ଭୁବନେଶ୍ୱର, ୦୨ ମଇ ୨୦୨୫
- ଡ୍ୟାମ୍ ସୁରକ୍ଷା ସଂପର୍କିତ ପଦକ୍ଷେପ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା
- ବିଶ୍ୱବ୍ୟାଙ୍କ ଟିମ୍ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଡ. ରାଜଗୋପାଳ ସିଂହ (ଟାସ୍କ ଟିମ୍ ଲିଡର, ଡ୍ରିପ୍-୨), ଡ. ଅଜିତ ପଟ୍ଟନାୟକ (ସଂସ୍ଥାଗତ ବିଶେଷଜ୍ଞ) ଏବଂ ଶ୍ରୀ ବିଶାଖା ଝା (ଜଳସମ୍ପଦ ବିଶେଷଜ୍ଞ)ଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କର ଏକ ଟିମ୍ ଓଡ଼ିଶାରେ ଡ୍ୟାମ୍ ନିରାପତ୍ତା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ ।
ବୈଠକରେ ଏହି ଟିମ୍ ବିଶ୍ୱବ୍ୟାଙ୍କ ସହାୟତାରେ ଡ୍ୟାମ ପୁନର୍ବାସ ଓ ଉନ୍ନତି ପ୍ରକଳ୍ପ (ଡ୍ରିପ୍) ଅଧୀନରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ । ଡ୍ରିପ୍ -୧ ଅଧୀନରେ ୨୬ଟି ଡ୍ୟାମ ସଫଳତାର ସହ ପୁନର୍ବାସ ହୋଇଥିବା ବେଳେ ଡ୍ରିପ୍ -୨ ଅଧୀନରେ ୧୩ଟି ଡ୍ୟାମ୍ ପାଇଁ ପୁନର୍ବାସ କାର୍ଯ୍ୟ ଜାରି ରହିଛି । ଉଭୟ ଡ୍ରିପ୍ -୧ ଏବଂ ଡ୍ରିପ୍ -୨ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ପ୍ରଦର୍ଶନକୁ ବିଶ୍ୱବ୍ୟାଙ୍କ ଅଧିକାରୀମାନେ ପ୍ରଶଂସା କରିବା ସହ ଡ୍ରିପ୍ -୩ର ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ଆଶା ପ୍ରକାଶ କରିଛନ୍ତି । ଆଗାମୀ ଡ୍ରିପ୍-୩ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ଓ ଏହାର ଗେଟ୍ ଅଟୋମେସନ୍ ଭଳି ପ୍ରମୁଖ ଉପାଦାନ ରହିଛି ।
ଏହି ପ୍ରକଳ୍ପଗୁଡ଼ିକରେ ରହିଥିବା ଡ୍ୟାମ୍ ଗୁଡ଼ିକର ସୁରକ୍ଷା, ପରିଚାଳନାଗତ କାର୍ଯ୍ୟଦକ୍ଷତା ଏବଂ ନିର୍ମାଣରେ ଉନ୍ନତି ଆଣିବା ପାଇଁ ସେଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଆବଶ୍ୟକ ଗଠନଗତ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଭୁକ୍ତ । ଏଥିରେ ଡ୍ୟାମଗୁଡ଼ିକର କଂକ୍ରିଟ୍ ଖରାପ, ଭିତ୍ତିଭୂମି ସମସ୍ୟା ଏବଂ ସିପେଜ୍ ଭଳି ସମସ୍ୟାର ସମାଧାନ, ସାମ୍ପ୍ରତିକ ନିରାପତ୍ତା ମାନଦଣ୍ଡ ପୂରଣ କରିବା ପାଇଁ ଢାଞ୍ଚାଗତ ମରାମତି, ଉନ୍ନତ ତଦାରଖ ବ୍ୟବସ୍ଥା ଏବଂ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟର ୨୫ଟି ଡ୍ୟାମ ପାଇଁ ଜରୁରୀକାଳୀନ ଆକ୍ସନ ପ୍ଲାନ୍ (ଇଏପି) ପ୍ରସ୍ତୁତ କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ଏହି ଟିମ୍ ପ୍ରଶଂସା କରିଛି । ଏହି ଇଏପିଗୁଡ଼ିକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ପଦକ୍ଷେପ ସ୍ୱରୂପ ଏହି ସମନ୍ୱୟ ପ୍ରଥମେ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ପରୀକ୍ଷାମୂଳକ ଭିତ୍ତିରେ କାର୍ଯ୍ୟକାରୀ ହେବ ଏବଂ ଏହା ପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସମ୍ପ୍ରସାରଣ କରାଯିବ । ଓଡ଼ିଶାର ଏହି ପଦକ୍ଷେପ ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ ହେବ ବୋଲି ଆଶା କରାଯାଉଛି ।
ଏହାବ୍ୟତୀତ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ ରାଜ୍ୟ ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା "ଡ୍ୟାମ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ (ଡିପିଆଇଡବ୍ଲୁ)" ଯୋଜନାର କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ୨୦୦ କୋଟି ଟଙ୍କାର ବଜେଟ ପ୍ରାବଧାନ ରହିଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଭିତରେ ନଷ୍ଟ ହୋଇଯାଉଥିବା ଅନ୍ୟ ଡ୍ୟାମ୍ ଗୁଡ଼ିକର ପୁନରୁଦ୍ଧାର କରିବା, ଡ୍ୟାମ୍ ସୁରକ୍ଷା ଏବଂ ସେଗୁଡ଼ିକର କାର୍ଯ୍ୟକ୍ଷମକୁ ଅଧିକ ସୁଦୃଢ଼ କରିବା ।
Post a Comment