ଭୁବନେଶ୍ୱର, ୧୧ ଏପ୍ରିଲ୍ ୨୦୨୫
ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି)ର ନିୟାମକ ଅନୁପାଳନ ପୋର୍ଟାଲ (ଆରସିପି) ମଧ୍ୟରେ ନୂତନ ଭାବେ ବିକଶିତ ନିୟନ୍ତ୍ରଣ ମଡ୍ୟୁଲ୍ ରେ ଥିବା ଅନୁପାଳନ ହ୍ରାସ ଏବଂ ନିୟନ୍ତ୍ରଣ ପରିଚାଳନା ( କମ୍ପ୍ଲିଆନ୍ସ ରିଡକ୍ସନ ଏବଂ ଡିରେଗୁଲେସନ) ସୂଚନା ପ୍ରଣାଳୀ (ଏମଆଇଏସ) ସଂପର୍କିତ ଏକ ପରାମର୍ଶ ଅଧିବେଶନ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶାସନ ସଚିବମାନଙ୍କ ସହିତ କେନ୍ଦ୍ର ସରକାରଙ୍କ ସଚିବ (ସମନ୍ୱୟ) ଶ୍ରୀମତୀ ବନ୍ଦନା ଗୁରନାନିଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟ ଏବଂ ଶିଳ୍ପୋଦ୍ୟୋଗ କ୍ଷେତ୍ରରେ ମାତ୍ରାଧିକ ସରକାରୀ ନିୟନ୍ତ୍ରଣକୁ ହ୍ରାସ କରିବା, ନିୟନ୍ତ୍ରଣ, ତଦାରଖ ଏବଂ ମୂଲ୍ୟାଙ୍କନକୁ ସୁବ୍ୟବସ୍ଥିତ କରିବା, ଯାହା ଫଳରେ ଶିଳ୍ପ ଉଦ୍ୟୋଗୀ, ବ୍ୟବସାୟ ବାଣିଜ୍ୟ ଅଧିକ ସହଜ ହେବା ସହିତ ନବ ସୃଜନ ଦ୍ୱାରା ଦୃତ ଆର୍ଥିକ ବିକାଶ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରୁ ଯୋଗ ଦେଇଥିଲେ । ଶିଳ୍ପ ବିଭାଗ ଏହି ନିୟନ୍ତ୍ରଣ ପରିଚାଳନା ପାଇଁ ନୋଡାଲ ବିଭାଗ ହୋଇଥିବା ବେଳେ ଏହି ବିଭାଗ ଏବଂ ଇପିକଲର ଅଧିକାରୀମାନେ ଉନ୍ନୟନ କମିଶନରଙ୍କୁ ନିୟନ୍ତ୍ରଣ ମଡ୍ୟୁଲରେ ଥିବା ଡକେଟ(କମ୍ପ୍ୟୁଟରୀକୃତ ପରିଚାଳନା ବ୍ୟବସ୍ଥା)ରେ ରାଜ୍ୟର ଚିହ୍ନଟ ହୋଇଥିବା ୨୩ଟି ପ୍ରାଥମିକତା କ୍ଷେତ୍ର ଅନୁଯାୟୀ ବିଭାଗଭିତ୍ତିକ ପଦକ୍ଷେପ ସମ୍ପର୍କରେ ବ୍ୟବସ୍ଥାଗତ ନିୟନ୍ତ୍ରଣ ଉପରେ ହୋଇଥିବା ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ ।
ଅନୁଷ୍ଠିତ ବୈଠକରେ କ୍ୟାବିନେଟ୍ ସଚିବାଳୟ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ତଥା ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନ(ଏନଇଜିଡି) ଦ୍ୱାରା ଡିଜାଇନ୍ କରାଯାଇଥିବା ଏମ୍ଆଇଏସ୍-ସକ୍ଷମ ନିୟନ୍ତ୍ରଣ ପୋର୍ଟାଲର ଲାଇଭ୍ ଡେମୋ ଉପସ୍ଥାପନ କରାଯାଇଥିଲା, ଯାହା କମ୍ପ୍ଲିଆନ୍ସ ରିଡକ୍ସନ ଏବଂ ଡିରେଗୁଲେସନ ପାଇଁ ଏକ ତଦାରଖ ଏବଂ ମୂଲ୍ୟାୟନ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ଏବଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ସେଲ୍ ଏବଂ ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବାଳୟର ଟାସ୍କ ଫୋର୍ସ ସଦସ୍ୟମାନଙ୍କ ମଧ୍ୟରେ ଏକ ଇଣ୍ଟରଆକ୍ଟିଭ୍ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବ । ଏଥିରେ ମୁଖ୍ୟ ଶାସନ ସଚିବ ବା ରାଜ୍ୟ ନୋଡାଲ ଅଫିସର (ଏସଏନଓ)ଙ୍କ ପାଇଁ ଡ୍ୟାସବୋର୍ଡ, ପ୍ରାଥମିକତା କ୍ଷେତ୍ର ଆଧାରରେ ଉପଭୋକ୍ତା ପରିଚାଳନା, ରହିଥିବା କାର୍ଯ୍ୟ ଅନୁଧ୍ୟାନ ସହ ପ୍ରାଥମିକତା କ୍ଷେତ୍ରଭିତ୍ତିରେ କାର୍ଯ୍ୟ ଦାଖଲ, ଅପଲୋଡ୍ ଏବଂ ଅନୁମୋଦନ ବ୍ୟବସ୍ଥା, ପ୍ରତ୍ୟେକ ପ୍ରାଥମିକତା ଏବଂ ଉପ-ପ୍ରାଥମିକତା କ୍ଷେତ୍ର ପାଇଁ ସ୍ଥିତି ଟ୍ରାକିଂ, ରାଜ୍ୟଗୁଡିକ ଦ୍ୱାରା ସର୍ବୋତ୍ତମ ଅଭ୍ୟାସ ଅପଲୋଡ୍ ଏବଂ ବହୁ-ଉପଭୋକ୍ତା ଲଗ୍ ଇନ୍ ସୃଷ୍ଟି ଏବଂ ପରିଚାଳନା ଅନ୍ତର୍ଭୁକ୍ତ । ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ବା ରାଜ୍ୟ ନୋଡାଲ ଅଫିସରମାନଙ୍କୁ ଏଥି ନିମନ୍ତେ ଦାୟିତ୍ୱ ପ୍ରଦାନ, ବିଭାଗୀୟ ଉପସ୍ଥାପନାକୁ ଅନୁମୋଦନ କରିବା ଏବଂ ଟାସ୍କ ଫୋର୍ସ ସଦସ୍ୟଙ୍କ ବିଚାର ପାଇଁ ପଠାଇବାର ଅଧିକାର ଦିଆଯାଇଛି ।
ନିୟନ୍ତ୍ରଣ ସଂସ୍କାରର କାର୍ଯ୍ୟକାରିତାର ସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଏକ ଆଭ୍ୟନ୍ତରୀଣ ସମନ୍ୱୟ ବ୍ୟବସ୍ଥା ସ୍ଥାପନ କରିଛନ୍ତି । ରାଜ୍ୟରେ ୧୫ ଫେବୃଆରୀ ୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏହା ପରେ ୧୯ ମାର୍ଚ୍ଚ ୨୦୨୫ରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର କ୍ୟାବିନେଟ ସଚିବାଳୟ ଟାସ୍କଫୋର୍ସ ସଦସ୍ୟ ଶ୍ରୀ ସନ୍ଦୀପ ପୁଣ୍ଡରିକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୫ ମାର୍ଚ୍ଚ ୧୭ ତାରିଖରେ ଶିଳ୍ପ ବିଭାଗର ସମସ୍ତ ସଂପୃକ୍ତ ବିଭାଗକୁ ଓଡ଼ିଶା ପାଇଁ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ବୈଠକଗୁଡ଼ିକ କାର୍ଯ୍ୟକ୍ଷମ ସଂସ୍କାର ଚିହ୍ନଟ କରିବା ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ଦାୟିତ୍ୱ ହସ୍ତାନ୍ତର କରିବାରେ ସକ୍ଷମ ହୋଇଥିଲା ।
ପୋର୍ଟାଲ ପ୍ରଦର୍ଶନ ପରେ ପୂର୍ବ ବୈଠକରେ ଚିହ୍ନଟ ହୋଇଥିବା ସଂସ୍କାରକୁ କାର୍ଯ୍ୟକାରୀ କରିବା ଏବଂ ନିର୍ଦ୍ଧାରିତ ପ୍ରାଥମିକତା କ୍ଷେତ୍ର ମଧ୍ୟରେ ଅତିରିକ୍ତ ସଂସ୍କାର ଚିହ୍ନଟ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲର କାର୍ଯ୍ୟକାରିତା ବିଷୟରେ ଜାଣିବା ପାଇଁ ଏହାର ବ୍ୟବହାର କରିବା ଆରମ୍ଭ କରିବାକୁ ଏବଂ ନିର୍ଦ୍ଧାରିତ ଫର୍ମାଟରେ ସଂସ୍କାର ଦାଖଲ ପାଇଁ ପ୍ରସ୍ତୁତି କରିବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।
ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ପଦକ୍ଷେପକୁ ସଫଳ କରିବା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗର ସହଯୋଗ ଓ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାର୍ଟିଫିକେସନ୍ କୁ ସରଳ କରିବା ଏବଂ ଅନୁପାଳନ ବୋଝ ହ୍ରାସ କରିବା ଦ୍ୱାରା ବ୍ୟବସାୟ କରିବାର ସହଜତାରେ ଉନ୍ନତି ଆସିବ ଏବଂ ଉଦ୍ୟୋଗ ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଏହି ପ୍ଲାଟଫର୍ମର ଉପଯୋଗ କରିବା ଏବଂ ନିୟନ୍ତ୍ରଣ ଏବଂ ବ୍ୟବସାୟକୁ ସହଜ କରିବା ପାଇଁ ଓଡ଼ିଶାର ସର୍ବୋତ୍ତମ ଅଭ୍ୟାସ ଏବଂ ସକ୍ରିୟ ଆଭିମୁଖ୍ୟକୁ ପ୍ରଦର୍ଶିତ କରିବାର ଗୁରୁତ୍ୱକୁ ସେ ଦୋହରାଇଥିଲେ ।
ଓଡ଼ିଶାର ସରକାରଙ୍କ ତରଫରୁ ବୈଠକରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ପିସିସିଏଫ୍ (କେନ୍ଦୁପତ୍ର ) ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀମତୀ ଉମା ନନ୍ଦୁରି, ଅଗ୍ନିଶମ ସେବା ଡିଆଇଜି ଶ୍ରୀ ଉମାଶଙ୍କର ଦାଶ ଓ ଇପିକଲର ଅଧିକାରୀ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Post a Comment