loading...

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ

ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୫




ନିକଟରେ ଫିଲିପାଇନ୍ସର ମାନିଲା ଠାରେ ଆୟୋଜିତ ହୋଇଥିବା ସମ୍ମାନଜନକ ମିସେସ ୟୁନିଭର୍ସ ଅଫିସିଆଲ୍ ପ୍ରତିଯୋଗିତାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ବରାଳ ମିସେସ୍ ୟୁନିଭର୍ସ ଗ୍ଲୋବାଲ୍ ୨୦୨୫ ଟାଇଟଲ୍ ହାସଲ କରିଛନ୍ତି। 

ମାନସିକ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର କ୍ଷେତ୍ରରେ ନିଜର ସଶକ୍ତ ମତ ଉପସ୍ଥାପନ କରି ଡକ୍ଟର ବରାଳ ମିସେସ ୟୁନିଭର୍ସ ଗ୍ଲୋବାଲ ଟାଇଟଲ୍ ସହିତ ‘ବେଷ୍ଟ ଇନ୍ ଫୋରମ୍‌’ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି। 

ମାନବିକ ଅଧିକାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ସେ ବର୍ତମାନ ବିଶ୍ୱସ୍ତରରେ ମାନବିକ ଅଧିକାର ଦୂତ ଭାବେ ପ୍ରସିଦ୍ଧି ଲାଭ କରିପାରିଛନ୍ତି। 

ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଡକ୍ଟର ବରାଳ ନିଜର ବାଗ୍ମିତା, ବୁଦ୍ଧିମତା ଓ ସମ୍ବେଦନଶୀଳ ମନୋଭାବ ସହିତ ଦେଶର ସମୃଦ୍ଧ, ସାଂସ୍କୃତିକ ଐତିହ୍ୟକୁ ଅତ୍ୟନ୍ତ ନମ୍ର ଏବଂ ଦୃଢ଼ ବିଶ୍ୱାସର ସହ ଉପସ୍ଥାପନ କରିଥିଲେ। ‘ମାନସିକ ସ୍ୱାସ୍ଥ୍ୟ ଏକ ମୌଳିକ ମାନବାଧିକାର’ ଶୀର୍ଷକ ପ୍ରସଙ୍ଗକୁ ନେଇ ମାନବିକ ଅଧିକାର ଫୋରମରେ ତାଙ୍କ ବକ୍ତବ୍ୟକୁ ଉପସ୍ଥିତ ଦର୍ଶକ ମଣ୍ଡଳୀ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା ସହ ଏହା କାର୍ଯ୍ୟକ୍ରମରେ ଉଚ୍ଚକୋଟୀର ଉପସ୍ଥାପନା ବୋଲି ପ୍ରଶଂସା କରିଥିଲେ। 

‘ଏହି ଟାଇଟଲ୍ ସେହି ପ୍ରତ୍ୟେକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କୁ କୁହାଯାଏ ବାସ୍ ବହୁତ ହୋଇଗଲା ଅଥବା ଏହା ଯଥେଷ୍ଟ ନୁହଁ। ମାନସିକ ସ୍ୱାସ୍ଥ୍ୟ ଏକ ଅଧିକାର। କଷ୍ଟରେ ଥିବା ପ୍ରତ୍ୟେକ ସ୍ୱରକୁ ସମ୍ମାନ, ଉପଯୁକ୍ତ ସ୍ଥାନ ଏବଂ ଆଶା ମିଳିବା ଉଚିତ’ ବୋଲି ପ୍ରତିଯୋଗିତାରେ ବିଜେତା ହେବା ପରେ ଡକ୍ଟର ବରାଳ କହିଛନ୍ତି। 

ଗୁରୁବାର ଦିନ ଡକ୍ଟର ବରାଳ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ତାଙ୍କ ସଫଳତା ନେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତୋରତର ସଫଳତା କାମନା କରିଥିଲେ। ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨ ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିଲେ। 

ଜଣେ ମାନସିକ ରୋଗ ବିଶେଷଜ୍ଞ ଲେଖିକା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇନ୍‌ଫ୍ଲୁଏନ୍ସର ଡକ୍ଟର ବରାଳ ଭୁବନେଶ୍ୱରରେ ସ୍ୱୟଂ ମାଇଣ୍ଡ କ୍ଲିନିକ ଆଣ୍ଡ ୱେଲନେସ ସେଂଟରର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି। ମାନସିକ ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ ଓ ଲିଙ୍ଗଭିତିକ ସମାନତାକୁ ନେଇ ଡକ୍ଟର ବରାଳ ଅନେକ କାର୍ଯ୍ୟ କରୁଛନ୍ତି। ସେ ’୩୦ ଡେଜ ଟୁ ଏ ହେଲ୍‌ଦି ମାଇଣ୍ଡ’ ଶୀର୍ଷକ ଏକ ପୁସ୍ତକ ଲେଖିଛନ୍ତି। 

ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରିବା କ୍ଷେତ୍ରରେ ଡକ୍ଟର ବରାଳଙ୍କ ଯାତ୍ରା ବେଶ ମହତ୍ୱପୂର୍ଣ୍ଣ। ପୂର୍ବରୁ ସେ ରାଂଚି ସ୍ଥିତ ସେଂଟ୍ରାଲ ଇନ୍‌ଷ୍ଟିଚୁୃ୍ୟଟ୍ ଅଫ୍ ସାଇକିଆଟ୍ରିରେ ସିନିୟର ରେସିଡେଂଟ ଏବଂ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିସାରିଥିବା ବେଳେ ସେଠାରେ ମହିଳାମାନଙ୍କ ଯନ୍ତ୍ରଣା ଏବଂ ଶାରିରୀକ ଅସୁସ୍ଥତା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସେମାନଙ୍କୁ ଚିକିତ୍ସା କରିବାର ଅନୁଭୂତି ତାଙ୍କୁ ସାରା ଜୀବନ ମାନବାଧିକାର ଦିଗରେ କାର୍ଯ୍ୟ କରିବା ନିମନ୍ତେ ଅନୁପ୍ରାଣିତ କରିଛି ବୋଲି ସେ କହିଛନ୍ତି।

ଗ୍ଲୋବାଲ୍ ହ୍ୟୁମ୍ୟାନ୍ ରାଇଟ୍‌ସ ଆମ୍ବାସାଡର ଭାବେ ତାଙ୍କର ନୂତନ ଦାୟିତ୍ୱକୁ ନେଇ ଡକ୍ଟର ବରାଳ ମାନବିକ ସ୍ୱାସ୍ଥ୍ୟ ଚିକିତ୍ସା, ମାନବିକ ଅଧିକାର ଏବଂ ବିଶ୍ୱ ଶାନ୍ତିକୁ ନେଇ ଆନ୍ତର୍ଜାତିକ ସହଭାଗିତାରେ ବିଭିନ୍ନ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget