ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୪
- ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ
- ନିର୍ବାଚନ ସରିବାର ୬ମାସ ପରେ ବିଜେଡି ଆଜି ଅଭିଯୋଗ କରିବା କେବଳ ମାତ୍ର ପ୍ରଳାପ ସଦୃଶ
ଭୋଟ ପରିଚାଳନା ଗୋଟିଏ ନୀତି ନିୟମ ଅନୁସାରେ ହୁଏ। ଏହାର ବିସ୍ତୃତ ବିବରଣୀ ପୁସ୍ତିକା ଅନୁସାରେ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଜାରି କରିଥାନ୍ତି। ବିଜେଡି ସମେତ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ମଧ୍ୟ ଏହି ପୁସ୍ତିକା ପାଇଛନ୍ତି। ଏହି ନିୟମ ବାହାରେ ଯଦି କିଛି ନିର୍ବାଚନ ପରିଚାଳନା ହୋଇଥାଏ ତାହାହେଲେ ଅନିୟମିତତା ହୋଇଛି ବୋଲି ଅଭିଯୋଗ ଆଣିପାରିବେ। ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ଆଜି ମଧ୍ୟ ସେହିଭଳି ଅଭିଯୋଗ କରିଛି । ଏଭଳି ଅଭିଯୋଗ ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ସାଂସଦ ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।
ଗତ ସାଧାରଣ ନିର୍ବାଚନରେ କୈାଣସି ଅନିୟମିତତା ହେବାର ସ୍ପଷ୍ଟ ପ୍ରମାଣ ବିଜେଡି ପାଖରେ ନାହିଁ । ଭୋଟ ଦେବା ସମୟ ସଂଧ୍ୟା ୬ଘଟିକା ଯାଏ ଥିଲା ଏବଂ ସମ୍ବେଦନଶୀଳ ବୁଥମାନଙ୍କରେ ୫ଘଟିକା ପର୍ଯ୍ୟନ୍ତ ଥିଲା। ଏହି ସମୟସୀମା ବାହାରେ କୌଣସି ବୁଥରେ ଭୋଟ ହୋଇନାହିଁ, ଯାହାର ସାକ୍ଷୀ ଭାବେ ବିଜେଡିର ଏଜେଂଟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି।
ନିର୍ବାଚନ ସରିବାର ୬ମାସ ପରେ ବିଜେଡି ଆଜି ଅଭିଯୋଗ କରିବା କେବଳ ମାତ୍ର ପ୍ରଳାପ ସଦୃଶ । ନିର୍ବାଚନରେ ହାରିଯିବା ଏବଂ କ୍ଷମତାରୁ ହଟିଯିବା ଦୁଃଖକୁ ବିଜେଡି ଦଳ ସହ୍ୟ କରିପାରୁନାହାନ୍ତି । କେବଳ ଲୋକଲୋଚନରେ ରହିବା ପାଇଁ ତାଙ୍କର ବ୍ୟର୍ଥ ପ୍ରୟାସ ଜାରୀ ରଖିଛନ୍ତି । ଅନ୍ୟର ସମୟ ଅଯଥାରେ ନଷ୍ଟ ନକରି ବିଜେଡି ନେତୃବୃନ୍ଦ ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି।

Post a Comment