loading...

ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ବନ୍ଦର ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ରାଜ୍ୟପାଳ :ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ:

ଭୁବନେଶ୍ୱର, ୦୪ ସେପ୍ଟେମ୍ବର ୨୦୨୫




ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୪ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା ଅବସରରେ ରାଜ୍ୟପାଳ ଏପରି ଗୁରୁତ୍ୱ ଆରୋପ କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଜାତୀୟ ରାଜପଥ ପ୍ରାଧିକରଣର ରିଜିଓନାଲ ଅଫିସର ବୀରେନ୍ଦ୍ର ସିଂହ, ପୂର୍ବତଟ ରେଳବାଇର ଜି.ଏମ୍‌. ପରମେଶ୍ୱର ଫଙ୍କୱାଲ, ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରର ଏପିଡି ପ୍ରସନ୍ନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ପ୍ରାରମ୍ଭରେ ଉପରୋକ୍ତ ବିଭାଗ ତରଫରୁ ପାୱାର ପଏଂଟ ପ୍ରେଜେଂଟେସନ ମାଧ୍ୟମରେ ବିଭିନ୍ନ ବିଭାଗର ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନା କରି ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରର ସମୀକ୍ଷା କରି ରାଜ୍ୟପାଳ କହିଥିଲେ ଯେ ‘ହେଲି ପୋର୍ଟ’ ସ୍ଥାପନ ଏକ ଭଲ ଚିନ୍ତାଧାରା। ଏହା ଯଦି କାର୍ଯ୍ୟକାରୀ କରାଯାଏ, ତେବେ ଜନସାଧାରଣ ଉପକୃତ ହୋଇପାରିବେ। ପିପିପି ମୋଡରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଦୁଇ ତିନୋଟି ସ୍ଥାନରେ ହେଲି ପୋର୍ଟ ଆରମ୍ଭ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ରାଜ୍ୟରେ ବିମାନ ପରିଚାଳନାକୁ ସହଜ କରିବା ପାଇଁ ରାଜ୍ୟ ମାଲିକାନାରେ ଥିବା ଏୟାରଷ୍ଟ୍ରିପର ରନୱେକୁ ସଂପ୍ରସାରଣ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ଏବଂ ଜନଜାତି ଝିଅମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କ୍ୟାଡେଟ୍ ପାଇଲଟ୍ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିଥିଲେ। ଏତଦ୍‌ବ୍ୟତୀତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପରିଚାଳିତ ହେଉଥିବା ଅନ୍ତର୍ଜାତୀୟ ବିମାନ ଉଡାଣ ସଂପର୍କରେ ବିଶଦ ବିବରଣୀ ଦେବାକୁ କର୍ତ୍ତୃପକ୍ଷଙ୍କୁ ରାଜ୍ୟପାଳ କହିଥିଲେ। ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋକପାତ କରି ରାଜ୍ୟରେ ଥିବା ବନ୍ଦରମାନଙ୍କରେ ଗ୍ରୀନ ଫିଲ୍ଡ ଟର୍ମିନାଲ ପରିବର୍ତ୍ତେ କ୍ରୁଜ ଟର୍ମିନାଲ ବିକାଶ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା କ୍ରୁଜ ଜାହାଜକୁ ଆକର୍ଷିତ ହେବେ। ଏତଦ୍‌ବ୍ୟତୀତ ମତ୍ସ୍ୟଜୀବୀମାନଙ୍କ ଜୀବିକା ସୁରକ୍ଷା ପାଇଁ ବନ୍ଦରଗୁଡ଼ିକରେ ମାଛଧରା ଜେଟି ପ୍ରଚଳନ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ଛତିଆଠାରେ ଡ୍ରାଇଭିଂ ପ୍ରତିଷ୍ଠାନ ବିଷୟରେ ଆଲୋଚନାବେଳେ ସରକାରୀ ପଲିଟେକନିକ୍ ଏବଂ ଆଇଟିଆଇରେ ଡ୍ରାଇଭିଂ ତାଲିମ୍ ପାଠ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ବିଦେଶରେ ମଧ୍ୟ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ଅନ୍ୱଷଣ କରିବାରେ ଏହା ସହାୟକ ହେବ ବୋଲି କହିଥିଲେ। ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରି ରାଜ୍ୟପାଳ ଭୁବନେଶ୍ୱର ରେଳଷ୍ଟେସନ ତଥା ଅନ୍ୟ ଷ୍ଟେସନମାନଙ୍କର ପୁନଃ ବିକାଶ ଏବଂ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଆଲାଇନ୍‌ମେଂଟ ଚୂଡାନ୍ତ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବାକୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କରି କହିଥିଲେ ଯେ ରାଜପଥ ନିବେଶର ଲାଭ ଜନସାଧାରଣଙ୍କୁ ଦୃଶ୍ୟମାନ ହେବା ଆବଶ୍ୟକ। ରାଜପଥରେ ଯାତ୍ରୀ ସୁବିଧା ଏବଂ ବୈଦୁତିକ ଯାନ ଚାର୍ଜିଂ ଷ୍ଟେସନ ପାଇଁ ବ୍ୟବସ୍ଥା ସଂପର୍କରେ ରାଜ୍ୟପାଳ ପଚାରି ବୁଝିଥିଲେ।
ଉପରୋକ୍ତ ବିଭାଗଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା, ଅଗ୍ରଗତି ଏବଂ କାର୍ଯ୍ୟାନ୍ୱୟନବେଳେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ପୂର୍ତ୍ତ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସହ ସଂପୃକ୍ତ ବିଭାଗ ମଧ୍ୟରେ ରହୁଥିବା ସମନ୍ୱୟ ପାଇଁ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget