ଭୁବନେଶ୍ୱର, ୨୪ ଏପ୍ରିଲ୍ ୨୦୨୫
- ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନ ପକ୍ଷରୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବିଶିଷ୍ଠ ବ୍ୟକ୍ତିଙ୍କ ମତ ପ୍ରକାଶ
- ଓଡ଼ିଶାରେ ପଞ୍ଚାୟତ ବ୍ୟବସ୍ଥାକୁ ସୁସଂଘଟିତ କରିବାପାଇଁ ଆସନ୍ତା ମେ ୧୧ ତାରିଖରେ ହେବ ରାଜ୍ୟସ୍ତରୀୟ କର୍ମଶାଳା
- ଜୁନ ମାସରେ ହେବ ପଞ୍ଚାୟତ ପ୍ରତିନିଧି ମାନଙ୍କ ସମାବେଶ
ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ସଭାର ପ୍ରାରମ୍ଭରେ କାଶ୍ମୀରର ପହେଲଗାଁ ଠାରେ ଆତଙ୍କବାଦୀ ମାନଙ୍କ ଗୁଳିରେ ନିହତ ନିରୀହ ପର୍ଯ୍ୟଟକ ଓ ବିଶେଷକରି ଓଡ଼ିଶାର ପ୍ରଶାନ୍ତ ଶତପଥିଙ୍କ ମୃତୁୃକୁ ନେଇ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ଓ ଏକ ମିନିଟ ନିରବତା ପାଳନ କରାଯାଇଥିଲା। ଏହି ସମାରୋହକୁ ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅମିୟ ଭୂଷଣ ତ୍ରିପାଠୀ ଉଦ୍ଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଳାରୁ ପ୍ରତିନିଧି ମାନଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମହାସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅବସରରେ ଦୁଇଟି ପ୍ରସଙ୍ଗକୁ ନେଇ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।
“ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ଓ ପଞ୍ଚାୟତିରାଜ” ବିଷୟ ବସ୍ତୁ ଉପରେ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ବିଶିଷ୍ଟ ଲେଖକ ଶ୍ରୀ ଦାଶ ବେନହୁର କହିଲେ ଯେ ପଞ୍ଚାୟତ ବ୍ୟବସ୍ଥା ଭାରତୀୟ ସାମାଜିକ ଓ ରାଜନୈତିକ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ଗାନ୍ଧୀଜୀଙ୍କ ଗ୍ରମା ସ୍ୱରାଜ ତାକୁ ଏକ ଦିଶା ଦେଖାଇଥିବା ବେଳେ ରାଜୀବ ଗାନ୍ଧୀ ତାକୁ ଅଧିକ ବ୍ୟବସ୍ଥିତ କରିଥିଲେ। ସମ୍ବାଧନର ୭୩ ତମ ସଂଶୋଧନ ଆଇନଥିଲା ଦେଶର କ୍ଷମତା ବିକେନ୍ଦ୍ରୀକରଣର ଏକ ବୈପ୍ଳବିକ ପଦକ୍ଷେପ। ମାତ୍ର ତାହା ଆଜି ଅମଲାତନ୍ତ୍ରର କବଳରେ କବଳିତ। ସେଥିରୁ ପଞ୍ଚାୟତ ବ୍ୟବସ୍ଥାକୁ ମୁକ୍ତ ନକେଲ ଗାଁର ବିକାଶ ସମ୍ଭବ ନୁହଁ। ଅନ୍ୟତମ ବକ୍ତା ଭାବରେ ଯୋଗଦେଇ ଓଡ଼ିଶାର ପୂର୍ବତନ ନିର୍ବାଚନ କମିଶନର ଶ୍ରୀ ସଞ୍ଜିବ ହୋତା କହିଲେ ଯେ ଗ୍ରାମସଭା ଓ ପଲ୍ଳୀ ସଭାକୁ ସମ୍ବିଧାନ ଯେଉଁ ଅଧିକାର ଦେଇଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ଜନ ଆନ୍ଦୋଳନର ଆବଶ୍ୟକତା ରହିଚି। ଡକ୍ତର ଅରବିନ୍ଦ ବେହେରା ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ ସମୟରେ ରାଜୀବ ଗାନ୍ଧୀଙ୍କ ସହିତ ତାଙ୍କର ଆଳାପ ଆଲୋଚନାକୁ ସ୍ମୃତି ଚାରଣ କରିବା ସହିତ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ କୁନାଲ ବାନାର୍ଜୀ, ବିଶିଷ୍ଟ ନାରୀନେତ୍ରୀ ସସ୍ମିତା ବେହେରା ପ୍ରମୁଖ ଏହି ଅଧିବେଶନରେ ବକ୍ତବ୍ୟ ରଖିଥିଲେ। ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ।
“ପଞ୍ଚାୟତିରାଜ ବନାମ ବାବୁ ରକ୍ଷଜ” ଶୀର୍ଷକ ବିଷୟ ବସ୍ତୁ ଉପରେ ଅନୁଷ୍ଠିତ ଆଲୋଚନାରେ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଆଲୋଚକ ଭାବରେ ରମାଦେବୀ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଡ. ମାନସ ବେହେରା ଯୋଗଦେଇ ରାଜ୍ୟଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର ସାୟତ୍ତ ଶାସନ ବ୍ୟବସ୍ଥା କିପରି ଅମଲାତନ୍ତ୍ରର କବଳିତ ହୋଇଛି ତାର ଅବତାରଣା କରିଥିଲେ ଏବଂ ଏଥିରୁ ମୁକ୍ତ ନହେଲେ ବାସ୍ତବ ବିକାଶ ସମ୍ଭବ ହେବ ନାହିଁ ବୋଲି ସତର୍କ କରାଇଥିଲେ।
ଏହି ଅଧିବେଶନରେ ସମିତି ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ ପଣ୍ଡା, ପଞ୍ଚାୟତ ବ୍ୟବସ୍ଥାର ଗବେଷକ ସନ୍ଦୀପ ପଟ୍ଟନାୟକ, ସାମାଜିକ କର୍ମୀ ପ୍ରଦୀପ ସାହୁ, ଜବା ଟୁଡୁ, ସରପଞ୍ଚ ମହାସଂଘ ତରଫରୁ ଶ୍ରୀ ବିଦୁଦ୍ୟୋତି ମହାନ୍ତି, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଉଦଯାପନୀ ଉତ୍ସବର ମୁକ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଞ୍ଚାୟତିରାଜ ବ୍ୟବସ୍ଥାର ସୁଧାର ପାଇଁ ଏକ ବ୍ୟାପକ ପ୍ରୟାସ ଆବଶ୍ୟକ ବୋଲି କହିବା ସହିତ ରାଜ୍ୟର ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଏକ ସମାବେଶ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅଧିବେଶନରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ଡ. ବିନାୟକ ରଥ ଅତିଥି ଭାବରେ ଯୋଗଦେଇଥିଲେ।
ଓର୍ବସମ୍ମତି କ୍ରମେ ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାର ସୁଧାର ଆଣିବା, ଅମଲାତନ୍ତ୍ର କବଳରୁ ପଞ୍ଚାୟତ ବ୍ୟବସ୍ଥାକୁ ମୁକ୍ତ କରିବା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ଅଧିକାରକୁ ସାବ୍ୟସ୍ଥ କରିବା ପାଇଁ ମେ ୧୧ ତାରିଖରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରିବା ସହିତ ଆସନ୍ତା ଜୁନ ମାସନରେ ଏକ ପଞ୍ଚାୟତ ପ୍ରତିନିଧି ସମାବେଶ କରିବାପାଇଁ ଆହ୍ୱାନ ଦିଆଯାଇଛି।
ଅଧିବେଶନ ଶେଷରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଆସିଥିବା ସ୍ଥାନୀୟ ଜନ ପ୍ରତିନିଧି ଯଥା ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, କାଉନସିଲର ଇତ୍ୟାଦି ମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକମ୍ରକୁ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପ୍ରଧାନ, ରୂପକ ତୁରୁକ, ନିରଞ୍ଜନ ଲେଙ୍କା, ପ୍ରତାପ ପ୍ରଧାନ, ମନୋଜ ସାହୁ, ଡ. ମନୀଷା ଦାସ ପଟ୍ଟନାୟକ, ନିରୁପମା ପାତ୍ର, ସରୋଜ ବଳ, ପ୍ରଦ୍ୟୁମ୍ନ ଦାସ, ସୁଭାଷ ପ୍ରଧାନ, ଅକ୍ଷୟ ଜେନା ପ୍ରମୁଖ ପରିଚାଳନା କରିଥିଲେ।
.jpeg)
Post a Comment