loading...

ଭାରତୀୟ ରେଡକ୍ରସ ସୋସାଇଟି ରାଜ୍ୟ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୫





ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଯୁବ ଗୋଷ୍ଠୀ ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ରାଜ୍ୟପାଳ-ତଥା-ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅଧ୍ୟକ୍ଷ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ଅଗଷ୍ଟ ୧୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ କାର୍ଯ୍ୟ ନିର୍ବାହୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଅବସରରେ ବର୍ଷକୁ ୨ ରୁ ୩ ଥର ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ଏ ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ରକ୍ତଦାନ ଅଭିଯାନରେ ସାମିଲ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ କହିଥିଲେ । ନିଜ ଉଦ୍‌ବୋଧନରେ ରାଜ୍ୟପାଳ କହିଥିଲେ ଯେ ରକ୍ତଦାନ କରି କିପରି ଅନ୍ୟର ଜୀବନ ରକ୍ଷା କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ରକ୍ତ ଦାନ ସଂପର୍କରେ ଏବେବି ଲୋକଙ୍କ ମନରେ ଭୁଲ ଧାରଣା ରହିଛି। ବ୍ୟାପକ ସଚେତନତା ସୃଷ୍ଟି ମାଧ୍ୟମରେ ଏପରି ଭ୍ରାନ୍ତ ଧାରଣା ଦୂର କରାଯାଇ ପାରିବ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟରେ ଥାଲାସେମିଆ ଓ ସିକିଲ୍ ସେଲ ରୋଗର ସ୍ଥିତି ସଂର୍ପକରେ ସମୀକ୍ଷା କରି ରୋଗୀମାନଙ୍କୁ ସହଜରେ ରକ୍ତ ଉପଲବ୍‌ଧ କରିବା ପାଇଁ ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ। ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ ଝିଅ ଓ ମହିଳାମାନଙ୍କ ମଧ୍ୟରେ କମ୍ ହିମୋଗ୍ଲୋବିନ ସ୍ତର ରକ୍ତଦାନ ଶିବିରରେ ସେମାନଙ୍କର କମ୍ ଅଂଶ ଗ୍ରହଣ ପଛରେ ପ୍ରମୁଖ କାରଣ ହୋଇଛି। ସ୍କୁଲ ପିଲାମାନଙ୍କ ମଧ୍ୟରେ ଦୃଷ୍ଟି ସମସ୍ୟା ବୃଦ୍ଧି ପାଉଥିବା ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରି ଏହି ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଆହ୍ୱାନ ଜଣାଇଥିଲେ। ଏହି ବୈଠକରେ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର କାର୍ଯ୍ୟାବଳୀ ପାୱାର ପଏଂଟ ପ୍ରେଜେଂଟେସନ୍ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା ।
ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖା ତରଫରୁ ସମୟୋଚିତ ଆର୍ଥିକ ରିପୋର୍ଟ ଦାଖଲ ପାଇଁ ସଂପୃକ୍ତ କର୍ମକର୍ତାଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବକ୍ତବ୍ୟ ପ୍ରଦାନ କରିଥିଲେ।
ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଷ ଚନ୍ଦ୍ର ପାତ୍ର କାର୍ଯ୍ୟସୂଚୀ ଅନୁଯାୟୀ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଂଚାୟତିରାଜ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏତଦ୍‌ବ୍ୟତୀତ ବିଭିନ୍ନ ଜିଲ୍ଲାର ଅଧିକାରୀ ଆଭାସୀ ମାଧ୍ୟମରେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ। 
ସଂଜୀବ ବାରିକ
ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget