loading...

କିଟ୍‌ରେ ୧୬ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର, ୦୯ ମଇ ୨୦୨୫




  • ମୋଟ ପୁରସ୍କାର ରାଶି ୬୦ ଲକ୍ଷ
  • ୪୨ଟି ଦେଶର ୧୨୦୦ + ଖେଳାଳିଙ୍କ ଯୋଗଦାନ

ସର୍ବ ଭାରତୀୟ ଚେସ୍ ଫେଡେରେସନ (ଏଆଇସିଏଫ) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଭାରତୀୟ ଟେନିସ୍ ତାରକା, ଅଲିମ୍ପିଆନ୍ ଏବଂ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ବିଜେତା ଲିଆଣ୍ଡର ପେସ୍ କହିଲେ, ଶିକ୍ଷା ଏବଂ କ୍ରୀଡ଼ା ଶିକ୍ଷା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୋଣ ଅନନ୍ୟ। କିଟ୍ ଓ କିସ୍‌ର କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ ଅତି ଉତ୍କୃଷ୍ଟ । ଭାରତରେ କ୍ରୀଡ଼ା କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। କ୍ରୀଡ଼ାରେ କିଟ୍ ଓ କିସ୍‌କୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ କିଟ୍ ଓ କିସ୍ ର କ୍ରୀଡ଼ାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବା ତାଙ୍କର ଦାୟିତ୍ୱ ବୋଲି  ଲିଆଣ୍ଡର ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟତମ ଅତିଥି ମହାରାଷ୍ଟ୍ରର ପୁନେସ୍ଥିତ ଚେସ୍ ଇନ୍ ସ୍କୁଲ (ଫିଡେ)ର କମିଶନର ତଥା ଜିଏମ ଅଭିଜିତ କୁନ୍ତେ, ଶ୍ରୀ ସାମନ୍ତଙ୍କୁ ତାଙ୍କର ଦୃଷ୍ଟିକୋଣ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଲେ ଭାରତର ପୂର୍ବ ଭାଗରେ ଏକ ଅନ୍ତର୍ଜାତୀୟ ଚେସ୍ ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ରହିବ ବୋଲି ୧୬ ବର୍ଷ ପୂର୍ବେ, ଅଚ୍ୟୁତ ସାମନ୍ତ ଚିନ୍ତା କରିପାରିଥିଲେ। ଏଭଳି ଅନ୍ତର୍ଜାତୀୟ ଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଏକ ସହଜ କାମ ନୁହେଁ। ମାତ୍ର ଦୀର୍ଘ ୧୫ ବର୍ଷ ଧରି ନିରନ୍ତର ଏହି ଟୁର୍ଣ୍ଣାମେଣ୍ଟ କିଟ୍‌ରେ ଆୟୋଜନ କରାଯାଇଆସୁଥିବାରୁ ଶ୍ରୀ ସମନ୍ତଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ଏହି ଅବସରରେ ଏଆଇସିଏଫର ପୂର୍ବତନ ଉପାଧ୍ୟକ୍ଷ ଭବେଶ ଭାଇ ପଟେଲ କହିଲେ, ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକ ପାଣ୍ଠି, ବିପୁଳ ଭିତ୍ତିଭୂମି ସହ ଆୟୋଜକଙ୍କ ଏକ ବିଶାଳ ହୃଦୟ ରହିବା ଆବଶ୍ୟକ। ଅଚ୍ୟୁତ ସାମନ୍ତଙ୍କଠାରେ ସେଭଳି ସାହସ ଓ ଇଚ୍ଛା ଶକ୍ତି ରହିଥିବା ସେ ପ୍ରକାଶ କରିଥିଲେ। ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କେବଳ ଓଡ଼ିଶାର ନୁହେଁ ଭାରତର ମଧ୍ୟ ଗର୍ବ ବୋଲି ସେ କହିଥିଲେ।

ସଭାପତିତ୍ୱ ଭାଷଣରେ ଶ୍ରୀ ସାମନ୍ତ କହିଲେ, ଚେସରେ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ କିଟ୍ ଓ କିସ୍‌ର  ଉଲ୍ଲେଖନୀୟ ଅବଦାନ ରହିଛି। କିଟ୍ ଓ କିସ୍ ସର୍ବଦା କ୍ରୀଡ଼ା ଏବଂ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଆସୁଛି। କିଟ୍ ଓ କିସ୍ ଭାରତର ଏକମାତ୍ର ଅନୁଷ୍ଠାନ ଯେଉଁଠି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ସର୍ବୋତ୍ତମ ତାଲିମ ସୁବିଧା ରହିଛି। ଆଗାମୀ ବର୍ଷରେ ଏହାର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ।

୧୬ତମ କିଟ୍ ଆନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ଭାରତ ସମେତ ୪୨ଟି ଦେଶର ଅନ୍ତର୍ଜାତୀୟ ଆର୍ବିଟର, ଅନ୍ତର୍ଜାତୀୟ ମାଷ୍ଟର ଏବଂ ଗ୍ରାଣ୍ଡମାଷ୍ଟର ସମେତ ୧୨ଶହ ଖେଳାଳି ଅଂଶଗ୍ରହଣ କରିଛନ୍ତି। କୌଣସି ଅନ୍ତର୍ଜାତୀୟ ଚେସ୍‍ ଟୁର୍ଣ୍ଣାମେଣ୍ଟରେ ୪୨ ଦେଶର ଖେଳାଳି ଯୋଗଦେବା ପ୍ରଥମ । ମୋଟ ପୁରସ୍କାର ରାଶି ରହିଛି ୬୦ ଲକ୍ଷ। ଏହା ଭାରତରେ କୌଣସି ଚେସ୍ ଇଭେଣ୍ଟରେ ପ୍ରଦାନ କରାଯାଇଥିବା ଦ୍ୱିତୀୟ ସର୍ବାଧିକ ପୁରସ୍କାର ରାଶି। ମୋଟ ୪୩୬ଟି ପୁରସ୍କାର ତିନୋଟି ବର୍ଗରେ ବଣ୍ଟନ କରାଯିବ। ‘ଏ’ ବର୍ଗରେ ମୋଟ ୩୦ଲକ୍ଷ ଟଙ୍କା,୧୯୦୦ରୁ କମ୍‍ ରେଟେଡ଼୍‍ ଥିବା ‘ବି’ ବର୍ଗ ପାଇଁ ୧୫ଲକ୍ଷ ଏବଂ ୧୭୦୦ରୁ କମ୍‍ ରେଟେଡ଼୍‍ ଥିବା ‘ସି’ ବର୍ଗର ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। 

କାର୍ଯ୍ୟକ୍ରମରେ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ତଥା ଆଇଏମ୍ ଶେଖର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଆଇସିଏଫ୍ ଇଭେଣ୍ଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଚେସ୍ ଆସୋସିଏସନର ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget