ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫
ଭୋଟ ଚୋରି ଓ ଚାକିରି ବିକ୍ରି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଚଳିତ ଅକ୍ଟୋବର ୯ ତାରିଖ ଦିନ ୧୦ ଘଣ୍ଟା ସମୟରେ “ପ୍ରତାରଣ ପ୍ରତିବାଦ ସମାବେଶ” କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ପ୍ରକାଶ କରିଛନ୍ତି। ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏହି ସଭାବେଶ କରାଯିବ ପରେ ଏକ ର୍ୟାଲି ମାଷ୍ଟର କ୍ୟାଣ୍ଟିନ ଛକରୁ ଲୋୟର ପିଏଜି ଦେଇ ମୁଖ୍ୟ ନିର୍ବାଚନ ଅଧିକାର କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିବ। ଲୋୟର ପିଏମଜି ଠାରେ ମଧ୍ୟ ଚାକିରି ବିକ୍ରି ପ୍ରତିବାଦରେ ବିକ୍ଷୋଭ କରାଯିବ। ଏହି ସମଗ୍ର କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ମାନନୀୟ ଶ୍ରୀଯୁକ୍ତ ଉଦୟଭାନୁ ଚିବ୍ ଜୀ, ସମ୍ମାନନୀୟ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ।
ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବଂ ଦେଶରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଚାଲିନାହିଁ। ଦୁଇଟି କ୍ଷେତ୍ରରେ ଭୋଟ ଚୋରିରୁ ଗଠିତ ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ମଧୁଚନ୍ଦ୍ରିକାରେ ଏହି ସରକାର ସମ୍ଭବ ହୋଇପାରିଛି। ଜନନାୟକ ତଥା ଲୋକସଭାର ବିରୋଧିଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଜୀ ଏହି ଭୋଟ ଚୋରିର ପର୍ଦ୍ଦାଫାଶ କରିବା ପରେ ସାରା ଦେଶର ଭୋଟର ମାନେ ଅନୁଭବ କରିଛନ୍ତି ଯେ, ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ନିର୍ବାଚନ କମିଶନ ଏବଂ ପ୍ରଧାନମନ୍ତ୍ରୀ ମୋଦେୀ ଛଡାଇ ନେଇଛନ୍ତି। ଓଡ଼ିଶାରେ ଭୋଟ ଚୋରି ମଧ୍ୟ ବ୍ୟାପକ ହୋଇଛି। ସଂନ୍ଧ୍ୟା ୫ ଟା ଠାରୁ ରାତି ୯ ଭିତରେ ୪୨ ଲକ୍ଷ ଭୋଟ ଯୋଡି ହୋଇଯିବାରୁ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି। ସେହିଭଳି କର୍ଣ୍ଣାଟକର ମହାଦେବପୁରା ଠାରେ ଭୋଟ ଚୋରିର ଉଦାହରଣ ଦେଇ ରାହୁଲ ଜୀ ସାରା ଦେଶର ଭୋଟର ଭାଇ ଓ ଭଉଣୀମାନଙ୍କର ଆଖି ଖୋଲି ଦେଇଛନ୍ତି। ଗୋଟିଏ ଘରେ ଗୋଟିଏ ନମ୍ବରରେ ୫୦୦ ରୁ ଉର୍ଦ୍ଧ୍ୱ ଭୋଟର ଏବଂ ଏହା ପୁଣି ବିଭିନ୍ନ ଧର୍ମର ଲୋକଙ୍କୁ ନେଇ କିପରି ସମ୍ଭବ ହୋଇପାରୁଛି? ସେହିଭଳି ବହୁ ଭୋଟରଙ୍କ ଘର ନମ୍ବର ଶୂନ୍ୟ ମଧ୍ୟ ରହିଛି। ସେହିଭଳି ଭୁଲ ଠିକଣା, ଫର୍ଜି ଭୋଟ, ଫର୍ଜି ଫଟୋ ଏବଂ ୬ ନମ୍ବର ଫର୍ମର ଦୁବ୍ୟବହାର କରାଯାଇ ମହାଦେବପୁରାରେ ବ୍ୟାପକ ଭୋଟ ଚୋରିର ପ୍ରମାଣ ରାହୁଲ ଗାନ୍ଧୀ ଦେଇଛନ୍ତି। ସେହଭଳି ମହାରାଷ୍ଟ୍ର ଏବଂ ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରି ହୋଇଛି। ଓଡ଼ିଶାରେ ବ୍ୟାପକ ଭୋଟ ଚୋରି ହୋଇଥିଲେ ମଧ୍ୟ ବିଜେଡ଼ି ଦଳ ଠିକ୍ ଭାବରେ ମୁହଁ ଖୋଲୁନାହିଁ।
ଅନ୍ୟପକ୍ଷରେ ବିଜେପି ସରକାର ସମସ୍ତ ସରକାରୀ ଚାକିରିକୁ ନିଲାମ କରିବାର ବ୍ୟବସ୍ଥା କରିଛନ୍ତି। ଏବେ ଯେଉଁ ପୁଲିସ୍ ଏସ୍.ଆଇ ଚାକିରି ବିକ୍ରି ଘଟଣା ଲୋକଲୋଚନକୁ ଆସିଛି, ତାହା ଓଡ଼ିଶାର ବେକାର ଯୁବକ ଯୁବତୀ ମାନଙ୍କୁ ହତାଶ କରିଛି। ଏ ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ବିଜେପି ସରକାର ପ୍ରତାରିତ କରୁଛି। ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ କରଜ କରି, ଜମି, ଜାଗା, ସୁନା ବନ୍ଧା ପକାଇ ଅର୍ଥ ଯୋଗାଡ କରୁଛନ୍ତି। ଛାତ୍ରଛାତ୍ରୀମାନେ ରାତି ଦିନ ପାଠ ପଢ଼ୁଛନ୍ତି। ହେଲେ ଫଳ କ’ଣ ହେବ? ମୋହନ ସରକାର ପରୀକ୍ଷା ପୂର୍ବରୁ ସମସ୍ତ ସରକାରୀ ଚାକିରି ବିକ୍ରି କରିଦେବାରେ ବ୍ୟବସ୍ଥା କରିଛନ୍ତି। ଏ ରାଜ୍ୟରେ ୧୧ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରିଛନ୍ତି। ଚାକିରି ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ବେକାର ଯୁବକ ଯୁବତୀମାନଙ୍କ ପ୍ରତି ସମ୍ବେଦନଶୀଳ ରହିବା ପରିବର୍ତ୍ତେ, ମେଧାବୀଙ୍କୁ ଚାକିରୀ ଦେବା ପରିବର୍ତ୍ତେ ମୋହନ ସରକାର ଯେଉଁ ଚାକିରି ବିକ୍ରି ନୀତିକୁ ଆପଣେଇଛନ୍ତି ତାହା ବିରୁଦ୍ଧରେ ଯୁବ କଂଗ୍ରେସ ଲଗାତାର ଆନ୍ଦୋଳନ କରିବ।
ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପରେ ଗତ ମାର୍ଚ୍ଚ ମାସରେ ପୁଲିସ ଏସ୍.ଆଇ. ପରୀକ୍ଷାର ପୂର୍ବଦିନ ବାତିଲ କରାଯାଇଥିଲା। ଯେଉଁ ବେସରକାରୀ ସଂସ୍ଥାକୁ ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ବିରୁଦ୍ଧରେ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ସେତେବେଳେ ଆର.ଆଇ., ଅମିନ, ଏ.ଏସ୍.ଓ., ସବ ଜେଲର ଓ ଓଟିଇଟି ପରୀକ୍ଷାର୍ଥୀମାନେ ମଧ୍ୟ ଚାକିରି ବିକ୍ରି ଯୋଜନାର ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଏହି ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା। ଏବେ ପୁଲିସ୍ ଏସ୍.ଆଇ. ପଦବୀର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା କରାଯାଇ ଅଗ୍ରିମ ଭାବେ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ନିଆଯାଇଥିବାର ଅଭିଯୋଗ ହୋଇଛି। ପରୀକ୍ଷାର୍ଥୀମାନଙ୍କର ଅରିଜିନାଲ ସାର୍ଟିଫିକେଟ ମଧ୍ୟ ନିଆଯାଇଛି। ସମୁଦାୟ ୨୯ କୋଟି ଟଙ୍କା ଡିଲ୍ ହୋଇଥିଲା। ମାତ୍ର ଯେହେତୁ ସମଗ୍ର ପରୀକ୍ଷାର୍ଥୀଙ୍କୁ ଚାକିରି ବିକିରି ପାଇଁ ଯୋଗାଯୋଗ କରିଥିବାର ଅଭିଯୋଗ ହୋଇଛି। ତେଣୁ ଏହାର ପରିମାଣ ଶତାଧିକ କୋଟି ଟଙ୍କା ହୋଇଥିବାର ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏହାର ନିୟନ୍ତ୍ରଣ କକ୍ଷ ରହିଛି ବୋଲି ଅଭିଯୋଗ ହୋଇଛି। ଚାକିରି ବିକ୍ରିର ମୁଖ୍ୟ ଅପରାଧିମାନେ ବିଜେପି ଦଳର ଏବଂ ସରକାରଙ୍କର ଗେଲ୍ଲା ପୁଅ ବୋଲି ଜଣାପଡ଼ିଛି। ଏଣୁ ଯୁବ କଂଗ୍ରେସ ଚାକିରି ବିକ୍ରିର ପର୍ଦ୍ଧାଫାସ ପାଇଁ ବିଚାରି ବିଭାଗୀୟ ତଦନ୍ତ ଦାବି କରୁୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ଯୁବ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଦୀପ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ନିହାର ବେହେରା, ଅଭିଜିତ୍ ଜେନା, ଜାଭେଦ ଅକ୍ତର, ମହମ୍ମଦ ଗୁଲଫାମ୍, କେଦାର ଦଳେଇ, ସ୍ୱାଗତ କର ଓ ମହମ୍ମଦ ପରଭେଜ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment