ଭୁବନେଶ୍ୱର, ୨୩ ଏପ୍ରିଲ୍ ୨୦୨୫
ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପୀର ବଜାର ଶାଖା, କଟକ ଦ୍ୱାରା ତା.୨୩.୦୪.୨୦୨୫ରିଖରେ ଏସ୍ଏଚ୍ଜି ବ୍ୟାଙ୍କ ସଂଯୋଗୀକରଣ ନିମନ୍ତେ ଭୈରପୁରସ୍ଥିତ ମା ଭଗବତୀ ମଣ୍ଡପଠାରେ ଟାଙ୍ଗି-ସାଲିପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉପସ୍ଥିତିରେ ଏକ ମେଗା ଋଣ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ବେହେରା ଗ୍ରାମ୍ୟ ଏବଂ ଅର୍ଦ୍ଧସହରାଞ୍ଚଳରେ ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ନିଷ୍ପତ୍ତି ଏବଂ ଜୀବିକା ଉପରେ ନିୟନ୍ତ୍ରଣ ରଖିବା ପାଇଁ ମହିଳା ସଶକ୍ତିକରଣରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବିତ୍ତୀୟ ସହାୟତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆର୍ଥିକ ଅନ୍ତର୍ଭୁକ୍ତିକରଣର ପ୍ରୋତ୍ସାହନ ଏବଂ ଦାରିଦ୍ର୍ୟ ଦୂରୀକରଣ ଏସ୍ଏଚ୍ଜି ବ୍ୟାଙ୍କ ସଂଯୋଗୀକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ସମାଜର ଉନ୍ନତି ଏବଂ ସାମଗ୍ରିକ ବିକାଶରେ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ବିଭିନ୍ନ ନାରୀ କୈନ୍ଦ୍ରିକ ଯୋଜନା ନିମନ୍ତେ ନିରନ୍ତର ପ୍ରୟାସ ପାଇଁ ବ୍ୟାଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨.୫ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର, ପୀର ବଜାର ଶାଖାର ଶାଖା ମୁଖ୍ୟ ସନ୍ତୋଷ କୁମାର ଦାସଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Post a Comment