loading...

ପ୍ରବୀଣ ରାଜନେତା ସ୍ୱର୍ଗତଃ ଡା. ଦେବେନ୍ଦ୍ର ପ୍ରଧାନ ଭବିଷ୍ୟତ ପୀଢ଼ି ପାଇଁ ପ୍ରେରଣାର ଆଲୋକବର୍ତ୍ତିକା ହୋଇ ରହିବେ – ରାଜ୍ୟପାଳ

ଭୁବନେଶ୍ୱର, ୨୬ ମାର୍ଚ୍ଚ ୨୦୨୫




ପ୍ରବୀଣ ରାଜନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତଃ ଡା. ଦେବେନ୍ଦ୍ର ପ୍ରଧାନ ଭବିଷ୍ୟତ ପୀଢ଼ି ପାଇଁ ସର୍ବଦା ପ୍ରେରଣାର ଆଲୋକବର୍ତ୍ତିକା ହୋଇ ରହିବେ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି।
ଆଜି ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ମରଣିକା “ସିଦ୍ଧ ପୁରୁଷ”ର ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଏହା କହିଛନ୍ତି । ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସ୍ମରଣିକା “ସିଦ୍ଧ ପୁରୁଷ” ବରେଣ୍ୟ ରାଜନେତା ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କର କେବଳ ଏକ ସ୍ମୃତି ନୁହେଁ, ବରଂ ଏହା ଜଣେ ଜ୍ଞାନୀ, ଦୃଢ଼ ପ୍ରତିଜ୍ଞ, କର୍ମ ଉପରେ ବିଶ୍ୱାସ କରୁଥିବା ଏବଂ ନିଃସ୍ୱାର୍ଥପର ସେବା କରୁଥିବା ତଥା ନେତୃତ୍ୱ ନେଉଥିବା ବ୍ୟକ୍ତିତ୍ୱଙ୍କ ସଫଳଯାତ୍ରାର ପ୍ରତିଲିପି । ସ୍ୱର୍ଗତଃ ପ୍ରଧାନଙ୍କର ଜୀବନ କାହାଣୀ ଆମକୁ ସମର୍ପଣ, ଦୃଢ଼ତା ଏବଂ ବୃହତ୍ତର ମଙ୍ଗଳ ପାଇଁ କାର୍ଯ୍ୟ କରିବାର ଏକ ନିରନ୍ତର ସଂକଳ୍ପ ନେବାକୁ ପ୍ରେରଣା ଦେବ। ଡା. ପ୍ରଧାନଙ୍କଠାରେ ଜଣେ ଯଥାର୍ଥ ରାଜନେତାଙ୍କ ଗୁଣ ଥିଲା, ଯିଏ ସର୍ବୋପରି ଲୋକଙ୍କ କଲ୍ୟାଣକୁ ଜୀବନର ବ୍ରତ ଭାବି ଥିଲେ। ଜଣେ ଉତ୍ସର୍ଗୀତୃତ ଡାକ୍ତର ଭାବରେ ତାଙ୍କ ସେବା ଜୀବନର ପ୍ରାରମ୍ଭିକ ବର୍ଷମାନଙ୍କରେ ମାନବ ସମାଜ ପ୍ରତି ସମ୍ବେଦନଶୀଳତା ଓ ପ୍ରତିବଦ୍ଧତା ପ୍ରଦର୍ଶିତ ହୋଇଥିଲା। କିନ୍ତୁ ତାଙ୍କର ଦୃଷ୍ଟିକୋଣ ଡାକ୍ତରଖାନା କାନ୍ଥର ବାହାରେ ବିସ୍ତାରିତ ଥିଲା। ଏକ ମହାନ କର୍ତ୍ତବ୍ୟର ଡାକରାରେ ସେ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ ଯେଉଁଠାରେ ସେ ଡାକ୍ତରୀ ସେବା ସମ ନିଷ୍ଠାର ସହ ସେବା ଜାରି ରଖିଥିଲେ। ସାଂସଦ ଭାବରେ ଜାତୀୟସ୍ତରରେ ଜନସାଧାରଣଙ୍କ ଆକାଂକ୍ଷାକୁ ସମର୍ଥନ କରି ସେମାନଙ୍କର ସ୍ୱର ପାଲଟିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀ ଭାବେ ଡା. ପ୍ରଧାନଙ୍କର ପରିବର୍ତନକାରୀ ପଦକ୍ଷେପ ଉଲ୍ଲେଖନୀୟ ଥିଲା। ଓଡିଶା ପ୍ରତି ଡା. ପ୍ରଧାନଙ୍କର ଅବଦାନ ସୁଦୂରପ୍ରସାରୀ ଥିଲା। ରାଜ୍ୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ, ଉନ୍ନତି ସଂଯୋଗୀକରଣ ବ୍ୟବସ୍ଥା, ଚାଷୀମାନଙ୍କର ଉନ୍ନତି ପାଇଁ କୃଷି ସଂସ୍କାରକୁ ପ୍ରୋତ୍ସାହିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ରାଜ୍ୟପାଳ କହିଥିଲେ। ଜଣେ ମାର୍ଗଦର୍ଶକ, ପ୍ରେରଣାର ଉତ୍ସ, ଜନ କଲ୍ୟାଣ ପାଇଁ ସମର୍ପଣ ଭାବ ପାଇଁ ଡା. ପ୍ରଧାନ ସର୍ବଦା ସ୍ମରଣୀୟ ରହିବେ ଏବଂ ତାଙ୍କର ସୁପୁତ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଡା. ପ୍ରଧାନଙ୍କର ଦୃଷ୍ଟିକୋଣ ଓ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି ବୋଲି ରାଜ୍ୟପାଳ କହିଥିଲେ। 
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ପ୍ରବୀଣ ରାଜନେତା ବିଶ୍ୱ ଭୂଷଣ ହରିଚନ୍ଦନ ଉଦ୍‌ବୋଧନ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ପ୍ରଧାନଙ୍କର ଆଦର୍ଶ, ସେବା ମନୋଭାବ ଓ ଓଡ଼ିଶା ପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ସହ ଥିବା ସଂପର୍କର ସ୍ମୃତି ଚାରଣ କରିଥିଲେ। ସ୍ୱତନ୍ତ୍ର ଅତିଥିଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟ ସୌମରଂଜନ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରି ଡା. ପ୍ରଧାନଙ୍କର ଅନନ୍ୟ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ, ଗୁଣାବଳୀ ଏବଂ ଓଡ଼ିଶା ତଥା ଦେଶ ପ୍ରତି ଅବଦାନ ସଂପର୍କରେ ଅବତାରଣା କରିଥିଲେ। ସ୍ୱତନ୍ତ୍ର ଅତିଥିଭାବେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ପ୍ରକାଶକ ଗଙ୍ଗାଧର ତ୍ରିପାଠୀ ବକ୍ତବ୍ୟ ପ୍ରଦାନ କରିଥିଲେ। 
 
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget