loading...

ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫




  • ନୂତନ ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା
  • ମାଓ ପ୍ରଭାବିତ ଅଂଚଳମାନଙ୍କର ସ୍ଥିତି ଏବଂ ଗ୍ରାମୋଦୟ ଯୋଜନାର କାର୍ଯ୍ୟକାରିତା  ସମୀକ୍ଷା
  • ଲଘୁ ଖଣିଜ ପଦାର୍ଥର ବେଆଇନ୍‌ ଖନନ ଓ ପରିବହନକୁ ରୋକିବା ପାଇଁ ବ୍ୟାପକ ଚଢଉ ନିର୍ଦ୍ଦେଶ
  • ମୁଖ୍ୟ ଶାସନ ସଚିବମାନଙ୍କ ୪ର୍ଥ ଜାତୀୟ ସମ୍ମଳନୀ ଓ ୫୯ତମ ଡିଜିପି-ଆଇଜିପି ସମ୍ମିଳନୀର ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଗୁରୁତ୍ୱ

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନ ଏବଂ ପୁଲିସ୍‌ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି ଏବଂ ଡିଆଇଜିମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । 

ବୈଠକରେ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବମାନଙ୍କ                         ୪ ର୍ଥ ଜାତୀୟ ସମ୍ମିଳନୀ, ଗତ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ତିନିଦିନିଆ  ୫୯ ତମ ଡିଜିପି-ଆଇଜିପି ସମ୍ମିଳନୀରେ  ନିଆଯାଇଥିବା ନିଷ୍ପତ୍ତିର ଜିଲ୍ଲା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠିତ ଡିଡିପି-ଆଇଜିପି ସମ୍ମିଳନୀରେ ପ୍ରସ୍ତାବିତ ୧୦୮ଟି ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।  ଏଥି ସହିତ  ବିକଶିତ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ, ଅର୍ଥନୈତିକ ସର୍ଭେ -୨୦୨୪-୨୫ ବିବରଣୀ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ତଥା ରାଜ୍ୟର ସମୃଦ୍ଧି ପାଇଁ  ପ୍ରଶାସନିକ ବ୍ୟବସ୍ଥା ଓ ସଂସ୍ଥାଗତ ପରିଚାଳନା ନିୟାମକରେ ଆବଶ୍ୟକ କୋହଳ କରାଯିବା( ଡି ରେଗୁଲେସନ ଫର ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍-୨.୦), ଉଦ୍ୟୋଗ, ନିଯୁକ୍ତି ଓ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ  କରିଥିଲେ । ମିଶନ କର୍ମଯୋଗୀ ଅଧିନରେ ଆଇ-ଜିଓଟି ପ୍ଲାଟଫର୍ମରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଅଗ୍ରଗତି ସଂପର୍କରେ ସେ ମଧ୍ୟ ସମୀକ୍ଷା କରିଥିଲେ । 

  ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ରାଜ୍ୟରେ ନୂତନ  ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ । ୨୦୨୩ ମସିହାରେ ଭାରତୀୟ ସଂସଦରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଭିଯାନ ପ୍ରଣୟନ କରାଯାଇଛି ।  ୨୦୨୪ ଜୁଲାଇ ୧ ରୁ ଏହା କାର୍ଯ୍ୟକାରୀ କରାଯାଇଥିବା ବେଳେ  ଓଡ଼ିଶାରେ ଏହାର କାର୍ଯ୍ୟକାରିତା ସ୍ଥିତି ଓ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ  ଡିଜିପି ଶ୍ରୀ ଖୁରାନିଆ ପ୍ରକାଶ କରିଥିଲେ । ଏଥିପାଇଁ କ୍ରିମିନାଲ  ଜଷ୍ଟିସ ସିଷ୍ଟମର ସମସ୍ତ ବିଭାଗରେ  କର୍ମଚାରୀମାନଙ୍କୁ  ପ୍ରଶିକ୍ଷଣ ଦିଆଯାଇଥିବା, ନୂତନ ଅପରାଧିକ ଆଇନ୍‌ ଅନୁଯାୟୀ ଓଡ଼ିଶା ପୁଲିସ୍‌ ତରଫରୁ  ଅପରାଧ ଓ ଅପରାଧିକ ମାମଲା ଟ୍ରାକିଂ ପାଇଁ ସିସିଟିଏନଏସ୍‌ କାର୍ଯ୍ୟକାରୀ କରାଯାଉଥିବା, ନୂଆ ଆଇନ୍‌ର କାର୍ଯ୍ୟକାରିତା ସଂପର୍କିତ ଆବଶ୍ୟକ ମାର୍ଗଦର୍ଶିକା(ଏସ୍‌ଓପି) ଜାରି କରାଯାଇଥିବା ସେ ଉପସ୍ଥାପନ କରିଥିଲେ । ରାଜ୍ୟର ସମସ୍ତ ୫୭୯ ଟି ଆଂଚଳିକ ଥାନାରେ ନାଗରିକ ସମାଜ, ସ୍ଥାନୀୟ ଓକିଲ ସଂଘର ସଦସ୍ୟ, ସ୍ୱେଚ୍ଛାସେବୀମାନଙ୍କ ସହଯୋଗିତାରେ ଜନ ସଚେତନତା ଅଭିଯାନ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଥିଲେ । ଏଥିପାଇଁ ଦକ୍ଷ ମାନବ ସମ୍ବଳ ଓ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗରେ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଥିଲେ । ରାଜ୍ୟରେ ୨୦୦୦ ଟ୍ରାଫିକ୍‌ କର୍ମଚାରୀ ପଦବୀ ସୃଷ୍ଟି ଓ ନାଗରିକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦ ଟି ନୂଆ ସାଇବର ଥାନା ଗଠନ ଓ ବର୍ତ୍ତମାନର ୧୪ ଟି ସାଇବର ଥାନାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଥିବା ସଂପର୍କରେ ସେ କହିଥିଲେ । ରାଜ୍ୟରେ କେତେକ ଅଂଚଳରେ ଦେଖାଦେଉଥିବା ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯିବା ଏବଂ ସମ୍ଭାବ୍ୟ ଅନୁପ୍ରବେଶ ରୋକିବା ସଂପର୍କରେ ଆଲୋକପାତ କରାଯାଇଥିଲା । ଏଥିପାଇଁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ଓ ବୁଦ୍ଧିମତାର ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଭିନ୍ନ ଜିଲ୍ଲାରେ ମୋବାଇଲ ନେଟ୍ଓ୍ୱାର୍କ ସୁଦୃଢୀକରଣ ଏବଂ ସଡକ ସଂଯୋଗୀକରଣ ସ୍ଥିତି ସମୀକ୍ଷା କରାଯାଇ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା  କରାଯାଇଥିଲା । ଏଥି ସହିତ ଗଂଜେଇ ଚୋରା ଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ସହ ଇତି ମଧ୍ୟରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ ସହିତ ପ୍ରଶାସନ  ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଥିବା ସେ ପ୍ରକାଶ କରିଥିଲେ  ।  ଏଲଡବ୍ଲୁଇ ପ୍ରଭାବିତ ଗ୍ରାମଗୁଡ଼ିକରେ  ଗ୍ରାମୋଦୟ ଯୋଜନା ଅଧୀନରେ  ବିଭିନ୍ନ ସରକାରୀ ଯୋଜନାର  ଫଳପ୍ରଦ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ରୂପାୟନ ପାଇଁ ଜିଲ୍ଲାପାଳମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ  ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେ ସବୁ ଅଂଚଳରେ ଥିବା  ଅସଂଯୋଗୀକୃତ ବସତିକୁ ସଡକ ସଂଯୋଗୀକରଣ ସଂପର୍କରେ ଆଲୋକପାତ କରାଯାଇଥିଲା । ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ତରଫରୁ  ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ଗ୍ରାମୀଣ) ଏବଂ  ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ,  ଗୃହ ଓ ନଗର ଉନ୍ନୟନ ବିଭାଗ ତରପରୁ ସହରାଂଚଳ କୈନ୍ଦିକ ବିକାଶ  ଉପରେ ଆଲୋକପାତ କରାଯାଇଥିଲା । 

ବୈଠକରେ ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁ ବ୍ୟାପକ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ପଦାଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ବେଆଇନ୍‌ ବାଲି ଓ ପଥର ଖାଦାନରେ ଚଢ଼ାଉ କରିବା, ଉତ୍ସସ୍ଥଳରେ ବେଆଇନ ଖଣି ଖନନ ଉପରେ ରୋକ୍ ଲଗାଇବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଥ୍‌ସହିତ ଇ-ଟ୍ରାନଜିଟ୍ ପାସ୍ ବିନା, ବେଆଇନ ଭାବେ ଖଣିଜ ପଦାର୍ଥ ପରିବହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଉପଖଣ୍ଡ ସ୍ତରୀୟ ଟିମ୍ ଏବଂ ରାଜସ୍ୱ, ଖଣି, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ । ବାଲି, କଳାପଥର ଆଦିର ନୂତନ ଉତ୍ସ ଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା ।   

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget