ଭୁବନେଶ୍ୱର, ୧୧ ଜାନୁଆରୀ ୨୦୨୫
କିଟ୍ ପକ୍ଷରୁ ଶନିବାର ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଟ ଅଫ୍ ଗିଭିଂର ଅନ୍ୟତମ ପ୍ରୟାସ ଭାବେ ଏହି ରକ୍ତଦାନ ଶିବରକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ । ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ଶ୍ରୀ ସାମନ୍ତ କହିଲେ, କିଟ୍ ଓ କିସ୍ ପକ୍ଷରୁ ବାର୍ଷିକ ୬୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି । ଏଥିପାଇଁ କିଟ୍ ଓ କିସ୍ ପକ୍ଷରୁ ବର୍ଷ ତମାମ ଓଡ଼ିଶାର ୩୦ଟି ଜିଲ୍ଲାରେ ଏଭଳି ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯିବ ଓ ସଂଗୃହୀତ ରକ୍ତକୁ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରକୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ସେଥିରୁ କେବଳ କିଟ୍ ଓ କିସ୍ର କର୍ମଚାରୀ ୬ହଜାର ୟୁନିଟ୍ ରକ୍ତଦାନ କରିବେ । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଆର ସି ଦାସ, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ ଯୁଗ୍ମ କୁଳସଚିବ ଡା. ଶ୍ୟାମ ସୁନ୍ଦର ବେଉରା ଏବଂ କିମ୍ସ ମେଡ଼ିକାଲ୍ ଗ୍ରୁପ୍ ଡାଇରେକ୍ଟର ଦିଲ୍ଲୀପ ପଣ୍ଡାଙ୍କ ସମେତ କିଟ୍ ଓ କିମ୍ସର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ କିମ୍ସ ସମେତ ଏସ୍ସିବି ମେଡ଼ିକାଲ୍ କଲେଜ ହସ୍ପିଟାଲ ରକ୍ତ ଭଣ୍ଡାର, କ୍ୟାପିଟାଲ୍ ହସ୍ପିଟାଲ୍ ରକ୍ତଭଣ୍ଡାର, କଟକସ୍ଥିତ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଳଡ଼୍ ବ୍ୟାଙ୍କ, ଭୁବନେଶ୍ୱର ବିଏମ୍ସି ହସ୍ପିଟାଲ୍, ଭୁବନେଶ୍ୱରସ୍ଥିତ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ଦଳ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିର ଶନିବାର ସକାଳୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ କିଟ୍ ଅନୁଷ୍ଠାନ ସମୂହ ଓ କିସ୍ର ପ୍ରାୟ ୩ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ରକ୍ତଦାନ ହୋଇପାରିଛି । ସ୍ୱେଚ୍ଛାକୃତ ରକ୍ତଦାନକାରୀମାନେ ଯେପରି ଶୃଙ୍ଖଳିତର ସହ ରକ୍ତଦାନ କରିପାରିବେ ସେଥିପାଇଁ କିମ୍ସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
.jpeg)
Post a Comment