loading...

ରାଜଭବନରେ ବିହାର ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ। ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିବ – ରାଜ୍ୟପାଳ:

ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୫





ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଶନିବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ବିହାର ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ରାଜ୍ୟପାଳ ବିହାର ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଥିଲେ। ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ୱ ଏବଂ ଆମ ଗୌରବ। ଭାରତର ଇତିହାସ, ସଂସ୍କୃତି, ଐତିହ୍ୟ ଏବଂ ବିକାଶ ପ୍ରତି ବିହାରର ଭୂମିକା ଉଲ୍ଲେଖନୀୟ। ଏହା ହେଉଛି ପ୍ରାଚୀନ ସଭ୍ୟତାର ଜନ୍ମସ୍ଥଳୀ ଏବଂ ଅନେକ ମହାପୁରୁଷ ତଥା ଗୁଣୀଜ୍ଞାନୀଙ୍କୁ ଜନ୍ମ ଦେଇ ବିହାର ମାଟି ଧନ୍ୟ ହୋଇଛି। ନାଳନ୍ଦା ଏବଂ ବିକ୍ରମଶିଳା ଭଳି ପ୍ରାଚୀନ ବିଶ୍ୱବିଦ୍ୟାଳୟ, ଆଧ୍ୟାତ୍ମିକ ପୀଠସ୍ଥଳୀ ପାଇଁ ଏ ମାଟି ଗର୍ବିତ ହୋଇଛି। ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଅଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି। ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି ଓ ଆନନ୍ଦ ବାଟିଂବାର ପର୍ବ ଯାହା ଆମର ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରାଉଛି ବୋଲି ରାଜ୍ୟପାଳ କହିଥିଲେ।

ଏତଦ୍‌ବ୍ୟତୀତ ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ବିହାର ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ନିର୍ମାଣ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନଙ୍କ ଓଡିଶାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ଅଂଶ ଗ୍ରହଣ ଓ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ ବିହାର ଏକ ଭୌଗଳିକ ଭୂଖଣ୍ଡ ନୁହେଁ ବରଂ ପରଂପରା, ଉତ୍କର୍ଷ କଳା ଓ ଗଭୀର ମୂଲ୍ୟବୋଧର ଗନ୍ତାଘର। ଓଡ଼ିଶା ଓ ବିହାର ମଧ୍ୟରେ ଥିବା ଐତିହାସିକ, ସାମାଜିକ ଓ ଅର୍ଥନୈତିକ ସଂପର୍କ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଏପରି ଦିବସ ପାଳନ ଉଭୟ ରାଜ୍ୟ ମଧ୍ୟରେ ସଂପର୍କକୁ ଅଧିକ ସୁଦୃଢ଼ କରିବ। ଏକ ବିକଶିତ ଭାରତ ଗଠନରେ ଉଭୟ ରାଜ୍ୟର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିହାର ଏବଂ ଓଡ଼ିଶାର ଯୁବ ପିଢ଼ି ସେମାନଙ୍କର ଆକାକ୍ଷାଂ ଓ ପ୍ରତିଭା ସହିତ ଏକ ସମାବେଶୀ ଏବଂ ଗତିଶୀଳ ଭାରତ ଗଠନ ପାଇଁ ଯୋଗଦାନ ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। 

ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜଭବନରେ ଉଭୟ ରାଜ୍ୟର ପ୍ରତିନିଧି ଏବଂ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ / ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ତତ୍ୱକୁ ଦର୍ଶାଉଛି। ଏହି ପରଂପରାର ତତ୍ତ୍ୱାବଧାରକ ଭାବେ ରାଜଭବନ ଆମକୁ ଏକତ୍ରିତ କରିବା, ବିବିଧତାକୁ ସମ୍ମାନିତ କରିବାରେ ଗର୍ବ ଅନୁଭବ କରେ। ଓଡ଼ିଶାରେ କିପରି ବିଭିନ୍ନ ଅଂଚଳର ଗୋଷ୍ଠୀ / ସଂପ୍ରଦାୟ ଏକାଠି ହୁଅନ୍ତି, ଶିକ୍ଷା, ସହଯୋଗ ଓ ପାରସ୍ପରିକ ବୁଝାମଣାକୁ ପ୍ରୋସାହିତ କରାଯାଏ ତାହା ନିହାତି ଭାବେ ଉତ୍ସାହ ଜନକ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ବିହାର ରାଜ୍ୟର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁଙ୍କ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ବିହାର ରାଜ୍ୟର ଇନ୍‌ଫରମେସନ୍ ଟେକ୍ନୋଲୋଜି ମନ୍ତ୍ରୀ କ୍ରିଷ୍ଣା କୁମାର ମଂଟୁ ଅତିଥିଭାବେ ଯୋଗଦେଇ ଓଡ଼ିଶା ଓ ବିହାର ରାଜ୍ୟ ମଧ୍ୟରେ ଥିବା ସଂପର୍କ ଏବଂ ଭାରତର ବିକାଶରେ ଭୂମିକା ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି ଓଡ଼ିଶା ଏବଂ ବିହାର ମଧ୍ୟରେ ଥିବା ସାମଞ୍ଜସ୍ୟ, ଭାଇଚାରା, କର୍ମ ସଂସ୍କୃତି ଉପରେ ଆଲୋକପାତ କରିବା ସହ ନିଜ ସେବା ଜୀବନର ଉପଲବ୍ଧି ସଂପର୍କରେ ଉଲ୍ଲେଖ କରିଥିଲେ। 

ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିହାର ରାଜ୍ୟର ବ୍ୟକ୍ତି ବିଶେଷ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଏବଂ ମହାନତା ସଂପର୍କରେ ଅବତାରଣା କରିବା ସହିତ ଓଡ଼ିଶା ସହ ତାଙ୍କ ରାଜ୍ୟର ଅତୁଟ ସଂପର୍କ ଏବଂ ଓଡ଼ିଶାର ବିଶେଷତ୍ୱ ସଂପର୍କରେ ଅଭିଜ୍ଞତା ଓ ଉପଲବ୍ଧି ବାଂଟିଥିଲେ। ଏହି ଅବସରରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget