର କ୍ଷମତା କୁଳାଧିପତି ତଥା ମାନ୍ୟବର ରାଜ୍ୟପାଳଙ୍କ ହାତରେ ରହିଆସିଛି । ରାଜ୍ୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କୁଳାଧିପତି ହିଁ ଅଟନ୍ତି । ରାଜ୍ୟପାଳଙ୍କୁ ଏକ ନିର୍ଦ୍ଦିଷ୍ଟ ଆଇନ ଅଧୀନରେ କୁଳାଧିପତି କରାଯାଇଥାଏ ଏବଂ ସେହି ଆଇନକୁ ସେ ପାଳନ କରନ୍ତି । ସେ ହିଁ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି କରିବାର ନିୟମ ରହିଛି । ତେବେ ବିଜେଡି କେବଳ ନାଁକୁ ସମାଲୋଚନା କରିବା ପାଇଁ ଔଷଧ ବିକଳରେ ତାଟିଆ କାମୁଡି ଏଭଳି ତର୍କବିହୀନ ଯୁକ୍ତି ବାଢୁଛି । 

ଶ୍ରୀ ପଣ୍ଡା କହିଛନ୍ତି ଯେ ତତ୍କାଳୀନ ବିଜେଡି ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ୨୦୨୦ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯  ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା, ଉକ୍ତ ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତାକୁ ମଧ୍ୟ କ୍ଷୁଣ୍ଣ କରୁଥିଲା । ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଉପରୋକ୍ତ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନରେ ଯେଉଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଥିଲା ତାହା କେବଳ ୟୁଜିସିର ଏହି ନିୟମାବଳୀ ସହ ଅସଙ୍ଗତ ନୁହେଁ ବରଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ନ୍ୟାୟିକ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରୁଥିଲା । ପୂର୍ବ ସରକାରଙ୍କ ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସଂଙ୍କୁଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ସଂଶୋଧିତ ଆଇନ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା ସିଣ୍ଡିକେଟ୍ ଗଠନରେ କୁଳାଧିପତି ଓ ସରକାରୀ ଅଧିକାରୀଙ୍କ ବହୁ ସଂଖ୍ୟକ ମନୋନୀତ ସଦସ୍ୟଙ୍କୁ ସାମିଲ କରାଯିବା ଶିକ୍ଷାବିତ୍ ମହଲରେ ଉଦବେଗ ସୃଷ୍ଟି କରିଥିଲା। ଏହି  ସଂଶୋଧିତ ବିଲକୁ ସବୁ ଆଡୁ ବିରୋଧ କରାଯାଇଥିଲା ।

ବିଜେପି ମୁଖପାତ୍ର କହିଛନ୍ତି ଯେ ୟୁଜିସିର ନିୟମାବଳି ବ୍ୟାପକ ବିଚାରବିମର୍ଶ ଆଲୋଚନା ପରେ ପ୍ରସ୍ତୁତ କରାଯାଏ ଏବଂ ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ସମ୍ମାନ ଦେଇ ଶୈକ୍ଷିକ ମାନରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଡ୍ରାଫ୍ଟ ୟୁଜିସି (ବିଶ୍ୱବିଦ୍ୟାଳୟ ଓ କଲେଜରେ ଶିକ୍ଷକ ଓ ଏକାଡେମିକ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁବିଧା ଉପାୟରେ ସେମାନଙ୍କ ଅନୁଷ୍ଠାନରେ ଶିକ୍ଷକ ଏବଂ ଶୈକ୍ଷିକ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ଦେବାରେ ସହାୟକ ହେବ । ୟୁଜିସିର ଉକ୍ତ ନିୟମାବଳିରେ ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାର ପ୍ରତ୍ୟେକ ଦିଗରେ ନବସୃଜନ, ସମାବେଶୀ, ସରଳୀକରଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ଗତିଶୀଳତାକୁ ପ୍ରୋତ୍ସାହିତ କରିବ । ଶିକ୍ଷକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ସଶକ୍ତ କରିବ । ନିୟମାବଳୀର ପ୍ରମୁଖ ବିଶେଷତା ହେଉଛି ଯୋଗ୍ୟତା ସହ ପିଏଚଡି ଅଭିଜ୍ଞତା ଉପରେ ବିଶେଷ ଧ୍ୟାନ ଦିଆଯିବ । ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରାଯିବା ସହ ସାମଗ୍ରିକ ମୂଲ୍ୟାୟନ, ସରଳୀକରଣ ପଦୋନ୍ନତି ପ୍ରକ୍ରିୟା, ଅନ୍ତର୍ଭୁକ୍ତୀକରଣ ସହ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବ । ଭିନ୍ନକ୍ଷମଙ୍କ ସମେତ ଦକ୍ଷ କ୍ରୀଡ଼ାବିତମାନଙ୍କୁ ଶିକ୍ଷକତା ବୃତ୍ତିରେ ପ୍ରବେଶ କରିବାର ସୁଯୋଗ ଆଦି ପ୍ରଦାନ କରିବ ବୋଲି ସେ କହିଛନ୍ତି।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget