loading...

କୃତ୍ରିମ ବୁଦ୍ଧିମତ୍ତାରେ ଅଧିକାରୀମାନେ ଦକ୍ଷତା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଶାସନିକ ଅଧିକାରୀମାନଙ୍କୁ ଡିଜିଟାଲ ଦକ୍ଷ ହେବା ସହ ଭବିଷ୍ୟତର ଆବଶ୍ୟକତା ପାଇଁ ପ୍ରସ୍ତୁତ ହେବାକୁ ପ୍ରୋତ୍ସାହିତ କରିବ

ଭୁବନେଶ୍ୱର, ୧୫ ଏପ୍ରିଲ୍ ୨୦୨୫




ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ବିଭିନ୍ନ ପ୍ଲାଟଫର୍ମରେ ଉପଲବ୍ଧ ହେଉଥିବା ଦେୟମୁକ୍ତ ଅନଲାଇନ୍ ପାଠ୍ୟକ୍ରମ ମାଧ୍ୟମରେ ପ୍ରଶାସନିକ ଅଧିକାରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏହି ମର୍ମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର  ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା–ଶାସନ ସଚିବ ଏବଂ ସମସ୍ତ ଜିଲ୍ଲାପାଳଙ୍କୁ  ପତ୍ର ଲେଖି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ  ସଂପର୍କରେ ଅଧିକ ଜାଣିବାର ଆବଶ୍ୟକତା ବିଷୟରେ ଉଲ୍ଲେଖ କରି  କହିଛନ୍ତି ଯେ, ପ୍ରଶାସନିକ  ଅଧିକାରୀମାନଙ୍କୁ  ଏହା ଡିଜିଟାଲ ଦକ୍ଷ ହେବା ସହ  ଭବିଷ୍ୟତର ଆବଶ୍ୟକତା  ପାଇଁ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପ୍ରୋତ୍ସାହିତ କରିବ,  ଯାହା ଏଥିପାଇଁ  ରାଜ୍ୟ ସରକାରଙ୍କର  ବ୍ୟାପକ ଲକ୍ଷ୍ୟ ରହିଛି । 

ସେ ଏ ସମ୍ପର୍କରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଭଳି ନୂତନ ଉଦ୍ଭାବନ ଶାସନର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦିନକୁ ଦିନ ସ୍ପଷ୍ଟ ହେଉଛି । ନାଗରିକମାନେ ସରକାରଙ୍କ ସହ ଯୋଗାଯୋଗ କରିବା, ପୂର୍ବାନୁମାନ ବିଶ୍ଳେଷଣ, ଅଭିଯୋଗ ସମାଧାନରେ ବୁଦ୍ଧିମତ୍ତାର ପ୍ରୟୋଗ ସହ ଉତ୍ତମ ବ୍ୟବସ୍ଥା, ଯୋଜନା ଏବଂ ସେବା ପ୍ରଦାନ ଫଳାଫଳ ଉପରେ ତଦାରଖ କରିବା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟଶୈଳୀରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାର କ୍ଷମତା ଏଆଇ ପାଖରେ ରହିଛି ।  ରାଜ୍ୟ ପ୍ରଶାସନର ଅଧିକାରୀମାନେ ଏଆଇର ନୀତି, ଉପକରଣ ଏବଂ ପ୍ରୟୋଗ ବିଷୟରେ କାର୍ଯ୍ୟକାରୀ ଜ୍ଞାନ ସୃଷ୍ଟି କରିବା ଜରୁରୀ । ଏହି ଜ୍ଞାନକୌଶଳକୁ ବୁଝିବା କେବଳ ସୁଚିନ୍ତିତ ନିଷ୍ପତ୍ତି ନେବା ପାଇଁ ନୁହେଁ ବରଂ ନାଗରିକ-କୈନ୍ଦ୍ରିକ ନୀତି ପ୍ରସ୍ତୁତ କରିବା, ବୃହତ ପରିମାଣର ଡାଟା ବ୍ୟବସ୍ଥାର  ପରିଚାଳନା ଏବଂ ପ୍ରଶାସନିକ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ମଧ୍ୟ ଜରୁରୀ ଅଟେ । 

ଏହି ପରିପ୍ରେକ୍ଷୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଅତି କମରେ ଗୋଟିଏ ମୌଳିକ ପାଠ୍ୟକ୍ରମରେ ନାମ ଅନ୍ତର୍ଭୁକ୍ତ ବା ପଞ୍ଜୀକରଣ କରି  ଏବଂ ତାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ ଅଧୀନରେ ଥିବା ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ସେ ସମସ୍ତ ବିଭାଗକୁ ଅନୁରୋଧ କରିଛନ୍ତି । ଏହି ପାଠ୍ୟକ୍ରମଗୁଡ଼ିକ ପ୍ରତିଷ୍ଠିତ ପ୍ଲାଟଫର୍ମରେ ବିନା ଦେୟରେ  ଉପଲବ୍ଧ ଏବଂ ଏଥିରେ ଉଭୟ ଧାରଣାତ୍ମକ ସ୍ପଷ୍ଟତା ଏବଂ ପ୍ରୟୋଗିକ ଦୃଷ୍ଟିକୋଣରୁ ପ୍ରସ୍ତୁତ କରାଯାଇଛି  । 

ସେ ମଧ୍ୟ ଏଥିପାଇଁ  କେତେକ ପ୍ଲାଟଫର୍ମ ମଧ୍ୟ ସୁପାରିଶ କରିଛନ୍ତି ଯେପରିକି: ୧. ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଅନଲାଇନ୍ ପାଠ୍ୟକ୍ରମ-(କ)ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମୌଳିକ ଧାରଣା- ଯୋଗାଯୋଗ ମନ୍ତ୍ରଣାଳୟ - ଦୂରସଂଚାର ବିଭାଗ, (ଖ) ଏଆଇ ଫର୍ ଡିଜିଟାଲ ଟ୍ରାନ୍ସଫର୍ମେସନ୍: ୱାଧୱାନୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ପଲିସି ଦ୍ୱାରା ମେସିନ୍ ଲର୍ଣ୍ଣିଂ ଏବଂ ଡିପ୍ ଲର୍ଣ୍ଣିଂ ଏବଂ(ଗ) ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି) ବେଙ୍ଗାଲୁରୁ ଦ୍ୱାରା ସରକାରରେ ଏଆଇ: ପବ୍ଲିକ ସର୍ଭିସ ଡେଲିଭରିରେ ପରିବର୍ତ୍ତନ, ୨. ସମସ୍ତଙ୍କ ପାଇଁ ଏଆଇ - https://ai-for-all.in (ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ  ଇଣ୍ଟେଲ ସହ ଭାଗିଦାରୀରେ ବିକଶିତ), ୩. ସମସ୍ତଙ୍କ ପାଇଁ ଏଆଇ - https:// www.deeplearning.ai/courses/ai-for-everyone ୪. ଏଆଇର ଉପାଦାନ - https:// www.elementsofai.com (ଫିନଲାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ଅନଲାଇନ୍ ପାଠ୍ୟକ୍ରମ) । 

ଏହି ଚିଠି ଜାରି ହେବାର ୩ ମାସ ମଧ୍ୟରେ ଅଧିକାରୀମାନେ ପାଠ୍ୟକ୍ରମଗୁଡ଼ିକୁ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଠ୍ୟକ୍ରମର କାର୍ଯ୍ୟକାରିତା ତଦାରଖ, ପଞ୍ଜୀକରଣ ସୁବିଧା ଏବଂ ଠିକ୍ ସମୟରେ ଏହାର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ବିଭାଗଗୁଡ଼ିକୁ ସେମାନଙ୍କ ବିଭାଗ ପାଇଁ ଜଣେ ଜଣେ  ନୋଡାଲ ଅଫିସର ପଦନାମିତ କରିବାକୁ ସେ ପରାମର୍ଶ ଦେଇଛନ୍ତି  । ନିର୍ଦ୍ଧାରିତ ସମୟ ମଧ୍ୟରେ ଏଭଳି ପାଠ୍ୟକ୍ରମ କେତେ ଜଣ ସମାପ୍ତ କରିଛନ୍ତି, ସେ ସମ୍ପର୍କରେ ଏକ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ଦାଖଲ କରାଯିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସରେ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସକ୍ରିୟ ସହଯୋଗ  ଲୋଡ଼ିଛନ୍ତି  ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget