loading...

ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୧୩ ଏପ୍ରିଲ୍ ୨୦୨୫




  • ପ୍ରେରଣାଦାୟୀ ହେବା ସହ ଖୋଲା ହୃଦୟରେ ସମସ୍ତଙ୍କୁ ଆପଣେଇଛି ଭୁବନେଶ୍ୱର ନଗର- ରାଜ୍ୟପାଳ
  • ବିକଶିତ ଓଡ଼ିଶାର ଆଦର୍ଶ ରାଜଧାନୀ କରିବା ପାଇଁ ସମସ୍ତେ ମିଳିମିଶି କାମ କରନ୍ତୁ – ରାଜ୍ୟପାଳ 

ଭୁବନେଶ୍ୱର ଏପରି ଏକ ନଗର ଯାହା ପ୍ରେରଣାଦାୟୀ ହେବା ସହ ସମସ୍ତଙ୍କୁ ଖୋଲା ହୃଦୟରେ ଆପଣେଇ ନେଇଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟିକହିଛନ୍ତି। ଚଳିତ ଅପ୍ରେଲ ୧୩ ତାରିଖ ରବିବାର ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳମଣ୍ଡପ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ମହତ୍ୱପୂର୍ଣ୍ଣ ଅବସରରେ ଭୁବନେଶ୍ୱର ତଥା ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭୁବନେଶ୍ୱର ନଗରକୁ ବିକଶିତ ଭାରତରେ ବିକଶିତ ଓଡ଼ିଶାର ଆଦର୍ଶ ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏହି ଦିନଟି କେବଳ ପ୍ରତିଷ୍ଠାର ଉତ୍ସବ ନୁହେଁ, ବରଂ ଏହାର ଯାତ୍ରାକୁ ରୂପ ଦେଇଥିବା ଦୂରଦୃଷ୍ଟିସଂପନ୍ନ ନେତୃବୃନ୍ଦ, ଯୋଜନାକାରୀ, ସ୍ଥପତି ଏବଂ ନାଗରିକଙ୍କ ପ୍ରତି ସମ୍ମାନ ଅଟେ।
୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜଧାନୀ ଘୋଷଣା ହୋଇଥିବା ଭୁବନେଶ୍ୱର ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଏକ ଯୋଜନାବଦ୍ଧ ପ୍ରଶାସନିକ କେନ୍ଦ୍ରଭାବେ ଆରମ୍ଭ ହୋଇଥିବା ଏହି ନଗରୀ ଦଶନ୍ଧି ଦଶନ୍ଧି ଧରି ଏକ କ୍ରିୟାଶୀଳ ଓ ସାଂସ୍କୃତିକ ଭାବରେ ସମୃଦ୍ଧ ନଗରରେ ପରିଣତ ହୋଇଛି - ଯାହା, ଏହାର ଗୌରବମୟ ଅତୀତକୁ ଆଧାର କରି ବିକଶିତ ହେବା ଜାରି ରଖିଛି। ଏକାମ୍ର କ୍ଷେତ୍ର ନାମରେ ପରିଚିତ ଭୁବନେଶ୍ୱରକୁ ମନ୍ଦିରର ସହର ଭାବରେ ବର୍ଣ୍ଣନା କରାଯାଇଥାଏ। କିନ୍ତୁ ଏହା ସମାନ ଭାବରେ ଚିନ୍ତାଧାରା, ପ୍ରତିଭା ଏବଂ ସ୍ଥିରତାର ନଗର। କଳିଙ୍ଗ ସ୍ଥାପତ୍ୟର ସଂରକ୍ଷକ ହେବା ଠାରୁ ବିଶ୍ୱ ଆକାଂକ୍ଷା ସହିତ ଏକ ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତ, ସଂସ୍କୃତି ଏବଂ ଐତିହ୍ୟର କେନ୍ଦ୍ର ହେବାଠାରୁ ଶିକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଶାସନର କେନ୍ଦ୍ର ହେବା ପର୍ଯ୍ୟନ୍ତ ଭୁବନେଶ୍ୱରର ଯାତ୍ରା ପରମ୍ପରା ଏବଂ ଆଧୁନିକତାର ଏକ ଉଲ୍ଲେଖନୀୟ ସମ୍ମିଶ୍ରଣ। ଜାତୀୟସ୍ତରୀୟ ଖ୍ୟାତି ସଂପନ୍ନ ଅନୁଷ୍ଠାନ, ଷ୍ଟାର୍ଟ ଅପ୍‌, ସ୍ପନ୍ଦନଶୀଳ କଳା ଏବଂ ସାହିତ୍ୟ ପରିମଣ୍ଡଳ ଏବଂ ସ୍ଥିର ନାଗରିକ ସମାଜ ସହିତ ଭୁବନେଶ୍ୱର ଏକ ନୂତନ ଓଡ଼ିଶାର ସ୍ୱପ୍ନ ଏବଂ ଗତିଶୀଳତାର ପ୍ରତୀକ ସାଜିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ, ଆଜି ସନ୍ଧ୍ୟାର ଉତ୍ସବ ଆମର ସାମଗ୍ରିକ ସାଂସ୍କୃତିକ ପରିଚୟର ଏକ ସୁନ୍ଦର ପ୍ରତିଫଳନ। ସଙ୍ଗୀତ, ନୃତ୍ୟ ଏବଂ ପାରମ୍ପରିକ କଳା ମାଧ୍ୟମରେ କେବଳ ରାଜଧାନୀ ନଗରର ପ୍ରତିଷ୍ଠା ଦିବସ ପାଳନ କରାଯାଉ ନାହିଁ, ବରଂ ଓଡ଼ିଶାର ଆତ୍ମାକୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ଓଡ଼ିଶାର ଐତିହ୍ୟ, ସୃଜନଶୀଳତା ଏବଂ ସାମୁହିକ ଭାବନା ପ୍ରତିଫଳିତ ହେଉଛି ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକ ତଥା କଳାକାରମାନଙ୍କୁ ସାଧୁବାଦ ଜଣାଇଥିଲେ । ଏତଦ୍ ବ୍ୟତୀତ ପ୍ରତିଷ୍ଠା ଦିବସ ବଡ ସ୍ୱପ୍ନ ଦେଖିବା, ଏକାଠି ହୋଇ ଆଗକୁ ବଢ଼ିବା ପାଇଁ ଅନୁପ୍ରେରିତ କରିବା ସହ ଗର୍ବର ଦିନ ହେଉ ବୋଲି ରାଜ୍ୟପାଳ କହିଥିଲେ। ଏହି ସମାରୋହରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଭୁବନେଶ୍ୱର ମହାନଗର ନିଗମର କମିଶନର ରାଜେଶ୍ ପ୍ରଭାକର ପାଟିଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ବି.ଡି.ଏ. ଉପାଧ୍ୟକ୍ଷ ଡ଼ା. ତିରୁମାଲା ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଚଂଚଲ ରାଣା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ମଂଚାସୀନ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୩ ଜଣ ବ୍ୟକ୍ତିବିଶେଷଙ୍କୁ “ରାଜଧାନୀ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget