loading...

ଏକାଠି ହେଲେ ଦୁଗ୍ଧଚାଷୀ : ଦୁଗ୍ଧ ଦର ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅଭିନନ୍ଦନ, ଓମ୍‌ଫେଡ୍‌କୁ ଦୁର୍ନୀତିମୁକ୍ତ କରିବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର,  ଜୁନ ୨୦୨୫



ଦୁଗ୍ଧ ଲିଟର ପିଛା ୩ଟଙ୍କା ଦରବୃଦ୍ଧି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଗୁଁ ଚାଷୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳର ଚାଷୀ ନେତାମାନେ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇବା ସଂଗେସଂଗେ ଓମ୍‌ଫେଡକୁ ଦୁର୍ନୀତିମୁକ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ଚାଷୀନେତାମାନେ ନିଜର ମତବ୍ୟକ୍ତ କରି କହିଛନ୍ତି ଯେ, ଚାଷୀମାନଙ୍କର ସଂଗଠନ ଭାବରେ ଓମ୍‌ଫେଡ୍ ବେଶ୍ କିଛିଦିନ ଧରି ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଥିଲା । କିନ୍ତୁ କିଛି ଦୁର୍ନୀତିଗସ୍ତ କର୍ମଚାରୀ ଓ ଓମ୍‌ଫେଡ୍‌ର ପୂର୍ବ ଅଧ୍ୟକ୍ଷମାନଙ୍କର ମନମାନି, ପ୍ରିୟାପ୍ରୀତିତୋଷଣ ଓ ଦୁର୍ନୀତି ଯୋଗୁଁ ଓମଫେଡ୍ ଆଜି ଡୁବିଯିବା ସ୍ଥିତିକୁ ଚାଲିଆସିଛି । ଗ୍ରାମାଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏବଂ ଦାଦନ ଚାଲାଣ ରୋକିବାରେ ଓମ୍‌ଫେଡର ଏକ ବଳିଷ୍ଠ ଭୂମିକା ଥିଲା । ୧୯୮୦ ଦଶକରେ ‘ଅମୁଲ୍‌’ ଢାଞ୍ଚାରେ ସରକାର ଓମ୍‌ପେଡ୍ ଗଠନ କରିଥିଲେ । ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ଥିଲା ଦୁଗ୍ଧର ଅଭାବୀ ବିକ୍ରିକୁ ବନ୍ଦ କରିବା, ଖାଉଟିଙ୍କୁ ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇଦେବା ଏବଂ ସର୍ବୋପରି ଦୁଗ୍ଧ ଅର୍ଥନୀତି ଉପରେ ନିର୍ଭର କରୁଥିବା ଗ୍ରାମାଞ୍ଚଳର ଗରିବ ନିମ୍ନ ମଧ୍ୟବିତ୍ତ ପରିବାରର ଅର୍ଥନୀତିକୁ ସଶକ୍ତ ଓ ଚଳଚଞ୍ଚଳ କରିବା ଓ ଗ୍ରାମ୍ୟ ମହିଳାଙ୍କୁ ରୋଜଗାର ଦେଇ ସେମାନଙ୍କୁ ସଶକ୍ତ କରିବା । ରାଜ୍ୟର ବିଭିନ୍ନ ବ୍ଲକରେ ଦୁଗ୍ଧ ସମବାୟ ସମିତି ଗଠନ କରାଯାଇ କ୍ଷୀର ସଂଗ୍ରହ କରାଯିବା ସହିତ ଏହାକୁ ସହରରେ ବିକ୍ରି କରିବା ପାଇଁ ଓମ୍‌ଫେଡ୍ ଜରିଆରେ ବ୍ୟବସ୍ଥା କରାଯାଇଥିଲା । ଯେଉଁ ଚାଷୀମାନେ ଓମ୍‌ଫେଡ୍ ଜରିଆରେ ଦୁଗ୍ଧ ବିକ୍ରି କରୁଥିଲେ ବା ଦୁଗ୍ଧ ସମବାୟ ସମିତିର ସଭ୍ୟ ହୋଇଥିଲେ ସେମାନଙ୍କୁ ଉନ୍ନତ ଗୋସେବା ଯୋଗାଇଦେବା ସହିତ ଡାଏରୀ ଲୋନ୍ ଦେବା ଓ ଶସ୍ତା ଓ ସୁଲଭ ମୂଲ୍ୟରେ ଗୋ-ଖାଦ୍ୟ ଓ ଗୋ-ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସମବାୟ ଜରିଆରେ ଏହି ଆନ୍ଦୋଳନରେ ସାମିଲ୍ କରାଯାଇ ଏହାକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଗଲା । କାରଣ ଗ୍ରାମାଞ୍ଚଳର ଅଧିକାଂଶ ମହିଳା ଓ ଅର୍ଦ୍ଧଶିିକ୍ଷିତ ଯୁବକ ଯୁବତୀମାନେ ଦୁଗ୍ଧ ଉତ୍ପାଦନ କରି ନିଜର ଦୈନନ୍ଦିନର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ସେହିମାନଙ୍କ ଅଣ୍ଟାକୁ ଦୁଇ ପଇସା ଦେବା ଲକ୍ଷ୍ୟରେ ସରକାର ଦୁଗ୍ଧ ଉତ୍ପାଦନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ର ଲକ୍ଷ୍ୟ ନେଇ ଗୁଜୁରାଟ ସମବାୟ ଢାଞ୍ଚାରେ ରାଜ୍ୟର ୧୧ ଲକ୍ଷ ଦୁଗ୍ଧଚାଷୀ ପରିବାରକୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଓମଫେଡ୍ ମଧ୍ୟ ବେଶ୍ ସକ୍ରୀୟତାର ସହିତ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଇଥିଲା । ଦିନକୁ ହାରାହାରି ୬ଲକ୍ଷ ୩୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଇ ସହର ଓ ବଜାରରେ ବିକ୍ରି କରାଯାଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଓମ୍‌ଫେଡ୍ ତରଫରୁ ପନିର, ଘିଅ, ଦହି, ରାବିଡି ଓ ଛେନା ପ୍ରଭୃତି ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରି ଏହି ବ୍ୟବସାୟକୁ ସମ୍ପ୍ରସାରିତ କରାଗଲା । କିନ୍ତୁ ଦୁଃଖର କଥା ଚାଷୀମାନଙ୍କୁ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ଦେବାପାଇଁ ନା ସରକାର, ନା ଓମ୍‌ଫେଡ୍ କୌଣସି ପଦକ୍ଷେପ ଗ୍ରହଣ କଲେ । ଫଳରେ ରାଜ୍ୟର ୧୫ ଲକ୍ଷ ଦୁଗ୍ଧଚାଷୀଙ୍କର ଅର୍ଥନୀତିରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେଲାନାହିଁ । ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଏହାକୁ ନେଇ ଅତୀତରେ ସରକାରଙ୍କ ପାଖରେ ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କଲେନାହିଁ । କିନ୍ତୁ ବର୍ତ୍ତମାନର ସରକାର ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେଇ ଗତକାଲି କ୍ଷୀର ଲିଟର ପିଛା ୩ ଟଙ୍କା ଦର ବୃଦ୍ଧି କରିବାକୁ ଯେଉଁ ପଦକ୍ଷେପ ନେଇଛନ୍ତି, ତାହାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସ୍ୱାଗତ କରିବା ସଂଗେସଂଗେ ଏହି ଦୁଗ୍ଧଚାଷୀ ନେତାମାନେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଓମ୍‌ଫେଡ୍‌ରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ଅର୍ଥନୈତିକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଓ ସ୍ପେସିଆଲ୍ ଅଡିଟ୍ କରିବା ସହିତ ଏହାକୁ ଏକ ଦୁର୍ନୀତିମୁକ୍ତ ସଂସ୍ଥାରେ ପରିଣତ କରି ଚାଷୀଙ୍କର ଅର୍ଥନୈତିକ ପ୍ରଗତିର ସାରଥୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଏହି ଚାଷୀନେତାମାନେ ଦାବି କରିଛନ୍ତି । ରାଜ୍ୟରେ ମିଲ୍କ ମୁଁ, ପ୍ରଗତି, ଓଡ଼ିଶା ଡାଏରୀ, ହେରିଟେଜ୍ ଡାଏରୀ ଓ ଅମୁଲ୍ ଭଳି ସଂସ୍ଥାମାନେ ବ୍ୟାପକ ଅପମିଶ୍ରିତ ଓ ନିମ୍ନମାନର କ୍ଷୀର, ଦହି, ଛେନା, ପନିର ଓ ଖୁଆ ଆଦି ବିକ୍ରୟ କରି ଚାଷୀମାନଙ୍କଠାରୁ ନିମ୍ନମାନର କ୍ଷୀର ନେଇ ଅଧିକ ପଇସା ଦେଉଛନ୍ତି । ଫଳରେ ଓମଫେଡ୍ ଠାରୁ ଚାଷୀମାନେ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ଏହି ଦରବୃଦ୍ଧି କେତେକାଂଶରେ ଚାଷୀମାନଙ୍କୁ ଆଶ୍ୱସ୍ତ କରିଛି ଏବଂ ଓମ୍‌ଫେଡ୍ ଦୁର୍ନୀତିମୁକ୍ତ ହେଲେ ଏବଂ ନିମ୍ନମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରୁଥିବା ଘରୋଇ କମ୍ପାନୀମାନଙ୍କ ଉପରେ ସରକାର ଓ ଖାଦ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଗଲେ, ସେମାନେ ବାଧ୍ୟହୋଇ ଗୁଣବତ୍ତା ବଜାୟ ରଖିବା ପାଇଁ ପଦକ୍ଷେପ ନେବେ ଏବଂ ଓମ୍‌ଫେଡ୍ ଏହାଦ୍ୱାରା ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଖାଉଟିମାନଙ୍କୁ ଯୋଗାଇ ଦେବାରେ ସମର୍ଥ ହୋଇପାରିବ । ଏହି ବୈଠକରେ ଶ୍ରୀ ବେହେରାଙ୍କ ସମେତ ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, ଜଗତ୍‌ସିଂହପୁର ଜିଲ୍ଲା ସଭାପତି ଗୌରାଙ୍ଗ ରାଉତ, କଟକ ଜିଲ୍ଲା ସଭାପତି ତାପସ ମହାନ୍ତି, ଦୁଗ୍ଧଚାଷୀ ଦିଲ୍ଲୀପ ଲେଙ୍କା, ସନାତନ ବେହେରା, ପ୍ରତାପ ଶାସମଲ, ଧ୍ରୁବଚରଣ ପରିଡ଼ା, ସାରଦା ପ୍ରସାଦ ନାୟକ, ରଜନୀକାନ୍ତ ଚଇନୀ, ନାରୀନେତ୍ରୀ ସ୍ୱୟଂପ୍ରଭା ସାହୁ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଗୋଖାଦ୍ୟର ଦରବୃଦ୍ଧି ନିୟନ୍ତ୍ରଣ କରିବା ଓ ଗାଈ ଗୋରୁଙ୍କୁ ଉନ୍ନତମାନର ଔଷଧ ଓ ଇଂଜେକସନ୍ ମାଗଣାରେ ଯୋଗାଇ ଦେବାକୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget