March 2025

ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୫




ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୫ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଶତପଥୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସେଣ୍ଟ ଜାଭିୟର୍‌ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ତେଜ ତନ୍ମୟ ଦ୍ୱିତୀୟ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଜେବି ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ସଂଗ୍ରାମ ପୁହାଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅପ୍ରେଲ ୧ ତାରିଖରେ ଦିନ ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଏହି ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯିବ । 

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ବାସନ୍ତୀ ମହାନ୍ତି, ସାହିତି୍ୟକ ତଥା ନାବାର୍ଡର ପୂର୍ବତନ ବରିଷ୍ଠ ଅଧିକାରୀ ଶ୍ରୀ ଶଙ୍କର ନାରାୟଣ ମଲ୍ଲିକ ଓ ସାହିତି୍ୟକ ଶ୍ରୀ କୃଷ୍ଣ ନାଏକ ବିଚାରକ ଭାବେ ଯୋଗଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ସୂଚନା ଅଧିକାରୀ ଶ୍ରୀ ଜିତେନ୍ଦ୍ରୀୟ ଜେନା, ପ୍ରମୋଦିନୀ ଟେଟେ ପ୍ରମୁଖ ସହଯୋଗ କରିଥିଲେ ।

ଭୁବନେଶ୍ୱର, ୩୦ମାର୍ଚ୍ଚ ୨୦୨୫




 ଏକ ଉତ୍ସବ ମୁଖରିତ ପରିବେଶରେ ଆଜି ରାଜଭବନରେ ରାଜସ୍ଥାନ ରାଜ୍ୟର ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସୁଖ ସମୃଦ୍ଧି କାମନା କରିଛନ୍ତି। ରାଜଭବନର ପାର୍ଟି ଲନ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ ଭବନରେ ରାଜସ୍ଥାନ ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳନ କରିବା ଏକ ମହାନ ଆନନ୍ଦର ଅବସର। ଇତିହାସ ଓ ପରଂପରାରେ ଗଭୀରଭାବେ ନିହିତ ଏହି ଅବସରଗୁଡ଼ିକ ଆମ ଜାତିର ସାଂସ୍କୃତିକ ବିଶେଷତ୍ୱକୁ ପ୍ରତିଫଳିତ କରୁଛି। “ବିବିଧତା ମଧ୍ୟରେ ଏକତା” ଏବଂ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ଏହା ଅଧିକ ଋଦ୍ଧିମନ୍ତ କରୁଛି । ଆଜି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟର ନୂତନ ବର୍ଷର ଆରମ୍ଭକୁ ଉଗାଡି ଏବଂ ଗୁଡି ପଡ଼ୱା ଭାବେ ପାଳନ କରାଯାଉଛି। ଏହା କୃତଜ୍ଞତାର ସହିତ ନୂତନ ଆରମ୍ଭକୁ ଗ୍ରହଣ କରିବା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ପୁନଃଜାଗରଣ କରିବାର ସମୟ। ଏହା ଆମକୁ ଆନନ୍ଦ ଓ ଆହ୍ୱାନକୁ ଗ୍ରହଣ କରିବାକୁ ଶିଖାଏ ବୋଲି ରାଜ୍ୟପାଳ କହିଥିଲେ। ସେହିପରି ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକାଂଶରେ ବ୍ୟାପକ ଭାବରେ ପାଳିତ ହେଉଥିବା ଗୁଡି ପଡ଼ୱା ସମୃଦ୍ଧି ଏବଂ ସୌଭାଗ୍ୟର ବାର୍ତ୍ତା ଦିଏ, ଲୋକମାନଙ୍କୁ ନୂତନ ସଂକଳ୍ପ ସହିତ ନୂତନ ବର୍ଷରେ ପାଦ ଦେବା ପାଇଁ ପ୍ରେରଣା ଦିଏ ବୋଲି କହିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ଭାରତ ପର୍ବ ପର୍ବାଣୀର ଦେଶ ଏବଂ ପ୍ରତ୍ୟେକ ପର୍ବପର୍ବାଣୀ ଏକତାର ଆତ୍ମା ବହନ କରେ। ଆମେ ଯେଉଁଠାରୁ ଆସିଥିଲେ ମଧ୍ୟ ଆମେ ସମସ୍ତେ ଗୋଟିଏ ମହାନ ରାଷ୍ଟ୍ରର ଅଂଶ ବୋଲି ଏହା ମନେ ପକାଇ ଦିଏ। ଆମର ପରଂପରା ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ଆମର ଆକାଂକ୍ଷା ସମାନ - ସମସ୍ତଙ୍କ ପାଇଁ ଶାନ୍ତି, ପ୍ରଗତି ଓ ସମୃଦ୍ଧି। ଏତଦ୍‌ବ୍ୟତୀତ ରାଜସ୍ଥାନର ପ୍ରତିଷ୍ଠା ଦିବସ ପ୍ରସଙ୍ଗରେ ରାଜ୍ୟପାଳ କହିଥିଲେ ଯେ, ଇତିହାସକୁ ଗଢ଼ି ତୋଳିଥିବା ସାହାସୀ ରାଜପୁତ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ଏହାର ଦୁର୍ଗ ଏବଂ ପ୍ରାସାଦର ମହିମା ପର୍ଯ୍ୟନ୍ତ ତଥା ଭାରତର ଐତିହ୍ୟ ପ୍ରତି ରାଜସ୍ଥାନର ଅବଦାନ ଅପାର। ବୀରତ୍ୱ, ସମୃଦ୍ଧ କଳା ପରଂପରା ଏବଂ ମହିମା ପାଇଁ ଜଣାଶୁଣା ରାଜସ୍ଥାନ ଭାରତର ସାଂସ୍କୃତିକ ଏବଂ ଅର୍ଥନୈତିକ ଦୃଶ୍ୟପଟରେ ଉଲ୍ଲେଖନୀୟ ଅବଦାନ ଦେଇଛି। ରାଜସ୍ଥାନ ଏବଂ ଓଡ଼ିଶା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ରାଜ୍ୟ ସେମାନଙ୍କର ସମୃଦ୍ଧ ଇତିହାସ, ସ୍ଥାପତ୍ୟ, ଆଧ୍ୟାତ୍ମିକ ପରଂପରା, ଲୋକ ସଂସ୍କୃତି ପାଇଁ ଅନନ୍ୟ । ଖାଟୁ ର ଶ୍ୟାମବାବାଙ୍କ ପ୍ରତି ରାଜସ୍ଥାନର ଭକ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଓଡ଼ିଶାର ଅଟଳ ବିଶ୍ୱାସରେ ପ୍ରତିଫଳିତ ହୁଏ। ଏହା ଉଭୟ ରାଜ୍ୟର ଆଧ୍ୟାତ୍ମିକ ସମୃଦ୍ଧିକୁ ଉଜ୍ଜଳ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶା ସର୍ବଦା ସାରା ଦେଶରୁ ଲୋକଙ୍କୁ ସମ୍ମାନ ଓ ଶ୍ରଦ୍ଧାର ସହିତ ସ୍ୱାଗତ କରୁଛି। ରାଜସ୍ଥାନର ଅନେକ ମୂଳ ବାସିନ୍ଦା ଓଡ଼ିଶାକୁ ନିଜର ଘର କରିଛନ୍ତି ଏବଂ ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ଶିକ୍ଷା, ସମାଜସେବା ଆଦି କ୍ଷେତ୍ରରେ ନିୟୋଜିତ ହୋଇ ରାଜ୍ୟର ଅଭିବୃଦ୍ଧି ଓ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ରାଜ୍ୟର ମାନ୍ୟବର ଫାଷ୍ଟ୍ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟପାଳଙ୍କ ଏ.ଡି.ସି. କୁଲଦୀପ ମୀନା ମଧ୍ୟ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୋଲିସ୍ ଡିଜି ୱାଇ.ବି. ଖୁରାନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉକ୍ତ ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ କଳା / ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ଏବଂ ବିଭିନ୍ନ ରାଜ୍ୟର ବ୍ୟକ୍ତି / ଛାତ୍ରଛାତ୍ରୀ ଓଡ଼ିଶା ଏବଂ ନିଜ ନିଜ ରାଜ୍ୟ ସଂପର୍କରେ ଅଭିଜ୍ଞତା ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୫



ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ମହାମହୀମ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ। 

ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ନାରୀ ନ୍ୟାୟ ପାଇଁ କ୍ରମାଗତ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ମହିଳାମାନଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବିଧାନସଭାରେ କଂଗ୍ରେସ ନେତୃବୃନ୍ଦ ଗୃହ କମିଟି ଦାବି କରିଆସୁଥିବା ବେଳେ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ କଂଗ୍ରେସ ବିଧାୟକ ମାନଙ୍କୁ ଆକ୍ରମଣ କରିବା ସହିତ ବିଧାନ ସଭାର ଅଧ୍ୟକ୍ଷାଙ୍କ ଉପରେ ଚାପ ପ୍ରୟୋଗ କରି କଂଗ୍ରେସ ବିଧାୟକ ମାନଙ୍କୁ ଗୃହର ନିଲମ୍ବନ କରାଗଲା। ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି, ଶ୍ରୀକାନ୍ତ ଜେନା, ରାଜନ ଏକ୍କା, ଦାସରଥି ଗମାଙ୍ଗୋ, ଶରତ ରାଉତ, ଦେବାଶିଷ ପଟ୍ଟନାୟକ, ଓ ପବିତ୍ର ସାଉଂଟା ଙ୍କ ସମେତ ଅନ୍ୟ ବିଧାୟକମାନେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରାଞ୍ଜଳ ଭାବରେ ମହାମହୀମ ରାଜ୍ୟପାଳଙ୍କୁ କହିଥିଲେ। ଗତ ଗୁରୁବାର ଦିନ ବିଧାନସଭା କାର୍ଯ୍ୟକ୍ରମରେ ପୋଲିସ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଅମାନୁଷିକ ଭାବରେ ଯେଉଁଭଳି ମାଡ଼ମାରି ଲହୁ ଲୁହାଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ପୋଲିସର ଏଭଳି ହିଂସ୍ର ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ସଂପୂଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି। ପୋଲି କାହିଁକି ଛାତି, ପିଠି ଓ ମୁଣ୍ଡକୁୂ ଲାଠି ପ୍ରହାର କଲା ଏହା କ’ଣ ଆଇନ ସମ୍ମତ କି? ପୋଲିସ, ଡିଜି ସଂପୂର୍ଣ୍ଣ ଭିଡିଓକୁ ଦେଖନ୍ତୁ କାହା ନିର୍ଦ୍ଦେଶରେ ହଠାତ ଲାଠି ଚାର୍ଜ କରାଗଲା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୋଲିସ ମହାନିର୍ଦ୍ଦେଶକଙ୍କ ଆଚରଣ ଓ ଉଚାରଣକୁ ରାଜ୍ୟବାସୀ ନାପସନ୍ଦ କରୁଛନ୍ତି।

ରାଜ୍ୟରେ ୯ ମାସ ଭିତରେ ମହିଳାମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସଂପୂର୍ଣ୍ଣ ତଥ୍ୟ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପାତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତିସ। ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ଦଳକୁ ଗୃହ କମିଟି ଗଠନ କରିବାପାଇଁ ପ୍ରତିଶୃତି ଦେବା ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ଖୁବଶୀଘ୍ର ନିଷ୍ପତି ନେବେ ବୋଲି କହିଛନ୍ତି। ବିଧାୟକମାନଙ୍କ ନିଲମ୍ବନ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କାଡରାକା ଆପାଲାସ୍ୱାମୀ, ସୋଫିଆ ଫିର୍ଦ୍ଦୋଶ, ପ୍ରଫୁଲ ପ୍ରଧାନ, ସସ୍ମିତା ବେହେରା, ସୁଧାଂଶୁ ଦେଓ, ରଜନୀ ମହାନ୍ତି ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୫




ଜଳ ଉପଲବ୍ଧତା ସମ୍ପର୍କିତ ସୂଚନା ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଗ୍ରୀଷ୍ଣ ପ୍ରବାହ ମୁକାବିଲା ସଂପର୍କିତ  ମାର୍ଗ ଦର୍ଶିକା ପାଳନ ସହ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ ସଂପ୍ରତି ଚଳିତ ଗ୍ରୀଷ୍ମ ଋତୁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କିପରି ପ୍ରସ୍ତୁତି କରାଯାଇଛି ଓ ଏହା ଜାରି ରହିଛି, ସେ ସଂପର୍କରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ   ୨୦୨୫ ପାଇଁ ଗ୍ରୀଷ୍ମ ପ୍ରବାହର ପ୍ରସ୍ତୁତି, ପ୍ରଶମନ ଏବଂ ପରିଚାଳନା ସମ୍ପର୍କିତ ଅନୁଷ୍ଠିତ  ଏହି  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ଉନ୍ନୟନ  କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଂଜନ କୁମାର ସିଂ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ  

ଚଳିତ ବର୍ଷ  ଗ୍ରୀଷ୍ମ ପ୍ରବାହର  ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ମାର୍ଚ୍ଚ ୧୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଓ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା   ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସିଂ  ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ   ସଂପର୍କରେ ସବିଶେଷ  ଉପସ୍ଥାପନ କରିଥିଲେ   

ମୁଖ୍ୟ ଶାସନ ସଚିବ  କହିଥିଲେ ଯେ ଗ୍ରୀଷ୍ଣ ମୁକାବିଲା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳେ ନିୟମିତ ତଦାରଖ କରନ୍ତୁ ।  ବିଭିନ୍ନ ଜିଲ୍ଲାରେ ଜଳର ଉପଲବ୍ଧତା ବିଶେଷ କରି ପାନୀୟ ଜଳର ସ୍ଥିତି କିପରି ରହିଛି , ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେଥିପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଜିଲ୍ଲାଓ୍ୱାରୀ ସମୀକ୍ଷା କରିଥିଲେ । ପଂଚାୟତ ସ୍ତରରୁ ନିୟନିତ ସୂଚନା ସଂଗ୍ରହ କରିବାକୁ କୁହାଯାଇଛି । ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀମାନଙ୍କୁ  ପଂଚାୟତସ୍ତରରେ ଓ  ବ୍ଲକ ସ୍ତରରେ ସ୍ଥିତି ଅନୁଧ୍ୟାନ ଓ ଗ୍ରୀଷ୍ଣ ପ୍ରବାହ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଝାରସୁଗୁଡା, ସମ୍ବଲପୁର,ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଆଦି ବିଭିନ୍ନ ଜିଲ୍ଲାରେ ପାନୀୟ ଜଳର ସ୍ଥିତି ଏବଂ ଗ୍ରୀଷ୍ମ ମୁକାବିଲା ପରିଚାଳନା ସଂପର୍କରେ  ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ ଗ୍ରୀଷ୍ଣ ପ୍ରବାହ ମୁକାବିଲା ପାଇଁ ରହିଥିବା ମାର୍ଗଦର୍ଶିକା  ବା ଏସଓପିକୁ  କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ଣ ପରିଚାଳନାକୁ ସଫଳତାର ସହିତ ମୁକାବିଲା କରି ଶୂନ ମୃତାହତ ପାଇଁ  ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଆପାତକାଳୀନ ଅଧିକାରୀମାନେ ଜିଲ୍ଲାର ସ୍ଥିତି ସଂପର୍କରେ ନିୟମିତଭାବେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ   ଭାରତୀୟ  ପାଣିପାଗ ବିଭାଗ , ଭୁବନେଶ୍ୱର ଆଂଚଳିକ କେନ୍ଦ୍ର  ନିର୍ଦ୍ଦେଶିକା  ମାର୍ଚ୍ଚ ମାସରେ ପାଣିପାଗ ବିଭାଗ ତରଫରୁ କରାଯାଇଥିବା ଗ୍ରୀ​ଷ୍ଣ  ପ୍ରବାହ ସଂପର୍କିତ ଆକଳନ,  ପ୍ରକୃତ ଅନୁଭୂତ ଏବଂ ଆଗାମୀ ଅପ୍ରେଲ ମାସଠାରୁ ଜୁନ  ମାସ ପର୍ଯ୍ୟନ୍ତ ଅନୁଭୂତ ହେବାକୁ ଥିବା ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗ୍ରୀଷ୍ଣକାଳୀନ ପାଣିପାଗ ସ୍ଥିତି ସଂପର୍କରେ ସମ୍ଭାବ୍ୟ ସ୍ଥିତି ଉପସ୍ଥାପନ କରିଥିଲେ   ବିଭିନ୍ନ  ବିଭାଗ  ତରଫରୁ ଜିଲ୍ଲାମାନଙ୍କୁ ଗ୍ରୀଷ୍ମ ପ୍ରଭାବ ମୁକାବିଲା ସଂପର୍କରେ ଏସଓପି ପଠାଯାଇଛି   ତେବେ  ରାଜ୍ୟ ରିଲିଫ କିମଶନରଙ୍କ  ତରଫରୁ ସମସ୍ତ ଏସଓପିକୁ ଏକାଠି କରି  ଏକ ସଂକଳନ ପ୍ରସ୍ତୁତି  କରିବା ଏବଂ ଏହା ସମସ୍ତ ବିଭାଗ ଏବଂ ଜିଳ୍ଲାପାଳମାନଙ୍କୁ  ପଠାଇବା ସହିତ ଗ୍ରୀଷ୍ଣ ମୁକାବିଲା ସମ୍ପର୍କିତ ସୂଚନା ସରବରାହ ପ୍ରକ୍ରିୟାକୁ ଅଧିକ ସମନ୍ୱିତ ଓ ତ୍ୱରାନ୍ୱିତ କରିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ସମନ୍ୱୟରେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ  ପରାମର୍ଶ ଦିଆଯାଇଛି 


ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୫



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗ ପ୍ରବଣତା, ସମସ୍ୟା ସମାଧାନର ସୂତ୍ର ଖୋଜିବା ତଥା ନୂତନତ୍ୱ ପ୍ରବର୍ତନ ଦିଗରେ ଉତ୍ସାହିତ କରିବାକୁ ‘ଏଲସିୟମ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଥିବା ଅଟଳ ଇନୋଭସେନ୍ ସେଂଟର (ଏଇଆଇସି) ସୋଆ ଫାଉଣ୍ଡେସନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ବିଜିନେସ ଡିକୋଡେଡ’ ଓ ‘ଫାଉଣ୍ଡର୍ସ ଏରେନା’ ନାମକ ଦୁଇଟି ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା। 

ଏହି କାର୍ଯ୍ୟକ୍ରମରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୧୦୦ରୁ ଅଧିକ ଦଳରେ ବିଭକ୍ତ ହୋଇ ଅନ୍ତର୍ଭୁକ୍ତ ଥିଲେ। 

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଏବଂ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। 

ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା ଓ କାର୍ଯ୍ୟକୁ ସୋଆର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି ଓ ଅନ୍ୟ ଫ୍ୟାକଲ୍ଟିମାନେ ମୂଲ୍ୟାୟନ କରିଥିଲେ। ଏହି ଫ୍ୟାକଲଟିମାନଙ୍କ ମଧ୍ୟରେ ପ୍ରଫେସର ଅକ୍ଷୟ ବର୍ମା, ଡ. ଭାରତ ଜ୍ୟୋତି ରଞ୍ଜନ ସାହୁ, ଡ. ସିଦ୍ଧାର୍ଥ ଦତ ଏବଂ ଡ. ଅରୁନ୍ଧତି ଲେଙ୍କା ଅନ୍ତର୍ଭୁକ୍ତ ଥିଲେ। 

ଏହାଛଡ଼ା ବିଭିନ୍ନ ଷ୍ଟାର୍ଟଅପ୍‌ର ସ୍ଥାପୟିତା ତଥା ବାଣିଜ୍ୟ କ୍ଷେତ୍ରରେ ନେତୃତ୍ୱ ନେଇଥିବା ଶ୍ରୀ ସୈାମ୍ୟରଞ୍ଜନ ମିଶ୍ର, ଶ୍ରୀ ଦେବୀ ପ୍ରସାଦ ଭୋଳ, ଶ୍ରୀ ସବ୍ୟସାଚୀ ବରାଳ, ଶ୍ରୀ ବିଭୁ ବାହାଲିଆ, ଶ୍ରୀ ଶୁଭେନ୍ଦୁ ମୋହନ ପଣ୍ଡା ଓ ଶ୍ରୀ ବିପ୍ଳବ ପରିଡ଼ା ମଧ୍ୟ ଏହି ମୂଲ୍ୟାୟନ କାର୍ଯ୍ୟରେ ସହାୟତା କରିଥିଲେ। 

ସୋଆର ବିଭିନ୍ନ ଇନକ୍ୟୁବେସନ୍ ଦାୟିତ୍ୱରେ ଥିବା ଶ୍ରୀ ରାଜୀବ କୁମାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ଏକ ସ୍ୱେଚ୍ଛାସେବୀ ଦଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

‘ଫାଉଣ୍ଡର୍ସ ଏରେନା’ ପ୍ରତିଯୋଗିତାରେ ଏଗ୍ରୋ ଫାଷ୍ଟ, ମେଜିକ୍ ଡେଷ୍ଟିନେସନ୍ ଓ ଆର୍ମୋର ଇଙ୍କ ଯଥାକ୍ରମେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବେଳେ ‘ବିଜିନେସ୍ ଡିକୋଡେଡ’ ପ୍ରତିଯୋଗିତାରେ ନେକଷ୍ଟ ଜେନ ଶାର୍କସ, ଟିମ୍ ସାଇଫର ଏବଂ ଡିକୋଡର୍ସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। 

ଏହି ଅବସରରେ ଆଇଟିଇଆର୍ ତଥା ଏଆଇସି ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୫

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଲିକ୍ୟୁଇଡ୍ କ୍ରୋମାଟୋଗ୍ରାଫି-ମାସ ସ୍ପେକ୍ଟ୍ରୋମେଟ୍ରି (ଏଲ୍‌ସିଏମଏସ୍‌) ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲଜି (ଡିବିଟି) ପରିଚାଳିତ ଡିବିଟି ବିଲଡର କାର୍ଯ୍ୟକ୍ରମର ପୃଷ୍ଠପୋଷକତା ତଥା ଶିମାଡଜୁ ଆନାଲିଟିକାଲ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ୬ଟି ଅନୁଷ୍ଠାନର ୨୪ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ। 

କର୍ମଶାଳାଟି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ଦ୍ୱାରା ଆୟୋଜିତ ହୋଇଥିଲା। 

ଏଲ୍‌ସିଏମ୍‌ଏସ୍ ବିଷୟରେ ଗଭୀର ଧାରଣା ସୃଷ୍ଟି କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ରହିଥିଲା। ଶିମାଡଜୁ ଆନାଲିଟିକାଲ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡର ବିଶେଷଜ୍ଞମାନେ ଏହାକୁ ପରିଚାଳନା କରିଥିଲେ। 

ଏହି ସଂସ୍ଥାର ଫିଲ୍ଡ ଟେକ୍ନିସିଆନ୍ ଶ୍ରୀ ରୋହନ ବାରିକ ଓ ସର୍ଭିସ ଇଞ୍ଜିନିୟର ଶ୍ରୀ ଲିଙ୍କନ ବୋଷ ଓ ଏସ୍‌ପିଏସ୍‌ର ହର୍ବାଲ ନାନୋଟେକ୍ନୋଲଜି ଲ୍ୟାବ ପକ୍ଷରୁ ଶ୍ରୀ ଦୀପକ ପ୍ରଧାନ ଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଏହି ଅବସରରେ ଏସପିଏସ୍‌ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏହିଭଳି କର୍ମଶାଳାର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ। କର୍ମଶାଳାର ସଂଚାଳକ ପ୍ରଫେସର ଗୌତମ ରଥ ଗବେଷଣାରେ ଏଲ୍‌ସିଏମ୍‌ଏସ୍‌ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଗୌତମ ଘୋଷ କର୍ମଶାଳାର ପରିଚାଳନା ଦାୟିତ୍ୱରେ ଥିବା ବେଳେ ଡ. ବିଶ୍ୱନାଥ କର ଧନ୍ୟବାଦ ଅର୍ପଣ କରିଥିଲେ। 

କର୍ମଶାଳା ପରିଚାଳନାରେ ଡ. ଜିତୁ ହାଲଦାର, ଡ. ଭିନିତ କୁମାର ରାଏ, ଡ. ପ୍ରିୟଙ୍କା ଦାଶ, ଡ. ଚନ୍ଦନ ଦାସ, ଡ. ବିଭାନ୍ୱିତା ଶତପଥି, ଶ୍ରୀମତି ଆଇଭି ସାହା, ଶ୍ରୀମତି ରିତୁ ମହାନ୍ତି, ଶ୍ରୀ ଅଜିତ ମିଶ୍ର ଓ ଶ୍ରୀ ତୁଷାରକାନ୍ତି ରାଜୱର ସହଯୋଗ କରିଥିଲେ। 

ଏହି କର୍ମଶାଳା ଆୟୋଜନ କିରଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସନ୍ତୋଷ ପ୍ରକାଶ କରି ଏହା ଶିକ୍ଷାର୍ଥୀମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ।


ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୫




  • ୨୦୨୪-୨୫ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ମୋଟ ୩୯.୪୬ କୋଟି ଟଙ୍କା ଲାଭାଂଶ ବାବଦକୁ ପ୍ରଦାନ 

ଆଜି ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ ଏବଂ ରାଜ୍ୟ ସରକାରଙ୍କୁ ଏବଂ ୧୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି ଲୋକସେବା ଭବନରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ନିଗମର ଅଧ୍ୟକ୍ଷା ତଥା ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଏହି ଅନ୍ତରୀଣ ଲାଭାଂଶ ରାଶି ଏବଂ ଅନୁଦାନ ଚେକ୍ ଆକାରରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ଏହି ଅବସରରେ ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ମୁଖ୍ୟ ପରିଚାଳକ ଶ୍ରୀ ମାନସ ରଞ୍ଜନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ   


ପ୍ରକାଶ ଥାଉକି, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ପାନୀୟ ନିଗମ ତରଫରୁ  ଅବକାରୀ କର ବାବଦରେ ,୬୨୨.୧୬ କୋଟି ଟଙ୍କା ଏବଂ ମୂଲ୍ୟଯୁକ୍ତ କର(ଭାଟ୍) ବାବଦରେ ,୨୩୪.୨୧ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପାନୀୟ ନିଗମ ତରଫରୁ  ଲାଭାଂଶ ବାବଦରେ ୧୪.୪୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆଜି ଦିଆଯାଇଥିବା ୨୫ କୋଟି ଟଙ୍କାର  ଅନ୍ତରୀଣ ଲାଭାଂଶକୁ ମିଶାଇ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ମୋଟ ୩୯.୪୬ କୋଟି ଟଙ୍କା ଲାଭାଂଶ ବାବଦକୁ ପ୍ରଦାନ କରାଯାଇଛି । 


Powered by Blogger.
Javascript DisablePlease Enable Javascript To See All Widget