ଭୁବନେଶ୍ୱର, ୧୫ ମଇ ୨୦୨୫
ଭାରତୀୟ ମାନକ ବ୍ୟୁରୋ (ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ) ଏବଂ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କରେ ଦ୍ୱିତୀୟ ରାଜ୍ୟସ୍ତରୀୟ ବୈଠକ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ,ଏ କ୍ଷେତ୍ରରେ ଉଭୟ ଭାରତୀୟ ମାନକ ବ୍ୟୁରୋ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗକୁ ସହଜ କରିବାରେ ସାହାଯ୍ୟ କରିବ ।
ଜନସାଧାରଣ ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ପାଦ, ସେବାର ମାନକୀକରଣ ଏବଂ ଗୁଣବତ୍ତା ସଚେତନତା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସଭାରେ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍(ବିଆଇଏସ),ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଔଦ୍ୟୋଗିକ ସଂଘରୁ କର୍ତ୍ତୃପକ୍ଷମାନେ ଅଂଶଗ୍ରହଣ କରିଥିଲେ। ଭାରତୀୟ ମାନକକୁ କାର୍ଯ୍ୟକାରୀ କରି ରାଜ୍ୟରେ ଏକ ସୁସ୍ଥ ଗୁଣବତ୍ତା ଇକୋସିଷ୍ଟମ୍ ବିକାଶକୁ ସମର୍ଥନ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

Post a Comment