loading...

ରାଜଭବନରେ ବାବାସାହେବ ଡ. ଆମ୍ବେଦକର ଜୟନ୍ତୀ ପାଳିତ ବାବାସାହେବ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ବାବାସାହେବଙ୍କ ତ୍ୟାଗ ଓ ଆଦର୍ଶ ଦେଶ ପାଇଁ ସର୍ବଦା ଆଲୋକବର୍ତ୍ତିକା ହୋଇ ରହିବ – ରାଜ୍ୟପାଳ

ଭୁବନେଶ୍ୱର, ୧୪ ଏପ୍ରିଲ୍ ୨୦୨୫




ଭାରତର ମହାନ୍ ସମ୍ବିଧାନର ଜନକ ଭାରତ ରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ତ୍ୟାଗ ଓ ଆଦର୍ଶ ଦେଶ ପାଇଁ ସର୍ବଦା ଆଲୋକବର୍ତ୍ତିକା ହୋଇ ରହିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ରାଜଭବନର ଅଭିଷେକ ହଲ୍‌ଠାରେ ଡ. ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଯୋଗଜନ୍ମା ବାବାସାହେବ ଡ. ଆମ୍ବେଦକର ନବ ଭାରତର ଅନ୍ୟତମ ନିର୍ମାତା ଓ ଭାରତର ମହାନ ସମ୍ବିଧାନର ଜନକ। ଚିଠା କମିଟିର ଅଧ୍ୟକ୍ଷ ଭାବେ ବିଶ୍ୱର ସର୍ବବୃହତ ସମ୍ବିଧାନ ପ୍ରଣୟନରେ ତାଙ୍କର ବିଗବତ୍ତା, ତ୍ୟାଗ, ନିଷ୍ଠା ଓ ସମର୍ପଣ ତାଙ୍କୁ ଚିର ଅମର କରି ରଖିବ। ତତ୍କାଳୀନ ସମାଜରେ ରହିଥିବା ଅସମାନତା, ଅସ୍ପୃଶ୍ୟତା ଦୂର କରି ଏକ ଭେଦଭାବ ବିହୀନ ସମାଜ ଓ ଦେଶ ଗଠନ ପାଇଁ ଡ. ଆମ୍ବେଦକର ଜୀବନତମାମ ସଂଗ୍ରାମ କରିଥିଲେ। ସାମାଜିକ ବୈଷମ୍ୟକୁ ଦୂର କରି ଏକ ସୁସ୍ଥ ଓ ଭେଦଭାବହୀନ ସମାଜ ଗଠନ ପାଇଁ ସମ୍ବିଧାନରେ ବ୍ୟବସ୍ଥା କରିବାରେ ଡ. ଆମ୍ବେଦକରଙ୍କ ଅବିସ୍ମରଣୀୟ ଭୂମିକା ରହିଥିଲା। ସମାଜର ଦଳିତ ଓ ପଛୁଆ ବର୍ଗଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିବାବେଳେ ଡ. ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ଅନୁସରଣ କରିଥାନ୍ତି ବୋଲି ରାଜ୍ୟପାଳ କହିଥିଲେ। ଡ. ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ସମାଜ ଓ ଦେଶର ପ୍ରଭୁତ ଉନ୍ନତି ସାଧିତ ହୋଇପାରିବ ବୋଲି ରାଜ୍ୟପାଳ ଡ. କମ୍ଭମ୍‌ପାଟି କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ / କର୍ମଚାରୀମାନେ ଯୋଗ ଦେଇଥିଲେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget