ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ୩ - ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ୱ ଶିବିର -୨୦୨୪ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୧୨୦ରୁ ଊର୍ଦ୍ଧ୍ୱ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ଯୋଗ ଦେଇ କହିଥିଲେ ଯେ ଏହି ନେତୃତ୍ୱ ଶିବିରରେ ଯୋଗ ଦେଇଥିବା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିବା। ଏହା ମାଧ୍ୟମରେ ସେମାନେ କିପରି ସମାଜ ସେବା କରିପାରିବେ ଓ ତାଙ୍କ ମଧ୍ୟରେ ନେତୃତ୍ୱ ନେବାର ମନୋଭାବ ସୃଷ୍ଟି ହେବ ସେ ବିଷୟରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ନିଜର କମ୍ୟୁନିକେସନ୍ ଦକ୍ଷତାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ। ପୁସ୍ତକରୁ ମିଳୁଥିବା ଜ୍ଞାନ ଭିତରେ ନିଜ ଜ୍ଞାନକୁ ସୀମିତ ନ ରଖି ବାହ୍ୟ ଜ୍ଞାନ ବିଷୟରେ ଅବଗତ ହେବା ଜରୁରୀ । ନିଜେ ଶୃଙ୍ଖଳିତ ହେଲେ ହିଁ ସମାଜ ପାଇଁ ରୋଲ୍ ମଡେଲ ହୋଇପାରିବ ବୋଲି ସୁଶ୍ରୀ ପଟେଲ କହିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭାପତି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ନେତୃତ୍ୱ ନେବା ସହଜ ନୁହେଁ। ଗୋଟିଏ ନେତାକୁ ବହୁତ କିଛି ହରେଇବାକୁ ପଡିଥାଏ। ସେ ନିଜର ସ୍ୱାର୍ଥକୁ ପଛରେ ରଖି ନିଜ ଦଳ ଅବା ସମାଜ ପାଇଁ ନିଜକୁ ସଦାସର୍ବଦା ଉତ୍ସର୍ଗ କରିଥାଏ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପ ଖୁଆଇବା ଏକ ନେତାର ଗୁଣ ବୋଲି ପ୍ରଫେସର ନନ୍ଦ କହିଥିଲେ।
ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ନେତୃତ୍ୱ ଓ ନେତାର ଭୂମିକା କ’ଣ ହେବା ଉଚିତ୍ ସେ ବିଷୟରେ ସେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଗୋଟିଏ ନେତା ସବୁବେଳେ ନିଜ ଦଳକୁ ସାଙ୍ଗରେ ନେଇ ଚାଲିବାକୁ ପସନ୍ଦ କରେ। ସେ କେବଳ ନିଜର ଉନ୍ନତି ବିଷୟରେ ଭାବି ନଥାଏ ବରଂ ସେ ସଦାଦର୍ବଦା ନିଜ ଦଳ ଓ ସମାଜର ହିତ ବିଷୟରେ ଚିନ୍ତା କରିଥାଏ। ଶୃଙ୍ଖଳା ଏକ ନେତାର ପ୍ରଥମ ଗୁଣ। ଜଣେ ନେତା ସଦାସର୍ବଦା ‘ନଟ୍ ମି ବଟ୍ ୟୁ’ ଭାବନାକୁ ମନ ଭିତରେ ରଖିବା ଉଚିତ୍। କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସବୁ ସମ୍ଭବପର ହୋଇପାରିବ ବୋଲି ପ୍ରଫେସର ଦାସ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେବା ସହ ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ପ୍ରଫେସର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment