June 2024

ଭୁବନେଶ୍ୱର, ୩୦ ଜୁନ ୨୦୨୪






  • ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଏବଂ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ 
  • ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଅଳ୍ପଦିନ ମଧ୍ୟରେ ମିଳିତ ସମୀକ୍ଷା କରାଯିବ |

  • ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନରେ ଟନେଲ ଗୁଡିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବ |

  • ତାଳଚେର-ବିମଳାଗଡ଼ ରେଳ ଲାଇନରେ ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବାକୁ ଯୋଜନା |


ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଆଜି ପୂର୍ବତଟ
 ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସମୀକ୍ଷା କରିଛନ୍ତି | ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସମୟରେ ଉପୁଜୁଥିବା କେତେକ ପ୍ରମୁଖ ପ୍ରତିବନ୍ଧକର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା |

ଚାଲିରହିଥିବା ରେଳ ପ୍ରକଳ୍ପଗୁଡିକରେ ସମସ୍ୟା କ୍ଷେତ୍ରଗୁଡିକ ଯଥା ଜମି ଅଧିଗ୍ରହଣ, ଜଙ୍ଗଲ ସମସ୍ୟା ଏବଂ ଆଇନ ଏବ
 ଶୃଙ୍ଖଳା ଇତ୍ୟାଦିର ସମାଧାନ ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ | ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନର ଶୀଘ୍ର ସମାପ୍ତି ପାଇଁ ଟନେଲ୍ ଗୁଡିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି | ପ୍ରାୟ ସାତ କିଲୋମିଟର ଲମ୍ବର ପ୍ରମୁଖ ଟନେଲ ସହିତ ମାର୍ଗରେ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯିବ, ଯାହାଫଳରେ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯିବ | ଏହା ବ୍ୟତୀତ ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ଉଭୟ ପାର୍ଶ୍ୱରୁ, ଯଥା ତାଳଚେର ପାର୍ଶ୍ୱ ଏବଂ ବିମଳାଗଡ଼ ପାର୍ଶ୍ୱରୁ ସମ୍ପାଦନ କରାଯିବାକୁ ଏହି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଅଛି |

ଏହା ବ୍ୟତୀତ ରେଳ ମନ୍ତ୍ରଣାଳୟ ନିକଟ ଭବିଷ୍ୟତରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଏକ ସମୀକ୍ଷା
 ବୈଠକ କରି ରାଜ୍ୟରେ ଚାଲୁରହିଥିବା ପ୍ରତ୍ୟକ ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବାକୁ ରେଳ ମନ୍ତ୍ରୀ ପ୍ରକାଶ କରିଛନ୍ତି |

ଏଗୁଡିକ ବ୍ୟତୀତ, ଅମୃତ ଷ୍ଟେସନ ଗୁଡିକର ପୁନର୍ବିକାଶ କାର୍ଯ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍
 ଶୀଘ୍ର ସମୀକ୍ଷା କରାଯିବାକୁ ଶ୍ରୀ ବୈଷ୍ଣବ କହିଛନ୍ତି |

ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ରେଳବାଇ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ
ଗତ ବଜେଟରେ 10536 କୋଟି ଟଙ୍କା ମଞ୍ଜୁର କରିଛନ୍ତି ଯାହା ସର୍ବୋତ୍ତମ ବଜେଟ୍ ବ୍ୟବସ୍ଥା | ରେଳ ନେଟୱର୍କରେ ଓଡିଶାର ସମସ୍ତ ଜିଲ୍ଲାକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉଅଛି | ଗତ 10 ବର୍ଷ ମଧ୍ୟରେ ଓଡ଼ିଶାରେ 1826 ଟ୍ରାକ୍ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇଛି ଯାହା ଶ୍ରୀଲଙ୍କାର ମୋଟ ରେଳ ନେଟୱାର୍କଠାରୁ ଅଧିକ ଅଟେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି |

ଗତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 450 କିଲୋମିଟର ରେଳ ଟ୍ରାକ ନିର୍ମାଣ କରିଥିଲା ବେଳେ ଚଳିତ ବର୍ଷ 500
 କିଲୋମିଟର ରେଳ ଲାଇନ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଛି | ଆର୍ଥିକ ଅଭିବୃଦ୍ଧି ଏବଂ ରେଳ ସଂଯୋଗ ପାଇଁ ଏହାର ଗୁରୁତ୍ୱକୁ ସୂଚାଇ ରେଳ ଲାଇନର ସମ୍ପ୍ରସାରଣ ପାଇଁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି |

ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ
ମହେଶ କୁମାର ବେହେରା, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ |

ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏହି ସମୀକ୍ଷା ବୈଠକରେ ଓଡିଶାରେ ରେଳ ବିକାଶକୁ ତ୍ୱରାନ୍ୱିତ କରିବା, ପ୍ରକଳ୍ପର
 କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ରେଳ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଯାଇଛି | ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭିତ୍ତିଭୂମି ଅଭିବୃଦ୍ଧି ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଆଗକୁ ବୃଦ୍ଧି କରାଇବାକୁ ଲକ୍ଷ୍ୟ ରଖିଛି |

ଭୁବନେଶ୍ୱର, ୩୦ ଜୁନ ୨୦୨୪





  • ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ
  • ରଥଯାତ୍ରାର ମହାନ୍ ସଂସ୍କୃତିକୁ ମନେ ପକାଇ କୋଟି ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ପ୍ରଧାନମନ୍ତ୍ରୀ
  • ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବାରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ
  • “ମନ କି ବାତ୍‌”କାର୍ଯ୍ୟକ୍ରମର ଲୋକପ୍ରିୟତା ସାରା ବିଶ୍ୱରେ ରହିଛି 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ ତାଙ୍କ ୧୧୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଦେଶବାସୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆରେ ଅନୁ ିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ କାର୍ଯ୍ୟକ୍ରମ”କୁ ବିଜେପିର ରାଜ୍ୟ ନେତୃମଣ୍ଡଳୀ ଶୁଣିଥିଲେ । ଦେଶବାସୀ ଗତ ଫେବୃୟାରୀରୁ ଏହି କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲେ । ଆଜିର “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି, ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁ ିତ ହେବାକୁ ଯାଉଛି । ଏନେଇ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏଥିସହ ନମୋ ଆପ୍ କିମ୍ବା ୧୮୦୦୧୧୭୮୦୦ରେ ମେସେଜ୍ କରି ତାଙ୍କ ରେଡିଓ ପ୍ରସାରଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମଥର ପାଇଁ ମାସିକ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି । ଏଥିରେ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ କହିଛନ୍ତି । 

ଶ୍ରୀ ସାମଲ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଦେଶ ତଥା ସାରା ବିଶ୍ୱରେ ରହିଛି । ଜଣେ ସାଧାରଣ ଲୋକଟି ନିଜର ଅସାଧାରଣ କାର୍ଯ୍ୟ ପାଇଁ ସମାଜରେ ବିଶେଷ ସ୍ଥାନ ଅର୍ଜନ କରିବା ସହିତ ନିଜ ଅଂଚଳ ତଥା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବାରେ ‘ପ୍ରଧାନମନ୍ତ୍ରୀ ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ସର୍ବାଦା ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ୱ ଦେଇଛନ୍ତି । ସେ ରଥଯାତ୍ରାର ମହାନ୍ ସଂସ୍କୃତିକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହି କୋଟି ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ।

 ଏହି ଅବସରରେ ବିଜେପିର ନବନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତି ପରିଡାଙ୍କ ସମେତ ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀମଣ୍ଡଳ ସଦସ୍ୟ, ଲୋକସଭା ଓ ରାଜ୍ୟସଭା ସଦସ୍ୟ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି ଓ ବିଜେପିର ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୦ ଜୁନ ୨୦୨୪




  • ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ
  • ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି
  • ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ବିକଶିତ ଓଡିଶା ଗଠନ ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
  • ବର୍ତମାନ ରାଜ୍ୟରେ ଡବଲ ଇଂଜିନ ସରକାର । ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ତ୍ୱରିତ ବିକାଶ କରାଯିବ ରେଳମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ

ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ବିଜେପିକୁ ଏହି ସଫଳତା ମିଳିପାରିଛି । ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧିଭାବେ ପଠାଇଛନ୍ତି । ବିଜେପି ସରକାର ଗରିବ ଲୋକଙ୍କ ସରକାର, କୃଷକଙ୍କ ହକ୍ ପାଇଁ ବିଜେପି ସରକାର କାର୍ଯ୍ୟ କରିବ । ମହିଳାଙ୍କୁ ସୁରକ୍ଷା, ସଶକ୍ତୀକରଣ କରିବା ସହ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବାକୁ କାର୍ଯ୍ୟ କରିବ । ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେସବୁ ପୂରଣ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ଲୋକଙ୍କ ବିଶ୍ୱାସକୁ ବିଜେପି ଅତୁଟ ରଖିବ । ସ୍ୱାବଲମ୍ଭୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ବିଜେପି ସରକାର କାର୍ଯ୍ୟ କରିବ । ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ । ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ । ନିର୍ବାଚନ ପୂର୍ବରୁ ଦିିଆଯାଇଥିବା ବାର୍ତା “ଆମେ ଶୋଇବା ନାହିଁ କି କାହାକୁ ଶୋଇବାକୁ ଦେବା ନାହିଁ”କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କାର୍ଯ୍ୟକର୍ତା । ଗତ ୨୫ ବର୍ଷରେ ଯାହା ହୋଇନି ଆସନ୍ତା ୫ବର୍ଷରେ ପରିଶ୍ରମ କରି ବିଜେପି ସରକାର ତାହା ସମ୍ଭବ କରି ଦେଖାଇବ ବୋଲି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ନୂତନ ବିଧାୟକ ଓ ସାଂସଦମାନଙ୍କୁ “ସମ୍ବର୍ଦ୍ଧନା ସଭା”ରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟରେ ବିଜେପିର ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ନେତୃତ୍ୱ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିବା ସହିତ ରାଜ୍ୟବାସୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ ।

“ମୁଁ ଏକ ବିନ୍ଦୁ, ସିନ୍ଧୁ ସପନ ଦେଖିଛି । ସେହି ବିନ୍ଦୁମାନଙ୍କର ସ୍ୱପ୍ନ ଆଜି ସିନ୍ଧୁର ରୂପ ନେଇଛି । ଏହି ସିନ୍ଧୁର ମହାପ୍ରବାହର କୁଳରେ ବସି ସେହି ବିନ୍ଦୁମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛି” ବୋଲି ଏହି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁ ଶୀଜଗନ୍ନାଥଙ୍କ ଆର୍ଶବାଦରୁ ବିଜେପି ପୂର୍ଣ୍ଣସଂଖ୍ୟା ଗରି ତା ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଏହି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି । ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତା, ଛୋଟିଆ ଶିଶୁ ମନ୍ଦିରର ଶିକ୍ଷକରୁ ପୁଣି ସରପଂଚର ସଂଘର୍ଷ ରାସ୍ତାରେ ଚାଲୁଚାଲୁ ମୁଖ୍ୟମନ୍ତ୍ରୀ ଆସନରେ ମୋତେ ରାଜ୍ୟବାସୀ ବସାଇଛନ୍ତି । ଏଥର ଓଡ଼ିଆଙ୍କ ଜନାଦେଶ, ଓଡିଆ ଅସ୍ମିତା ପାଇଁ ହିଁ ମିଳିଛି । ‘ଆମ ସରକାର’ ସହ ଖଣ୍ଡି ଓଡ଼ିଆର ଯୁଗ ଶେଷ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପରମ୍ପରା ଆମର ପରିଚୟ । ଓଡ଼ିଶା ଏକ ଭୌଗଳିକ ଭୁଖଣ୍ଡ ନୁହେଁ, ଓଡ଼ିଶା ଆମର ମା’ । କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ କାଳଜୟୀ, ବନ୍ଦେ ଉତ୍କଳ ଜନନୀର ପ୍ରତିଟି ଶଦ୍ଦ, ଉତ୍କଳ ଜନନୀର ସ୍ୱତନ୍ତ୍ରତା ଓ ପରିଚୟର ଗୋଟିଏ ଗୋଟିଏ ଦିଗ । ଉତ୍କଳ ଜନନୀ ସଭ୍ୟତା, ସଂସ୍କୃତି, ଭାଷାକୁ ଅପମାନିତ କରିବା ଯୁଗ ଶେଷ ହୋଇଛି । ଆମ ଅସ୍ମିତାର ଟେକ ରଖିବାର ଦାୟିତ୍ୱ ଆମ ସମସ୍ତଙ୍କ କାନ୍ଧରେ । ଓଡିଶାର ବରପୁୂତ୍ରମାନଙ୍କ ତ୍ୟାଗ, ତପସ୍ୟା ଓ ଦୂରଦୃଷ୍ଟି କାରଣରୁ ଓଡ଼ିଶା ଦେଶର ପ୍ରଥମ ଭାଷା ଭିତିକ ରାଜ୍ୟ ହୋଇଛି । ଓଡ଼ିଆ ଗୌରବକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରିବା ହେଉଛି ପ୍ରତ୍ୟେକ ଓଡିଆର ପ୍ରଥମ କର୍ତବ୍ୟ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଓଡ଼ିଶାରେ ରହିଛି ଅମାପ ପ୍ରାକୃତିକ ସମ୍ପଦ, ପ୍ରଚୁର ଜଳ ସମ୍ପଦ, ଉର୍ବର ମୃତିକା, ସୁଦୀର୍ଘ ବେଳାଭୂମି, ପରିଶ୍ରମୀ ମାନବ ସମ୍ବଳ । ଓଡ଼ିଶା ଧନୀ ହେଲେ ମଧ୍ୟ ଓଡ଼ିଆ ଗରିବ । ଗରୀବକଲ୍ୟାଣ ଆମ ପ୍ରାଥମିକତା । ଆମର କାର୍ଯ୍ୟ ଖସଡା ଆମ ସଂକଳ୍ପ ପତ୍ର । ଏବେ ଶ୍ରୀ ମନ୍ଦିରର ୪ ଦୁଆର ଖୋଲିଛି । ୫୦୦ କୋଟିର କର୍ପସ ଫଣ୍ଡ ମହାପ୍ରଭୁଙ୍କ ପାଇଁ ସମର୍ପିତ ହୋଇ ସାରିଛି । ଆଗକୁ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବ । ମହାପ୍ରଭୁଙ୍କ ରତ୍ନରେ ଯଦି ଟିକିଏ ଗଡିବଡ଼ି ଥାଏ, ତାହେଲେ ଦୋଷୀଙ୍କୁ ଖୋଜି ଦଣ୍ଡ ଦିଆଯିବ । ଗତ ଶାସନରେ ଓଡ଼ିଶାର ସମ୍ପଦକୁ ଏବଂ ଓଡ଼ିଆଙ୍କ ଝାଳବୁହା ଅର୍ଥକୁ ଯେଉଁମାନେ ଲୁଟ୍ କରିଛନ୍ତି, ସେମାନଙ୍କୁ ଅଦାଲତ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ । ଓଡ଼ିଆ ଲୋକଙ୍କ ଜନାଦେଶକୁ ପାଳନ କରିବାର ଆମେ କେବଳ ମାଧ୍ୟମ ହେବୁ । ବିଜେପି ସରକାର ମହିଳା, କୃଷକ, ଯୁବକ , ଆଦିବାସୀ, ଦଳିତ ଓ ପଛୁଆ ବର୍ଗକୁ ପ୍ରାଥମିକତା ଦେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ । ଏହି ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଯୋଗାଇ୍ ଦିଆଯିବ । ଚାଷୀମାନଙ୍କୁ ବିନା କଟନ୍‌ୀ ଛଟନୀରେ ବୋନସ୍ ଦିଆଯିବ । ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ । ଯୁବପିଢ଼ୀର ରୋଜଗାର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହା ଛଡ଼ା ଗାଁର ଗରିବ, ଖଟିଖିଆ, ମଜୁରିଆଙ୍କୁ ସମ୍ମାନର ସହ ବଂଚିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ । 

ଆଜି ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ । ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ ମହତାବ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ସେନାପତିଙ୍କ ନିକଟରେ ସମର୍ପିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଏକ ଜାତୀୟ ଦଳ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ ପରି ଆଞ୍ଚଳିକ ଆବେଗକୁ ପ୍ରସଙ୍ଗ କରିଥିବାରୁ କୃତଜ୍ଞତା ଜଣାଉଛି । ବିଜେପିର ବିଜୟ ଓଡ଼ିଆ ଆବେଗ, ଅଭିମାନ ଓ ସ୍ୱାଭିମାନର ପ୍ରତିଫଳନ, ଯାହାକୁ ଆମେ କାର୍ଯ୍ୟକର୍ତ୍ତାମାନେ କେବେ ବି ଭୁଲିବା ଉଚିତ୍ ନୁହେଁ । ଓଡ଼ିଶାର ବିପଦ ସମୟରେ ଆଦରଣୀୟ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ମହାନ ନେତୃତ୍ୱଙ୍କ ଦାୟିତ୍ୱ ତଥା ଅନେକ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଅବଦାନ ପାଇଁ ରାଜ୍ୟ ବିଜେପି ଏହି ସ୍ଥାନରେ ପହଞ୍ଚିପାରିଛି । ଆଉ ମାତ୍ର ୧୨ ବର୍ଷ ପରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ନୂଆ ଓଡ଼ିଶା ଗଢିବା ସହ ବିକଶିତ ଭାରତର ସୈନିକ ହେବାର ଦାୟିତ୍ୱ ଆମ ହାତରେ ନ୍ୟସ୍ତ ଅଛି । ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ମୁଖ୍ୟ ସମସ୍ୟାର ସମାଧାନ ନିର୍ଦ୍ଦିଷ୍ଟ ସମୟରେ ପୂରଣ କରିବା ପାଇଁ ହେବ । ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି । ମୋଦୀ ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଓଡ଼ିଆ ଅସ୍ମିତା ହେଉଛି ସ୍ୱାବଲମ୍ବୀ ହେବା, ସମାଜରେ ସୁରକ୍ଷା ବଢାଇବା । ଓଡ଼ିଆ ଅସ୍ମିତାକୁ ପୂରଣ କରିବା ପାଇଁ ହେବ । କୋଟି କୋଟି ଓଡ଼ିଆ ଲୋକଙ୍କର ଆକାଂକ୍ଷା ବିଜେପି ସହ ଯୋଡିହୋଇଛି । ବିଜେପିକୁ ଆଗକୁ ନେବା ପାଇଁ ହେଲେ ଆମର ମୂଳ ବିଚାରଧାରାକୁ ଲୋକଙ୍କୁ ବୁଝାଇବା ପାଇଁ ହେବ । ଆଜିର ସମୟରେ ଓଡ଼ିଶା ଦେଶରେ ପ୍ରଭାବଶାଳୀ ସ୍ଥାନରେ ଅଛି । ଓଡ଼ିଶାରେ ନବଗଠିତ ସରକାର ଓଡ଼ିଆ ଲୋକଙ୍କର ସରକାର ଭାବେ କାମ କରିବ । ଏହି ଗୁରୁ ଦାୟିତ୍ୱକୁ ଆମେ ବୁଝିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଅକଥନୀୟ ପରିଶ୍ରମ କରି ଗାଁରୁ ସହର ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ସମର୍ପିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ବିଜେପିକୁ ଏକଦା ପୋଷ୍ଟର ପାର୍ଟୀ ବୋଲି କୁହାଯାଉଥିବାବେଳେ ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି ବିଜେପି । ରାଜ୍ୟବାସୀ ଆମକୁ ଯେଉଁ ଗୁରୁଦାୟୀତ୍ୱ ପ୍ରଦାନ କରିଛନ୍ତି, ତାକୁ ଆମେ ସମସ୍ତେ ପ୍ରତିବଦ୍ଧତାର ସହିତ ପାଳନ କରିବା । ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ବ୍ୟବହାର, ଆଚରଣ, ସ୍ୱଭାବରେ ପରିବର୍ତନ ନଆଣି ନମ୍ରତାର ସହିତ ଓଡିଶାବାସୀଙ୍କ ସେବା କାର୍ଯ୍ୟ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ଆହ୍ୱାନ । ବିକଶିତ ଓଡିଶା ଗଠନ ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ ହେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ।

ଅତୀତରେ ଓଡିଶାକୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଥିଲା । ମୋଦି ସରକାର ଅମଳରେ ଏହା ପରିବର୍ତନ ହୋଇଛି ଏବଂ ଓଡିଶାକୁ ପ୍ରାଧାନ୍ୟ ଦିଆଯାଉଛି । ବିଶେଷ ଭାବେ ରେଳ ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରତି ବର୍ଷ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥୀକ ଅନୁଦାନ ଆସୁଛି । ନୂତନ ରେଳ ଲାଇନ, ବିଦ୍ୟୁତିକରଣ, ପ୍ଲାଟଫର୍ମ ସମେତ ଭିତିଭୁମି ସୁଦୃଢ କରାଯାଇଛି । ବର୍ତମାନ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହୋଇଛି ଏବଂ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ତ୍ୱରିତ ବିକାଶ କରାଯିବ । ଜଗନ୍ନାଥ ଭକ୍ତଙ୍କ ସୁବିଧା ପାଇଁ ଚଳିତ ବର୍ଷ ରଥଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଲଗାତାର ତୃତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ହୋଇ ଶୁଣିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକମାନଙ୍କୁ ପାର୍ଟୀ ତରଫରୁ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ସାରଦା ପ୍ରସାଦ ଶତପଥୀ, ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ମଂଚ ପରିଚାଳନା କରିଥିଲେ ।

ଭୁବନେଶ୍ୱର, ୩୦ ଜୁନ ୨୦୨୪





 କିସ୍‍କୁ ଲଗାତାର ବଦନାମ କରାଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଭୟଭୀତ । ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‍ ଖୋଲିବା ପୂର୍ବରୁ କିସ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏଥିପାଇଁ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ୫ଶହ ପ୍ରତିନିଧି ଓ ଜନଜାତି ନେତା ଆଜି କିସ୍‍ରେ ପହଞ୍ଚି କିସ୍‍ର ସୁରକ୍ଷା ନେଇ ବ୍ୟାପକ ଆଲୋଚନା କରିଥିଲେ । କୌଣସି କାରଣ ନଥାଇ କିସ୍‍ ଉପରେ ନିୟମିତ ଆକ୍ରମଣ କରାଯାଉଥିବାରୁ ସେମାନେ ମର୍ମାହତ ହୋଇଛନ୍ତି । କିସ୍‍ ହେଉଛି ଜନଜାତିଙ୍କ ଜୀବନ ରେଖା ଏବଂ କିସ୍‍ ପରିଚାଳନାରେ କିଟ୍‍ ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି ବୋଲି ସେମାନେ କହିଛନ୍ତି । ଆଲୋଚନା ସମୟରେ ଆଗାମୀ ୧୫ ଦିନ ସ୍ଥିତି ସମୀକ୍ଷା କରିବା ପରେ ସ୍ଥିତିରେ ସୁଧାର ନଆସିଲେ ଏହାକୁ ପ୍ରତିହତ ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ସେମାନେ ପ୍ରକାଶ କରିଥିଲେ । କିସ୍‍ ସମଗ୍ର ଜନଜାତି ସମାଜ ପାଇଁ ଏକ ସମ୍ମାନର ପ୍ରଶ୍ନ ବୋଲି ସେମାନେ ମତ ଦେଇଛନ୍ତି ।


ଭୁବନେଶ୍ୱର, ୩୦ ଜୁନ ୨୦୨୪





ଶ୍ରୀ ମନୋଜ ଆହୁଜା ଆଜି ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଆଜି ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଠାରୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଆଜି ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ଜେନା ଓ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କିଛି ସମୟ ପାରସ୍ପରିକ ସାକ୍ଷାତ ଆଲୋଚନା କରିଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ଲୋକସେବା ଭବନସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କୁ ସ୍ୱାଗତ କରିଥିଲେ । 


ଭୁବନେଶ୍ୱର, ୯ ଜୁନ ୨୦୨୪





  • ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର  ଗୁରୁତ୍ୱପୂର୍ଣ୍ଣ ଭୂମିକା  ରହିଛି- ମୁଖ୍ୟମନ୍ତ୍ରୀ 
  • ନିର୍ଦ୍ଦେଶାଳର ଜର୍ଣ୍ଣାଲସମୀକ୍ଷା ଅନ୍ୟ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚିତ

ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଯୋଜନା ଓ ସଂଯୋଜନ ବିଭାଗ ଆନୁକୂଲ୍ୟରେ ଜୁନ୍ ୨୯ ତାରିଖ  ପ୍ରଖ୍ୟାତ ପରିସଂଖ୍ୟାନବିତ୍ ତଥା ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ ଙ୍କ ଜନ୍ମ ଦିବସ ଅବସରରେ ଆଜି ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟର ଠାରେ  ଅଷ୍ଟାଦଶ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଅଛି । ଚଳିତ ବର୍ଷ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ଥିଲା "ନିଷ୍ପତ୍ତି ନିମନ୍ତେ ତଥ୍ୟର ବ୍ୟବହାର"। ଉତ୍ସବର  ପ୍ରାରମ୍ଭରେ ଅତିଥିମାନେ ପ୍ରଫେସର ମହାଲାନୋବିସ୍ ଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 

ଏହି ଅବସରରେ ଓଡ଼ିଶାର ମାନ୍ୟବର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପ୍ରଶାସନିକ ହେଉ ଅବା ସର୍ବେକ୍ଷଣ ଅଥବା ଗଣ ମାଧ୍ୟମରେ ଉତ୍ପନ୍ନ ତଥ୍ୟ ହେଉ, ନୀତି ନିର୍ଦ୍ଧାରଣରେ ପରିସଂଖ୍ୟାନର  ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  ନିର୍ଭୁଲ ତଥ୍ୟ, ସମସ୍ୟାଗୁଡ଼ିକର ଚିହ୍ନଟ ଏବଂ ଉପଯୁକ୍ତ ସମାଧାନ ଦିଗରେ ଏହା ସହାୟକ ହୋଇଥାଏ ପୁନଶ୍ଚ ଏହା କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଉତ୍ତରଦାୟିତ୍ୱକୁ ନିଶ୍ଚିତ କରାଇଥାଏ ପରିସଂଖ୍ୟାନ ମଧ୍ୟ ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଏହି ଅବସରରେ ସେ ବିଶ୍ଵ ବ୍ୟାଙ୍କ ସହାୟତାରେ ଆରମ୍ଭ ହେଉଥ‌ିବା “Strengthening of State Statistical System in Odisha under Odisha State Capability & Resilient Growth Policy Programme” (ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା) ବ୍ୟବସ୍ଥାକୁ ଶୁଭାରମ୍ଭ ଘୋଷଣା କରିଛନ୍ତି । ରାଜ୍ୟର ବିକାଶ ପାଇଁ ନିର୍ଭରଯୋଗ୍ୟ ପରିସଂଖ୍ୟାନ ସଂଗ୍ରହ ନିମନ୍ତେ ବୈଷୟିକ ବ୍ୟବସ୍ଥାର ବହୁଳ ବ୍ୟବହାର କରିବାକୁ ବିଭାଗର ଅଫିସର ଏବଂ କର୍ମଚାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 



କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ସଂଯୋଜନ ବିଭାଗ  ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ "ଏକ ପ୍ରଭାବଶାଳୀ ପ୍ରଶାସନିକ ବ୍ୟବସ୍ଥାରେ ପରିସଂଖ୍ୟାନ ତଥ୍ୟ" ଉପରେ ଆଲୋଚନା କରିଥିଲେ ।               ନିତି ପ୍ରଣୟନରେ ରିଅଲ ଟାଇମ ତଥ୍ୟର ଆବଶ୍ୟକତା ସୁଶାସନ ନିମନ୍ତେ ନିର୍ଭରଯୋଗ୍ୟ ପରିସଂଖ୍ୟାନର ଗୁରୁତ୍ଵ ବିଷୟରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ନିତି ନିର୍ଦ୍ଧାରଣ ପାଇଁ ସର୍ବଦା ବିଶ୍ୱସ୍ତ, ବିସ୍ତୃତସଦ୍ୟତମ ଏବଂ ନିର୍ଭୁଲ ତଥ୍ୟର ଆବଶ୍ୟକତା ରହିଛି ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ ତଥ୍ୟର ଡିଜିଟାଇଜେସନ, ଗୁଣାତ୍ମକମାନର, ତଥ୍ୟ ବ୍ୟବଧାନକୁ ତର୍ଜମା କରିବା, ତଥ୍ୟ ଉପଭୋକ୍ତା ନିୟୋଜନ ସଂସ୍ଥାଗତ ସୁଦୃଢ଼ୀକରଣରେ  ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ଏହି ଅବସରରେ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ ତଥା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ତଥା ମଧ୍ୟପ୍ରଦେଶ ପରିସଂଖ୍ୟାନ କମିଶନ ଆୟୋଗର ବର୍ତ୍ତମାନ ଅଧ୍ୟକ୍ଷ ଶ୍ରୀ ପ୍ରବୀଣ ଶ୍ରୀବାସ୍ତବ ଯୋଗ ଦେଇ ଓଡ଼ିଶାରେ ରାଜ୍ୟସ୍ତରରେ  ଏକ ଉନ୍ନତ ପରିସଂଖ୍ୟାନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଦିଗଦର୍ଶନ ଦେବା ସହିତ ଏହାର ବିଭିନ୍ନ ଦିଗ ବିଷୟରେ  ଆଲୋକପାତ କରିଥିଲେ । 

ପ୍ରାରମ୍ଭରେ  ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର  ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ପରିସଂଖ୍ୟାନ ବ୍ୟବସ୍ଥାର ଆଧୁନିକୀକରଣ,  ମାନବସମ୍ବଳ ପରିଚାଳନା ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ           କରିଥିଲେ । ସରକାରୀ ନିଷ୍ପତ୍ତି ଏବଂ ଯୋଜନା ପ୍ରଣୟନରେ ତଥ୍ୟର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ବିଭାଗ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବହୁ ଅବସରପ୍ରାପ୍ତ ଅଧିକାରୀଗଣ ଯୋଗ ଦେଇଥିଲେ । 

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିଙ୍କ ଅବଗତି ନିମନ୍ତେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ସର୍ଭେ ଉପରେ ଏକ ଦୃଶ୍ୟଶ୍ରାବ୍ୟ ଡକୁମେଣ୍ଟାରୀ ପ୍ରଦର୍ଶନ କରାଯାଇଥିଲା । ନିର୍ଦ୍ଦେଶାଳୟର ବାର୍ଷିକ ପତ୍ରିକା "ସମୀକ୍ଷା" ଏବଂ ଅନ୍ୟାନ୍ୟ ପରିସଂଖ୍ୟାନ ପ୍ରକାଶନ ଉନ୍ମୋଚନ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ରେ ପରିସଂଖ୍ୟାନ କାର୍ଯ୍ୟକ୍ରମରେ ଉନ୍ନତ ମାନର ପ୍ରଦର୍ଶନ ପାଇଁ ତିନୋଟି ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଯଥା- ଢେଙ୍କାନାଳ, ଭଦ୍ରକ ଓ ବୌଦ୍ଧକୁ ଅତିଥିମାନେ ସମ୍ମାନିତ କରିଥିଲେ । ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ହାଇଦ୍ରାବାଦ ବିଶ୍ଵ ବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଶ୍ରୀ ଆଲୋକ କୁମାର ମିଶ୍ର "ସୁଶାସନ ନିମନ୍ତେ ପରିସଂଖ୍ୟାନ" ଉପରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବହୁ ଅର୍ଥନୀତିଜ୍ଞ, ପରିସଂଖ୍ୟାନବିତ୍ ଓ ଗବେଷକ ଯୋଗ ଦେଇ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ଉପରେ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପବିତ୍ର ମୋହନ ଦ୍ୱିବେଦୀ ଉତ୍ସବର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Powered by Blogger.
Javascript DisablePlease Enable Javascript To See All Widget