ଭୁବନେଶ୍ୱର, ୦୯ ଅକ୍ଟୋବର ୨୦୨୫
- ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ ହେଲେ ଗୋପବନ୍ଧୁ: ମନମୋହନ ସାମଲ
- ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ରାଜ୍ୟ ସଭାପତି
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ନୁହନ୍ତି ସେ ହେଲେ ସାରା ବିଶ୍ୱର ମଣି। ସେ ଏକାଧାରରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା। ସେ ଥିଲେ ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ। ଓଡ଼ିଶାର ଏହି ମହାନ ବରପୁତ୍ରଙ୍କ ୧୪୮ତମ ଜନ୍ମଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ । ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା ବୋଲି ଶ୍ରୀ ସାମଲ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Post a Comment