loading...

ପିଆଇବି ପକ୍ଷରୁ ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ କର୍ମଶାଳା

ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୫




  • ତମାଖୁର କୁପ୍ରଭାବ ସମ୍ପର୍କରେ ତୃଣମୂଳସ୍ତରରେ ଜନ ସଚେତନତାର ଆବଶ୍ୟକତା ରହିଛି: ପିଆଇବି ଏଡିଜି

ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି। ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି । ଦେଶର ଯୁବପିଢ଼ିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡ଼ାକଡ଼ି ଅନୁପାଳନର ଆବଶ୍ୟକତା ରହିଛି ବୋଲି ଆଜି କଟକଠାରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି। ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ର ତୃତୀୟ ପର୍ଯ୍ୟାୟ ଅଧୀନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି କଟକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବି/ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର) ଶ୍ରୀ ଅଖିଳ କୁମାର ମିଶ୍ର ଉଦବୋଧନ ଦେଇ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ତମାଖୁ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମ, ବିଶେଷ କରି ସାମାଜିକ ଗଣମାଧ୍ୟମର ବେଶ୍‌ ଗୁରୁତ୍ୱ ରହିଛି । ଗ୍ରାମୀଣ ଏବଂ ତୃଣମୂଳସ୍ତରରେ ସାମାଜିକ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ କାର୍ଯ୍ୟକ୍ରମକୁ ସେମ୍ବାଧିତ କରି କହିଥିଲେ, ସାମ୍ପ୍ରତିକ ସମାଜରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଶା କବଳରେ ପଡ଼ୁଛନ୍ତି । ନିଶା ନିବାରଣ ଏବଂ ଏହାର କୁପ୍ରଭାବକୁ ରୋକିବା ଲାଗି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିପାଇଁ କଠୋର ଆଇନ ପ୍ରଣୟନ ଏବଂ ପ୍ରବର୍ତ୍ତନ କରାଯାଉଛି। ତେବେ ତମାଖୁ ଏବଂ ଅନ୍ୟ ନିଶାଦ୍ରବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସରକାରଙ୍କ ପଦକ୍ଷେପକୁ ବ୍ୟାପକ ମାତ୍ରାରେ ପ୍ରଚାରପ୍ରସାର କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ପ୍ରତିଷ୍ଠାନର ପ୍ରାଧ୍ୟାପକ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ତାଙ୍କ ଅଭିଭାଷଣରେ ତମାଖୁ ନିଶାର କୁପ୍ରଭାବ ସମ୍ପର୍କରେ ତଥ୍ୟାତ୍ମକ ଅବତାରଣା କରିଥିଲେ। ସେ କହିଥିଲେ, ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ 14 ଲକ୍ଷ 61 ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ 20% ତମାଖୁ ଜନିତ କର୍କଟ ରୋଗରେ ପୀଡ଼ିତ ହୋଇଥା’ନ୍ତି। ସେହିପରି ଓଡ଼ିଶାରେ ବାର୍ଷିକ ପ୍ରାୟ 52,960 କର୍କଟ ରୋଗୀଙ୍କ ମଧ୍ୟରୁ 30 ପ୍ରତିଶତ ତମାଖୁ ଜନିତ କର୍କଟ ଆକ୍ରାନ୍ତ ଥିବା ଅଧ୍ୟୟନରୁ ଜଣାପଡ଼ିଛି। 10 ପ୍ରତିଶତ ରୋଗୀ କିଶୋରାବସ୍ଥାରେ ତମାଖୁ କବଳରେ ପଡ଼ି ରୋଗାକ୍ରାନ୍ତ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପ୍ରଫେସର ସେନାପତି କହିଥିଲେ। ସେ ଆହୁରି କହିଥିଲେ, ତମାଖୁ ସେବନ କାରଣରୁ ବିଶ୍ୱରେ ପ୍ରତି 26 ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଛନ୍ତି। ତମାଖୁ ଏକ ନିରବ ଘାତକ। ଏଥିରେ ଲକ୍ଷ ଲକ୍ଷ ଲୋକ ରୋଗାକ୍ରାନ୍ତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି। ତମାଖୁ ଓ ଅନ୍ୟାନ୍ୟ ନିଶା ନିବାରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନର ପ୍ରଭାବୀ କାର୍ଯ୍ୟକାରିତା ସହିତ ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଶାମୁକ୍ତି କେନ୍ଦ୍ର ଖୋଲିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଥିଲେ, ତମାଖୁ ମୁକ୍ତ ଭାରତ ଗଠନ ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ସେ କହିଥିଲେ, ବର୍ତ୍ତମାନ 10ରୁ 15 ବର୍ଷ ବୟସର ପିଲା, ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ଆଦ୍ୟ କିଶୋରାବସ୍ଥାରେ ସାଙ୍ଗସାଥୀଙ୍କ ପ୍ରଭାବରେ ତମାଖୁ ନିଶା କବଳରେ ପଡ଼ିବା ଚିନ୍ତାର ବିଷୟ। ଗଣମାଧ୍ୟମ, ବିଶେଷ କରି ସେଲିବ୍ରିଟିମାନେ ମଧ୍ୟ ତମାଖୁ ଉତ୍ପାଦର ପ୍ରଚାରପ୍ରସାର କରିବା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି । ସେମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଲାଗି ସୂଚନା, ଶିକ୍ଷା ଏବଂ ସଚେତନତାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଗତ 9 ଅକ୍ଟୋବରରୁ ଆରମ୍ଭ ହୋଇଥିବା ନିଶାମୁକ୍ତି ଅଭିଯାନକୁ ଆହୁରି ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ସମାଜର ସମ୍ପାଦକ ତପନ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିଜ ବ୍ୟକ୍ତିଗତ ଅଭିଜ୍ଞତାରୁ କହିଥିଲେ, ତମାଖୁ ନିଶାର ଏକ ସାମାଜିକ ଓ ପାରିବାରିକ ଆଧାର ରହିଛି । ସାମାଜିକ ଓ ସାଂସ୍କୃତିକ ପ୍ରଭାବରେ ମଧ୍ୟ ଅଧିକାଂଶ ଲୋକ ତମାଖୁ ନିଶା କବଳରେ ପଡ଼ିଥା’ନ୍ତି। ନିଶାମୁକ୍ତି ଏକ ସାମୂହିକ ସାମାଜିକ ଉତ୍ତରଦାୟିତ୍ୱ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସିବିସିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିଆଇବି ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡା. ଅଭିଷେକ ମିଶ୍ର, ଆକାଶବାଣୀ ସମାଚାର ବିଭାଗ ମୁଖ୍ୟ ଡ. ସତ୍ୟ ନାରାୟଣ ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ନିର୍ମାଲ୍ୟ ବେହେରା, କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ, ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ନିଶାମୁକ୍ତି ଶପଥ ପାଠ କରାଯାଇଥିଲା। ନିଶା କବଳରୁ ମୁକ୍ତି ପାଇଥିବା କେତେଜଣ ବ୍ୟକ୍ତି ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ। କର୍ମଶାଳାରେ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ଯୁବବର୍ଗ ଉପସ୍ଥିତ ଥିଲେ।


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget