loading...

ବିଜୁ ପଟ୍ଟନାୟକଙ୍କୁ ନେଇ ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସର ଦୁଇଟି ନୂଆ ବହି ଘୋଷଣା

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦୁଇଟି ନୂଆ ବହି ଘୋଷଣା

ବିଜୁ ପଟ୍ଟନାୟକଙ୍କୁ ନେଇ ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସର ଦୁଇଟି ନୂଆ ବହି ଘୋଷଣା

ଭୁବନେଶ୍ବର, ଜାତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଓଡ଼ିଆ ନେତା, ସ୍ବପ୍ନଦ୍ରଷ୍ଟା, ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦୁଇଟି ନୂଆ ବହି ଘୋଷଣା କରିଛି। ପ୍ରଥମଟି ପ୍ରସିଦ୍ଧ କବି ଦେବଦାସ ଛୋଟରାୟଙ୍କ ଲିଖିତ ଓଡ଼ିଆ ପୁସ୍ତକ "ବିଜୁବାବୁ" ହୋଇଥିବା ବେଳେ ଦ୍ବିତୀୟଟି ହେଉଛି ଜଣାଶୁଣା ଲେଖକ ଓ ଗବେଷକ ଅନୀଲ ଧୀରଙ୍କ ଲିଖିତ ଇଂରାଜୀ ପୁସ୍ତକ "ବିଜୁ ପଟ୍ଟନାୟକ - ଇଣ୍ଡିଆସ୍‌ ଲାଷ୍ଟ୍‌ ବୁକାନିଅର୍"। ଉଭୟ ପୁସ୍ତକର ପ୍ରଚ୍ଛଦ ଆଜି ପ୍ରକାଶନ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଥିବା ବେଳେ ଚଳିତ ମାସ ୨୬ ତାରିଖରେ ଆରମ୍ଭ ହେଉଥିବା ରାଜ୍ୟ ପୁସ୍ତକମେଳା ଅବସରରେ ପୁସ୍ତକ ଦ୍ବୟ ଉପଲବ୍ଧ ହେବ ବୋଲି ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି।

ପୁସ୍ତକ ଦୁଇଟି ବାବଦରେ ଅଧିକ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ବିଜୁ ପଟ୍ଟନାୟକ, କଟକ ଓ ଏସବୁ ସହ ଜଡ଼ିତ କିଛି ଜଣାଅଜଣା ସ୍ମୃତିକୁ ନେଇ ଲିଖିତ ଦେବଦାସ ଛୋଟରାୟଙ୍କ ଲେଖା ସବୁ ପୂର୍ବରୁ ନିୟମିତ ଭାବେ ପ୍ରସିଦ୍ଧ ସାହିତ୍ୟ ପତ୍ରିକା "କଥା"ରେ ପ୍ରକାଶିତ ହୋଇ ବେଶ୍‌ ପ୍ରଶଂସା ସାଉଁଟିଛି। ସେ ସବୁକୁ ଏକତ୍ର "ବିଜୁବାବୁ" ପୁସ୍ତକରେ ପ୍ରକାଶ କରାଯାଉଥିବା ବେଳେ ଏଥିରେ ଶ୍ରୀ ଛୋଟରାୟଙ୍କ ଲିଖିତ ଏ ଉପକ୍ରମଣିକା ମଧ୍ୟ ସ୍ଥାନ ପାଇଛି।

ଅନୀଲ ଧୀରଙ୍କ ଲିଖିତ "ବିଜୁ ପଟ୍ଟନାୟକ - ଇଣ୍ଡିଆସ୍‌ ଲାଷ୍ଟ୍‌ ବୁକାନିଅର୍" ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ବହୁ ଅଜଣା ଓ ରୋଚକ ତଥ୍ୟ ସାମିଲ ହୋଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଥିରେ ବିଜୁ ବାବୁଙ୍କର କିଛି ବିରଳ ଫଟୋଚିତ୍ର ମଧ୍ୟ ରହିଛି। ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ଲାଗି ଦୀର୍ଘ ଦିନ ଧରି ଦାବି ହେଉଥିବା ବେଳେ ଏ ବହିର ତଥ୍ୟ ଏହି ଦାବିକୁ ଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି।

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ନେଇ ଆଉ ଏକ ଅଭିନବ ସ୍ମୃତିପୁସ୍ତକ ମଧ୍ୟ ପ୍ରକାଶନର ଯୋଜନା ରହିଛି ବୋଲି ଶୁଭ୍ରାଂଶୁ ପଣ୍ଡା କହିଛନ୍ତି। ଏ ପ୍ରକଳ୍ପ ଅସମାପ୍ତ ଥିବାରୁ ସେ ନେଇ ଅଧିକ ସୂଚନା ଦେବାକୁ ସେ ମନା କରିଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget