ଭୁବନେଶ୍ୱର, ୦୪ ଏପ୍ରିଲ୍ ୨୦୨୫
ଆଜି ଅପରାହ୍ଣରେ ମୁଖ୍ୟ ଶାସନ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା । ଜନସାଧାରଣଙ୍କୁ ନାଗରିକକୈନ୍ଦ୍ରିକ ସେବା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଯେଉଁ ପ୍ରତିବଦ୍ଧତା ରହିଛି, ତାହାକୁ ଦୃଷ୍ଟିରେ ରଖି ବିଭାଗମାନେ ବିଭାଗୀୟ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ ପାଇଁ ପ୍ରୟାସ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ପ୍ରତିଶତ ସମୀକ୍ଷା କରାଯାଇଥିଲା । ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ପ୍ରାବଧାନ ଅନୁସାରେ ଅର୍ଥ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ୨୦୨୪-୨୫ ବର୍ଷରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦରେ କରାଯାଇଥିବା ଖର୍ଚ୍ଚ ଓ ବିନିଯୋଗ ପ୍ରମାଣପତ୍ର ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା- ଭିଜନ ୨୦୩୬ ଓ ୨୦୪୭ ପ୍ରସଙ୍ଗରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଉପଲବ୍ଧି ହେବା ପାଇଁ ୱାର୍କ ପାସ ବୁକ୍ ବ୍ୟବସ୍ଥା କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଆଲୋଚନା , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳସମ୍ପଦ ବିଭାଗ ସହଯୋଗରେ ପାନୀୟ ଜଳ ଓ ଏଲ୍ଆଇ ପଏଣ୍ଟରେ ପାଇପ୍ ଯୋଗେ ଜଳସେଚନ ବ୍ୟବସ୍ଥାର ରିଅଲ ଟାଇମ୍ ମନିଟରିଂ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି , ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଷ୍ଟାଫ୍ କ୍ୱାର୍ଟର୍ସ ସମେତ ବିଦ୍ୟାଳୟ ଏବଂ ହଷ୍ଟେଲ ବିଲ୍ଡିଂର ଆସେଟ୍ ମ୍ୟାନେଜମେଣ୍ଟ ପାଇଁ ଏକ ପୋର୍ଟାଲ ବିକଶିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜନଶୁଣାଣି ପ୍ରକ୍ରିୟାର ସୁବ୍ୟବସ୍ଥା, ଅଭିଯୋଗ ସମାଧାନ ପ୍ଲାଟଫର୍ମର ରି- ଇଞ୍ଜିନିୟରିଂ ପୂର୍ବକ ଏହାର ଦକ୍ଷତା, ଉପଲବ୍ଧତା ଏବଂ ଫଳପ୍ରଦତାରେ ଉନ୍ନତି ଆଣିବା ଓ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା, ଆରମ୍ଭ ହେବାକୁ ଥିବା ସିଟିଜେନ୍ ଫିଡବ୍ୟାକ୍ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ ପାଇଁ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜିରୋ କମିଶନ ରାଇଡ୍ ହେଲିଂ ଆପ୍ “ଓଡ଼ିଶା ଯାତ୍ରୀ” ବର୍ତ୍ତମାନ ସୁଦ୍ଧା ୧.୫ ଲକ୍ଷ ଟ୍ରିପ୍ ସଫଳତାର ସହ ଶେଷ କରିଥିବା ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇଜିଓଟି-ମିଶନ କର୍ମଯୋଗୀ ପ୍ଲାଟଫର୍ମରେ ଓଡ଼ିଶାରେ ୪,୧୬,୧୩୮ କର୍ମଚାରୀ ଓ ଅଧିକାରୀ ପଂଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ଦ୍ୱାରା ସାମଗ୍ରିକ ଭାବେ ୫,୬୪,୧୪୨ ପାଠ୍ୟକ୍ରମ ଶେଷ କରାଯାଇଛି । ରାଜସ୍ଥାନ ପରେ ଓଡ଼ିଶା ଏହି ପ୍ଲାଟଫର୍ମରେ ସାମଗ୍ରିକ ଭାବେ ୨ୟ ସ୍ଥାନରେ ରହିଥିବା ବୈଠକରୁ ଜଣାପଡିଛି । ଏହି ବ୍ୟବସ୍ଥାରେ ପ୍ରତି କର୍ମଚାରୀମାନେ ବର୍ଷକୁ ଅନ୍ତତଃ ୨୦ ଘଣ୍ଟାର ପ୍ରଶିକ୍ଷଣ ନେବେ ।
ଲୋକସେବା ଅଧିକାର ଅଧିନିୟମ ଅନ୍ତଭୁକ୍ତ ସରକାରୀ ସେବା ସୁବିଧାରେ ପାଇବା ପାଇଁ ଦକ୍ଷତା ବୃଦ୍ଧି ଓ ସଚେତନତା ଅଭିଯାନ କରାଯିବା ସଂପର୍କରେ ଯୋଜନା ପ୍ରସ୍ତୁତି କରାଯାଉଛି । ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୁରଣ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା, ଭିଜିଲାନ୍ସ ମାମଲା ବା ସେପରି କୌଣସି ବିଭାଗୀୟ ମାମଲା ନଥିଲେ କର୍ମଚାରୀମାନଙ୍କୁ ଅବସରଗ୍ରହଣ କରୁଥିବା ଦିନ ଚୂଡାନ୍ତ ପେନସନ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ବିଭାଗମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ସୁଶାସନ ପାଇଁ ଆଧାର ପ୍ରମାଣୀକରଣର ଆବଶ୍ୟକତା ଏବଂ ଏହାକୁ ସୁନିଶ୍ଚିତ କରାଯିବା ସଂପର୍କରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲାଗସ୍ତ କରି ସରକାରଙ୍କୁ ବିବରଣୀ ପ୍ରଦାନ ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ ।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
.jpeg)
Post a Comment