ଭୁବନେଶ୍ୱର, ୨୧ ମାର୍ଚ୍ଚ ୨୦୨୫
ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ଧାରକ ହେବା ସହିତ ବିଭିନ୍ନ ଅଂଚଳର ଲୋକ, ସଂସ୍କୃତି ଏବଂ ପରଂପରା ମଧ୍ୟରେ ସଂଯୋଗ ସେତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟନ ଫୋରମ୍ ଦ୍ୱାରା ଆୟୋଜିତ ରୋଡ଼-ଶୋକୁ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ସହଯୋଗ ଦୃଢ଼ ହୋଇପାରିବ ଏବଂ ଆଂଚଳିକ ସଂଯୋଗୀକରଣ, ନିବେଶ ସୁଯୋଗ ସୃଷ୍ଟି ହେବା ସହିତ ସ୍ଥାୟୀ ପର୍ଯ୍ୟଟନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୋତ୍ସାହନ ମିଳିବ। ଏପରି କାର୍ଯ୍ୟକ୍ରମ ଓଡିଶା ସହିତ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ସଂପର୍କ ବୃଦ୍ଧି କରିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ ଆନ୍ଧ୍ର ପ୍ରଦେଶ ଓ ଓଡିଶା ମଧ୍ୟରେ ଦୃଢ଼ ଐତିହାସିକ ଏବଂ ସାଂସ୍କୃତିକ ସଂପର୍କ ରହିଛି। ଆନ୍ଧ୍ର ପ୍ରଦେଶ ଏହାର ସମୃଦ୍ଧ ଐତିହ୍ୟ, ଚମତ୍କାର ଉପକୂଳ, ପ୍ରାକୃତିକ ଦୃଶ୍ୟ, ଆଧ୍ୟାତ୍ମିକ ପୀଠ ପାଇଁ ସୁପରିଚିତ । ସେହିପରି ଓଡ଼ିଶାର ସ୍ୱର୍ଣ୍ଣ ବେଳାଭୂମି, ମହିମାମଣ୍ଡିତ ଦେବଦେବୀ ପୀଠ ଓ ଆଧ୍ୟାତ୍ମିକ ପୀଠ ତଥା ଜନଜାତି ସଂସ୍କୃତି ପାଇଁ ବିଦିତ। ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଐତିହାସିକ, ସାଂସ୍କୃତିକ ଏବଂ ଆର୍ଥିକ ସଂପର୍କ ବଜାୟ ରହିଛି ଏବଂ ଏଥିପାଇଁ ଅନ୍ତଃରାଜ୍ୟ ପର୍ଯ୍ୟଟନର ବିକାଶ ନିମନ୍ତେ ଅପାର ସମ୍ଭାବନା ରହିଛି। ଉଭୟ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛନ୍ତି ବୋଲି ରାଜ୍ୟପାଳ କହିଥିଲେ। ଓଡିଶାର ପର୍ଯ୍ୟଟନ ଏବଂ ଟ୍ରାଭେଲ ଶିଳ୍ପ, ଆତିଥ୍ୟ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଆନ୍ଧ୍ର ପ୍ରଦେଶର ପ୍ରତିପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରି ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ଏହି ରୋଡ ଶୋ ଉତ୍ସାହିତ କରିବ। ଭାରତର ପୂର୍ବ ଉପକୂଳରେ ସାଂସ୍କୃତିକ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ ଏବଂ ତୀର୍ଥ ଯାତ୍ରା ସର୍କିଟ ପାଇଁ ଅପାର ସମ୍ଭାବନା ରହଛି। ଏଣୁ ଏହା ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ବିକାଶ ଆଣିବା ସହ ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ସାଂସ୍କୃତିକ ଆଦାନ ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ। ଉଭୟ ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନା ଥିବା ସ୍ଥାନଗୁଡ଼ିକର ଚିହ୍ନଟ, ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭତିଭୂମିର ବିକାଶ ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଂଟରପ୍ରାଇଜିଂ ନଟ୍ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଆସୋସିଏଟସ୍ର ସଭାପତି ଦେବାଶିଷ ମିଶ୍ର, ଆନ୍ଧ୍ର ପ୍ରଦେଶ ଟୁରିଜିମ୍ ଫୋରମ୍ର ସଭାପତି କେ. ବିଜୟ ମୋହନ ଏବଂ ଉପସଭାପତି ଡ. ଏସ୍ ପ୍ରଶାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ।
.jpeg)
Post a Comment