loading...

ରାଜଭବନରେ ଓଡ଼ିଶା ଦିବସ ପାଳିତ ଓଡ଼ିଶାର ଯୁବ ପୀଢ଼ି ଏହାର ଭବିଷ୍ୟତର ପ୍ରକୃତ ସ୍ଥପତି – ରାଜ୍ୟପାଳ

ଭୁବନେଶ୍ୱର, ୦୧ ଏପ୍ରିଲ୍ ୨୦୨୫



ଓଡ଼ିଶାର ଯୁବ ପୀଢ଼ି ରାଜ୍ୟର ଭବିଷ୍ୟତର ପ୍ରକୃତ ସ୍ଥପତି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ରାଜଭବନରେ ଆୟୋଜିତ ଓଡ଼ିଶା ଦିବସ ପାଳନ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିବା ସହିତ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଠନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଅଧିକ ଦୃଢ କରିବାକୁ ଆହ୍ୱାନ ଜଣାଇଛନ୍ତି। ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀ ଏବଂ ବାହାରେ ରହୁଥିବା ଓଡିଆମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶା ଦିବସ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ। ଏହା ଏପରି ଏକ ଦିନ ଯେତେବେଳେ ରାଜ୍ୟର ଗୌରବମୟ ଅତୀତକୁ କେବଳ ସ୍ମୃତିଚାରଣ କରାଯାଏ ନାହିଁ, ଏହା ସହିତ ବର୍ତ୍ତମାନ ଏବଂ ପ୍ରତିଶ୍ରୁତିବଦ୍ଧ ଭବିଷ୍ୟତ ମଧ୍ୟ ଚିନ୍ତା କରାଯାଏ। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଅନନ୍ୟ ଅବଦାନ ରଖିଥିବା ଓଡ଼ିଶାର ସୁଯୋଗ୍ୟ ସନ୍ତାନମାନଙ୍କୁ ରାଜ୍ୟପାଳ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡିଶାର ସେବା କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରନ୍ତି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ। ରାଜ୍ୟପାଳ କହିଥିଲେ ଯେ ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଦ୍ୱାରା ପ୍ରତିପାଦିତ ସାଂସ୍କୃତିକ ଐତିହ୍ୟ ସମଗ୍ର ବିଶ୍ୱକୁ ପ୍ରେରଣା ଦେଇଚାଲିଛି। ଓଡ଼ିଶାର ଚମତ୍କାର ହସ୍ତତନ୍ତ, ଜନଜାତି କଳା ଏବଂ ସମୃଦ୍ଧ ଲୋକ କଳା ପରଂପରା ରାଜ୍ୟର ପରିଚୟକୁ ସ୍ୱତନ୍ତ୍ର କରିଛି। ବର୍ତ୍ତମାନ ଓଡ଼ିଶା କେବଳ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଭୂମି ନୁହେଁ, ଏହା ବର୍ତ୍ତମାନ ଅପାର ସମ୍ଭାବନାର ଭୂମି। ଏହାର ଅବସ୍ଥିତି, ବିଶାଳ ପ୍ରାକୃତିକ ସଂପଦ, ମାନବ ସମ୍ବଳ ପାଇଁ ଓଡ଼ିଶା ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଭାବେ ଉଭା ହୋଇଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ରାଜ୍ୟର ବିପୁଳ ଶିଳ୍ପ ସମ୍ଭାବନାକୁ ପ୍ରଦର୍ଶନ କରିଛି ଏବଂ ବିଭିନ୍ନ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିଛି। ପ୍ରବାସୀ ଭାରତୀୟ କନକ୍ଲେଭ୍ ଓଡ଼ିଶାର ବିଶ୍ୱସ୍ତରୀୟ ସଂଯୋଗକୁ ସୁଦୃଢ଼ କରିଛି ଏବଂ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରତିଭା ବିନିମୟ ପାଇଁ ରାସ୍ତା ଖୋଲିଛି। ଏସବୁ ପଦକ୍ଷେପ ଓଡ଼ିଶାକୁ ପୂର୍ବର ପ୍ରବେଶ ପଥରେ ରୂପାନ୍ତରିତ କରୁଛି ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିର ପ୍ରମୁଖ ବାହକଭାବେ ଉପସ୍ଥାପିତ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଏତଦ୍‌ବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶାରେ ବନ୍ଦର, ରାଜପଥ ଏବଂ ସ୍ମାର୍ଟ ସିଟି ବିସ୍ତାର ହେଉଛି। ପର୍ଯ୍ୟଟନ ଶିଳ୍ପ ବିଶ୍ୱସ୍ତରୀୟ ସ୍ମୀକୃତି ହାସଲ କରୁଛି। ଓଡ଼ିଶା ଶିଳ୍ପାୟନରେ ଉତ୍କର୍ଷ ହାସଲ କରୁଥିବା ବେଳେ ସମାବେଶୀ ବିକାଶ ମଧ୍ୟ ସୁନିଶ୍ଚିତ କରାଯିବା ଆବଶ୍ୟକ ଯାହା ଦ୍ୱାରା ଏହାର ଲାଭ ପ୍ରତ୍ୟେକ ନାଗରିକ ପାଖରେ ପହଂଚି ପାରିବ ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ପ୍ରକୃତ ଶକ୍ତି ହେଉଛି ଏହାର ଲୋକମାନେ, ଯେଉଁମାନେ ଦୃଢ଼ ପ୍ରତିଜ୍ଞ, ପରିଶ୍ରମୀ ଏବଂ ଆଗୁଆ ଚିନ୍ତାଧାରା ସଂପନ୍ନ। ସ୍ଥିରତା, ସକ୍ରିୟ ଶାସନ, ନବ ସୃଜନ ଓଡ଼ିଶାକୁ ବିଶ୍ୱର ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଆଡକୁ ଆଗେଇ ନେଉଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ଯୁବପୀଢ଼ିଙ୍କର ଶକ୍ତି, ପ୍ରତିଭା ଏବଂ ଆକାଂକ୍ଷା ନୂଆ ସମ୍ଭାବନାକୁ ଆକାର ଦେଉଛି। ଦକ୍ଷତା ବିକାଶ, ଉଦ୍ୟମିତା ଏବଂ ଡଜିଟାଲ ରୂପାନ୍ତରଣ ଉପରେ ସରକାରଙ୍କ ଗୁରୁତ୍ୱ ଯୁବମାନସକୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ ଦିଗରେ ସଶକ୍ତ କରୁଛି। ଓଡ଼ିଶାର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ସମୃଦ୍ଧ ହେଉଛି ଏବଂ ମହିଳାମାନଙ୍କ ନେତୃତ୍ୱରେ ଉଦ୍ୟୋଗଗୁଡ଼ିକର ଉତ୍‌ଥାନ ସମାବେଶୀ ଅଭିବୃଦ୍ଧିର ପ୍ରମାଣ ଅଟେ ବୋଲି ରାଜ୍ୟପାଳ କହିବା ସହିତ କେବଳ ବିକଶିତ ନୁହେଁ ବରଂ ଓଡ଼ିଶାକୁ ଉତ୍କର୍ଷ, ନବସୃଜନ ଏବଂ ନେତୃତ୍ୱର ଏକ ଆଲୋକ ବର୍ତ୍ତିକା ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ। ଓଡ଼ିଶାର ମାନ୍ୟବର ଫାଷ୍ଟଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ସମାରୋହରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଅଧ୍ୟାପକ ବିଶ୍ୱରଂଜନ ନିଜ ବକ୍ତବ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନର ଇତିବୃତ୍ତି, ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ, ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ଆହ୍ୱାନ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବାବେଳେ ସମ୍ମାନନୀୟ ଅତିଥିଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି, ପ୍ରିନ୍‌ସିପାଲ ଏକାଉଂଟାଂଟ ଜେନେରାଲ (ଏ ଆଣ୍ଡ ଇ), ଡି. ସାହୁ, କଷ୍ଟମସ୍ କମିଶନର ମାଧବ ଚନ୍ଦ୍ର ମିଶ୍ର ପ୍ରମୁଖ ଓଡ଼ିଶା ଦିବସ ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ୍ ଡିଜି ୱାଇ.ବି. ଖୁରାନିଆ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

 


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget