loading...

ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଟ୍ରେନିଙ୍କୁ ରାଜ୍ୟପାଳଙ୍କ ପରାମର୍ଶ :-ପ୍ରଶାସନିକ ଅଧିକାରୀଭାବେ ସରକାରୀ ଯୋଜନା ସଂପର୍କରେ ପ୍ରଥମେ ଜାଣିବା ନିତାନ୍ତ ଜରୁରୀ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୫




ଜନସାଧାରଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ତଥା ସେମାନଙ୍କର ହିତ ଉଦ୍ଦେଶ୍ୟରେ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ ସହିତ କାର୍ଯ୍ୟକ୍ରମମାନ ଆରମ୍ଭ କରିଥାନ୍ତି। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କିପରି ସାଧିତ ହୋଇପାରିବ ତାହା ସୁନିଶ୍ଚିତ କରିବାର ଦାୟିତ୍ୱ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କର। କିନ୍ତୁ ପ୍ରଶାସନିକ ଅଧିକାରୀଭାବେ ପ୍ରଥମେ ସେହି ଯୋଜନା ଯାହା ସାମାଜିକ ସୁରକ୍ଷା, ଜନକଲ୍ୟାଣ କିମ୍ବା ବିକାଶମୂଳକ ତାହା ସଂପର୍କରେ ଅଧିକ ଜାଣିବା, ବୁଝିବା ଦ୍ୱାରା ତାହାର ସୁଫଳ ସଂପର୍କରେ ସେମାନେ ସଠିକ୍ ଭାବେ ଜନସାଧାରଣଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍‌ପାଟି ଓଡ଼ିଶା ପ୍ରଶାସନିକ ସେବାର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଫିସର ଟ୍ରେନିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ରାଜ ଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଓଡ଼ିଶା ରାଜସ୍ୱ ସେବାରୁ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପ୍ରାପ୍ତ ୭୧ ଅଫିସର ଟ୍ରେନି ଓ ପ୍ରତ୍ୟକ୍ଷଭାବେ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା – ୨୦୨୨ ବ୍ୟାଚ୍‌ର ୭୮ ଅଫିସର ଟ୍ରେନି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟପାଳ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସେମାନଙ୍କୁ ନିଜ ମଧ୍ୟରେ ଶିଖିବାର ପ୍ରବୃତ୍ତିକୁ ଜାରି ରଖି ଜ୍ଞାନର ପରିଧିକୁ ବ୍ୟାପକ କରି ଦୃଢ଼ ଆତ୍ମ ବିଶ୍ୱାସର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ କହିଥିଲେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପରି ସାମାଜିକ ସୁରକ୍ଷା ଯୋଜନାର ଉପକାରିତା ଓ ଉପଯୋଗିତା, ସୌର ଶକ୍ତିର ବ୍ୟାପକ ବ୍ୟବହାର ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଦ୍ୱାରା ଶକ୍ତି ସଂରକ୍ଷଣ, ଇଲେକ୍ଟ୍ରିକ୍ ଯାନର ବ୍ୟବହାର ନିମନ୍ତେ ସରକାରୀ ପ୍ରୋତ୍ସାହନ ଯାହା ଦ୍ୱାରା ପେଟ୍ରୋଲ ଆଦି ଇନ୍ଧନର ଆମଦାନୀ ରାଶି ହ୍ରାସ କରାଯାଇପାରିବ ଓଏଲ୍ ପାମ୍ ମିଶନ ଦ୍ୱାରା ଖାଇବା ତେଲ ଉତ୍ପାଦନ ବୃଦ୍ଧି ସହିତ ଆତ୍ମ ନିର୍ଭର ହେବା ଉପରେ ଜୋର୍ ଦିଆଯାଇଛି ଓ ଏ ଦିଗରେ ପ୍ରଶାସନିକ ଅଧିକାରୀଭାବେ ନିଜେ ବିଶଦ ଭାବେ ଜାଣିବା ସହିତ ଜନସାଧାରଣ ଯେପରି ଏହାର ସୁଫଳ ପାଇପାରିବେ ସେଥିପାଇଁ ଯତ୍ନଶୀଳ ହେବା ଉଚିତ୍ ବୋଲି ରାଜ୍ୟପାଳ କହିଥିଲେ। ସେହିପରି ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ଜାଣିବା ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟଧାରା ସଂପର୍କରେ ଅବଗତ ହେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ବିଭିନ୍ନ ଅଂଚଳର ବିଶେଷତ୍ୱ, ଅଭିନବ ପ୍ରୟାସ, ଜୀବନ-ଜୀବିକା ସଂପର୍କରେ ସର୍ବଦା ଅପ୍‌ଡେଟ ରହିବା ପାଇଁ ଦୈନିକ ସମ୍ବାଦପତ୍ର, ନ୍ୟୁଜ୍ ଚ୍ୟାନେଲର ବ୍ୟବହାର ସହିତ ପଢ଼ିବାର ଆଗ୍ରହକୁ ଜାଗ୍ରତ ରଖିବା ପାଇଁ ରାଜ୍ୟପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ସଫଳତା ସହିତ ଆହ୍ୱାନ ସଂପର୍କିତ ଏକ ବୁକ୍‌ଲେଟ୍ ପ୍ରକାଶନ କରି ତାହା ପ୍ରଶିକ୍ଷଣ ଗ୍ରହଣ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଉପଲବ୍ଧ କରିବାକୁ କହିଥିଲେ। ଏହି ଅବସରରେ ରାଜ୍ୟପାଳ ଅଧିକାରୀମାନଙ୍କ ସଫଳ ଭବିଷ୍ୟତ କାମନା କରିଥିଲେ।

ଏହି ସାକ୍ଷାତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଡ଼କ୍ଟର ମୋନାଲିସା ଲେଙ୍କା ଏକାଡ଼େମୀ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଅଫିସର୍ସଟ୍ରେନିଙ୍କ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅଫିସର୍ସଟ୍ରେନିଙ୍କ ପକ୍ଷରୁ ଶ୍ରୀ ବିକାଶ କୁମାର ସାହୁ, ସାୟେଦା ନାୟେଲା, ଦିବ୍ୟ ରଂଜନ ବିଶ୍ୱାଳ ଓ ମଧୁସ୍ମିତା ବିଶି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ ରାଜପୁତ ଉପସ୍ଥିତ ଥିଲେ। ଶେଷରେ ଅଫିସସର୍ସ ଟ୍ରେନିଙ୍କ ପକ୍ଷରୁ ଆକାଂକ୍ଷା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକାଡେମୀର ଅଧିକାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget