loading...

ଓଡିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ ଅଗଷ୍ଟ ୨୦୨୪




  • ରାଜ୍ୟରେ ଅଧିକ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଖଣି କ୍ଷେତ୍ରରେ ଜନଜାତିମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଖଣି ନିଗମ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଗମ । ଖଣି କ୍ଷେତ୍ରକୁ ଆହୁରି ଦକ୍ଷତାର ସହ ପରିଚାଳନା କଲେ ଅଧିକ ରାଜସ୍ୱ ଆସିବା ସହିତ ଖଣି ଭିତ୍ତିକ ଶିଳ୍ପାନୁଷ୍ଠାନ ଗୁଡିକ ମଧ୍ୟ ଲାଭବାନ ହେବେ । ଓଡିଶାରେ ଖଣିଜ ସମ୍ପଦ ଭରପୁର ହୋଇ ରହିଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ସର୍ଭେ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଖଣିଜ ସମ୍ପଦର ଆକଳନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ରାଜ୍ୟରେ ଆହୁରି ଅଧିକ ଖଣି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । 

ରାଜ୍ୟରେ ଖଣି ଉତ୍ତୋଳନ ପାଇଁ ଖଣି ବିଭାଗ ଅଧୀନରେ ଥିବା ସଂସ୍ଥା ଗୁଡିକୁ ସୁଦୃଢ କରି  ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଦକ୍ଷ ମାନବ ସମ୍ବଳ ବିନିଯୋଗ କଲେ ଲୌହ ଜାତୀୟ ଖଣିଜ ସମ୍ପଦର ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ଏଥି ସହିତ ଖଣି ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । 

ସେ ଆହୁରି ମଧ୍ୟ କହିଥିଲେ ଯେ ଖଣି ଅଞ୍ଚଳରେ ପ୍ରାୟତଃ ଆଦିବାସୀ ଲୋକମାନେ ଅଛନ୍ତି । ସେମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଖଣି କ୍ଷେତ୍ରରେ ନିୟୋଜିତ କମ୍ପାନୀମାନେ ମଧ୍ୟ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଖଣିଗୁଡିକର ପାରିପାର୍ଶିକ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ଦାରିଦ୍ର୍ୟ ଦୂରୀକରଣ, ସୁଦୃଢ ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଓଡିଶା ଖଣି ନିଗମର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। CSR ର ପ୍ରମୁଖ ଅଂଶ ଖଣି ଅଞ୍ଚଳର ଅଧିବାସୀମାନଙ୍କ ଜୀବନଶୈଳୀର ବିକାଶ ଓ ଉନ୍ନତି ପାଇଁ ଖର୍ଚ୍ଚ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ ଓଡିଶାର ବିଭିନ୍ନ ଶିଳ୍ପାନୁଷ୍ଠାନ ଯେଉଁ ମାନଙ୍କର ନିଜସ୍ୱ ଖଣି ନାହିଁ ସେମାନଙ୍କୁ ଓଡିଶା ଖଣି ନିଗମ କଞ୍ଚାମାଲ ଯୋଗାଇ ଦେଉଛି। ତେଣୁ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ। କ୍ରୋମର ବଡ ଉତ୍ପାଦକ ସହିତ ଲୁହା ପଥର କ୍ଷେତ୍ରରେ ଦେଶର ଚତୁର୍ଥ ବୃହତ ଉତ୍ପାଦନକାରୀ ନିଗମ ଭାବେ ଓଡିଶା ଖଣି ନିଗମ ମାନ୍ୟତା ପାଇଛି । 

ଏହି ସମୀକ୍ଷା ବୈଠକରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାସ୍ୱତ ମିଶ୍ର ଏବଂ ଓଡିଶା ଖଣି ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲବନ୍ତ ସିଂ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget