loading...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୫




  • ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ପରାମର୍ଶ 
  • ଦୁର୍ନୀତି ରୋକିବା ପାଇଁ ଭିଜିଲାନ୍ସ ପ୍ରଶାସନକୁ ସୁଦୃଢ଼ୀକରଣ କରିବାକୁ ଗୁରୁତ୍ୱାରୋପ
  • ଚିଫ୍ ମିନିଷ୍ଟର୍ସ ଡ୍ୟାସ୍ ବୋର୍ଡ କାର୍ଯ୍ୟକାରୀ ପ୍ରସ୍ତୁତି ସଂପର୍କରେ ଆଲୋଚନା 

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ  ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟାଳୟରେ ଠିକ୍ ସମୟରେ  ଉପସ୍ଥାନ ନ ରହିଲେ କାର୍ଯ୍ୟାନୁଷ୍ଠାନ, ଠିକ୍‌ ଭାବରେ କାର୍ଯ୍ୟ ସମ୍ପାଦନ କରୁନଥିବା ସରକାରୀ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଅବସର ପୂର୍ବରୁ  ଅବସର ଦେବା,  ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂସ୍ଥାଗତ ସୁଦୃଢ଼ୀକରଣ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଉତ୍ତରକୁ ଅଗ୍ରାଧିକାର ଦେବା ସଂପର୍କରେ ଆଲୋଚନା କରାଯାଇଥିଲା  । ଏକ                ୧୫ ଦିନିଆ କାର୍ଯ୍ୟସୂଚୀ ସୂଚିତ କରାଯାଇ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । 
        କର୍ମଚାରୀମାନେ ଠିକ୍‌ ସମୟରେ ଅଫିସରେ ପହଞ୍ଚିବା ପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶ  ଦିଆଯାଇଥିଲା । ଏହାକୁ ନିଶ୍ଚିତ କରିବା ପାଇଁ ସରକାର  କୃତ୍ତିମ ବୁଦ୍ଧିମତ୍ତା(ଏଆଇ)ଭିତ୍ତିକ  ଉପସ୍ଥାନ ଯାଞ୍ଚ ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି ।  ଲୋକସେବା ଭବନ ଓ ଖାରବେଳ ଭବନରୁ ଏହାକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରାଯିବ ଓ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ସବୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବ ।  ଏଥି ପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ପଦକ୍ଷେପ ପାଇଁ  ପରାମର୍ଶ ଦିଆଯାଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ             ଏ ସମ୍ପର୍କରେ ପ୍ରସ୍ତୁତି ନେଇ ଉପସ୍ଥାପନ କରିଥିଲେ । ଯେଉଁ ସରକାରୀ ଅଧିକାରୀ ବା କର୍ମଚାରୀମାନେ କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନ କରୁନାହାନ୍ତି,  ସେମାନଙ୍କୁ ବିଭାଗ ସ୍ତରରେ ମାସିକ ବା ବିଭିନ୍ନ  ସମୟରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ ସମୀକ୍ଷା ହୋଇ ତଥ୍ୟ ରଖାଯିବ । ଏହାପରେ ସରକାରୀ ବ୍ୟବସ୍ଥା ଅନୁସାରେ ଅବସର ପୂର୍ବରୁ ଅବସର ଦେବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ବୈଠକରେ  ଆଲୋଚନା କରାଯାଇଥିଲା । 
କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ନ ରହିବା, ଅଭିଯୋଗ ଶୁଣାଣିରେ ଅପ୍ରଭାବୀ ପ୍ରଦର୍ଶନ, ଦୁର୍ନୀତିକୁ  ଚିହ୍ନଟ  କରିବାରେ ଦୁର୍ବଳ ହାର, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା ନ କରାଯିବା, ଆଦି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରାଯାଇଥିଲା ।  ଏ ସଂପର୍କରେ ସର୍ବଦା ସତର୍କତା  ଓ ସଚେତନ ରହି କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି   ସରକାରୀ  କ୍ରୟ ପ୍ରକ୍ରିୟା, ସେବା ଓ ଦ୍ରବ୍ୟ ବିକ୍ରୟ, ମାନବ ସମ୍ବଳ ପରିଚାଳନା, ଲୋକମାନଙ୍କୁ ସେବା ପ୍ରଦାନ ଏବଂ ପ୍ରବର୍ତ୍ତନ(ଚଢଉ)ରେ ଅନିୟମିତତା ଆଦି ଦୁର୍ନୀତିର ସମ୍ଭାବ୍ୟ କ୍ଷେତ୍ର ବୋଲି ବିବେଚନା କରାଯିବା ସହିତ ଭିଜିଲାନ୍ସ ପ୍ରଶାସନକୁ ସୁଦୃଢ଼ୀକରଣ କରିବାକୁ ବୈଠକରେ ଗୁରୁତ୍ୱ  ଦିଆଯାଇଥିଲା । 
ବିଭିନ୍ନ ବିଭାଗୀୟ କାର୍ଯ୍ୟ ତଦାରଖ ଓ ନିଷ୍ପତ୍ତି  ଗ୍ରହଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିବା ପାଇଁ  ତଥ୍ୟ  ସମ୍ବଳିତ  ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ (ଚିଫ୍ ମିନିଷ୍ଟର୍ସ ଡ୍ୟାସ୍ ବୋର୍ଡ) କାର୍ଯ୍ୟକାରୀ କରାଯିବା ସଂପର୍କରେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ମଂଜୁରୀ ପାଇଁ  ଆବଶ୍ୟକ ଭୂ ଅଧିଗ୍ରହଣ, ପିଏମଜି ଓ ପ୍ରଗତିରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସଂପର୍କରେ  ଜିଲ୍ଲାପାଳମାନେ  ପ୍ରତି ମାସରେ  ୭ ତାରିଖ ସୁଦ୍ଧା ଜିଲ୍ଲାସ୍ତରରେ,  ସଂପୃକ୍ତ ବିଭାଗୀୟ ମୁଖ୍ୟ  ବିଶେଷ କରି ଜଙ୍ଗଲ, ପରିବେଶ ଓ  ଜଳବାୟୁ ପରିବର୍ତ୍ତନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାସର ୧୨ ତାରିଖ ସୁଦ୍ଧା  ସମୀକ୍ଷା ବୈଠକ  କରିବେ ।  ପରବର୍ତ୍ତୀ  ସମୟରେ  ମୁଖ୍ୟ ଶାସନ ସଚିବଙ୍କ  ଅଧ୍ୟକ୍ଷତାରେ ମାସର ଶେଷ ଶନିବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ  । 
ଆଗାମୀ ଅଗଷ୍ଟ  ୨୧ ତାରିଖରେ ଯୋଜନା ଓ ସଂଯୋଜନ ବିଭାଗ  ପକ୍ଷରୁ ‘ବିକଶିତ ଓଡ଼ିଶା- ଭିଜନ- ୨୦୩୬ ଓ ୨୦୪୭’ ପ୍ରମୁଖ ପ୍ରଦର୍ଶନ ସୂଚକ(କେପିଆଇ) ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହେବା  ସଂପର୍କରେ  ଉନ୍ନୟନ କମଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ  ଅକ୍ଟୋବର ୧ ତାରିଖରେ  ଶୁଭାରମ୍ଭ  ହେବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା ।           ସେହିପରି ଅଧିକାରୀମାନଙ୍କର କ୍ଷେତ୍ର ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗସ୍ତ କରି ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି । 
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget