July 2025

ଭୁବନେଶ୍ୱର,  ଜୁଲାଇ ୨୦୨୫




  • ଦଳ ସରକାରଙ୍କ ସହ ଖୁୂଂଟ ଭଳି ଠିଆ ହୋଇରହିବ :ମନମୋହନ ସାମଲ
  • କାର୍ଯ୍ୟକର୍ତାଙ୍କ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି
  • ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ,ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ : ମୁଖ୍ୟମନ୍ତ୍ରୀ
  • ମନମୋହନଙ୍କ ନେତୃତ୍ୱରେ ସରକାର ଏବଂ ସଂଗଠନ ଆଗକୁ ବଢ଼ିବ: ବୈଜୟନ୍ତ ପଣ୍ଡା
  • ରାଜ୍ୟରେ ତ୍ରିପଲ ଏମ୍ ସରକାର ଚାଲିଛି, ମୋଦି, ମୋହନ, ମନମୋହନ: ସମ୍ବିତ ପାତ୍ର 
  • ଓଡ଼ିଶାରେ ଲମ୍ବା ଇନିଂସ ଖେଳିବ ବିଜେପି ସରକାର
  • ଅସମ୍ଭବ ବୋଲି ଆମ ଶଦ୍ଦକୋଷରେ ନାହିଁ
  • କାର୍ଯ୍ୟକର୍ତାଙ୍କ ଉଦ୍ୟମ ପାଇଁ ସାଇନ୍ ବୋର୍ଡ ପାର୍ଟିରୁ ସରକାରୀ ପାର୍ଟି ହୋଇଛୁ
  • ବାଜା, ବାଣରେ ଶ୍ରୀ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା

ରାଜ୍ୟ ସଭାପତି ଭାବେ ଆଜି ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମନମୋହନ ସାମଲଙ୍କର ନୁହଁ, ତାହା ହେଉଛି କାର୍ଯ୍ୟକତାମାନଙ୍କ। କାଯ୍ୟକର୍ତା ପରିଶ୍ରମ କରି ନ ଥିଲେ, ଆମେ ସାଇନବୋର୍ଡ ପାର୍ଟିରୁ ଆଜି ସରକାରୀ ଦଳରେ ପହଁଚି ନ ଥାନ୍ତେ। ୧୯୮୮ରେ ଆମକୁ ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। ଆମକୁ ଅପମାନିତ କରାଯାଉଥିଲା। ମାତ୍ର ଆଜି ଆମେ ସରକାରୀ ଦଳ। ଏହା ହେଉଛି ଏକମାତ୍ର ଦଳ, ଯେଉଁ ଦଳରେ ଜଣେ ଚାହା ବିକାଳି ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ। ଦଳର କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଯୋଗୁ ବାରମ୍ବାର ଅପମାନକୁ ପ୍ରତିହତ କରି ଆଜି ଆମେ କ୍ଷମତା ହାସଲ କରିପାରିଛୁ। କାର୍ଯ୍ୟକର୍ତା ପରିଶ୍ରମ କରି ନ ଥିଲେ ଆଜି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ହୋଇ ନ ଥାନ୍ତା। ଓଡ଼ିଶା ସମ୍ଭାବନାର ରାଜ୍ୟ। ଏଠାରେ ଖଣି, ପାଣି, ଜଙ୍ଗଲ ଜମି ଓ ଲୋକ ଅଛନ୍ତି। ଆମେ ସରକାରକୁ ଆସିଲେ ବୋଲି ଆମୂଳଚୂଳ ଆଇନ୍‌ରେ ପରିବର୍ତନ କରି ଲୋକଙ୍କୁ ସେବା ଯୋଗାଇଦେଇ ପାରୁଛୁ। ଆମ ସରକାରଙ୍କ ପାଇଁ ଓଡ଼ିଶାରେ ଆଜି ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ବିଜେପି ସରକାର ପାଇଁ ଆଜି ଓଡ଼ିଶାର ଚିତ୍ର ବଦଳୁଛି। ଓଡ଼ିଶାବାସୀଙ୍କ ସେବା ପାଇଁ ସରକାରଙ୍କ ସହ ଦଳ ଖୁଂଟଭାବେ ଛିଡ଼ା ହୋଇ ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଭାବେ ୪ର୍ଥ ଥର ପାଇଁ ଦାୟିତ୍ୱ ଗ୍ରହଣ ଅବସରରେ ମନମୋହନ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡିଶା, ୨୦୪୭ରେ ବିକଶିତ ଭାରତ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଏଥିରେ ଓଡ଼ିଶାର ସବୁଠାରୁ ଅଧିକ ଅବଦାନ ରହିବ। ବିଜେପି ନିର୍ବାଚନବେଳେ ଯାହା ପ୍ରତିଶ୍ରୁତି ଦେଇଥିଲା, ସରକାର ଗଠନ ପରେ ତାହା ପୂରଣ କରିବାରେ ଲାଗିଛି। ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାଠାରୁ ଆରମ୍ଭ କରି, ଧାନରେ ସହାୟକ ମୂଲ୍ୟ ୩୧୦୦ ଟଙ୍କା, ଜଗନ୍ନାଥ ସେବା ପାଇଁ ୫୦୦ କୋଟି ଟଙ୍କା ଓ ଜଗନ୍ନାଥ ମନ୍ଦିରର ଚାରିଦ୍ୱାରା ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ କରିବା, ୭୮ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି। ଏହା ବିଜେପି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଜି ଆମ ଦାୟିତ୍ୱ ବଢ଼ିଛି, ସରକାର ଆଣିବା ଯେତିକି କଷ୍ଟ ଥିଲା,ଏବେ ଲୋକଙ୍କ ଆଶା ମଧ୍ୟ ସେଭଳି ପୂରଣ କରିବାକୁ ହେବ। ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ଅନେକ ସମସ୍ୟାର ଓଡ଼ିଶାରେ ରହିଛି। ଏସବୁ ସମସ୍ୟାର ସମାଧାନ କରିବାକୁ ହେବ। ଏଥିପାଇଁ ସରକାର ଆସିବା ପରେ ବି ଆମେ ଶୋଇବା ନାହିଁ କହି ସରକାରଙ୍କୁ ଆହ୍ୱାନ ଦେଇଥିଲେ। ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମିଳିମିଶି କାମ କରିବାକୁ ହେବ। ଏହି ଦାୟିତ୍ୱ ହେଉଛି ଆମ କାର୍ଯ୍ୟକର୍ତାଙ୍କର। ରାଜ୍ୟରେ ବିଜେପି ସରକାର ଗଠନ ହେବାର ମାତ୍ର ୧ବର୍ଷ ମଧ୍ୟରେ ୨୧ରୁ ୧୧ ପ୍ରତିଶ୍ରୁତିକୁ ସଫଳତାର ସହ ପୂରଣ କରିଛୁ। ଭାରତୀୟ ଜନତା ପାର୍ଟି ହେଉଛି ଏକ ରାଷ୍ଟ୍ରୀୟ ଦଳ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ କରିବା ପାଇଁ ଆମଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବା। ଓଡ଼ିଶାରେ ବିଜେପି ସରକାର ଏକ ଲମ୍ବା ଇନିଂସ ଖେଳିବ। ଏ ସରକାର ୨୦୩୬ ମସିହା ବି ଦେଖିବ ଓ ୨୦୪୭ ମସିହା ମଧ୍ୟ ଦେଖିବ। ଏଥିପାଇଁ ଆମକୁ ଟିମ୍ ସ୍ପିରିଟ୍‌ରେ କାମ କରିବାକୁ ପଡ଼ିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି, ଯୋଗ୍ୟ ମନ୍ତ୍ରୀ, ଯୋଗ୍ୟ ସାଂସଦ, ଯୋଗ୍ୟ ବିଧାୟକ ଓ ଯୋଗ୍ୟ କାର୍ଯ୍ୟକର୍ତା ଅଛନ୍ତି। ଆଗାମୀ ଦିନରେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ। ସବୁକାମ ସମ୍ଭବ। ଏଥିପାଇଁ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ। ଦଳ ପାଇଁ କେତେ କାର୍ଯ୍ୟକର୍ତା ବଳିଦାନ ଦେଇଥିବାବେଳେ ବହୁ ଜଣ ମିଥ୍ୟା ମାମଲାରେ ଜେଲ ଯାଇଛନ୍ତି। ତାଙ୍କୁ ଆମେ ସମ୍ମାନ ଦେବା। ଆର୍‌ଏସ୍‌ଏସ୍‌ର ବିଚାରଧାରାକୁ ଆଗକୁ ନେବା। ଯେଉଁମାନେ ଆମକୁ ବିରୋଧ କରୁଛନ୍ତି ସେମାନଙ୍କ ହ୍ୟାଙ୍ଗଓଭର ଯାଉନାହିଁ। ସେମାନେ ଏବେ ବିିଚଳିତ। ମାତ୍ର ଆମ ଦାୟିତ୍ୱ ଏବେ ବଢ଼ିଛି। ଆମେ ସମସ୍ତେ ଗାଁକୁ ଯିବା ଲୋକଙ୍କ ସହ ମିଶିବା ଓ ଭଲ ବ୍ୟବହାର କରିବା ସଂକଳ୍ପ ନେବାକୁ ପଡ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ନୀଳାଦ୍ରି ବିଜେ ଅବସରରେ ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଚତୁର୍ଥଥର ପାଇଁ ଦାୟିତ୍ୱ ନେଉଛନ୍ତି। ଏନେଇ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ପାଇଁ ଯେବେଠୁ ସେ କାମ କରିଛନ୍ତି ସବୁବେଳେ ଶୁଭ ସଂକେତ ଆସିଛି। ତାଙ୍କ ସଭାପତିତ୍ୱରେ ଦଳ ସରକାରକୁ ଆସିଛି। ମେଂଟ ସରକାରରେ ହୋଇଥିଲା। ଏବେ ପୁଣି ୨୦୨୪ରେ ବିଜେପି ଓଡ଼ିଶାବାସୀଙ୍କ ଭରସା ଜିତିଛି। ଯେଉଁମାନେ ପଚାରୁଥିଲେ କୁଆଡେ ଗଲା ଡବଲ ଇଞ୍ଜିନ, ସେମାନଙ୍କୁ କଡ଼ା ଜବାବ ମିଳିଛି। ମନମୋହନଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ଝଣ୍ଡା ଉଡ଼ିଲା। ୨୧ ରୁ ୨୦ ଆସନ ଜିତି ଅସମ୍ଭବକୁ ସମ୍ଭବ କରିବା ମନମୋହନଙ୍କ ନେତୃତ୍ୱ ଯୋଗୁ ହିଁ ସମ୍ଭବ ହୋଇଛି। ସେ ଏବିଭିପିରୁ କାମ କରି ବିଧାୟକ, ମନ୍ତ୍ରୀ, ସାଂସଦ ହେବ ସହ ଚତୁର୍ଥ ଥର ସଭାପତି ହୋଇ ଇତିହାସ ରଚିଛନ୍ତି। ମନମୋହନଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତାଙ୍କ ପ୍ରତି ଅପାର ସମର୍ପଣ ହିଁ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି। ବିଜେପି ଆଜି ଏକାକୀ ସରକାର ଗଠନ କରିବା ପରେ ନିର୍ବାଚନ ପ୍ରତିଶ୍ରୁତିକୁ ଅକ୍ଷର ଅକ୍ଷରେ ପାଳନ କରିଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଆମ ନେତୃତ୍ୱର ସଫଳତାକୁ ମୋହର ମାରିଛନ୍ତି। ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ରେକର୍ଡ କରିଛି। ବିଜେପି ପରିବାର ବାଦ ଦଳ ନୁହେଁ। ତୃଣମୂଳସ୍ତରର ନେତା କିପରି ଶୀର୍ଷ ନେତୃତ୍ୱକୁ ଯାଇଛନ୍ତି ତାହା ଓଡ଼ିଶା ଦେଖିଛି। କାର୍ଯ୍ୟକର୍ତାଙ୍କ ଦଳର ପୋଷ୍ଟର ମାରୁଥିବା କାର୍ଯ୍ୟକର୍ତା ଦଳର ଶୀର୍ଷ ନେତୃତ୍ୱକୁ ଯାଇପାରେ। କେନ୍ଦୁଝର ରାଇକେଲାରୁ ଆସିଥିବା ଜଣେ ଆଦିବାସୀ ଗରିବ ଘରର ମୋହନ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବନେଇଛି। ଏଥିରୁ ଦଳର ନୀତି ଓ ଆଦର୍ଶ ସ୍ପଷ୍ଟ ହୋଇଛି। ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ, ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ। କେନ୍ଦ୍ରର ୧୧ ବର୍ଷ ରାଜ୍ୟର ୧ ବର୍ଷ ମିଶି ୧୨ ହେଉଛି। କିନ୍ତୁ ଏହା ଆଗକୁ ୧୧୨ରେ ପହଂଚିବ। ବିଜେପି ଗୋଟିଏ ମୁଦ୍ରାର ୨ ପାଶ୍ୱର୍ ଭଳି। ଗୋଟିଏ ପଟେ ମନମୋହନଙ୍କ ନେତୃତ୍ୱରେ ସଙ୍ଗଠନ ଦାୟିତ୍ୱ ଅନ୍ୟପଟେ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର। କାର୍ଯ୍ୟକର୍ତାଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ପାଇଁ ଲୋକ ସେବା ଭବନରେ ପଦ୍ମ ଫୁଟିଛି। ଆଗାମୀ ଦିନରେ ମନମୋହନଙ୍କ ନେତୃତ୍ୱରେ ବିଜେପିର ସଙ୍ଗଠନ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ବିଶ୍ୱାସ ପ୍ରକଟ କରିଛନ୍ତି।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ମନମୋହନଙ୍କ ନେତୃତ୍ୱରେ ସରକାର ଏବଂ ସଂଗଠନ ଆଗକୁ ବଢିବ। ସରକାର ସହ ସଙ୍ଗଠନର ସମନ୍ୱୟ ବଢିବ। ସେ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଯେଉଁ ବେଗରେ ଡବଲ ଇଂଜିନ ସରକାର ବିକାଶ କାମ ଆରମ୍ଭ କରିଛି ତାହା ସାଧାରଣ କାର୍ଯ୍ୟକର୍ତାଙ୍କ ଭିତରେ ଉତ୍ସାହ ଭରିଛି ବୋଲି କହିଛନ୍ତି।

ସାଂସଦ ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟରେ ଏବେ ତ୍ରିପଲ ଏମ୍ ସରକାର ଚାଲିଛି। ମୋଦି, ମୋହନ ଓ ମନମୋହନ ସରକାର। ଦଳ ପାଇଁ ବଡ ବଳିଦାନ ପାଇଁ ଦେଇଛନ୍ତି ମନମୋହନ ଭାଇ। ନିଜ ଚାନ୍ଦବାଲି ଆସନକୁ ବାଜିରେ ଲଗାଇ ହାରିଲେ। କେନ୍ଦ୍ରୀୟ ନେତୃତ୍ୱ ଯେତେବେଳେ କହିଲେ ତୁମେ ବି ତୁମ ଆସନ ଦେଖ, ସେତେବେଳେ ସେ କହିଥିଲେ, ମୋ ପାଇଁ ମୋ ଦଳ ବଡ। ରାଜ୍ୟରେ ସରକାର ଆସିବା ଦରକାର ଓଡ଼ିଶାବାସୀଙ୍କ ସେବା କରିବା। ତାଙ୍କ ତ୍ୟାଗ ପାଇଁ ରାଜ୍ୟରେ ଆଜି ବିଜେପି ସରକାର ଗଠନ କରିପାରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ନାଁ ଘୋଷଣା ହେବା ପରେ ଶ୍ରୀ ସାମଲଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତିଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀମଣ୍ଡଳ, ରାଜ୍ୟ ଓ ଜିଲ୍ଲାର ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ନୂତନ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭୁବନେଶ୍ୱର,  ଜୁଲାଇ ୨୦୨୫





ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍‌ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର‌୍ୟ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।

ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ସକ୍ରିୟ ଏଣ୍ଡୋକ୍ରାଇନ୍ ସଂସ୍ଥା ମଧ୍ୟରୁ ଗୋଟିଏ, ଯାହା ଭାରତ ସମେତ ଅନେକ ଏସୀୟ ଦେଶର ଏଣ୍ଡୋକ୍ରାଇନ୍ ସଂଘକୁ ନେଇ ଗଠିତ। ଏହି ସଂଘ ସହଯୋଗପୂର୍ଣ୍ଣ ଗବେଷଣା, ରୋଗୀ ସେବାକୁ ଆଗକୁ ବଢାଇବା, ଆଞ୍ଚଳିକ କ୍ଲିନିକାଲ୍ ନିର୍ଦ୍ଦେଶାବଳୀ ବିକଶିତ କରିବା ଏବଂ ଦକ୍ଷିଣ ଏସିଆରେ ଏଣ୍ଡୋକ୍ରାଇନ୍ ରୋଗର ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ କାର‌୍ୟ୍ୟକରିଥାଏ।

ଡା ଦାଶ ଏହି ସମ୍ମାନଜନକ ପଦବୀରେ ନିର୍ବାଚିତ ଭାରତର ତିନି ଜଣ ପ୍ରତିଷ୍ଠିତ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ମଧ୍ୟରୁ ଜଣେ। ସେ ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି। ଡା ଦାଶ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସେ ‘ଆର୍‍ଏସ୍‍ଏସ୍‍ଡିଆଇ’ ଏବଂ ‘ଏଆଇଏଏଆର୍‍ଓ’ର ରାଜ୍ୟ ଶାଖାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ନିକଟରେ ଡାକ୍ତର ଦିବସ ଅବସରରେ ଓଡ଼ିଶା ରାଜ୍ୟପାଳଙ୍କଠାରୁ ତାଙ୍କୁ "ଏଣ୍ଡୋକ୍ରାଇନ୍ ଲ୍ୟୁମିନାରି କ୍ଲିନିକାଲ୍ ଏବଂ ଏକାଡେମିକ୍ ଉତ୍କର୍ଷତା" ସମ୍ମାନ ପ୍ରଦାନ କରାଯାଇଛି। ଡା ଦାଶଙ୍କ ଏହି ସଫଳତାରେ କିଟ୍‌, କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଭୁବନେଶ୍ୱର,  ଜୁଲାଇ ୨୦୨୫




ଆସନ୍ତା ୧୧ ତାରିଖ ଶୁକ୍ରବାର ଦିନ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳର ସର୍ବମାନ୍ୟ ନେତା, ଜନନାୟକ ଲୋକସଭାର ବିରୋଧି ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ସମେତ, ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଜୀ ଓ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ.ସି ଭେନୁଗୋପାଲ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସମ୍ବିଧାନ ବଂଚାଅ ସମାବେଶରେ ଯୋଗଦାନ କରିବେ ଓ ବିଶାଳ ଜନସମାବେଶକୁ ସମ୍ଭୋଦିତ କରିବେ। 

ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମନରେ ଏବ ବଡ ଖୁସିର ଲହରୀ ସଂଚାର କରିଛି ବୋଲି ଆଜିର ପ୍ରସ୍ତୁତି ବୈଠକରେ ପର୍ଯ୍ୟବୈକ୍ଷକ ଅଶୋକ ଦାସ ନେତୃବର୍ଗ ଓ କର୍ମୀମାନଙ୍କୁ ସମ୍ଭୋଦିତ କରି କହିଥିଲେ। ରାହୁଲ ଗାନ୍ଧୀ ଦେଶବାସୀଙ୍କ ପାଇଁ ସତ୍ୟ ଓ ନ୍ୟାୟର ଲଢ଼େଇ ଲଢ଼ୁଛନ୍ତି। ଏହି ଲଢ଼େଇରେ ଆମେ ସମସ୍ତେ ସାମିଲ ହେବାକୁ ପଡ଼ିବ। 

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ବିଶ୍ୱଜିତ ଦାସଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସର ପର୍ଯ୍ୟବୈକ୍ଷକ ବିଧାୟକ ଅଶୋକ ଦାସଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବର୍ଗ ପ୍ରସ୍ତୁତି ବୈଠକରେ ଯୋଗଦାନ କରିଥିଲେ। ଏଥିପାଇଁ ଜିଲ୍ଲାର ବିଭିନ୍ନ ନେତୃବର୍ଗ ନିଜର ସୁ-ଚିନ୍ତିତ ମତାମତ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ କାର୍ଯ୍ୟ କରିବେ ବୋଲି କହିଥିଲେ। ଆଜିର ଏହି ପ୍ରସ୍ତୁତି ବୈଠକରେ ଶିବାନନ୍ଦ ରାୟ, କିଶୋର ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ମନୋରଞ୍ଜନ ଜେନା, ହିମାଂଶୁ ଲେଙ୍କା, ପ୍ରାଚୀ ରାଉତରାୟ, ଅକ୍ଷୟ କୁମାର ଦାସ, ନାରାୟଣ ଜେନା, ଅନୱର ଖାନ୍‌, ଜ୍ୟୋତି ମହାନ୍ତି, ପ୍ରଶାନ୍ତ ଶତପଥି, ଅଶୋକ ଜେନା, ଆଶିଷ ମଲ୍ଲିକ, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ଇନ୍ଦ୍ରଜିତ୍ ପରିଜା, ଲିଙ୍ଗରାଜ ସାହୁ, ଶ୍ରୀୟା ମହାନ୍ତି, ମଣ୍ଟୁ ମଲ୍ଲିକ, ଦେବବ୍ରତ ମହାନ୍ତି, ମନୀଷା ଦାସ ପଟ୍ଟନାୟକ, ପୁଷ୍ପିତା ଦାସ, ଯୋଗୀନାଥ ନାୟକ, ଶଙ୍କୁନା କହଁର, କୁସୁମ ପ୍ରଧାନ, ଏସ୍‌.କେ. କମର ଅଲ୍ଲୀ, ସ୍ନେହାପ୍ରଭା ଜେନା, ଦେବୀ ପ୍ରସାଦ ସ୍ୱାଇଁ, ମାମୀନା ବେହେରା, ରାକେଶ ମହାନ୍ତି, ସୌମେନ୍ଦ୍ର ମହାନ୍ତି, ଜମିଲ ଖାନ, ମନୋଜ ସାହୁ, ଜମ୍ବେଶ୍ୱର ମଲ୍ଲିକ, ସେକ୍ ତାକୱିମ୍‌, ଦେବାଶିଷ ଦାସ ଓ ବଳଦେବ ରଥ ପ୍ରମୁଖ ଏହି ପ୍ରସ୍ତୁତ ବୈଠକରେ ଅଂଶ ଗ୍ରହଣ କରିଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ରାଜନେତା ଥିଲେ। ଦେଶର ସାମଗ୍ରିକ ବିକାଶ, ଅର୍ଥନୀତି ବିକାଶ, ସାମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି କିଭଳି ହେବ ସେନେଇ ସର୍ବଦା କାର୍ଯ୍ୟ କରୁଥିଲେ ଶ୍ରୀ ମୁର୍ଖାଜୀ । ‘ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନହିଁ ଚଲେଙ୍ଗେ’ ବୋଲି ଡ.ମୁଖାର୍ଜୀ ଦୃଢତାର ସହ ଡ.ମୁଖାର୍ଜୀ କହିଥିଲେ । ସେ ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ । ଯାହାକି ଆଧୁନିକ ଭାରତବର୍ଷର ଦିଶା ଓ ଦଶା ପରିବର୍ତନରେ ସହାୟକ ହୋଇଛି । ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି । ଜନସଂଘ ଏବଂ ପରବର୍ତୀ ସମୟରେ ବିଜେପିର ରାଷ୍‌୍ରବାଦୀ ବିଚାରଧାରାର ପ୍ରଣେତା ଥିଲେ ଡ.ମୁଖାର୍ଜୀ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର କହିଥିଲେ ଯେ, ‘ତ୍ୟାଗ, ତପସ୍ୟା ଓ ବଳିଦାନ’ର ପ୍ରତୀକ ଥିଲେ ଡ.ମୁଖାର୍ଜୀ । ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ। ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରିଥିଲେ । ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସେ ସଂକଳ୍ପବଦ୍ଧ ଥିଲେ। ଶିକ୍ଷା ମାଧ୍ୟମରେ ଦେଶର ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତାବାଦ ଓ ଦେଶଭକ୍ତି ବଢେଇବା ସହ ପୂର୍ବତନ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତନ ଉପରେ ଡ. ମୁଖାର୍ଜୀ ଜୋର ଦେଇଥିଲେ।

ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଶ୍ରଦ୍ଧାଞ୍ଜଳୀ ଜଣାଇ କହିଥିଲେ ଯେ, ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଷ୍ଟ୍ରବାଦୀ ବିଚାର ଓ ତାଙ୍କ ଆଦର୍ଶରେ ଆଜିର ଯୁବ ବର୍ଗ ଅନୁପ୍ରାଣିତ ହେବା ନିହାତି ଆବଶ୍ୟକ । ତାଙ୍କ ବିଚାରଧାରାକୁ ଆଧାର କରି ଆଜି ବିଜେପି ଦେଶବାସୀଙ୍କ ପାଇଁ ସେବା କରୁଛି। ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା, ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟବୃକ୍ଷ ଭାବେ ରୂପ ନେଇଛି। ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି। ଯାହା ଫଳରେ ଡ.ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଈୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ସାଂସଦ, ବିଧାୟକ, ଦଳର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଆଜି ସକାଳେ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବିଜେପି ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ପୂର୍ବତଟ ରେଳପଥ ରେଳ ଟ୍ରାକରେ ସୋସିଆଲ ମିଡିଆ ରିଲ୍ କିମ୍ବା ଷ୍ଟଣ୍ଟ ଭିଡିଓ ତିଆରି କରିବାର ବିପଜ୍ଜନକ ଏବଂ ବେଆଇନ ଅଭ୍ୟାସ ବିରୁଦ୍ଧରେ ଏହାର ନିରନ୍ତର ସଚେତନତା ଅଭିଯାନ ଜାରି ରଖିଛି ଯାହା ଜୀବନ ଏବଂ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରେ | 

ଏକ ସାମ୍ପ୍ରତିକ ଘଟଣାରେ, ତା 05.07.2025 ରିଖରେ ଏକ ବିଶ୍ୱସ୍ତ ସୂତ୍ରରୁ ଏକ ଅଡିଓ-ଭିଡିଓ କ୍ଲିପ୍ ରେଳପଥର ହସ୍ତଗତ ହୋଇଛି | ଭିଡିଓରେ ଜଣେ ବାଳକ ରେଳ ଟ୍ରାକର କଂକ୍ରିଟ୍ ସ୍ଲିପର ମଧ୍ୟରେ ଶୋଇଥିବା ଦେଖାଯାଇଥିଲା ଯେତେବେଳେ ଏକ ଟ୍ରେନ୍ ଟ୍ରାକ ଉପରେ ଯାତ୍ରା କରୁଥିଲା |  ବଲାଙ୍ଗୀରର ରେଳବାଇ ସୁରକ୍ଷା ବଳ ଇନ୍ସପେକ୍ଟରଙ୍କ ଅଧୀନରେ ରେଳ ସୁରକ୍ଷା ବଳ (RPF) ଦଳ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ପୁରୁଣାପାଣି ଷ୍ଟେସନରେ ପହଞ୍ଚି ସ୍ଥାନୀୟ ବାଉଁସୁନି ପୋଲିସ ଷ୍ଟେସନକୁ ଖବର ଦେଇଥିଲେ | 

ଗ୍ରାମବାସୀଙ୍କ ସହିତ ରେଳ ସୁରକ୍ଷା ବଳ ଏବଂ ସ୍ଥାନୀୟ ପୋଲିସର ମିଳିତ ତଦନ୍ତ ପରେ ପୁରୁଣାପାଣି ନିକଟସ୍ଥ ଏକ ଗ୍ରାମରୁ ସମ୍ପୃକ୍ତ ପିଲାମାନଙ୍କୁ ଚିହ୍ନଟ କରାଯାଇଥିଲା | ଜଣାପଡିଲା ଯେ ବୌଦ୍ଧ (ଓଡ଼ିଶା) ଜିଲ୍ଲା ବାଉଁସୁନି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ 12 ବର୍ଷୀୟ କିଶୋର ତା 29.06.2025 ରିଖରେ ତାଙ୍କ ବନ୍ଧୁଙ୍କ ସହିତ ରେଳ ଟ୍ରାକକୁ ଯାଇଥିଲେ, ଯେଉଁଠାରେ ସେ ଟ୍ରାକରେ ପଡ଼ି ଜୀବନ ପ୍ରତି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥିଲେ ଏବଂ ତାଙ୍କର 15 ବର୍ଷ ବୟସର ବନ୍ଧୁ ଭିଡିଓ ରେକର୍ଡ କରିଥିଲେ | 

ଆରପିଏଫ ଦଳ, ଗ୍ରାମବାସୀ ଏବଂ ପିଲାମାନଙ୍କ ପିତାମାତା/ଅଭିଭାବକଙ୍କ ସହିତ ପୁରୁଣାପାଣି ଓ ଝାରମୁଣ୍ଡା ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ | ଆବଶ୍ୟକୀୟ ଔପଚାରିକତା ପରେ, ପିଲାମାନଙ୍କୁ, ସେମାନଙ୍କ ପିତାମାତା/ଅଭିଭାବକଙ୍କ ସହିତ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଆରପିଏଫ ପୋଷ୍ଟକୁ ନିଆଯାଇଥିଲା | 

ତେଣୁ, ରେଳବାଇ ଆଇନ, 1989 ର ଧାରା 153, 145(b) ଏବଂ 147 ଅନୁଯାୟୀ ଉଭୟ ନାବାଳକଙ୍କ ବିରୁଦ୍ଧରେ ମାମଲା ନଂ. C3C/439 ରୁଜୁ କରାଯାଇଛି:

କିଶୋର ମାନଙ୍କର ପିତାମାତା/ଅଭିଭାବକଙ୍କ ତତ୍ତ୍ୱାବଧାନରେ କିଶୋର ନ୍ୟାୟ ଆଇନ (JJ ଆଇନ) ଅନୁଯାୟୀ ଅଧିକ ଆଇନଗତ ପ୍ରକ୍ରିୟା ଚାଲିଛି | 

କଠୋର ଚେତାବନୀ ଏବଂ ନିରନ୍ତର ସଚେତନତା _

ପୂର୍ବତଟ ରେଳପଥ ପୁନରାବୃତ୍ତି କରୁଛି ଯେ ଏପରି କାର୍ଯ୍ୟ କେବଳ ବେଆଇନ ନୁହେଁ ବରଂ ଏହା ମାରାତ୍ମକ ଦୁର୍ଘଟଣା ମଧ୍ୟ ଆଣିପାରେ |  ରେଳପଥ ଷ୍ଟଣ୍ଟ କିମ୍ବା ସାମାଜିକ ଗଣମାଧ୍ୟମ ବିଷୟବସ୍ତୁ ସୃଷ୍ଟି ପାଇଁ ସ୍ଥାନ ନୁହେଁ |  ମନୋରଞ୍ଜନ ପାଇଁ ରେଳପଥ ଉପରେ ଅନଧିକାର ପ୍ରବେଶ ଜୀବନକୁ ଅତ୍ୟନ୍ତ ବିପଦରେ ପକାଇଥାଏ ଏବଂ ରେଳ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥାଏ | 

ରେଳପଥ ଷ୍ଟେସନ, ଶିକ୍ଷାନୁଷ୍ଠାନ, ରେଳ ଲାଇନର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଏବଂ ଡିଜିଟାଲ୍ ଏବଂ ପ୍ରିଣ୍ଟ୍ ମିଡିଆ ମାଧ୍ୟମରେ ଏପରି କାର୍ଯ୍ୟକଳାପର ବିପଦ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିରନ୍ତର ସୁରକ୍ଷା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି | 

ରେଳପଥ ସମସ୍ତ ନାଗରିକଙ୍କୁ, ବିଶେଷକରି ପିତାମାତା ଏବଂ ଶିକ୍ଷକମାନଙ୍କୁ, ପିଲାମାନଙ୍କୁ ଏପରି ବେପରୁଆ କାର୍ଯ୍ୟ ବିରୁଦ୍ଧରେ ପରାମର୍ଶ ଦେବାକୁ ଅନୁରୋଧ କରୁଛି |  ସାମାଜିକ ଗଣମାଧ୍ୟମର ଖ୍ୟାତି ପାଇଁ ଜୀବନ ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ଯୋଗ୍ୟ ନୁହେଁ | 

"ଆପଣଙ୍କ ଜୀବନ ମୂଲ୍ୟବାନ। ରେଳ ଟ୍ରାକ ନିକଟରେ କିମ୍ବା ଏହା ଉପରେ ଷ୍ଟଣ୍ଟ କରନ୍ତୁ ନାହିଁ | ସୁରକ୍ଷିତ ରୁହନ୍ତୁ, ରେଳ ଲାଇନରୁ ଦୂରରେ ରୁହନ୍ତୁ" |

ଭୁବନେଶ୍ୱର,  ଜୁଲାଇ ୨୦୨୫



  • ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ ଓ ୮ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା: ଡ.ଯତୀନ ମହାନ୍ତି
  • ଚୂଡ଼ାନ୍ତ ମତାଦାତାଙ୍କ ସୂଚୀ ପ୍ରକାଶ
  • ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ ଏବଂ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ

ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜୁଲାଇ ୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇଥିଲା। ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ଏହି ସୂଚୀ ଉପରେ ବିଭିନ୍ନ ଆପତି ଅଭିଯୋଗର ଯାଂଚ ପରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି। ଏହି ମତାଦାତାମାନେ ହିଁ ରାଜ୍ୟ ସଭାପତି ଚୟନ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ତଥା ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି । 

ଉପରୋକ୍ତ ନିର୍ବାଚନ ପାଇଁ ଧାର୍ଯ୍ୟ ଆସନ୍ତା କାଲି ଜୁଲାଇ ୭ରେ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବାର ଥିଲା। ମାତ୍ର ଅନିବାର୍ଯ୍ୟ କାରଣ ପାଇଁ ଏହି ସମୟରେ ପରିବର୍ତନ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ । ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଂଟନ କରାଯିବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ ବୋଲି ଡ.ମହାନ୍ତି ସୁଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜେପିର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୁଏ। ଏଥିରେ ଦଳର ବୁଥ୍‌ସ୍ତରରୁ ଆରମ୍ଭ କରି କେନ୍ଦ୍ରସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ। ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି, ରାଜ୍ୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା । ଅପରାହ୍ନ ୪ଟାରେ ଭକ୍ତମାନେ ମହାପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥକୁ ଟାଣିଥିଲେ । ଶ୍ରୀବାଣୀକ୍ଷେତ୍ରର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ମାଆ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ତିନି ରଥଙ୍କୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା । ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୪୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇ ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଦୈବୀକୃପା ଲାଭ କରିଥିଲେ। ଘଣ୍ଟଘଣ୍ଟା, ମର୍ଦ୍ଦଳ ଧ୍ୱନୀ ଓ ହୁଳହୁଳିରେ ରଥଦାଣ୍ଡ କମ୍ପିଥିଲା । ଆସନ୍ତା କାଲି ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଭକ୍ତମାନେ ଯେପରି ସୁଚାରୁ ରୂପେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। 

ଭୁବନେଶ୍ୱର,  ଜୁଲାଇ ୨୦୨୫




କୋରାପୁଟ-ଜୟପୁର ରେଳ ସେକ୍ସନରେ ଭୂସ୍ଖଳନ ପରେ ଦୁଇ ଦିନ ମଧ୍ୟରେ ଟ୍ରେନ୍ ସେବା ପୁନଃ ଆରମ୍ଭ 

ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋରାପୁଟ-କିରାଣ୍ଡୁଲ ରେଳ ମାର୍ଗରେ ଜରାତି ଏବଂ ମାଲିଗୁଡ଼ା ଷ୍ଟେସନ ମଧ୍ୟରେ 2025 ଜୁଲାଇ 2 ତାରିଖରେ ଅନବରତ ବର୍ଷା ଯୋଗୁଁ ଏକ ବଡ଼ ଭୂସ୍ଖଳନ ଦ୍ୱାରା ରେଳ ସେକ୍ସନକୁ ବାଧାପ୍ରାପ୍ତ କରିବାର ମାତ୍ର ଦୁଇ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ ସମାପ୍ତ କରାଯାଇଅଛି |

ଭୂସ୍ଖଳନ କୋରାପୁଟ ଏବଂ କିରାଣ୍ଡୁଲ ମଧ୍ୟରେ ଟ୍ରେନ୍ ଚଳାଚଳକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା, କାରଣ ଟ୍ରାକର ଏକ ବଡ଼ ଅଂଶ ପ୍ରାୟ 25,000 ଘନ ମିଟର କାଦୁଆ ଏବଂ ପଥର ତଳେ ଦବି ଯାଇଥିଲା |  ପାହାଡ଼ି ଭୂଭାଗ ଏବଂ ନିରନ୍ତର ବର୍ଷାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ପୁନରୁଦ୍ଧାର ଦଳଗୁଡ଼ିକ ଦ୍ରୁତ ଯୋଜନା ଏବଂ ସମ୍ବଳ ସଂଗ୍ରହ ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ | 

ଘଟଣାସ୍ଥଳରେ ମୋଟ 16 ଟି ଏକ୍ସକାଭେଟର ଏବଂ ଭାରୀ ମାଟି ଘୁଞ୍ଚାଇବା ଉପକରଣ ନିୟୋଜିତ କରାଯାଇଥିଲା |  ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଞ୍ଜିନିୟର, ବୈଷୟିକ କର୍ମଚାରୀ ଏବଂ ପୁନରୁଦ୍ଧାର କର୍ମଚାରୀଙ୍କ ସମେତ 300 ରୁ ଅଧିକ କର୍ମଚାରୀ ଦିନରାତି କାର୍ଯ୍ୟ କରିଥିଲେ | 

ୱାଲ୍‌ଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ, ରାୟଗଡ଼ାର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ଏହି ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ଯାହାଦ୍ୱାରା ସୁଗମ ଏବଂ ଦ୍ରୁତ ଗତିରେ ପୁନରୁଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ନିଶ୍ଚିତ କରିଥିଲା | 

ମାତ୍ର ଦୁଇ ଦିନ ମଧ୍ୟରେ, ପ୍ରମୁଖ ଭଗ୍ନାବଶେଷ ସଫା କରାଯାଇଥିଲା ଏବଂ ପ୍ରଭାବିତ ଟ୍ରାକ୍ 4 ଜୁଲାଇ 2025 ଦିନ ସନ୍ଧ୍ୟା ସମୟରେ ଟ୍ରେନ ଚଳାଚଳ ପାଇଁ ସ୍ୱୀକୃତି ଦିଆଯାଇଅଛି |  ନିରାପତ୍ତା ବ୍ୟବସ୍ଥା ଭାବରେ, ପ୍ରଭାବିତ ସ୍ଥାନରେ ପ୍ରତିବନ୍ଧିତ ବେଗରେ ଟ୍ରେନ ଚଳାଚଳକୁ ଅନୁମତି ଦିଆଯାଇଛି |  ଓଭରହେଡ୍ ଇକ୍ୟୁପମେଣ୍ଟ (OHE), ସିଗନାଲିଂ ଏବଂ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ସହିତ ଜଡିତ କାର୍ଯ୍ୟ ଗୁଡିକର ସ୍ୱୀକୃତି ମିଳିବ ପରେ ଟ୍ରେନ ଚଳାଚଳ ଖୁବ ଶୀଘ୍ର କରାଯିବ | 

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀଙ୍କ ଅସାଧାରଣ ପ୍ରୟାସ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି |  ଏହି ଦ୍ରୁତ ପୁନରୁଦ୍ଧାର କାର୍ଯ୍ୟ ପ୍ରତିକୂଳ ପାଗ ଏବଂ କଠିନ ଭୌଗୋଳିକ ପରିସ୍ଥିତି ସତ୍ତ୍ୱେ ମଧ୍ୟ ସମର୍ପଣ, ସମନ୍ୱୟ ଏବଂ ଦକ୍ଷତାର ଏକ ଉଜ୍ଜ୍ୱଳ ଉଦାହରଣ ଅଟେ ବୋଲି ଶ୍ରୀ ଫୁଙ୍କୱାଲ କହିଛନ୍ତି |  ମହାପ୍ରବନ୍ଧକ ମଧ୍ୟ ସମଗ୍ର ପୁନରୁଦ୍ଧାର ଦଳକୁ ସେମାନଙ୍କର ପ୍ରତିବଦ୍ଧତା ଏବଂ କାର୍ଯ୍ୟଦକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି | 

ଏହି ଉଲ୍ଲେଖନୀୟ ସଫଳତା କେବଳ ଯାତ୍ରୀ ଏବଂ ମାଲ ପରିବହନ ପାଇଁ ସ୍ୱାଭାବିକତା ଫେରାଇ ଆଣେ ନାହିଁ ବରଂ ସାଧାରଣ ସେବା ଏବଂ ପରିଚାଳନାଗତ ଉତ୍କର୍ଷତା ପ୍ରତି ଭାରତୀୟ ରେଳବାଇର ଅଟଳ ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ କରୁଅଛି | 

ସିଗନାଲିଂ ଏବଂ ଓଭରହେଡ୍ ଇକ୍ୟୁପମେଣ୍ଟ (OHE) ସମ୍ବନ୍ଧୀୟ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ସେବା ପୁନର୍ବାର ଆରମ୍ଭ ହେବ |  ତଥାପି, ରେକ୍ ଆଡଜଷ୍ଟମେଣ୍ଟ ଏବଂ କୋଚିଂ ରେକ୍ ର ଅସ୍ଥାୟୀ ଅନୁପଲବ୍ଧତା ଯୋଗୁଁ କିଛି ଟ୍ରେନ୍ ଗୁଡିକର ଉତ୍ପତ୍ତି ଓ ଗନ୍ତବ୍ୟ ସ୍ଥଳ କୋରାପୁଟ ପର୍ଯ୍ୟନ୍ତ କରାଯାଇଅଛି |  ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ଯୋଜନା କରିବା ପୂର୍ବରୁ ସରକାରୀ ରେଳ ଚ୍ୟାନେଲ ମାଧ୍ୟମରେ ସର୍ବଶେଷ ଅପଡେଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି |

ଭୁବନେଶ୍ୱର,  ଜୁଲାଇ ୨୦୨୫



୬ରେ ମତାଦାତା ସୂଚୀ, ୭ରେ ନାମାଙ୍କନ ପତ୍ର ଏବଂ ୮ରେ ଚୁଡ଼ାନ୍ତ ଫଳ ପ୍ରକାଶ ହେବ: ଡ. ଯତୀନ ମହାନ୍ତି

ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ କିଛି ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ଥିବା ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ସମୟ ସାରଣୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଦିନ ଶେଷ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ସହ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି।

ଡ. ମହାନ୍ତି କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୁଏ। ଏଥିରେ ଦଳର ବୁଥ୍‌ସ୍ତରରୁ ଆରମ୍ଭ କରି କେନ୍ଦ୍ରସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ। ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏବେ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତି ଅଭିଯୋଗର ଯାଂଚ କରାଯିବା ପରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ। ଜୁଲାଇ ୭ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ୪ଟା ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଂଟନ କରାଯିବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ଡ. ମହାନ୍ତିି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ୱିଟାଲ୍‌ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍‌ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ ହୋଇଛି। 

ସମ୍ ହସ୍ପିଟାଲ୍‌ରେ ଶୁକ୍ରବାର ଏ ସମ୍ପର୍କିତ ଏକ ସିଏମ୍‌ଇ ଆୟୋଜନ କରାଯାଇଥିବା ବେଳେ ଏ ବିଷୟରେ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା। ଏହି ସିୱାଇ ଟିବି ଇନ୍‌ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଏକ ସ୍ୱଦେଶୀ କିଟ୍‌ରେ ଉପଲବ୍ଧ ଯାହାକି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି କିଟ୍ ସାହାଯ୍ୟରେ କରାଯାଉଥିବା ପରୀକ୍ଷଣରେ ମଣିଷ ଶରୀରରେ କେତେ ପ୍ରତିଶତ ଯକ୍ଷ୍ମା ଜୀବାଣୁ ରହିଛି ତାହା ଜଣାପଡ଼ିବ ବୋଲି ପ୍ରଫେସର ଜେନା କହିଛନ୍ତି। 

ସମ୍ ହସ୍ପିଟାଲ୍‌ର ସେଂଟ୍ରାଲ ଲାବୋରେଟୋରୀରେ ଏହି ପରୀକ୍ଷା ଉପଲବ୍ଧ ଥିବା ବେଳେ ଜନସାଧାରଣ ମାଗଣାରେ ଏହି ପରୀକ୍ଷା କରାଇପାରିବେ ବୋଲି ପ୍ରଫେସର ଜେନା କହିଛନ୍ତି। 

ଏହି ପରୀକ୍ଷଣ ସମ୍ପର୍କରେ ଆୟୋଜିତ ସିଏମଇରେ ପଲମୋନାରୀ ମେଡିସିନ୍ ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) କ୍ଷୀରୋଦ ଚନ୍ଦ୍ର ସାହୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଯକ୍ଷ୍ମା ନିରାକରଣ ଚିକିତ୍ସା ନିମନ୍ତେ ଏହି ସିୱାଇ ଟିବି ପରୀକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେର। ଯେକୌଣସି ସୁସ୍ଥ ଲୋକ ମଧ୍ୟ ଏହି ପରୀକ୍ଷା କରାଇପାରିବା ସହ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କର ମଧ୍ୟ ଏହି ପରୀକ୍ଷା କରାଯାଇପାରିବ ବୋଲି ପ୍ରଫେସର ମେହେର କହିଛନ୍ତି। 

ବିଶେଷ କରି ଏଚ୍‌ଆଇଭି, ଯକୃତ, ବୃକକ୍ ଓ ଫୁସ୍‌ଫୁସ୍‌ରେ ସମସ୍ୟା ଥିବା ବ୍ୟକ୍ତିଙ୍କ ସମେତ କୌଣସି ପରିବାରର ସଦସ୍ୟ ଶ୍ୱାସ କିମ୍ବା ଯକ୍ଷ୍ମା ରୋଗୀ ହୋଇଥିଲେ ସେହି ପରିବାରର ଅନ୍ୟ ସଦସ୍ୟ ତଥା ତମାଖୁ ସେବନ ଓ ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ମଧୁମେହ ରୋଗୀଙ୍କ ସମେତ ଜେଲ୍‌୍‌ର ଅନ୍ତେବାସୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନେ ଏହି ଟେଷ୍ଟ କରାଇ ନେବା ଉଚିତ୍ ବୋଲି ପ୍ରଫେସର ଜେନା କହିଛନ୍ତି। 

ଆୟୋଜିତ ସିଏମ୍‌ଇରେ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫




  • ବିଜେପି ସରକାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ମନମୋହନ ସାମଲ
  • ନିଷ୍ଠାପର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
  • ଆମ ସରକାର କ୍ଷତିଗସ୍ତ ଜମାକାରୀଙ୍କ ପ୍ରତି ସମ୍ବେଦନଶୀଳ
  • ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ ବିଜେଡି ସରକାରର ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ନାଁରେ ଲୋକଙ୍କ ଟଙ୍କା ଆତ୍ମସାତ କରିଥିଲେ

ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ୍ୟ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି। ଆସନ୍ତା ୩-୪ ମାସ ମଧ୍ୟରେ ୫ ଲକ୍ଷ ଯୋଗ୍ୟ ଜମାକାରୀକାରୀଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଫେରସ୍ତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଜେପି ସରକାରଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଚିଟ୍‌ଫଣ୍ଡରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀମାନେ ଟଙ୍କା ଫେରିପାଇବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମନମୋହନ ସାମଲ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 ଶ୍ରୀ ସାମଲ କହିଛନ୍ତି ଯେ, ବିଜେଡି ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଓଡ଼ିଶାର ଜନସାଧାରଣ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଜମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଜନସାଧାରଣଙ୍କ ଭରଷା ସହ ଖେଳିଥିଲା ବିଜେଡି ସରକାର। ୧୭୪ଟି ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ଜନସାଧାରଣଙ୍କ ଟଙ୍କା ହରିଲୁଟ୍ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିଜେଡି ସରକାରର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ନାଁରେ ଲୋକଙ୍କ ଟଙ୍କା ଆତ୍ମସାତ କରିଥିଲେ। ଏହି ମାମଲାରେ ଅଭିଯୁକ୍ତ ହୋଇ ବିଜେଡିର ବହୁ ନେତା ଓ ମନ୍ତ୍ରୀ ବିଗତ ଦିନରେ ଜେଲ୍ ଯାଇଛନ୍ତି। ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଲଗାଇ ଲକ୍ଷଲକ୍ଷ ଯୋଗ୍ୟ ଜମାକାରୀ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିଲେ। ଫଳରେ ସାଧାରଣ ଲୋକଙ୍କ ବିଶ୍ୱାସ ସରକାରଙ୍କ ଉପରୁ ଉଠିଯାଇଥିଲା। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲା। ଏହାପରେ କର୍ପସ ଫଣ୍ଡ ଓ କମିଶନ ଗଠନ ହୋଇଥିଲା, ମାତ୍ର କ୍ରିୟାନ୍ୱୟନ ହୋଇପାରି ନଥିଲା। ଏପରିକି ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା। କାରଣ ବିଜେଡି ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନଥିଲା। ସରକାରଙ୍କ ଦାୟିତ୍ୱ ହେଉଛି ଲୋକଙ୍କ ବିଶ୍ୱାସନିୟତା ରକ୍ଷା କରିବା । 

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଚିଟ୍‌ଫଣ୍ଡ କ୍ଷତିଗସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ଏନେଇ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜର ସଂକଳ୍ପପତ୍ରରେ ଘୋଷଣା କରିଥିଲା। ବିଜେପି ସରକାର କ୍ଷତିଗସ୍ତ ଜମାକାରୀଙ୍କ ପ୍ରତି ସମ୍ବେଦନଶୀଳ। ସମସ୍ତ କ୍ଷତିଗସ୍ତ ଯୋଗ୍ୟ ଜମାକାରୀ କିପରି ଟଙ୍କା ପାଇବେ ସେନେଇ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସାମାନ୍ୟ ପ୍ରମାଣ ଦେଖାଇଲେ ଯେପରି ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ ସେଭଳି ବିଧି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ କଂଟାବାଞ୍ଜୀ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ରାଜ୍ୟ ବିଜେପି ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫


ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ ପଦ୍ଧତିର ଆକର୍ଷଣୀୟ ଉପସ୍ଥାପନ ପାଇଁ  ସରକାରୀ କ୍ଷେତ୍ର ବିଭାଗରେ ପୁରସ୍କୃତ


ଜୁଲାଇ ୧ରୁ ୩  ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ବ୍ୟବସାୟିକ କେନ୍ଦ୍ର (ଟ୍ରେଡ୍ ସେଣ୍ଟର)ରେ ଅନୁଷ୍ଠିତ ହୋଇଥିବା “ସିଫୁଡ୍ ଏକ୍ସପୋ  ଭାରତ-୨୦୨୫ (ଏସଇବି-୨୫)”  ରେ ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ଇସିଆରଆଇସିସି(ଏକ୍ରିକ୍) ପ୍ରକଳ୍ପ ସରକାରୀ କ୍ଷେତ୍ର ବିଭାଗରେ  ପ୍ରଥମ ସ୍ଥାନ ଅଧିକାର କରି  ପୁରସ୍କୃତ ହୋଇଛି । ଜଳବାୟୁ ସହନଶୀଳତା  ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟକାରୀ ଭାରତର କୋଷ୍ଟାଲ୍ କମ୍ୟୁନିଟିମାନଙ୍କର  ଇସିଆରଆଇସିସି(ଏକ୍ରିକ୍) ପ୍ରକଳ୍ପ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି । ଏହି ସ୍ୱୀକୃତି ଏକ୍ରିକ୍, ଓଡିଶାର ଜଳବାୟୁ ସହନଶୀଳ ଜଳଚାଷ ଏବଂ ସମାବେଶୀ ଗୋଷ୍ଠୀଭିତ୍ତିକ ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରୟାସକୁ  ପ୍ରତିଫଳିତ କରିଛି । ଏଥିରେ ଓଡ଼ିଶାରେ ଜଳବାୟୁ ସହନଶୀଳ କଙ୍କଡ଼ା ଚାଷ  ସଂପର୍କରେ ଆକର୍ଷଣୀୟ ଉପସ୍ଥାପନ କରାଯାଇଥିଲା ।  “ଆମ ଭଳି ଶେଷ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଓଡ଼ିଶାକୁ  ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା, ଏହା  ଅଦ୍ୱିତୀୟ ସୁଯୋଗ ଥିଲା” ବୋଲି ଜଣେ  ମହିଳା ପରିବେଶ ଚମ୍ପିଅନ୍ ଦୃଢତାର ସହ ତାଙ୍କର ଏଠିକୁ ଯାତ୍ରା ସଂପର୍କରେ ମଂଚରେ ନିଜର ଅନୁଭୂତି ପ୍ରକାଶ କରିଥିଲେ, ଯାହା  ଅନ୍ୟ ସମସ୍ତଙ୍କ  ପାଇଁ  ପ୍ରେରଣାଦାୟକ ହୋଇଥିଲା । 

ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ସାମୁଦ୍ରିକ ଉତ୍ପାଦ ଉନ୍ନୟନ କର୍ତ୍ତୃପକ୍ଷ(ଏମପିଇଡିଏ)  ଦ୍ୱାରା ଆୟୋଜିତ  ଏହି ଏକ୍ସପୋ, ଭାରତର ମାଛ ସହ ଓ ଜଳଚାଷ(ଆକ୍ୱାକଲ୍ଚର) ମୂଲ୍ୟ ଶୃଙ୍ଖଳା(ଭାଲ୍ୟୁ ଚେନ୍) କ୍ଷେତ୍ର ପାଇଁ ସମସ୍ତ ଅଂଶୀଦାରମାନଙ୍କ ନିମନ୍ତେ ବୃହତ୍ ସୁଯୋଗ ସୃଷ୍ଟି କରିଥିଲା  । ଏହି ଏକ୍ରିକ୍ ପ୍ରକଳ୍ପ ଜାତୀୟ  ସ୍ତରରେ ପରିବେଶ, ଜଙ୍ଗଲ  ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଗ୍ରୀନ କ୍ଲାଇମେଟ୍ ଫଣ୍ଡ (ଜିସିଏଫ) ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ( ଯୁଏନଡିପି) ସହଯୋଗରେ ଏବଂ ଓଡ଼ିଶାରେ ଏହା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ।

ଏହି ପ୍ରକଳ୍ପ ସାମୁଦ୍ରିକ ଉପକୂଳବର୍ତ୍ତୀ ଗୋଷ୍ଠୀ ସମୁଦାୟମାନଙ୍କରେ  ସ୍ଥାୟୀ ପରିସଂସ୍ଥାଭିତ୍ତିକ ଏବଂ ଜଳବାୟୁ ସହନଶୀଳ ଜୀବନଜୀବିକାକୁ  ପ୍ରୋତ୍ସାହିତ କରୁଛି ।  ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା କେତେକ ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି  ଓଡ଼ିଶା । ଓଡ଼ିଶା ଏହାର ସଶକ୍ତ ସ୍ଥାନୀୟ  ସଂସ୍ଥା ଓ ଜଳବାୟୁ ଚମ୍ପିୟନଙ୍କ ସମର୍ଥନରେ  ବୈଜ୍ଞାନିକ ପଦ୍ଧତିରେ ସ୍ୱତନ୍ତ୍ର ଭାବେ କଙ୍କଡ଼ା ଚାଷ (ମଡ୍ କ୍ରାବ୍ ଫାର୍ମିଂ ),  ସୁନ୍ଦର ରଙ୍ଗୀନ ମାଛ ଚାଷ ଏବଂ ସ୍ଥାୟୀ ଜଳଚାଷ ଅଭ୍ୟାସ ପୂର୍ବକ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି । ଏହି ପରିଯୋଜନା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଏବଂ ୨୦୩୬  ମସିହା ସୁଦ୍ଧା ‘ବିକଶିତ  ଓଡିଶା’ ପାଇଁ ରାଜ୍ୟର  ପ୍ରତିବଦ୍ଧତା                   ସହ  ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ଆଭିମୁଖ୍ୟରେ ଉଲ୍ଲେଖନୀୟ  ଯୋଗଦାନ ଏବଂ  ଉଦ୍ୟମ ବୃଦ୍ଧି କରିବ ।

ଆୟୋଜିତ ପ୍ରଦର୍ଶନୀରେ ଏକ୍ରିକ୍, ଓଡିଶା ନିର୍ଦ୍ଦିଷ୍ଟ  ଷ୍ଟଲରେ ଏହାର ସାମୁଦ୍ରିକ ଖାଦ୍ୟ ବ୍ୟବସାୟ,  ଚିଙ୍ଗୁଡ଼ି  ଚାଷ, ଏହାର ଉତ୍ପାଦନ କୌଶଳ, ମୂଲ୍ୟଯୁକ୍ତ ଉତ୍ପାଦ ଓ ଅନ୍ୟାନ୍ୟ ବୈଷୟିକ  ଅଧିବେଶନକୁ ଗୁରୁତ୍ୱ ଦେଇ ସକ୍ରିୟ ଭାବେ  ଅଂଶଗ୍ରହଣ ପୂର୍ବକ  ଏହାର ସଫଳତାକୁ ପ୍ରଦର୍ଶିତ କରିଥିଲା  । ପୋଖରୀ-ଭିତ୍ତିକ              ମଡ୍ କ୍ରାବ୍ ଆକ୍ୱାକଲଚର ର ଲାଇଭ୍ ଉପସ୍ଥାପନ, ଏହି ଷ୍ଟଲର  ଏକ ପ୍ରମୁଖ  ଆକର୍ଷଣ ଥିଲା,  ଯାହା ପ୍ରଦର୍ଶନୀ ପରିଦର୍ଶନ କରୁଥିବା ପ୍ରତିନିଧିମାନଙ୍କୁ ଆକୃଷ୍ଟ କରିଥିଲା । ଏହି ଉପସ୍ଥାପନ, ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ନବସୃଜନକୁ ସମନ୍ୱିତ କରି ପର୍ଯ୍ୟାୟ କ୍ରମିକ ବୈଜ୍ଞାନିକ ପ୍ରଣାଳୀରେ କଙ୍କଡ଼ା ଚାଷ, ସ୍ଥାୟୀ ଅଭ୍ୟାସ ଭଳି ମୂଲ୍ୟବାନ ଦୃଷ୍ଟିକୋଣ ରଖୁଛି । ଏହି ମଲ୍ଟିମିଡିଆ ପ୍ରଦର୍ଶନୀରେ ରୂପାନ୍ତରଣର ସଫଳ କାହାଣୀ-ବିଶେଷକରି ମହିଳା ଓ ଅପେକ୍ଷାକୃତ ସମାଜରେ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ମାର୍ଜିନାଲାଇଜ୍ଡ ଗ୍ରୁପ୍, ସମାବେଶୀ ପ୍ରକଳ୍ପ ଏବଂ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା  ।

ଓଡିଶାରୁ  ରାଜ୍ୟ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ରୁ ଅଧିକାରୀ, ଜଳବାୟୁ ଚମ୍ପିଅନ୍, କଙ୍କଡ଼ା ଚାଷୀ ହିତାଧିକାରୀଙ୍କ ସମେତ ୧୪ ଜଣିଆ ପ୍ରତିନିଧି  ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ଅଂଶଗ୍ରହଣ ପାରସ୍ପରିକ ଜ୍ଞାନ ଆହରଣ ଓ ଭାଗିଦାରିତା ବୃଦ୍ଧି ସକ୍ଷମ କରିବା ସହ ଗୋଷ୍ଠିଭିତ୍ତିକ ଜଳଚାଷ କରିବାରେ ନୂତନ ଅନ୍ୱେଷଣର ମାର୍ଗ ପ୍ରଶସ୍ତ  କରିଛି  ।

ଏକ୍ରିକ୍ ,ଓଡ଼ିଶା ଷ୍ଟଲକୁ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ  କୋଷ୍ଟାଲ୍ ଆକ୍ୱାକଲ୍ଚର୍ ଅଥରିଟି (ସିଏଏ)ର ସଚିବ, ସ୍ପେନ୍ ଦୂତାବାସ(ନୂଆ ଦିଲ୍ଲୀ)ର  କୃଷି, ମତ୍ସ୍ୟ ପାଳନ ଏବଂ ଖାଦ୍ୟ ପରାମର୍ଶଦାତା ଏବଂ  ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ( ଏନଏଫଡିବି), ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପରିଦର୍ଶନ କରିଥିଲେ । ସେମାନଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ, ଜଳବାୟୁ ସହନଶୀଳ ଜଳଚାଷ କ୍ଷେତ୍ରରେ ଓଡ଼ିଶାର ପ୍ରଗତିକୁ ପ୍ରଦର୍ଶିତ କରିବାରେ ଏବଂ ଏ କ୍ଷେତ୍ରରେ ବ୍ୟାପକ ସହଯୋଗ ପାଇଁ ସୁଯୋଗ ପ୍ରଦାନ କରିଛି  ।

୩୦୦୦ ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତିକ ପ୍ରତିନିଧି  ଯୋଗଦାନ କରିଥିବା ଏହି ପ୍ରଦର୍ଶନୀରେ , ଏକ୍ରିକ୍, ଓଡିଶାର ପୁରସ୍କାର ଲାଭ , ପ୍ରକଳ୍ପର  ଉଲ୍ଲେଖନୀୟ ଉପସ୍ଥାପନକୁ ପ୍ରତିଫଳିତ କରିଛି  ଏବଂ ସାମୁଦ୍ରିକ ବେଳାଭୂମି  ପରିସଂସ୍ଥାର ପୁନରୁଦ୍ଧାର କ୍ଷେତ୍ରରେ  ବୈଷୟିକ ସହାୟତା, ନୀତି ନିର୍ଦ୍ଧାରଣ  ଏବଂ ନିବେଶ ପାଇଁ ଆକର୍ଷଣୀୟ ସମ୍ଭାବନାର ପଥ  ଉନ୍ମୁକ୍ତ କରିଛି  ।


ଭୁବନେଶ୍ୱର,  ଜୁଲାଇ ୨୦୨୫



ଜୟଦେବ ବିହାର ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ଲେନ୍‌-ନଂ-୫ ଠାରେ ପଞ୍ଚମୁଖୀ ହନୁମାନ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଖଣ୍ଡ ଦୀପ ସ୍ଥାପନ, ଘଣ୍ଟ ସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ବିଗ୍ରହସ୍ନାନ, ଷୋଡ଼ଶ ଉପଚାର ପୂଜା, ଅଗ୍ନିସ୍ଥାପନ, ମଣ୍ଡଳପୂଜା, ହୋମ, ହନୁମାନ ଚାଳିଶା ପଠନ, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜୟଦେବ ବିହାର ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପଲେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ମନୋଜ୍ଞ ଉତ୍ସବରେ ବୃନ୍ଦାବନରୁ ଆସିଥିବା ଆଜନ୍ମ ବ୍ରହ୍ମଚାରୀ ବାବା ବନମାଳି ଦାସ ଓ ମୁଖ୍ୟ ପୂଜକ ଧୀରେନ୍ଦ୍ର ଦାଶଙ୍କ ତତ୍ତ୍ୱାବଧାନରେ ପୂଜକ ବିଜୟ ଦାଶ ପୂଜାର୍ଚ୍ଚନା କରିଥିଲେ। ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିକାଶ ପରିଷଦର ବରିଷ୍ଠ ଉପଦେଷ୍ଟା ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଡଃ ଶକ୍ତିରାଜ ଜାମଲା, ସମାଜସେବୀ ଯୁଧିଷ୍ଠିର ସାହୁ ଓ ମନୋଜ ରଥ, ବିଭୂଦତ୍ତ ରାଉତ, ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ଦାସ, କୋଷାଧ୍ୟକ୍ଷ ଲୋପାମୁଦ୍ରା ମହାପାତ୍ର, ମାନସ ରଞ୍ଜନ ରଥ, ରାଜଶ୍ରୀ ରଥ, ଆର୍କିଟେକ ଶୁଭଶ୍ରୀ ରଥ, ବାପି ଖଟେଇ, ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମର ସଭାପତି ସିଦ୍ଧାର୍ଥ ମିଶ୍ର ଓ ସାଂଗଠନିକ ସମ୍ପାଦକ ପ୍ରଭାସ ରଞ୍ଜନ ଦାସ, ଚନ୍ଦ୍ରିକା ନାୟକ, ସଙ୍ଗୀତଜ୍ଞ ସାଇସ୍ମିତା ରଥ, ଉର୍ମିଳା ରାଉତ, ମିନାକ୍ଷୀ ଷଢଙ୍ଗୀ, ଶଶିକଳା ଦାସ, କିଶୋର ମହାପାତ୍ର, ଦୁଃଶାସନ ସାହୁ, ନକୁଳ ଚରଣ ଲେଙ୍କା, ଦଶରଥ ଦାସ, ଭକ୍ତ ସୀତାରାମ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପଣା ବଣ୍ଟନ କରାଯିବା ସହିତ ପ୍ରସାଦ ସେବନ କରାଯାଇଥିଲା। ତୁଳସୀ ଭଜନ ସନ୍ଧ୍ୟା ପକ୍ଷରୁ ସଙ୍ଗୀତ ନିର୍ଦ୍ଦେଶକ ଆଶ ମୁକୁଲ ବାରିକଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ, ଇତିଶ୍ରୀ, ସୁଜାତା ଓ ସ୍ନେହାଶ୍ରୀ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ନିରଞ୍ଜନ, ସନ୍ଦୀପ କୁମାର, ଚିତ୍ତରଞ୍ଜନ ଓ ଅନିଲ୍ କୁମାର ସହାୟତା କରିଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଯୁକ୍ତରାଷ୍ଟ୍ର ଆମେରିକାର ମୋଂଟାନାରୁ ଆସିଥିବା ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ଦିନ ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଇଣ୍ଡିଆ ଟ୍ରେକ – ୨୦୨୫ କାର୍ଯ୍ୟକ୍ରମରେ ପ୍ରତିନିଧିମଣ୍ଡଳୀ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ ଓଡିଶାର ସମୃଦ୍ଧ ସଂସ୍କୃତି, କଳା ଏବଂ ସାମାଜିକ ପ୍ରଗତି ବିଷୟରେ ଅବଗତ କରାଇଥିଲେ। ପ୍ରତିନିଧିମଣ୍ଡଳୀ ଭାରତର ବିବିଧତା ଅନୁସନ୍ଧାନ କରିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏପରି ପରିଦର୍ଶନ ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି କହିଥିଲେ।

ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ରାଜଭବନ ପରିସର ପରିଦର୍ଶନ କରିଥିଲେ ଏବଂ ସେମାନଙ୍କ ଗସ୍ତ ସମୟରେ ସେମାନଙ୍କୁ ମିଳିଥିବା ଭବ୍ୟ ସ୍ୱାଗତକୁ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏମ୍‌ଏଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ସିଏମ୍‌ଏ ଭବନଠାରେ ପାଳିତ ହୋଇଯାଇଛି। ଜିଏସ୍‌ଟି ଦିବସକୁ ପାଳନ କରିବା ପାଇଁ “ଜିଏସ୍‌ଟି ଆପିଲେଟ୍ ମେକାନିଜିମ୍‌-ପ୍ରମୁଖ ଦିଗ ଏବଂ ପ୍ରକ୍ରିୟା” ବିଷୟ ସମ୍ପର୍କୀତ ଏକ ସେମିନାର ଆୟୋଜିତ ହୋଇଥିଲା। ବିଜୟ କୁମାର କର, ଆଇଆର୍‌ଏସ୍ (ଅବସରପ୍ରାପ୍ତ), କେନ୍ଦ୍ରୀୟ ଜିଏସ୍‌ଟି, କେନ୍ଦ୍ରୀୟ ଅବକାରୀ ଏବଂ ସୀମା ଶୁଳ୍କ, ଭୁବନେଶ୍ୱର ଅଞ୍ଚଳର ପୂର୍ବତନ ମୁଖ୍ୟ କମିଶନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ଅଭିଭାଷଣରେ ସେ ଆପିଲେଟ୍ ଚ୍ୟାଲେଞ୍ଜ ଏବଂ ଜିଏସ୍‌ଟି ଅଧିନରେ ଏକ ସୁଗମ ସମାଧ।।ନ ବ୍ୟବସ୍ଥାର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସିଏମ୍‌ଏ ନିରଞ୍ଜନ ସ୍ୱାଇଁ , ଚାପ୍ଟର ଏବଂ ଇଆଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ, ଓଡିଶା ଉଚ୍ଚ ନ୍ୟାୟାଳୟର ଓକିଲ ଏବଂ ଟିକସ ପରାମର୍ଶଦାତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ସେ କର ଆଇନ୍ ଏବଂ ବ୍ୟବହାରିକ ଅଭିଜ୍ଞତା ବିଷୟରେ ତାଙ୍କର ଗଭୀର ମତାମତ ପ୍ରଦାନ କରିବା ସହିତ ଅଂଶଗ୍ରହଣକାରୀଙ୍କୁ ଜିଏସ୍‌ଟି ଆପେଲେଟ୍ ପ୍ରକ୍ରିୟାର ବିବରଣୀ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ ଏବଂ ଜିଏସ୍‌ଟି ଆପେଲେଟ୍ ପ୍ରକ୍ରିୟା ଏବଂ ଡକ୍ୟୁମେଣ୍ଟେସନ ଉପରେ ଅର୍ନ୍ତଦୃଷ୍ଟି ପ୍ରଦାନ କରିଥିଲେ। ଆଇସିଏମ୍‌ଏଆଇ-ଇଆଇଆର୍‌ସି ସେକ୍ରେଟାରୀ ସିଏମ୍‌ଏ ଦାମୋଦର ମିଶ୍ର ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏଭଳି ପ୍ରଭାବଶାଳୀ ସେମିନାରର ଆୟୋଜନ ପାଇଁ ଭୁବନେଶ୍ୱର ଚାପ୍ଟରକୁ ପ୍ରଶଂସା କରିଥିଲେ। ସେ ବୃତ୍ତିଗତ ବିକାଶ ଏବଂ ନିରନ୍ତର ଜ୍ଞାନର ଆଦାନପ୍ରଦାନ ପ୍ରତି ପ୍ରତିଷ୍ଠାନର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଚାପ୍ଟରର ଅଧ୍ୟକ୍ଷ ସିଏମ୍‌ଏ ଶରତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଚାପ୍ଟରର ସଚିବ ସିଏମ୍‌ଏ ସୈାମ୍ୟରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରଫେସନାଲ ଡେଭଲପ୍‌ମେଣ୍ଟ କମିଟିର ଅଧ୍ୟକ୍ଷ ସିଏମ୍‌ଏ ବରଦା ପ୍ରସନ୍ନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଚାଳନା କମିଟି ସଦସ୍ୟବୃନ୍ଦ, ପୂର୍ବତନ ଅଧ୍ୟକ୍ଷ, ଚାପ୍ଟରର ବରିଷ୍ଠ ସଦସ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କ ସମେତ ୧୦୦ରୂୁ ଉର୍ଦ୍ଧ୍ୱ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ସାମୂହିକ ପ୍ରୟାସରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଦକ୍ଷିଣ ଭାରତର ପ୍ରସିଦ୍ଧ ଧାର୍ମିକ ସ୍ଥଳଗୁଡ଼ିକୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ ଭାରତ ଗୌରବ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି |  ଏହି ସ୍ୱତନ୍ତ୍ର ଟ୍ରେନ 28 ଜୁଲାଇରେ ଦକ୍ଷିଣ ଭାରତର ଦିବ୍ୟ ଯାତ୍ରାରେ ବାହାରୁଛି |  ଏହି 13 ଦିନିଆ ମହାନ ଯାତ୍ରା ପଠାନକୋଟ କ୍ୟାଣ୍ଟ ଷ୍ଟେସନରୁ ଆରମ୍ଭ ହେବ ଏବଂ ଯାତ୍ରୀମାନଙ୍କୁ ଦକ୍ଷିଣ ଭାରତର ପ୍ରମୁଖ ତୀର୍ଥସ୍ଥଳ ଯେପରିକି ତିରୁପତି, ରାମେଶ୍ୱରମ, ମଦୁରାଇ, କନ୍ୟାକୁମାରୀ ଏବଂ ମଲ୍ଲିକାର୍ଜୁନ ଭଳି ବିଭିନ୍ନ ତୀର୍ଥସ୍ଥାନ ଗୁଡିକୁ ପରିଭ୍ରମଣ କରାଇବ ଯାହା ଆଧ୍ୟାତ୍ମିକ ଅଭିଜ୍ଞତା, ସୁବିଧା ଏବଂ ସୁଲଭ ମୂଲ୍ୟର ଏକ ଅନନ୍ୟ ସଙ୍ଗମ ହେବ | 

ଏହି ଟ୍ରେନ ପଠାନକୋଟ କ୍ୟାଣ୍ଟ ଷ୍ଟେସନରୁ ଆରମ୍ଭ ହେବ |  ଏହାର ପ୍ରମୁଖ ବୋର୍ଡିଂ ପଏଣ୍ଟଗୁଡ଼ିକ ମଧ୍ୟରେ ଜଳନ୍ଧର ସିଟି, ଲୁଧିଆନା, ଚଣ୍ଡିଗଡ଼, ଅମ୍ବାଲା କ୍ୟାଣ୍ଟ, କୁରୁକ୍ଷେତ୍ର, କର୍ଣ୍ଣାଲ, ପାନିପତ, ସୋନିପତ, ହଜରତ ନିଜାମୁଦ୍ଦିନ, ମଥୁରା, ଆଗ୍ରା କ୍ୟାଣ୍ଟ ଏବଂ ଗ୍ୱାଲିୟର ଅନ୍ତର୍ଭୁକ୍ତ |  ମୋଟାମୋଟି ଭାବରେ, ଏହି ଯାତ୍ରା 12 ରାତି ୧୩ ଦିନ ରହିବ ଯାହାର ଫେରିବା ପାଇଁ 9 ଅଗଷ୍ଟରେ ସ୍ଥିର କରାଯାଇଛି | 

ଯାତ୍ରା ପାଇଁ ତିନୋଟି ବର୍ଗରେ ସିଟ୍ ଉପଲବ୍ଧ - ସ୍ଲିପର୍ କ୍ଲାସ୍ (640 ସିଟ୍), 3-ଏସି  ୭୦ ସିଟ୍ ଏବଂ 2-ଏସି 50 ସିଟ୍ |  ଭଡ଼ା ମଧ୍ୟ ବହୁତ ସୁଲଭ ରଖାଯାଇଛି |  ସ୍ଲିପର୍ କ୍ଲାସ୍ ₹30,135/- ହୋଇଥିବାବେଳେ 3-ଏସି ₹43,370/- ଏବଂ 2-ଏସି ₹57,470 ପ୍ରତି ବ୍ୟକ୍ତି (ସମସ୍ତ ଦର GST ସମେତ) ରଖାଯାଇଅଛି |  ଏହି ପ୍ୟାକେଜରେ ଟ୍ରେନ ଟିକେଟ ସହିତ ଦୈନନ୍ଦିନ ଖାଦ୍ୟ, ଆରାମଦାୟକ ରହଣି, ଦର୍ଶନ ପାଇଁ ଏସି/ନନ୍-ଏସି ବସ୍, ଟୁର୍ ଏସ୍କର୍ଟ, ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ | 

ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଥିବା ଏହି ଯାତ୍ରାରେ ଅଂଶଗ୍ରହଣ କରି ଭକ୍ତମାନେ କେବଳ ଦକ୍ଷିଣ ଭାରତର ପ୍ରମୁଖ ମନ୍ଦିରଗୁଡ଼ିକୁ ପରିଦର୍ଶନ କରିପାରିବେ ନାହିଁ ବରଂ ଯାତ୍ରା ସମୟରେ ଭାରତୀୟ ରେଳବାଇ ଦ୍ୱାରା ନିଶ୍ଚିତ କରାଯାଇଥିବା ସୁବିଧା ଏବଂ ବ୍ୟବସ୍ଥା ସେମାନଙ୍କୁ ଏକ ଆରାମଦାୟକ ଏବଂ ଭାବପ୍ରବଣ ଅଭିଜ୍ଞତା ମଧ୍ୟ ପ୍ରଦାନ କରିବ |

ଅଧିକ ସୂଚନା କିମ୍ବା ସଂରକ୍ଷଣ ପାଇଁ, www.irctctourism.com କିମ୍ବା ଆଇଆରସିଟିସି ଚଣ୍ଡିଗଡ଼ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇପାରିବ |

ଭୁବନେଶ୍ୱର,  ଜୁଲାଇ ୨୦୨୫




ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି। 

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନର୍ସିଂ କ୍ଷେତ୍ରରେ ଦକ୍ଷ ନେତୃତ୍ୱ ସମ୍ପର୍କିତ ବୁଧବାର ଆୟୋଜିତ ଏକ ମ୍ୟାନେଜମେଂଟ ଡେଭେଲପ୍‌ମେଂଟ ପ୍ରୋଗ୍ରାମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଏହା କହିଥିଲେ।

ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ସୁରକ୍ଷା, ଦକ୍ଷତା ଓ ସେବା ମନୋଭାବ ରଖିବା ନିମନ୍ତେ ନର୍ସିଂ କ୍ଷେତ୍ରରେ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ରୋଗୀ ସେବା ନିମନ୍ତେ ନେତୃତ୍ୱ ପ୍ରଦାନ କରୁଥିବା ପ୍ରକୃତ ନର୍ସ କେବଳ ନିଜ କାର୍ଯ୍ୟ ତୁଲାଇ ନଥାଏ ବରଂ ନିଜ ନର୍ସିଂ ଟିମ୍‌କୁ ମଧ୍ୟ ପ୍ରୋତ୍ସାହନ ଦେବା ସହ ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥାଏ ବୋଲି ଶ୍ରୀମତି ଦାସ କହିଥିଲେ। 

ତେଣୁ ଏ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ଦକ୍ଷ ଓ ସଶକ୍ତ କରାଇବା ନିମନ୍ତେ ଏଭଳି ନେତୃତ୍ୱ ସମ୍ପର୍କିତ ପ୍ରଶିକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଏହି କ୍ଷେତ୍ରରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଛି।

ହସ୍ପିଟାଲକୁ ରୋଗୀମାନେ କଷ୍ଟ ଓ ଯନ୍ତ୍ରଣାରେ ଆସୁଥିଲା ବେଳେ ସେମାନଙ୍କ କଷ୍ଟ ଲାଘବ କରିବା ସହ ସେମାନେଙ୍କ ମୁହଁରେ ହସ ଫୁଟାଇବା ଭଳି ମହାନ କାର୍ଯ୍ୟ ନର୍ସମାନେ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ। 

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ। 

ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟରେ ନେତୃତ୍ୱ ନେବା କ୍ଷେତ୍ରରେ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ଉଦାହରଣ ଦେଇଥିଲେ। ଦାୟିତ୍ୱ ଆଗରେ ନିଜର ବ୍ୟକ୍ତିଗତ ଆଶା ଆକାଂକ୍ଷା ଯେ ତୁଚ୍ଛ ତାହା ଶ୍ରୀରାମ ହିଁ ପ୍ରତିପାଦିତ କରିପାରିଥିଲେ ବୋଲି ପ୍ରଫେସର ଦାଶ କହିଥିଲେ। 

କାର୍ଯ୍ୟକ୍ରମ ଶେଷରେ ଆଇବିସିଏସ୍‌ର ଆସୋସିଏଟ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବି. ବି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫




କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ନବନିର୍ବାଚିତ ଛାତ୍ର କ୍ୟାବିନେଟର ଶପଥ ଗ୍ରହଣ ଏବଂ ପ୍ରଖ୍ୟାତ ସାମ୍ବାଦିକ, ସ୍ନାୟୁ ବିବିଧତା ପ୍ରବକ୍ତା ଏବଂ ଲେଖିକା ମୁଗ୍ଧା କାଲରାଙ୍କ ପ୍ରେରଣାଦାୟକ ଅଭିଭାଷଣ ସହିତ ଏକ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ମୁଗ୍ଧା କାଲରା କହିଲେ, ମୁଁ ଦେଶର ଅନେକ କ୍ୟାମ୍ପସକୁ ଯାଇଛି, କିନ୍ତୁ ଏହି କ୍ୟାମ୍ପସକୁ ଆସି ମୁଁ ଗର୍ବିତ। ସେ ସ୍କୁଲର ଭିତ୍ତିଭୂମି ଓ ଛାତ୍ର-ଅନୁକୂଳ ସୁବିଧାଗୁଡ଼ିକୁ ପ୍ରଶଂସା କରି କହିଥିଲେ, କିଟ୍ ଏଭଳି ପରିବେଶ ସୃଷ୍ଟି କରିଛି ଯେଉଁଥି ପାଇଁ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ୱତନ୍ତ୍ର ପିଲାଙ୍କ ସହ ଅନ୍ୟ ସାଧାରଣ ଛାତ୍ରମାନେ ଏକାଠି ପାଠ ପଢିପାରୁଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ସହାନୁଭୂତି ଏବଂ ସାମାଜିକ ସଚେତନତା ସୃଷ୍ଟି କରୁଥିବା ଏପରି ଅନ୍ତର୍ଭୁକ୍ତିମୂଳକ ଅଭ୍ୟାସଗୁଡ଼ିକୁ ପ୍ରଶଂସା ଏବଂ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜକୁ ଫିଟ୍ ରଖିବା ସହ ସର୍ବଦା ପରିବାର ଏବଂ ବନ୍ଧୁମାନଙ୍କ ସହିତ ରହିବା, ସନ୍ତୁଳିତ ଜୀବନ ଧାରଣ ଏବଂ ମନଯୋଗ ଦେଇ ଉତ୍କର୍ଷତା ପ୍ରତିପାଦିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ବାର୍ତ୍ତା ଜରିଆରେ କିଟ୍ ଏବଂ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲର ଚେୟାରପର୍ସନ ଡ. ମୋନା ଲିସା ବଳ କହିଲେ, ଅନ୍ୟମାନଙ୍କଠାରୁ ନିଆରା ହେବା ପାଇଁ କେବେ ବି ଭୟ କରନାହିଁ । ତୁମମାନଙ୍କ ଚିନ୍ତାଧାରା ଅଲଗା ଜଣାପଡ଼ୁଥିଲେ ମଧ୍ୟ ଏଥିପାଇଁ କେବେ ବି ଭୟ କରନାହିଁ। କାରଣ ଏକ ଅଲଗା ଚିନ୍ତାଧାରା ଅନେକ ସମୟରେ ବିଶ୍ୱକୁ ପରିବର୍ତ୍ତନ କରିଥାଏ। ସର୍ବଦା ଉତ୍ତମ ଓ ଗଭୀର ଚିନ୍ତନ ତଥା ଦୃଢ଼ତାର ସହ ଆଗେଇ ଯିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ୍‍ ଅଧ୍ୟକ୍ଷ ଡ ସଞ୍ଜୟ ସୁଆର ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ଚିନ୍ତାଧାରା ବୃଦ୍ଧି ସହ ଶିକ୍ଷାରେ କିଭଳି ଅଧିକ ଭଲ କରିବେ ସେ ନେଇ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱର, ୨ ଜୁଲାଇ ୨୦୨୫



ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି |  ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ଅଧିକ ଆରାମଦାୟକ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବା | 

22823/22824 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ 8 ଏବଂ 11 ଜୁଲାଇ 2025ରେ  ଏବଂ ନୂଆଦିଲ୍ଲୀରୁ 9 ଏବଂ 12 ଜୁଲାଇ 2025ରେ ଗୋଟିଏ ଅତିରିକ୍ତ ଏସି-3 ଟାୟାର କୋଚ୍ ସଂଯୋଗ ସହିତ ଏହାର ଗଠନକୁ ବର୍ଦ୍ଧିତ କରାଯିବ | 

18417/18418 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ 3 ରୁ 9 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରତିଦିନ ରାଉରକେଲାରୁ ଏବଂ 4 ରୁ 10 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରତିଦିନ ଗୁଣୁପୁରରୁ ଗୋଟିଏ ଅତିରିକ୍ତ ଏସି-3 ଟାୟାର କୋଚ୍ ସଂଯୋଗ ସହିତ ବର୍ଦ୍ଧିତ କରାଯିବ | 

ଏହି ଅସ୍ଥାୟୀ ବୃଦ୍ଧିର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ଦୂର କରିବା ଏବଂ ଏହି ସମୟ ମଧ୍ୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା |  ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ଉପଲବ୍ଧ ଅତିରିକ୍ତ ରହଣି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି | 

ପୂର୍ବ ତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବା ଏବଂ ବର୍ଦ୍ଧିତ ଟ୍ରାଫିକକୁ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ |  ଅଧିକ ବିବରଣୀ ଏବଂ ବୁକିଂ ପାଇଁ, ଯାତ୍ରୀମାନେ www.irctc.co.in ପରିଦର୍ଶନ କରିପାରିବେ କିମ୍ବା ନିକଟସ୍ଥ ରେଳ ଷ୍ଟେସନ ଅନୁସନ୍ଧାନ କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ | 

ଭୁବନେଶ୍ୱର,  ଜୁଲାଇ ୨୦୨୫



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ନିକଟରେ ‘ଆପ୍ଲିକେସନ୍ ଅଫ୍ ମଲ୍ଟି- କ୍ରାଇଟେରିଆ ଡିସିସନ୍ ମେକିଂ (ଏମ୍‌ସିଡିଏମ୍‌) ଟୁଲ୍‌ସ ଇନ୍ ରିସର୍ଚ୍ଚ’ ସମ୍ପର୍କିତ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି। 

ପାପୁଆ ନ୍ୟୁଗିନି ସ୍ଥିତ ପାପୁଆ ନ୍ୟୁଗିନି ୟୁନିଭର୍ସିଟି ଅଫ୍ ଟେକ୍ନୋଲଜିର ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା।

କର୍ମଶାଳାକୁ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ତଥା କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ୍ସ ବିଭାଗର ପ୍ରଫେସର (ଡକ୍ଟର) ଜିବିତେଶ ମିଶ୍ର ଉଦ୍‌ଘାଟନ କରିବା ଅବସରରେ ଏମ୍‌ସିଡିଏମ୍ ଟୁଲ୍‌ସର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ଏହା କିଭଳି ବିଶ୍ୱସ୍ତରରେ ବ୍ୟବସାୟିକ ପରିବେଶର ଅସ୍ଥିତ୍ୱ ଜାହିର କରୁଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। 

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ବକ୍ତବ୍ୟ ରଖିଥିଲେ। 

ବୈଷୟିକ ପର୍ଯ୍ୟାୟ ଗୁଡ଼ିକୁ ପାପୁଆ ନ୍ୟୁଗିନି ୟୁନିଭର୍ସିଟି ଅଫ୍ ଟେକ୍ନୋଲଜିର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର କମଳାକାନ୍ତ ମୁଦୁଲି ପରିଚାଳନା କରି ପରିଚାଳନା ଗବେଷଣା କ୍ଷେତ୍ରରେ ଏମ୍‌ସିଡିଏମ୍‌ର ବ୍ୟବହାରିକ କାର୍ଯ୍ୟଧାରା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। 

କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ବିଭୁତି ଭୂଷଣ ମିଶ୍ର ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ପ୍ରିତି ୱାଇ ଷଡ଼ଙ୍ଗୀ ପରିଚାଳନା କରିଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ଭାରତୀୟ କୃଷିରେ ଦ୍ୱିତୀୟ ସବୁଜ ବିପ୍ଳବ ହେବାକୁ ହେଲେ ପ୍ରଯୁକ୍ତି ବିଦ୍ୟାର ଅଭିନବତ୍ୱ ତଥା ସାମଗ୍ରିକ ବିକାଶ ହିଁ ଏହାର କର୍ଣ୍ଣଧାର ହେବ ବୋଲି ଜଣେ ପ୍ରମୁଖ କୃଷି ବିଶେଷଜ୍ଞ କହିଛନ୍ତି। 

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ରେ ସୋମବାର ଆୟୋଜିତ ହୋଇଥିବା ସାପ୍ତାହିକ ବକ୍ତୃତା ମାଳାରେ ଯୋଗ ଦେଇ ଡେରାଡୁନ ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ କୃଷି ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଶରୀରତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ତଥା ଅନନ୍ୟ ଗବେଷକ ପ୍ରଫେସର ସୁଧୀର କୁମାର ଗୁରୁ ଏହି ମତ ବ୍ୟକ୍ତ କରିଛନ୍ତି। 

ପ୍ରଫେସର ଗୁରୁ ଅଧୁନା ଜି. ବି. ପନ୍ତ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ସ୍ୱତନ୍ତ୍ର ଅଧିକାରୀ (ଓଏସଡି) ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ଆଲୋଚନାରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଗବେଷଣା ସଂଯୋଜକ ପ୍ରଫେସର ଜଗମୋହନ ଲାଲ ଗୁଲାଟି ଆଲୋଚନା ଆରମ୍ଭ କରିଥିବାବେଳେ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ।

ପ୍ରଫେସର ଗୁରୁଙ୍କ ବକ୍ତବ୍ୟ ପରେ ଆଲୋଚନା ଓ ପର୍ଯ୍ୟାଲୋଚନା ଅବସରରେ ମହାବିଦ୍ୟାଳୟର ସମସ୍ତ ଯୁବ ପ୍ରାଧ୍ୟାପକ ଓ ଗବେଷଣାରତ ଛାତ୍ରଛାତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରିଥିଲେ। ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ପୁରୀରେ ସମ୍ମୁଖୀନ ହୋଇଥିବା ସମସ୍ୟା ସଂପର୍କରେ ଅବଗତ କଲେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି


ଶ୍ରୀଗୁଣ୍ଡିଚା ଦିନ ପୁରୀକୁ ରଥଯାତ୍ରାର ସମ୍ବାଦ ସଂଗ୍ରହ ପାଇଁ  ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଯାଇଥିବା ଭୁବନେଶ୍ୱରର ସାମ୍ବାଦିକମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ  ସାକ୍ଷାତ କରି ଆଲୋଚନା କରିବା ସହିତ ଏକ ସ୍ମାରକପତ୍ର (ମେମୋରାଣ୍ଡମ) ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସେଦିନ ଘଟିଥିବା ଘଟଣା ଓ ସାମ୍ବାଦିକମାନେ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ଶୁଣିବା ସହିତ ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଏ ସମ୍ପର୍କରେ ବିଚାର ଆଲୋଚନା କରାଯାଇ  ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ  ସାମ୍ୱାଦିକମାନଙ୍କୁ କହିଥିଲେ । 

ଏହି ଆଲୋଚନାରେ ବରିଷ୍ଠ ସାମ୍ୱାଦିକ  ସନତ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଭାଗବତ ତ୍ରିପାଠୀ, ପବିତ୍ର ମୋହନ ସାମନ୍ତରାୟ, ପାର୍ଥ ସାରଥୀ ଜେନା, କିଶୋର ମଙ୍ଗରାଜ, ଦେବକାନ୍ତ ମହାପାତ୍ର, ସ୍ୱରୂପ କୁମାର ମହାନ୍ତି, ଗଜେନ୍ଦ୍ରନାଥ ବେହେରା, ସନାତନ ଦଳବେହେରା, ସୁବୋଧ କାନୁନଗୋ, ସୂର୍ଯ୍ୟକାନ୍ତି ନାୟକ, ଦେବ ମହାନ୍ତି ଏବଂ ସ୍ୱଦେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

          ପ୍ରକାଶ ଥାଉକି  ସାମ୍ବାଦିକମାନେ  ପୁରୀରେ ସମ୍ମୁଖୀନ ହୋଇଥିବା  ସମସ୍ୟା ସଂପର୍କରେ  ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ, ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ                            ଏ ସଂପର୍କରେ ବିହୀତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । 


ଭୁବନେଶ୍ୱର,  ଜୁଲାଇ ୨୦୨୫




 ଅଲ୍ ଓଡ଼ିଶା ଟ୍ରକ ମାଲିକ ମହାସଂଘ ତରଫରୁ ୧୬ ଦଫା ଦାବି ପୂରଣ ନିମନ୍ତେ ମଙ୍ଗଳବାର କସ୍ତୁରବା ନାରୀ ମହଲଠାରେ ଏକ ବୈଠକ ଅନୁଷ୍ଠିତ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ତରଫରୁ ଦର୍ଶାଯାଇଛି ଯେ, ମିଲିୟନ ମିଲିୟନ ଟନ୍ ଖଣିଜ ଦ୍ରବ୍ୟ ଉତ୍ପାଦନ ହେଉଥିବା ବେଳେ ୧୦ ପ୍ରତିଶତରୁ କମ୍ ମାଲ ଟ୍ରକ ଦ୍ୱାରା ପରିବହନ ହେଉଥିବାରୁ ଏହା ଟ୍ରକମାଲିକମାନଙ୍କୁ ଅଣଦେଖା କରାଯାଉଛି, ତେଣୁ କୋଇଲା ଏବଂ ଆଇରନ ଟ୍ରେନ ଏବଂ ଟ୍ରକ ଦ୍ୱାରା ୬୦:୪୦ ଭାଗରେ ପରିବହନ ହେଉ। ଦୀଘବର୍ଷ ହେବ ଟ୍ରକ ଦ୍ୱାରା ପରିବହନ ଭଡ଼ା ଧାର୍ଯ୍ୟ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି, ତେଣୁ କିଲୋମିଟର ପ୍ରତି ୬ଟଙ୍କା ୫୦ ପଇସା ଲାଗୁ କରାଯାଉ। ପାଇପ ଲାଇନ ଦ୍ୱାରା ଖଣିଜ ଦ୍ରବ୍ୟ ପରିବହନ ବନ୍ଦ କରାଯାଉ, ନଚେତ ସମସ୍ତ ଗାଡ଼ିର ଲୋନ ଉଠାଇ ଦିଆଯାଉ, ସ୍ଲରୀ ପାଇପ ଲାଇନରେ ପରିବହନ ଆରମ୍ଭ ହୋଇଯାଇଥିବାରୁ ଅଂସଖ୍ୟ ଟ୍ରକ ମାଲିକମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି, ତତ୍‌ସହିତ ନଦୀ ମରିଯିବାକୁ ବସିଲାଣି, ଅସଂଖ୍ୟ ଜଙ୍ଗଲୀ ଜୀବଜନ୍ତୁ କରିଯିବେ, ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ଲରୀ ଲାଇନ କାର୍ଯ୍ୟକ୍ରମ ବନ୍ଦ କରଯାଉ, ସ୍ଲରୀ ଦ୍ୱାରା ପରିବହନ କରାଗଲେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବେ, କେବଳ ଶିଳ୍ପପତି ରପ୍ତାନୀକାରୀମାନଙ୍କ ଲାଭ ବଢିବ, ସରକାର ଓ ସାଧାରଣ ଲୋକ ଉଭୟ ବ୍ୟାପକ କ୍ଷତିଗ୍ରସ୍ତ ହେବେ। ପାର୍କିଂ ସହ ଡ୍ରାଇଭର ବିଶ୍ରାମ ବ୍ୟବସ୍ଥା ପ୍ରମୁଖ ସ୍ଥାନମାନଙ୍କରେ ହେବା ଅତ୍ୟନ୍ତ ଆବଶ୍ୟକ, ଏହି ସୁବିଧା ଯେଉଁଠି ନାହିଁ, ସେଠାରେ ମନଇଚ୍ଛା ନୋ ପାର୍କିଂ ଜୋରିମାନା ବନ୍ଦ କରାଯାଉ। ମଦ୍ୟପାନ କରିଥିବା ଡ୍ରାଇଭର ଧରାପଡ଼ିଲେ ଡ୍ରାଇଭରକୁ ଅଟକ ସହ ଜୋରିମାନା ବା ଦଣ୍ଡ ଦିଆଯାଉ, ମାତ୍ର ଗାଡ଼ିକୁ ଜବତ କରିବା ବନ୍ଦ କରାଯାଉ, ବିନା କାରଣରେ ଗାଡ଼ି ମାଲିକ ୧୦ ହଜାର ଟଙ୍କା ଜୋରିମାନା ଓ ଓକିଲ ଖର୍ଚ୍ଚ ୩ ହଜାର ଟଙ୍କା ଦେବା ସହ ଗାଡ଼ି ପାଖାପାଖି ୧୦-୧୫ଦିନ ଥାନାରେ ଅଟକି ରହୁଛି, ଏହା ପୁନର୍ବିଚାର କରାଯାଉ। ଗାଡ଼ି ବ୍ୟବସାୟକୁ ଏମ୍‌ଏସ୍‌ଏମ୍‌ଇ ଦାୟିରା ଭିତରେ ନିଆଯାଉ। ପୋଲିସ୍ ଦ୍ୱାରା ଗାଡ଼ି ଯାଞ୍ଚ ବନ୍ଦ କରାଯାଉ। ଟିପ୍ପର ଗାଡ଼ି ଦ୍ୱାରା ବାଲି ପରିବହନ କରୁଥିବା ମାଲିକମାନଙ୍କୁ ବାଲି ମାଫିଆ କହି ଗାଡ଼ିକୁ ଜବତ ଏବଂ ଜୋରିମାନା ନ କରି ବାଲିଘାଟକୁ ଜବତ କରିବା ଏବଂ ଜୋରିମାନା କରାଯାଉ, ପ୍ରତ୍ୟେକ ବାଲି ପଥର ଖଣିରେ ସିସିଟିଭି କ୍ୟାମେରା ସହ ଓଜନ କଣ୍ଟା ଲଗାଯାଉ ଏବଂ ବାଲି, ଗୋଡ଼ି ଉତ୍ତୋଳନ ବାବଦ ରାଜସ୍ୱ ଅନଲାଇନ ଦ୍ୱାରା ଆଦାୟ କରି ଗାଡ଼ିମାନଙ୍କରେ ଲୋଡ଼ିଂ ଏବଂ ଟ୍ରାଞ୍ଜିଟ ପାସ୍ ସହ ପରିବହନ ପାଇଁ ଅନୁମତି ଦିଆଗଲେ ସମସ୍ତ ସମସ୍ୟାର ସମାଧାନ ହେବା ସହ ରାଜ୍ୟ ରାଜକୋଷ ବୃଦ୍ଧି ପାଇବ। ଟ୍ରକ ମାଲିକମାନଙ୍କ ପାଇଁ ସରକାର ଏକ ୱେଲଫେୟାର ବୋର୍ଡ଼ ଗଠନ କରନ୍ତୁ, ଯେଉଁ ବୋର୍ଡ଼ ଦ୍ୱାରା ସାଧାରଣ ଟ୍ରକ ମାଲିକ ନିଜର ସମସ୍ୟା ସରକାରଙ୍କ ନିକଟରେ ସହଜରେ ଉପସ୍ଥାପନ କରିପାରିବେ। ରାଜ୍ୟରେ ଛୋଟ ବଡ଼ ଦୁର୍ଘଟଣାରେ ଯେଉଁ ସାଧାରଣ ଜନତା ଗଣ୍ଡଗୋଳ କରି ଡ୍ରାଇଭରମାନଙ୍କୁ ବାଡ଼ଉଛନ୍ତି, ଗାଡ଼ି ଭାଙ୍ଗୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯାଉ, ଫଳରେ ଭବିଷ୍ୟତରେ ସାଧାରଣ ଜନତା ଆଇନକୁ ହାତକୁ ନେବାକୁ ଭୟ କରିବା ସହ ନିରୀହ ଡ୍ରାଇଭର ଓ ଗାଡ଼ିମାଲିକ ମାନସିକ ଓ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବେ। ବାହାର ରାଜ୍ୟର ବଡ଼ ବଡ଼ କର୍ପୋରେଟ ସଂସ୍ଥା, ପରିବହନ କମ୍ପାନୀମାନେ ଯେଉଁ ଅଂସଖ୍ୟ ଗାଡ଼ି କିଣି ନିଜ ପରିବହନ କାମରେ ନିୟୋଜିତ କରି ଆମ୍ଭ ଭଳି ଗୋଟିଏ ଟ୍ରକଥିବା ମାଲିକମମାନଙ୍କ ଦାନାପାଣି ବୁଡ଼ାଉଛନ୍ତି, ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ସହ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ। ଗୋଟିଏ ଟ୍ରକରେ ସବୁବେଳେ ବହୁଳ ଭାବେ ବ୍ୟବହୃତ ହେଉଥିବା ଟାୟାର ଏବଂ ବ୍ୟାଟେରୀ ଉପରେ ଜିଏସ୍‌ଟି ୨୮% ବଦଳରେ ୧୮% ଲାଗୁ କରାଯାଉ ଯାହାକି ଭାରତବର୍ଷର ସମସ୍ତ ଗାଡ଼ି ମାଲିକ ଉପକୃତ ହେବେ। ମାନ୍ୟବର ସୁପ୍ରିମକୋର୍ଟ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀ ଭଡ଼ାଟିଆ ଗୁଣ୍ଡା ଲଗାଇ ଟ୍ରକ ହରିଲୁଟ କରି ନେଉଛନ୍ତି ଏବଂ ୧୦ ହଜାରରୁ ୨୦ ହଜାର ଟଙ୍କା ଦାଦା ବଟି ନେଲେ ଛାଡୁଛନ୍ତି। ଏହାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଗାଡ଼ିମାଲିକଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ, ଏଥିପାଇଁ ରାଜ୍ୟ ସରକାର, ରାଜ୍ୟ ପୋଲିସ୍ ମୁଖ୍ୟଙ୍କ ସହ ଆଲୋଚନା କରି ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। ଯେଉଁ ସରକାରୀ ଓ ବେସରକାରୀ କମ୍ପାନୀମାନେ ଗାଡ଼ି ମାଲିକଙ୍କ ଉପରେ ଜୋର ଜବରଦସ୍ତ ଅତ୍ୟଧିକ ପରିମାଣର ମାଲ ଲୋଡ଼ିଂ କରୁଛନ୍ତି ସେମାନଙ୍କ ଉପରେ ଜୋରିମାନା କରାଯାଉ, ଗାଡ଼ି ଡ୍ରାଇଭର ଲୋଡ଼ିଂ ବେଳେ ଜାଣିପାରିବେ ନାହିଁ କେତେ ଓଜନର ମାଲ ଲୋଡ଼ିଂ କରାଗଲା, ଲୋଡ଼ିଂ ପଏଣ୍ଟରେ ଓଜନ କଣ୍ଟା ରହିବା ବାଧ୍ୟତାମୂଳକ କରାଯାଉ ଓ ଗାଡ଼ି ମାଲିକଙ୍କ ଉପରେ ଜୋରିମାନା ବନ୍ଦ କରାଯାଉ। ମହାସଂଘ ତରଫରୁ ୧୪ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ପରିବହନ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। 

ଏହି ଗଣଧାରଣାରେ ମହାସଂଘର ରାଜ୍ୟ ସଭାପତି ପୁରଞ୍ଜନ ପାଢୀ, ଗଣେଶ ମାହାରି, ଫିରୋଜ ଖାନ, ପର୍ବିନ ପରୱାନା, ଏସ୍‌.କେ ତାଞ୍ଜିମ୍ ଅହମ୍ମଦ ଚିସ୍ତି, ଜହର ଅଲ୍ଲୀ ଖାନ, ତପନ ବେହେରା, ମାନସ, ବୀରେନ, ମାନ୍ଧେତା, ପତିତପାବନ, ସସ୍ମିତା, ଦାମୋଦର, ଅବଦୁଲ, ମୁକୁନ୍ଦନାଥ, ଓଁକାର ପ୍ରମୁଖ ଯୋଗଦାନ କରିଥିଲେ। ଯଦି ରାଜ୍ୟ ସରକାର ମହାସଂଘର ୧୪ଦଫା ଦାବିକୁ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହାସଂଘ ତରଫରୁ ଚେତାବନୀ ଦିଆଯାଇଛି।

ଭୁବନେଶ୍ୱର,  ଜୁଲାଇ ୨୦୨୫


  • ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲିଯାଇଛି
  • ରାଜ୍ୟରେ ଶାସକ ଶ୍ରେଣୀ ବାହୁ ବଳରେ ଶାସନ କରିବାପାଇଁ ଚାହୁଁଛନ୍ତି

ସାରା ଓଡ଼ିଶାରେ ଏବେ ଅରାଜକତା ମାଡ଼ି ଚାଲିଛି। ଆଇନର ଶାସନ ପରିବର୍ତ୍ତେ ବାହୁବଳୀ ମାନଙ୍କ ଶାସନ ଚାଲିଛି। ସମୁଦାୟ ଶାସନ ପ୍ରକ୍ରିୟାକୁ ବିଜେପିକର୍ମୀଙ୍କ ଦ୍ୱାରା ଆୟତ କରିବାପାଇଁ ଦୀର୍ଘ ୧ ବର୍ଷ ଧରି ପୟାସ ଚାଲିଛି। ତାର ଫଳ ସ୍ୱରୂପ ଜଣେ କର୍ତ୍ତବ୍ୟରତ ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିବା ବେଳେ ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଓ ୮-୧୦ ଜଣ ବିଜେପି କର୍ମୀ ଆତତାୟୀ ହିସାବରେ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଧିକାରୀଙ୍କ ସାମନାରେ ବସି ତାଙ୍କୁ ପଚାରଉଛନ୍ତି ଆମ ଜଗା ଭାଇଙ୍କୁ କ’ଣ କିଛି କହିଲେକି ? ଅଧିକାରୀ ଜଣକ ସେ କିଛି କହିନାହାନ୍ତି ବୋଲି କହିବା ପରେ ମଧ୍ୟ କର୍ପୋରେଟର ଏବଂ ତାଙ୍କ ସହଯୋଗୀ ତାଙ୍କ କଲରକୁ ଭିଡ଼ି ଚେୟାରରୁ ଘୋଷାଡ଼ି ଆଣି ଆଗ ପ୍ରସ୍ତୁତ ଥିବା ଏକ ଗାଡ଼ି ଆଡ଼କୁ ଘୋଷାଡି ଘୋଷାଡି ନେବା ସମୟରେ ତାଙ୍କୁ ଏମାନେ ସମସ୍ତେ ନିର୍ମମ ଅତି ଅମାନୁଷିକ ଭାବେ ମୁହଁକୁ ଗୋଇଠା ମାରିବା, ମୁଥ ମାରିବ ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଅଫିସ ବାହାରେ ଏକ ଆତଙ୍କ ସୃଷ୍ଟି କରିଥିଲେ। ଏହି ବିଜେପି କର୍ମୀ ଓ ନେତାମାନେ ଏତେ ସାହସ କେଉଁଠାରୁ ପାଇଲେ। ରାଜ୍ୟରେ ଆଇନର ଶାସନ ଚାଲିଛିକି? ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଅଥଚ ଦଳୀୟ କର୍ପୋରେଟର ଏବଂ କର୍ମୀମାନେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାରୁଛନ୍ତି। ଏ ଘଟଣା କୌଣସି ଅପହଞ୍ଚ ଇଲାକାରେ ଘଟିନାହିଁ ଖୋଦ ରାଜ୍ୟ ରାଜଧାନରେ ଏଭଳି ଘଟଣା ଘଟୁଛି। ଏହା ପୂର୍ବରୁ ବିଭିନ୍ନ ଜିଲ୍ଳାରେ ଜେଇ, ବ୍ଲକ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ମାରୁଛନ୍ତି ଓ ଅଶିଳ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ସୋମବାର ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଯେଉଁ ଅମାନବୀୟ ଓ ଅକଥନୀୟ ଘଟଣା ଘଟିଥଲା ତାହାକୁ ଘୋର ନିନ୍ଦା କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ତାଙ୍କ ପଛରେ ଥିବା ମଧ୍ୟ ଭୁବନେଶ୍ୱରର ବିଜେପି ଦଳର ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। ଜଗନ୍ନାଥ ପ୍ରଧାନ ଜଣେ ନିର୍ବାଚନରେ ହାରିଥିବା ବ୍ୟକ୍ତି। ସେ କେଉଁ ଅଧିକାର ବଳରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀ ମାନଙ୍କ ସହିତ କେମିତି ବସୁଛନ୍ତି? ଆଜିର ଯେଉଁ ଘଟଣା ଘଟିଲା ତାହା ହେଉଛି ପ୍ରଶାସନକୁ ବିଜେପିକରଣ କରିବା ଉଦ୍ୟମ ଯୋଗୁଁ। ମୁଖ୍ୟମନ୍ତ୍ରୀ ଏ ଘଟଣା ପାଇଁ ସଂପୂର୍ଣ୍ଣ ଦାୟୀ। ସରକାରୀ କାର୍ଯ୍ୟକ୍ରମରେ ଦଳିୟ ଲୋକମାନଙ୍କୁ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀରେ ମଧ୍ୟ ବସାଯାଉଛି। ପ୍ରଶାସନିକ ଅଧିକାରୀମାନେ ସରକାରୀ କାମ କରୁଛନ୍ତି ତାଙ୍କୁ ଯେଉଁଭଳି ଭାବରେ ମାରପିଟ କରାଯାଉଛି, ଗୁଣ୍ଡାଗିରି କରାଯାଉଛି ଏହାଦ୍ୱାର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିବ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଘଟଣା ଉପରେ ତୀକ୍ଷ୍ଣ ନଜର ରଖନ୍ତୁ ଓ ଏମାନଙ୍କ ପ୍ରଛଦପଟରେ ଥିବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାପାଇଁ ନିର୍ଦ୍ଦେଶ ଦିଅନ୍ତୁ।

ଗଣତାନ୍ତ୍ରିକ ଉପାୟରେ ଯୁବ କଂଗ୍ରେସର ନେତୃବର୍ଗ ପୁରୀ ଶରଧାବାଲିରେ ତିନିଜଣ ଭକ୍ତଙ୍କର ମୃତ୍ୟୁ ଓ ରଥା ଟଣାର ବିଭ୍ରାଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାପାଇଁ ଯାଉଥିଲା ବେଳେ ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ ପୋଲିସ କମିଶନର ଶ୍ରୀଯୁକ୍ତ ନରସିଂହ ଭୋଳ ପୋଲିସ ଦ୍ୱାରା ଦିଆଯାଇଥିବା ତାରବାଡ଼ ପଛପଟେ ଥିବା ଷ୍ଟ୍ରାଇକିଂଫୋର୍ସଙ୍କୁ କହୁଛନ୍ତି ଯେ ଯଦି ବିକ୍ଷୋଭକାରୀ ତାରବାଡ଼ ପାଖକୁ ଆସନ୍ତି ତାଙ୍କୁ ଗୋଡ଼ ଭାଙ୍ଗିଦେବ ଯିଏ ଭାଙ୍ଗି ମୋ ପାଖକୁ ଆସିବ ମୁ ତାକୁ ପୁରସ୍କାର ଦେବି। ଏ ଉକ୍ତି କୌଣସି ପୋଲିସ ଅଧିକାରୀଙ୍କର ହୋଇପାରିବ କି? ସେ ପ୍ରଶ୍ନ କରିଛନ୍ତି। ଏ ଅଧିକାରୀଙ୍କୁ ଏତେ ସାହସ ଦେଲାକିଏ ? ଏ ଅଧିକାରୀଙ୍କର ସମ୍ବିଧାନ ପ୍ରତି ସମ୍ମାନ ନାହିଁ। ସମ୍ବିଧାନ ତାଙ୍କୁ ଚାକିରି ଦେଇଛି କିନ୍ତୁ ସେ ସମ୍ବିଧାନର ନିୟମକୁ ସେ ମାନୁ ନାହାନ୍ତି। ଏହା ତାଙ୍କର ପ୍ରଥମ ଭୁଲ ନୁହଁ। ବିଧାନସଭା ସମୟରେ ପୂର୍ବତନ ବିଧାୟକ ମାନଙ୍କୁ ବିଧାନସଭା ଭିତରକୁ ନ ଛାଡିବା ପାଇଁ ଏହି ବ୍ୟକ୍ତି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ବର୍ଦ୍ଦି ପିନ୍ଧି ସମ୍ବିଧାନକୁ ଅସମ୍ମାନ କରିବା ଅକ୍ଷମଣୀୟ ଅପରାଧ। ତୁରନ୍ତ ପୋଲିସ ବର୍ଦ୍ଦି ଉହ୍ଲାଇ ଦେଇ ବିଜେପି ଦଳରେ ଯୋଗଦାନ କରି ରାଜନୀତି କରନ୍ତୁ କିନ୍ତୁ ଚାକିରିରୀରେ ଥାଇ ଏଭଳି ଆଚରଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବନାହିଁ। ରଥଯାତ୍ରାର ବିଭ୍ରାଟକୁ ନେଇ ପିସିସି ସଭାପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏ ସରକାର ରଥାଯାତ୍ରାର ବହୁ ପୂର୍ବରୁ ବିଭିନ୍ନ କମିଟି କରିବା ସହିତ ରଥଯାତ୍ରାକୁ ସୁରୁଖୁରରେ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରଥଯାତ୍ରା ଦିନ ଅବ୍ୟବସ୍ଥା ଚରମସୀମାରେ। ୧୫ ଶହରୁୂ ଅଧିକ ବିଜେପି କର୍ମକର୍ତ୍ତା କଡନ ଭିତରେ କିଭଳି ରହିଲେ ତାଙ୍କୁ ପାସ କିଏ ଦେଲା ? ଅଯଥାରେ ଭିଡ଼ ସୃଷ୍ଟି କରି ସମୁଦାୟ ବିଶୃଙ୍ଖଳା ସେମାନେ ସୃଷ୍ଟି କରିଛନ୍ତି। ଦୀର୍ଘ ୫୩ ବର୍ଷ ଭିତରେ ଏଭଳି ବିଶୃଙ୍ଖଳା କେବେ ଦେଖାଦେଇ ନଥିଲା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବାପାଇଁ ଓଡ଼ିଶାର କୋଣ ଅନୁକୋଣ ଏବଂ ଦେଶବିଦେଶରେ ଲୋକ ଆସିଥିଲେ କିନ୍ତୁ ମହାପ୍ରଭୁଙ୍କର ରଥ ଗଡ଼ିଲା ନାହିଁ । ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ। ଖୋଦ ଆଇନମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଅନ୍ୟ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ସମସ୍ତେ ରଥଯାତ୍ରା ପାଇଁ ଦାୟିତ୍ୱରେ ଥିଲେ। କିନ୍ତୁ ସରକାର କେବଳ ଜିଲ୍ଲାପାଳ ଓ ଏସପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ। ଆଇନମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଡିଜି ପୋଲିସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କର କ’ଣ କିଛି ଦୋଷ ନାହିଁ, ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା। ତିନିଜଣ ଲୋକ ପ୍ରାଣ ହରାଇଲେ ହଜାର ହଜାର ଲୋକ ଦଳାଚକଟାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସତ ହେଲେ କିନ୍ତୁ ମହାପ୍ରଭୁଙ୍କ ରଥକୁ ଜଣେ ଧନୀ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ରୋକି ଦିଆଗଲା। ସେ ଆସିଲେ ରଥ ଟାଣିଲେ। ତାପରେ ରଥ ଗଡ଼ିଲା। ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀମାନେ ଏହି ଧନିକ ବ୍ୟବସାୟୀଙ୍କ ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଏହି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କୁ ଏ ସରକା ଛୋଟ କରିଦେଲେ ଏବଂ ଆଦାନୀକୁ ସର୍ବକ୍ଷମତା ସଂପନ୍ନ ବୋଲି ପ୍ରମାଣିତ କରିଦେଲେ। ଏ ହେଉଛି ଓଡ଼ିଆ ଅସ୍ମିତା କି? ଏହି ଘଟଣାରେ ଉନ୍ନୟନ କମିଶନ କିଭଳି ତଦନ୍ତ କରିବେ। ଜଣେ ଉନ୍ନୟନ କମିସନର କ’ଣ ତାଙ୍କର ବରିଷ୍ଠ ଅଧିକାରୀ, ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦୋଷକୁ ଧରିବେକି ନା ତାଙ୍କୁ ଧରିପାରିବେ ନାହିଁ। ସେ ନିଜେ ଜଣେ ରଥ ପରିଚାଳନା କରିବା କମିଟିର ସଦସ୍ୟ ଥିଲେ ତେଣୁ ଜଣେ ଜିଲ୍ଲା ଜର୍ଜଙ୍କ ଅଧ୍ୟକ୍ଷତାର ଏ ଘଟଣାର ତଦନ୍ତ ହେଉ ଏବଂ ତଦନ୍ତ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ସରକାର ପ୍ରକାଶ କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ଜୁଲାଇ ୨୦୨୫



ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ 2025-26 ର ପ୍ରଥମ ତ୍ରୈମାସିକରେ ପଣ୍ୟ ପରିବହନରେ ଏକ ଦୃଢ଼ ପ୍ରଦର୍ଶନ ହାସଲ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି |

ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପୂର୍ବତଟ ରେଳପଥ 62.2 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ସମାନ ଅବଧିରେ ମୋଟ 68.19 ନିୟୁତ ଟନ୍ ବୋଝେଇ କରିଛି, ଯାହା ପ୍ରଶଂସନୀୟ 9.69% ବୃଦ୍ଧିକୁ ପ୍ରତିଫଳିତ କରୁଅଛି |

କେବଳ ଜୁନ୍ 2025 ରେ, ପଣ୍ୟ ପରିବହନ 23.15 ନିୟୁତ ଟନ୍ ରେ ପହଞ୍ଚିଛି ଯାହା 2024 ର ସମାନ ଅବଧି ମଧ୍ୟରେ ପଣ୍ୟ ବୋଝେଇ 21.49 ନିୟୁତ ଟନ୍ ତୁଳନାରେ 7.72% ବୃଦ୍ଧି ପାଇଛି |

ପୂର୍ବତଟ ରେଳପଥ ଦ୍ୱାରା ଦୈନିକ ହାରାହାରି ପଣ୍ୟ ପରିବହନ ବର୍ତ୍ତମାନ ପ୍ରାୟ 0.75 ନିୟୁତ ଟନ୍ ରହିଛି ଯାହା 2025-26 ଆର୍ଥିକ ବର୍ଷ ପାଇଁ ଏହାର ମହତ୍ୱାକାଂକ୍ଷୀ ବାର୍ଷିକ ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି |

ଏହି ସ୍ଥିର ଅଭିବୃଦ୍ଧି କେବଳ ଦକ୍ଷ ଯୋଜନା, ଉନ୍ନତ କାର୍ଯ୍ୟକ୍ଷମ ପରିଚାଳନା ଏବଂ କୋଇଲା, ଲୁହା ଖଣି, ସିମେଣ୍ଟ ଏବଂ ସାର ଭଳି କ୍ଷେତ୍ରଗୁଡ଼ିକ ସହିତ ପଣ୍ୟ ପରିବହନ ଗ୍ରାହକମାନଙ୍କ ସହିତ ସକ୍ରିୟ ସମନ୍ୱୟ ଯୋଗୁଁ ସମ୍ଭବ ହୋଇପାରିଛି |  ଦେଶର ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି |

Powered by Blogger.
Javascript DisablePlease Enable Javascript To See All Widget